Unknown

 

 

 

 

 

 

 

 

 

 

 

ଓଡ଼ିଆ ଗଳ୍ପ କାଲି, ଆଜି ଓ କାଲି

ଗୌରହରି ଦାସ

 

ଏହି ପୁସ୍ତକର ଅନ୍ତଃପ୍ରଚ୍ଛଦରେ ଆନୁମାନିକ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକରେ ରଚିତ ଭାସ୍କର୍ଯ୍ୟର ପ୍ରତିଲିପି ମୁଦ୍ରିତ ହୋଇଛି । ନାଗାର୍ଜୁନକୋଣ୍ଡାର ଏହି ଧ୍ୱଂସାବଶେଷ ବର୍ତ୍ତମାନ ନୂଆଦିଲ୍ଲୀର ନ୍ୟାସନାଲ ମ୍ୟୁଜିୟମରେ ସଂରକ୍ଷିତ । ଏହି ଭାସ୍କର୍ଯ୍ୟର ବିଷୟ ରାଜା ଶୁଦ୍ଧୋଦନଙ୍କ ରାଜସଭାରେ ତିନିଜଣ ଜ୍ୟୋତିଷୀ ଭଗବାନ ବୁଦ୍ଧଙ୍କ ଜନନୀ ମାୟାଦେବୀଙ୍କ ସ୍ୱପ୍ନର ତାତ୍ପର୍ଯ୍ୟ ବ୍ୟାଖ୍ୟା କରୁଛନ୍ତି । ଜ୍ୟୋତିଷୀମାନଙ୍କ ଆସନ ନିକଟରେ ଲିପିକାର ବସି ସେମାନଙ୍କ ବକ୍ତବ୍ୟ ଲେଖି ଚାଲିଛନ୍ତି । ଅନୁମାନ, ଏହା ଭାରତୀୟ ଲିଖନକଳାର ପ୍ରାଚୀନତମ ଚିତ୍ରରୂପ ।

Image

 

ସୂଚୀପତ୍ର

 

୧.

ଆଲୋଚନାଚକ୍ର ପରିକ୍ରମା

 

୨.

ଓଡ଼ିଆ କ୍ଷୁଦ୍ରଗଳ୍ପ

ବିଭୂତି ପଟ୍ଟନାୟକ

୩.

ଓଡ଼ିଆ କ୍ଷୁଦ୍ରଗଳ୍ପ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ଗୌରହରି ଦାସ

୪.

ଫକୀରମୋହନ ଓ ସମସାମୟିକ ଗଳ୍ପର ଧାରା

ଅଧ୍ୟାପକ ବିଶ୍ୱରଂଜନ

୫.

ଆଧୁନିକ ଓଡ଼ିଆ ଗଳ୍ପର ପ୍ରଥମ ପର୍ବ

ବିଜୟାନନ୍ଦ ସିଂହ

୬.

ଓଡ଼ିଆ କ୍ଷୁଦ୍ରଗଳ୍ପର ଉନ୍ମେଷ ପର୍ବ ଓ ଫକୀରମୋହନ

ଦେବେନ୍ଦ୍ର କୁମାର ଦାଶ

୭.

ଓଡ଼ିଆ ଗଳ୍ପର ପ୍ରମୁଖ ଧାରା

ପ୍ରକାଶ କୁମାର ପରିଡ଼ା

୮.

ସ୍ୱାଧୀନତା ପୂର୍ବର ପ୍ରସିଦ୍ଧ କଥାଶିଳ୍ପୀ କତିପୟ

ବିଷ୍ଣୁ ସାହୁ

୯.

ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଗଳ୍ପର ଆଖ୍ୟାନକଳ୍ପ ଓ ଶୈଳୀତତ୍ତ୍ୱ

କ୍ଷୀରୋଦ ଚନ୍ଦ୍ର ବେହେରା

୧୦.

ଓଡ଼ିଆ କ୍ଷୁଦ୍ରଗଳ୍ପରେ ସଂସ୍କାର ଭାବନା ଓ ପରିବର୍ତ୍ତନର ସ୍ୱର

କୃଷ୍ଣଚନ୍ଦ୍ର ପ୍ରଧାନ

୧୧.

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପର ବାସ୍ତବବାଦୀ ଚେତନା ଓ ତା’ର ପ୍ରୟୋଗ

ଗିରୀଶ ଚନ୍ଦ୍ର ସାହୁ

୧୨.

ଓଡ଼ିଆ କଥା ସାହିତ୍ୟରେ ରାଜନୈତିକ ଚେତନା

ପରେଶ କୁମାର ପଟ୍ଟନାୟକ

୧୩.

ଓଡ଼ିଆ ଗଳ୍ପର ଭାଷା ଓ ଶୈଳୀ

ଅଜୟ ସ୍ୱାଇଁ

୧୪.

ଓଡ଼ିଆ ଗଳ୍ପର ଭାବସମ୍ପଦ

ପ୍ରସନ୍ନ କୁମାର ମହାନ୍ତି

୧୫.

ଓଡ଼ିଆ ଗଳ୍ପ ଜଗତକୁ ଲେଖିକାମାନଙ୍କ ଅବଦାନ

ପୁଷ୍ପାଞ୍ଜଳି ନାୟକ

୧୬.

ଗଳ୍ପ ଚର୍ଚ୍ଚାରେ କାଳ ଖଣ୍ଡ

ଜଗଦୀଶ ମହାନ୍ତି

୧୭.

ପତ୍ରପତ୍ରିକାମାନଙ୍କର କ୍ଷୁଦ୍ରଗଳ୍ପକୁ ଅବଦାନ

ସାରଦା ପ୍ରସାଦ ମିଶ୍ର

୧୮.

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ

ଦେବବ୍ରତ ମଦନରାୟ

୧୯.

ଭବିଷ୍ୟତର ଗଳ୍ପ: ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ

ସହଦେବ ସାହୁ

୨୦.

ଦୁଇଟି ପଞ୍ଚାୟତ, ଦଶଟି ଗାଁ : ଭବିଷ୍ୟତର ଓଡ଼ିଆ ଗଳ୍ପରେ ଉଦାରୀକରଣ ଓ ସ୍ଥାନୀୟତାବାଦ

ଦେବପ୍ରସାଦ ଦାଶ

୨୧.

ଆଗାମୀ ଦିନର ଓଡ଼ିଆ ଗଳ୍ପ ପାଇଁ ସଙ୍କଟ ଓ ସମ୍ଭାବନା

ଅରବିନ୍ଦ ରାୟ

୨୨.

ଲେଖକ ପରିଚୟ

 

Image

 

ଆଲୋଚନାଚକ୍ର ପରିକ୍ରମା

ଓଡ଼ିଆ ଗଳ୍ପ : କାଲି, ଆଜି ଓ କାଲି

 

୨୦୧୨ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇଦିନ ଧରି ଭୁବନେଶ୍ୱରରେ କ୍ଷୁଦ୍ରଗଳ୍ପ ସଂପର୍କରେ ଯେଉଁ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ତାହା ଏକାଧିକ କାରଣରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରଥମ କାରଣ ହେଲା, ଏହା ପୂର୍ବରୁ ଅନ୍ତତଃ ଦୁଇ ଦଶନ୍ଧି ଭିତରେ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନେଇ ଏଭଳି ଏକ ଆଲୋଚନାଚକ୍ର ଆୟୋଜିତ ହୋଇ ନ ଥିଲା । ଦ୍ୱିତୀୟ କାରଣଟି ହେଲା, ଗୋପୀନାଥ ମହାନ୍ତି ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଗାଳ୍ପିକଙ୍କ ସହ, ସମକାଳର ବହୁ ଗାଳ୍ପିକ ଏବଂ ଗଳ୍ପ ସାହିତ୍ୟର ଗବେଷକ ଏଥିରେ ଯୋଗଦେଇ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ । ଏମାନେ ହେଲେ ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ, ସାତକଡ଼ି ହୋତା, ବୀଣାପାଣି ମହାନ୍ତି, ଅଧ୍ୟାପକ ବିଶ୍ୱରଂଜନ, ତରୁଣକାନ୍ତି ମିଶ୍ର, ପଦ୍ମଜ ପାଳ, ଜଗଦୀଶ ମହାନ୍ତି, ଦାଶ ବେନହୁର, ଗୌରହରି ଦାସ, ପରେଶ ପଟ୍ଟନାୟକ, ଅଜୟ ସ୍ୱାଇଁ, ଦେବବ୍ରତ ମଦନରାୟ, ବିଷ୍ଣୁ ସାହୁ, ପୁଷ୍ପାଞ୍ଜଳି ନାୟକ, ଶାରଦା ପ୍ରସାଦ ମିଶ୍ର, ଅରବିନ୍ଦ ରାୟ, ସହଦେବ ସାହୁ, ଗିରୀଶ ଚନ୍ଦ୍ର ସାହୁ, ଦେବପ୍ରସାଦ ଦାସ ପ୍ରମୁଖ । ଏମାନଙ୍କ ଭିନ୍ନ ଯେଉଁ ଗବେଷକମାନେ ନିଜ ନିଜର ପ୍ରବନ୍ଧ ପାଠ କରିଥିଲେ ସେମାନେ ହେଉଛନ୍ତି ଦେବେନ୍ଦ୍ର କୁମାର ଦାଶ, ପ୍ରକାଶ କୁମାର ପରିଡ଼ା, କ୍ଷୀରୋଦ କୁମାର ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ପ୍ରସନ୍ନ କୁମାର ମହାନ୍ତି । ଭିନ୍ନ ଭିନ୍ନ ଅଧିବେଶନରେ ଶ୍ରୀ ସାତକଡ଼ି ହୋତା, ଶାନ୍ତନୁ କୁମାର ଆଚାର୍ଯ୍ୟ, କୃଷ୍ଣ ଚରଣ ବେହେରା, କୃପାସାଗର ସାହୁ ଏବଂ ଗୋପାଳକୃଷ୍ଣ ରଥ ପ୍ରମୁଖ ବରିଷ୍ଠ ଲେଖକ ଅଧ୍ୟକ୍ଷତା କରି ଓଡ଼ିଆ ଗଳ୍ପ ସାହିତ୍ୟ କିଭଳି ଭାରତବର୍ଷର ଯେକୌଣସି ପ୍ରାନ୍ତୀୟ ଗଳ୍ପ ସାହିତ୍ୟର ସମକକ୍ଷ ତାହା ବିଭିନ୍ନ ଦୃଷ୍ଟାନ୍ତ ଜରିଆରେ ପ୍ରକାଶ କରିଥିଲେ ।

 

‘ଓଡ଼ିଆ ଗଳ୍ପର ସ୍ଥିତି: ଗତକାଲି, ଆଜି ଏବଂ ଆସନ୍ତାକାଲି’ ଶୀର୍ଷକ ଏହି ଆଲୋଚନାଚକ୍ରରେ ଓଡ଼ିଆ ଗଳ୍ପ ସାହିତ୍ୟର ଆଦ୍ୟ ଉନ୍ମେଷ କାଳ ୧୮୯୮ରୁ ନେଇ ୨୦୧୨ ପର୍ଯ୍ୟନ୍ତ ଦୀର୍ଘ ୧୧୪ ବର୍ଷର ଓଡ଼ିଆ ଗଳ୍ପ ସଂପର୍କରେ ଚର୍ଚ୍ଚା କରାଯାଇଥିଲା । ଏହି ଆଲୋଚନାକାଳରେ ଗଳ୍ପର ଆଙ୍ଗିକ ଓ ଆତ୍ମିକ ଉଭୟ ଦୃଷ୍ଟିକୋଣରୁ ବକ୍ତାମାନେ ଆଲୋଚନା କରିଥିଲେ । ଏଠାରେ ଆଲୋଚ୍ୟ ସନ୍ଦର୍ଭଗୁଡ଼ିକ ଯେଉଁଭଳି ଥିଲା ଗୁରୁତ୍ୱପୂର୍ଣ୍ଣ ସେହିଭଳି ପ୍ରାସଙ୍ଗିକ-। ଉଦାହରଣ ସ୍ୱରୂପ ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଫକୀରମୋହନ ସେନାପତିଙ୍କ ଗଳ୍ପ ଜଗତ ସଂପର୍କରେ ଆଲୋଚନା କାଳରେ ତାଙ୍କ ପୂର୍ବର, ତାଙ୍କ ସମସାମୟିକ ଏବଂ ତାଙ୍କ ପରବର୍ତ୍ତୀ ଗାଳ୍ପିକଙ୍କର ଗଳ୍ପସାହିତ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ୧୮୯୮ରେ ପ୍ରକାଶିତ ‘ରେବତୀ’ ଗଳ୍ପ ପୂର୍ବରୁ ଓଡ଼ିଆ ସାହିତ୍ୟରେ ସଂପୂର୍ଣ୍ଣ ଗଳ୍ପ ନ ଥିଲା, ଯାହାକୁ ଆଧୁନିକ ଗଳ୍ପର ମର୍ଯ୍ୟାଦା ଦେଇହେବ । ଉଦ୍‌ଘାଟନୀ ଅଧିବେଶନରେ ପଠିତ ଭିତ୍ତିପ୍ରବନ୍ଧରେ ଏକଥା ଦର୍ଶାଯାଇଥିଲା ଯେ, ଭାରତବର୍ଷର ଅନ୍ୟ ଯେକୌଣସି ଭାଷାରେ ଲେଖାଯାଇଥିବା ଗଳ୍ପଗୁଡ଼ିକଠାରୁ ଓଡ଼ିଆ ଭାଷାର ପ୍ରଥମ ଗଳ୍ପ ‘ରେବତୀ’ ଉଭୟ ସଂରଚନା ଏବଂ ଭାବବସ୍ତୁ ଦୃଷ୍ଟିରୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ । ସଂଯତ ପ୍ରେମ ‘ରେବତୀ’ ଗଳ୍ପର ଅନ୍ତଃସଲୀଳା ଫଲ୍‌ଗୁ ହେଲେ ମଧ୍ୟ ସାମାଜିକ ବାସ୍ତବବାଦ ଏହାର ମୂଳ ଉପଜୀବ୍ୟ । ଅଥଚ ଅନ୍ୟାନ୍ୟ ଭାରତୀୟ ଭାଷାରେ ଯେଉଁ ଯେଉଁ ଗଳ୍ପ ପ୍ରଥମେ ଲେଖାଯାଇଛି ସେଗୁଡ଼ିକ କେହି ‘ରେବତୀ’ ପରି ପରିପକ୍ୱ ନୁହନ୍ତି କିମ୍ବା ଜୀବନଧର୍ମୀ ନୁହନ୍ତି । ଏ ଦୃଷ୍ଟିରୁ ଫକୀରମୋହନ ଖୁବ୍‌ ଜଣେ ଆଗୁସାର ଗଳ୍ପ ଲେଖକ ଭାବେ ଆମ ସମ୍ମୁଖରେ ଅବତୀର୍ଣ୍ଣ ହୁଅନ୍ତି ବୋଲି ଗବେଷକମାନେ ମତ ରଖିଥିଲେ ।

 

ଓଡ଼ିଆ ଗଳ୍ପ ସଂପର୍କୀୟ ଆଲୋଚନାକୁ ସମୟକ୍ରମେ ତିନି ଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମ ହେଉଛି ସ୍ୱାଧୀନତା ପର୍ଯ୍ୟନ୍ତ ଲେଖାଯାଇଥିବା ଗଳ୍ପ, ଦ୍ୱିତୀୟ ହେଉଛି ସ୍ୱାଧୀନତା ପରବର୍ତ୍ତୀ ଗଳ୍ପ ଏବଂ ତୃତୀୟ ହେଉଛି ବିଂଶ ଶତକର ନବେ ଦଶକରେ ଦେଖାଦେଇଥିବା ଉଦାରବାଦୀ ଅର୍ଥନୀତି ପରବର୍ତ୍ତୀ ଓଡ଼ିଆ ଗଳ୍ପ । ଏକଥା ଜଣାଶୁଣା ଯେ ସ୍ୱାଧୀନତା ପୂର୍ବରୁ ଲେଖାଯାଇଥିବା ଗଳ୍ପଗୁଡ଼ିକ ମଧ୍ୟରେ ଦୁଇ ପ୍ରକାର କଥା ଲକ୍ଷ୍ୟ କରାଯାଇଥାଏ-। ଫକୀରମୋହନ ଏବଂ ତାଙ୍କ ସମସାମୟିକ ଲେଖକମାନଙ୍କ ଗଳ୍ପରେ ଦେଶର ସ୍ୱାଧୀନତା ବଡ଼ ପ୍ରଶ୍ନ ନ ଥିଲା, ବରଂ ସେ ସ୍ଥାନ ଅଧିକାର କରିଥିଲା ଓଡ଼ିଶାର ସାମାଜିକ ସମସ୍ୟା– ଅନ୍ଧବିଶ୍ୱାସ, କୁସଂସ୍କାର, କନ୍ୟାସୁନା ପ୍ରଥା, ଦାରିଦ୍ର୍ୟ ଏବଂ ନାରୀ ଶିକ୍ଷାର ଅଭାବ ଇତ୍ୟାଦି । ସ୍ୱାଧୀନତା ଲାଗି ଆକୁଳତା ପ୍ରକାଶ ପାଇଲା ଢେର୍‌ ପରେ, ବିଂଶ ଶତକର ତୃତୀୟ ଦଶକରେ । ଏଭଳି ଗଳ୍ପ କାଳିନ୍ଦୀଚରଣ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି ଏବଂ ଗୋପୀନାଥ ମହାନ୍ତି ଓ ତାଙ୍କର ସମସାମୟିକମାନେ ଲେଖିଥିଲେ । ମହାପାତ୍ର ନୀଳମଣି ସାହୁ ତାଙ୍କର ଉଦ୍‌ଘାଟନୀ ଅଧିବେଶନରେ ମତ ଦେଇଥିଲେ ଯେ ଫକୀରମୋହନ ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ହେଲେ ମଧ୍ୟ ସେ ତାଙ୍କ ଉଦ୍ୟମରେ ଯେଉଁ ଓଡ଼ିଆ ଗଳ୍ପର କ୍ଷେତ୍ରକୁ କଷ୍ଟେମଷ୍ଟେ ଛଅମାଣ ଆଠଗୁଣ୍ଠ ପର୍ଯ୍ୟନ୍ତ ବିସ୍ତାରିତ କରିଥିଲେ, ତାଙ୍କର ପରବର୍ତ୍ତୀ ପ୍ରଜନ୍ମ ତାହାକୁ ଛଅଶହ ଏକର ପରିମିତ ବ୍ୟାପ୍ତିରେ ପହଞ୍ଚାଇପାରିଛି । ସେ ତାଙ୍କର ବକ୍ତବ୍ୟରେ ଓଡ଼ିଆ ଗଳ୍ପ ସାହିତ୍ୟର ପ୍ରସିଦ୍ଧ କୃତିଗୁଡ଼ିକ ସଂପର୍କରେ ବିଶଦ ଆଲୋଚନା କରିଥିଲେ ।

 

ପରବର୍ତ୍ତୀ ଅଧିବେଶନଗୁଡ଼ିକର ପ୍ରବନ୍ଧ ଭିତରେ ଅଧ୍ୟାପକ ଦେବେନ୍ଦ୍ର କୁମାର ଦାଶ, ପ୍ରକାଶ କୁମାର ପରିଡ଼ା, କ୍ଷୀରୋଦ ବେହେରା, ସାରଦା ପ୍ରସାଦ ମିଶ୍ର ଏବଂ ଦେବପ୍ରସାଦ ଦାଶଙ୍କ ପ୍ରବନ୍ଧ ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଗଳ୍ପ, ଏହି ସମୟରେ ରଚିତ ଗଳ୍ପର ମୁଖ୍ୟ ସ୍ୱର, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ପ୍ରସଙ୍ଗ ସହ ଓଡ଼ିଆ ଗଳ୍ପର ଭବିଷ୍ୟତ କଥା ଆଲୋଚନା କରିଥିଲା । ଶେଷୋକ୍ତ ଅଧିବେଶନଟି ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଆଗାମୀ ଦିନର ଗଳ୍ପରେ କିଭଳି କଳ୍ପନା ଅପେକ୍ଷା ଅତିବାସ୍ତବତା ଓ ବଜାର ଅର୍ଥନୀତି ପ୍ରସଙ୍ଗ ଏବଂ ବିଚ୍ଛିନ୍ନତାବୋଧ ଆଦି ଅଗ୍ରପ୍ରାଧାନ୍ୟ ପାଇବାକୁ ଯାଉଛି ସେକଥା ଅରବିନ୍ଦ ରାୟ, ସହଦେବ ସାହୁ ଏବଂ ଦେବପ୍ରସାଦ ଦାଶ ପ୍ରମୁଖ ଆଲୋଚନା କରିଥିଲେ । ଉଦ୍‌ଯାପନୀ ଅଧିବେଶନର ମୁଖ୍ୟ ଅତିଥି ଥିଲେ ପ୍ରବୀଣ କଥାକାର ତରୁଣକାନ୍ତି ମିଶ୍ର । ଶ୍ରୀ ମିଶ୍ର ଅତି ସୁନ୍ଦର ଭାବରେ କହିଥିଲେ ଯେ, ଗୋଟିଏ ଗଳ୍ପ କାହିଁକି ସଫଳ ହୁଏ ସେ ନେଇ ନିର୍ଦ୍ଦିଷ୍ଟ ଭାବରେ କିଛି କୁହାଯାଇପାରିବ ନାହିଁ, ଯଦିଓ ଗଳ୍ପ ଲେଖିବାର କଳା କୌଶଳକୁ ନେଇ ପୃଥିବୀରେ ଅନେକ ବହି ଲେଖାଯାଇଛି । ଉଦାହରଣସ୍ୱରୂପ ସେ ଭିନ୍ନ ଭିନ୍ନ ସାହିତ୍ୟର ଶ୍ରେଷ୍ଠ ଗଳ୍ପଗୁଡ଼ିକ ସହ ଓଡ଼ିଆ ଭାଷାର ବିଶିଷ୍ଟ ଗଳ୍ପଗୁଡ଼ିକର ଉଦାହରଣ ଦେଇ ନିଜ ବକ୍ତବ୍ୟର ପରିପୂର୍ତ୍ତି କରିଥିଲେ ।

 

ଉଲ୍ଲେଖ କରିବାରେ ଦ୍ୱିଧା ନାହିଁ ଯେ କ୍ଷୁଦ୍ରଗଳ୍ପ ହିଁ ସାଂପ୍ରତିକ ସମାଜର ପ୍ରତିନିଧିସ୍ଥାନୀୟ ଶବ୍ଦଚିତ୍ର । ଆମ ସମାଜର ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ସ୍ତରରେ ଯେଉଁ ଯେଉଁ ପରିବର୍ତ୍ତନ ଘଟିଚାଲିଛି ତାହାର ପ୍ରତିଛବି ଆମେ କ୍ଷୁଦ୍ରଗଳ୍ପରେ ଦେଖିବାକୁ ପାଉ । ବାହ୍ୟ ବିଲକ୍ଷଣଗୁଡ଼ିକ ସହ ମଣିଷର ଆଭ୍ୟନ୍ତରୀଣ ଓ ଆତ୍ମିକ ବିବର୍ତ୍ତନ ଓ ପରିବର୍ତ୍ତନର କଥା ମଧ୍ୟ କ୍ଷୁଦ୍ରଗଳ୍ପରେ ପ୍ରତିଫଳିତ ହେଉଅଛି । ସମୟକ୍ରମେ ସମାଜର ବ୍ୟବସ୍ଥା, ମଣିଷର ଜୀବନ ଓ ଜୀବିକା ବଦଳି ବଦଳି ଚାଲିଛି । ଭାରତ ସ୍ୱାଧୀନ ହେବାପରେ କଳକାରଖାନାଗୁଡ଼ିକୁ ନେଇ ଯେଉଁ ସ୍ୱପ୍ନ-ସମ୍ଭାବନା ଥିଲା ଏବଂ ଏଥିନିମନ୍ତେ ସାଧାରଣ ସ୍ତରରେ ଯେଉଁ ପ୍ରତିକ୍ରିୟା ଥିଲା ଆଜିର ପ୍ରତିକ୍ରିୟା ତାହାଠାରୁ ସଂପୂର୍ଣ୍ଣ ଅଲଗା । ଏକଦା ରାଜନୀତିକୁ ଯେଉଁ ଭାବରେ ଦେଶସେବାର ମାଧ୍ୟମ ଭାବେ ଗ୍ରହଣ କରାଯାଉଥିଲା, ଆଜି କ୍ୱଚିତ କେହି ତାହାକୁ ସେହିପରି ଗ୍ରହଣ କରିବେ । ବିବାହ, ପରିବାର, ଛାଡ଼ପତ୍ର ଏବଂ ବିଧବା ବିବାହ ପରି ଘଟଣାକୁ ଏକଦା ଯେଉଁଭଳି ଭାବେ ଭାରତୀୟ ସମାଜ ଗ୍ରହଣ କରୁଥିଲା ଆଜି ତାହା ସେଭଳି ନାହିଁ । ସେହି ପରିବର୍ତ୍ତନର ଚିତ୍ର ତୋଳିଧରୁଛି ସାଂପ୍ରତିକ କ୍ଷୁଦ୍ରଗଳ୍ପ ।

 

ଏସବୁ ଆତ୍ମିକ ଦିଗ ସହିତ କ୍ଷୁଦ୍ରଗଳ୍ପର ଶିଳ୍ପକଳାକୁ ନେଇ ଆଲୋଚନାଚକ୍ରରେ ପ୍ରବନ୍ଧମାନ ପାଠ କରାଯାଇଥିଲା । ଓଡ଼ିଆ ଗଳ୍ପର ଭାଷା, ଗଠନ ରୀତି ଏବଂ ଶୈଳୀକୁ ନେଇ ଏକାଧିକ ଆଲୋଚକ ନିଜ ନିଜର ପ୍ରବନ୍ଧ ପାଠ କରିଥିଲେ । ସେମାନଙ୍କର ପ୍ରବନ୍ଧଗୁଡ଼ିକ ଏହି ସଂକଳନରେ ସ୍ଥାନୀତ ହୋଇଥିବାରୁ ସେ ସଂପର୍କରେ ଏଠାରେ ଅଧିକ ଆଲୋଚନା କରୁନାହିଁ । ଅନୁରୂପ ଭାବରେ, ଆଗାମୀ ସମୟରେ ସାହିତ୍ୟ ବା ନିର୍ଦ୍ଦିଷ୍ଟ ଭାବରେ କ୍ଷୁଦ୍ରଗଳ୍ପର ଭବିଷ୍ୟତ କ’ଣ ହେବ ସେ ସଂପର୍କରେ ମଧ୍ୟ ପ୍ରବନ୍ଧ ପାଠ କରାଯାଇଥିଲା । ଓଡ଼ିଆ କ୍ଷୁଦ୍ରଗଳ୍ପ ପାଇଁ କେଉଁ କେଉଁ ସମ୍ଭାବନା ରହିଛି ଏବଂ କି କି ଆହ୍ୱାନ ରହିଛି ତାହା ଡକ୍ଟର ଅରବିନ୍ଦ ରାୟ ଆଲୋଚନା କରିଥିଲେ-। ଏସବୁ ସହ ଓଡ଼ିଆ ଗଳ୍ପର ପ୍ରାଥମିକ ପର୍ଯ୍ୟାୟରୁ ଆଜି ପର୍ଯ୍ୟନ୍ତ, ଓଡ଼ିଆ ପତ୍ରପତ୍ରିକାଗୁଡ଼ିକ କିଭଳି ଏହାକୁ ପୃଷ୍ଠପୋଷକତା ଦେଇଆସିଛନ୍ତି, ସେ ସଂପର୍କରେ ଏକ ସ୍ୱତନ୍ତ୍ର ନିବଦ୍ଧ ଉପସ୍ଥାପିତ ହୋଇଥିଲା ।

 

ଆନନ୍ଦର କଥା ଯେ, ୨୦୧୨ ନଭେମ୍ବରରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପଠିତ ପ୍ରବନ୍ଧଗୁଡ଼ିକୁ ନେଇ ଏହି ସଂକଳନଟି ପ୍ରକାଶ ପାଉଅଛି । ଏ ଗ୍ରନ୍ଥଟି ଯେ ଓଡ଼ିଆ ସାହିତ୍ୟର ଗବେଷକ, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ଅଧ୍ୟୟନ ଓ ଗବେଷଣା କାର୍ଯ୍ୟରେ ଆସିବ ତାହା ନୁହେଁ, ବୃହତ୍ତର ପାଠକ ସମାଜ ମଧ୍ୟ ଏଥିରୁ ଓଡ଼ିଆ କ୍ଷୁଦ୍ରଗଳ୍ପର ଦୀର୍ଘ ଶତାବ୍ଦୀ ଊର୍ଦ୍ଧ୍ୱ ଜୟଯାତ୍ରାର ଝଲକ ପାଇପାରିବେ । ଏଥିନିମନ୍ତେ ମୁଁ ଓଡ଼ିଆ ଉପଦେଷ୍ଟା ପରିଷଦର ତତ୍କାଳୀନ ଆବାହକ ଡକ୍ଟର ବିଭୂତି ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରୁଅଛି । ସାହିତ୍ୟ ଅକାଦେମି, କୋଲ୍‌କାତା କାର୍ଯ୍ୟାଳୟର ତତ୍କାଳୀନ ଆଞ୍ଚଳିକ ସଚିବ ଅଂଶୁମାନ କର, ପ୍ରୋଗ୍ରାମ୍‌ ଅଫିସର୍‌ ଡକ୍ଟର୍‌ ମିହିର କୁମାର ସାହୁ ଏବଂ ଭାରପ୍ରାପ୍ତ ଅଧିକାରୀ ଗୌତମ ପାଲଙ୍କୁ ସେମାନଙ୍କର ସମୟୋପଯୋଗୀ ସହାୟତା ଲାଗି ଧନ୍ୟବାଦ ଜଣାଉଅଛି । ଅନୁରୂପ ଭାବରେ, ଆଲୋଚନାଚକ୍ରରେ ପ୍ରବନ୍ଧ ଉପସ୍ଥାପନା କରିଥିବା ପ୍ରତ୍ୟେକ ଆଲୋଚକ ଏବଂ ବିଭିନ୍ନ ଅଧିବେଶନର ସଭାପତି ତଥା ସମ୍ମାନିତ ଅତିଥି ଏବଂ ଏହି କାର୍ଯ୍ୟରେ ମୋତେ ସହଯୋଗ କରିଥିବା ବନୋଜ ତ୍ରିପାଠୀଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି । ପ୍ରବନ୍ଧଗୁଡ଼ିକୁ ପଢ଼ି ଏଥିରେ ପ୍ରୟୋଜନ ସଂଶୋଧନ ସଂପର୍କରେ ସୂଚେଇ ଦେଇଥିବା ଯୋଗୁଁ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଅଛି । ପରିଶେଷରେ, ଏଭଳି ଏକ ସଂକଳନ ପ୍ରସ୍ତୁତି ଲାଗି ମୋତେ ସୁଯୋଗ ଦେଇଥିବାରୁ ମୁଁ କେନ୍ଦ୍ର ସାହିତ୍ୟ ଅକାଦେମିକୁ ବହୁତ ବହୁତ କୃତଜ୍ଞତା ଜଣାଉଅଛି ।

 

୨୬ ଅପ୍ରେଲ୍ ୨୦୧୪

ଗୌରହରି ଦାସ

ଭୁବନେଶ୍ୱର

 

Image

 

ଓଡ଼ିଆ କ୍ଷୁଦ୍ରଗଳ୍ପ

ବିଭୂତି ପଟ୍ଟନାୟକ

 

୧୮୯୮ ମସିହା ଅକ୍‌ଟୋବର ସଂଖ୍ୟା ‘ଉତ୍କଳ ସାହିତ୍ୟ’ ପୃଷ୍ଠାରେ ଫକୀରମୋହନ ସେନାପତିଙ୍କ ରଚିତ ‘ରେବତୀ’ ଓଡ଼ିଆ ସାହିତ୍ୟରେ ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବରେ ଚିହ୍ନିତ ହୋଇଛି । ସେହି ଦୃଷ୍ଟିରୁ ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ବୟସ ଏକଶହ ଦଶ ବର୍ଷ । ଏହି ଶହେ ଦଶ ବର୍ଷ ମଧ୍ୟରେ ଓଡ଼ିଆ କ୍ଷୁଦ୍ରଗଳ୍ପର ଭାବବୈଚିତ୍ର୍ୟ, ଭାଷାସୌଷ୍ଠବ ଏବଂ ଶୈଳୀ ସ୍ୱାତନ୍ତ୍ର୍ୟ ଯୋଗୁଁ କେବଳ ପରିମାଣ ଦୃଷ୍ଟିରୁ ନୁହେଁ, ଗୁଣାତ୍ମକ ଦୃଷ୍ଟିରୁ ମଧ୍ୟ ଭାରତୀୟ କଥା ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ୧୮୯୮ରୁ ୧୯୪୮–ପ୍ରାକ୍‌ ସ୍ୱାଧୀନତା କାଳର ପଚାଶ ବର୍ଷ ମଧ୍ୟରେ ଯେତିକି ଗାଳ୍ପିକ ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନାରେ ବ୍ରତୀ ହୋଇଥିଲେ, ସ୍ୱାଧୀନତା ପରବର୍ତ୍ତୀ ଷାଠିଏ ବର୍ଷ ମଧ୍ୟରେ ତା’ର ପାଞ୍ଚଗୁଣାରୁ ଅଧିକ ଲେଖକ ଲେଖିକା ଲେଖନୀ ଚାଳନା କରି ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।

 

ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖିକାମାନଙ୍କ ସଂଖ୍ୟା ଥିଲା ନଗଣ୍ୟ । କୁନ୍ତଳା କୁମାରୀ ସାବତଙ୍କ ବ୍ୟତୀତ ନର୍ମଦା କର ଏବଂ ସୁପ୍ରଭା କର, ଚେକଭ୍‌, ମୋପାଁସା ପ୍ରମୁଖ ବିଶ୍ୱବିଖ୍ୟାତ କଥାଶିଳ୍ପୀମାନଙ୍କ ଗଳ୍ପକୁ ଓଡ଼ିଆରେ ଅନୁବାଦ କରିଥିଲେ ହେଁ, ଉଲ୍ଲେଖଯୋଗ୍ୟ କୌଣସି ମୌଳିକ ଗଳ୍ପ ରଚନା କରି ନ ଥିଲେ । କିନ୍ତୁ ସ୍ୱାଧୀନତା ପରେ ରାଜନୈତିକ, ସାମାଜିକ ସ୍ତରରେ ପୁରୁଷ ସହିତ ନାରୀର ସମାନ ଅଧିକାର, ନାରୀ ଶିକ୍ଷାର ପ୍ରସାର ଫଳରେ ଅର୍ଥନୈତିକ କ୍ଷେତ୍ରରେ ନାରୀର ଆତ୍ମନିର୍ଭରଶୀଳତା ତାକୁ ଗଳ୍ପ ରଚନା ପାଇଁ ଯଥେଷ୍ଟ ଶକ୍ତି ଓ ସାହସ ଆଣିଦେଇଛି । କାଳ୍ପନିକତା ଅପେକ୍ଷା ଜୀବନାନୁଭୂତିର ଅନନ୍ୟତା ଏବଂ ସାମାଜିକ ଅଙ୍ଗୀକାରବଦ୍ଧତା ସେମାନଙ୍କ ଗଳ୍ପରେ ଅଲଗା ପ୍ରକାର ଅତଳସ୍ପର୍ଶୀ ଗଭୀରତା ଆଣିଦେଇଛି– ଯାହା ସେମାନଙ୍କ ସମସାମୟିକ ପୁରୁଷ ଲେଖକମାନଙ୍କ ଗଳ୍ପରେ ଦୁର୍ଲଭ ।

 

ପତ୍ରପତ୍ରିକାମାନେହିଁ ଓଡ଼ିଆ କ୍ଷୁଦ୍ରଗଳ୍ପର ଅନ୍ତୁଡ଼ିଶାଳ । ‘ଉତ୍କଳ ସାହିତ୍ୟ’ ସଂପାଦକ ବିଶ୍ୱନାଥ କର ପତ୍ରିକାର ପାଠକ ସଂଖ୍ୟା ବୃଦ୍ଧି କରାଇବା ପାଇଁ କାବ୍ୟ କବିତା ରଚନା ଛାଡ଼ି ଗଳ୍ପ, ଉପନ୍ୟାସ ଲେଖିବା ପାଇଁ ଫକୀରମୋହନ ସେନାପତିଙ୍କୁ ଅନୁରୋଧ କରି ନ ଥିଲେ ‘ରେବତୀ’ କିମ୍ବା ‘ଛମାଣ ଆଠଗୁଣ୍ଠ’ ଲେଖା ହୋଇ ନ ଥାନ୍ତା । କେବଳ ଓଡ଼ିଆ ସାହିତ୍ୟ ନୁହେଁ, ବିଶ୍ୱ ସାହିତ୍ୟରେ ମଧ୍ୟ ମୋପାଁସା, ହେନ୍‌ରି ଜେମ୍ସ ଏବଂ ଏଲନ୍‌ ପୋ ପ୍ରମୁଖ ବିଶିଷ୍ଟ କଥା ସାହିତ୍ୟକ ପତ୍ରପତ୍ରିକାର ପ୍ରୟୋଜନ ମେଣ୍ଟାଇବା ପାଇଁ ଛୋଟ ଗଳ୍ପ ଲେଖାରେ ହାତ ଦେଇଥିଲେ । ଏଡଗାର ଏଲେନ୍‌ ପୋ ତ ସଗର୍ବେ ଘୋଷଣା କରିଥିଲେ ଯେ, ସେ ହେଉଛନ୍ତି– ‘‘Essentially a magazinist’’. ଓଡ଼ିଆ ଗଳ୍ପର ଉନ୍ମେଷ କାଳରେ ‘ଉତ୍କଳ ସାହିତ୍ୟ’, ‘ସହକାର’ ଠାରୁ ଆରମ୍ଭ କରି ‘ମୁକୁର’ ଓ ‘ନବଭାରତ’ ପ୍ରଭୃତି ବିଶିଷ୍ଟ ସାହିତ୍ୟ ପତ୍ରିକା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

 

ଓଡ଼ିଆ ଗଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ‘ଶଙ୍ଖ’, ‘ଆଧୁନିକ’, ‘ଡଗର’, ‘ଝଙ୍କାର’ ପ୍ରଭୃତି ସାହିତ୍ୟ ପତ୍ରରେ ଯେଉଁମାନେ ପାଶ୍ଚାତ୍ୟ ଭାବଧାରା ଦ୍ୱାରା ଅନୁପ୍ରାଣୀତ ହୋଇ କ୍ଷୁଦ୍ରଗଳ୍ପର ଆଙ୍ଗିକ ଓ ଭାବବସ୍ତୁରେ ନୂତନ ବୈଚିତ୍ର୍ୟ ଆଣି ଦେଇଥିଲେ ସେମାନଙ୍କ ମଧ୍ୟରେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଗୋପୀନାଥ ମହାନ୍ତି, ରାଜକିଶୋର ରାୟ, ନିତ୍ୟାନନ୍ଦ ମହାପାତ୍ର, ରାଜକିଶୋର ପଟ୍ଟନାୟକ ଓ ଅନନ୍ତ ପ୍ରସାଦ ପଣ୍ଡା ପ୍ରମୁଖ ଥିଲେ ପ୍ରଧାନ । ଏମାନେ ପାଶ୍ଚାତ୍ୟ ଶୈଳୀ ଓ ନିଜର ସାମାଜିକ ଚେତନାର ସମନ୍ୱୟରେ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଏକ ସୁଦୃଢ଼ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ କରିଥିଲେ ।

 

ବାସ୍ତବରେ ବିଂଶ ଶତାବ୍ଦୀର ଚତୁର୍ଥ ଓ ପଞ୍ଚମ ଦଶକ ଥିଲା ଓଡ଼ିଆ କ୍ଷୁଦ୍ରଗଳ୍ପର କ୍ରାନ୍ତିକାଳ । ପ୍ରଥମ ମହାଯୁଦ୍ଧର ବିଭୀଷିକା, ସ୍ୱାଧୀନତା ଆନ୍ଦୋଳନର ଆଗ୍ନେୟ ଉତ୍ତାପ, ମାର୍କ୍ସବାଦୀ ବିଚାରଧାରାର ବୈପ୍ଳବିକ ଚେତନା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଅସ୍ପୃଶ୍ୟତା ନିବାରଣ ଓ ନାରୀ ଜାଗରଣ ଆମର ଶୀତଳ, ନିଶ୍ଚଳ ସାମାଜିକ ଜୀବନର ଓ ବ୍ୟକ୍ତିଚେତନାକୁ ଦୋହଲାଇ ଦେଇଥିଲା । ଓଡ଼ିଆ କଥାଶିଳ୍ପୀମାନଙ୍କ ସୃଷ୍ଟି ମଧ୍ୟରେ ପ୍ରତିଧ୍ୱନିତ ହୋଇଥିଲା ସ୍ଥିତାବସ୍ଥା ବିରୁଦ୍ଧରେ ପ୍ରତିବାଦର କଣ୍ଠସ୍ୱର । କାଳିନ୍ଦୀ ଚରଣଙ୍କ ‘ମାଂସର ବିଳାପ’, ଭଗବତୀ ଚରଣଙ୍କ ‘ଶିକାର’, ନିତ୍ୟାନନ୍ଦଙ୍କ ‘ଏଗାରଟା’ ଏବଂ ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ହାତ’ ଗଳ୍ପରେ ଉତ୍‌କୀର୍ଣ୍ଣ ହୋଇଥିଲା ସମୟର ଏହି ଶିଳ୍ପ ରୂପ ।

 

ଷଷ୍ଠ-ସପ୍ତମ ଦଶକ ଯେପରି ଥିଲା ଆମ ଜାତିର ଇତିହାସରେ ଗୋଟିଏ ଗୌରବମୟ ଅଧ୍ୟାୟ, ଅନ୍ୟ ଦୃଷ୍ଟିରୁ ଥିଲା ସେହିପରି ସ୍ୱପ୍ନଭଙ୍ଗର ମୁହୂର୍ତ୍ତ । ଜମିଦାରୀ ପ୍ରଥା ଓ ରାଜତନ୍ତ୍ରର ଉଚ୍ଛେଦ, ପଞ୍ଚବାର୍ଷିକ ଯୋଜନା, ଗୁରୁଶିଳ୍ପର ପ୍ରତିଷ୍ଠା, ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ପୁରୁଷ ସହିତ ସମାନ ଅଧିକାର ଆମର ସାମାଜିକ ଶ୍ରେଣୀ ବିନ୍ୟାସରେ ଯେପରି କେତେକ ମୌଳିକ ପରିବର୍ତ୍ତନ ଆଣିଦେଇଥିଲା, ଅର୍ଥନୈତିକ ବୈଷମ୍ୟ, ଜାତୀୟତା ବଦଳରେ ଜାତିଆଣ ଭେଦଭାବ ସେହିପରି ଏକ ବୃହତ୍ତର ଜନଗୋଷ୍ଠୀକୁ ବିକ୍ଷୁବ୍ଧ କରିଦେଇଥିଲା । ଏହି ସମସ୍ୟା-କଣ୍ଟକିତ, ଶ୍ରେଣୀ ବିଭକ୍ତ ସାମାଜିକ ଜୀବନର ଅନ୍ତରଙ୍ଗ ଆଲେଖ୍ୟ ସୁରେନ୍ଦ୍ର ମହାନ୍ତି, ବ୍ରହ୍ମାନନ୍ଦ ପଣ୍ଡା, ଅଖିଳମୋହନ ପଟ୍ଟନାୟକ, ମନୋଜ ଦାସ, ଶାନ୍ତନୁ କୁମାର ଆଚାର୍ଯ୍ୟ ଏବଂ ବୀଣାପାଣି ମହାନ୍ତି ପ୍ରମୁଖ ବହୁ ଲେଖକ, ଲେଖିକାମାନଙ୍କ ଗଳ୍ପରେ ଚିତ୍ରାୟିତ ହୋଇଥିଲା ।

 

କ୍ଷୁଦ୍ରଗଳ୍ପ ପ୍ରକୃତରେ ହେଉଛି ସମୟର ଶିଳ୍ପରୂପ । ଏହା ଆକାରରେ କ୍ଷୁଦ୍ର, ଆବେଦନରେ ଗଭୀର । ପାଠକର ମନୋରଂଜନ ଆଧୁନିକ କ୍ଷୁଦ୍ରଗଳ୍ପର ମହତ୍‌ଗୁଣ ନୁହେଁ, ସାମାଜିକ ପରିବର୍ତ୍ତନର ସ୍ୱରୂପକୁ ପାଠକ ମନରେ ପ୍ରତିଷ୍ଠା କରିବା ହେଉଛି ଏହାର ମହତ୍‌ କର୍ମ ।

 

ଗତ ପଚାଶ ବର୍ଷ ମଧ୍ୟରେ ଅର୍ଥନୈତିକ ବିପର୍ଯ୍ୟୟ, ସାମାଜିକ ମୂଲ୍ୟବୋଧର ଅବକ୍ଷୟ ଏବଂ ରୋଷେଇ ଘରଠାରୁ ଆରମ୍ଭ କରି ରେସନ ଦୋକାନ ପର୍ଯ୍ୟନ୍ତ– ସର୍ବତ୍ର ଅବାଞ୍ଛିତ ରାଜନୈତିକ ହସ୍ତକ୍ଷେପ, ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି । ଏହି ସମୟର ଲେଖକ ଲେଖିକାମାନଙ୍କ ଗଳ୍ପରେ ଏହି ବିପର୍ଯ୍ୟସ୍ତ ସମାଜର ଚିତ୍ର କିପରି ଭାବରେ ଉତ୍‌କୀର୍ଣ୍ଣ ହୋଇଛି ଏବଂ ବିପର୍ଯ୍ୟୟର ଅନ୍ଧଗଳିରେ ବଞ୍ଚିବାର ଆଲୋକରେଖା କିପରି ଭାବରେ ଦର୍ଶାଯାଇଛି, ତାହାରି ଉପରେ ସମକାଳୀନ ଓଡ଼ିଆ ଛୋଟ ଗଳ୍ପର ସାର୍ଥକତା ନିର୍ଭର କରୁଛି ।

Image

 

ଓଡ଼ିଆ କ୍ଷୁଦ୍ରଗଳ୍ପ: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ଗୌରହରି ଦାସ

 

ଆଜି ଯାହାକୁ କ୍ଷୁଦ୍ରଗଳ୍ପ ବୋଲି କୁହାଯାଉଛି ତାହାକୁ ଏକ ସ୍ୱତନ୍ତ୍ର ପର୍ଯ୍ୟାୟର ଲେଖା ଭାବେ ପ୍ରଥମେ ୧୮୮୫ରେ କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ବ୍ରାନ୍ଦେର ମାଥ୍ୟୁଜ୍‌ ପରିଚୟ ଦେଇଥିଲେ । ଏକ ପ୍ରବନ୍ଧ ଭାବରେ ‘‘ସନ୍‌ଡେ ରିଭ୍ୟୁ ଅଫ୍‌ ଲଣ୍ଡନ’’ରେ ସେ ଯାହା ଲେଖିଥିଲେ ତାହାକୁ ବିସ୍ତୃତ ଭାବେ ପରେ ‘‘ଦ ଫିଲୋସଫି ଅଫ୍‌ ସର୍ଟ-ଷ୍ଟୋରି’’ ନାମକ ଏକ ବହି ଆକାରରେ ୧୯୧୭ରେ ପ୍ରକାଶ କଲେ । ବିଶ୍ୱ ସାହିତ୍ୟର ସର୍ବକନିଷ୍ଠ ପ୍ରଜାତିର ଏହି ରଚନା କ୍ଷୁଦ୍ରଗଳ୍ପରେ ଉପନ୍ୟାସ, ପ୍ରବନ୍ଧ, ନାଟକ ଓ କବିତା ପ୍ରଭୃତିର ଉପାଦାନ ଦୃଶ୍ୟମାନ ହେଲେ ମଧ୍ୟ ଏହା ସେମାନଙ୍କଠାରୁ ଭିନ୍ନ– ଉଭୟ ଦୀର୍ଘତା ଏବଂ ଶିଳ୍ପକଳା ଦୃଷ୍ଟିକୋଣରୁ ।

 

ଭାରତବର୍ଷରେ କାହାଣୀର ପରମ୍ପରା ସୁଦୀର୍ଘ । ଲୋକଗଳ୍ପ, ରୂପକ ଗଳ୍ପ, ଗାଲଗପ ଓ ଓଷାବ୍ରତ କଥା ଭାବରେ ଆମ ଦେଶରେ କାହାଣୀ ବହୁ ପୂର୍ବରୁ ଥିଲା । ଓଡ଼ିଶାରେ ମଧ୍ୟ ଏଭଳି କାହାଣୀ ଓ ଲୋକଗଳ୍ପ ପରମ୍ପରାର ଇତିହାସ ସୁଦୀର୍ଘ । ଅବଧୂତ ନାରାୟଣ ସ୍ୱାମୀଙ୍କ ‘ରୁଦ୍ର ସୁଧାନିଧି’ (୧୬ଶ ଶତାବ୍ଦୀ) ଏବଂ ବ୍ରଜନାଥ ବଡ଼ଜେନାଙ୍କ ‘ଚତୁର ବିନୋଦ’ (ଅଷ୍ଟାଦଶ ଶତାବ୍ଦୀ)ରୁ ଜଣାପଡ଼େ ଯେ ପ୍ରାୟ ଚାରିଶହ ବର୍ଷ ଧରି ଆମ ସାହିତ୍ୟରେ ଗଦ୍ୟ ଓ ଆଖ୍ୟାୟିକା ଉତ୍କର୍ଷ ଲାଭ କରିଥିଲା । ତେବେ ୧୮୯୮ରେ ‘ଉତ୍କଳ ସାହତ୍ୟ’ରେ ପ୍ରକାଶିତ ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପକୁ ଓଡ଼ିଆ ସାହିତ୍ୟର ବିଧିବଦ୍ଧ ପ୍ରଥମ କ୍ଷୁଦ୍ରଗଳ୍ପ ଭାବରେ ସ୍ୱୀକୃତି ଦିଆଯାଇଛି । ‘ରେବତୀ’ ଗଳ୍ପରେ ପାରମ୍ପରିକ କାହାଣୀ ବର୍ଣ୍ଣନାର ଶୈଳୀ ଓ ଆଧୁନିକ କ୍ଷୁଦ୍ରଗଳ୍ପର ଶିଳ୍ପକଳା ଉଭୟ ଦେଖିବାକୁ ମିଳେ । ଏ ଗଳ୍ପର ଆରମ୍ଭ ପୁରୁଣା କାହାଣୀ ଶୈଳୀର କିନ୍ତୁ ପରିସମାପ୍ତି ଆଧୁନିକ ଗଳ୍ପ ଧାରାର । ଗଳ୍ପଟିର ଶିଳ୍ପକଳାରେ କେବଳ ପରମ୍ପରା ଓ ଆଧୁନିକତାର ସମନ୍ୱୟ ଦେଖାଦିଏ ତାହା ନୁହେଁ, ତାହାର ଭାବବସ୍ତୁରେ ମଧ୍ୟ ଆଧୁନିକ ଚିନ୍ତାଧାରା ଓ ପାରମ୍ପରିକ ବିଶ୍ୱାସର ସଂଘାତ ଦେଖିବାକୁ ମିଳେ । ଭାରତବର୍ଷର ବିଭିନ୍ନ ଭାଷାର ପ୍ରଥମ ଗଳ୍ପ ତୁଳନାରେ ‘ରେବତୀ’ର ସ୍ଥାନ ସାମାଜିକ ବାସ୍ତବତା, କରୁଣ ଆବେଦନ ଓ ପରିପକ୍ୱ ପ୍ରକାଶଭଙ୍ଗୀ ଯୋଗୁଁ ସ୍ୱତନ୍ତ୍ର । ନାରୀଶିକ୍ଷା, ପ୍ରେମ ଓ କୁସଂସ୍କାର– ମୁଖ୍ୟତଃ ଏହି ତିନିଟି ବିଷୟବସ୍ତୁ ଉପରେ ଆଧାରିତ ‘ରେବତୀ’ ଗଳ୍ପର ପୃଷ୍ଠଭୂମି କିନ୍ତୁ ଅର୍ଥନୀତି– ଦରିଦ୍ର ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଓଡ଼ିଶା ରାଜ୍ୟର ଦୁର୍ଦ୍ଦଶା । ଫକୀରମୋହନଙ୍କ ସମୟ ବେଳକୁ ଓଡ଼ିଶା ନଅଙ୍କ ଦୁର୍ଭିକ୍ଷର ଦୁର୍ଭାଗ୍ୟ ଭୋଗ କରି ସାରିଥିଲା । ଇତିହାସରେ ବହୁ ଯୁଗ ଧରି ସମୃଦ୍ଧ ଗୋଟେ ଜାତି ନିଜର ମାତୃଭାଷାର ସୁରକ୍ଷା ନେଇ ଆତଙ୍କିତ ହୋଇଥିଲା । ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକ ବିକ୍ଷିପ୍ତ ଭାବେ ରହିଥିଲେ, ଶାସକମାନଙ୍କ ଚକ୍ରାନ୍ତ ଯୋଗୁଁ । ଶିକ୍ଷାର ପ୍ରସାର ପାଇଁ ସୁଯୋଗ ନ ଥିଲା, ଅର୍ଥନୀତି ଦୁର୍ବଳ ଓ ଜମିଦାରମାନଙ୍କ ଶୋଷଣର ସୀମା ନାହିଁ । ଏକଦା ଗଙ୍ଗାଠାରୁ ଗୋଦାବରୀଯାଏଁ ବିସ୍ତୃତ ଗୋଟେ ବିଶାଳ ଭୂଖଣ୍ଡ ଛିନ୍ନବିଚ୍ଛିନ୍ନ ଓ ଛିନ୍ନଛତ୍ର । ମୋଗଲ, ପଠାଣ ଓ ମରହଟ୍ଟାମାନଙ୍କ ଶାସନ ପରେ ଶେଷକୁ ବ୍ରିଟିଶ୍‌ ଶାସନ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶାସନିକ ଉଦାସୀନତା ଭିତରେ ବିଡ଼ମ୍ବିତ ହୋଇପଡ଼ିଥିଲା ଓଡ଼ିଶାର ଭାଗ୍ୟ । ଫକୀରମୋହନ ତାଙ୍କ ଚାରିପାଖର ଘଟଣାଗୁଡ଼ିକୁ ନିରାପଦ ଦୂରତ୍ୱରୁ କେବଳ ଦର୍ଶକ ଦୃଷ୍ଟିରେ ଦେଖି ସାହିତ୍ୟ ରଚନା କରି ନ ଥିଲେ, ବରଂ ସେ ନିଜେ ଥିଲେ ସାମାଜିକ ପରିବର୍ତ୍ତନର ଭଗିରଥ-ସମାଜ ସଂସ୍କାରକ, ସମ୍ପାଦକ, ଦେଶସେବୀ ଏବଂ ମୁଦ୍ରଣଯନ୍ତ୍ରର ପ୍ରତିଷ୍ଠାତା ।

 

ଫକୀରମୋହନଙ୍କ ପରବର୍ତ୍ତୀ ତିନି ଦଶକରେ ଯେଉଁମାନେ କ୍ଷୁଦ୍ରଗଳ୍ପ ଜଗତକୁ ଆସିଥିଲେ ସେମାନେ ଫକୀରମୋହନଙ୍କୁ ଅତିକ୍ରମ କରିପାରି ନ ଥିଲେ । ସେମାନଙ୍କ ଗଳ୍ପର ମୁଖ୍ୟ ବିଷୟବସ୍ତୁ ଥିଲା ସମାଜ ସଂସ୍କାର ଓ ଦେଶପ୍ରେମ । ନାରୀ ନାଗରଣ, ଜାତି-ଯୌତୁକ ପ୍ରଥା, ଶ୍ରମିକ ଓ ମାଲିକ, ଜମିଦାର ଓ ପ୍ରଜା ମଧ୍ୟରେ ସମ୍ପର୍କ, ଧର୍ମ ନାମରେ ଶୋଷଣ– ଏସବୁ ଚିତ୍ର ସେ ସମୟରେ ରଚିତ କ୍ଷୁଦ୍ରଗଳ୍ପରେ ଲକ୍ଷଣୀୟ । ଭାରତର ସ୍ୱାଧୀନତା ତଥା ଓଡ଼ିଆ ଭାଷା ଅଞ୍ଚଳର ଏକତ୍ରୀକରଣ ପ୍ରସଙ୍ଗ ସ୍ୱାଭାବିକ ଭାବରେ ସେ ସମୟର ଗାଳ୍ପିକକୁ ଉଦ୍‌ବୁଦ୍ଧ କରିଥିଲା । ଦାଶରଥି ମିଶ୍ର, ବାଙ୍କନିଧି ପଟ୍ଟନାୟକ, ଚନ୍ଦ୍ରଶେଖର ନନ୍ଦ, ଦିବ୍ୟସିଂହ ପାଣିଗ୍ରାହୀ ଓ ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଏ ସମୟର ସ୍ମରଣୀୟ ଲେଖକ । ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କ ସମସାମୟିକ ଲେଖକଙ୍କ ମଧ୍ୟରେ ଶକ୍ତିଶାଳୀ ଲେଖକ ଥିଲେ । ‘ବୁଢ଼ା ଶଙ୍ଖାରି’ ପରି କରୁଣ ଗଳ୍ପର ଲେଖକ ଲକ୍ଷ୍ମୀକାନ୍ତଙ୍କର ଗଳ୍ପ ଜଗତ ବିଚିତ୍ରବର୍ଣ୍ଣା ।

 

ଏହାର ପରବର୍ତ୍ତୀ ସମୟର ଗାଳ୍ପିକମାନେ କେବଳ କଥାବସ୍ତୁ ନୁହେଁ, ଶିଳ୍ପକଳାରେ ମଧ୍ୟ ନୂଆପଣ ଆଣିବାରେ ସମର୍ଥ ହୋଇଥିଲେ । ୧୯୨୦ରୁ ୧୯୫୦ ଭିତରେ ଓଡ଼ିଆ ଗଳ୍ପକୁ ବହୁ ନୂଆ ଉପାଦାନ ଆସିଲା । ଗୋଦାବରୀଶ ମିଶ୍ରଙ୍କ ‘ଭାଇଭାଗ’ରେ ଯୌଥ ପରିବାର ଭାଙ୍ଗିଯିବାର କରୁଣ ଚିତ୍ର, ଗୋଦାବରୀଶ ମହାପାତ୍ରଙ୍କ ‘ମାଗୁଣିର ଶଗଡ଼’ରେ ଯନ୍ତ୍ର ପାଖରେ କୌଳିକ ବ୍ୟବସାୟର ପରାଜୟ, ‘ନୀଳମାଷ୍ଟ୍ରାଣୀ’ରେ ମଣିଷ ତିଆରି ଜାତି ସଂପ୍ରଦାୟ ବ୍ୟବସ୍ଥା ଊର୍ଦ୍ଧ୍ୱରେ ହୃଦୟର ଆକୁଳ ଆବେଦନ, ‘ଏବେ ମଧ୍ୟ ବଞ୍ଚିଛି’ରେ ଉପବାସୀ ମଣିଷ ମନ ଭିତରେ ଜାତୀୟତାବାଦର ଦୃପ୍ତ ଚେହେରା ଆମେ ଦେଖିଥାଉ । ଏ ସମୟର ଅନ୍ୟତମ ଗାଳ୍ପିକ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ଗଳ୍ପର ଭାଷାକୁ ପୁଣି ନୂଆ ଉଚ୍ଚତାକୁ ନେଇଯାଆନ୍ତି । ତାଙ୍କ ଗଳ୍ପ ‘ଡାହାଣୀ ଆଲୁଅ’ର ପ୍ରଥମ ଧାଡ଼ି ଏମିତି– ‘ପୁଣି ବର୍ଷା ହେଲା । ପବନ– ପହୁଡ଼ା ତାଳଗଛ ମଥାନ ଉପରେ ଚଉଦମେଲଣର ଯୋଡ଼ି-ନାଗରା ବଜାଇ । ଙ୍ଘ ଙ୍ଘ ଘଡ଼ିକ ପରେ ବର୍ଷା ଥମିଆସିଲା । ଅଙ୍ଗାରବୋଳା ରଙ୍ଗ ଦେହରେ ବିଜୁଳି ଝକ୍‌ମକ୍‌ ମାରି ବତାସ ଝପଟିଗଲା ଗଜାଧାନ ମେଳରେ ଚହଳ ପକେଇଦେଇ ।’ ଉପେନ୍ଦ୍ର କିଶୋର ଦାସଙ୍କ ଏହି ବର୍ଣ୍ଣନା ଶୈଳୀର ଶିଖରକୁ ଆମେ ପରବର୍ତ୍ତୀ ସମୟରେ ଭେଟନ୍ତି ଗୋପୀନାଥ ମହାନ୍ତିଙ୍କ ଗଳ୍ପମାନଙ୍କରେ । କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପରେ ସାମନ୍ତବାଦୀ ମାନସିକତାର ରୁଗ୍‌ଣ ଓ ଗଳିତ ଚିତ୍ର ଦେଖୁ ‘ମାଂସର ବିଳାପ’ରେ, ପୁଣି ଦେଖୁ ବିଶ୍ୱଯୁଦ୍ଧ ସମୟରେ ଖାଦ୍ୟର ଅଭାବ (ବିଜୟ ଉତ୍ସବ) ଓ ଦାରିଦ୍ର୍ୟର କରୁଣ ଚେହେରା । ସମାଜର ନିମ୍ନବର୍ଗରେ ଥିବା ମଣିଷଙ୍କ ପ୍ରତି ସମ୍ବେଦନା ସହ ଗାନ୍ଧୀବାଦ ଉପରେ ଆସ୍ଥା ଓ ସର୍ବୋପରି ରାଜନୈତିକ ସଚେତନତା ତାଙ୍କ ଗଳ୍ପଗୁଡ଼ିକର ଉଲ୍ଲେଖନୀୟ ବୈଶିଷ୍ଟ୍ୟ । ସେଇ ସମୟର ଅନ୍ୟ ଗାଳ୍ପିକମାନେ ହେଲେ ଅନନ୍ତ ପ୍ରସାଦ ପଣ୍ଡା, କାହ୍ନୁଚରଣ ମହାନ୍ତି ଏବଂ ନିତ୍ୟାନନ୍ଦ ମହାପାତ୍ର । ସେମାନଙ୍କ ରଚିତ ଗଳ୍ପଗୁଡ଼ିକର କଥାବସ୍ତୁ ମୁଖ୍ୟତଃ ପଲ୍ଲୀ ଜୀବନର ପ୍ରବାସ ଯାତ୍ରା, ଅର୍ଥନୈତିକ ଦୁର୍ଗତି, ସାମାଜିକ ବିପର୍ଯ୍ୟୟ, ପାରିବାରିକ ଜୀବନର ଅଧୋଗତି, ରାଜନୈତିକ ପ୍ରବଞ୍ଚନା ଓ ନାରୀର ଦୁର୍ଭାଗ୍ୟ ଚିତ୍ରଣ ।

 

ଏହି ପରିପ୍ରେକ୍ଷୀରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ (୧୯୦୭-୪୩) ଅବଦାନର ସ୍ୱାତନ୍ତ୍ର୍ୟ ଓଡ଼ିଆ ସାହିତ୍ୟ ଇତିହାସରେ ସ୍ୱୀକୃତ । ପୂର୍ବରୁ ଚନ୍ଦ୍ରଶେଖର ନନ୍ଦଙ୍କ ‘ଗଦା ଡକାୟତ’ଏବଂ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଗଳ୍ପ ‘ଅଧିକାର’ ରେ ଅନ୍ୟାୟର ପ୍ରତିବାଦ ଭଳି ମାର୍କ୍ସବାଦୀ ଚେତନାର ଯେଉଁ ଭ୍ରୂଣରୂପ ଦେଖିବାକୁ ମିଳିଥିଲା ତାହା ଅଧିକ ସ୍ପଷ୍ଟ ହୁଏ ଭଗବତୀଙ୍କ ଗଳ୍ପରେ । ତାଙ୍କର ‘ହାତୁଡ଼ି ଓ ଦା’ ଏବଂ ‘ମୀମାଂସା’ ଗଳ୍ପରେ ଏହି ଚେତନାର ପ୍ରୟୋଗ ସଚେତନ ଭାବେ ମାର୍କ୍ସବାଦର ଜୟଗାନ କରେ ।

 

୧୯୪୭ ଅଗଷ୍ଟ ପନ୍ଦରରେ ସ୍ୱାଧୀନତା ଲାଭ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା-। ମାତ୍ର ଓଡ଼ିଆ ସାହିତ୍ୟରେ ଭାରତର ସ୍ୱାଧୀନତା ସଂଗ୍ରାମକୁ ନେଇ ଲିଖିତ ଗଳ୍ପ ଖୁବ୍‌ ବେଶି ନୁହେଁ-। ନିତ୍ୟାନନ୍ଦ ମହାପାତ୍ର, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ ଏବଂ ଆଉ କେତେଜଣ ଲେଖକ ଏହାକୁ ନେଇ କିଛି କିଛି ଗଳ୍ପ ଲେଖିଛନ୍ତି, ମାତ୍ର ସ୍ୱାଧୀନତା ସଂଗ୍ରାମ ପାଇଁ ଘୋର ଲଢ଼େଇ ସମୟରେ ଓଡ଼ିଶାର ସାଧାରଣ ସମାଜ ଖୁବ୍‌ ବେଶି ପ୍ରଭାବିତ ହେବାର ଚିତ୍ର ଏ ଗଳ୍ପଗୁଡ଼ିକରୁ ମିଳେ ନାହିଁ-। ଅବଶ୍ୟ ସୀମା ଆନ୍ଦୋଳନ ସମୟରେ କିଛି ଆନ୍ଦୋଳନ ଭିନ୍ନ ଓଡ଼ିଆ ସମାଜରେ କୌଣସି ସମୟରେ କୃଷକ, ଶ୍ରମିକ ବା ଅନ୍ୟ କୌଣସି ବଡ଼ ଆନ୍ଦୋଳନ ଦେଖିବାକୁ ମିଳି ନାହିଁ-। ଓଡ଼ିଆ ସମାଜର ଏହି ନିସ୍ତରଙ୍ଗ ଚିତ୍ର ପାଇଁ ଦୟନୀୟ ଦାରିଦ୍ର୍ୟ, ଭାଗ୍ୟବାଦ ବା ଶ୍ରୀଜଗନ୍ନାଥ ସଂସ୍କୃତିର ଉଦାର ଦର୍ଶନ ଦାୟୀ ତାହା ବାସ୍ତବରେ ଆଲୋଚନାର ଅପେକ୍ଷା ରଖେ ।

 

ଦେଶର ସ୍ୱାଧୀନତା ପରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପାୟନରେ ପ୍ରଗତି ଘଟିଲା । ନିର୍ବାଚିତ ପ୍ରତିନିଧିମାନେ ସରକାର ଗଠନ କଲେ । ସାଧାରଣ ଲୋକେ ଭାବିଲେ, ଏଥର ବାସ୍ତବରେ ସେମାନେ ନିଜେ ହିଁ ନିଜ ଭାଗ୍ୟ ନୌକାର ନାଉରୀ ହେବେ-। ମାତ୍ର ପ୍ରକୃତରେ ଏଭଳି ଘଟିଲା ନାହିଁ । ଯେଉଁ ସ୍ୱାଧୀନଚେତା ନାଗରିକମାନେ ବିଦେଶୀ ଶକ୍ତି ବିରୋଧରେ ଲଢ଼େଇ କରି ସଂଗ୍ରାମୀ ଭାବେ ମର୍ଯ୍ୟାଦା ପାଉଥିଲେ ସେମାନେ ଅକସ୍ମାତ ନିଜ ନିଜର ପ୍ରାସଙ୍ଗିକତା ହରେଇ ବସିଲେ । ଗାଁ କଥା କି ଦେଶକଥା ଚିନ୍ତା କରିବା ହୋଇପଡ଼ିଲା ସରକାରୀ କଳର କାମ, ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ, ନାଗରିକର ନୁହେଁ-। ଯେଉଁ ଗାନ୍ଧୀବାଦୀମାନେ ସ୍ୱାଧୀନତା ସଂଗ୍ରାମ ସମୟରେ ନାୟକୋଚିତ ସମ୍ମାନ ଲାଭ କରୁଥିଲେ, ସେମାନେ କ୍ଷମତାର ପଶାପାଲିରେ ପଡ଼ି ନିଜର ପ୍ରଭାବ ହରେଇ ବସିଲେ କିମ୍ବା ଅପାଙ୍‌କ୍ତେୟ ହୋଇଗଲେ । ଶାସନ କ୍ଷମତାର ସୁଯୋଗ ପାଇବା ଲୋକ ଓ ନ ପାଇବା ଲୋକ ଏମିତି ହୋଇ ଭାରତୀୟ ସମାଜ ଭାଗ ଭାଗ ହୋଇପଡ଼ିଲା । ବ୍ୟବସ୍ଥା ଓ ସମାଜ ଭିତରେ ବ୍ୟବଧାନ ବଢ଼ି ବଢ଼ି ଚାଲିଲା ଓ କ୍ରମେ ତାହା ଅଲଂଘନୀୟ ମହାସାଗର ପାଲଟିଗଲା । ଦେଶରେ ବଡ଼ ବଡ଼ ବନ୍ଧ ଗଢ଼ାଗଲା, କଳକାରଖାନା ତିଆରି ହେଲା, କୋଠାବାଡ଼ି ଗଢ଼ି ଉଠିଲା ମାତ୍ର ନୈତିକତା ଭାଙ୍ଗିଗଲା, ବିଶ୍ୱାସ ତୁଟିଗଲା ଓ ଶାସନ ହୋଇପଡ଼ିଲା ନିର୍ବାଚନ ସର୍ବସ୍ୱ । ଏଭଳି ସମୟରେ ସ୍ୱପ୍ନ ଓ ମୋହଭଙ୍ଗ ହୋଇପଡ଼ିଲା ଓଡ଼ିଆ କ୍ଷୁଦ୍ରଗଳ୍ପର ଦୁଇ ମୁଖ୍ୟ ଭାବବସ୍ତୁ । ସୁରେନ୍ଦ୍ର ମହାନ୍ତିଙ୍କ ‘ପତାକା ଉତ୍ତୋଳନ’, ଗୋଦାବରୀଶ ମହାପାତ୍ରଙ୍କ ‘ମାଗୁଣିର ଶଗଡ଼’ (ଯେଉଁଠି ମାଗୁଣି କହେ ଯେ କେହି ତା’ ଦୁଃଖ ନ ଶୁଣିଲେ ସେ ଯିବ ଗାନ୍ଧୀଙ୍କ ପାଖକୁ) ବାମାଚରଣ ମିତ୍ରଙ୍କ ‘ନିର୍ବାଚନ’, ରାଜକିଶୋର ରାୟଙ୍କର ‘ଆଚାର୍ଯ୍ୟ ଥିଲେ ବୋଲି’ ଗଳ୍ପରେ ଏହି ପ୍ରତାରଣା, ଶଠତା ଏବଂ ମୋହଭଙ୍ଗର ଚିତ୍ର ଦେଖିବାକୁ ମିଳେ ।

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପରେ ସମାଜ ଓ ଜୀବନର ବହୁବିଧ ରଙ୍ଗ ସହ ମଣିଷ ଚେହେରାର ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳେ । ନିତ୍ୟାନନ୍ଦ ମହାପାତ୍ର ନାରୀ-ପୁରୁଷ ସଂପର୍କର ନୂଆ ନୂଆ ରହସ୍ୟ ବାଢ଼ିବସନ୍ତି । ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସଚ୍ଚି ରାଉତରାୟଙ୍କ ‘ଅନ୍ଧାରୁଆ’ ମର୍ମସ୍ପର୍ଶୀ ଚିତ୍ରଟିଏ ତୋଳିଧରେ ଓ ପାପ ପୁଣ୍ୟ ବିଚାର କ୍ଷେତ୍ରରେ ମଣିଷର ସୀମାବଦ୍ଧତା ପ୍ରକାଶିତ ହୁଏ ‘ମଶାଣିର ଫୁଲ’ରେ । ସ୍ପଷ୍ଟ ଶବ୍ଦରେ ‘ମଶାଣିର ଫୁଲ’ର ଜଗୁ କହେ ‘‘ଥାଉ, ଥାଉ, ଅନ୍ୟକୁ ବିଚାର କରନାହିଁ । ମଣିଷ କ’ଣ ମଣିଷକୁ ଠିକ୍‌ ବୁଝିପାରେ ?’’ ଗୋପୀନାଥ ମହାନ୍ତି ମଣିଷପଣିଆର ଆଦର୍ଶ ଚିତ୍ରକର । ସଂକୀର୍ଣ୍ଣ ଆଞ୍ଚଳିକବାଦ ଏବଂ ଏକଦେଶଦର୍ଶୀ ଶାସନ ବ୍ୟବସ୍ଥାର ବହୁ ଊଦ୍ଧ୍ୱର୍ରେ ଯେ କରୁଣା ଏବଂ ସଂପ୍ରୀତି ସେକଥା ଦୃଢ଼ ସ୍ୱରରେ ଘୋଷଣା କରେ ତାଙ୍କର ‘ଦୁଇବୀର’ ଏବଂ ‘ପିମ୍ପୁଡ଼ି’ ପରି ଗଳ୍ପ । ‘ଦୁଇବୀର’ ଗଳ୍ପର ଦୁଇ ଓଡ଼ିଆ ଏବଂ ତେଲୁଗୁ ପ୍ରତିବେଶୀ ପରସ୍ପର ଗୁରୁତ୍ୱ ପ୍ରତିଷ୍ଠା ପାଇଁ ଇତିହାସ ଉପରେ ଲୋଟିପଡ଼ି ନିଜ ନିଜର ରାଜ୍ୟର ସଂପର୍କକୁ ଭୁଲିଯାଉଥିବାବେଳେ ଏଇ ଯୁଦ୍ଧମନସ୍କ ଦୁଇ ପୁରୁଷଙ୍କୁ ପ୍ରଶ୍ନ ପଚାରନ୍ତି ଗୁମ୍ଫାସ୍ୱାମୀଙ୍କ ପତ୍ନୀ– ‘‘ରଖ ତୁମର ଇତିହାସ । ତୁମର କୃଷ୍ଣଦେବ ରାଏଲୁ ଥିଲେ ତୁମକୁ ସେ ମନ୍ତ୍ରୀ କରିଥାନ୍ତେ ଭାବିଚ ନା ପ୍ରତାପରୁଦ୍ର ପୁରୁଷୋତ୍ତମ ଥିଲେ ଏ ଭଦ୍ରଲୋକ ହୋଇଥାନ୍ତେ ତାଙ୍କ ଅମାତ୍ୟ ? ଗରିବ ଲୋକେ ସେତେବେଳେ ବି ପେଟ ପାଇଁ କାମ କରୁଥିଲେ, ବୁଲୁଥିଲେ ବାବୁ, ମାଇପେ ଘର ଚଳାଇବାକୁ ଧନ୍ଦି ହେଉଥିଲେ– କେମିତି ହାଣ୍ଡିଟା ଚୁଲି ଉପରେ ବସିବ, ଦି’ଟା ଫୁଟିଲେ ପିଲାଏ ଖାଇବେ, ବଞ୍ଚିବେ । ତୁମ କୃଷ୍ଣଦେବ ରାୟ ପ୍ରତାପରୁଦ୍ରଙ୍କ ଯୁଦ୍ଧର ପାହାର ସେଇ ଗରିବଙ୍କ ମୁଣ୍ଡ ଉପରେ, ଘର ଉପରେ, ହାଣ୍ଡି ଉପରେ ବି ପଡ଼ିଥିବ, ମୁଣ୍ଡ କୁଢ଼ ଉପରେ ତୋଳା ହୋଇଥିବ ବିଜୟସ୍ତମ୍ଭ ।’’ ପ୍ରାଣବନ୍ଧୁ କର ଓ ବସନ୍ତ କୁମାର ଶତପଥୀ ଏଇ ସାଧାରଣ ଦରିଦ୍ର ମଣିଷଙ୍କର ମୁଖପାତ୍ର; ଦାରିଦ୍ର୍ୟର ଶତ ଝଡ଼ପବନ ସତ୍ତ୍ୱେ ଯେଉଁମାନେ ହୃଦୟ ଭିତରେ ସ୍ୱାଭିମାନର ସଞ୍ଜ ଦୀପଟିକୁ ଜଳେଇ ରଖିବାକୁ ଚେଷ୍ଟା କରୁଥାଆନ୍ତି ।

 

ରାଜକିଶୋର ରାୟଙ୍କ ‘ବଉଳି’ ଗଳ୍ପରେ ଦରିଦ୍ର ନାଗରିକ ମୋହଭଙ୍ଗର ଚିତ୍ର, ଯେଉଁଠି ଗୋ-କୃଷି ପ୍ରଦର୍ଶନୀର ପ୍ରଥମ ପୁରସ୍କାରଗୁଡ଼ିକ ନିଅନ୍ତି ମହନ୍ତ, ମହାରାଜା, ଡେପୁଟି ମାଜିଷ୍ଟ୍ରେଟ୍‌ ଏବଂ ବ୍ୟବସାୟୀ । ଦରିଦ୍ର ଭଜନି ପରି ଚାଷୀ ସୁଦୂର ମଫସଲରୁ ଆଣି ଆସିଥିବା ‘ବଉଳି’କୁ ଘର ଫେରନ୍ତା ରାସ୍ତାରେ ହରେଇବସେ । କି କରୁଣ, ଏଇ କୃଷକର ଦୁର୍ଦ୍ଦଶା ଏବଂ କେତେ କଠୋର ପ୍ରଶାସନିକ ବ୍ୟବସ୍ଥା ! ଏହାପରେ ଆସନ୍ତି ଭୁବନେଶ୍ୱର ବେହେରା । ଗତ ଶତାବ୍ଦୀର ଷାଠିଏ ଦଶକର ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଉଦ୍‌ବାସ୍ତୁମାନଙ୍କର ସମସ୍ୟା ନେଇ ସେ ଯେଉଁ ପ୍ରଶ୍ନ ସବୁ ଉଠେଇଥିଲେ ଆଜି ପରିପ୍ରେକ୍ଷୀରେ ତାହା ଅଧିକ ପ୍ରାସଙ୍ଗିକ । କାରଣ ଏକବିଂଶ ଶତାବ୍ଦୀର ଯେଉଁ କେତୋଟି ସବୁଠୁ ଜଟିଳ ସମସ୍ୟା ହୋଇ ଛିଡ଼ା ହୋଇଛି ତାହା ଭିତରୁ ଗୁରୁତ୍ୱପୂର୍ଣ୍ଣ ଏଇ ସ୍ଥାନାନ୍ତର ପ୍ରସଙ୍ଗ । ଶିଳ୍ପ ପାଇଁ ହେଉ କି ବନ୍ଧବାଡ଼ ଲାଗି ହେଉ, ଶହ ଶହ ବର୍ଷ ଧରି ଗୋଟିଏ ଭୂଖଣ୍ଡକୁ ନିଜର ଗାଁ ଓ ଘର ବୋଲି ଗ୍ରହଣ କରି ଆସିଥିବା ଲୋକମାନଙ୍କୁ ଜିନିଷପତ୍ର ଭଳି ସେଠାରୁ ହଟେଇଦେଲା ପରେ କି ଧରଣର ସମସ୍ୟା ସୃଷ୍ଟି ହୁଏ ତାହାର ଅନେକ ଚିତ୍ର ଭୁବନେଶ୍ୱର ବେହେରାଙ୍କ ଗଳ୍ପରେ ଦେଖୁ । ‘ଏ କୋଳି ନିଅ’ ସେମିତି ଗୋଟେ ଗଳ୍ପ । ପ୍ରଶାସନର ଶଠତା ଓ ଉଚ୍ଚବର୍ଗର ପ୍ରତାରଣାକୁ ବ୍ୟଙ୍ଗ ଓ ଶ୍ଳେଷରେ ଯେଉଁଠି କ୍ଷତବିକ୍ଷତ କରିଛନ୍ତି ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ ସେଇଠି ସମସାମୟିକ ଅନାଦର ଓ ଉପେକ୍ଷା ସତ୍ତ୍ୱେ ରାସ୍ତାକଡ଼ର ଘାସ ପରି ଏ ସମାଜର ସାଧାରଣ ମଣିଷ ଯେ ବଞ୍ଚିରହିବ ସେକଥା ଉଚ୍ଚ ସ୍ୱରରେ କହିଛନ୍ତି ।

 

ଏ ସମୟର ଅନ୍ୟ ପ୍ରସିଦ୍ଧ ଗାଳ୍ପିକମାନେ ହେଲେ ସୁରେନ୍ଦ୍ର ମହାନ୍ତି, ବ୍ରହ୍ମାନନ୍ଦ ପଣ୍ଡା, କିଶୋରୀ ଚରଣ ଦାସ, ମହାପାତ୍ର ନୀଳମଣି ସାହୁ, ଅଖିଳମୋହନ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ, ରବି ପଟ୍ଟନାୟକ, ଶାନ୍ତନୁ କୁମାର ଆଚାର୍ଯ୍ୟ, ମନୋଜ ଦାସ, ନନ୍ଦିନୀ ଶତପଥୀ, ଅଚ୍ୟୁତାନନ୍ଦ ପତି, ବୀଣାପାଣି ମହାନ୍ତି, ବିଭୂତି ପଟ୍ଟନାୟକ, କୃଷ୍ଣପ୍ରସାଦ ମିଶ୍ର ଏବଂ ସାତକଡ଼ି ହୋତା । ଏହି ଲେଖକମାନେ ସମସ୍ତେ ପାଶ୍ଚାତ୍ୟ ଓ ପ୍ରାଚ୍ୟ ଦର୍ଶନ, ସ୍ଥିତିବାଦ, ଗାନ୍ଧୀବାଦ, ମାର୍କସ୍‌ବାଦ, ଫ୍ରଏଡ୍‌, ନିତ୍‌ସେ, ସାର୍ତ୍ତେ ଇତ୍ୟାଦି ସବୁ ରକମର ଦାର୍ଶନିକଙ୍କ ତତ୍ତ୍ୱ ଓ ମତବାଦ ସହ ସୁପରିଚିତ । ଓଡ଼ିଶାର ଗ୍ରାମ୍ୟ ସଂସ୍କୃତି ଧୀରେ ଧୀରେ ନଗରୀକରଣ ଭିତରେ ମିଶିଯାଉଥିବାର ଘଟନାୟନର ସେମାନେ ପ୍ରତ୍ୟକ୍ଷଦର୍ଶୀ । ଉଭୟ ସ୍ୱାଧୀନ ଓ ପରାଧୀନ ଦେଶର ଶାସନ ବ୍ୟବସ୍ଥାର ହିତାଧିକାରୀ । ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ସାମ୍ରାଜ୍ୟର ପରିସର ବିସ୍ତୃତ, ଭାବଭୂମି, ଥିମ୍‌ ଓ ଭାଷାଶୈଳୀ ସ୍ୱତନ୍ତ୍ର । ନିରୋଳା ପଲ୍ଲୀଠାରୁ ମହାନଗର ପର୍ଯ୍ୟନ୍ତ ବିସ୍ତୃତ ତାଙ୍କ ଗଳ୍ପର କଥାଭୂମି । ବାସ୍ତବବାଦ, ସ୍ୱଭାବବାଦ, ଅସ୍ତିତ୍ୱବାଦ ଓ ଅତିବାସ୍ତବବାଦ ସବୁର ସମନ୍ୱୟ ଦେଖାଯାଏ ତାଙ୍କ ଗଳ୍ପରେ । ତାଙ୍କର ‘କୃଷ୍ଣଚୂଡ଼ା’, ‘ରୁଟି ଓ ଚନ୍ଦ୍ର’, ‘ମହାନିର୍ବାଣ’ ଓ ‘ନୟନପୁର ଏକ୍ସପ୍ରେସ୍‌’ରେ ଭିନ୍ନ ଭିନ୍ନ ଚିନ୍ତାଧାରାର ପରିପ୍ରକାଶ ଦେଖିବାକୁ ମିଳେ । ସେ ବୌଦ୍ଧଧର୍ମର ଜୀବନ-ବିମୁଖତାକୁ ଗ୍ରହଣ କରିବାକୁ ଅନିଚ୍ଛୁକ ଏବଂ ସନ୍ତ୍ରାସବାଦର ଅସାରତାକୁ ଗ୍ରହଣ କରିବାରେ ପରାଙ୍‌ମୁଖୀ ନୁହନ୍ତି । ରାଜନୈତିକ ଶଠତା ଓ ଆତ୍ମପ୍ରତାରଣା ତାଙ୍କ ଅଧିକାଂଶ ଗଳ୍ପର ଉପଜୀବ୍ୟ । କିଶୋରୀ ଚରଣ ଦାସ ମଣିଷ ମନର ଅନ୍ଧାରୀ ଗହ୍ୱରର ରହସ୍ୟକୁ ଭେଦ କରି ଅନ୍ତର୍ମୁଖୀ ଚେତନା ଦ୍ୱାରା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗାଳ୍ପିକ । ଜୀବନ ପ୍ରତି ଏକ ଦାର୍ଶନିକ ସୁଲଭ ଦୃଷ୍ଟିଭଙ୍ଗୀ ଓ ମଧ୍ୟବିତ୍ତ-ଉଚ୍ଚମଧ୍ୟବିତ୍ତ ବର୍ଗର ଚରିତ୍ରମାନଙ୍କ ଚରିତ୍ରାୟନ ତାଙ୍କର ବୈଶିଷ୍ଟ୍ୟ । ମଣିଷର ଅବଚେତନ ସ୍ତରର ଲୁକ୍କାୟିତ ରହସ୍ୟକୁ ତୋଳି ଧରିବାରେ ତାଙ୍କର ସାମର୍ଥ୍ୟ ସୁପ୍ରତିଷ୍ଠିତ । ‘ଭଙ୍ଗା ଖେଳଣା’, ‘ଠାକୁରଘର’ ଏବଂ ମଣିହରା’ ପରି ଗଳ୍ପରୁ ଆଧୁନିକ ମଣିଷ ମନର ଭିନ୍ନ ଭିନ୍ନ ଚିତ୍ରଚିତ୍ରଣ ଦେଖିବାକୁ ପାଇଥାଉ । ଆଧୁନିକ ମଣିଷର ବ୍ୟର୍ଥତା, ନିଃସଙ୍ଗତା ଓ ବିଡ଼ମ୍ବିତ ଜୀବନଯାତ୍ରାର ସେ ସଫଳ ରୂପକାର ।

 

ଫକୀରମୋହନ ସେନାପତିଙ୍କ କଥା ପରମ୍ପରାର ଦାୟାଦ ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ ବ୍ୟକ୍ତିତ୍ୱରେ ଦୁଇଟି ଅଲଗା ଅଲଗା ଭାବମୂର୍ତ୍ତି ଲକ୍ଷ୍ୟ କରିହୁଏ– ଗୋଟିଏ ଉଦାତ୍ତ ଗମ୍ଭୀର କରୁଣ ଓ ଆରଟି ସରଳ, ଚଟୁଳ ଓ ହାସ୍ୟୋଦ୍ଦୀପକ । ତାଙ୍କର ଗଳ୍ପ ଚେତନା ଯେଉଁଭଳି ଉତ୍ତରଣର ଉଚ୍ଚତାକୁ ଉନ୍ନିତ କରାଇଥାଏ, ଚିରନ୍ତନ ମାନବାତ୍ମାର ଧ୍ରୁପଦୀ ସେହିପରି ପାଠକକୁ ସମାଜମନସ୍କ କରି ବାସ୍ତବତାର ଦ୍ୱାରଦେଶରେ ପହଞ୍ଚାଇଥାଏ । ସାଂସାରିକ ମଣିଷର ଜୀବନାନୁଭୂତି ମଧ୍ୟରେ ସେ ଆଧିଭୌତିକ ସତ୍ତାକୁ ଉତ୍ତରିତ କରିପାରନ୍ତି । ତାଙ୍କର ‘ଶୃଶ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ’, ‘ଅନ୍ଧରାତିର ସୂର୍ଯ୍ୟ’, ‘ପାପ ଓ ମୁକ୍ତି’ ଗୋଟିଏ ଗୋଟିଏ ସାର୍ଥକ ସୃଷ୍ଟି । ମଣିଷ ଓ ମଣିଷ ପଣିଆ ଉପରେ ପ୍ରଚଣ୍ଡ ଆସ୍ଥାଶୀଳ ଏଇ ଲେଖକଙ୍କ ‘ଅନ୍ଧରାତିର ସୂର୍ଯ୍ୟ’ ଗଳ୍ପର ଶେଷ ଧାଡ଼ି କେତୋଟି ତାଙ୍କ ଲେଖକୀୟ ସତ୍ତାର ଇସ୍ତାହାର– ‘ମୃତ୍ୟୁଞ୍ଜୟବାବୁ ସେହି ନିରୀହ, ନିଷ୍ପାପ, କଲ୍ୟାଣପୂର୍ଣ୍ଣ କାରୁଣିକ ଦରିଦ୍ର ପରିବାରଟିକୁ କୁଣ୍ଢାଇ ଧରି ମହାନନ୍ଦରେ ଉଲ୍ଲସିତ ହୋଇଉଠିଲେ । ତାଙ୍କ ମନରେ କେମିତି ଗୋଟେ ଆସ୍ଥା ଆସିଗଲା, ବିଶ୍ୱାସ ଆସିଗଲା, ଏ ପୃଥିବୀ ନିଶ୍ଚେ ବଦଳିବ-। ଏ ଦାରିଦ୍ର୍ୟ ନିଶ୍ଚେ ଅପସରିଯିବ । ମଣିଷ ନୁହଁ– ତା’ ଭିତରେ ସୁପ୍ତ ମନୁଷ୍ୟତା ହିଁ ଦିନେ ଏ ପୃଥିବୀକୁ ରକ୍ଷା କରିବ । ଡେରି ହେଉ-ଯେତେ ଡେରି ହେଉ ପଛେ ।’

ଜଣେ ମାନବବାଦୀ ଗାଳ୍ପିକ ଭାବରେ ଅଚ୍ୟୁତାନନ୍ଦ ପତି ଉଲ୍ଲେଖନୀୟ ସଫଳତାର ଅଧିକାରୀ । ମାନବେତର ପ୍ରାଣୀ ଜଗତର କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ମଣିଷ ସମାଜ ପ୍ରତି ହିଁ ତୀର୍ଯ୍ୟକ୍‌ ବ୍ୟଙ୍ଗ ହାଣିଥାନ୍ତି ସେ । ସମାଜର ଅବହେଳିତ ବର୍ଗ ପ୍ରତି ତାଙ୍କର ସହାନୁଭୂତିର ଅନ୍ତ ନାହିଁ । ଛଳନା, ଭଣ୍ଡାମି ଓ ପ୍ରତାରଣା ପ୍ରତି ସେ ତୀବ୍ର ପ୍ରତିକ୍ରିୟାଶୀଳ । ତାଙ୍କ ଗଳ୍ପ ‘ମନୁଷ୍ୟ ଉପାଖ୍ୟାନମ୍‌’ର ଶେଷ କେତୋଟି ଧାଡ଼ିରେ ଯେଉଁଠି ସେ ଉପରକୁ ମଣିଷର ଯୋଗ୍ୟତା ଭାବେ ଦର୍ଶାଇଛନ୍ତି ତାହାହିଁ ମଣିଷର ବିକଳ ସ୍ୱରୂପ ଦେଖାଇଦିଏ– ‘କହିଦେବୁ ମଣିଷ ସବୁବେଳେ ପଶୁଠାରୁ ବଡ଼ ହେବାର କାରଣ ହେଉଛି, ପଶୁମାନଙ୍କର ସ୍ୱରୂପର କୌଣସି ସଦର ମଫସଲ ନାହିଁ-। ସେମାନେ ଭିତରେ ପଶୁ ଓ ବାହାରେ ପଶୁ । କିନ୍ତୁ ମଣିଷ ମଣିଷ ପରି ଦିଶିଥାଏ ସିନା ଭିତରେ ପଶୁଠାରୁ ଆହୁରି ନୃଶଂସ ।’

ବିଚିତ୍ରମୟ ବିଷୟସଜ୍ଜା, ଅଚାନକ ଓ ଅକଳ୍ପିତ ପରିଣତି, ଜୀବନର ଅନ୍ତହୀନ ରହସ୍ୟକୁ ଗଳ୍ପରୂପ ଦେବାରେ ଅଖିଳ ମୋହନ ପଟ୍ଟନାୟକଙ୍କର ସାମର୍ଥ୍ୟ ଉଲ୍ଲେଖନୀୟ । ମାନବିକ ସମ୍ବେଦନାରେ ତାଙ୍କର ଗଳ୍ପ କିଭଳି ଜୁଡ଼ୁବୁଡ଼ୁ ତାହା ‘ଡିମିରିଫୁଲ’ ଗଳ୍ପରେ ସୁସ୍ପଷ୍ଟ । ତାଙ୍କର ଅଧିକାଂଶ ଗଳ୍ପ ବିୟୋଗାନ୍ତକ, ମାତ୍ର ମୂଲ୍ୟବୋଧର ଦ୍ୟୁତିରେ ଦୀପ୍ତିମାନ– ସେ ‘ଜନ ଓ ଜନତା’ ହେଉ ବା ‘ଋତୁଚକ୍ର’ ହେଉ ।

ସମଗ୍ର ମାନବଜାତିକୁ କୁଟୁମ୍ବପଣରେ ଦେଖିବାର ଉଦାର ସ୍ପର୍ଦ୍ଧା ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଗଳ୍ପର ଚରିତ୍ରମାନଙ୍କଠାରେ ଲକ୍ଷ୍ୟ କରିହୁଏ । ମାନବତାର ଉଦ୍‌ବୋଧନ ଓ ବିକଳ୍ପ ଉଦାର ସମାଜର ସମ୍ଭାବନା ତାଙ୍କ ଗଳ୍ପ ଆବେଦନର ଆକୁଳପଣ । ‘ପ୍ରେମର ପ୍ରମାଣ’ ଗଳ୍ପରେ ଉଦ୍‌ଭାନ୍ତ ତରୁଣଙ୍କଠାରୁ ଢେଲାମାଡ଼ ଖାଇ ସୁଦ୍ଧା ପ୍ରୌଢ଼ ଜଣକ ଆଚମକା ଯୁବକଟିକୁ କୁଣ୍ଢାଇଧରି ଅସରନ୍ତି ଚୁମ୍ବନରେ ଛାଇଦିଏ । କୁହେ ‘କ’ଣ ଦେଖୁଛ, ଏଠିକି ଆସ । ମୁଁ ତୁମ ସମସ୍ତଙ୍କୁ ଏଇଭଳି ଲକ୍ଷ ଲକ୍ଷ ଚୁମ୍ବନରେ ଛାଇଦେବାକୁ ଚାହେଁ ।’ ଆସୁଥିବା ନବ ପ୍ରଜନ୍ମ ଉପରେ ତାଙ୍କର ପ୍ରଚୁର ବିଶ୍ୱାସ ଯିଏ କାର୍ଯ୍ୟାନୁଷ୍ଠାନ ପାଇଁ କର୍ତ୍ତୃପକ୍ଷଙ୍କୁ ଚିଠିଲେଖି ବସିଯିବେ ନାହିଁ ‘ଦୁର୍ବାର’ ଗଳ୍ପର ଯୁବକ ପରି ନିଜେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତାଙ୍କ ଗଳ୍ପର କ୍ୟାନ୍‌ଭାସ୍‌ ବିସ୍ତୃତ । ମାନବ ସଂପ୍ରୀତି, ଅଲୌକିକତା ଓ ଆଧିଭୌତିକ ଚେତନା ଇତ୍ୟାଦିର ବର୍ଣ୍ଣନା ଭିତରେ ତାଙ୍କ ଗଳ୍ପଭୂମି ବହୁବର୍ଣ୍ଣା ।

ଏହି ସମୟର ଅନ୍ୟତମ ଶକ୍ତିଶାଳୀ ଗଳ୍ପ ଲେଖକ ମନୋଜ ଦାସ ଅସମ୍ଭବ ଲୋକପ୍ରିୟତାର ଅଧିକାରୀ । ସରଳ ଭାବେ ପ୍ରତୀୟମାନେ ତାଙ୍କ ଗଳ୍ପଗୁଡ଼ିକ ଜଟିଳ ରହସ୍ୟର ଗୋଟେ ଗୋଟେ ବିରଳ ଚିତ୍ର । ତାଙ୍କ ଗଳ୍ପରେ ପାରମ୍ପରିକ ଲୋକକଥା ସହ ଆଧୁନିକ ଗଳ୍ପ ବର୍ଣ୍ଣନାଭଙ୍ଗୀର ସମନ୍ୱୟ । ମଣିଷର ଦୋଷଦୁର୍ବଳତା, ମୂଢ଼ତା ଓ ଅସହାୟତାର ତଟସ୍ଥ ଦ୍ରଷ୍ଟା ସେ । ସେ ମଧ୍ୟ ମାନବଜାତିର ପୂର୍ଣ୍ଣତାପ୍ରାପ୍ତି ଓ ନବନ୍ୟାସର ଆସ୍ଥାଶୀଳ ସ୍ରଷ୍ଟା । ତାଙ୍କର ‘ବ୍ୟାଘ୍ରାରୋହଣ’ ଗଳ୍ପ ମଣିଷର ଅହଙ୍କାର, ‘ଆରଣ୍ୟକ’ରେ ମଣିଷ ଭିତରେ ଥିବା ପଶୁତ୍ୱର ଆବିଷ୍କାର, ‘ଭୂତୁଣୀ: ଏକ ବିଦାୟ’ରେ କୈଶୋରର ସୁକୁମାର ନିରୀହପଣ ଚମତ୍କାର ଭାବେ ଚିତ୍ରିତ । ‘ମଣିଷର ଚରମ ଅସହାୟତା, ତା’ ସ୍ଥିତିର ଅସଂଗତି, ତା’ର ଉଗ୍ର ଅଭିଳାଷ, ରାଜନୀତିକ ସ୍ୱରୂପର ବ୍ୟାଜ, ମନସ୍ତାତ୍ତ୍ୱିକ ଅଭିନିବେଶ, ଅତିଭୌତିକତା, ଚମତ୍କାରୀ ଉଦ୍ଭଟତା ଓ ନାନା ଭାବବସ୍ତୁର ବିଚିତ୍ର ବର୍ଣ୍ଣାଳୀ ମନୋଜଙ୍କ ଗଳ୍ପ ଜଗତ ।’’

ମାନବିକ ଚେତନାର ବିଭିନ୍ନ ଦିଗକୁ ସ୍ପର୍ଶ କରି ନୂଆ ନୂଆ ବିଷୟବସ୍ତୁ ଆଧାରରେ ଗଳ୍ପ ଲେଖିବାରେ ସିଦ୍ଧହସ୍ତ ଚନ୍ଦ୍ରଶେଖର ରଥ । ଆଧୁନିକ ମଣିଷର ଆଶାହତ ବ୍ୟାକୁଳ ଜୀବନର ହାହାକାର ଓ ତନ୍ମଧ୍ୟରେ ନିହିତ ସାର୍ବଜନୀନ ମାନବାତ୍ମାର କରୁଣ ଆର୍ତ୍ତନାଦକୁ ସମ୍ବେଦନଶୀଳତାର ସ୍ପର୍ଶ ଦେଇ ସେ ଓଡ଼ିଆ ଗଳ୍ପକୁ ଅନୁପମ ସୌନ୍ଦର୍ଯ୍ୟରେ ଭୂଷିତ କରିଛନ୍ତି । ଜୀବନ ପ୍ରତି ବିସ୍ତାରିତ ଦୃଷ୍ଟିଭଙ୍ଗୀ, ଅନ୍ତହୀନ ଜୀବନ ଜିଜ୍ଞାସା ଓ ଉତ୍ତରିତ ଆତ୍ମିକ ଉପଲବ୍ଧି ତାଙ୍କ ଗଳ୍ପଗୁଡ଼ିକରେ ସୁସ୍ପଷ୍ଟ । ‘ଅନେକ ବନ୍ୟା ପରେ’, ‘ବିକ୍ରି ପାଇଁ ଫୁଲମାଳ’, ‘ସବୁଠାରୁ ଦୀର୍ଘରାତି’ ଆଦି ଏକାଧିକ ଗଳ୍ପ ସଂକଳନ ତାଙ୍କ ପ୍ରତିଭାର ଯଥାର୍ଥ ନିଦର୍ଶନ ।

 

ଉତ୍ତର ଷାଠିଏ ଓଡ଼ିଆ ଗଳ୍ପର ଆଉ ଜଣେ ସଫଳ ସ୍ରଷ୍ଟା ରବି ପଟ୍ଟନାୟକ । ବିଭିନ୍ନ ବାଦର ପରୀକ୍ଷାନିରୀକ୍ଷା ସହ ଜୀବନକୁ ନିରନ୍ତର ଖୋଜୁଥିବା ମଣିଷମାନଙ୍କୁ ବେଶ୍‌ ଆଦରର ସହ ଆପଣେଇବାର ଆଗ୍ରହ ଯୋଗୁଁ ତାଙ୍କ ଗଳ୍ପଗୁଡ଼ିକ ଉଲ୍ଲେଖନୀୟ । ତାଙ୍କର ‘ବନ୍ଧ୍ୟା ଗାନ୍ଧାରୀ’, ‘ଅନ୍ଧଗଳିର ଅନ୍ଧକାର’ ଏବଂ ‘ରାଗତୋଡ଼ି’ ଭିନ୍ନ ଭିନ୍ନ କଥାବସ୍ତୁର ଉଲ୍ଲେଖନୀୟ ତିନିଟି ଗଳ୍ପ । ତାଙ୍କ ଗଳ୍ପରେ ପରମ୍ପରା ଓ ପ୍ରାଚୀନ ଜୀବନଧାରା ଯେତିକି ସମ୍ମାନିତ, କୁସଂସ୍କାର ଓ ରକ୍ଷଣଶୀଳତା ସେତିକି ପ୍ରତ୍ୟାଖ୍ୟାତ ।

 

ପ୍ରଚଳିତ ସାମାଜିକ ବ୍ୟବସ୍ଥାର ବିରୋଧରେ ପ୍ରତିବାଦ ଏବଂ ନାରୀ ମନସ୍ତତ୍ତ୍ୱକୁ ପ୍ରକାଶ କରିବାରେ ସଫଳତା ଲାଗି ଗାଳ୍ପିକା ବୀଣାପାଣି ମହାନ୍ତିଙ୍କ ଗଳ୍ପଗୁଡ଼ିକ ଉଲ୍ଲେଖନୀୟ । ନନ୍ଦିନୀ ଶତପଥୀଙ୍କ ‘ଦୁହିତା’ ପରି ଗଳ୍ପରେ ଭାରତୀୟ ନାରୀ ଯେଉଁ ଆତ୍ମପରିଚିତି ଦାବି କରିବସିଥିଲା ତାହା ବୀଣାପାଣିଙ୍କ ଗଳ୍ପରେ ଅଧିକ ସୁସ୍ପଷ୍ଟ । ତାଙ୍କର ଅଧିକାଂଶ ଚରିତ୍ର ଯନ୍ତ୍ରଣାରେ ଛଟପଟ ହେବା ସତ୍ତ୍ୱେ ସ୍ୱପ୍ନ ଦେଖନ୍ତି ଓ ନୂଆ ଜୀବନର ଆଶା ରଖନ୍ତି । ତାଙ୍କ ନାରୀ ଚରିତ୍ରମାନେ ପଳାୟନପନ୍ଥୀ ନୁହେଁ, ଅସ୍ମିତାର ପ୍ରତିଷ୍ଠା ପାଇଁ ଉନ୍ମୁଖ । ସେ ପ୍ରଚାରସର୍ବସ୍ୱ ନାରୀ ସ୍ୱାଧୀନତାର ଅଧିବକ୍ତା ନୁହନ୍ତି ବରଂ ମଣିଷ ଭାବେ ତା’ର ନ୍ୟାଯ୍ୟ ସମ୍ମାନର ଦାବିଦାର । ତାଙ୍କର ‘ପାଟଦେଈ’, ‘ବସୁଧା’ ଭାରତୀୟ ମାତୃତ୍ୱର ଗୋଟେ ଗୋଟେ ଉଜ୍ଜ୍ୱଳ ଚିତ୍ର ତୋଳି ଧରନ୍ତି ।

 

ଏହି ସମୟର ଅନ୍ୟତମ ବିଶିଷ୍ଟ ଗଳ୍ପ ଲେଖକ ହେଉଛନ୍ତି ବିଭୂତି ପଟ୍ଟନାୟକ । ଓଡ଼ିଆ ଗଳ୍ପକୁ ଏକ ବିସ୍ତୃତ ପଟ୍ଟଭୂମି, ବିବିଧ ମନୋରଞ୍ଜକ କଥାବସ୍ତୁ ଓ ଚମତ୍କାର ପ୍ରକାଶଭଙ୍ଗୀ ଦେଇଥିବା ଯୋଗୁଁ ତାଙ୍କ ଗଳ୍ପଗୁଡ଼ିକର ଲୋକପ୍ରିୟତା ପ୍ରଚୁର । ବିଭୂତିଙ୍କ ଗଳ୍ପ ବିବିଧ ଚରିତ୍ରମାନଙ୍କର ବର୍ଣ୍ଣିଳ ଚିତ୍ରଶାଳା । ସମାଜର ଏଭଳି କୌଣସି ଚରିତ୍ର ବା ଘଟଣା ନାହିଁ ଯାହା ତାଙ୍କର ଗଳ୍ପର ବିସ୍ତୃତ ପଟ୍ଟଭୂମିରୁ ବାଦ୍‌ ପଡ଼ିଛି । ମଣିଷ ଜୀବନର ଅସହାୟତା, ତରୁଣ ପ୍ରାଣର ଗୋପନ ରହସ୍ୟ, ସାମାଜିକ ଆଚାର ଓ ସାଂପ୍ରତିକ ଯନ୍ତ୍ରଣା ତାଙ୍କ ଗଳ୍ପର ଉପଜୀବ୍ୟ କଥାବସ୍ତୁ । ଉତ୍କଣ୍ଠା ଓ ପରିସମାପ୍ତିରେ ଚମତ୍କାରିତା ଯୋଗୁଁ ସାଧାରଣ କଥାଗୁଡ଼ିକ ତାଙ୍କ ଗଳ୍ପରେ ଅସାଧାରଣ ଭାବେ ବର୍ଣ୍ଣିତ । ‘ବଇଦାସର ବଳଦ’ ଗଳ୍ପରେ ଧର୍ମ ନାମରେ ଧର୍ମାନ୍ଧତା ଭଳି ଏକ ସାମାଜିକ କଥାବସ୍ତୁକୁ ସେ ଯେମିତି ପ୍ରଭାବଶାଳୀ ଢଙ୍ଗରେ ବର୍ଣ୍ଣନା କରିଛନ୍ତି ‘ନୀଳଜ୍ୟୋତ୍ସ୍ନା’ ଗଳ୍ପରେ ପ୍ରତିବେଶିନୀର ପ୍ରତି ନାରୀଟିଏର ଈର୍ଷାକୁ ସେହି ଢଙ୍ଗରେ ବର୍ଣ୍ଣନା କରିଛନ୍ତି । ‘ବିପନ୍ନ ବିବେକ’ ଗଳ୍ପରେ ସେ ପୁଣି ସାମାଜିକ ସଂପ୍ରୀତିର ଅବକ୍ଷୟ ଏବଂ ଭିଡ଼ ଭିତରେ ରହୁଥିବା ଆଧୁନିକ ମଣିଷର ନିଃସଙ୍ଗତାକୁ ପ୍ରଭାବଶାଳୀ ଢଙ୍ଗରେ ଫୁଟେଇ ପାରିଛନ୍ତି ।

 

ପରାଧୀନ ଭାରତ ଓ ସ୍ୱାଧୀନ ଭାରତ ଉଭୟକୁ ଦେଖିଥିବା ଗାଳ୍ପିକ ସାତକଡ଼ି ହୋତା ପରିମାଣାତ୍ମକ ଦୃଷ୍ଟିରୁ ପ୍ରଚୁର ଗଳ୍ପ ଲେଖିଛନ୍ତି । ‘ଖଡ଼ିଆଳର ଜହ୍ନ’ ଗଳ୍ପରେ ତାଙ୍କର ଅଙ୍ଗୀକାର ଏବଂ ଅଭିବ୍ୟକ୍ତି ଅଧିକ ଭଲ ଭାବରେ ପ୍ରକାଶିତ । ସରକାରୀ ଯୋଜନାରେ ଜମି ହରେଇଥିବା ମଣିଷମାନେ ଜମିର କ୍ଷତିପୂରଣ ହୁଏତ ପାଆନ୍ତି ମାତ୍ର ସେ ଜମି ସହ ଯେଉଁ ସ୍ୱପ୍ନ ହଜିଯାଏ ତାହାର କ୍ଷତିପୂରଣ ସେମାନଙ୍କୁ କୌଣସି ଦିନ ମିଳେ ନାହିଁ । ଅଥଚ ସବୁ ବିଡ଼ମ୍ବନା ସତ୍ତ୍ୱେ ସେମାନେ ଶୁଭକାମନା ଜଣାନ୍ତି– କୁରୁଚି ଫୁଲ ପରି ସବୁଦିନ ବାସୁଥାଅ ବାବୁ ।

 

ଓଡ଼ିଆ ଗଳ୍ପକୁ ବିସ୍ତାର, ପ୍ରସାର ଓ ବିନ୍ୟାସ ଦେବା କ୍ଷେତ୍ରରେ ଗାଳ୍ପିକା ପ୍ରତିଭା ରାୟ, ନୂଆ ଭାବ ଓ କାହାଣୀ ସହ ବିଶ୍ୱସନୀୟ ଚରିତ୍ର ଚିତ୍ରଣ କ୍ଷେତ୍ରରେ ଦେବ୍ରାଜ ଲେଙ୍କା ଏବଂ ସାମାଜିକ ଦୂରବସ୍ଥାର ପରିବର୍ତ୍ତନ ଲାଗି ଦୃପ୍ତ ଆହ୍ୱାନର ଉଚ୍ଚାରଣ ଲାଗି ପଦ୍ମଜ ପାଳଙ୍କ ଗଳ୍ପଗୁଡ଼ିକ ଉଲ୍ଲେଖନୀୟ । ପଦ୍ମଜ ପାଳଙ୍କ ଗଳ୍ପରେ ବିପ୍ଳବର ସ୍ଫୁଲିଙ୍ଗ ବିଦ୍ୟମାନ । ତାଙ୍କ ଗଳ୍ପରେ ଅଛି ଉଭୟ ପ୍ରତିଶ୍ରୁତି ଏବଂ ପ୍ରତ୍ୟୟ । ଏହି ସମୟସୀମା ଭିତରେ ଅଥଚ ଭିନ୍ନ ଭିନ୍ନ ସମୟରେ ବହୁ ଗାଳ୍ପିକ ସେମାନଙ୍କର ଅବଦାନରେ ଓଡ଼ିଆ ଗଳ୍ପ ଭଣ୍ଡାରକୁ ଶ୍ରୀସମୃଦ୍ଧ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଉଲ୍ଲେଖନୀୟ ହେଲେ ବିଭୂତି ଭୂଷଣ ତ୍ରିପାଠୀ, ବ୍ରହ୍ମାନନ୍ଦ ପଣ୍ଡା, ବିଜୟ କୃଷ୍ଣ ମହାନ୍ତି, ଦୁର୍ଗାମାଧବ ମିଶ୍ର, ରାଜେନ୍ଦ୍ର ପ୍ରସାଦ ଦାସ, କୃଷ୍ଣ ପ୍ରସାଦ ମିଶ୍ର, ଚୌଧୁରୀ ହେମକାନ୍ତ ମିଶ୍ର, ଫତୁରାନନ୍ଦ, ଭୂପେନ ମହାପାତ୍ର, ଜଗନ୍ନାଥ ପ୍ରସାଦ ଦାସ, ହରପ୍ରସାଦ ଦାସ, ଉମାଶଙ୍କର ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ (ପ୍ରୀତମ୍‍), ବିଜୟ ପ୍ରସାଦ ମହାପାତ୍ର, କୃଷ୍ଣଚରଣ ବେହେରା, ଗଣେଶ୍ୱର ମିଶ୍ର, ପ୍ରଭାତ ମହାପାତ୍ର, ନାରୁ ମହାନ୍ତି, ବରେନ୍ଦ୍ର କୃଷ୍ଣ ଧଳ, ମାନସୀ ଦାସ, ବନଜ ଦେବୀ, କହ୍ନେଇଲାଲ ଦାସ, ରାଧାବିନୋଦ ନାୟକ, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ନିମାଇଁ ପଟ୍ଟନାୟକ, ଉତ୍ତମ କୁମାର ପ୍ରଧାନ, ଆଦିକନ୍ଦ ସାହୁ, ନାରୁ ମହାନ୍ତି, ବିପିନ ବିହାରୀ ମିଶ୍ର ଏବଂ ସହଦେବ ସାହୁ । ପରବର୍ତ୍ତୀ ଅଧିବେଶନ ଗୁଡ଼ିକରେ ଏମାନଙ୍କ ଗଳ୍ପ ଉପରେ ଅଧିକ ଆଲୋଚନା ହେବାର ଅବକାଶ ରହିଥିବାରୁ ସେମାନଙ୍କ ସମ୍ପର୍କରେ ମୁଁ ବିସ୍ତୃତ ଆଲୋଚନା କରୁନାହିଁ ।

 

ମନନଶୀଳ ପ୍ରକାଶଭଙ୍ଗୀ, ନାଟକୀୟ ଭାଷା ବିନ୍ୟାସ ଏବଂ ବଳିଷ୍ଠ କଥାଭାଗ ପାଇଁ ରାମଚନ୍ଦ୍ର ବେହେରା ସ୍ୱତନ୍ତ୍ର ବାରି ହୋଇପଡ଼ନ୍ତି । ସେ ଜୀବନ ପ୍ରତି ଯେତିକି ସମ୍ବେଦନଶୀଳ, ମୃତ୍ୟୁ ପ୍ରତି ସେତିକି ସ୍ପର୍ଶକାତର । ସମସ୍ତ ପ୍ରତିକୂଳତା ସତ୍ତ୍ୱେ ଜୀବନ ବଞ୍ଚି ରହିବ, କୋଉଠି ନା କୋଉଠି ସମ୍ଭାବନାର ଝରକାଟିଏ ଖୋଲି ହୋଇଯିବ, ଏକଥାରେ ବିଶ୍ୱାସ ରଖନ୍ତି ରାମଚନ୍ଦ୍ର ବେହେରା । ରାଜନୀତିରେ ସ୍ଖଳନ, ବ୍ୟକ୍ତିର ନୈତିକ ଅଧୋଗତି, ବସ୍ତୁବାଦ ପ୍ରତି ମଣିଷର ଅନ୍ଧମୋହ, ମଣିଷର ନିଃସଙ୍ଗତା ଏସବୁ ତାଙ୍କ ଗଳ୍ପରେ ସୁନ୍ଦର ଭାବେ ଫୁଟିଉଠେ । ତାଙ୍କର ‘ଦ୍ୱିତୀୟ ଶ୍ମଶାନ’, ‘ଅବଶିଷ୍ଟ ଆୟୁଷ’, ‘ଅଚିହ୍ନା ଠିକଣା’, ‘ମା’ ଏବଂ ‘ଗୋପପୁର’ ଗୋଟିଏ ଗୋଟିଏ ଚମତ୍କାର ସୃଷ୍ଟି ।

 

ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଥିବା ଲେଖକମାନଙ୍କ ମଧ୍ୟରେ ଅନ୍ତରଙ୍ଗ ଅନୁଭବ, ନିବିଡ଼ ଆପଣାପଣ, ଗଭୀର ମାନବବାଦୀ ଚିନ୍ତାଧାରା ଓ ପୀଡ଼ିତ ମଣିଷ ପ୍ରତି ସମ୍ବେଦନଶୀଳତା ସହ ପ୍ରେମର ପ୍ରତ୍ୟୟ, ଐନ୍ଦ୍ରଜାଲିକ ବାସ୍ତବତା ପାଇଁ ତରୁଣକାନ୍ତି ମିଶ୍ର (୧୯୫୦) ପରିଚିତ । ନାରୀ ଓ ପୁରୁଷ ମାନସିକତା ବିଶ୍ଳେଷଣରେ ସେ ସିଦ୍ଧହସ୍ତ । ତାଙ୍କର ‘ସକାଳର ମାନଚିତ୍ର’, ‘ସମୟ’, ‘କୋମଳ ଗାନ୍ଧାର’ ପ୍ରଭୃତି ଅଲଗା ଅଲଗା ଭାବବସ୍ତୁକୁ ନେଇ ଲେଖାଯାଇଥିବା ଗଳ୍ପ ଅଥଚ ପ୍ରତ୍ୟେକଟି ଗୋଟିଏ ଗୋଟିଏ ସଫଳ ସୃଷ୍ଟି ଯାହା ପଠନୀୟତା ଓ ସ୍ମରଣୀୟତାର ମାପକାଠିରେ ଉଜ୍ଜ୍ୱଳ ଉତ୍ତୀର୍ଣ୍ଣ ।

 

୧୯୫୦ରୁ ୧୯୬୦ ଭିତରେ ଜନ୍ମଗ୍ରହଣ କରିଥିବା ଅନେକ ଗାଳ୍ପିକ ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରକୁ ଆସିଛନ୍ତି । ସେମାନେ ହେଲେ ହରପ୍ରସାଦ ଦାସ, ରବି ସ୍ୱାଇଁ, କମଳାକାନ୍ତ ମହାପାତ୍ର, ଯଶୋଧାରା ମିଶ୍ର, ଦାଶ ବେନହୁର, ଅଧ୍ୟାପକ ବିଶ୍ୱରଂଜନ, ପୁଣ୍ୟପ୍ରଭା ଦେବୀ, ଜଗଦୀଶ ମହାନ୍ତି, ହୃଷୀକେଶ ପଣ୍ଡା, ଅର୍ଚ୍ଚନା ନାୟକ, ସରୋଜିନୀ ସାହୁ, କଇଳାଶ ପଟ୍ଟନାୟକ, ଜୟନ୍ତ କୁମାର ବିଶ୍ୱାଳ, ଗୋଲାପମଞ୍ଜରୀ କର, ଜ୍ୟୋତି ନନ୍ଦ, କୃପାସାଗର ସାହୁ, ଆର୍ଯ୍ୟ ଯଜ୍ଞଦତ୍ତ, ସଂଯୁକ୍ତା ରାଉତ, ରଜନୀକାନ୍ତ ମହାନ୍ତି, ଭବାନୀ ପାଟ୍ଟଯୋଶୀ, ମନୋଜ କୁମାର ପଣ୍ଡା, ଗାୟତ୍ରୀ ସରାଫ, ପୁଷ୍ପାଞ୍ଜଳି ନାୟକ, ତରୁଣ କୁମାର ସାହୁ, ସଦାନନ୍ଦ ତ୍ରିପାଠୀ, ବିଷ୍ଣୁ ସାହୁ, ପ୍ରବୀଣା ମହାନ୍ତି, ସୁପ୍ରିୟା ପଣ୍ଡା, ଶ୍ୟାମାପ୍ରସାଦ ଚୌଧୁରୀ, ସୁରେନ୍ଦ୍ର ମିଶ୍ର, ଦେବବ୍ରତ ମଦନରାୟ, ଜ୍ୟୋତ୍ସ୍ନା ରାଉତରାୟ, ପ୍ରକାଶ କୁମାର ପରିଡ଼ା, ବିଭୂତି ଭୂଷଣ ପ୍ରଧାନ, ଗିରୀଶ ଚନ୍ଦ୍ର ସାହୁ, ରଣଜିତ୍‌ ପଟ୍ଟନାୟକ, ରବି ପଣ୍ଡା, ସୁରେନ୍ଦ୍ର ମିଶ୍ର, ରଶ୍ମୀ ରାଉଳ, ଉଦୟ ନାରାୟଣ ଦାସ, ପ୍ରକାଶ ମହାପାତ୍ର, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ସୁସ୍ମିତା ବାଗ୍‌ଚୀ, କବିତା ବାରିକ ଏବଂ ଜୟନ୍ତୀ ରଥ ।

 

ବର୍ଣ୍ଣନାଧର୍ମିତାରୁ ମୁକ୍ତ ରବି ସ୍ୱାଇଁଙ୍କ ଗଳ୍ପଶିଳ୍ପର ଉଲ୍ଲେଖନୀୟ ଦିଗଟି ହେଲା ଆଭାସ ଧର୍ମିତା ତାଙ୍କ ରଚନାରେ ସାମାଜିକ ପ୍ରତିବଦ୍ଧତାର ସ୍ୱର ସ୍ପଷ୍ଟ । ସମସାମୟିକ ସମାଜରୁ କାହାଣୀ ସଂଗ୍ରହ କରି ଚମତ୍କାର ଢଙ୍ଗରେ ସେସବୁ ପରିବେଷଣ କରିବାରେ ତାଙ୍କର ଦକ୍ଷତା ପ୍ରମାଣିତ । ‘ମଶା’, ‘ମଲାନଈର ସୁଅ’ ଓ ‘ଯିଏ ମରି ଶିଖିନି’ ପରି ଗଳ୍ପରୁ ଏହାର ପରିଚୟ ମିଳେ ।

 

ପରମ୍ପରା ସହ ଆଧୁନିକତା ଏବଂ ରକ୍ଷଣଶୀଳତା ସହ ପ୍ରୟୋଜନବୋଧର ସଂଘାତ ଦେଖିବାକୁ ମିଳେ ଜଗଦୀଶ ମହାନ୍ତିଙ୍କ ଗଳ୍ପରେ । ପାଶ୍ଚାତ୍ୟ ଗଳ୍ପ ଲେଖକଙ୍କ କୃତି ସହ ସୁପରିଚିତ ଜଗଦୀଶ ମହାନ୍ତିଙ୍କ ଗଳ୍ପର ଭାଷା ଭିନ୍ନ ଏବଂ ଚରିତ୍ରାୟନ ସ୍ୱତନ୍ତ୍ର । ମଧ୍ୟବିତ୍ତ ଜୀବନର ସୁଖଦୁଃଖ, ପ୍ରାପ୍ତି ପ୍ରତ୍ୟାଶା, ସ୍ୱପ୍ନ ଓ ସ୍ୱପ୍ନଭଙ୍ଗର ସଫଳ ରୂପକାର ଏଇ ଗାଳ୍ପିକଙ୍କର ଉଲ୍ଲେଖନୀୟ ସଂକଳନଗୁଡ଼ିକ ମଧ୍ୟରୁ କେତୋଟି ହେଲା ‘ଆଲବମ୍‌ରେ କେତୋଟି ମୁହଁ, ‘ଅଲଗା ଅଲଗା ବୈତରଣୀ’, ପଳେଇ ଯିବାର ଦୁଃଖ’ । ଉଭୟ ଗ୍ରାମ୍ୟ ଜୀବନ ଓ ସହରୀ ଜୀବନ, କୃଷକ ଓ କାରଖାନା ଶ୍ରମିକ, ଭୀରୁ ପ୍ରଣୟ ଏବଂ ଉଗ୍ର ଯୌନଇଚ୍ଛାର ଚିତ୍ର ତାଙ୍କ ଗଳ୍ପରୁ ଦେଖିବାକୁ ମିଳେ ।

 

ପରିମାଣାତ୍ମକ ଦୃଷ୍ଟିରୁ ଅଳ୍ପ ଲେଖିଥିବା କମଳାକାନ୍ତ ମହାପାତ୍ରଙ୍କ ଗଳ୍ପର ବୈଶିଷ୍ଟ୍ୟ ହେଲା ଶବ୍ଦବିନ୍ୟାସ । ସେ ଠାକୁର ଘର, ଦାଣ୍ଡଘର, ଶୋଇବାଘର ଭାଷାକୁ ଅଲଗା ଅଲଗା ଭାବେ ଦେଖନ୍ତି ନାହିଁ । ଭାଷା ଚୟନରେ ତାଙ୍କର ସ୍ୱାତନ୍ତ୍ର୍ୟ ଯେଉଁଭଳି ଲକ୍ଷଣୀୟ, ଚରିତ୍ର ନିର୍ବାଚନରେ ବିଶେଷତ୍ୱ ମଧ୍ୟ ସେମିତି ଉଲ୍ଲେଖନୀୟ । ସବୁଠାରୁ ବଡ଼କଥା ନିଷିଦ୍ଧ ଅଞ୍ଚଳର ଚିତ୍ର ନିର୍ମାଣରେ ତାଙ୍କର ଅଦ୍ଭୁତ ବିଶ୍ୱସନୀୟତା । ‘ଚୋର ଓ ଅନ୍ୟାନ୍ୟ ଗଳ୍ପ’ରେ ସନ୍ନିବେଶିତ ତାଙ୍କ ଗଳ୍ପଗୁଡ଼ିକରେ କିଶୋର ଜୀବନର ଅଭିଳାଷ ଓ ପ୍ରାପ୍ତବୟସ୍କର ଅବସୋସର ଚିତ୍ର ଦେଖିବାକୁ ମିଳେ ।

 

ଚେତନାପ୍ରବାହଧର୍ମୀ ଶୈଳୀରେ ଚରିତ୍ରମାନଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରିଥାଆନ୍ତି ‘ଜହ୍ନରାତି’ ଓ ‘ଦେଖଣାହାରି’ର ଗାଳ୍ପିକା ଯଶୋଧାରା ମିଶ୍ର । ଦାମ୍ପତ୍ୟ ଓ ପାରିବାରିକ ଜୀବନରେ ନାରୀର ଏକାକୀତ୍ୱ, ପ୍ରାଚୁର୍ଯ୍ୟ ଓ ସ୍ୱାଚ୍ଛନ୍ଦ୍ୟ ସତ୍ତ୍ୱେ ସହରୀ ଜୀବନର ହତାଶା ଓ ନିରାଶା ତାଙ୍କ ଗଳ୍ପରୁ ପଢ଼ିବାକୁ ମିଳିଥାଏ ।

 

‘ଶେଷ ଜହ୍ନର କଥା’ର ଲେଖକ ଜୟନ୍ତ କୁମାର ବିଶ୍ୱାଳଙ୍କ ଗଳ୍ପର ମୁଖ୍ୟ ସ୍ୱର ସାମାଜିକ ପ୍ରତିବଦ୍ଧତା । ନକ୍ସଲ ଆନ୍ଦୋଳନ ନେପଥ୍ୟର ଅସୁନ୍ଦର ଗୋପନ ଚିତ୍ର ଦେଖିବାକୁ ମିଳେ ‘କୁହୁଡ଼ିର ଘର’ ଗଳ୍ପରେ । ବିଭଙ୍ଗ ବ୍ୟକ୍ତିସତ୍ତାର ରୂପାୟନରେ ସଫଳ ଏଇ ଲେଖକ ଲେଖିବା ପାଇଁ ଲେଖନ୍ତି ନାହିଁ, ବରଂ କିଛି କହିବାର ଅଛି ବୋଲି ଲେଖନ୍ତି । ବିବଦମାନ ପ୍ରସଙ୍ଗ ନେଇ ଲେଖିବାରେ ତାଙ୍କର ସାହସ ‘ଅନ୍ଧାର’ ଗଳ୍ପରେ ସ୍ପଷ୍ଟ ।

 

ଅସମୟରେ ବିଦାୟ ନେଇଥିବା ଅଶୋକ ଚନ୍ଦନଙ୍କ ଗଳ୍ପର ବୈଶିଷ୍ଟ୍ୟ ଥିଲା ଅବଚେତନ ମନରେ ଉଙ୍କି ମାରୁଥିବା ଅସୁମାରି ଭାବନାର ମୁକ୍ତ ପ୍ରକାଶ । ବର୍ଣ୍ଣନାତ୍ମକ ଶୈଳୀ ପରିବର୍ତ୍ତେ କାବ୍ୟିକ, ପ୍ରତୀକାତ୍ମକ ଢଙ୍ଗରେ ସେ ଗଳ୍ପ ରଚନା କରି ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ‘ଯୀଶୁଖ୍ରୀଷ୍ଟ’ର ଗାଳ୍ପିକ ସତ୍ୟ ମିଶ୍ର ତାଙ୍କର ଏଇ ଗଳ୍ପଟି ଲାଗି ସେତେବେଳେ ମୃଦୁ ଆଲୋଡ଼ନ ସୃଷ୍ଟି କରିଥିଲେ । ମଣିଷର ଯୌନକାମନା କେତେ ତୀବ୍ର ଏବଂ ଈର୍ଷା କିଭଳି ଭୟଙ୍କର ଏଇଟି ଏହି ଗଳ୍ପର ବକ୍ତବ୍ୟ । ମଣିଷ ଭିତରେ ଥିବା ଅପରାଧ ଓ ପାଶବିକ ପ୍ରବୃତ୍ତି ମଣିଷକୁ କିପରି ନିୟନ୍ତ୍ରିତ କରେ ତାହା ତାଙ୍କ ଗଳ୍ପଗୁଡ଼ିକରୁ ଜାଣିହୁଏ ।

 

ଏହି ସମୟର ଆଉ ଜଣେ ସଫଳ ଗାଳ୍ପିକ ଦାଶ ବେନହୁର । ପରବର୍ତ୍ତୀ ସମୟରେ ବିଶିଷ୍ଟ ଶିଶୁ ସାହିତ୍ୟକ ଭାବେ ପରିଚିତ ଦାଶ ବେନହୁରଙ୍କର ଦଶଟି ଗଳ୍ପ ସଂକଳନ ରହିଛି । ପାରିବାରିକ ଜୀବନର ଛୋଟ ଛୋଟ ଘଟଣାକୁ ଗଳ୍ପରୂପ ପ୍ରଦାନ କରିବାରେ ତାଙ୍କର ସାମର୍ଥ୍ୟ ଯେଉଁଭଳି ସ୍ୱୀକୃତ ଆବେଗାପ୍ଲୁତ ଶବ୍ଦ ବିନ୍ୟାସରେ ଅନ୍ୟମନସ୍କ ପାଠକ ଆଖିକୁ ଆର୍ଦ୍ର କରିଦେବାରେ ତାଙ୍କର ଦକ୍ଷତା ସେହିଭଳି ଉଲ୍ଲେଖନୀୟ । ମାନବୀୟ ମୂଲ୍ୟବୋଧ ତାଙ୍କ ଗଳ୍ପର ନାଭିକେନ୍ଦ୍ର ।

 

ଗ୍ରାମୀଣ ଭାଷା ଓ ଦରିଦ୍ରର ଜୀବନଚର୍ଯା ରଜନୀକାନ୍ତ ମହାନ୍ତିଙ୍କ ଗଳ୍ପର ଦୁଇଟି ଲକ୍ଷଣୀୟ ଉପାଦାନ । ପାରିବାରିକ ଜୀବନର ପୃଥକ୍‌ ଚିତ୍ରକର ଗାୟତ୍ରୀ ସରାଫ । ତାଙ୍କର ସମସାମୟିକ ପ୍ରଦୋଷ ମିଶ୍ରଙ୍କ ଗଳ୍ପରେ ଆମେ ଦେଖୁ ଗଭୀର ଆଶାବାଦ ।

 

୧୯୫୦ ପରେ ଜନ୍ମଗ୍ରହଣ କରିଥିବା ଗାଳ୍ପିକମାନଙ୍କ ମଧ୍ୟରେ ହୃଷୀକେଶ ପଣ୍ଡାଙ୍କ ଅବଦାନ ଉଲ୍ଲେଖନୀୟ । ତାଙ୍କ ଗଳ୍ପ ଭାଷାରେ କବି ଓ କଥାକାର ଜଗନ୍ନାଥ ପ୍ରସାଦ ଦାସଙ୍କ ଭାଷା ପରି ଅନାସକ୍ତ ଭାବ ଦେଖାଗଲେ ମଧ୍ୟ ସେଗୁଡ଼ିକର ଆବେଗିକ ଆବେଦନ ପ୍ରଚୁର । ପ୍ରଶାସନିକ କ୍ଷେତ୍ରର ଅବ୍ୟବସ୍ଥାକୁ ନିର୍ଦ୍ଦୟ ଭାବେ ସେ ବ୍ୟବଚ୍ଛେଦ କରିଛନ୍ତି । ହୃଷୀକେଶଙ୍କ ନାୟକଗୁଡ଼ିକ ଅଧିକାଂଶ ସମୟରେ ପ୍ରତିନାୟକ । ତାଙ୍କ ଭିତରେ ନାୟକୋଚିତ ଭାବନା ବଦଳରେ ଅଧିକାଂଶ ସମୟରେ ବାସ୍ତବ ଜୀବନର ଉଦାସୀନତା ତାଙ୍କୁ ଗ୍ରାସ କରିଥାଏ । ତାଙ୍କର ଗଳ୍ପ ସଂକଳନଗୁଡ଼ିକରୁ କେତୋଟି ହେଲା ‘‘ବାହାରେ ଛିଡ଼ା ହୋଇଥିବା ଲୋକ’’, ‘ରେବତୀ’ ଓ ‘‘ପ୍ରୌଢ଼ଭାବନା’’ ।

 

୧୯୫୦ରୁ ୧୯୬୦ ଭିତରେ ଜନ୍ମଗ୍ରହଣ କରିଥିବା ଗଳ୍ପ ଲେଖିକା ମଧ୍ୟରୁ ସରୋଜିନୀ ସାହୁ ସଚେତନ ଭାବରେ ବାମାବାଦୀ ଗଳ୍ପ ଲେଖି ଚାଲିଛନ୍ତି । ତାଙ୍କ ପାଖେ ଆଦର୍ଶ, ପରମ୍ପରା, ମୂଲ୍ୟବୋଧ ଏସବୁ ମଣିଷ ତିଆରି ବ୍ୟବସ୍ଥା । ତାଙ୍କର ‘ରେପ୍‌’ ଏକ ବହୁଚର୍ଚ୍ଚିତ ଗଳ୍ପ । ଅନ୍ୟପକ୍ଷରେ ବର୍ଣ୍ଣନାତ୍ମକ ଶୈଳୀରେ ଗଳ୍ପମାନ ଲେଖୁଥିବା ବିଷ୍ଣୁ ସାହୁ ଆଦର୍ଶ, ମୂଲ୍ୟବୋଧ ଓ ମାନବିକ ସଂପ୍ରୀତିର ଭାଷ୍ୟକାର ରୂପେ ପ୍ରତିଭାତ ହୁଅନ୍ତି । ତାଙ୍କର ‘ମୁନ୍ନା ପାଇଁ ପ୍ରାର୍ଥନା’ ଏକ ସଫଳ ଗଳ୍ପ ।

 

ନୂଆ ଧାରାର ଗଳ୍ପ ଲେଖୁଥିବା ମନୋଜ କୁମାର ପଣ୍ଡା ଜୀବନର ଅର୍ଥହୀନତା ଓ ଅସଙ୍ଗତିର କଥା କହନ୍ତି । ତାଙ୍କର ଭାବଚେତନାରେ ଆଧୁନିକତାର ସ୍ପର୍ଶ ଅତି ସ୍ପଷ୍ଟ । ଅନ୍ୟପକ୍ଷରେ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ମାନବୀୟ ମୂଲ୍ୟବୋଧକୁ ସାବଲୀଳ ଭଙ୍ଗୀରେ ପ୍ରକାଶ କରିବାକୁ ଚାହିଥା’ନ୍ତି । ‘ରଙ୍ଗନାଥ ଘଡ଼େଇ’, ‘ଯେଝା ବାଟରେ ଯିଏ’ ଓ ‘ସତୀ’ ତାଙ୍କର ଗୋଟିଏ ଗୋଟିଏ ଉଲ୍ଲେଖନୀୟ କୃତି । ଏହି ସମୟର ଅନ୍ୟ ଲେଖକମାନେ ହେଲେ ଶ୍ୟାମାପ୍ରସାଦ ଚୌଧୁରୀ ଯିଏ ନିଜ ଗଳ୍ପର ବକ୍ତବ୍ୟ ସହ ପ୍ରକାଶର ଭଙ୍ଗୀ ପାଇଁ ବିଶିଷ୍ଟତା ଦାବି କରନ୍ତି; ଜ୍ୟୋତ୍ସ୍ନା ରାଉତରାୟ, ଯିଏ ପ୍ରେମ, ପ୍ରଣୟ ସହ ମଣିଷର ଅବସୋସ ଓ ଅବସାଦର ମାର୍ମିକ ଚିତ୍ର ଦେବାକୁ ଚେଷ୍ଟା କରନ୍ତି ଏବଂ ଦେବବ୍ରତ ମଦନରାୟ ଯିଏ ସାମାଜିକ ବାସ୍ତବବାଦ, ମୂଲ୍ୟବୋଧ ଓ ସ୍ୱପ୍ନାଭିସାରକୁ ନେଇ ନିଟୋଳ ଗଳ୍ପ ରଚନାକୁ ଗୁରୁତ୍ୱ ଦେଇଥାଆନ୍ତି । ଦେବବ୍ରତଙ୍କର ଅନେକ ସଫଳ ଗଳ୍ପ ଭିତରୁ ‘ଲୋଭ’ ଏକ ଚମତ୍କାର ଗଳ୍ପ ।

 

ଏହି ସମୟର ଅନ୍ୟ ଗାଳ୍ପିକମାନେ ହେଲେ ପ୍ରକାଶ ମହାପାତ୍ର, ଅଜୟ ସ୍ୱାଇଁ, ସହଦେବ ସାହୁ, ରଶ୍ମୀ ରାଉଳ, ପ୍ରକାଶ କୁମାର ପରିଡ଼ା, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଭୀମ ପୃଷ୍ଟି ଏବଂ ୧୯୬୦ରେ ଜନ୍ମ ହୋଇଥିବା ଗାଳ୍ପିକମାନେ ହେଲେ ସୁବ୍ରତ ପଟ୍ଟନାୟକ, ପରେଶ କୁମାର ପଟ୍ଟନାୟକ, ସହଦେବ ସାହୁ, ଭୀମ ପୃଷ୍ଟି, ଆଭାସ କୁମାର ବରାଳ, ଏବଂ ବିଜୟ ନାୟକ । କାବ୍ୟିକ ଶୈଳୀ ଓ ଅତୀତ ଆମୁଖତା ପାଇଁ ଅଜୟ, ସଂପର୍କର ସମର୍ଥ ବ୍ୟାଖ୍ୟାକାର ଭାବେ ରଶ୍ମୀ ରାଉଳ, ମୂଲ୍ୟବୋଧ ଓ ଦେଶପ୍ରେମ ପାଇଁ ପ୍ରକାଶ କୁମାର ପରିଡ଼ା, ବାସ୍ତବତାର କଙ୍କାଳକୁ ନେଇ ପରୀକ୍ଷାନିରୀକ୍ଷା ପାଇଁ ଭୀମ ପୃଷ୍ଟି ଏବଂ ଭିନ୍ନ ଭିନ୍ନ କଥାବସ୍ତୁ ଓ ଆଧୁନିକ ଦୃଷ୍ଟିଭଙ୍ଗୀ ଲାଗି ସହଦେବ ସାହୁ ବାରି ହୋଇପଡ଼ନ୍ତି । ସେମିତି ନାରୀ ପୁରୁଷ ସଂପର୍କର ପୃଥକ୍‌ ଉପସ୍ଥାପନା ଏବଂ ନାଟକୀୟ ପରିସମାପ୍ତି ଲାଗି ପରେଶ କୁମାର ପଟ୍ଟନାୟକ ଏବଂ ପାରିବାରିକ ଜୀବନ ଓ ଭାରତୀୟ ନାରୀର ମନୋଭୂମି ଚିତ୍ରଣରେ ଦକ୍ଷତା ପ୍ରଦର୍ଶନ ପାଇଁ ଜୟନ୍ତୀ ରଥ ଓ ସୁସ୍ମିତା ବାଗ୍‌ଚୀ ପରିଚିତ । ଏହି ଆଲୋଚକର ବିଚାରରେ ୧୯୬୦ର ଆଖପାଖରେ ଜନ୍ମଗ୍ରହଣ କରିଥିବା ଗାଳ୍ପିକମାନେ ବର୍ତ୍ତମାନ ସେମାନଙ୍କ ଗଳ୍ପ ରଚନା ପର୍ବର ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛନ୍ତି ଏବଂ ସେମାନଙ୍କଠାରୁ ଆହୁରି ଅନେକ କିଛି ଆଶା କରାଯାଏ ।

 

ସେମାନଙ୍କ ପରେ ପରେ ଯେଉଁମାନେ ଦୃପ୍ତ ପଦପାତରେ ଓଡ଼ିଆ ଗଳ୍ପ ରାଜ୍ୟକୁ ପ୍ରବେଶ କରୁଛନ୍ତି ସେମାନେ ହେଲେ ଅଭୟ ବାରିକ, ସାରଦାପ୍ରସାଦ ମିଶ୍ର, ଅନୀଲ କୁମାର ଦାସ, କନିଷ୍କ, ପବିତ୍ର ପାଣିଗ୍ରାହୀ, କାଶିନାଥ ନନ୍ଦୀ, ଅରବିନ୍ଦ ରାୟ, ଶ୍ରୀପ୍ରସାଦ ମହାନ୍ତି, କନକଲତା ହାତୀ, ଦେବାଶିଷ ପାଣିଗ୍ରାହୀ, ପାରମିତା ଶତପଥୀ, କ୍ଷୀରୋଦ ଦାସ, ଦେବପ୍ରସାଦ ଦାଶ, କୃଷ୍ଣ କୁମାର ମହାନ୍ତି, ଗଙ୍ଗାଧର ବିଶ୍ୱାଳ, ଅରବିନ୍ଦ ଧଳ, ଚିରଶ୍ରୀ ଇନ୍ଦ୍ରସିଂ, ଶୁଭକାନ୍ତ ବେହେରା, ମନୋଜ ପୂଜାରୀ, ହିରଣ୍ମୟୀ ମିଶ୍ର, ମୋନାଲିସା ମିଶ୍ର, ନିବାରଣ ଜେନା, ଉଦୟ ନାରାୟଣ ଦାସ, ଆଦିତେଶ୍ୱର ମିଶ୍ର, ଯଶୋବନ୍ତ ସାମଲ ଏବଂ ଆଶିଷ କୁମାର ଗଡ଼ନାୟକ । ଏ ତାଲିକା ସଂପୂର୍ଣ୍ଣ ନୁହେଁ ଏବଂ ଆହୁରି ଅନେକ ଦକ୍ଷ ଗାଳ୍ପିକ ଏଥିରୁ ବାଦ୍‌ ପଡ଼ିଯାଇଛନ୍ତି ।

 

ଓଡ଼ିଆ ଗଳ୍ପ ଆଜି ଭାରତୀୟତା ସହ ଆନ୍ତର୍ଜାତିକ ଚେତନାର ଅବିମିଶ୍ରତା ଯୋଗୁଁ ଆଉ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଗଣ୍ଡି ମଧ୍ୟରେ ଆବଦ୍ଧ ହୋଇ ନାହିଁ । ଯେଉଁ ପ୍ରକାର ଭାଷା ଏକଦା ଅସ୍ପୃଶ୍ୟ ଥିଲା, ଯେଉଁ ଭାବବସ୍ତୁ ଏକଦା ବିବେଚିତ ହେଉଥିଲା ନିଷିଦ୍ଧ ସେସବୁ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଉଛି । ବାହା ନ ହୋଇ ପୁରୁଷ ଓ ନାରୀ ଏକାଠି ରହିବା, ଗର୍ଭାଶୟ ଭଡ଼ା ସୂତ୍ରରେ ଦେବା, ଯୌନାକାଂକ୍ଷାର ପରିପୂର୍ତ୍ତିକୁ ବିବାହର ପ୍ରାଥମିକ ପ୍ରୟୋଜନ ରୂପେ ଗ୍ରହଣ କରିବା ଓ ସମଲିଙ୍ଗୀ ବିବାହ ଇତ୍ୟାଦି କ୍ଷୁଦ୍ରଗଳ୍ପର କଥାବସ୍ତୁ ହୋଇଛି । ଏହା ସାଙ୍ଗକୁ ଆଧୁନିକ ଜୀବନର ଅନ୍ତଃସାର ଶୂନ୍ୟତା, ସମଗ୍ର ବିଶ୍ୱକୁ କୁଟୁମ୍ବ ଭାବେ ବିଚାର କରିବାର ଉପନିଷଦୀୟ ଦର୍ଶନ ଓ ମୂଲ୍ୟବୋଧ ମଣିଷପଣିଆର ମୂଳଦୁଆ ଭାବେ ଗ୍ରହଣ କରିବାର ଅନିବାର୍ଯ୍ୟତା ମଧ୍ୟ ଆଜିର ଗଳ୍ପରେ ଚିତ୍ରିତ ହେଉଛି । ମୁକ୍ତ ବଜାର ଅର୍ଥନୀତି, ଉଗ୍ରବାଦୀ ସମସ୍ୟା, ସ୍ଥାନାନ୍ତର ଏବଂ ଉଦ୍‌ବାସ୍ତୁଙ୍କ ଥଇଥାନ ସମସ୍ୟା ପରି ସାମାଜିକ ସମସ୍ୟା ଦିନୁଦିନ ଜଟିଳ ହେଉଛି ।

 

ଉଲ୍ଲେଖ କରିବାରେ ଦ୍ୱିଧା ନାହିଁ ଯେ କବିତା, ନାଟକ ଓ ଉପନ୍ୟାସ ଅପେକ୍ଷା କ୍ଷୁଦ୍ରଗଳ୍ପ ଏବେ ସବୁଠୁ ଲୋକପ୍ରିୟ ବିଭାଗ । ତେବେ ଶହେ ଚଉଦବର୍ଷର ଓଡ଼ିଆ ଗଳ୍ପର ଯାତ୍ରାକୁ ଏତେ କମ୍‌ ପରିସର ଭିତରେ ଆଲୋଚନା କରିବା ଆଦୌ ସମ୍ଭବ ନୁହେଁ ।

 

ଆଜି ୨୦୧୨ରେ ଛିଡ଼ାହୋଇ ଭବିଷ୍ୟତର ଓଡ଼ିଆ କ୍ଷୁଦ୍ରଗଳ୍ପ ସଂପର୍କରେ ଚିନ୍ତା କଲେ ବହୁ ସମ୍ଭାବନା ସହ କିଛି କିଛି ସମସ୍ୟାର ଚିତ୍ର ମଧ୍ୟ ଦେଖିହୁଏ । ଆଞ୍ଚଳିକ ସାହିତ୍ୟର ପାଠକ ସମସ୍ୟା, ମନୋରଂଜନର ଭିନ୍ନ ଭିନ୍ନ ମାର୍ଗ ଓ ମାଧ୍ୟମର ସୁଲଭତା କେବଳ କ୍ଷୁଦ୍ରଗଳ୍ପ ପାଇଁ ନୁହେଁ, ସମଗ୍ର ସାହିତ୍ୟ ପାଇଁ ଗୋଟିଏ ଗୋଟିଏ ସମସ୍ୟା । କେହି କେହି ମତ ଦେଉଛନ୍ତି ଭବିଷ୍ୟତରେ ଭାରତୀୟ ସାହିତ୍ୟର ଭାଷା ଇଂରାଜି ହେବ । ଆଞ୍ଚଳିକ ଭାଷାରେ ଲିଖିତ ପୁରୁଣା କୃତିଗୁଡ଼ିକ ଅନୂଦିତ ହେବ ଏବଂ ନୂଆ ଲେଖାଯିବ ଇଂରାଜିରେ । ଆଉ କେତେକ କହନ୍ତି କେବଳ ଉତ୍ତେଜନାର ପ୍ରଶମନ ନିମନ୍ତେ ଅଶ୍ଳୀଳତା, ହିଂସା ଓ ଆତଙ୍କକୁ ମୁଖ୍ୟ ଉପଜୀବ୍ୟ କରିବ ଭବିଷ୍ୟତର ସାହିତ୍ୟ । ଯେହେତୁ ସାହିତ୍ୟ ସବୁଦିନେ ଦୁର୍ବଳର ମୁଖପାତ୍ର ଓ ଅସହାୟତାର ରୂପକାର, ସେଇହେତୁ ନିଷ୍ପେଷିତ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ସମସ୍ୟା ସାହିତ୍ୟରେ ଅଧିକ ସ୍ଥାନ ପାଇବ ବୋଲି ମଧ୍ୟ ମତ ପ୍ରକାଶ ପାଉଛି । ପୁଣି କିଛି ସମାଜଶାସ୍ତ୍ରୀ ଆଶଙ୍କା କରନ୍ତି ଯେ କେବଳ ବ୍ୟକ୍ତିନିଷ୍ଠ, ଅନ୍ତର୍ମୁଖୀ ଏବଂ ଅସ୍ପଷ୍ଟ ମନୋରାଜ୍ୟର କଥା କହି କହି ଗଳ୍ପ ଦିନେ କବିତା ପରି ସାଧାରଣ ପାଠକ ପାଖରୁ ଦୂରେଇଯିବ । ମାତ୍ର ଏ ସମସ୍ତ କେବଳ ଗୋଟିଏ ଗୋଟିଏ ଆଶଙ୍କା । ଆମ ଇତିହାସର ଉଜ୍ଜ୍ୱଳ ଚେହେରା ପରିପ୍ରେକ୍ଷୀରେ ମୋର ଦୃଢ଼ ବିଶ୍ୱାସ ଆମର ସମର୍ଥ ଗାଳ୍ପିକମାନେ ଏହି ସମସ୍ୟାଗୁଡ଼ିକର ଅତିକ୍ରମ ପାଇଁ ସମର୍ଥ ହେବେ । କାରଣ, ଏକଥା କିଏ ନ ଜାଣେ ଯେ ଯେଉଁଠି ଯେଉଁଠି ଆଶଙ୍କାର ଅନ୍ଧକାର ଥାଏ ସେଇଠି ସେଇଠି ସମ୍ଭାବନାର ମହମବତୀଟିଏ ମଧ୍ୟ ହାତପାଆନ୍ତାରେ ଅବଶ୍ୟ ରହିଥାଏ ।

Image

 

ଫକୀରମୋହନ ଓ ସମସାମୟିକ ଗଳ୍ପର ଧାରା

ଅଧ୍ୟାପକ ବିଶ୍ୱରଂଜନ

 

କବି ଦୀପକ ମିଶ୍ରଙ୍କ ଗୋଟିଏ କବିତାଂଶରୁ ଆରମ୍ଭ କରୁଛି ଆମ କଥାସାହିତ୍ୟର ଆଦି ପୁରୁଷଙ୍କ ସମୟର ଗଳ୍ପ– ଆଲୋଚନା । ‘‘କଥା କଥାକେ’ ଶୀର୍ଷକ କବିତାରେ କବି କହୁଛନ୍ତି–

 

ଆମେ ଜାଣୁ

ଭଲ ଗପ କହିବା ଲୋକ

ନିଜ ହାତ ହତିଆର

ଏମିତି ଲୁଚେଇ ରଖେ

ବର୍ଣ୍ଣନାର ଅଦୃଶ୍ୟ ସିନ୍ଦୁକରେ

ଶୁଣିବା ଲୋକ

ଟେର୍‌ ପାଏନି ।

 

କେମିତି ଥିଲା ସତରେ ସେ ହାତ ହତିଆର, ଯାହାକୁ ଆୟୁଧ କରି କଥା-ସାହିତ୍ୟର ସେନାପତି ସାଜିଲେ ‘ରେବତୀ’ର ସ୍ରଷ୍ଟା ଫକୀରମୋହନ । କିଭଳି ରୂପମାଧୁର୍ଯ୍ୟ ଦେଇ ସେ ଗଢ଼ିଲେ ‘ରେବତୀ’କୁ ଯିଏ ଜନ୍ମ ନେବାର ଶତାଧିକ ବର୍ଷ ପରେ ମଧ୍ୟ ସମୟର କ୍ଷୟକାରୀ ଶକ୍ତିକୁ ପ୍ରତିହତ କରି ଏବେ ବି ନିଜର ଅମଳିନ ରୂପଛଟାରେ ଏ କାଳର ସୌନ୍ଦର୍ଯ୍ୟ ପିପାସୁ ପାଠକଙ୍କୁ ମୁଗ୍ଧ ମୋହିତ କରି ଚାଲିଛି ? କେତେ ନୂଆ ନୂଆ ଭାବନା ଏବଂ କହିବାର ଚମତ୍କାର ଶୈଳୀରେ ସିଦ୍ଧହସ୍ତ, ଏ କାଳର ପ୍ରତିଭାଦୀପ୍ତ କଥାକାରମାନେ ମଧ୍ୟ ‘ରେବତୀ’କୁ ଭୁଲିପାରୁ ନାହାନ୍ତି ଏବଂ ନିଜ ଢଙ୍ଗରେ ତାକୁ ନୂଆ ରୂପ ରଙ୍ଗରେ ଗଢ଼ିବାରେ ଲାଗି ପଡ଼ିଛନ୍ତି । ବିଶ୍ୱର ଅନ୍ୟ କୌଣସି କଥାଶିଳ୍ପୀଙ୍କ ଜୀବନରେ ଏଭଳି ସୌଭାଗ୍ୟ ପ୍ରାପ୍ତିର ନଜିର ବୋଧହୁଏ ଦେଖିବାକୁ ମିଳେ ନାହିଁ । ଅଥଚ ଆଶ୍ଚର୍ଯ୍ୟର କଥା, ପଞ୍ଚାବନ ବର୍ଷର ବିଳମ୍ବିତ ତଥା ପରିଣତ ବୟସରେ ହିଁ ଫକୀରମୋହନ ପିତୃତ୍ୱ ଲାଭ କରନ୍ତି ‘ରେବତୀ’ର ସ୍ରଷ୍ଟା ଭାବରେ ।

 

ଫକୀରମୋହନଙ୍କ ଗଳ୍ପ ରଚନାର ପ୍ରବୃତ୍ତି ଓ ଗଳ୍ପର ଧାରା ସଂପର୍କରେ କିଛି ଆଲୋଚନା କରିବା ପୂର୍ବରୁ ଆସନ୍ତୁ, ତାଙ୍କର ଚିଠିଟିଏ ପଢ଼ିନେବା । ଚିଠିଟି ଲେଖିଥିଲେ ‘ଉତ୍କଳ ସାହିତ୍ୟ’ର ସଂପାଦକ ବାଗ୍ମୀ ବିଶ୍ୱନାଥ କରଙ୍କ ନିକଟକୁ– ଯାହାଙ୍କର ପ୍ରୋତ୍ସାହନ ଏବଂ ବାରମ୍ବାର ତାଗିଦା ଫଳରେ ଗଳ୍ପ ପରେ ଗଳ୍ପ ଲେଖିବାକୁ ଏକପ୍ରକାର ବାଧ୍ୟ ହେଉଥିଲେ ଫକୀରମୋହନ । ଏଥର ଗୋଟିଏ ଚିଠିର କିଛି ଅଂଶ–

 

ବାଲେଶ୍ୱର

ତା ୨୩.୯.୧୪

 

ପ୍ରିୟ ବିଶ୍ୱନାଥ ବାବୁ,

 

ଆପଣଙ୍କ ଅନୁଗ୍ରହ ଚିଠି ପାଇଲି । ପ୍ରକୃତ ଯଦି ଗଳ୍ପକୁ ପାଠକମାନେ ଅନୁମୋଦନ କରନ୍ତି, ସେଥି ସକାଶେ ଯତ୍‌କିଞ୍ଚିତ ହେଲେ ଯଦି ସାହିତ୍ୟର ଗୌରବ ବଢ଼େ ଅତ୍ୟନ୍ତ ଆନନ୍ଦିତ ହେବି ନିଶ୍ଚୟ । ଜାଣିବେ ମୋହର ଦେହବଳ, ଜ୍ଞାନବଳ, ମନବଳ କିଛି ନାହିଁ ବୃଥା ଚିରକାଳ ସାହିତ୍ୟ (ପତ୍ରିକା)ର ମଙ୍ଗଳ କାମନା କରି ବ୍ୟାକୁଳ ହୁଏ । ମୋ ଗଳ୍ପର ପ୍ରଶଂସା କରୁଛନ୍ତି ମାତ୍ର ନିନ୍ଦା ବା ପ୍ରଶଂସା ସକାଶେ ଆପଣ ଦାୟୀ । ଗଳ୍ପ ଲେଖିବାକୁ ମୁଁ ସ୍ୱେଚ୍ଛାରେ ପ୍ରବୃତ୍ତ ହୋଇନାହିଁ । ଆପଣ ପ୍ରଥମେ ଆଦେଶ ସାଙ୍ଗେ ସାଙ୍ଗେ ଛପା ଅକ୍ଷରରେ ସମସ୍ତଙ୍କୁ ଜଣାଇଦେଲେ ମୁଁ ଦାୟରେ ପଡ଼ି ଲେଖୁଛି । ଅନ୍ତତଃ ବରଷକ ସକାଶେ ବାରଟା ଲେଖିପାରିଲେ ଆପଣାକୁ ମୁକ୍ତ ଜ୍ଞାନ କରିବି । ଗଳ୍ପ ଲେଖିବା କିଛି ଗୁରୁତର କାର୍ଯ୍ୟ ନୁହେଁ । ପୃଥିବୀ ଗଳ୍ପମୟ । ମାତ୍ର ଅଭାବ ଚିନ୍ତା ଆଉ ଦେହ ବଳ । ବାସ୍ତବିକ୍‌ ଆପଣଙ୍କ ନୋଟିସ୍‌ ପାଇଲେ ରାତ୍ରରେ ଆହାରାନ୍ତେ ଶୟନ ସମୟରେ ଘଣ୍ଟେ ଦୁଇଘଣ୍ଟା ଜାଗ୍ରତ ରହି ଗଳ୍ପର ପଞ୍ଜର (ପ୍ଲଟ୍‌) ଠିକ୍‌ କରିବାକୁ ହୁଏ । ତାହା ବାଦ୍‌ ଲେଖାରମ୍ଭ । ଏହି ତୁଚ୍ଛ କାର୍ଯ୍ୟଟା ସକାଶେ ମଧ୍ୟ ବର୍ତ୍ତମାନ ମୁଁ କ୍ଳାନ୍ତ...

 

ଆପଣଙ୍କ ଫକୀରମୋହନ

 

କ୍ଳାନ୍ତ ହେଲେ ମଧ୍ୟ ଜାଗ୍ରତ । ଜରା-ବ୍ୟାଧି ଜର୍ଜରିତ ଜୀବନର ଧୂସର ମଳିନ ଶଯ୍ୟାରେ ଯନ୍ତ୍ରଣାର ଅକଥନୀୟ ଦହନ ଭିତରେ ଥାଇ ସୁଦ୍ଧା ଫକୀରମୋହନ ନିରବି ଯାଇନାହାନ୍ତି । ସେ ନିଦ୍ରା ତେଜି, ଜୀବନ ମୃତ୍ୟୁର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମାତୃଭୂମି ଓ ମାତୃଭାଷା ଉନ୍ନତି ନିମିତ୍ତ ନିଜର ସାରସ୍ୱତ ସାଧନା ଜାରି ରଖିଛନ୍ତି । ପଣ କରିଛନ୍ତି, ପ୍ରତି ମାସରେ ‘ଉତ୍କଳ ସାହିତ୍ୟ’ ପତ୍ରିକାକୁ ଗଳ୍ପ ଯୋଗାଇବେ । ଫକୀରମୋହନଙ୍କ ଏ ସୃଷ୍ଟି ପ୍ରବଣତା ମୂଳରେ ଯେଉଁ ଆବେଗ ଓ ଆଗ୍ରହ ଆତ୍ମପ୍ରକାଶ କରିଛି, ତାହା ହିଁ ଗଳ୍ପ ସୃଷ୍ଟିର ପ୍ରେରଣା । ଏ ପ୍ରେରଣା ଜଣେ ସ୍ରଷ୍ଟାକୁ ଯେତେବେଳେ ଆଲୋଡ଼ିତ କରେ, ସେତେବେଳେ ତା’ର ବ୍ୟକ୍ତିଗତ ଦୁଃଖ ଓ ଯନ୍ତ୍ରଣା ସବୁ ଫୁଲ ହୋଇଯାଆନ୍ତି । ଆଉ ସେ ଫୁଲର ମଦିର ମହକରେ ସୁରଭିତ ହୋଇଯାଏ ସାହିତ୍ୟ ବିତାନ । ପୂର୍ବ ଉଲ୍ଲେଖ ଚିଠିରୁ ଆମେ ଫକୀରମୋହନଙ୍କ ଗଳ୍ପ ସୃଷ୍ଟିର ଏଇ ଅମୃତମୟ ଅନୁଭବଟିକୁ ହିଁ ବିଶେଷ ଭାବରେ ଅନୁଭବ କରିଥାଉ । ଏ ଅନୁଭବ ପୁଣି ବିବିଧ ।

 

ସ୍କୁଲ୍‌ ଶିକ୍ଷକରୁ ଭାଷା-ଆନ୍ଦୋଳନର ଅନ୍ୟତମ ଅଗ୍ର ସାରଥୀ, ପୁଣି ବିଭିନ୍ନ ଗଡ଼ଜାତମାନଙ୍କରେ ପ୍ରଶାସନିକ ଦାୟିତ୍ୱ । କେଉଁଠି ଦେୱାନ ତ କେଉଁଠି ମ୍ୟାନେଜର । ଲୋକ ଚରିତ୍ରର ବହୁବିଧ ଦିଗକୁ ଅନୁଧ୍ୟାନ କରିବାର ସୁଯୋଗ ସାଙ୍ଗକୁ ସଂଘର୍ଷମୟ ବ୍ୟକ୍ତିଗତ ଜୀବନର ଯାତନା ଫକୀରମୋହନଙ୍କ ଗଳ୍ପକାର ଜୀବନକୁ ଯୋଗାଇଦେଲା ପ୍ରଚୁର ଉପାଦାନ । ଜୀବନ ଓ ସାହିତ୍ୟ ପରସ୍ପର ସହିତ ସଂପୃକ୍ତ । ସୁତରାଂ ଫକୀରମୋହନଙ୍କ କଥା-ସାହିତ୍ୟର ଜଗତରୁ ତାଙ୍କ ବ୍ୟକ୍ତିତ୍ୱକୁ ଭିନ୍ନ କରି ହେବ ନାହିଁ । ମାତ୍ର ବ୍ୟକ୍ତିଗତ ଜୀବନ ପରିଧିର ବାହାରେ ଯେଉଁ ସମାଜ ରହିଛି, ସେହି ସମାଜର ବିଧି-ବ୍ୟବସ୍ଥା, ଧର୍ମୀୟ, ରୀତିନୀତି, ଆଚାର-ବିଚାର, କୁସଂସ୍କାର-ଅନ୍ଧବିଶ୍ୱାସ, ନିରକ୍ଷରତା-ରକ୍ଷଣଶୀଳତା, ଶୋଷଣ-କଷଣ, ଅନ୍ୟାୟ-ଅତ୍ୟାଚାର, ଲୋକମାନଙ୍କର ଦୈନ୍ୟ-ଦୁର୍ଗତି ମଧ୍ୟ ସମାନ ଭାବରେ ଆକ୍ରାନ୍ତ କରିଛି ଫକୀରମୋହନଙ୍କ ଲେଖକୀୟ ସତ୍ତାକୁ । ଫଳରେ ଫକୀରମୋହନଙ୍କ ଗଳ୍ପ ସୃଷ୍ଟିରେ ବ୍ୟକ୍ତି-ଜୀବନ, ପାରିବାରିକ ଜୀବନ ଏବଂ ସମାଜ ଜୀବନର ଚିତ୍ର ଓ ଚରିତ୍ରମାନେ ପ୍ରମୂର୍ତ୍ତ ହୋଇଛନ୍ତି । ଗାଳ୍ପିକର ବ୍ୟକ୍ତିସତ୍ତା ଓ ସାମାଜିକ ସତ୍ତାର ସମନ୍ୱୟ ଘଟିଛି । ଫକୀରମୋହନଙ୍କ ସମସାମୟିକ ସାମାଜିକ ଜୀବନରେ ସେଦିନ ଆସିଥିଲା ପରିବର୍ତ୍ତନର ଶଙ୍କିତ ଝଡ଼ । ଇଂରାଜି ଶିକ୍ଷା ଓ ସଭ୍ୟତାରୁ ଜନ୍ମ ନେଇଥିବା ସେଇ ଝଡ଼ର ଝଙ୍କାରରେ ପ୍ରାଚୀନ ବିଶ୍ୱାସ, ପ୍ରାଚୀନ ଚଳଣି ସବୁ ଭାଙ୍ଗିରୁଜି ଯାଉଥିଲା । ସମୟର ସେଇ ଅଶାନ୍ତ ଘୂର୍ଣ୍ଣିରୁ ଯେଉଁ ନୂତନ ଶିକ୍ଷିତ ଗୋଷ୍ଠୀର ଅଭ୍ୟୁଦୟ ହେଲା, ସେମାନେ ପୁରାତନକୁ ଅସ୍ୱୀକାର କଲେ ସିନା, ହେଲେ ଜୀବନ ପାଇଁ ଖୋଜୁଥିବା ନୂତନ ସରଣୀର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳ ନ ଥିଲା । ‘ମାନବିକତା’ ସୁଦ୍ଧା ଏମାନଙ୍କ ଦୃଷ୍ଟିରେ ହୋଇ ଉଠିଲା ‘ସେଣ୍ଟିମେଣ୍ଟ୍‌’ । ସମାଜ ଜୀବନର ଏଇ ଓଲଟପାଲଟ ପ୍ରକ୍ରିୟାରୁ ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପ ନିଜକୁ ଅନାକ୍ରାନ୍ତ ରଖିପାରିନାହିଁ ।

 

ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପ ସବୁ ୧୮୯୮ରୁ ୧୯୧୬ ମଧ୍ୟରେ ଲିଖିତ । ଏଇ ୧୮ ବର୍ଷର ସମୟସୀମା ଭିତରେ ମାତ୍ର ୨୧ଟି ପ୍ରକାଶିତ ଗଳ୍ପ ଉପଲବ୍ଧ । ଏ ଗଳ୍ପ ସବୁକୁ ସତର୍କତାର ସହ ଅନୁଧ୍ୟାନ କଲେ ହୃଦ୍‌ବୋଧ ହୁଏ ଯେ, ତତ୍କାଳୀନ ସାମାଜିକ ଅବ୍ୟବସ୍ଥା ଏବଂ ରୁଚିହୀନ ସଂସ୍କାରର ଆବର୍ତ୍ତ ଭିତରୁ ଉତ୍କଳୀୟ ଗଣମାନସର ଉତ୍ତରଦାୟାଦମାନଙ୍କୁ ମୁକ୍ତ କରି ନୂତନ ଜୀବନବୋଧରେ ଉଦ୍‌ବୁଦ୍ଧ କରିବାର ପୈତୃକ ଅଧିକାର ସେ ସାବ୍ୟସ୍ତ କରିବାକୁ ଚାହିଥିଲେ । ଫଳରେ ସ୍ତ୍ରୀ ଶିକ୍ଷା ପ୍ରତି ତାଚ୍ଛଲ୍ୟ (ରେବତୀ), ଅର୍ଥ ଲୋଭରେ ବାପର ଝିଅକୁ ବୃଦ୍ଧ ହାତରେ ସମର୍ପି ଦେବାର ଆଗ୍ରହ (ବୀରେଇ ବିଶାଳ, ମାଧ ମହାନ୍ତିଙ୍କ କନ୍ୟା ସୁନା) ଧର୍ମର ଆବରଣ ତଳେ ଭଣ୍ଡାମି ଓ ଗୁଣ୍ଡାମି (ଧୂଳିଆବାବା, ମୌନାମୌନି) ଇଂରାଜି ଶିକ୍ଷିତ ଯୁବକର ବାପ ପ୍ରତି ହତାଦର ଓ ଲାଞ୍ଛନା (ଡାକ ମୁନସୀ) ସମାଜରେ ମଦ୍ୟପାନ ଓ ବେଶ୍ୟାସଙ୍ଗ (ପେଟେଣ୍ଟ୍‌ ମେଡିସିନ୍‌) ପରେ ସଂପତ୍ତି ଅପହରଣର ଭୟାବହ ପରିଣତି (ଅଧର୍ମ ବିତ୍ତ) ଅଲୋଡ଼ା ମଣିଷର ଅସାଧାରଣ ତ୍ୟାଗ (ରାଣ୍ଡି ପୁଅ ଅନନ୍ତା) ପ୍ରଭୃତି ଘଟଣାର ଓ ସମସ୍ୟାକୁ ଆଧାର କରି ଫକୀରମୋହନଙ୍କ ଗଳ୍ପର ଜନ୍ମ ଜାତକ ପ୍ରସ୍ତୁତ ହୋଇଛି । ଏଇ ଗଳ୍ପଗୁଡ଼ିକରେ ଏକ ସ୍ପଷ୍ଟ ନୀତିଶିକ୍ଷା ଥିଲା । ‘‘ପ୍ରଚାର ଭାବଧାରା ଉପରେ ପ୍ରତିଷ୍ଠିତ ହୋଇଥିଲେ ହେଁ ଏସବୁ ପ୍ରଚାରଧର୍ମୀ ନୁହନ୍ତି । ସୃଷ୍ଟି ଧର୍ମ ପ୍ରତିଷ୍ଠା ହିଁ ଏମାନଙ୍କର ବିଶେଷ ପରିଚୟ । ଏମାନଙ୍କ ଆଙ୍ଗିକ ଓ ଆତ୍ମିକ ରୂପ– ବିଭବ, ପ୍ରକାଶ ଆଭିମୁଖ୍ୟ, ଗତି ବୈଚିତ୍ର୍ୟ, ପରିବେଷଣ-କୌଶଳ, ରସୋଜ୍ୱଳ ପରିପ୍ରକାଶ, ଆବେଦନ-ପରିପାଟୀ ଓ ଗଠନ-ସୌଷ୍ଠବ ଏକାନ୍ତ ଭାବେ ଶିଳ୍ପ ଧର୍ମୀ ।’’ (୧) ନିଜ ଗଳ୍ପ ସଂପର୍କରେ ବିଶ୍ୱନାଥ କରଙ୍କ ନିକଟକୁ ପତ୍ରରେ ‘ମୁଁ ଆର୍ଟ ଏକାବେଳକେ ଛାଡ଼ିଦେଇ କେବଳ ପ୍ଲଟ୍‌ ଧରି ଚାଲିଛି’ (୨) ବୋଲି ଫକୀରମୋହନ ଲେଖିଥିଲେ ହେଁ ତାଙ୍କର ଗଳ୍ପ ସବୁ ସ୍ୱକୀୟ ଶୈଳୀର ବର୍ଣ୍ଣବିଭାରେ ବେଶ୍‌ ବର୍ଣ୍ଣିଳ ଓ ଉଜ୍ଜ୍ୱଳ । ଏହି ଗଳ୍ପ ଶୈଳୀର ନିର୍ଦ୍ଦିଷ୍ଟ କୌଣସି ଛାଞ୍ଚ ନାହିଁ । କେତେବେଳେ ତାହା ଦିଏ ଉତ୍ତାଳ ସମୁଦ୍ରର ଲବଣାକ୍ତ ସ୍ପର୍ଶ ତ ପୁଣି କେତେବେଳେ ତାହା ମନରେ ସୃଷ୍ଟି କରେ ପାହାଡ଼ି ଝରଣାର ଅନାବିଳ ସ୍ୱରଧ୍ୱନି । (୩)

 

ଫକୀରମୋହନଙ୍କ ଗଳ୍ପର ଅନ୍ୟ ଏକ ବିଶେଷତ୍ୱ ହେଲା ଭାଷା ପ୍ରୟୋଗ । ପରିବେଶ ଓ ପରିସ୍ଥିତି ଅନୁଯାୟୀ ସେ ଚରିତ୍ରମାନଙ୍କ ମୁହଁରେ ଭାଷା ଦେଇଛନ୍ତି । ତାଙ୍କ ରଚନାରେ ତତ୍କାଳୀନ ଲୋକମୁଖୀ ଭାଷା, ଯାବନିକ, ବିଦେଶୀ ଭାଷା, ତଥା ତତ୍‌ସମ୍‌ ଭାଷାର ଏକ ସଫଳ ସମନ୍ୱୟ ହୋଇପାରିଥିଲା । ଚରିତ୍ରମାନଙ୍କ ସଂଳାପରେ ସେମାନଙ୍କ ଭାଷା ପ୍ରୟୋଗ ସହିତ ସ୍ୱୟଂ କଥାକାରଙ୍କ ଆବିର୍ଭାବ ଏବଂ ଅଭିବ୍ୟକ୍ତି ଗଳ୍ପର ଭାଷା ବ୍ୟବହାର କ୍ଷେତ୍ରରେ ନୂତନ ଧାରା ସୃଷ୍ଟି କରିଛି । ଫକୀରମୋହନଙ୍କ ପରିବେଷିତ ହାସ୍ୟରସ ବା ବ୍ୟଙ୍ଗ ବିଦ୍ରୂପ ତାଙ୍କର ଶୈଳୀ ମଧ୍ୟରେ ସଞ୍ଚାର କରିଛି ଅପୂର୍ବ ପ୍ରାଣୋଚ୍ଛଳତା । ମାତ୍ର ବହିଃରୂପରେ ଅଭିବ୍ୟକ୍ତ ଏହି ହାସ୍ୟରସର ଅନ୍ତରାଳରେ ରହିଛି ମହାକାରୁଣ୍ୟର ଅନନ୍ତ ଅଶ୍ରୁ । ହାସ୍ୟ, ବ୍ୟଙ୍ଗ ଓ କାରୁଣ୍ୟର ଏ ପ୍ରକାର ସମନ୍ୱୟ ସତରେ ଫକୀରମୋହନଙ୍କ ଗଳ୍ପର ଏକ ଅନନ୍ୟ ଶୈଳୀ ଓ ତାହା ହିଁ ଓଡ଼ିଆ ସାହିତ୍ୟରେ ସେ ଶୈଳୀକୁ ଦେଇଛି କାଳଜୟୀ କଳାର ଗୌରବ ।

 

ଡକ୍ଟର ମାୟାଧର ମାନସିଂହ ଫକୀରମୋହନଙ୍କୁ ‘ଓଡ଼ିଶାର ଟମାସ ହାର୍ଡି’ ଭାବରେ ଅଭିହିତ କରି କହିଛନ୍ତି– ‘‘ଜନସାଧାରଣଙ୍କର ଲୌକିକ ଭାଷାକୁ ଏବଂ ମାଟି ଓ ପ୍ରକୃତି ସହିତ ଘନିଷ୍ଠ ଭାବରେ ସଂପୃକ୍ତ ଥିବା ନରନାରୀଙ୍କୁ ସାହିତ୍ୟରେ ବ୍ୟବହାର କରିବା କେବଳ ନୁହେଁ, ସେହି ନିରକ୍ଷର, ଚୀରବାସ ଅଧମମାନଙ୍କୁ ଦେଇ ହିଁ ଆମକୁ ବିଶ୍ୱଜନୀନତାର ସ୍ୱାଦ ଦେଇ ପାରିବାରେ ସକଳ ବିଖ୍ୟାତ ପାଶ୍ଚାତ୍ୟ ଔପନ୍ୟାସିକମାନଙ୍କ ମଧ୍ୟରେ ସେନାପତି ଆମକୁ ଇଂରେଜ ଔପନ୍ୟାସିକ ଟମାସ ହାର୍ଡିଙ୍କୁ ହିଁ ସ୍ମରଣ କରାଇଥା’ନ୍ତି । ସେନାପତି ଟମାସ୍‌ ହାର୍ଡିଙ୍କର ଆଂଶିକ ସମସାମୟିକ ଥିଲେ । ହାର୍ଡିଙ୍କ ପରି ସେନାପତି ଥିଲେ ଉଭୟ କବି ଓ ଗାଳ୍ପିକ ଏବଂ ତାଙ୍କରି ପରି ସହର ଓ ଗ୍ରାମାଞ୍ଚଳର ନିମ୍ନ ଶ୍ରେଣୀର ଚରିତ୍ରମାନଙ୍କୁ ବ୍ୟବହାର କରି ପରମ ସୃଷ୍ଟି ସବୁ ଛାଡ଼ିଯାଇଛନ୍ତି । କିନ୍ତୁ ସେନାପତି ଓ ହାର୍ଡି ବା ବିଶ୍ୱସାହିତ୍ୟରେ ଅନ୍ୟ ଯେକୌଣସି କୀର୍ତ୍ତିମାନଙ୍କ ଭିତରେ ଏକ ବିରାଟ ପାର୍ଥକ୍ୟ ଏହି ଯେ, ସେନାପତି ଏକମାତ୍ର ମହାପୁରୁଷ ଯେ କି ଗୋଟିଏ ଭାଷାକୁ ମୃତ୍ୟୁମୁଖରୁ ରକ୍ଷା କଲେ ଏବଂ ପରମ ଶିଳ୍ପ ଭାବରେ ନାନା ଉତ୍କୃଷ୍ଟ ସୃଷ୍ଟି ଦେଇ ତାକୁ ଅସାଧାରଣ ଭାବରେ ରୁଦ୍ଧିମନ୍ତ ମଧ୍ୟ କରିଦେଇ ଗଲେ ।’’ (୪) ଯାବତୀୟ ପ୍ରତିକୂଳତାକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ତାକୁ ଯଥାସମ୍ଭବ ଏକ ଅନୁକୂଳତାରେ ପରିଣତ କରିବା ଯେପରି ଫକୀରମୋହନଙ୍କ ଜୀବନ ଧର୍ମରେ ପରିଣତ ହୋଇଯାଇଥିଲା । ଅନୁଭବ ଓ ଅମିତ ଗ୍ରହଣଶୀଳତା ତାଙ୍କୁ ଜୀବନର ଅଙ୍ଗନରେ ଏକ ଦୁର୍ଦ୍ଧର୍ଷ ସେନାପତି ରୂପେ ତିଆରି କରି ଆଣିଥିଲା-। ତାଙ୍କ ପ୍ରତ୍ୟେକଟି ସୃଷ୍ଟି ମାନବିକ ସମ୍ବେଦନଶୀଳତାରେ ରୁଦ୍ଧିମନ୍ତ ଏବଂ ସାମାଜିକ ଚେତନାର ଗୋଟିଏ ଗୋଟିଏ ଜୀବନ୍ତ ଆଲେଖ୍ୟ । (୫) ହିନ୍ଦୀ ସାହିତ୍ୟର ଯୋଗ୍ୟତମ ଆଧୁନିକ କଥାକାର ପ୍ରେମଚାନ୍ଦ ଆସିଥିଲେ ଫକୀରମୋହନଙ୍କର ୨୫ ବର୍ଷ ପରେ । ତେଣୁ ଉଭୟଙ୍କ ତୁଳନାତ୍ମକ ଅଧ୍ୟୟନ କାଳରେ ଗବେଷକମାନେ ଫକୀରମୋହନଙ୍କୁ ହିଁ ଆଧୁନିକ ଭାରତୀୟ ସାହିତ୍ୟରେ ପ୍ରଥମ ବାସ୍ତବବାଦୀ ସାମାଜିକ ଲେଖକ ଏବଂ ସାହିତ୍ୟରେ ‘ସାମାଜିକ ବାସ୍ତବତା’ର ଆଦ୍ୟ ରୂପକାର ଓ ପଥ ପ୍ରଦର୍ଶନ ଭାବରେ ଚିତ୍ରଣ କରିଛନ୍ତି । (୬)

 

‘ରେବତୀ’ର ସ୍ରଷ୍ଟା ଭାବରେ ଫକୀରମୋହନ ଓଡ଼ିଆ କ୍ଷୁଦ୍ର ଗଳ୍ପର ଜନକର ମାନ୍ୟତା ଲାଭ କଲେ ସିନା, ହେଲେ ଓଡ଼ିଆ ସାହିତ୍ୟରେ ପ୍ରଥମ ଗଳ୍ପ ସଂକଳନର ପ୍ରଣେତା ଭାବରେ ସମ୍ମାନର ଅଧିକାର ହେଲେ ଚନ୍ଦ୍ରଶେଖର ନନ୍ଦ । ତାଙ୍କର ପ୍ରଥମ ଗଳ୍ପ ‘ସୌଦାମିନୀ’ ପ୍ରକାଶ ପାଏ ୧୯୦୧ରେ ଏବଂ ୧୯୦୬ ମସିହାରେ ୬ଟି ଗଳ୍ପକୁ ନେଇ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଚିତ୍ର’ ଆତ୍ମପ୍ରକାଶ କରିଥିଲା । ସେ କେବଳ କ୍ଷୁଦ୍ରଗଳ୍ପ ରଚନା କରି ନ ଥିଲେ, ୧୯୦୪ରେ ସର୍ବପ୍ରଥମେ ‘ସାହିତ୍ୟରେ କ୍ଷୁଦ୍ରଗଳ୍ପ’ ସଂପର୍କରେ ଏକ ଆଲୋଚନା ମଧ୍ୟ ପ୍ରକାଶ କରିଥିଲେ । ଚନ୍ଦ୍ରଶେଖର ନନ୍ଦ ଇଂରେଜି ଭାଷାରେ ଉଚ୍ଚ ଶିକ୍ଷିତ ଥିବାରୁ ପାଶ୍ଚାତ୍ୟ କ୍ଷୁଦ୍ରଗଳ୍ପ ପାଠ କରିବାର ସୁଯୋଗ ପାଇଥିଲେ-। ‘ଉତ୍କଳ ସାହିତ୍ୟ’ ପତ୍ରିକାରେ କ୍ଷୁଦ୍ରଗଳ୍ପର ତାତ୍ତ୍ୱିକ ବ୍ୟାଖ୍ୟା କରିବାକୁ ଯାଇ ସେ ଲେଖିଛନ୍ତି– ଆବେଗପୂର୍ଣ୍ଣ ହୃଦୟର ସାମୟିକ ଗଭୀର ଉଚ୍ଛ୍ୱାସ ଯେପରି କବିତାରେ ପ୍ରତିଫଳିତ ହୋଇଥାଏ, ସେହିପରି ନାନା ବୈଚିତ୍ର୍ୟମୟ ସଂଘାତମୟ ଜୀବନର ରାଶି ରାଶି କ୍ଷୁଦ୍ର ଘଟଣାମାନଙ୍କର ମନୋହର ଚିତ୍ର କ୍ଷୁଦ୍ରଗଳ୍ପର ଅଙ୍ଗୀଭୂତ ଅଟେ । ...ଲେଖକ କେତେବେଳେ ସଂପୂର୍ଣ୍ଣ ଅଜ୍ଞାତ ତୃତୀୟ ପୁରୁଷ ପରି ରହିଥା’ନ୍ତି, କେତେବେଳେ ବା ଚିତ୍ରିତ ପୁରୁଷମାନଙ୍କ ମଧ୍ୟରେ ଜଣଙ୍କର ସ୍ଥାନ ଅଧିକାର କରିଥା’ନ୍ତି । କ୍ଷୁଦ୍ରଗଳ୍ପରେ ଶବ୍ଦବିନ୍ୟାସରେ ମହାନୈପୁଣ୍ୟ ପ୍ରକାଶିତ ହେବା ବିଧେୟ । ବାଜେ କଥା କହି ସ୍ଥାନ ପୂରଣ କରିବା କ୍ଷୁଦ୍ରଗଳ୍ପରେ ସର୍ବଦା ଦୂଷଣୀୟ । ...ଅତର୍କିତ ଆରମ୍ଭ ଓ ଆକସ୍ମିକ ପରିସମାପ୍ତି କ୍ଷୁଦ୍ରଗଳ୍ପରେ ସୌନ୍ଦର୍ଯ୍ୟର ମାତ୍ରା ବିଶେଷ ବଢ଼ାଇଦିଏ-। ଭାବର ଉଚ୍ଚତା, ଭାଷାର ଲାଳିତ୍ୟ, ରଚନା ନୈପୁଣ୍ୟର ଏକତ୍ର ସମାବେଶ କ୍ଷୁଦ୍ରଗଳ୍ପରେ ରହିବା ଏକାନ୍ତ ଆବଶ୍ୟକ-। କ୍ଷୁଦ୍ରଗଳ୍ପ ସଂପର୍କରେ ଚନ୍ଦ୍ରଶେଖରଙ୍କ ମନ୍ତବ୍ୟ ବାସ୍ତବିକ ତାତ୍ପର୍ଯ୍ୟପୂର୍ଣ୍ଣ-। ଫକୀରମୋହନଙ୍କ ସମସାମୟିକ ଗଳ୍ପ ଲେଖକ ଭାବରେ ସେ ପ୍ରତିଷ୍ଠା ଅର୍ଜନ କରିଛନ୍ତି-। ବୈଦିକ, କିମ୍ବଦନ୍ତୀମୂଳକ, ଐତିହାସିକ ଗଳ୍ପ ସାଙ୍ଗକୁ ସେ ସାମାଜିକ ଗଳ୍ପ ମଧ୍ୟ ରଚନା କରିଛନ୍ତି-। ୧୯୦୧ରୁ ୧୯୦୭ ମସିହା ସୁଦ୍ଧା ଆଠଟି ଗଳ୍ପ ରଚନା କରିବା ପରେ ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ଏବଂ ତା’ପରେ ଆଉ ପନ୍ଦରଟି ଗଳ୍ପ ପ୍ରକାଶ ପାଏ । ସାମାଜିକ ଗଳ୍ପରେ ତତ୍କାଳୀନ ସମାଜରେ ଦେଖାଯାଉଥିବା ବିମାତାର ଅତ୍ୟାଚାର, ଜମିଦାର ଓ ରାଜାମାନଙ୍କର କାମୁକତା ଓ ଶୋଷଣ, ଡକାୟତମାନଙ୍କର ଲୁଣ୍ଠନ, ଧର୍ମ ପ୍ରତି ଆସ୍ଥା ଏବଂ ଦାମ୍ପତ୍ୟ ପ୍ରେମର ମହତ୍ତ୍ୱ, ଭାଇ ଭାଇର ସଂପର୍କ ଆଦି ନାନା ପ୍ରସଙ୍ଗ ତାଙ୍କ ଗଳ୍ପରେ ସ୍ଥାନ ପାଇଛି । ମାତ୍ର ଚନ୍ଦ୍ରଶେଖର ନନ୍ଦଙ୍କ ଗଳ୍ପରେ ଫକୀରମୋହନ ଗଳ୍ପର ସାବଲୀଳତା ନାହିଁ । ଭାଷା ତତ୍‌ସମ ଶବ୍ଦ ବହୁଳ । ଗଳ୍ପ ଆରମ୍ଭ ଓ ଉପସଂହାରରେ ଇଂରାଜି ଓ ଓଡ଼ିଆ କବିତାର ଉଦ୍ଧୃତି ରହିଛି । ଫକୀରମୋହନ ମଧ୍ୟ ଏହି ଶୈଳୀକୁ ‘ରେବତୀ’ ଗଳ୍ପରେ ପରୀକ୍ଷା କରିଥିଲେ । ମାତ୍ର ‘ଗଳ୍ପସ୍ୱଳ୍ପ’ ସଂକଳନ ବେଳକୁ ରେବତୀ ଗଳ୍ପରୁ ଇଂରାଜି ଉଦ୍ଧୃତିକୁ ବାଦ୍‌ ଦେଇଥିଲେ । ବାସ୍ତବତା ଓ ଆଦର୍ଶବାଦର ସମନ୍ୱୟରେ ରଚିତ ଚନ୍ଦ୍ରଶେଖରଙ୍କ ଗଳ୍ପଗୁଡ଼ିକ ଏକ ନୂତନ ସ୍ୱାଦ ଦେଇଥିଲା ଓଡ଼ିଆ ଗଳ୍ପ ସାହିତ୍ୟକୁ ।

 

ଫକୀରମୋହନଙ୍କ ସମସାମୟିକମାନଙ୍କ ମଧ୍ୟରେ ଏବେ ଦୃଷ୍ଟିକୁ ଆସନ୍ତି ଦୟାନିଧି ମିଶ୍ର । ଇତିହାସ, ଜାତୀୟତା ଓ ପ୍ରେମର ତ୍ରିଧାରାରେ ଅଭିସିଞ୍ଚିତ ତାଙ୍କର ଗଳ୍ପ ଧାରା । ସୃଷ୍ଟି ସୀମିତ, ମାତ୍ର ପ୍ରତ୍ୟେକଙ୍କର ସ୍ୱାଦ ଭିନ୍ନ ଓ ରୁଚି ଭିନ୍ନ । ‘କଥା କଦମ୍ବ’ ତାଙ୍କର ଏକମାତ୍ର ଗଳ୍ପ ସଂକଳନ । ‘ଉତ୍କଳ ସାହିତ୍ୟ’ ଏବଂ ‘ମୁକୁର’ରେ ୧୯୧୪ରୁ ୨୦ ମଧ୍ୟରେ ପ୍ରାୟ ତାଙ୍କର ସବୁ ଗଳ୍ପ ପ୍ରକାଶ ପାଇଥିଲା । କେତେ ଗଳ୍ପ ‘ଶ୍ରୀ’ ଛଦ୍ମନାମରେ ପ୍ରକାଶିତ । ଗଳ୍ପଗୁଡ଼ିକ ଘଟଣାସର୍ବସ୍ୱ ଏବଂ ବର୍ଣ୍ଣନାଧର୍ମୀ । ଗଳ୍ପର ବ୍ୟଞ୍ଜନାରେ ଓ ପରିବେଷଣରେ ସେପରି ଆକର୍ଷଣୀୟ ଶୈଳୀ ବା ନୂତନତା ଦେଖିବାକୁ ମିଳେ ନାହିଁ । କିନ୍ତୁ ଓଡ଼ିଶା ଇତିହାସର ଅଜ୍ଞାତ ଅଧ୍ୟାୟ ଓ ଚରିତ୍ରମାନଙ୍କୁ ଉନ୍ମୋଚିତ କରିବାରେ ଦୟାନିଧିଙ୍କ ପ୍ରୟାସ ଅଭିନନ୍ଦନୀୟ ।

 

ଏ ସମୟର ଅନ୍ୟତମ କଥାକାର ଦିବ୍ୟସିଂହ ପାଣିଗ୍ରାହୀ । ୧୯୨୬ରେ ତାଙ୍କର ‘ଅମୃତ କଙ୍କଣ’ ନାମକ ଏକ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା । ସର୍ବମୋଟ ୧୭ଟି ଗଳ୍ପ ରଚନା କରିଥିଲେ ହେଁ ମାନବିକ ସମ୍ବେଦନା ସୃଷ୍ଟି କରିବା ଦିଗରେ ତାଙ୍କର ଶିଳ୍ପୀସତ୍ତା ଅଧିକ ସଫଳ ମନେହୁଏ । ପରିବାର ଓ ସମାଜର ବନ୍ଧନୀ ଭିତରେ ବ୍ୟକ୍ତି ଜୀବନର ଭୋଗ ଓ ଅନିଭୋଗର କଥା ତାଙ୍କ ଗଳ୍ପ ସାହିତ୍ୟକୁ ସମୃଦ୍ଧ କରିଥିଲା । ତାଙ୍କ ଦୃଷ୍ଟିରେ ପ୍ରେମ ହିଁ ଥିଲା ଜୀବନର ଏକମାତ୍ର ଧର୍ମ-। ସେ ପ୍ରେମ ବିଭୁପ୍ରେମ ହେଉ ଅବା ଜାତିପ୍ରେମ, ପିତୃପ୍ରେମ ହେଉ ଅବା ପତ୍ନୀପ୍ରେମ, ଭ୍ରାତୃପ୍ରେମ ହେଉ ଅବା ଭଗ୍ନୀପ୍ରେମ, ବନ୍ଧୁପ୍ରେମ ହେଉ ବା ବାତ୍ସଲ୍ୟ ପ୍ରେମ ଏବଂ ପ୍ରଣୟିନୀର ପ୍ରେମ, ପ୍ରଣୟର ବିସ୍ତାରିତ ଦିଗ ଦିଗନ୍ତକୁ ସ୍ପର୍ଶ କରିବାରେ ଦିବ୍ୟସିଂହଙ୍କ ଗଳ୍ପ ଜଗତ ବେଶ୍‌ ବର୍ଣ୍ଣିଳ-। ମାତ୍ର ଗଳ୍ପର ଗଠନ ପରିପାଟୀ କିମ୍ବା ପ୍ରକାଶ ଭଙ୍ଗୀରେ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ଦେଖିବାକୁ ମିଳେ ନାହିଁ-

 

ବାଙ୍କନିଧି ପଟ୍ଟନାୟକ ଫକୀରମୋହନଙ୍କ ସମସାମୟିକ ଗାଳ୍ପିକ । ତାଙ୍କର ସମସ୍ତ ଗଳ୍ପର ପୃଷ୍ଠଭୂମି ସାମାଜିକ । ସାଧାରଣ ମଣିଷର ସହରୀ ଜୀବନ ପ୍ରତି ମୋହ ଓ ଆବେଗ ଏବଂ ସରଳ ପଲ୍ଲୀ ଜୀବନର ଦୟନୀୟ ଚିତ୍ର ତାଙ୍କ ଗଳ୍ପଗୁଡ଼ିକର ଆଧାର ଭୂମି । ଗଳ୍ପ ଉପସ୍ଥାପନା ଓ ପରିବେଷଣରେ ସାବଲୀଳତା ଓ ରୁଚିଶୀଳତା ବାଙ୍କନିଧିଙ୍କ ଗଳ୍ପକୁ ପାଠକୀୟ ଆଦୃତି ଆଣି ଦେଇପାରିଥିଲା ।

 

ଫକୀରମୋହନଙ୍କ ସମୟରେ ତାଙ୍କରି ଆଶୀର୍ବାଦ ଓ ପ୍ରେରଣା ଲାଭ କରି କାନ୍ତକବି ଲକ୍ଷ୍ମୀକାନ୍ତ ଜଣେ କାଳଜୟୀ କଥାଶିଳ୍ପୀ ଭାବରେ ଯେଉଁ ପାଠକୀୟ ସ୍ୱୀକୃତି ଲାଭ କରିଥିଲେ, ତାହା ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ ।

 

ଆଲୋଚନାରେ ଉପସଂହାରରେ ମୋତେ ପୁଣି ଫେରିବାକୁ ହେବ ଫକୀରମୋହନଙ୍କ ପାଖକୁ । କାରଣ ସେ କେବଳ ନିଜ ସମୟ ଓ ସମସାମୟିକଙ୍କ ମଧ୍ୟରେ ସୀମାବଦ୍ଧ ନୁହନ୍ତି, ସେ ତତ୍କାଳ ହୋଇ ମଧ୍ୟ ସମକାଳର । ଏଇଠି ଆମ ସମୟର ସ୍ୱନାମଧନ୍ୟ କଥାଶିଳ୍ପୀ ମନୋଜ ଦାସଙ୍କୁ ଉଦ୍ଧାର କରିବାର ଲୋଭ ମୁଁ ସମ୍ବରଣ କରିପାରୁନାହିଁ । ନିଜର ଏକ ଅଭିଭାଷଣରେ ସେ କହିଥିଲେ– ‘‘ଫକୀରମୋହନଙ୍କ ତୁଳନୀୟ ଗଳ୍ପ କିମ୍ବା ତାହାଠାରୁ ଅଧିକ ଆକର୍ଷଣୀୟ ଗଳ୍ପ ଯେ ସୃଷ୍ଟି ହେବ ନାହିଁ, ତାହା କେହି କହିପାରିବେ ନାହିଁ । ତଥାପି ଫକୀରମୋହନ ତାତ୍ପର୍ଯ୍ୟପୂର୍ଣ୍ଣ ଓ ଅନନ୍ୟ । ଫକୀରମୋହନଙ୍କଠାରୁ ଗୋପୀନାଥ, ମନୋଜ ଦାସଙ୍କ ପର୍ଯ୍ୟନ୍ତ ଯେତେ ଲେଖକ ଅଛନ୍ତି ସେମାନଙ୍କ ଭିତରେ ପାର୍ଥକ୍ୟ ହେଉଛି, ଫକୀରମୋହନଙ୍କ ଆଗରେ ଦୃଷ୍ଟାନ୍ତ ନ ଥିଲା । ସେ ଦୃଷ୍ଟାନ୍ତ ସୃଷ୍ଟି କଲେ । ଏହି ଦୃଷ୍ଟାନ୍ତ ଅନୁସରଣ କରି ଚାଲିଛନ୍ତି ଓଡ଼ିଶାର ଅସଂଖ୍ୟ ଲେଖକ । ....ଯେତେବେଳେ ଚନ୍ଦ୍ରାଲୋକରେ ଆମେ ବସି ରହୁ, ସେତେବେଳେ ଆମେ ବୁଝିପାରୁନା, ଯାହାକୁ ଆମେ ଚନ୍ଦ୍ରାଲୋକ ବୋଲି କହୁଛୁ, ତାହା ସୂର୍ଯ୍ୟ କିରଣର ପ୍ରତିବିମ୍ବ ମାତ୍ର ଏବଂ ମୋ ଭିତରେ, ଗୋପୀନାଥ, କାଳନ୍ଦୀ ବାକି ସବୁ ଲେଖକଙ୍କ ମଧ୍ୟରେ ଆପଣ ଫକୀରମୋହନଙ୍କୁ ପାଇବାକୁ ବାଧ୍ୟ-। କାରଣ ଫକୀରମୋହନଙ୍କ ପ୍ରଭାବକୁ ବାଦ୍‌ ଦେଇ କୌଣସି ସାହିତ୍ୟ ଓଡ଼ିଶାରେ ସୃଷ୍ଟି ହୋଇପାରେନା ।

 

ପାଦଟୀକା

 

(୧)

ଡକ୍ଟର ନଟବର ସାମନ୍ତରାୟ, ଓଡ଼ିଆ ସାହିତ୍ୟର ଇତିହାସ, ୨ୟ ସଂ (୧୯୮୩)

 

 

(୨)

ସୁରେନ୍ଦ୍ର ମହାନ୍ତି, ଫକୀରମୋହନ ସମୀକ୍ଷା (ଫକୀରମୋହନଙ୍କ ପତ୍ରାବଳୀ)

 

 

(୩)

ଡକ୍ଟର ବଳରାମ ଦାସ, ଫକୀରମୋହନଙ୍କ ଗଳ୍ପଜଗତ

 

 

(୪)

ଡକ୍ଟର ମାୟାଧର ମାନସିଂହ, ଓଡ଼ିଆ ସାହିତ୍ୟର ଇତିହାସ (ପରିମାର୍ଜିତ ନୂତନ ସଂସ୍କରଣ ୧୯୯୬)

 

 

(୫)

ଡକ୍ଟର ବୈଷ୍ଣବ ଚରଣ ସାମଲ, ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ, ୧୯୯୦

 

 

(୬)

ନିର୍ବାଚିତ ଫକୀରମୋହନ ସଂକଳନ ଓ ସଂପାଦନା ଅଭୟ ଦାସ

Image

 

Unknown

ଆଧୁନିକ ଓଡ଼ିଆ ଗଳ୍ପର ପ୍ରଥମ ପର୍ବ

ବିଜୟାନନ୍ଦ ସିଂହ

 

ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ ଗଳ୍ପର ଜନକ । ଫକୀରମୋହନଙ୍କ ଗଳ୍ପ କେବଳ ଗଳ୍ପ ନୁହେଁ, ତାହା ସମକାଳୀନ ସମାଜ ଜୀବନର ବାସ୍ତବ ପ୍ରତିଲିପି । ତତ୍କାଳୀନ ସମାଜ ଚିତ୍ରକୁ ତାଙ୍କ ଗଳ୍ପରେ ପ୍ରତିଫଳିତ କରିବା ସହ ସମାଜ ସଂସ୍କାର ପାଇଁ ତାଙ୍କର ପ୍ରୟାସ ଥିଲା ଉଚ୍ଚକୋଟୀର । ହାସ୍ୟ-ବ୍ୟଙ୍ଗ-ବିଦ୍ରୂପର ଅବତାରଣା କରି ଗଳ୍ପର କଳେବରକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବାରେ ସେନାପତିଙ୍କ ଦୃଷ୍ଟିଭଙ୍ଗୀ ଥିଲା ବାସ୍ତବରେ ଅନନ୍ୟ । ଫକୀରମୋହନ ଗଳ୍ପର ଉଦ୍ଦେଶ୍ୟ ହେଉଛି ସମାଜର କଲ୍ୟାଣ କାମନା । ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ପାଇଁ ତାଙ୍କର ଅଭୀପ୍‌ସା । ମଣିଷର ଅସଲ ସ୍ୱରୂପକୁ ଉନ୍ମୋଚନ କରାଇବା ସହ ଜୀବନର ବିବିଧ ଦିଗକୁ ଫକୀରମୋହନ ଗଳ୍ପରେ ପ୍ରକାଶ କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ପାଇଛନ୍ତି । ତେଣୁ ଫକୀରମୋହନଙ୍କ ସାହିତ୍ୟ ସାମାଜିକ ଜାଗରଣର ଏକ ଘନିଷ୍ଠ ମାଧ୍ୟମ ବୋଲି କୁହାଯାଇପାରେ । ସାହିତ୍ୟରେ ଜୀବନ ଓ ସମାଜର ଅସଲ କଥାକୁ ସହଜ ଶୈଳୀରେ ପ୍ରକାଶ କରିବାରେ ଅଦ୍ୱିତୀୟ ଶିଳ୍ପୀ ଫକୀରମୋହନ ଶିଳ୍ପଚାତୁରୀ ସତରେ ବିରଳ– ‘‘ଫକୀରମୋହନଙ୍କ ଗଳ୍ପର ପ୍ରଧାନ ଲକ୍ଷ୍ୟ କୁସଂସ୍କାର-ବିଶୋଧନ ହେଲେ ହେଁ ତାଙ୍କ ଶିଳ୍ପ ସୃଷ୍ଟିର ଲକ୍ଷ୍ୟ ହେଉଛି ମାନବ-ବନ୍ଦନା । ମାନବଧର୍ମୀ ଫକୀରମୋହନ କେବଳ ସୃଷ୍ଟି କୌଶଳ ଓ ଶିଳ୍ପ ଚାତୁର୍ଯ୍ୟ ସହାୟତାରେ ସାଧାରଣ ପ୍ରଚାର ବିଷୟକୁ ଉନ୍ନତ କଳାରେ ପରିଣତ କରିଦେଇ ପାରିଛନ୍ତି । ଫଳରେ କରୁଣ ରସୋଜ୍ଜ୍ୱଳ ସେଇ ମାନବର କୁସଂସ୍କାରାଚ୍ଛନ୍ନ ମନୋବୃତ୍ତି ଅତି କର୍କଶ ଭାବେ ଫକୀରମୋହନଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ ହେଁ ଅପମାନଗ୍ରସ୍ତ ଓ ଦୁଃଖ ଜର୍ଜର ତନୁ ସେଇ ମାନବ ଆମ ଆଗରେ ଏ ମାଟିର ଯଥାର୍ଥ ସନ୍ତାନ ରୂପେ ଓ ଆମ ଭିତରୁ ଜଣେ ଦୋଷ ଦୁର୍ବଳତା ପରିପୂର୍ଣ୍ଣ ସାଧାରଣ ମଣିଷ ରୂପେ ଧରାଦେଇଥାଏ । ମଣିଷ ଚରିତ୍ରର ଏକ କଳା-ରୂପାୟିତ ଅନ୍ତଃସୌନ୍ଦର୍ଯ୍ୟ ଓ ଶିଳ୍ପ-ରୂପାୟନ କୌଶଳ, ଅର୍ଥାତ୍‌ ଯାହା ସୃଷ୍ଟିର ଏକମାତ୍ର ଚରମ ଲକ୍ଷ୍ୟ, ତାହା ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କ ହାତରେ ପ୍ରଥମେ ପରୀକ୍ଷା ଭିତରେ ଗତି କରି ପରବର୍ତ୍ତୀ ଲେଖକମାନଙ୍କ ଦ୍ୱାରା ବହୁତ ବିଚିତ୍ର ରୂପରେ ବିକାଶ ଲାଭ କରିଥିବାର ଦେଖିବାକୁ ମିଳେ ।

 

(ଓଡ଼ିଆ ସାହିତ୍ୟର ଇତିହାସ– ଡକ୍ଟର ନଟବର ସାମନ୍ତରାୟ, ପୃ: ୩୯୪, ୨ୟ ସଂସ୍କରଣ–୧୯୮୩)

 

ଫକୀରମୋହନ ସେନାପତି ଓଡ଼ିଆ ଜାତୀୟ ଜୀବନର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ । ନ’ଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ବିଲୋପ ଉଦ୍ୟମ ଜନିତ ଘଟଣା ତାଙ୍କୁ ସଚେତନ କରାଇଥିଲା । ତେଣୁ ଓଡ଼ିଶା ଭାଷା ଓ ସାହିତ୍ୟର ଭବିଷ୍ୟତ କଥା ସେ ବିଚାରିଥିଲେ । ତେଣୁ ଓଡ଼ିଆ ସାହିତ୍ୟର ଗଳ୍ପର ଆଧୁନିକ ଭାବଭୂମି ଉପରେ ପର୍ଯ୍ୟବେସିତ ହେବ– ସେ ଏହାହିଁ ଚିନ୍ତା କରିଥିଲେ– ‘‘ଫକୀରମୋହନଙ୍କ ବ୍ୟକ୍ତିଗତ ଜୀବନର ସମୃଦ୍ଧି ଓ କ୍ରମୋନ୍ନତି ଓଡ଼ିଶା ଜାତୀୟ ଜୀବନର ବିକାଶଧାରା ସଙ୍ଗେ ସମାନ୍ତରାଳ ଭାବରେ ଗତି କରିଛି । ଯଥାର୍ଥରେ ଫକୀରମୋହନ ଊନବିଂଶ ଶତାବ୍ଦୀର ଓଡ଼ିଆ ଜାତିର ପ୍ରତିନିଧି ।’’ (ଫକୀରମୋହନ ଓ ଓଡ଼ିଆ ସମାଜ– ଗଣେଶ୍ୱର ମହାପାତ୍ର– ସମାଲୋଚନାର ଦିଗଦିଗନ୍ତ–ପୃ:୧୫୯, ୧୯୭୨)

 

ଆଧୁନିକ ଓଡ଼ିଆ ଗଳ୍ପର ସଂସ୍ଥାପକ ଫକୀରମୋହନ ସେନାପତି ‘ରେବତୀ’ ଗଳ୍ପ ରଚନା କରି ଓଡ଼ିଆ ଗଳ୍ପ ରଚନାର ଶୁଭାରମ୍ଭ କଲେ । ରେବତୀ ହିଁ ହେଲା ଭିତ୍ତିଗଳ୍ପ ଓଡ଼ିଆ ସାହିତ୍ୟର । ଏହି ଭିତ୍ତିଭୂମି ଉପରେ ଓଡ଼ିଆ ଆଧୁନିକ ଗଳ୍ପର ବିରାଟ ସୌଧ ନିର୍ମିତ ହେଲା । ବ୍ୟାସକବି ଫକୀରମୋହନ କେବଳ ନୁହନ୍ତି, ଏହି ସମକାଳର କଥାକାର ଚନ୍ଦ୍ରଶେଖର ନନ୍ଦ, ଗାଳ୍ପିକ ଦୟାନିଧି ମିଶ୍ର, କଥାଶିଳ୍ପୀ ଦିବ୍ୟସିଂହ ପାଣିଗ୍ରାହୀ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗାଳ୍ପିକ ବାଙ୍କନିଧି ପଟ୍ଟନାୟକ, ପଲ୍ଲୀକବି ନନ୍ଦକିଶୋର ବଳ, ଚିନ୍ତାମଣି ମହାନ୍ତି, ନିର୍ମଳା କର, ପ୍ରତିଭା କର ପ୍ରମୁଖ ଗଳ୍ପ ରଚନା କରି ଓଡ଼ିଆ ଗଳ୍ପରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ସକ୍ଷମ ହେଲେ ।

 

ଫକୀରମୋହନଙ୍କ ସମୟର ପ୍ରତିଭାବାନ୍‌ କଥାକାର ଚନ୍ଦ୍ରଶେଖର ନନ୍ଦ (୧୮୬୮-୧୯୩୨) । ଚନ୍ଦ୍ରଶେଖର ସାମାଜିକ ସମସ୍ୟାକୁ ଆଧାର କରି ଲେଖିଥିଲେ ଅନେକ ଗଳ୍ପ । ଚନ୍ଦ୍ରଶେଖର ନନ୍ଦଙ୍କ ପ୍ରଥମ ଗଳ୍ପ ‘ସୌଦାମିନୀ’ ପ୍ରକାଶିତ ହେଲା ୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ । ଏହାପରେ ସେ ଲେଖି ଚାଲିଛନ୍ତି ଅନେକ ଗଳ୍ପ । ୧୯୦୫ରେ ‘ଜଗୁ ଚୌକିଦାର’, ୧୯୦୬ରେ ବହୁଚର୍ଚ୍ଚିତ ଗଳ୍ପ ‘ଗଦା ଡକାଏତ’, ‘ମା’ ମୁଁ ସେଥିରେ ଜମା ହାତ ଦେଇନାହିଁ’, ‘ଛୋଟରାମ ଦାସ’, ୧୯୦୭ରେ ‘ପ୍ରତିଶୋଧ’, ‘ଭିଲ ବାଳକ’ ଗଳ୍ପ ପ୍ରକାଶିତ ହୋଇ ଓଡ଼ିଆ ଗଳ୍ପ ସାହିତ୍ୟକୁ ଆଲୋକିତ କଲା । ଏହିଠାରେ କୁହାଯାଇପାରେ ଫକୀରମୋହନଙ୍କ ‘ରେବତୀ’ ୧୯୯୮ରେ ପ୍ରକାଶିତ ହୁଏ । ୧୯୦୭ରେ ଫକୀରମୋହନ ଗଳ୍ପ ଲେଖିଛନ୍ତି ‘ମୌନାମୌନୀ’ । ୧୯୧୨ରେ ପ୍ରକାଶିତ ଫକୀରମୋହନଙ୍କ ‘ଡାକମୁନ୍‌ସୀ’ ଓଡ଼ିଆ ଗଳ୍ପ ସାହିତ୍ୟରେ ଆଣିଲା ନବଚେତନା । ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଶେଖର ନନ୍ଦ ୧୯୦୬ରେ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ପୁସ୍ତକ ‘ଚିତ୍ର’ ପ୍ରକାଶ କଲେ । ଏଥିରେ ଚନ୍ଦ୍ରଶେଖରଙ୍କ ଦଶଟି ଗଳ୍ପ ସ୍ଥାନିତ ହୋଇଥିଲା । ପରେ ଏହାର ଦ୍ୱିତୀୟ ସଂସ୍କରଣରେ ଗୋଟିଏ ଗଳ୍ପ ସଂଯୋଜିତ ହୋଇଥିଲା । ଚନ୍ଦ୍ରଶେଖର ଥିଲେ ବାସ୍ତବରେ ନିଷ୍ଠାପର କଥାଶିଳ୍ପୀ । ୧୯୧୩-୧୯୧୬ ମଧ୍ୟରେ ସେ ରଚନା କରିଛନ୍ତି ପନ୍ଦରଟି ଗଳ୍ପ । ଚନ୍ଦ୍ରଶେଖରଙ୍କ ୧୯୧୩ରେ ‘ବାସି ଖିରିପିଠା’, ୧୯୧୪ରେ ‘କଲ୍ୟାଣୀ’, ‘ସହମରଣ’, ‘ତେନ୍ତୁଳିଆ ପୀର’, ୧୯୧୫ରେ ‘ସତ୍ୟକାମ ଜାବାଳ’, ‘ସତୀବଟ’, ‘ନଚିକେତା ଓ ଦୁଇଭାଇ’, ୧୯୧୬ରେ ‘ଆହତପକ୍ଷୀ’, ‘ଚଷାବୁଦ୍ଧି ବଳି ପଡ଼ିଲା’, ‘ମହାରାଣୀ ନୀଳାମ୍ବରୀ’, ‘ବିଲ ଲକ୍ଷେଶ୍ୱର’, ‘ରଜ ପୋଡ଼ପିଠା’, ‘ଶୋଭା’ ଓ ‘କୃଷ୍ଣାକୁମାରୀ’ ପ୍ରଭୃତି ଗଳ୍ପ ପାଠକଙ୍କ ଦୃଷ୍ଟିକୁ ଆସେ ।

 

ଚନ୍ଦ୍ରଶେଖର କେବଳ ଗଳ୍ପ ସଂକଳନ ରଚନାରେ ପ୍ରଥମ ନୁହନ୍ତି, ଗଳ୍ପ ଆଲୋଚନା, ରଚନା କରିବାରେ ସେ ମଧ୍ୟ ପ୍ରଥମ । ୧୯୦୪ରେ ‘ସାହିତ୍ୟରେ କ୍ଷୁଦ୍ରଗଳ୍ପ’ ସଂପର୍କରେ ପ୍ରବନ୍ଧ ମଧ୍ୟ ରଚନା କରି ଆଲୋଚନାର ଦ୍ୱାର ଉନ୍ମୁକ୍ତ କରିଥିଲେ । କ୍ଷୁଦ୍ରଗଳ୍ପର ତତ୍ତ୍ୱ ସଂପର୍କରେ ସେ ହିଁ ପ୍ରଥମେ ସୁଧୀଜନଙ୍କ ଦୃଷ୍ଟି ଆକର୍ଷଣ କରି ଲେଖିଥିଲେ–

 

‘‘ମହାକାବ୍ୟ ସହିତ ଚତୁର୍ଦ୍ଦଶ ପଦୀରେ ଯେଉଁ ସମ୍ବନ୍ଧ, ଉପନ୍ୟାସ ସହିତ ଏହାର ସେହି ସମ୍ବନ୍ଧ । ଆବେଗପୂର୍ଣ୍ଣ ହୃଦୟର ସାମୟିକ ଗଭୀର ଉଚ୍ଛ୍ୱାସ ଯେପରି କବିତାରେ ପ୍ରତିଫଳିତ ହୋଇଥାଏ, ସେହିପରି ନାନା ବୈଚିତ୍ର୍ୟମୟ ଓ ନାନା ସଂଘାତମୟ ଜୀବନର ରାଶି ରାଶି କ୍ଷୁଦ୍ରଗଳ୍ପ ଘଟଣାମାନଙ୍କର ମନୋରମ ଚିତ୍ର କ୍ଷୁଦ୍ରଗଳ୍ପର ଅଙ୍ଗୀଭୂତ ଅଟେ । ଲେଖକ କେତେବେଳେ ସଂପୂର୍ଣ୍ଣ ଅଜ୍ଞାତ ତୃତୀୟ ପୁରୁଷ ପରି ରହିଥା’ନ୍ତି । କେତେବେଳେ ବା ଚିତ୍ରିତ ପୁରୁଷମାନଙ୍କ ମଧ୍ୟରେ ଜଣଙ୍କର ସ୍ଥାନ ଅଧିକାର କରିଥା’ନ୍ତି । କଥୋପକଥନ ଛଳରେ କ୍ଷୁଦ୍ରଗଳ୍ପ ସ୍ଥଳ ବିଷୟରେ ରଚିତ ହୋଇଥିବା ଦେଖାଯାଏ । ସାହିତ୍ୟ ଜଗତରେ ସଂକ୍ଷିପ୍ତତା ଅତି ଆବଶ୍ୟକ । କ୍ଷୁଦ୍ରଗଳ୍ପରେ ତାହା ଅତ୍ୟନ୍ତ ଉପାଦେୟ । (ଉତ୍କଳ ସାହିତ୍ୟ ୮ଭା/ ୧ମ ସଂଖ୍ୟା, ୧୯୦୪, ପୃ: ୩୫) ତାଙ୍କ ଗଭୀରତା ଓ ପାଣ୍ଡିତ୍ୟ ସଂପର୍କରେ ବର୍ଣ୍ଣନା କଲେ ଚନ୍ଦ୍ରଶେଖର ଗଳ୍ପ କେତେବେଳେ ବୈଦିକ ଓ ବୌଦ୍ଧଯୁଗୀୟ ବିଷୟବସ୍ତୁକୁ ଆଧାର କରିଛି ତ କେତେବେଳେ କିମ୍ବଦନ୍ତୀ ବା ଇତିହାସକୁ ମାଧ୍ୟମ କରିଛି । ସାମାଜିକ ଚିତ୍ର ଓ ଚରିତ୍ରକୁ ନେଇ ମଧ୍ୟ ସେ ଗଳ୍ପ ଲେଖି ଯାଇଛନ୍ତି । ତାଙ୍କ ରଚିତ ‘ନଚିକେତା ଓ ସତ୍ୟକାମ ଜାବାଳ’ ଗଳ୍ପ ଦୁଇଟି କଠୋପନିଷଦ ଓ ଛାନ୍ଦୋଗ୍ୟ ଉପନିଷଦରୁ ଓ ‘ଆହତ ପକ୍ଷୀ’ ଗଳ୍ପଟି ବୌଦ୍ଧଯୁଗୀୟ କାହାଣୀକୁ ଭିତ୍ତି କରି ରଚିତ । ‘ପ୍ରତିଶୋଧ’, ‘ସହମରଣ’, ‘ଭୀଲ୍‌ ବାଳକ’, ‘ଶୋଭା ସିଂହ’ ଓ ‘କୃଷ୍ଣାକୁମାରୀ’ ଗଳ୍ପଗୁଡ଼ିକ ଇତିହାସ ଭାବଭୂମିକୁ ଆପଣେଇ ଥିଲାବେଳେ ‘ସତ୍ୟବଟ’, ‘ବିଲ ଲକ୍ଷେଶ୍ୱର’ ଓ ‘ତେନ୍ତୁଳିଆ ପୀର’ ହେଉଛି କିମ୍ବଦନ୍ତୀମୂଳକ ଗଳ୍ପ ।’’

 

ଚନ୍ଦ୍ରଶେଖରଙ୍କ ସାମାଜିକ ଗଳ୍ପଗୁଡ଼ିକ ବେଶ୍‌ ଶକ୍ତିଶାଳୀ । ତତ୍କାଳୀନ ଓଡ଼ିଶାର ସାମାଜିକ ଅବସ୍ଥାକୁ ସେ ନିବିଡ଼ ଭାବେ ଉପଲବ୍ଧି କରିଥିଲେ । ତେଣୁ ସେସବୁକୁ ଗଳ୍ପରେ ଚିତ୍ରିତ କରିଯାଇଛନ୍ତି । ‘ସୌଦାମିନୀ’ ତାଙ୍କର ପ୍ରଥମ ଗଳ୍ପ । ଏହି ଗଳ୍ପରେ ନିଶା ପାନର କୁପରିଣାମ କ’ଣ ହୋଇପାରେ-ତାହା ଦର୍ଶାଇଛି । ‘ଜଗୁ ଚୌକିଦାର’ ଓ ‘ମା’ ମୁଁ ଏଥିରେ ହାତ ଦେଇନାହିଁ’ ଦୁଇଟି ସାମାଜିକ ଗଳ୍ପ । ‘ଜଗୁ ଚୌକିଦାର’ ଗଳ୍ପରେ ତ୍ୟାଗ ମନୋବୃତ୍ତି ପାଇଁ ଦେଇଛନ୍ତି ପ୍ରେରଣା ସେ ।

 

ଚନ୍ଦ୍ରଶେଖର ଓଡ଼ିଆ ସାହିତ୍ୟର ପ୍ରଥମ ପର୍ଯ୍ୟାୟରେ ଗଳ୍ପ ରଚନା କରିଥିଲେ– ତାହା ଥିଲା ମୁଖ୍ୟତଃ କାହାଣୀନିଷ୍ଠ । ଗଳ୍ପଗୁଡ଼ିକରେ କ୍ଷୁଦ୍ରଗଳ୍ପର ବୈଶିଷ୍ଟ୍ୟ ସଂରକ୍ଷିତ । ଫକୀରମୋହନଙ୍କ ‘ରେବତୀ’ ଗଳ୍ପ ପରି ନନ୍ଦ ମହାଶୟ ମଧ୍ୟ ଇଂରାଜି ଓ ଓଡ଼ିଆ କବିତାରୁ ଉଦ୍ଧୃତି ଦେଇ ଗଳ୍ପର ଶୁଭାରମ୍ଭ କରିଛନ୍ତି । ଏପରିକି ଗଳ୍ପର ଶେଷରେ ମଧ୍ୟ ଏପରି ଉଦ୍ଧୃତି ଦେଇଯାଇଛନ୍ତି– ଏହା ଥିଲା ତତ୍କାଳୀନ ଗଳ୍ପଶୈଳୀ । ଚନ୍ଦ୍ରଶେଖରଙ୍କ ଗଳ୍ପ ସୀମିତ । କିନ୍ତୁ ତାଙ୍କ ଗଳ୍ପଗୁଡ଼ିକ ମାନବିକ ଆବେଦନରେ ପରିପୂର୍ଣ୍ଣ । ନନ୍ଦଙ୍କ ଗଳ୍ପରେ ନୂତନ ଚିନ୍ତା ଓ ବାସ୍ତବ ରୂପ ବର୍ଣ୍ଣନା ସଫଳ ହୋଇଛି । କୁହାଯାଇପାରେ ଯେ ଜଣେ ସାର୍ଥକ କଥାକାର ଭାବେ ଚନ୍ଦ୍ରଶେଖରଙ୍କ ଅବଦାନ ଓଡ଼ିଆ ସାହିତ୍ୟକୁ ଅନନ୍ୟ ।

 

ଫକୀରମୋହନଙ୍କ ସମକାଳର ବିଶିଷ୍ଟ କଥାକାର ଦୟାନିଧି ମିଶ୍ରଙ୍କ ଅବଦାନ ସ୍ୱୀକୃତ । ‘କଥା କଦମ୍ବ’ ତାଙ୍କର ସାର୍ଥକ ଗଳ୍ପ ସଂକଳନ ୧୯୨୫-୧୯୨୬ ମସିହାରେ ପ୍ରକାଶିତ ହୋଇଥିଲା ବୋଲି ଜଣାଯାଏ । ‘‘କଥା କଦମ୍ବ’ ଓଡ଼ିଆ ସାହିତ୍ୟର ତୃତୀୟ ଗଳ୍ପ ସଂକଳନ । ଚନ୍ଦ୍ରଶେଖର ନନ୍ଦଙ୍କ ‘ଚିତ୍ର’ (୧୯୦୬), ଫକୀରମୋହନଙ୍କ ଗଳ୍ପସ୍ୱଳ୍ପ ଭାବନାରେ ହୋଇଥିଲେ ଅନୁପ୍ରାଣିତ । ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ଦୟାନିଧି ସରକାରୀ ଚାକିରି ତ୍ୟାଗ କରିଥିଲେ । ତେଣୁ ତାଙ୍କ ସାହିତ୍ୟରେ ଦେଶପ୍ରେମ ଓ ଇତିହାସର ପ୍ରଭାବ ଉପଲବ୍ଧ ହୁଏ । ଏଥିପାଇଁ ଦୟାନିଧିଙ୍କ ଗଳ୍ପଗୁଡ଼ିକ ପ୍ରାୟତଃ ଐତିହାସିକ ବିଷୟବସ୍ତୁକୁ ଆଧାର କରି ରଚିତ । ସାମାଜିକ କଥା ମଧ୍ୟ ତାଙ୍କର ଅନେକ ଗଳ୍ପର ଭିତ୍ତିଭୂମି । ୧୯୧୪ରେ ‘ମିଳନ’, ‘ଅରୁଣା’, ‘ରୂପର ମୂଲ୍ୟ’, ‘ଭୁଲ୍‌’, ‘‘ଶାନ୍ତି’, ୧୯୧୫ରେ ‘କଳିକାଳ ଟୋକାଙ୍କୁ ବଳ ନାହିଁ’, ‘ଆକର୍ଷଣ’, ୧୯୨୦ରେ ‘ପ୍ରଦୀପ’, ‘ନିର୍ବାଣ’ ଆଦି ଦୟାନିଧିଙ୍କ ରଚିତ ଗଳ୍ପ । ‘ଭୁଲ୍‌’, ‘ଆକର୍ଷଣ’, ‘କଳିକାଳ ଟୋକାଙ୍କୁ ବଳ ନାହିଁ’ ଗଳ୍ପ ସାମାଜିକ ପୃଷ୍ଠଭୂମି ଉପରେ ଲିଖିତ । ‘ଶାନ୍ତି’, ‘ଅରୁଣା’, ‘ରୂପର ମୂଲ୍ୟ’, ‘ପ୍ରଦୀପ’, ‘ନିର୍ବାଣ’ ଗଳ୍ପ ରଚନା କରି ଦୟାନିଧି ଓଡ଼ିଆ ଗଳ୍ପ ସାହିତ୍ୟର ଏକ ନୂତନ ଶୈଳୀ ପ୍ରଦାନ କରିଥିଲେ । ଇତିହାସ–ମରହଟ୍ଟା ଆକ୍ରମଣର କଥାବସ୍ତୁ ସର୍ବୋପରି ଓଡ଼ିଆ ଜାତିର ବୀରତ୍ୱକୁ ଗଳ୍ପଗୁଡ଼ିକରେ ରସପୂର୍ଣ୍ଣ ସହକାରେ ସେ ପରିବେଷଣ କରିବା ସହ ରୋମାନ୍‌ସପୂର୍ଣ୍ଣ ପ୍ରଣୟକୁ ମଧ୍ୟ ସେ ଉପସ୍ଥାପିତ କରିଯାଇଛନ୍ତି । ସେଥିପାଇଁ ଡ. ନଟବର ସାମନ୍ତରାୟ ଦୟାନିଧିଙ୍କ ଗଳ୍ପ ସଂପର୍କରେ କହିଛନ୍ତି– ‘‘ଐତିହାସିକ ଘଟଣାର ଭିତ୍ତି ଉପରେ ଗଢ଼ାଯାଇଥିବା ଦୟାନିଧି ମିଶ୍ରଙ୍କ ଗଳ୍ପରେ ଓଡ଼ିଆ ଜାତିର ବୀରତ୍ୱ ତଥା ଚରିତ୍ରବତ୍ତା ପ୍ରତିଷ୍ଠା କରାଯାଇଥିଲେ ହେଁ ଗଳ୍ପର କଥାଭାଗକୁ ରୁଚିକର ଓ ପ୍ରୀତିପଦ କରିବା ପାଇଁ ରୋମାନ୍‌ସ ସୁଲଭ ପ୍ରଣୟ ଆଖ୍ୟାନ ମଧ୍ୟ ଏଥିରେ ପରିକଳ୍ପିତ । ଏଇ ବୀରତ୍ୱ ଓ ପ୍ରଣୟର ଉପସ୍ଥାପନା– କୌଶଳ, ବିଷୟବସ୍ତୁର ବିଭାଗୀକରଣ, ଆରମ୍ଭର ବୈଚିତ୍ର୍ୟ, ବିଷୟଗ୍ରନ୍ଥିର କ୍ରମ ଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ– ଏସବୁ ଏ ଗଳ୍ପମାନଙ୍କର ଶିଳ୍ପ ଗୌରବ । ଏ ଗୌରବ ସମସାମୟିକ ଅଧିକାଂଶ ଗଳ୍ପରେ ଏକାନ୍ତ ବିରଳ କହିଲେ ଚଳେ ।’’ (ଓଡ଼ିଆ ସାହିତ୍ୟର ଇତିହାସ– ଡ. ନଟବର ସାମନ୍ତରାୟ, ପୃ: ୫୩୮, ୧୯୮୩)

 

ଦିବ୍ୟସିଂହ ପାଣିଗ୍ରାହୀ (୧୮୮୯-୧୯୮୧) ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟର ପ୍ରଥମ ପର୍ବର ବଳିଷ୍ଠ ପ୍ରତିଭା । ଦିବ୍ୟସିଂହଙ୍କ ପରିବାର ଏକ ସାରସ୍ୱତ ପରିବାର । ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀ, ସାନଭାଇ ବିଖ୍ୟାତ କବି କାଳିନ୍ଦୀଚରଣ ପାଣିଗ୍ରାହୀ ଓ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ । ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଥିଲେ ଜଣେ ସାରସ୍ୱତ ସାଧକ । ଦିବ୍ୟସିଂହ ‘‘ତୁ ମୋ ମା’, ‘ବନ୍ଧୁ’ ଉପନ୍ୟାସର ସ୍ରଷ୍ଟା । କିନ୍ତୁ ଦିବ୍ୟସିଂହ ଜଣେ ଗାଳ୍ପିକ ଭାବରେ ସୁପରିଚିତ । ସେ ସତରଟି ଗଳ୍ପ ରଚନା କରି ଓଡ଼ିଆ ଗଳ୍ପ ସାହିତ୍ୟକୁ କରିଛନ୍ତି ରୁଦ୍ଧିମନ୍ତ । ତାଙ୍କର ପ୍ରଥମ ଗଳ୍ପ ‘ପିତୃଶିରାଧ’ । ‘ପିତୃଶିରାଧ’କୁ କ୍ଷୁଦ୍ରଗଳ୍ପ ବୋଲି କୁହାଯାଇ ପାରିବ ନାହିଁ । ଏହା ଏକ କାହାଣୀ । ଲୋକକଥା ପରି ଏହା ରଚିତ । ଏହା ‘ମୁକୁର’ରେ ପ୍ରକାଶିତ ହୋଇଥିଲା । (ମୁକୁର–୮/୧–୧୯୧୩) । ‘ମାଳତୀ’, ‘ପାନବାଲୀ’, ‘ଅମୃତ କଙ୍କଡ଼ା’, ‘ଜାତୀୟତା’, ‘ପରିବର୍ତ୍ତନ’, ‘ଗୟାଶ୍ରାଦ୍ଧ’, ‘ସାବିତ୍ରୀ’, ‘ଉପବାସ’, ‘ନିଶାବସାନ’, ‘ହିସାବନିକାଶ’, ‘ଶେଷ ଉପହାର’, ‘ଆଦ୍ୟ ପରିଣାମ’, ‘କାରିଗର’, ‘ଡିପାର୍ଟମେଣ୍ଟ୍‌’, ‘ନୂଆବୋହୂ’, ‘ପ୍ରତାରଣା’, ‘ଦିବାବସନା’ ପ୍ରଭୃତି ଗଳ୍ପ ଦିବ୍ୟସିଂହ କଥାକୃତିର ଉଜ୍ଜ୍ୱଳ ଦୃଷ୍ଟାନ୍ତ । ‘‘ଅମୃତ କଙ୍କଣ’ ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ । ନାନା ସାମାଜିକ ସମସ୍ୟା ଓ ପରିସ୍ଥିତି ତାଙ୍କ ଗଳ୍ପର ଭିତ୍ତିଭୂମି । ତତ୍କାଳୀନ ସମାଜରେ ଚାଲିଥିବା ମହାଜନ, ଜମିଦାରମାନଙ୍କ ଶୋଷଣ, କଷଣ, ନାରୀ ସଂଭୋଗ ପ୍ରଭୃତି ବିଷୟକୁ ସେ ଅତି ବାସ୍ତବ ଭାବେ ଗଳ୍ପଗୁଡ଼ିକରେ ପ୍ରକାଶ କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ଲାଭ କରିଥିଲେ । ଗଳ୍ପଗୁଡ଼ିକରେ ଥିଲା ନୂତନ ଭାବ ଓ ଭାବନା– ଏହି କଥାକୁ ପ୍ରକାଶ କରିଛନ୍ତି ତାଙ୍କ ଗଳ୍ପଗ୍ରନ୍ଥ ‘ଅମୃତ କଙ୍କଣ’ର ସୁଯୋଗ୍ୟ ପ୍ରକାଶକ– ‘‘ଓଡ଼ିଆ ସାହିତ୍ୟରେ ସୁରୁଚିସଂପନ୍ନ ଗଳ୍ପପୁସ୍ତକ ବଡ଼ ବିରଳ । ଦିବ୍ୟସିଂହ ବାବୁ ନିଜର ଅଭିନବ ଔପନ୍ୟାସିକ ଛଟାରେ ସମାଜ ଓ ସଂସାରର ବିଭିନ୍ନ ଚିତ୍ର ସବୁ ଗଳ୍ପ ଆକାରରେ ଯେପରି ସରଳ, ସୁବୋଧ୍ୟ ଓ ହୃଦୟସ୍ପର୍ଶୀ ଭାଷାରେ ବ୍ୟକ୍ତ କରି ଅଛନ୍ତି ତାହା ଉତ୍କଳ ସାହିତ୍ୟରେ ସଂପୂର୍ଣ୍ଣ ନୂତନ । ଏ ପୁସ୍ତକ ପାଠ କଲେ ଲେଖାର ସରସତା ଓ ନୂତନତା ଉପଲବ୍ଧି କରାଯାଇପାରିବ ।’’ (ଅମୃତ କଙ୍କଣ–ଦିବ୍ୟସିଂହ ପାଣିଗ୍ରାହୀ, କଟକ ଟ୍ରେଡିଂ କମ୍ପାନି, ପୁରୀ, ୧୯୨୬) ।

 

ଦିବ୍ୟସିଂହଙ୍କ ଗଳ୍ପଗୁଡ଼ିକରେ ଆଧୁନିକତାର ସ୍ପର୍ଶ ଉପଲବ୍ଧ । ତାହା ସମସାମୟିକ ସ୍ରଷ୍ଟା ଯଥା ଫକୀରମୋହନ, ଚନ୍ଦ୍ରଶେଖର, ଦୟାନିଧିଙ୍କ ଗଳ୍ପ ପରି ନୁହେଁ– ଏଥିରେ କେତେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ– ‘‘ଦିବ୍ୟସିଂହ ଗୋଟିଏ ଗୋଟିଏ ବିଶେଷ ଭାବକୁ ଗଳ୍ପର କେନ୍ଦ୍ରବିନ୍ଦୁ ଭାବରେ ଗ୍ରହଣ କରିନାହାନ୍ତି ସେ ଗୋଟିଏ ଗୋଟିଏ ବିଶେଷ ଭାବକୁ ଗଳ୍ପର କେନ୍ଦ୍ରବିନ୍ଦୁ ଭାବରେ ଗ୍ରହଣ କରିଛନ୍ତି । ମଣିଷର ଦୁର୍ବଳ ବିନ୍ଦୁକୁ ସେ ଉଦ୍‌ଘାଟନ କରି ପରିବର୍ତ୍ତନ ପାଇଁ ଇଙ୍ଗିତ ଦେଇଛନ୍ତି । କାହାଣୀରେ ଅଯଥା ଘଟଣା ବିନ୍ୟାସ ବା ଚରିତ୍ର ଚିତ୍ରଣ ନାହିଁ । ପ୍ରକାଶ ଭଙ୍ଗୀରେ ଅଛି ନାଟକୀୟ ଉତ୍କଣ୍ଠା । ଭାଷାରେ ଅଛି ସାବଲୀଳତା ଓ ବାସ୍ତବଧର୍ମିତା । ତତ୍ତ୍ୱ ଓ ଉପଦେଶ ପରିବର୍ତ୍ତେ ଜୀବନର ବାସ୍ତବ ଘଟଣାର ଚିତ୍ତ-ସଂଘର୍ଷ ଗଳ୍ପଗୁଡ଼ିକରେ ପ୍ରାଧାନ୍ୟ ଲାଭ କରିଛି । କଥାବସ୍ତୁ ଭିତରେ ପାରିବାରିକ ଜୀବନର ବିଭିନ୍ନ ସମସ୍ୟା ଓ ପରିସ୍ଥିତି, ମାନବ ଚିତ୍ତବୃତ୍ତିର ବିଭିନ୍ନ ଦିଗର ବିଶ୍ଳେଷଣ ଦେଖିବାକୁ ମିଳେ ।’’ (ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ– ଡ. ବୈଷ୍ଣବ ଚରଣ ସାମଲ, ପୃ: ୪୪୧, ବୁକ୍‌ସ ଏଣ୍ଡ୍‌ ବୁକ୍‌ସ, ୧୯୯୬) ।

 

ଦିବ୍ୟସିଂହଙ୍କ ଗଳ୍ପ ସମସାମୟିକ ସାମାଜିକ ଜୀବନର ଏକ ବଳିଷ୍ଠ ଆଲେଖ୍ୟ ବୋଲି କୁହାଯାଇପାରେ ।

 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩) ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଉଚ୍ଚକୋଟୀର ସଫଳତା ପ୍ରମାଣିତ କରିଥିଲେ ମଧ୍ୟ ଗଳ୍ପ ସାହିତ୍ୟରେ ତାଙ୍କର ନୈପୁଣ୍ୟ ବେଶ୍‌ ସୁସ୍ପଷ୍ଟ । ତାଙ୍କ ଗଳ୍ପଗୁଡ଼ିକ କେତେବେଳେ ଗମ୍ଭୀର ତ କେତେବେଳେ ହାସ୍ୟରସାତ୍ମକ । ଫକୀରମୋହନ ଆଧୁନିକ ଓଡ଼ିଆ ଗଳ୍ପର ଜନକ କେବଳ ନୁହନ୍ତି ବରଂ ସେ ଥିଲେ ତତ୍କାଳୀନ ସମୟର ଲେଖକମାନଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ । ଯଶସ୍ୱୀ ସାହିତ୍ୟ ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ନିଜେ ଏହା ସ୍ୱୀକାର କରି ଲେଖିଛନ୍ତି– ‘‘ଉତ୍କଳ ସାହିତ୍ୟରେ ମୋର ‘ପ୍ରତିଶୋଧ’ ଗଳ୍ପଟି ପ୍ରକାଶିତ ହୋଇଥିଲା । ଫକୀରମୋହନ ସେଇଟିକୁ ପଢ଼ି ମୋତେ ଖୁବ୍‌ ଉତ୍ସାହିତ କରିଥିଲେ । କହିଥିଲେ– ତୁମ ଲେଖାରେ ଫୁଲଚନ୍ଦନ ପଡ଼ୁ । ବାସ୍ତବିକ୍‌ ଫକୀରମୋହନ ହିଁ ଆମର ପ୍ରଥମ ଓ ଶ୍ରେଷ୍ଠ ଗଳ୍ପ ଲେଖକ । ତାଙ୍କ ପରେ ମୁଁ ତାଙ୍କରି ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ଗଳ୍ପ ଲେଖିବାରେ ବ୍ରତୀ ହୋଇଛି । ଫକୀରମୋହନଙ୍କ ଗଳ୍ପ ‘ରେବତୀ’ ସେତେବେଳେ ପ୍ରକାଶିତ ହୋଇଥାଏ । ଦାମ୍‌ ଏକଅଣା । ତାକୁ ପଢ଼ି ମୋ ଆଖି କେତେଥର ଲୁହରେ ଭରି ଯାଇଛି । ସେଇ ଗଳ୍ପଟି ପଢ଼ି ମୁଁ ଗଳ୍ପ ଲେଖିବାକୁ ପ୍ରେରଣା ଲାଭ କରିଥିଲି ।’’ (କାନ୍ତକବି ବିଶେଷାଙ୍କ– କବି ସମ୍ବର୍ଦ୍ଧନା– ଜାନକୀବଲ୍ଲଭ ମହାନ୍ତିରୁ ଉଦ୍ଧୃତ ।) କାନ୍ତକବିଙ୍କ ରଚିତ ଗଳ୍ପ ଅନେକ । ‘ଅଧିକାର’, ‘ଧନୀ ହେବାର ସହଜ ଉପାୟ’, ‘ଇଦ୍‌ର ଚାନ୍ଦ’, ‘ନିଆଁ ହୁଳା’, ‘ପ୍ରାୟଶ୍ଚିତ୍ତ’, ‘ଦଶାର୍‌ ଫେର୍‌’, ‘ବନ୍ଧୁର ସାହାଯ୍ୟ’, ‘ଖରିଦ୍‌ଦାର’, ‘ଲାଲା’, ‘ଗ୍ରହଙ୍କ ପ୍ରତିଶୋଧ’, ‘ଶେଷରକ୍ଷା’, ‘ପରିଣାମ’, ‘ପ୍ରଜାପତିଙ୍କ ପରିହାସ’, ‘ଭଲ ଲୋକ’ ଓ ‘ବୁଢ଼ାଶଙ୍ଖାରୀ’ ଭଳି କରୁଣ ରସାତ୍ମକ ଗଳ୍ପ । ‘ବୁଢ଼ା ଶଙ୍ଖାରୀ’ ତାଙ୍କର ଜନପ୍ରିୟ ଗଳ୍ପ । ହାସ୍ୟ ଲେଖକ ଭାବରେ ଖ୍ୟାତି ଅର୍ଜନ କରିଥିବା ଲକ୍ଷ୍ମୀକାନ୍ତ ମହାପାତ୍ର ଅନେକ ହାସ୍ୟଗଳ୍ପ ଲେଖିଛନ୍ତି । ‘ଶିକାରୀ’, ‘ଉତ୍କଟ ପ୍ରେମ’, ‘ଫୂର୍ତ୍ତିବାଜ’, ‘ପ୍ଲଟ୍‌’, ‘ଆତ୍ମହତ୍ୟା’, ‘ଉଲ୍‌ଟା ବୁଝିଲେ ରାମ’, ‘କୀର୍ତ୍ତିଚନ୍ଦ୍ର’, ‘ଶୁଚିବାଇ’, ‘ଓଲ୍‌ଡ ଫୁଲ’, ‘ବଚନ ରକ୍ଷା’, ‘ଭାଗ୍ୟ ଦୋଷେ’, ‘ଭୂତ’, ‘ମିଠାକଡ଼ା’ ପ୍ରଭୃତି ହାସ୍ୟ-ବ୍ୟଙ୍ଗଧର୍ମୀ ଗଳ୍ପ ରଚନା କରି ଲକ୍ଷ୍ମୀକାନ୍ତ ତାଙ୍କ ସାରସ୍ୱତ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗକୁ ଉନ୍ମୋଚିତ କରିଛନ୍ତି । ଦୁଃଖ, ଯନ୍ତ୍ରଣା, ନୈରାଶ୍ୟରେ ଜର୍ଜରିତ କାନ୍ତକବି ଯେ ସୁନ୍ଦର ହାସ୍ୟ ଗଳ୍ପ ଲେଖି ପାରିଛନ୍ତି– ତାହା ଏହି ଗଳ୍ପଗୁଡ଼ିକ ପ୍ରମାଣ କରେ । କାନ୍ତକବିଙ୍କ ଗଳ୍ପରେ ଅଛି ସାମାଜିକ ଜୀବନର ନିତିଦିନିଆ ଘଟଣାର ଚିତ୍ର ପୁଣି ଅଛି-ବାବାଜୀ–ମାତାଜୀଙ୍କ ଅସଲ ସ୍ୱରୂପ ଉଦ୍‌ଘାଟନ । ପିତା-ପୁତ୍ରର କଥା ଦର୍ଶାଇବାକୁ ଯାଇ ‘ଶୁଚିବାଇ’ ଗଳ୍ପ ସେ ଲେଖିଥିଲାବେଳେ ‘ହେଇ ମୋ ସ୍ତ୍ରୀ’ ଗଳ୍ପଟି ତଥାକଥିତ ବିପ୍ଳବୀମାନଙ୍କର ଲୋକ ଦେଖାଣିଆ ତ୍ୟାଗ କଥାକୁ ବ୍ୟଙ୍ଗ କରାଯାଇଛି । ଡ. କୁଞ୍ଜବିହାରୀ ଦାଶ କାନ୍ତକବିଙ୍କ ଗଳ୍ପ ରଚନାର ସ୍ୱାତନ୍ତ୍ର୍ୟକୁ ଦର୍ଶାଇବାକୁ ଯାଇ କହିଛନ୍ତି– ‘‘ଲକ୍ଷ୍ମୀକାନ୍ତ ଓଡ଼ିଆ କ୍ଷୁଦ୍ରଗଳ୍ପର ଜଣେ ପ୍ରବର୍ତ୍ତକ । ତାଙ୍କ ପୂର୍ବରୁ ଫକୀରମୋହନ ଅଳ୍ପ କେତୋଟି ମାତ୍ର ଗଳ୍ପ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ କରିଥିଲେ । ସେ ଆଧୁନିକ କ୍ଷୁଦ୍ରଗଳ୍ପର ରୀତି ବା ଲକ୍ଷଣ ପ୍ରତି ସେତେ ସଚେତନ ହୋଇ ନାହାନ୍ତି । ତାଙ୍କର ଅଧିକାଂଶ କ୍ଷୁଦ୍ରଗଳ୍ପ କେବଳ ଗଳ୍ପ । ଗୋଟିଏ ମାତ୍ର ସତ୍ୟକୁ ମୁହୂର୍ତ୍ତକର ବିନ୍ଦୁ ମଧ୍ୟରେ ଆବଦ୍ଧ କରିବା ଚେଷ୍ଟା ସେଥିରେ ନାହିଁ । ମାତ୍ର ଅନୁଭୂତିର ସ୍ପର୍ଶ ସେଗୁଡ଼ିକୁ ଜୀବନ୍ତ କରିଛି ।’’ (ସାହିତ୍ୟିକ–କାନ୍ତ ସାହିତ୍ୟ ପରିଚୟ– ଡ. କୁଞ୍ଜବିହାରୀ ଦାଶ, ପୃ: ୯୫)

 

ଫକୀରମୋହନଙ୍କ ପ୍ରଭାବରେ ପ୍ରଭାବିତ ହୋଇ ଗଳ୍ପ ଲେଖି ପ୍ରତିଷ୍ଠା ଅର୍ଜନ କରିଥିବା ଲେଖକମାନଙ୍କ ମଧ୍ୟରେ ବାଙ୍କନିଧି ପଟ୍ଟନାୟକ (୧୮୮୯-୧୯୪୫) ଅନ୍ୟତମ । କୁସଂସ୍କାର ଓ ସାମାଜିକ ଦୋଷ ଦୁର୍ବଳତା ବିରୋଧରେ ବାଙ୍କନିଧି ସ୍ୱର ଉତ୍ତୋଳନ କରିବାକୁ ଯାଇ ଗଳ୍ପକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି । ତାଙ୍କ ରଚିତ ‘ପ୍ରବଞ୍ଚନା’, ‘ପୋଷ୍ୟପୁତ୍ର’, ‘ମୁକ୍ତି’, ‘ଲଛମନଜୀ’, ‘ପ୍ରତିଦାନ’, ‘ବିଡ଼ମ୍ବନା’, ‘ମାଳତୀ’, ‘ଦୀକ୍ଷାଗ୍ରହଣ’, ‘ମୋହର ଚୋରି’ ଗଳ୍ପରେ ବାଙ୍କନିଧିଙ୍କ ପ୍ରତିଭାର ସ୍ପର୍ଶ ରହିଛି । କୁସଂସ୍କାର ବିରୋଧରେ କାର୍ଯ୍ୟ କରିବାକୁ ଯାଇ ବିଚାରଶୂନ୍ୟ ହୋଇପଡ଼ିଲେ ପରିଣତି ଯେ ବିଷାଦପୂର୍ଣ୍ଣ ହୋଇ ଉଠେ, ତାହା ‘‘ପ୍ରବଞ୍ଚନା’ରେ ସେ ଦର୍ଶାଇଛନ୍ତି । ସେହିପରି ଜଣେ ଚୋରି କରେ ଅନ୍ୟ ଜଣେ ସନ୍ଦେହରେ ଅଭିଯୁକ୍ତ ହୁଏ । ସଂସାରରେ ଏମିତି ଘଟିଯାଉଥିବା ଘଟଣାର ଚାକ୍ଷୁଷ ପ୍ରମାଣ– ‘ମୋହର ଚୋରି’ ଗଳ୍ପ । ବିଷୟବସ୍ତୁରେ ବାଙ୍କନିଧି ଯେପରି ସମକାଳୀନ ସମାଜର ଚିତ୍ରକୁ ଗୁରୁତ୍ୱ ଦେଇଛନ୍ତି, ଗଳ୍ପର ଶିଳ୍ପକଳା ପ୍ରତି ମଧ୍ୟ ସେ ଦୃଷ୍ଟି ନିକ୍ଷେପ କରିଛନ୍ତି । ବାଙ୍କନିଧିଙ୍କ ଗଳ୍ପଗୁଡ଼ିକ ଯଥେଷ୍ଟ ପ୍ରଭାବ ବିସ୍ତାର କରିଥିଲା– ‘ଓଡ଼ିଆ କ୍ଷୁଦ୍ରଗଳ୍ପରେ ଆଦିପର୍ବରେ ଗତାନୁଗତିକ ଧାରାରୁ ଯେଉଁମାନେ ବ୍ୟତିକ୍ରମ, ସେମାନଙ୍କ ମଧ୍ୟରେ ବାଙ୍କନିଧି ପଟ୍ଟନାୟକ ଅନ୍ୟତମ । ତାଙ୍କ କ୍ଷୁଦ୍ରଗଳ୍ପର ବ୍ୟତିକ୍ରମ କେବଳ ବିଷୟ ବିନ୍ୟାସ ବା ଭାବ ଦୃଷ୍ଟିରୁ ନୁହେଁ, ଶୈଳୀ ଦୃଷ୍ଟିରୁ ମଧ୍ୟ । ସାମାଜିକ ଚେତନା, ବ୍ୟକ୍ତିଚିତ୍ତର ସଂଘର୍ଷ ଓ ଗଭୀର ନୈତିକତାବୋଧ ବାଙ୍କନିଧିଙ୍କ ଗଳ୍ପ ସାହିତ୍ୟର ପ୍ରାଣସ୍ପନ୍ଦନ । ମାନବିକ ସମ୍ବେଦନା ତାଙ୍କ ଗଳ୍ପ ଜଗତର ମର୍ମବାଣୀ । ତାଙ୍କ ଗଳ୍ପଗୁଡ଼ିକରେ ଫକୀରମୋହନଙ୍କ ଗଳ୍ପର ପ୍ରଭାବ ପରିଲକ୍ଷିତ । ତଥାପି ଏଇ ଆପଣାର ମୌଳିକ ପ୍ରତିଭା ବଳରେ ଗଳ୍ପଗୁଡ଼ିକ କରିଛନ୍ତି ଦୀପ୍ତିମନ୍ତ । ତାଙ୍କର ପ୍ରକାଶଭଙ୍ଗୀରେ ଅଛି ନୂତନତ୍ତ୍ୱ, ଭାଷା ପ୍ରୟୋଗରେ ଅଛି ସ୍ୱାଭାବିକତା ଓ ଜୀବନ ଜିଜ୍ଞାସାରେ ଅଛି ଗଭୀର ଅନୁଭବ । ତେଣୁ ଆଦିଯୁଗର ଗଳ୍ପକାରମାନଙ୍କ ମଧ୍ୟରେ ବାଙ୍କନିଧିଙ୍କ ସୃଷ୍ଟି ପରିମାଣାତ୍ମକ ଦୃଷ୍ଟିରୁ ସୀମିତ ହେଲେ ମଧ୍ୟ ଗୁଣାତ୍ମକ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ । (ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ– ବୈଷ୍ଣବ ଚରଣ ସାମଲ, ପୃ: ୪୫୯, ବୁକ୍‌ସ ଏଣ୍ଡ୍‌ ବୁକ୍‌ସ, ୧୯୯୦) ।

 

ଫକୀରମୋହନଙ୍କ ସମକାଳୀନ କଥାକାରମାନଙ୍କ ମଧ୍ୟରେ ଚିନ୍ତାମଣି ମହାନ୍ତି (୧୮୬୭-୧୯୪୩) ବେଶ୍‌ ଚର୍ଚ୍ଚିତ । ସେ ଏକାଧାରାରେ କବି, ଔପନ୍ୟାସିକ, ପ୍ରାବନ୍ଧିକ, କଥାକାର ଭାବରେ ସୁପରିଚିତ ଓଡ଼ିଆ ସାହିତ୍ୟରେ । କିନ୍ତୁ ଗାଳ୍ପିକ ଭାବରେ ଆମ ସାହିତ୍ୟରେ ସେ ବେଶ୍‌ ଚିହ୍ନିତ ଓ ପ୍ରତିଷ୍ଠିତ । ବିଂଶଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ତାଙ୍କ ରଚନାର ଶୁଭାରମ୍ଭ । ‘ନନ୍ଦନବନ’ ଓ ‘ପଞ୍ଚବଟୀ’ ତାଙ୍କ ଦୁଇଟି ଗଳ୍ପଗ୍ରନ୍ଥ । ‘ମାଧୁରୀ’, ‘ଧର୍ମଦଳ’, ‘ସାରିଆ’, ‘ବାଦୀ-ପାଲା’, ‘ଶୁକଶାରୀ ବିବାହ’, ‘ଭାଗ୍ୟ ବିପର୍ଯ୍ୟୟ’, ‘ଦଶହରା ଅନୁକୂଳ’, ‘କୃତଜ୍ଞତା’, ‘ବେଦୀବାହୁଡ଼ା’, ‘ଉପଯୁକ୍ତ ଶିକ୍ଷା’, ‘ଅଦ୍ଭୁତ ପରିବର୍ତ୍ତନ’, ‘ମାଷ୍ଟର ବାବୁ’, ‘ଜିଅନ୍ତା ଭୂତ’, ‘ମାଧୁରୀ’, ‘ବେହେରା ଭୂଷଣ’, ‘ପ୍ରତିଜ୍ଞା’, ‘ରସକାବ୍ୟ’ ଓ ‘ଜୟମାଲ୍ୟ’ ପ୍ରଭୃତି ଗଳ୍ପର ଲେଖକ ଭାବରେ ଚିନ୍ତାମଣି ବେଶ୍‌ ସୁପରିଚିତ । ଚିନ୍ତାମଣିଙ୍କ ଗଳ୍ପଗୁଡ଼ିକ କାହାଣୀଧର୍ମୀ । କାହାଣୀ ଭିତରେ ବର୍ଣ୍ଣନା ହେଉଛି ଚିନ୍ତାମଣିଙ୍କ ଗଳ୍ପର ବୈଶିଷ୍ଟ୍ୟ । ‘ମାଧୁରୀ’ ଚିନ୍ତାମଣିଙ୍କ ପ୍ରଥମ ଗଳ୍ପ । ବନ୍ୟା ସମସ୍ୟା ଓ ବନ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କ ସାହାଯ୍ୟକୁ ମାଧ୍ୟମ କରି ‘ମାଧୁରୀ’ ଗଳ୍ପ ରଚିତ । ଏହି ଗଳ୍ପରେ ରହିଛି ନାଟକୀୟତା । ସେବା ଓ ସଂସ୍କାରର ରହିଛି ମଧୁର ବର୍ଣ୍ଣନା । ଏପରି ଗଳ୍ପ ସେ ସମୟରେ ବୋଧହୁଏ ପ୍ରଥମ ରଚନା । ତାଙ୍କ ରଚିତ ‘ଶୁକଶାରୀ ବିବାହ’ ଓ ‘ପଣଭଙ୍ଗ’ ଗଳ୍ପରେ ରହିଛି ମନସ୍ତାତ୍ତ୍ୱିକ ଭାବ ବିଶ୍ଳେଷଣ । ଚିନ୍ତାମଣିଙ୍କ ଗଳ୍ପଗୁଡ଼ିକ ଗ୍ରାମ୍ୟଭିତ୍ତିକ । ଗ୍ରାମ୍ୟ ବା ପଲ୍ଲୀ ଜୀବନର ଚିତ୍ରରେ ସୁଶୋଭିତ ଚିନ୍ତାମଣିଙ୍କ ଗଳ୍ପଜଗତ । ଚିନ୍ତାମଣିଙ୍କ ଗଳ୍ପରେ ଅଛି ଆନ୍ତରିକତା ଓ ସାମାଜିକ ଜୀବନର ବାସ୍ତବ ଚିତ୍ର, ପ୍ରକଟନରେ ଅଛି ନିଷ୍ଠା । ଓଡ଼ିଆ ଗଳ୍ପ ସାହିତ୍ୟର ବିକାଶରେ ଚିନ୍ତାମଣିଙ୍କର ଦାନର ଐତିହାସିକ ମୂଲ୍ୟ ସ୍ୱୀକାର କରିବାକୁ ହେବ ।’’ (କବି ଶେଖର ଚିନ୍ତାମଣି– ପଠାଣି ପଟ୍ଟନାୟକ, ପୃ: ୨୯୧, ୧୯୬୪) ।

 

ଆଧୁନିକ ଯୁଗର ପ୍ରଥମ ପର୍ବରେ ନନ୍ଦକିଶୋର ବଳ (୧୮୭୫-୧୯୨୮) ଜଣେ ଯଶସ୍ୱୀ କବି ଭାବରେ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଗଳ୍ପ ରଚନାରେ ମଧ୍ୟ ସେ ଥିଲେ ସିଦ୍ଧହସ୍ତ । ତାଙ୍କ ରଚିତ ‘ଲକ୍ଷ୍ମୀ’ ଗଳ୍ପ ଏହି ସତ୍ୟର ସଙ୍କେତ । ଫକୀରମୋହନଙ୍କ ସମୟର ଆଉ ଜଣେ ଶ୍ରେଷ୍ଠ କଥାକାର ହେଉଛନ୍ତି ମୌଲବୀ ଅବଦୁଲ୍‌ ରହିମ୍‌ । ସେ ନଅଖଣ୍ଡିରୁ ଊର୍ଦ୍ଧ୍ୱ ସଫଳ ଉପନ୍ୟାସର ଲେଖକ । ଉପନ୍ୟାସ ବ୍ୟତୀତ ସେ ମଧ୍ୟ ଲେଖିଛନ୍ତି, ‘ମୋ ମାଉସୀ’ ଗଳ୍ପ । ବିଶ୍ୱରଂଜନ, ଗନ୍ଧମାର୍ଦ୍ଦନ ଭ୍ରମଣ କାହାଣୀ । ମୋ ମାଉସୀର ଗଳ୍ପଶୈଳୀ ଯେପରି ଆକର୍ଷଣୀୟ ସେପରି ଏହାର ବିଷୟବସ୍ତୁ ମଧ୍ୟ ଚମକପ୍ରଦ । ଏହି କାଳରେ ଯେଉଁ କେତେଜଣ ସ୍ରଷ୍ଟା ଗଳ୍ପ ରଚନା କରି ପାଠକୀୟ ଶ୍ରଦ୍ଧା ଲାଭ କରିଥିଲେ ସେମାନଙ୍କ ମଧ୍ୟରେ ରେବାରାୟ ଅନ୍ୟତମ । ‘ଶକୁନ୍ତଳା’, ‘ସନ୍ନ୍ୟାସୀ’ ତାଙ୍କର ସାର୍ଥକ ଗଳ୍ପ । କାମପାଳ ମିଶ୍ରଙ୍କ ‘ଅମ୍ବିକା’ ଗଳ୍ପ ଏହି କାଳରେ ପ୍ରକାଶିତ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘ମିଳନ’ ଓ ‘ଶ୍ରୀମତୀ’, ଜଳନ୍ଧର ଦେବଙ୍କର ‘ଗୋଟିଏ କଥା’, ‘ବିବାହ ଭୋଜି’, ‘ପ୍ରକୃତିର ବିରୋଧ’, ‘ମୁକ୍ତିର ଇସାରା’, ‘ଘନିଷ୍ଠତା କ୍ଷଣସ୍ଥାୟୀ’ ଓ ଗୋକୁଳଚନ୍ଦ୍ର ମିତ୍ରଙ୍କର ‘ଚିତ୍ର’ ଗଳ୍ପ ପ୍ରକାଶିତ ହୋଇ ପାଠକୀୟ ଦୃଷ୍ଟି ଆକର୍ଷଣ କରିଥିଲା । ସୁଧାକର ପଟ୍ଟନାୟକଙ୍କ ‘ପ୍ରଣୟ ସ୍ମୃତି’, ‘ଏପ୍ରିଲ ଫୁଲ୍‌’, ବସନ୍ତ କୁମାର କରଙ୍କ ‘ହୀରକ ଅଙ୍ଗୁରୀୟ’, ‘ଅନ୍ତିମ ଶଯ୍ୟା’, କୋକିଳା ଦେଈଙ୍କ ‘ବିଳାସିନୀ’, ଦୀନବନ୍ଧୁ ମହାନ୍ତିଙ୍କ ‘ତାରାମଣି’, ଦାଶରଥୀ ମହାନ୍ତିଙ୍କର ‘ପ୍ରେମିକ’, ‘ସନ୍ନ୍ୟାସିନୀ’ ଓ ଜନାର୍ଦ୍ଦନ ମହାନ୍ତିଙ୍କ ‘ବିବାହ ରହସ୍ୟ’ ଆଧୁନିକ ଓଡ଼ିଆ ଗଳ୍ପ ଜଗତର ପ୍ରଥମ ପର୍ବକୁ ସମୃଦ୍ଧ କରିଛି । ନର୍ମଦା କର ବହୁ ବିଦେଶୀ ଗଳ୍ପକୁ ଓଡ଼ିଆ ଭାଷାରେ ଅନୁବାଦ କରି ପାଠକମାନଙ୍କୁ ଭେଟି ଦେଇଥିଲେ । ତାଙ୍କ ଗଳ୍ପଗୁଡ଼ିକ ‘ପ୍ରସାଦ’ ଗଳ୍ପ ସଂକଳନରେ ସ୍ଥାନିତ । ପ୍ରତିଭା କର ମଧ୍ୟ ଏହିପରି ଅନେକ ପାଶ୍ଚାତ୍ୟ ଗଳ୍ପଗୁଡ଼ିକୁ ଓଡ଼ିଆ ଅନୁବାଦ କରି ଯାଇଛନ୍ତି ।

 

ଓଡ଼ିଆ ଆଧୁନିକ ଗଳ୍ପର ପ୍ରାରମ୍ଭିକ ପର୍ଯ୍ୟାୟ ବାସ୍ତବରେ ଥିଲା ଗୌରବପୂର୍ଣ୍ଣ । ବ୍ୟାସକବି ଫକୀରମୋହନଙ୍କ ଗଳ୍ପ ବା ଉପନ୍ୟାସରେ ସାମାଜିକ ବାସ୍ତବତାର ପ୍ରବେଶ ହୋଇଥିଲା, କିନ୍ତୁ ସାମାଜିକ ବାସ୍ତବତା ବିସ୍ତାରିତ ହୋଇଛି ଫକୀରମୋହନଙ୍କ ସୁଯୋଗ୍ୟ ଉତ୍ତରାଧିକାରୀମାନଙ୍କ ସାହିତ୍ୟରେ । ସେମାନେ ସମକାଳୀନ ସମାଜରୁ ସାଉଁଟି ଆଣିଥିବା କଥା ବା ଘଟଣାକୁ ଗଳ୍ପରେ ରୂପ ଦେଇ ଓଡ଼ିଆ ଗଳ୍ପ ସାହିତ୍ୟକୁ ଯଥେଷ୍ଟ ପାଠକୀୟ ଆଦୃତି ଆଣି ଦେଇଛନ୍ତି । ସାମାଜିକ ବାସ୍ତବତା ସଂପର୍କରେ ଆଲୋଚକ ବା ପାଠକମାନେ ସଚେତନ ହେବା ପୂର୍ବରୁ ଓଡ଼ିଆ ସାହିତ୍ୟରେ ଏହାର ପ୍ରୟୋଗ ଘଟିଥିଲା । ଏହି ସମୟର ଗଳ୍ପ ବା କଥା ସାହିତ୍ୟରେ କେବଳ ଏକ ବିଭବ ଭାବରେ ନୁହେଁ, ବରଂ ସମୟ ଓ ଇତିହାସର ବାର୍ତ୍ତାବହ ଥିଲା ।

Image

 

ଓଡ଼ିଆ କ୍ଷୁଦ୍ରଗଳ୍ପର ଉନ୍ମେଷ ପର୍ବ ଓ ଫକୀରମୋହନ

ଦେବେନ୍ଦ୍ର କୁମାର ଦାଶ

।। ଏକ ।।

 

ମୋହିନୀମୋହନ ସେନାପତିଙ୍କ ଦ୍ୱାରା ପ୍ରକାଶିତ/ ସଂପାଦିତ/ ପୁନର୍ଲିଖିତ ‘ଆତ୍ମଜୀବନଚରିତ’ରେ ଫକୀରମୋହନଙ୍କ ମୁଖରେ ତାଙ୍କ ସାହିତ୍ୟ ଚର୍ଚ୍ଚାର ବୃତ୍ତାନ୍ତ ଦେବାକୁ ଯାଇ କୁହାଯାଇଛି:

 

ବାଲେଶ୍ୱରରେ ଶିକ୍ଷକତା କାର୍ଯ୍ୟ କରୁଥିବା ସମୟରେ ମୋର କବିତା ଲେଖିବାର ପ୍ରବୃତ୍ତି ଥିଲା । ସେଠାକାର ପ୍ରେସ୍‌ରୁ ଖଣ୍ଡିଏ ମାସିକ ପତ୍ରିକା ବାହାରୁଥିଲା । ମୁଁ ସେଥିରେ ଆମୋଦଜନକ କବିତା ଲେଖୁଥିଲି । ସେହି ବୋଧଦାୟିନୀ ପତ୍ରିକାରେ ମୁଁ ଗୋଟିଏ ଗଳ୍ପ ଲେଖିଥିଲି, ତାହାର ନାମ ‘ଲଛମନିଆ’ । ବୋଧକରେଁ ଉତ୍କଳରେ ତାହାହିଁ ପ୍ରଥମ ମୁଦ୍ରିତ ଗଳ୍ପ । ଲୋକେ ତାହା ଆଗ୍ରହର ସହିତ ପଢ଼ିଥିଲେ । ମାତ୍ର ସେ କେତେ ଜଣ ? (ଫକୀରମୋହନ ଗ୍ରନ୍ଥାବଳୀ, ଦ୍ୱିତୀୟ ଭା. ୨୦୦୨, ପୃ: ୨୦୭)

 

ଏହି ଉଲ୍ଲେଖ ଭିତ୍ତିରେ ଫକୀରମୋହନ ସାହିତ୍ୟର ବିଶିଷ୍ଟ ଆଲୋଚକ, କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି, ଫକୀରମୋହନଙ୍କୁ କେବଳ ଓଡ଼ିଆ କ୍ଷୁଦ୍ରଗଳ୍ପର ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ କ୍ଷୁଦ୍ରଗଳ୍ପର ଆଦିସ୍ରଷ୍ଟା ଭାବରେ ଅଭିହିତ କରିଛନ୍ତି:

 

‘‘ଫକୀରମୋହନ ଓଡ଼ିଆ-ସାହିତ୍ୟରେ ଆଧୁନିକ କ୍ଷୁଦ୍ରଗଳ୍ପର ଆଦି ଜନ୍ମଦାତା । ୧୮୬୮ ସାଲରେ ଫକୀରମୋହନ ବାଲେଶ୍ୱରରେ ଚାକିରି କରୁଥିବା ସମୟରେ ‘ବୋଧଦାୟିନୀ’ ପତ୍ରିକାରେ ‘ଲଛମନିଆ’ ଶୀର୍ଷକ ଗୋଟିଏ କ୍ଷୁଦ୍ରଗଳ୍ପ ଲେଖିଥିଲେ । ସମଗ୍ର ଭାରତୀୟ ସାହିତ୍ୟରେ ତାହାହିଁ ହୁଏତ ସର୍ବପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ । ...ଫକୀରମୋହନଙ୍କୁ ଆଧୁନିକ ଭାରତୀୟ ସାହିତ୍ୟରେ ସର୍ବପ୍ରଥମ ଗଳ୍ପ ଲେଖକ-ମାନଙ୍କ ମଧ୍ୟରେ ଅନ୍ୟତମ ବୋଲି ଯଥାର୍ଥରେ ଅଭିବାଦନ କରାଯାଇପାରେ । ମାତ୍ର ଏହି ଗଳ୍ପଟି ତଥାପି ଦୁଷ୍ପ୍ରାପ୍ୟ ଥିବାରୁ ଏହାର ଯଥାର୍ଥ ମୂଲ୍ୟାଙ୍କନ ସମ୍ଭବ ନୁହେଁ । ଏହି କାରଣରୁ ଅନେକେ ଲଛମନିଆର ଅସ୍ତିତ୍ୱ ସଂପର୍କରେ ସନ୍ଦେହ ପୋଷଣ କରିଥା’ନ୍ତି । କିନ୍ତୁ ଦୁଷ୍ପ୍ରାପ୍ୟତା ଅସ୍ତିତ୍ୱର ଅସ୍ୱୀକୃତି ହୋଇ ନ ପାରେ ।’’ ବ୍ୟାସକବି ଫକୀରମୋହନ (୧୯୮୨, ପୃ: ୧୨୩-୧୨୪) ଐତିହାସିକ ଉପାଦାନ ଭିତ୍ତିରେ ଫକୀରମୋହନ ସାହିତ୍ୟର ମୂଲ୍ୟାୟନ କରିଥିବା ଓ ଫକୀରମୋହନଙ୍କ ରଚନାର ଆଦି ରୂପକୁ ବିଚାରକୁ ନେଇ ବୈଜ୍ଞାନିକ ଦୃଷ୍ଟିକୋଣରୁ ଫକୀରମୋହନଙ୍କ ଜୀବନ ଓ ସାହିତ୍ୟର ସମୀକ୍ଷା କରିଥିବା ଡକ୍ଟର ନଟବର ସାମନ୍ତରାୟଙ୍କୁ ‘ଲଛମନିଆ’ ଖୁବ୍‌ ଗୋଟାଏ ଉତ୍ତେଜିତ କରିନାହିଁ । ‘‘ଆତ୍ମଜୀବନଚରିତ’ର କେବଳ ଉଲ୍ଲେଖ ଭିତ୍ତିରେ ତାହାକୁ ଫକୀରମୋହନଙ୍କ ପ୍ରଥମ ଗଳ୍ପର ଗୌରବ ଦେବାକୁ ସେ ପରାଙ୍‌ମୁଖ । ଏହି ବିଷୟର ବିସ୍ତୃତ ଆଲୋଚନା କରି ୧୯୫୬ ମସିହାରେ ପ୍ରକାଶିତ ‘ଫକୀରମୋହନଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ’ ପ୍ରବନ୍ଧରେ ସେ ଲେଖିଥିଲେ:

 

‘ସେନାପତିଙ୍କ ଆତ୍ମଚରିତ’ ଫକୀରମୋହନଙ୍କ ମୃତ୍ୟୁ ପରେ ‘ଉତ୍କଳ ସାହିତ୍ୟ’ରେ କ୍ରମାନ୍ୱୟରେ ପ୍ରକାଶ ପାଇଥିଲା । ପ୍ରକାଶିତ ‘ଆତ୍ମ-ଜୀବନଚରିତ’ର ବିଂଶ ପରିଚ୍ଛେଦ (ଉପର ଉଦ୍ଧୃତାଂଶଟି ଏକବିଂଶ ପରିଚ୍ଛେଦର ଅଂଶବିଶେଷ) ଠାରୁ ଶେଷ ପର୍ଯ୍ୟନ୍ତ ‘ସାହିତ୍ୟ’ରେ ସ୍ଥାନ ପାଇନାହିଁ । ଫକୀରମୋହନଙ୍କ ମୂଳ ‘ଆତ୍ମଚରିତ’ରେ କ’ଣ ଥିଲା, ତାହା ଜାଣିବା ବର୍ତ୍ତମାନ ଅସମ୍ଭବ । ମୋହିନୀମୋହନ ସେନାପତି ଫକୀରମୋହନଙ୍କ ଲେଖାମାନଙ୍କୁ ବିଶେଷତଃ ପତ୍ରିକାରେ ପ୍ରକାଶିତ ‘ଆତ୍ମଚରିତ’କୁ ଯେପରି ବ୍ୟାପକ ଭାବେ ବିକଳାଙ୍ଗ କରିଦେଇଛନ୍ତି ସେଥିରେ ‘ଲଛମନିଆ’ ଗଳ୍ପ ସଂପର୍କୀୟ ଅଭିମତଟି କେତେ ଦୂର ସତ୍ୟ ତାହା ଘୋର ସନ୍ଦେହର ବିଷୟ । କାରଣ ‘ଉତ୍କଳ ପ୍ରେସ୍‌’ ଓ ‘ବୋଧଦାୟିନୀ’ ପତ୍ରିକା ବିଷୟ ‘ଉତ୍କଳ ସାହିତ୍ୟ’ରେ ଯେଉଁଠି ଲେଖାଯାଇଛି ସେଠି ଏ ଗଳ୍ପ ବିଷୟ କିଛି କୁହାଯାଇନାହିଁ । ମୁଦ୍ରିତ ପୁସ୍ତକର ସେଇ ଅଂଶରେ ମଧ୍ୟ ଏହାର ଉଲ୍ଲେଖ ନାହିଁ । ପୁନଶ୍ଚ ପୁସ୍ତକର ବିଂଶ ପରିଚ୍ଛେଦଠାରୁ ସେନାପତିଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଛି । କିନ୍ତୁ ଏ ପରିଚ୍ଛେଦଗୁଡ଼ିକରେ ଥିବା ତାଙ୍କ ଜୀବନୀ ଅତି ସଂକ୍ଷିପ୍ତ ଓ ଅସନ୍ତୋଷଜନକ । ପଢ଼ିଲେ ମନେହୁଏ ଏହା ଯେମିତି ମୂଳ ଲେଖାରୁ କଟାକଟି ହୋଇ ଲେଖାଯାଇଛି ।’’ ଫକୀରମୋହନ ସମୀକ୍ଷା (୧୯୭୨, ପୃ: ୧୮-୧୧୯)

 

‘ଆତ୍ମଚରିତ’ରେ ଥିବା ଅସଙ୍ଗତି ଭିତ୍ତିରେ ‘ଲଛମନିଆ’ର ଅସ୍ତିତ୍ୱକୁ ଅସ୍ୱୀକାର କଲା ପରେ ଡକ୍ଟର ସାମନ୍ତରାୟ ସେହି ରଚନା ସଂପର୍କରେ ଆଉ ଦୁଇଟି ପ୍ରଶ୍ନ ଉତ୍‌ଥାପନ କରିଛନ୍ତି: (କ) ୧୮୯୭ ମସିହା ପର୍ଯ୍ୟନ୍ତ ଫକୀରମୋହନ ଗଦ୍ୟରଚନା ଲେଖି ନ ଥିବା ପ୍ରସଙ୍ଗ, (ଖ) ‘ଲଛମନିଆ’ ଯଦି ବି ପ୍ରକାଶିତ ତେବେ ତାହାର ସମ୍ଭାବିତ ଗଳ୍ପଗୁଣର ଦୈନ୍ୟ । ‘ଲଛମନିଆ’ର ଅସ୍ତିତ୍ୱ-ହୀନତା ସଂପର୍କରେ ଡକ୍ଟର ସାମନ୍ତରାୟଙ୍କ ଏହି ଦୁଇଟି ଯୁକ୍ତି କିନ୍ତୁ ଅତ୍ୟନ୍ତ ଦୁର୍ବଳ । କିନ୍ତୁ ‘ଆତ୍ମଚରିତ’ ଯେଉଁ ପାଠଗତ ସମସ୍ୟା ସେ ଉପସ୍ଥାପନ କରିଛନ୍ତି, ତାହା ପ୍ରଣିଧାନଯୋଗ୍ୟ । କାରଣ ଫକୀରମୋହନଙ୍କ ‘ଆତ୍ମଚରିତ’ର ପାଠଗତ ସମସ୍ୟା ସହିତ ‘ଲଛମନିଆ’ ଜଡ଼ିତ । ଏହି ସମସ୍ୟାକୁ ଯଥାର୍ଥ ଭାବରେ ବୁଝି ନ ପାରିବା ଫଳରେ ଫକୀରମୋହନଙ୍କ ଜୀବନର ବହୁ ଘଟଣା ଓ କୃତିତ୍ୱ ବିବାଦୀୟ ହେଲା ଭଳି ‘ଲଛମନିଆ’ ବିବାଦୀୟ ହୋଇପଡ଼ିଛି ।

 

ଏଠାରେ ସୂଚନାଯୋଗ୍ୟ ଯେ ‘ସତ୍ୟବାଦୀ’ ଓ ‘ଉତ୍କଳ-ସାହିତ୍ୟ’ରେ ପ୍ରକାଶିତ ଫକୀରମୋହନଙ୍କ ଆତ୍ମଜୀବନୀ/ ଆତ୍ମଚରିତ ତଥା ମୋହିନୀମୋହନ ସେନାପତିଙ୍କ ଦ୍ୱାରା ପ୍ରକାଶିତ/ ସଂପାଦିତ/ ପୁନର୍ଲିଖିତ ‘ଆତ୍ମଜୀବନଚରିତ’ ପାଠ ଦୃଷ୍ଟିରୁ ଦୁଇଟି ସମାନ୍ତରାଳ ପାଠ୍ୟ (Parallel text) ‘ଆତ୍ମଜୀବନଚରିତ’ରେ ଯାହା ଲେଖା ଅଛି, ସେଥିପାଇଁ ଫକୀରମୋହନ ଦାୟୀ ନୁହନ୍ତି, ଦାୟୀ ମୋହିନୀମୋହନ । କିଛିଦିନ ତଳର ଘଟଣା ସ୍ମୃତିରୁ ଲେଖିଲାବେଳେ ସାମାନ୍ୟ ଓଲମବିଲୋମ ହେବା ସ୍ୱାଭାବିକ । ‘ସତ୍ୟବାଦୀ’ ଓ ‘ଉତ୍କଳସାହିତ୍ୟ’ରେ ପ୍ରକାଶିତ ଆତ୍ମଚରିତ/ ଆତ୍ମଜୀବନୀରେ ତାହାହିଁ ଘଟିଛି । ଏଭଳି ବିଚ୍ୟୁତି ସଂପର୍କରେ ସଚେତନ ଫକୀରମୋହନ ସେଥିପାଇଁ ସନ ତାରିଖକୁ ସଂପୂର୍ଣ୍ଣ ଭାବେ ପରିତ୍ୟାଗ କରିଛନ୍ତି । ଅପରପକ୍ଷରେ ମୋହିନୀମୋହନ ସନ ତାରିଖ ଦେଇ ‘‘ଆତ୍ମଜୀବନଚରିତ’ର ଇତିହାସ-ଚେହେରା ସ୍ପଷ୍ଟ କରିଥିଲାବେଳେ, ସେସବୁ ସନ ତାରିଖ ଯେ ପ୍ରାୟତଃ ଭୁଲ୍‌ ସେ ସଂପର୍କରେ ମୁଣ୍ଡ ମଧ୍ୟ ଖେଳାଇ ନାହାନ୍ତି । (ଏ ସଂପର୍କରେ ବିଶଦ ଆଲୋଚନା ଲାଗି ଦ୍ରଷ୍ଟବ୍ୟ: ଫକୀରମୋହନ ଗ୍ରନ୍ଥାବଳୀ, ଦ୍ୱିତୀୟ ଭାଗ: ୨୦୦୨, ପୃ: ୧୭-୫୭)

 

ମୋହିନୀମୋହନ ଲେଖିଥିବା ଅଧ୍ୟାୟଗୁଡ଼ିକରେ ଭୁଲ୍‌ ତଥ୍ୟ ପ୍ରଚୁର । ‘ଲଛମନିଆ’ ପ୍ରସଙ୍ଗ ଉଲ୍ଲେଖ ଥିବା ‘କଟକରେ ଅବସ୍ଥାନ’ ଅଧ୍ୟାୟରେ ଏହି ଲେଖକ ଜାଣିବାରେ ଚାରିଗୋଟି ତଥ୍ୟଗତ ତ୍ରୁଟି ରହିଛି । ଏଭଳି ଅତଥ୍ୟ ପରିବେଷଣର କାରଣ ହେଲା ମୋହିନୀମୋହନଙ୍କ ଦୁର୍ବଳ ସ୍ମୃତିଶକ୍ତି । ତେଣୁ ମୋହିନୀମୋହନଙ୍କ ଉଲ୍ଲେଖକୁ ଭିତ୍ତି କରି ‘ଲଛମନିଆ’ର ଅସ୍ତିତ୍ୱକୁ ସ୍ୱୀକାର କରିନେବାର ଅର୍ଥ ମିଥ୍ୟା/ ଭ୍ରାନ୍ତିପୂର୍ଣ୍ଣ ଉଲ୍ଲେଖକୁ ସତ୍ୟ ବୋଲି ଗ୍ରହଣ କରିନେବା । ତେଣୁ ଏହି ଐତିହାସିକ ଗୁରୁତ୍ୱପୂର୍ଣ୍ଣ ବିଷୟଟିକୁ ଆନୁପୂର୍ବିକ ବିଶ୍ଳେଷଣ କରିବା ଆବଶ୍ୟକ ।

 

ଫକୀରମୋହନଙ୍କ ଉଦ୍ୟମରେ ପି.ଏମ୍‌.ଏଣ୍ଡ୍‌ କୋ, ଦ୍ୱାରା ଏକ ମୁଦ୍ରଣ ଯନ୍ତ୍ର ‘ବାଲେଶ୍ୱର ଉତ୍କଳ ପ୍ରେସ୍‌’ ନାମରେ ବାଲେଶ୍ୱରରେ ୧୮୬୮ ମସିହା ଜୁଲାଇ ମାସରେ ପ୍ରତିଷ୍ଠିତ ହୋଇଥିଲା । ଏହି ପ୍ରେସ୍‌ରୁ ପର ମାସରେ ଅର୍ଥାତ୍‌ ୧୮୬୮ ମସିହା ଅଗଷ୍ଟ ମାସରେ ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା’ ନାମରେ ମାସିକ ସମ୍ବାଦ ଓ ସାହିତ୍ୟ ପତ୍ର ଫକୀରମୋହନଙ୍କ ସଂପାଦନାରେ ପ୍ରକାଶିତ ହୋଇ ୧୮୭୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଚାଲିଥିଲା । ସରକାରୀ ବିଜ୍ଞାପନ ଓ ପ୍ରୋତ୍ସାହନ ପାଇବାରୁ ଅନିୟମିତ ଭାବରେ ଚାଲିଥିବା ଏହି ସମ୍ବାଦପତ୍ର ୧୮୭୧ ଜୁଲାଇରୁ ପାକ୍ଷିକ ରୂପ ଧାରଣ କଲା । ସାହିତ୍ୟ ବିଭାଗ ପାଇଁ ବିଶେଷ ଲେଖା ନ ମିଳିବାରୁ ଓ ସରକାରୀ ବିଜ୍ଞାପନ ପାଇ ପାରିବା ପାଇଁ ୧୮୭୨ ଜୁଲାଇଠାରୁ ଏହାକୁ ଏକ ନିରୋଳା ସମ୍ବାଦପତ୍ରରେ ପରିଣତ କରାଗଲା । ୧୮୭୩ ଅକ୍‌ଟୋବର ମାସ ପର୍ଯ୍ୟନ୍ତ ଏହା ପି.ଏମ୍‌. ସେନାପତି ଏଣ୍ଡ୍‌ କୋ. ଦ୍ୱାରା ପରିଚାଳିତ ‘ବାଲେଶ୍ୱର ଉତ୍କଳ ପ୍ରେସ୍‌’ରୁ ପ୍ରକାଶିତ ହେଉଥିଲା ଓ ଏହାର ସଂପାଦକ ଥିଲେ ଫକୀରମୋହନ । ୧୮୭୨ ମସିହା ଅକ୍‌ଟୋବର/ ନଭେମ୍ବର ମାସରେ ଫକୀରମୋହନ ନୀଳଗିରିର ଦେବାନ ଭାବରେ ଯୋଗଦେଲା ପର୍ଯ୍ୟନ୍ତ ଏହାର ମୁଖ୍ୟ ଲେଖକ ଥିଲେ ଫକୀରମୋହନ ଓ ସହଯୋଗୀ ଲେଖକ ଥିଲେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ । ତେଣୁ ‘ଆତ୍ମଜୀବନଚରିତ’ରେ ଉପସ୍ଥାପିତ ‘ଲଛମନିଆ’ ପ୍ରସଙ୍ଗ ୧୮୬୮ ଅଗଷ୍ଟରୁ ୧୮୭୧ ଜୁନ୍‌ ମଧ୍ୟସ୍ଥ ସମୟ ଖଣ୍ଡର ପ୍ରସଙ୍ଗ । ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ଫକୀରମୋହନଙ୍କ ‘ଆତ୍ମଚରିତ’ରେ ଏହି ସମୟ ଖଣ୍ଡର ତଥା ‘ବୋଧଦାୟିନୀ’ର ବିବରଣୀ ଦୁଇଟି ସ୍ଥାନରେ ଦିଆଯାଇଛି । ପ୍ରଥମରେ ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା’ ପ୍ରସଙ୍ଗରେ ଫକୀରମୋହନ କହିଛନ୍ତି:

 

‘‘ଆମ୍ଭମାନଙ୍କ ପ୍ରେସ୍‌ରୁ ଖଣ୍ଡିଏ ମାସିକ ପତ୍ରିକା ବାହାର କରାଯିବା ସକାଶେ କମ୍ପାନିର କାର୍ଯ୍ୟ-ନିର୍ବାହିକା ସମିତି ପ୍ରସ୍ତାବ ଓ ସ୍ଥିର କଲେ । ତଦନୁସାରେ ‘ବୋଧଦାୟିନୀ ଏବଂ ବାଲେଶ୍ୱର ସମ୍ବାଦବାହିକା’ ନାମରେ ଖଣ୍ଡିଏ ପତ୍ରିକା ପ୍ରକାଶିତ ହେଲା । ବୋଧଦାୟିନୀ ଅଂଶ ସାହିତ୍ୟ ବିଷୟକ ଏବଂ ବାଲେଶ୍ୱର ସମ୍ବାଦବାହିକା ଅଂଶ ସମ୍ବାଦ ପ୍ରଚାର ବିଷୟକ । ପତ୍ରିକା ବାହାରିଲା ମାତ୍ର ଲେଖକର ଅଭାବ । ମୁଁ ଦିନଯାକ ସ୍କୁଲ୍‌ ଓ ପ୍ରେସ୍‌ କାର୍ଯ୍ୟ କରି ଥକିପଡ଼େ । ରାତିରେ ବିଶେଷ କିଛି କାର୍ଯ୍ୟ କରିବାକୁ ବଳ ଅଣ୍ଟେ ନାହିଁ । ସୁତରାଂ ପତ୍ରିକା ଖଣ୍ଡିକ ଅନିୟମିତ ବାହାରେ । ପ୍ରାୟ ଚାଳିଶ-ପଞ୍ଚାଶ ଜଣ ପତ୍ରିକାର ଗ୍ରାହକ ଥିଲେ । ଆଠ-ଦଶ ଜଣଙ୍କଠାରୁ ମୂଲ୍ୟ ଆଦାୟ ହେଉଥିଲା-। ଅନୁମାନ କୋଡ଼ିଏ ପଞ୍ଚିଶ ଜଣ ତାହା ପଢ଼ୁଥିଲେ କି ନାହିଁ ସନ୍ଦେହ ।’’ (ଫକୀରମୋହନ ଗ୍ରନ୍ଥାବଳୀ, ଦ୍ୱିତୀୟ ଭାଗ: ୨୦୦୨, ପୃ:୧୦୨)

 

ଅନ୍ୟ ଏକ ପ୍ରସଙ୍ଗରେ ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା’ରେ ପ୍ରକାଶିତ ନିଜର ଏକ ଲେଖା ସଂପର୍କରେ ଫକୀରମୋହନ କହିଛନ୍ତି: ‘‘ଏହି ସମୟରେ (୧୮୬୮ରୁ ୧୮୭୦ ମସିହା ମଧ୍ୟସ୍ଥ ସମୟରେ) ‘ନାରୀ ଜାତିର ପରିବର୍ତ୍ତନ’ ସମ୍ବନ୍ଧରେ ସମ୍ବାଦବାହିକାରେ ଗୋଟିଏ ଦୀର୍ଘ ପ୍ରବନ୍ଧ ଲେଖିଥିଲି । ଶୀତ ନିବାରଣ ଓ ସଂଭ୍ରମ ରକ୍ଷା ନିମନ୍ତେ ନାରୀ ଜାତିର ପରିଧେୟ ପରିବର୍ତ୍ତନ ଆବଶ୍ୟକ– ସେହି ପ୍ରବନ୍ଧର ବିଷୟ ଥିଲା । ସେଥିରେ ଲିଖିତ ଥିଲା– ଶାଢ଼ି ତଳେ ଆଉ ଗୋଟିଏ କୌଣସି ପ୍ରକାର କଟାଲୁଗା ଦେଲେ ବରଞ୍ଚ ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ହେବ ଏବଂ ସମ୍ମାନ ରକ୍ଷା ହେବ । ବର୍ତ୍ତମାନ ଶିକ୍ଷିତ ସମାଜରେ ସ୍ତ୍ରୀମାନେ ସେମିଜ୍‌ ପିନ୍ଧୁଛନ୍ତି । ଲେଖକ ସେହିପରି ପୋଷାକ ସକାଶେ ପ୍ରସ୍ତାବ କରିଥିଲା । ମାତ୍ର ସେମିଜ୍‌ ନିର୍ମାଣ କୌଶଳ କାହା ମନରେ ଉଦିତ ହୋଇ ନ ଥିଲା । ପ୍ରବନ୍ଧଟି ପଢ଼ି ସାହେବମାନେ ପ୍ରକାଶ୍ୟରେ ଲେଖକକୁ ପ୍ରଶଂସା କରିଥିଲେ । ବିଦ୍ରୂପାତ୍ମକ ଲେଖା ପଢ଼ି ଅମଲାମାନେ ଖୁବ୍‌ ହସିଲେ । ସ୍ତ୍ରୀମାନେ ଅଙ୍ଗା ପିନ୍ଧିବେ, ଏ ପ୍ରକାର ଅସଙ୍ଗତ ପ୍ରସ୍ତାବ କରିଥିବା ହେତୁ ଲେଖକକୁ କେହି ଆକ୍ରମଣ କଲେ ନାହିଁ ।’’ (ଏଜ୍ନ: ପୃ: ୮୭-୮୮)

 

ଫକୀରମୋହନ ଯଦି ସତରେ ‘ଲଛମନିଆ’ ନାମରେ ଏକ କ୍ଷୁଦ୍ରଗଳ୍ପ ଲେଖିଥିଲେ ଓ ‘ବୋଧଦାୟିନୀ’ରେ ତାହା ପ୍ରକାଶିତ ହୋଇଥିଲା, ତେବେ ସେହି ଗଳ୍ପର ଉଲ୍ଲେଖ ଉପର ଦୁଇ ଉଦ୍ଧୃତି ପ୍ରସଙ୍ଗରେ ରହିବା ସ୍ୱାଭାବିକ । ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା’ର କୌଣସି ସଂଖ୍ୟା ଏପର୍ଯ୍ୟନ୍ତ କୌଣସି ଗବେଷକଙ୍କ ଦୃଷ୍ଟିକୁ ଆସିନାହିଁ, କିନ୍ତୁ ପ୍ରଥମ ତିନି ବର୍ଷରେ ସେଥିରେ କ’ଣ ଲେଖା ପ୍ରକାଶିତ ହୋଇଥିଲା, ତାହାର ମୋଟାମୋଟି ସୂଚନା ସମକାଳୀନ ‘ଉତ୍କଳ ଦୀପିକା’ରୁ ସଂଗ୍ରହ କରାଯାଇପାରେ ଓ ସେହି ସମୟର ‘ଉତ୍କଳ ଦୀପିକା’ ପ୍ରାୟତଃ ଉପଲବ୍ଧ । ଅତି ଛୋଟ ଛୋଟ ଚୂର୍ଣ୍ଣକ ସମ୍ବାଦ ଓ ପତ୍ର– ଯାହା ‘‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା’ରେ ପ୍ରକାଶିତ ହୋଇଥିଲା– ତାହାର ସୂଚନା/ ଉଦ୍ଧୃତି ‘ଉତ୍କଳ ଦୀପିକା’ରେ ରହିଛି । ଅଥଚ ‘ଲଛମନିଆ’ ପ୍ରସଙ୍ଗ ‘ଉତ୍କଳ ଦୀପିକା’ରେ ଉପସ୍ଥାପିତ ହୋଇନାହିଁ । ତେଣୁ ‘ଲଛମନିଆ’ର ଅସ୍ତିତ୍ୱକୁ ଏଭଳି ସ୍ଥିତିରେ ସ୍ୱୀକାର କରିନେବା ଅଯୌକ୍ତିକ କେବଳ ନୁହେଁ, ବିପଜ୍ଜନକ ମଧ୍ୟ । ଦୁଃଖର କଥା, ଏଭଳି ଅସମର୍ଥିତ ବକ୍ତବ୍ୟକୁ ଆଧାର କରି ଓଡ଼ିଶାରେ ଗବେଷଣା ଚାଲେ, ସିଦ୍ଧାନ୍ତ ନିଆଯାଏ । ଯେପର୍ଯ୍ୟନ୍ତ ‘ଲଛମନିଆ’ ଆବିଷ୍କୃତ ନ ହୋଇଛି, ସେ ପର୍ଯ୍ୟନ୍ତ ଏହା ଫକୀରମୋହନଙ୍କ ପ୍ରଥମ ଗଳ୍ପ– ଏଭଳି ବକ୍ତବ୍ୟ, ସିଦ୍ଧାନ୍ତ ଓ ତଜ୍ଜନିତ ଭାବପ୍ରବଣ ଆଲୋଚନାକୁ ଉପେକ୍ଷା କରିବା ଉଚିତ ।

 

।। ଦୁଇ ।।

 

କବିମାନଙ୍କ କଳ୍ପନାରେ ଉର୍ବଶୀ ହୁଏତ କୌଣସି ଦିନ ଶିଶୁ, କାଳିକା ବା କିଶୋରୀ ନ ଥିଲା– ସେମାନଙ୍କ ଦୃଷ୍ଟିରେ ପ୍ରତିଭାତ ହୋଇଥିବା ଉର୍ବଶୀ ଥିଲା ପରିପୂର୍ଣ୍ଣ ଯୌବନା । କବିମାନେ ତେଣୁ କଳ୍ପନା କରିଛନ୍ତି ସାଗର ଗର୍ଭରୁ ଉଦ୍‌ଭୂତା ଅନନ୍ତ-ଯୌବନା ଉର୍ବଶୀଙ୍କର । ବାସ୍ତବ ଜଗତରେ କୌଣସି ଜୀବନ୍ତ ଉର୍ବଶୀ ବୟସର ସ୍ତରଗୁଡ଼ିକୁ ଅତିକ୍ରମ ନ କଲେ ପରିପୂର୍ଣ୍ଣ ଯୌବନା ହେବା ସମ୍ଭବ ନୁହେଁ । ସାହିତ୍ୟର କୌଣସି ରୂପାଙ୍ଗିକ ବା ପ୍ରରୂପ ବିଶୁଦ୍ଧ ଅନୁକରଣ/ ଅନୁବାଦ ନ ହେଲେ, କବିକଳ୍ପିତ ଉର୍ବଶୀ ଭଳି ପ୍ରାରମ୍ଭରୁ ପରିପୂର୍ଣ୍ଣ ଯୌବନା ଓ ସାଳଙ୍କୃତା ହୋଇ ଆବିର୍ଭୂତା ହୋଇପାରିବ ନାହିଁ । ସାହିତ୍ୟର ପ୍ରତ୍ୟେକ ପ୍ରରୂପ ଏକ ନିର୍ଦ୍ଦିଷ୍ଟ ରୂପ ଲାଭ କରିବା ପୂର୍ବରୁ ବିକାଶର ବିବିଧ ସ୍ତର ଦେଇ ଗତି କରିଥାଏ । ତାହା ମଧ୍ୟ ଘଟିଛି ‘‘କ୍ଷୁଦ୍ରଗଳ୍ପ’ ବା ଆଧୁନିକ ଗଳ୍ପ କ୍ଷେତ୍ରରେ । କେତେବେଳେ ଅନ୍ୟ ଗୋଟିଏ ପ୍ରରୂପ ମଧ୍ୟରେ ତାହାର ସମ୍ଭାବନା ଥିଲାବେଳେ ଅନ୍ୟ କେତେବେଳେ ନୂତନ ସାମାଜିକ ପ୍ରକ୍ରିୟା ତଥା ବଳକ୍ରିୟା ଯେଉଁ ରଚନା ପଦ୍ଧତି ସୃଷ୍ଟି କରେ, ତାହାରି ମଧ୍ୟରୁ ପ୍ରରୂପଟିର ଅଭ୍ୟାଗମ ଘଟିଥାଏ, ମାତ୍ର ଓଡ଼ିଆ ସାହିତ୍ୟର ଗବେଷକ/ ସମାଲୋଚକମାନେ କବିକଳ୍ପିତ ଉର୍ବଶୀ ଭଳି ଓଡ଼ିଆ ଗଳ୍ପରେ ଉର୍ବଶୀ ସନ୍ଧାନ କରିଛନ୍ତି ଓ ଫକୀରମୋହନଙ୍କର ‘ରେବତୀ’କୁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମର୍ଯ୍ୟାଦା ଦେଇଛନ୍ତି ।

 

‘ରେବତୀ’କୁ ଫକୀରମୋହନ ନିଜେ କେବେ ‘କ୍ଷୁଦ୍ରଗଳ୍ପ’ ବୋଲି କହି ନ ଥିଲେ । ତାଙ୍କ ଦୃଷ୍ଟିରେ ଏହା ଥିଲା ‘ଛ ମାଣ ଆଠ ଗୁଣ୍ଠ’ର ସାନ ଭଉଣୀ ଗଳ୍ପ । ପୁସ୍ତିକାକାରରେ ୧୮୯୮ରେ ପ୍ରକାଶିତ ହେଲାବେଳେ ତାହାର ପ୍ରଚ୍ଛଦରେ ଲେଖା ହୋଇଥିଲା ‘ଉପନ୍ୟାସ’ । ‘ରେବତୀ’ ରଚନା ପୂର୍ବରୁ ଓଡ଼ିଆରେ ଓ ଲୋକଗଳ୍ପର ଏକ ଦୀର୍ଘ ପରମ୍ପରା ଥିଲା; ତା’ ସହିତ କାହାଣୀ ଧର୍ମର ସମ୍ବାଦ ଚୂର୍ଣ୍ଣକ, ଆଖ୍ୟାୟିକା ଆଦି ପ୍ରକାଶ କରି ଓଡ଼ିଆ ସମ୍ବାଦପତ୍ରଗୁଡ଼ିକ ଆଧୁନିକ ଓଡ଼ିଆ ଗଳ୍ପ ବା କ୍ଷୁଦ୍ରଗଳ୍ପ ପାଇଁ ଭିତ୍ତି ପ୍ରସ୍ତୁତ କରିଥିଲା । ଓଡ଼ିଆ କ୍ଷୁଦ୍ରଗଳ୍ପର ଏଭଳି ଭିତ୍ତି-ପ୍ରସ୍ତୁତିରେ ଫକୀରମୋହନଙ୍କର ମଧ୍ୟ ଥିଲା ବିଶେଷ ଅବଦାନ । ଓଡ଼ିଆ ସାମ୍ବାଦିକତାର ଆଦିପର୍ବରେ ସେ ଗୋଟିଏ ସମ୍ବାଦପତ୍ରର ସଂପାଦକ, ପ୍ରକାଶକ ଓ ଲେଖକର ଭୂମିକା ନିର୍ବାହ କରିଥିଲେ । ତା ବାହାରେ ୧୮୭୦ ମସିହାରେ ‘ଉତ୍କଳ-ଦର୍ପଣ’ ସାହିତ୍ୟ ପତ୍ରରେ ସେ ଆରମ୍ଭ କରିଥିବା ‘ରହସ୍ୟ’ର ରଚନା ୧୮୯୭ ମସିହା ପର୍ଯ୍ୟନ୍ତ ଅବ୍ୟାହତ ରଖିଥିଲେ । ଓଡ଼ିଆ ସାହିତ୍ୟର ଐତିହାସିକ ଓ ସମୀକ୍ଷକଗଣ ଅସ୍ତିତ୍ୱହୀନ/ କଳ୍ପିତ ‘ଲଛମନିଆ’କୁ ନେଇ ଯେତେ ବ୍ୟସ୍ତତା ଦେଖାଇଛନ୍ତି, ସେଥିରୁ କାଣିଚାଏ ଏହି ସମ୍ବାଦ, ଚୂର୍ଣ୍ଣକ, ଆଖ୍ୟାୟିକା ଓ ରହସ୍ୟ ନେଇ ବ୍ୟୟ କରିଥିଲେ ଆଧୁନିକ ଓଡ଼ିଆ ଗଳ୍ପର ଉତ୍ସ-ସନ୍ଧାନରେ କିଞ୍ଚିତ୍‌ ପରିମାଣରେ କୃତକାର୍ଯ୍ୟ ହୋଇପାରିଥା’ନ୍ତେ ।

 

ଓଡ଼ିଆ ସମ୍ବାଦପତ୍ରର ଆଦିପର୍ବରେ ଯେଉଁ ସମ୍ବାଦପତ୍ର ଗଳ୍ପଧର୍ମୀ ସମ୍ବାଦ, ଚୂର୍ଣ୍ଣକ ଓ ଆଖ୍ୟାୟିକା ଆଦି ପ୍ରକାଶ କରିବାରେ ନେତୃତ୍ୱ ନେଇଥିଲା, ତାହା ଥିଲା ଫକୀରମୋହନଙ୍କ ସଂପାଦିତ ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା’ । ଏଥିରେ ପ୍ରକାଶିତ ‘ଠକ ଅବଧାନ ଚରିତ’ (୧ । ୬; ଜାନୁଆରି, ୧୮୬୯) ଶୀର୍ଷକ ଗଳ୍ପଧର୍ମୀ ସମ୍ବାଦଟି ଏହାର ଦୃଷ୍ଟାନ୍ତ । ସଂପୃକ୍ତ ସମ୍ବାଦଟି ହେଲା:

 

ବାଲେଶ୍ୱର ପଶ୍ଚିମପ୍ରାୟ ଚାରିକୋଶ ଅନ୍ତର ବିମ୍ବୁରିଆ ନାମକ ଗ୍ରାମରେ ଗୋଟିଏ ଦକ୍ଷିଣା ଅବଧାନ ପାଠ ପଢ଼ାଉଥିଲେ । ଗତ ବସନ୍ତ ପଞ୍ଚମୀର ମାଗଣ ଉପଲକ୍ଷରେ ସାତଟି ଚାଟ ଟୋକାଙ୍କୁ ଘେନି ସେରଗଡ଼ (ଗୋଟିଏ ଚାଟ ଟୋକାର ମାମୁ ଘରଠାକୁ) ଗ୍ରାମକୁ ଯାଏ, ଅବଧାନ ସେରଗଡ଼ ନ ଯାଇ ଖଣନ୍ତାପଡ଼ା ବଜାର ଆଡ଼କୁ ପିଲାମାନଙ୍କୁ ଘେନିଗଲା । ଖଣନ୍ତାପଡ଼ା ଅଳ୍ପ ଦୂର ଥାଉଁ ପ୍ରବଞ୍ଚକ (ଅବଧାନ) ପୁତ୍ରସମ ଛାତ୍ରମାନଙ୍କୁ ସାକୁଲାଇ କହିଲା, ‘‘ହେଇଟି ପିଲେ ଏଠାରେ ଡକାଇତଙ୍କର ବଡ଼ ଭୟ, ମଠିଆ (ବଳୟ) ପ୍ରଭୃତି ଅଳଙ୍କାରମାନ ମୋହ ହାତରେ ଦିଅ ।’’ ଛାତ୍ରମାନେ ପିତୃସମ ଅବଧାନଙ୍କ କଥାରେ ବିଶ୍ୱାସ କରି ଆପଣା ଆପଣା ବଳା, ନୋଳି ଓ ଝିଞ୍ଜରିମାନ ଦେହରୁ ବାହାର କରି ଅବଧାନ ମହାତ୍ମାଙ୍କ ହାତରେ ଦେଲେ । ତହୁଁ ଅବଧାନ ପିଲାମାନଙ୍କୁ ଘେନି ଖଣନ୍ତାପଡ଼ା ବଜାରରେ ପହୁଞ୍ଚି ପିଲାମାନଙ୍କୁ କହିଲେ, ‘‘ରେ ପିଲେ, ବେଳ ଉଛୁର ହେଲାଣି । ଏ ଓଳି ଏହି ବଜାରରେ ରସେଇ ଖାଇ ଆର ଓଳି ସେରଗଡ଼କୁ ଯିବୁଁ ।’’ ପିଲାମାନେ ସମ୍ମତି ହେଲାରୁଁ ଅବଧାନ ରସେଇ ସରଞ୍ଜାମ ଆଣିଦେଲେ । ପିଲାମାନେ ଗାଧୁଆପାଧୁଆ କଲେ । ତହୁଁ ଅବଧାନ ପିଲାମାନଙ୍କୁ କହିଲେ, ‘‘ହଇଟି ତୁମ୍ଭେମାନେ ରଷେଇବାସ କଲ ଆମ୍ଭେ ଏଇଛୁଣି ଆର ବଜାରରୁ ମାଛ ବାଇଙ୍ଗଣ ତୋଳି ଆସୁଁ ।’’ ଠକ ବାଇଗଣ ଆଣିବା ନିମିତ୍ତ ଯାଇ ଆଉ ଆସିଲା ନାହିଁ । ପିଲାମାନେ ଅନେକବେଳ ଯାଏ ଅପେକ୍ଷା କରି ମୋଦିମାନଙ୍କ ସାହାଯ୍ୟରେ ଘରକୁ ଆସିଲେ । ଯେଉଁମାନେ ଗଛମୂଳିଆ ମାହାନ୍ତିଠାରେ ପିଲାମାନଙ୍କୁ ଗଣନ୍ତି ସେମାନେ ସାବଧାନ ହେଉନ୍ତୁ ।

 

(ପୁନମୁଦ୍ରିତ ଉତ୍କଳ ଦୀପିକା–୪ । ୧୦; ୬.୩.୧୮୬୯)

 

ସମକାଳରେ ଘଟୁଥିବା ବିଭିନ୍ନ ଘଟଣାକୁ ଉପସ୍ଥାପନ କଲାବେଳେ ଫକୀରମୋହନ ଘଟଣାକୁ ସରସ ଓ ନାଟକୀୟ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି, ଫଳରେ ସେହି ସମସ୍ତ ହୋଇଉଠିଛି ଗଳ୍ପଧର୍ମୀ । ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା’ । ‘ବାଲେଶ୍ୱର ସମ୍ବାଦବାହିକା’ରେ ରୂପାନ୍ତରିତ ହେଲା ପରେ ସେଥିରେ ମଧ୍ୟ ଅନେକ ଏଭଳି ଚକ୍ଷୁଧର୍ମୀ ସମ୍ବାଦ ପରିବେଶିତ ହୋଇଛି । ‘ବ୍ରାହ୍ମଣର ସ୍ତ୍ରୀ ବିକ୍ରୟ’ (ବା.ସ.ବା ୨୨; ୧.୬.୧୮୭୩) ‘ପୁଲିସ୍‌ମାନଙ୍କୁ ମିଆଦ’ ସମ୍ବାଦ ଦୁଇଟିକୁ ଏ ପ୍ରସଙ୍ଗରେ ସ୍ମରଣ କରାଯାଇପାରେ । ‘ପୁଲିସ୍‌ମାନଙ୍କୁ ମିଆଦ’ ସମ୍ବାଦଟି ହେଲା:

 

...ହାବଡ଼ା ନିକଟରେ ଈଶ୍ୱର ବାରିକ ନାମେ ଜଣେ ଭଣ୍ଡାରି ଅଛି । ମୋହିନୀ ନାମକ ତାହା ଝିଅ ସାଙ୍ଗରେ ଉକ୍ତ କୈଳାସର (ହେଡ୍‌ କନ୍‌ଷ୍ଟେବଳର) ଭାବ ଥିଲା; ଏଣୁ ମୋହିନୀ ପିତୃଗୃହ ତ୍ୟାଗ କରି କୈଳାସର ସଙ୍କେତ ସ୍ଥାନରେ ଯାଇ ରହିଲା । ଏହି ଅବସରରେ କୈଳାସ, ରାଜଦାଣ୍ଡରେ ଈଶ୍ୱର ବାରିକର ପ୍ରାଣ ନାଶ କରିବା ସ୍ଥିର କରି ଉକ୍ତ ତାରାଚାନ୍ଦ ଦ୍ୱାରା (ଆଉ ଜଣେ ହେଡ୍‌ କନେଷ୍ଟବଳ ଦ୍ୱାରା) ଏହି ମିଥ୍ୟା ଇଜାହାର ଦିଆଇଲା ଯେ, ଈଶ୍ୱର ବାରିକ ଆପଣଙ୍କ ଝିଅ ମୋହିନୀକୁ ମାରି ପକାଇ ଅଛି । ତହୁଁ ଉପରୋକ୍ତ ତ୍ରିଦେବ (ଦୁଇ ହେଡ୍‌ କନ୍‌ଷ୍ଟେବଳ ଓ ଇନ୍‌ସପେକ୍ଟର ତାରାଚାନ୍ଦ) ଜଣେ ଗୋରା ଇନ୍‌ସପେକ୍ଟରଙ୍କୁ ସଙ୍ଗେ ଘେନି ଈଶ୍ୱର ବାରିକ ଘରଠାରେ ବିଜେ କଲେ । ଈଶ୍ୱର ବାରିକର ଗୋଟିଏ ବୋହୂ ଓ ଗୋଟିଏ ସାନ ପୁଅ ଥିଲେ । ଉକ୍ତ ତିନି ଜଣ ଏ ଦୁହିଁଙ୍କୁ ଈଶ୍ୱର ବାରିକ ମୋହିନୀକୁ ମାରି ପକାଇଥିବା କଥା କହିବା ନିମନ୍ତେ ଶିଖାଇଥିଲେ । ଯହୁଁ ସେମାନେ ମିଥ୍ୟା କହିବାକୁ ଅସମ୍ମତ ହେଲେ ତହୁଁ ଉକ୍ତ ରାକ୍ଷସତ୍ରୟ ସେ ଦୁହିଁଙ୍କୁ ମର୍ମାନ୍ତିକ ଅସହ୍ୟ ଯନ୍ତ୍ରଣା ଦେଲେ । କ’ଣ କରିବେ, ପ୍ରାଣ ଭୟରେ ସେ ଦୁହେଁ ପୋଲିସ୍‌ କର୍ମଚାରୀଙ୍କ ଶିଖାଇବା ଅନୁଯାୟୀ ଆପଣା ପିତା ଓ ଆପଣା ଶ୍ୱଶୁରର ବିରୋଧରେ ସାକ୍ଷ ଦେଲେ-। ପୋଲିସ କର୍ମଚାରୀମାନେ ଗୋଟିଏ ମଲାମୁଣ୍ଡ କାହୁଁ ଆଣି ସେହି ମଲାମୁଣ୍ଡ ଓ ଜବାନବନ୍ଦର କାଗଜମାନ ଫୌଜଦାରିକୁ ପ୍ରେରଣ କଲେ । ମାଜିଷ୍ଟ୍ରେଟ୍‌ ସାହେବ ଆସାମୀକୁ ଦଉରାସୁପର୍ଦ୍ଦ କରିବାର ଉଦ୍‌ଯୋଗ କରୁଅଛନ୍ତି, ଏହି ସମୟରେ ପ୍ରକୃତ ମୋହିନୀ କୈଳାସକୁ ଯଥା ସମୟରେ ସଙ୍କେତ ସ୍ଥାନରେ ପାଇବାରେ ବଞ୍ଚିତ ହୋଇ ଓ ଆପଣା ପିତାର ମହତ୍‌ ବିପଦର ବାର୍ତ୍ତା ପାଇ ମାଜିଷ୍ଟ୍ରେଟ୍‌ଙ୍କ ସାକ୍ଷାତରେ ଉପସ୍ଥିତ ହେଲା; ଏଣୁ ମାଜିଷ୍ଟ୍ରେଟ୍‌ ସାହେବ ମୋକଦ୍ଦମା ଡିସ୍‌ମିସ୍‌ କଲେ ଓ ଈଶ୍ୱର ବାରିକ ନାଁରେ ସତେ ସାହେବ ଉପରୋକ୍ତ ପୋଲିସ୍‌ କର୍ମଚାରୀଙ୍କୁ ଦଉରାସୁପର୍ଦ୍ଦ କଲେ-। ୭୭ ସାହେବଙ୍କ ବିଚାରରେ ଉକ୍ତ ତ୍ରିଦେବ ଶ୍ରୀମନ୍ଦିରରେ ପୂଜା ପାଉ ଅଛନ୍ତି-

 

(ବାଲେଶ୍ୱର ସମ୍ବାଦବାହିକା–୪ । ୨୨; ୧.୬.୧୮୭୩, ପୃ: ୧୭୪-୧୭୫)

 

ଫକୀରମୋହନଙ୍କ ଦ୍ୱାରା ଲିଖିତ ଏହି କ୍ଷୁଦ୍ର ଆଖ୍ୟାନରେ ଖାଲି ଘଟଣା ବିବୃତ ହୋଇନାହିଁ, ଲେଖକ ସଂକ୍ଷିପ୍ତ ଭାବରେ ହେଲେ ମଧ୍ୟ ଘଟଣାଟିକୁ କାହାଣୀରେ ରୂପାନ୍ତରିତ କରିବାକୁ ଚେଷ୍ଟା କରିଛନ୍ତି ଓ ଆପଣାର ମତାମତ ଦେବାକୁ ଛାଡ଼ି ନାହାନ୍ତି । ୧୮୯୭-୯୮ ପରେ ଫକୀରମୋହନ ଯେତେବେଳେ ଚାକିରି ଜୀବନରୁ ଅବସର ପାଇଛନ୍ତି, ଏଭଳି ଘଟଣା ସବୁକୁ ଆଧାର କରି ‘ଗଳ୍ପର ପଞ୍ଜର’ ସ୍ଥିର କରିଛନ୍ତି ଓ ସେସବୁକୁ ଗଳ୍ପରେ ରୂପାନ୍ତରିତ କରିଛନ୍ତି ।

Image

 

ଓଡ଼ିଆ ଗଳ୍ପର ପ୍ରମୁଖଧାରା

(୧୯୨୮-୧୯୪୮)

ପ୍ରକାଶ କୁମାର ପରିଡ଼ା

 

ଆଲୋଚନାର ପରିସରକୁ ୧୯୩୦-୧୯୪୭ ଏପରି ୧୭ ବର୍ଷ କାଳରେ ସୀମିତ ନ ରଖି ମୁଁ ଅଳ୍ପ ଟିକିଏ ସ୍ୱାଧୀନତା ନେଉଛି ୧୯୨୮-୧୯୪୮ ଅର୍ଥାତ୍‌ ଗୋଦାବରୀଶ ମିଶ୍ରଙ୍କ ‘ଦମ୍ଭିଲା ବନ୍ଧୁ’ଠାରୁ ସୁରେନ୍ଦ୍ର ମହାନ୍ତିଙ୍କ ‘ପତାକା ଉତ୍ତୋଳନ’ ଯାଏ କୋଡ଼ିଏ ବର୍ଷର କାଳଖଣ୍ଡକୁ ଅନ୍ତର୍ଗତ କରିବାକୁ ।

 

ଏହି ୨୦ ବର୍ଷ ସମୟକାଳରେ ଓଡ଼ିଆ ଗଳ୍ପ ସାହିତ୍ୟରେ ଯେଉଁ ଧାରାଗୁଡ଼ିକ ଦୃଶ୍ୟମାନ ଥିଲା ଓ ଯେଉଁଗୁଡ଼ିକ ବଳବତ୍ତର ଥିଲା ତାହା ଦର୍ଶାଇବା ଆଲୋଚନାଟିର ଉଦ୍ଦେଶ୍ୟ ।

 

ସାହିତ୍ୟରେ ନିର୍ଦ୍ଦିଷ୍ଟ ଧାରା ନ ଥାଏ । ସାହିତ୍ୟିକର ଧାରା ଓ ଧରଣ ଥାଏ । ଏକ ନିର୍ଦ୍ଦିଷ୍ଟ ସମୟରେ ସାହିତ୍ୟିକମାନେ ଏକା ଚେତନାର/ ଏକା ଧରଣର ସାହିତ୍ୟ ଲେଖିଲେ/ ଲେଖିଥିଲେ ଆମେ ତାହାକୁ ସେହି ସମୟର ସାହିତ୍ୟଧାରା କହୁ । ସମାନ ଚେତନାର ସାହିତ୍ୟ ବିକ୍ଷିପ୍ତ ଭାବେ ସେହି ସମୟର ପୂର୍ବେ ଓ ପରେ ଥାଇପାରେ ଅବା ଦେଖାଯାଇପାରେ ମାତ୍ର ଆମେ ତାହାକୁ ସେତେବେଳର ଧାରାଠାରୁ ବ୍ୟତିକ୍ରମ କହି ଏଡ଼େଇଯାଉ କିମ୍ବା କହୁ ଆଦ୍ୟାଭାସ ଅବା ପୁନରାନୁବର୍ତ୍ତନ ।

 

ଏହା ସତ୍ୟ ଯେ ସାହିତ୍ୟିକ ନିଜ ଚେତନା, ଦୃଷ୍ଟିଭଙ୍ଗୀ ଓ ଆଦର୍ଶରେ ହିଁ ଲେଖେ । ତଥାପି ତା’ ଉପରେ ସମୟର ପ୍ରାଣସ୍ପନ୍ଦନ, ଜାତୀୟ-ଅନ୍ତର୍ଜାତୀୟ ଚେତନାର ପ୍ରତିଫଳନ, ସାମାଜିକ-ସାଂସ୍କୃତିକ ଅବସ୍ଥାର ଜାଗରଣ ଅବା ବିଲକ୍ଷଣ, ପ୍ରମୁଖ ଓ ପୂର୍ବସୁରୀ ଲେଖକଙ୍କ ପ୍ରଭାବ ମଧ୍ୟ ପଡ଼ିଥାଏ । ଏହି ସାଧାରଣ ଲକ୍ଷଣର ପ୍ରଭାବରେ ଏକ ନିର୍ଦ୍ଦିଷ୍ଟ ସମୟଖଣ୍ଡର ସାହିତ୍ୟିକ ଏକା ଧରଣର ଅବା ପାଖାପାଖି ଏକା ଚେତନାର ଲେଖା ଲେଖିବାକୁ ପ୍ରରୋଚିତ ହୋଇପାରିଥାନ୍ତି । ଯେଉଁ ସମୟଖଣ୍ଡରେ କୌଣସି ଧରଣର ସାହିତ୍ୟ ଅଧିକରୁ ଅଧିକ ଲେଖକ କିମ୍ବା ପ୍ରମୁଖ କତିପୟଙ୍କ ଦ୍ୱାରା ପୁନଃପୁନଃ ଲିଖିତ ହୋଇଥାଏ ଆମେ ତାହାକୁ ସେହି ସମୟର ସାହିତ୍ୟଧାରା ଭାବେ ଚିହ୍ନିତ କରିଥାଉ । ସେହିପରି ଗଳ୍ପ ସାହିତ୍ୟ ।

 

ଅନ୍ୟପକ୍ଷରେ ଏକ ନିର୍ଦ୍ଦିଷ୍ଟ ସମୟଖଣ୍ଡରେ ସେପରି ରାଜନୈତିକ-ସାମାଜିକ-ସାଂସ୍କୃତିକ ପରିସ୍ଥିତିର ଘନୀଭୂତ ପ୍ରଭାବ ସୃଷ୍ଟି ହୋଇ ନ ଥିଲେ ଧରଣ ଦୃଷ୍ଟିରୁ ଯେତେ ପ୍ରକାର ଗଳ୍ପ ଚକ୍ଷୁରୋଚକ ପରିମାଣରେ ଦୃଶ୍ୟ ହୁଏ ଆମେ ସେଗୁଡ଼ିକୁ ମଧ୍ୟ ସେହି ସମୟର ପ୍ରମୁଖ ଧାରା ଭାବରେ ଗ୍ରହଣ କରିଥାଉ ।

 

୧୯୩୦-୪୮ ସମୟଖଣ୍ଡ ସର୍ବଭାରତୀୟ ରାଜନୀତି ଦୃଷ୍ଟିରୁ କ୍ରାନ୍ତି ଓ ଜନସଚେତନତା ତଥା ଜାଗରଣର ଯୁଗ ଥିଲା । ରାଜନୈତିକ ସ୍ୱାଧୀନତା ଥିଲା ଲକ୍ଷ୍ୟ । ସେହି ଲକ୍ଷ୍ୟ ପୂରଣ ପାଇଁ ଦେଶବ୍ୟାପୀ ହିଂସାଯୁକ୍ତ ଓ ଅହିଂସ ଆନ୍ଦୋଳନ ଥିଲା । ସଂଗଠନ, ସମ୍ମେଳନ, ସଚେତନତା ସୃଷ୍ଟି ପାଇଁ ପ୍ରଚାର-ପ୍ରସାର-ପଦଯାତ୍ରା ମଧ୍ୟ ଥିଲା । ସାମାଜିକ କ୍ଷେତ୍ରରେ ସବର୍ଣ୍ଣ-ଅସବର୍ଣ୍ଣ ପାର୍ଥକ୍ୟ ସଙ୍କୁଚିତ କରିବାର ଉଦ୍ୟମ ଥିଲା । ସଂପ୍ରଦାୟ ଭେଦ ଥିଲା ବୈରତା ନ ଥିଲା । ଏଣୁ ଆଶା କରାଯିବା କଥା ଯେ, ଓଡ଼ିଆ ଗଳ୍ପ ସାହିତ୍ୟରେ ସ୍ୱାଧୀନତା ଆନ୍ଦୋଳନ, ସାମାଜିକ ସମାନତା, ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ଜାତୀୟଚେତନା, ସଂଗ୍ରାମୀ ମନୋଭାବ, ତ୍ୟାଗ ଓ ବଳିଦାନ ଏବଂ ଆତ୍ମସ୍ୱାର୍ଥରୁ ଉଠି ସମୂହ କଲ୍ୟାଣ ବ୍ରତୀ ଚରିତ୍ର ସୃଷ୍ଟି ଇତ୍ୟାଦି ଏହି ସମୟରେ ଅବଶ୍ୟ ପ୍ରମୁଖ ଗଳ୍ପଧାରା ହୋଇଥିବେ ।

 

ଓଡ଼ିଶା ପ୍ରଦେଶ ଭିତ୍ତିରେ ଦେଖିଲେ ଏହି ସମୟଖଣ୍ଡରେ ଓଡ଼ିଶା ନିର୍ମାଣ ଥିଲା ରାଜନୈତିକ ଲକ୍ଷ୍ୟ । ୧୯୩୬ରେ ଓଡ଼ିଶା ଯାହା ବଙ୍ଗ-ବିହାର-ମଧ୍ୟପ୍ରଦେଶ-ଆନ୍ଧ୍ର ଭିତରକୁ ମୋଗଲ-ମରହଟ୍ଟା-ଇଂରେଜୀମାନଙ୍କ ଦ୍ୱାରା ଠେଲି ଦିଆଯାଇଥିଲା ତାହା ସାଉଁଟା ହେଇ ଯେତିକି ସମ୍ଭବ ଏକ ଆକାରରେ ମିଳିଗଲା । ଏହା ଦେଲେ ଇଂରେଜୀ ଶାସକ । ଉତ୍କଳ ସମ୍ମିଳନୀ, ଜାଗୃତି ଓ ପ୍ରାପ୍ତିର ପ୍ରତିକ୍ରିୟାରେ ଓଡ଼ିଶାରେ ଉଗ୍ର ଇଂରେଜ ବିରୋଧୀ ସ୍ୱାଧୀନତା ଆନ୍ଦୋଳନ ସୃଷ୍ଟି ହେଲାନାହିଁ । ଗାନ୍ଧୀ ଅନୁଗାମୀ ଗୋପବନ୍ଧୁ ଦରିଦ୍ର-ପୀଡ଼ିତ ମଣିଷ ସହିତ ଜାତୀୟ ସ୍ୱାଧୀନତା ପାଇଁ ଅସହଯୋଗ-ଅଶସ୍ତ୍ର-ଅହିଂସ ଆନ୍ଦୋଳନରେ ଥିଲେ । ଏହା ପୂର୍ବରୁ ଓ ସହିତ ସେ ଓଡ଼ିଶା ନିର୍ମାଣ ବ୍ରତୀ ସତ୍ୟବାଦୀ ଭାବଧାରାରେ ଥିଲେ । ଓଡ଼ିଶା ଯେତେବେଳେ ସରକାରୀ ସୂତ୍ରରେ ପ୍ରଦେଶଟିଏ ପାଲଟିଲା ସେତିକିବେଳେ ଓଡ଼ିଶାପ୍ରାଣ-ପଲ୍ଲୀପ୍ରାଣ ନେତୃବୃନ୍ଦ ଓ କବି ଲେଖକଙ୍କୁ ହଠାତ୍‌ ମାର୍କ୍ସବାଦ ଆଚ୍ଛନ୍ନ କଲା । ଏ ବାଦ୍‌ କହିଲା ଗରିବ ଏକାଠି ହୁଅ ଧନୀ ଓ ଅତ୍ୟାଚାରୀକୁ ମାରି ଆପଣାର ଅଧିକାର ସାବ୍ୟସ୍ତ କର । ବସ୍ତୁ-ବିତ୍ତ ଅଳ୍ପ ଲୋକଙ୍କ ପାଖରେ ଠୁଳ ହୋଇଛି ତାକୁ ଛଡ଼େଇ ଆଣ । ବିତ୍ତ ଓ ପ୍ରଭୂତ୍ୱ ତାଙ୍କ ଗଉଁ ବଢ଼େଇ ଦେଇଛି, ତାହା ଧୂଳିସାତ କର । ଏମାନେ କାହିଁକି କେଜାଣି ଇଂରେଜୀ ଅଧିକାରୀ, ତାଙ୍କ ସେବାକାରୀ କର୍ମଚାରୀଙ୍କୁ ବୁର୍ଜୁୟା ଭାବିପାରିଲେ ନାହିଁ । ଏପରିକି ପରାଧୀନ ରଖିଥିବା ଶତ୍ରୁ ମଧ୍ୟ ଭାବିପାରିଲେ ନାହିଁ । ଫଳରେ ମାକ୍ସଙ୍କ ଆଦର୍ଶରେ ଯେଉଁ ଜାଗୃତି ଓ ସଂଗଠନ ଗଢ଼ିହେଲା ତାହା ସ୍ୱାଧୀନତାର ମୁକ୍ତିସଂଗ୍ରାମୀ ଗଢ଼ିପାରିଲା ନାହିଁ, ବୁର୍ଜୁୟା ବିରୋଧୀ ବିପ୍ଳବୀ ମଧ୍ୟ ସୃଷ୍ଟି କରିପାରିଲା ନାହିଁ ।

 

ସମୟଖଣ୍ଡ ୧୯୨୮-୪୮ କେଉଁ ପ୍ରମୁଖ ଧାରା ଓଡ଼ିଆ ଗଳ୍ପକୁ ଦେଲା ଅବା ଏହି ସମୟର ଗଳ୍ପରେ କେଉଁ ପ୍ରମୁଖ ଧାରା ସୃଷ୍ଟି ହେଲା ? ଆସନ୍ତୁ ଦେଖିବା ।

 

ସୂଚିତ କାଳରେ ପ୍ରାରମ୍ଭ ପର୍ବ ପୂର୍ବକାଳଖଣ୍ଡ (୧୮୯୮-୧୯୨୮)ର ବିଦଗ୍ଧ ଅନୁସାରୀ ଥିଲା । ପୂର୍ବକାଳଖଣ୍ଡଟିରେ ଯେଉଁ ପରିବାରକୈନ୍ଦ୍ରିକ-ପଲ୍ଲୀପରିସରସ୍ଥ–ଗ୍ରାମୀଣ ସାମାଜିକ ସମସ୍ୟା ଓ ତା’ର ସମାଧାନ ସୂତ୍ର କିମ୍ବା ଅସମାହିତ ବ୍ୟଥା ଗଳ୍ପଲେଖାର ଧାରା ଥିଲା ତାହା ଏହି କାଳଖଣ୍ଡର ପ୍ରାଥମିକ ସ୍ତରରେ ମଧ୍ୟ ଦେଖିହୁଏ । ଏହାକୁ ସାମାଜିକ ଗଳ୍ପଧାରା ବୁଝିଗଲେ ସୂଚିତ କାଳରେ ଏହା ଏକ ପ୍ରମୁଖ ଧାରା ହୋଇପାରେ ।

 

ସାମାଜିକ ଗଳ୍ପଧାରାରେ ଗୋଦାବରୀଶ ମିଶ୍ରଙ୍କ ଏହି ସମୟସୀମାର ଗଳ୍ପ ମାତ୍ର ୧୦ରୁ ୧୨ ପର୍ଯ୍ୟନ୍ତ । ଯେଉଁଠି ଦମ୍ଭିଲା ବନ୍ଧୁ, ସାବତ ପୁଅ, ବଡ଼ପୁଅ, ଭାଇଭାଗ, ବରଯାତ୍ରୀ ସହିତ ନାରୀର ଗତି ଆଦି ଗଳ୍ପର ବିଷୟ ହୋଇଥାଏ ଓ ଗଳ୍ପ ଶିରୋନାମ ମଧ୍ୟ ହୋଇଥାଏ । ଏଗୁଡ଼ିକ ପୁରୁଣା ସମାଜ ଭୂମିରେ ଲେଖକ ଏବଂ ମାନବିକ ଆଦର୍ଶ ଯୋଡ଼ା ହେଇଥିବା ନୂଆ ଧରଣର ଗଳ୍ପ-

 

ଅନନ୍ତପ୍ରସାଦ ପଣ୍ଡାଙ୍କ ଛତ୍ରଖାଇ, କମଳୀର ବୁଦ୍ଧି, ବସି ଖାଇଲେ ନଈବାଲି ସରେ, ହିଡ଼ ଉପରେ ମାଟି ଦେଇଥିଲେ ବସି ଖାଉଥିବୁ ବରଷେ, ଗାଉଁଲି ପ୍ରଭୃତି ଗଳ୍ପ ନାମରୁ ଏହାର ପ୍ରସଙ୍ଗ ଓ ପରିସର ଜଣାପଡ଼େ । ଜଣାପଡ଼େ ଏହି ସମୟର କୁଟୀରଶିଳ୍ପ, ହାତଧନ୍ଦା ବେଉସା ଉପରେ କଳଧନ୍ଦା ପ୍ରଭାବ ପକାଇଛି । କଳ ତିଆରି ଜିନିଷ ସହିତ କଳଗାଡ଼ି ମଣିଷ ଜୀବନର ପେଟପାଟଣା ଧନ୍ଦା-ବେଉସା ଉପରେ ଆଖିଦୃଶିଆ ଚଢ଼ଉ କରିଛି । ‘ରଙ୍କୁଣୀର ସଂସାର’, ‘ଧାନକୁଟୁଣା’, ‘ଗୋପୀସାହୁର ଦୋକାନ’, ‘ଶଗଡ଼’ ଶିରୋନାମର ଗଳ୍ପରେ ତାହା ସିଧାସଳଖ ସୂଚିତ । ବିକଟ ଦିଶିଛି ମାଗୁଣିର ଶଗଡ଼ରେ ।

 

ଗୋଦାବରୀଶ ମହାପାତ୍ରଙ୍କ ଏହି ସମୟର ଗଳ୍ପ ଯାହା ‘ପଲ୍ଲୀଛାୟା’ ନାମରେ ସଂକଳିତ, ଗ୍ରନ୍ଥ ନାମରୁ ତାହା ପଲ୍ଲୀ ଜୀବନର ରୂପଚିତ୍ର ବୋଲି ବୁଝାପଡ଼ୁଛି । ଯୋଉଠି ପଲ୍ଲୀ ଜୀବନର ଅଭାବ-ଅଭିଯୋଗ ନିୟତି ପାଖରେ ହାତଯୋଡ଼ି ଦେଇଛି । ତାଙ୍କର ‘ଏବେ ମଧ୍ୟ ବଞ୍ଚିଛି’ ଗଳ୍ପ ସେହି ସମାଜର ତତ୍‌କାଳ ଚେହେରାଟିରେ ଆଦର୍ଶ, ନୈତିକତା ଏବଂ ଓଡ଼ିଆ ଅସ୍ମିତାର ଆଭୂଷଣ ପିନ୍ଧେଇ ଦେଇଛି । ମାଗୁଣିର ଶଗଡ଼ର କାଳିଆ କସରା ସିଂହଘର କଳଗାଡ଼ି ସହିତ ତାଳ ଦେଇପାରିନାହିଁ ।

 

କାଳିନ୍ଦୀଚରଣ ପାଣିଗ୍ରାହୀ ସେହି ବିଧବା-ଅଛୁଆଁ-ଯୌତୁକ-ବୁଢ଼ାବର ଘେର ଭିତରୁ ବାହାର କରି ତଥାପି ଦୁର୍ଭିକ୍ଷ-ଅଭାବ-ଭୋକର ଗାଁ ଚିତ୍ରରେ ସୁଦ୍ଧା ଆବେଦନ ଦୃଷ୍ଟିରୁ ନ ହେଲା ନାହିଁ ଶିରୋନାମରେ ସମକାଳର ଜାତୀୟ ଚିତ୍ର ଆଣି ଦେଇଛନ୍ତି । ବିଶ୍ୱଯୁଦ୍ଧ ୧ମ, ୨ୟ ସୀମାରେ ଇଂରେଜ ଓ ଭାରତର ରାଷ୍ଟ୍ରଶକ୍ତି ଓ ମନୋବୃତ୍ତି ଓଡ଼ିଆ ଗଳ୍ପରେ ଦୁର୍ଲକ୍ଷ କରିବା ଠିକ୍‌ ହେବ । ସେହି ଅପବାଦରୁ କାଳିନ୍ଦୀଚରଣ ଆମକୁ ଉଦ୍ଧାର କରିଛନ୍ତି ତିନିଟି ଗଳ୍ପ ‘ବିଜୟ ଉତ୍ସବ’, ‘ଓଡ଼ିଶାରେ ଯୁଦ୍ଧ’ ଓ ‘ଜୟହିନ୍ଦ୍‌’ରେ । ତାଙ୍କର ବିଖ୍ୟାତ ଗଳ୍ପ ‘ମାଂସର ବିଳାପ’ର ଘଟଣାସ୍ଥଳ ଅଭିଜାତ ଜମିଦାର ଉଆସରେ ।

 

ଅତଏବ ପ୍ରମୁଖ ଗଳ୍ପକାରଙ୍କ ସୃଷ୍ଟିର ବିଚାରରେ ଦେଖିଲେ ଏ ସମୟର ସାମାଜିକ ଗଳ୍ପ ଗ୍ରାମୀଣ ମଣିଷର ଅର୍ଥନୀତିକ-ସ୍ୱାସ୍ଥ୍ୟ-ଶିକ୍ଷା-ଅନଗ୍ରସରତା ଓ ପ୍ରାକୃତିକ ବିପର୍ଯ୍ୟୟର ପାରିବାରିକ-ଦାମ୍ପତ୍ୟ ସମସ୍ୟା ଉପରେ ଗୋଦାବରୀଶ ମହାପାତ୍ର ଓ କାଳିନ୍ଦୀଚରଣ ପାଣିଗ୍ରାହୀ ଆଦର୍ଶ ଓଡ଼ିଶା ଓ ବିଞ୍ଚିତ ସହରୀ ଓଡ଼ିଶା ଆଡ଼କୁ ତାହାର ସୀମା ଟାଣିଆଣିଛନ୍ତି । ଅନନ୍ତପ୍ରସାଦ ପଣ୍ଡା ସମବାୟ ଆନ୍ଦୋଳନର ସୁଖ ସ୍ୱପ୍ନ ଓ ସବୁଜ ପ୍ରତିଶ୍ରୁତି ବଢ଼ାଇ ଦେଇଛନ୍ତି । ଯାହାର ଆଉ ଟିକିଏ ପ୍ରବାସ ଗତି ପୁନଶ୍ଚ-ମାଟିଆବୁରୁଜ-ରେଙ୍ଗୁନଯାତ୍ରୀ ଆଦିରେ ଆମେ ଦେଖିବା ମାତ୍ର ମୁଖ୍ୟଧାରାଟି ସେହି ଦୁଃଖିନୀ ଓଡ଼ିଶା ଓ ଓଡ଼ିଆଣୀର ଲୁହରେ ହିଁ ଥିଲା ।

 

ସାମାଜିକ ଗଳ୍ପଧାରାରେ ରହିବ ମାତ୍ର ରାଜନୈତିକ ତଥା ସାମାଜିକ କ୍ରାନ୍ତିର ଏକ ଦର୍ଶନକୁ ପିଣ୍ଡ ଓ ପ୍ରସଙ୍ଗ କରିଥିବାରୁ ଆମେ ଯାହାକୁ ପ୍ରଗତିବାଦୀ/ମାର୍କ୍ସବାଦୀ/ସାମ୍ୟବାଦୀ/ବୈପ୍ଳବିକ ଚେତନାଧର୍ମୀ ଗଳ୍ପ କହିବା ତାହାର ଏକ ଧାରା ଏହି ସମୟରେ ଅବଶ୍ୟ ଉଦ୍ଭୂତ ହୋଇଅଛି ଓ ବହୁମତେ ପ୍ରତିଷ୍ଠା ପାଇଅଛି । ଧାରାଟି ବନ୍ଦୀ/ ବିସର୍ଜନ/ଶିକାର ଯେଉଁଠି ଆରମ୍ଭ ହେଉ; ଦା’ ହାତୁଡ଼ି ଧରି ମୀମାଂସା କରିବାକୁ ତାହା ଯେତେବାଟ ଯାଉ ଚେତନା ଦୃଷ୍ଟିରୁ ଏହା ପ୍ରଚଳିତ ଗଳ୍ପଧାରାରେ ନୂତନ ସ୍ପନ୍ଦନ ସୃଷ୍ଟି କରିଥିଲା ।

 

ଅନନ୍ତ ପଟ୍ଟନାୟକ, ସଚ୍ଚିରାଉତରାୟ, ଭଗବତୀ ଚରଣ ପାଣିଗ୍ରାହୀ, ରାମପ୍ରସାଦ ସିଂହ, ରଘୁନାଥ ଦାସ ପ୍ରମୁଖ ଗଳ୍ପ ସାହିତ୍ୟରେ ଏହି ଧାରା ପ୍ରୟୋଗରେ ବେଶ୍‌ କେତୋଟି ଗଳ୍ପ ରଚନା କରିଥିଲେ । ଆମେ ଯେଉଁ କେତୋଟି ଗଳ୍ପ ନାମ ଅବଶ୍ୟ ଘେନା କରିବା ସେଗୁଡ଼ିକ ଛାତିର ରକ୍ତ, ଶେଷରାତି (ରାମପ୍ରସାଦ), ଯାତ୍ରାପଥେ (ରଘୁନାଥ ଦାସ) ଇତ୍ୟାଦି । ଏ ସମୟରେ ଅନନ୍ତଙ୍କ ଗଳ୍ପରେ ସାମ୍ୟବାଦୀ ଚିନ୍ତାଧାରା ଅଛି, ମାତ୍ର ପରିସ୍ଥିତି ବିରୋଧରେ ଚରିତ୍ରର ବିପ୍ଳବ ନାହିଁ ଯଦି ଅଛି ତାହା ମାନସିକ ସ୍ତରରେ ରହିଯାଇଅଛି ।

 

ଏହି ସମୟଖଣ୍ଡରେ ରଚିତ ହୋଇଛି ରାଜକିଶୋର ପଟ୍ଟନାୟକଙ୍କ ବାସ୍ତବଧର୍ମୀ ଗଳ୍ପମାନ, ରାଜକିଶୋର ରାୟଙ୍କ ଆଦର୍ଶବାଦୀ ଗଳ୍ପମାନ, ଗୋପୀନାଥ ମହାନ୍ତିଙ୍କ ମନସ୍ତାତ୍ତ୍ୱିକ ଗଳ୍ପମାନ, ପ୍ରାଣବନ୍ଧୁ କରଙ୍କ ମାନବିକ ଆବେଦନଧର୍ମୀ ଗଳ୍ପମାନ; ଯେଉଁଠି ତଥାକଥିତ ସମାଜଟି ଗାଁରୁ ଉଠିଆସି ସହର-ବଜାର ଅବା ସହରତଳି ଅଞ୍ଚଳରେ ପହଞ୍ଚିଯାଇଛି ।

 

ରାଜକିଶୋର ପଟ୍ଟନାୟକଙ୍କ ପଥର, ଘାସ, କାକର, ପାଉଁଶ ଗଳ୍ପ ନାମରୁ ତା’ର ନିଆରା ବାସ୍ତବତା ବୁଝିହୁଏ ଯୋଉଥିପାଇଁ ଗାଳ୍ପିକ କହିପାରିବେ– ‘ଜୀବନ ସହିତ ମୋର ପରିଚୟପତ୍ରର ମିଳିତ ସ୍ୱାକ୍ଷରରେ ପ୍ରତ୍ୟେକଟି ଗଳ୍ପ ସାକ୍ଷୀ ସ୍ୱରୂପ ।’

 

ସେମିତି ରାୟ ମହାଶୟ କହିବେ– ‘ଆନନ୍ଦର ନିର୍ଝରକୁ ବିଶ୍ୱମାନସ ଆଗରେ ମର୍ମର ଶବ୍ଦରେ ଝରାଇ ଦେବାପାଇଁ’ ସେ ଗଳ୍ପ ଲେଖନ୍ତି । ଫୁଲ ଗଛରେ ଫୁଲ ହଲିଲେ, ନଈରେ ସୁଅ ଝରିଲେ, ଚାନ୍ଦ ଉପରେ ବଉଦ ଭାସିଲେ, ଗରିବର କାକୁତି ଶୁଣିଲେ ସେ ଗଳ୍ପ ଲେଖାର ପ୍ରେରଣା ପା’ନ୍ତି । ତେଣୁ ତାଙ୍କ ଗଳ୍ପ ଧୂଳିର ଦେବତା, ତୁଷ ତର୍ପଣ, ଦୃଷ୍ଟି ପ୍ରଦୀପ ତ କରୁଣା ଶିରୋନାମ ବହନ କରିବ । ଅତଏବ ରାୟଙ୍କ ବିଧାନରେ ସମାଜ ବାସ୍ତବତା ଅପେକ୍ଷା ସମାଜ ଆଦର୍ଶ ଗଳ୍ପର ପରିସର ଥିଲା ।’

 

ଶ୍ରୀ ଗୋପୀନାଥ ମହାନ୍ତି ସେପରି ସମାଜମାନସର ଗଳ୍ପକାର ଯିଏ ଅସରନ୍ତି ଗଳ୍ପରେ ଅସରନ୍ତି ମାନସିକ ଯନ୍ତ୍ରଣାର କଥା, ମାଟିଆ ବୁରୁଜରେ ସାଂପ୍ରଦାୟିକ ଦଙ୍ଗାରେ ଅସହାୟ ବଳିଟିର କଥା, କାଉ କୋଇଲିରେ ଧନୀ-ଦରିଦ୍ରର ବୈଷମ୍ୟ, ପାଳଭୂତରେ ଜନଜାତି ଜୀବନ, ଝୋଟରେ ଅବସରପ୍ରାପ୍ତ ମଣିଷର କଥା ଏହି ସମୟଖଣ୍ଡରେ କହନ୍ତି । କହନ୍ତି ଘଟଣା ଓ ଦୃଶ୍ୟରେ ନୁହେଁ ଚରିତ୍ରମନର ଭାବନା ମାଧ୍ୟମରେ । ଆମେ ଏହାକୁ ମନୋବିଶ୍ଳେଷଣ ନ କହୁ ମନସ୍ତାତ୍ତ୍ୱିକ କହିବା ।

 

ନିତ୍ୟାନନ୍ଦ ମହାପାତ୍ର ଭାବପ୍ରବଣତାର ପ୍ରକାଶ ଭିତ୍ତିରେ ସେହି ମନସ୍ତାତ୍ତ୍ୱିକ ଧାରାର ପୋଷକତା କରନ୍ତି– ଏଗାରଟା, ରୁକ, ଗରିବର ଦେବତା, ଭିକ୍ଷା ଆଦି ଗଳ୍ପରେ ।

 

ସଚ୍ଚିଦାନନ୍ଦ ରାଉତରାୟ ପ୍ରଗତିବାଦୀ ଚେତନାରେ ପାଦେ, ଆଉପାଦେ ମନସ୍ତାତ୍ତ୍ୱିକ ବୀକ୍ଷଣରେ ରଖି ଏ କାଳରେ ଗଳ୍ପ ଲେଖାରେ ଯେଉଁ ପ୍ରତିଶ୍ରୁତି ସୃଷ୍ଟି କରିଥିଲେ ତାହା ପ୍ରଥମରୁ ପ୍ରତ୍ୟାହୃତ ହୋଇ ଦ୍ୱିତୀୟଟିରେ ଅଧିକ ଧ୍ୟାନସ୍ଥ ହୋଇଅଛି । ବିସର୍ଜନର ଆଭାସ, ଅସ୍ତରାଗର ସମ୍ଭାବନା, ଆଙ୍ଗୁଠିର ପ୍ରତିଶ୍ରୁତି ଅନ୍ଧାରୁଆ, ରିକ୍ସାବାଲା ରଖିପାରିନାହାନ୍ତି ମାତ୍ର ମନଗହନର ଅବଚେତନ ଜ୍ୟୋତିରେ ହାତ ଓ ମଶାଣିର ଫୁଲ ଚମକି ଉଠିଛି– ଓଡ଼ିଆ ଗଳ୍ପ ପ୍ରବୀଣ ପାଲଟିଛି ।

 

ଏ ସମୁଦାୟ କଥାରୁ ଆମେ ତଥାପି ସାମାଜିକ ଧାରାଠାରୁ ସ୍ୱତନ୍ତ୍ର କୌଣସି ଗଳ୍ପ ଧାରାର ପ୍ରତିଷ୍ଠା ଘଟିଲା ବୋଲି ଦେଖିପାରିଲେ ନାହିଁ । ଗୋଟିଏ ଦିଗ ହଠାତ୍‌ ଦିଶିଲା ପଶୁପକ୍ଷୀ-ଗଛକୁ ନେଇ ଗାଳ୍ପିକର ଅବଧାନତା । ଏମାନଙ୍କ ପ୍ରତି ସମବେଦନାରେ ମଣିଷ ପ୍ରାଣର କୋମଳତା ପ୍ରକାଶିତ ଅବା କୋମଳ ମଣିଷ ପ୍ରାଣକୁ ଏମାନଙ୍କ ପ୍ରତି ସମ୍ବେଦିତ ହେବାକୁ ଗାଳ୍ପିକର ଆବେଦନ-ଦିଶିଲା । ମୂକ, ପଙ୍ଗୁ, ପଶୁ, ମୂର୍ଖ, ଟମି, ନୀଡ଼, ମାଂସର ବିଳାପ ଗଳ୍ପଗୁଡ଼ିକର ସୁତୀବ୍ର ଆବେଦନ ଏକ ନୂଆ ଧାରା ହେଇପାରିବାର ସମ୍ଭାବନା ସୃଷ୍ଟି କରିଥିଲା । ବୃହତ୍ତର ମାନବିକତା ଓ ବୃହତ୍ତମ ସାମାଜିକ ଧାରାରେ ତାହା ଆତ୍ମସାତ ହୋଇଗଲା ।

 

ପ୍ରଗତିବାଦୀ ଚେତନା ସ୍ୱତନ୍ତ୍ର ଦୃଷ୍ଟି ଓ ଦର୍ଶନର କଥା ଏଣୁ ଏକ ସ୍ୱତନ୍ତ୍ର ଧାରା ଏଥିରେ ସନ୍ଦେହ ନାହିଁ । ମାତ୍ର ତାହାର ପ୍ରୟୋଗ ଘଟିଛି ସେହି ଗାଁରେ-ମହାଜନଠାରେ-ହଳିଆ ମୂଲିଆ ଦ୍ୱାରା ନ ହେଲେ ଛୋଟ ସହରରେ ରିକ୍ସାବାଲା-କୁଲି-ମଜୁରିଆ ଦ୍ୱାରା ଗାଡ଼ିମଟର ଥିଲା ବାବୁ କିମ୍ବା ରେଳରୁ ଓହ୍ଲାଇଥିବା ଯାତ୍ରୀଙ୍କୁ ନେଇ । ସେ ସମୟର ଓଡ଼ିଶା ବିପ୍ଳବୀକୁ ଶ୍ରେଣୀଚେତନା ଓ ଶ୍ରେଣୀବୈଷମ୍ୟ ସୂଚାଇ ଅଧିକାର ସାବ୍ୟସ୍ତ କରିବାର କ୍ଷେତ୍ର ସ୍ୱରୂପ ଖଣିଖାଦାନ-କାରଖାନା-ଗୋଦାମ ଯୋଗାଇ ପାରିନାହିଁ । ଅନ୍ୟପକ୍ଷରେ ଓଡ଼ିଆ ସହିଷ୍ଣୁତା ଓ ଭାଗ୍ୟବାଦିତା ଏବଂ ଜମିକୁ ଲକ୍ଷ୍ମୀ ସହ ତୁଳନା କରୁଥିବା ହଳିଆ-କୋଠିଆ ମାଲିକ ସାଆନ୍ତ ବିରୁଦ୍ଧରେ ଠିଆହେବା ଭାବନାକୁ ପ୍ରତିହତ କରୁଥିଲା ।

 

ମୋଟ ଉପରେ ସାମାଜିକଧାରା ହିଁ ଏ ସମୟଖଣ୍ଡର ପ୍ରଭାବଶାଳୀ ଧାରା ଥିଲା । ପ୍ରଗତିବାଦୀ ଧାରା ଆଦର୍ଶ ଓ ତତ୍ତ୍ୱରେ ପୁଷ୍ଟ ଥାଇ ପ୍ରୟୋଗ ପକ୍ଷରେ ସଂଖ୍ୟାରେ ଅଳ୍ପ ଓ ପ୍ରତିକ୍ରିୟାରେ ସାମାନ୍ୟ ରହି ପ୍ରମୁଖ ଧାରା ହୋଇପାରିଲା ନାହିଁ । ମନସ୍ତାତ୍ତ୍ୱିକ ଧାରା, ବାସ୍ତବବାଦୀ ଧାରା, ଆଦର୍ଶବାଦୀ ଧାରାର ଖାଦ୍ୟାଭାସ ପ୍ରକଟିତ ହେଲା । ‘ଟାଇପ୍‌ ଫୋର୍‌’ ଆଉ ‘ଘର’ ଗଳ୍ପରେ ଯୋଉ ସହର ଦେଖା ଦେଇଥିଲା ତାହା କ୍ରମେ ଓଡ଼ିଆ ଗଳ୍ପର କ୍ଷେତ୍ର ପାଲଟିଲା ।

 

ସେହିପରି ଆଙ୍ଗିକ କ୍ଷେତ୍ରରେ ସଳଖ କଥାଟିଏ କହି ଗପ ବାଢ଼ିବାର ଧାରାରେ ଗୋଦାବରୀଶ ମହାପାତ୍ରଙ୍କ ସଂଳାପଧର୍ମିତା, ରାଜକିଶୋର ପଟ୍ଟନାୟକଙ୍କ ନିସ୍ପୃହ-ଗଦ୍ୟ ବର୍ଣ୍ଣନା, ରାୟଙ୍କର ଭାଷା ଫୁଲଝରି, କାଳିନ୍ଦୀଙ୍କ କାବ୍ୟିକତା, ସଚିଦାନନ୍ଦଙ୍କ ସମ୍ବେଗ, ଗୋପୀନାଥଙ୍କ ମନମନ୍ଥନର ଟିକିନିଖି ବର୍ଣ୍ଣନା ଯେଉଁ ପରିବର୍ତ୍ତନରେ ସଂକେତ ସୃଷ୍ଟି କରିଥିଲା ସେହି କଥାକାରଙ୍କ ଦ୍ୱାରା ସ୍ୱାଧୀନତା ପର ଓଡ଼ିଆ ଗଳ୍ପରେ ଆଙ୍ଗିକ କୌଶଳର ନାନା ଦିଗ ଓ ପ୍ରସ୍ଥ ପ୍ରୟୋଗ ହେଲା ।

 

ପତାକା ଉତ୍ତୋଳନ କରି ସମସାମୟିକ ସଦ୍ୟ ଘଟଣାର ସତେଜ ଗଳ୍ପାୟନ କରିଥିବା ସୁରେନ୍ଦ୍ର ମହାନ୍ତିଙ୍କ ସକ୍ରିୟ ଯୋଗଦାନରେ ସ୍ୱାଧୀନତା ପର ଗଳ୍ପ ଯଥାର୍ଥ ଆଧୁନିକ କ୍ଷୁଦ୍ରଗଳ୍ପ ହୋଇପାରିଲା ।

 

୧୯୨୮-୪୮ ଗଳ୍ପଧାରା ହେଉଛି ସେହି ଧାରା ଯାହା ନବସର୍ଜିତ ଗଳ୍ପ ସାହିତ୍ୟର ଭିତ୍ତିପ୍ରସ୍ତର ଉପରେ ପ୍ଲିନ୍ଥ୍‌ ଗଢ଼େଇ ପରି ବିକଶିତ ଗଳ୍ପଧାରାର ଡିଜାଇନ୍‌ ନିୟନ୍ତ୍ରଣ କରିଥିଲା ।

Image

 

ସ୍ୱାଧୀନତା ପୂର୍ବର ପ୍ରସିଦ୍ଧ କଥାଶିଳ୍ପୀ କତିପୟ

(୧୯୩୦-୧୯୪୭)

ବିଷ୍ଣୁ ସାହୁ

 

ଓଡ଼ିଆ କଥାସାହିତ୍ୟର ପରମ୍ପରା ବେଶ୍‌ ପ୍ରାଚୀନ । ଓଡ଼ିଆ ଲୋକଗଳ୍ପ ଲୋକମାନଙ୍କ ଦ୍ୱାରା କଥିତ ମୌଖିକ ଶୈଳୀକୁ ଅତିକ୍ରମ କରି ଅଷ୍ଟାଦଶ ଶତାବ୍ଦୀରେ ରଚିତ ହୋଇଥିବା ବ୍ରଜନାଥ ବଡ଼ଜେନାଙ୍କ ‘ଚତୁର ବିନୋଦ’କୁ ଓଡ଼ିଆ ଲିଖିତ ଗଳ୍ପ ସାହିତ୍ୟର ଆଦ୍ୟନମୁନା ବୋଲି ଆଲୋଚକମାନେ କହନ୍ତି ।

 

ପରବର୍ତ୍ତୀ କାଳରେ ୧୮୯୮ ମସିହାରେ ଆଧୁନିକ ଓଡ଼ିଆଗଳ୍ପର ଉଦ୍‌ଗାତା ଫକୀରମୋହନଙ୍କ ‘ରେବତୀ’ ମଧ୍ୟ ଆମ କଥାସାହିତ୍ୟର ଇତିହାସରେ ଏକ ନିର୍ଣ୍ଣାୟକ ସୀମାରେଖା ସୃଷ୍ଟି କରିଥିଲା । ତାହାହିଁ ଆମ କଥାଜଗତର ଏଇ ବିସ୍ତୀର୍ଣ୍ଣ ଭୂଖଣ୍ଡ ଭିତରେ ଏକ ବିଧିବଦ୍ଧ କଳାତ୍ମକ ଶିଳ୍ପରୂପ ଭାବରେ ଗୃହୀତ ହୋଇଆସିଛି ।

 

କେହିକେହି ସମାଲୋଚକ ମଧ୍ୟ କହନ୍ତି– ‘ରେବତୀ’ ଭାରତୀୟ ସାହିତ୍ୟର ସର୍ବପ୍ରଥମ କ୍ଷୁଦ୍ରଗଳ୍ପ । ପ୍ରାୟ ଶତାଧିକ ବର୍ଷ ଧରି ଓଡ଼ିଆଗଳ୍ପର ସେଇ ସୁବର୍ଣ୍ଣ ମୁକୁଟ ଏଯାବତ୍‌ ଦୀପ୍ତିମାନ୍‌ ହୋଇ ରହିଆସିଛି ।

 

୧୮୯୮ରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରାୟ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ଓଡ଼ିଆ ସାହିତ୍ୟର କଥାଯାତ୍ରା ବେଶ୍‌ କେତେକ ପରୀକ୍ଷାନିରୀକ୍ଷା ସହିତ ନୂତନ ଆଙ୍ଗିକତାକୁ ପରିଗ୍ରହଣ କରିଆସିଛି । ଆମ ଆଲୋଚ୍ୟ କାଳଖଣ୍ଡ ୧୯୩୦ରୁ ୧୯୪୭ ପର୍ଯ୍ୟନ୍ତ ସତର ବର୍ଷକୁ ପର୍ଯ୍ୟାଲୋଚନା କରିବାକୁ ଗଲେ ଏହି ସମୟର ଗଳ୍ପାକାଶରେ ଯେଉଁ ଚାରିଟି ଦୀପ୍ତ ତାରକା ନଭୋମଣ୍ଡଳକୁ ଭିନ୍ନ ଭିନ୍ନ ଦ୍ୟୁତିରେ ଉଦ୍‌ଭାସିତ କରିବାର କ୍ଷମତା ରଖନ୍ତି, ସେମାନେ ହେଲେ କଥାଶିଳ୍ପୀ ଭଗବତୀ ଚରଣ, ନିତ୍ୟାନନ୍ଦ ମହାପାତ୍ର, ରାଜକିଶୋର ରାୟ ଏବଂ ରାଜକିଶୋର ପଟ୍ଟନାୟକ– ଯାହାଙ୍କ ସୁମହତ୍‌ ଗଳ୍ପ ସୃଷ୍ଟି ଉପରେ ଆଲୋକପାତ କରିବା ହିଁ ଏଇ ପ୍ରବନ୍ଧର ଉଦ୍ଦେଶ୍ୟ । ତେଣୁ ସେ ଦୃଷ୍ଟିରୁ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ପୃଷ୍ଠଭୂମି ସର୍ବତୋଭାବେ ବିଚାର୍ଯ୍ୟ, ଯାହାର ପ୍ରଭାବ ଓ ଯୁଗଧର୍ମକୁ ଆଧାର କରି ଶଂସିତ ଚାରିଜଣ ଗାଳ୍ପିକ ଓଡ଼ିଆ କଥା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି ।

 

୧୯୩୦ରୁ ୧୯୪୭ ପର୍ଯ୍ୟନ୍ତ ସମୟଖଣ୍ଡରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପଟ୍ଟଭୂମି ମୁଖ୍ୟତଃ ତିନିଟି ଐତିହାସିକ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଯୋଗୁଁ ଏକ ଦ୍ରୁତ ପରିବର୍ତ୍ତନର ସ୍ରୋତମୁଖରେ ପଡ଼ିଯାଇଥିଲା । ସେଥିପାଇଁ ଓଡ଼ିଶାର ଜନଜୀବନ ବିକ୍ଷୁବ୍ଧ ଭାବେ ତରଙ୍ଗାୟିତ ହେବା ଥିଲା ଅବଶ୍ୟମ୍ଭାବୀ ।

 

ସେଗୁଡ଼ିକ ହେଲା– ବିଶ୍ୱଯୁଦ୍ଧର କ୍ରାନ୍ତିକାରୀ ଘନଘଟା, ଗାନ୍ଧୀଜୀଙ୍କ ପ୍ରବର୍ତ୍ତିତ ସ୍ୱରାଜ୍ୟ ଆନ୍ଦୋଳନ, ମହାଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅପ୍ରତିହତ ଆହ୍ୱାନ ଏବଂ ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ । ଇତ୍ୟବସରରେ ସମାଜରେ ଆନୁଷଙ୍ଗିକ ପରିବର୍ତ୍ତନ ସ୍ୱରୂପ ଆନୁଷ୍ଠାନିକ ଶିକ୍ଷାର ପ୍ରସାର, ନୂତନ ଶିକ୍ଷିତ ଗୋଷ୍ଠୀର ଅଭ୍ୟୁଦୟ, ବିଶ୍ୱଯୁଦ୍ଧଜନିତ ସାମାଜିକ ସ୍ଥିତାବସ୍ଥାର ବିଘଟନ, ଗାନ୍ଧୀବାଦୀ ଧର୍ମନିରପେକ୍ଷ ଭାବଧାରାର ପ୍ରଭାବ, କୃଷକ ଓ ଶ୍ରମିକ ସମାଜର ନବଜାଗରଣ, ଯନ୍ତ୍ରଶିଳ୍ପର ପ୍ରସାର, ଅସ୍ପୃଶ୍ୟତା ନିବାରଣ, ମାର୍କସୀୟ ଶ୍ରେଣୀଚେତନା ଭିତ୍ତିରେ ନିମ୍ନବର୍ଗର ନବୋତ୍‌ଥାନ, ପ୍ରାକୃତିକ ବିପର୍ଯ୍ୟୟ ଜନିତ ଆର୍ଥିକ ଦୁରବସ୍ଥା ଇତ୍ୟାଦି ଜନଚେତନାକୁ ପୂରାପୂରି ଓଲଟପାଲଟ କରିଦେଇଥିଲା ।

 

ଏହି ସମୟରେ ଚାକିରିଜୀବୀମାନଙ୍କର ଆତ୍ମକୈନ୍ଦ୍ରିକ ବିଚାରଧାରା ମଧ୍ୟ ଆଲୋଡ଼ିତ କରିଥିଲା ଗଣମାନସକୁ । ସ୍ୱରାଜ ସଂଗ୍ରାମ ସହିତ ସାମ୍ପ୍ରଦାୟିକ ସଂଘର୍ଷ ଏକତ୍ର ସଂଘଟିତ ହୋଇ ଧର୍ମନିରପେକ୍ଷ ଆନ୍ଦୋଳନର ସୂତ୍ରପାତ ହେଲା । ତେଣୁ ଆଦର୍ଶବାଦର ସ୍ଥାନ ଅଧିଗ୍ରହଣ କଲା ବାସ୍ତବବାଦ । କୁଟୀରଶିଳ୍ପର ବିପର୍ଯ୍ୟୟ ଏବଂ ଯନ୍ତ୍ରଶିଳ୍ପର ଅଭ୍ୟୁଦୟ– ଏ ଉଭୟଟା ମଧ୍ୟ ଏକ ପରିବର୍ତ୍ତିତ ସମାଜ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଦେଲା ।

 

ଫଳରେ ସେହିଭଳି ପରିବର୍ତ୍ତିତ ପରିପ୍ରେକ୍ଷୀରୁ କଞ୍ଚାମାଲ ସଂଗ୍ରହ କରି ସାଧନାରତ ସ୍ରଷ୍ଟାଗଣ କ୍ଷୁଦ୍ରଗଳ୍ପ ରଚନାରେ ମନୋନିବେଶ କରିବା ଥିଲା ଅବଧାରିତ । ଏଣୁ ସେମାନଙ୍କ କଥନଶୈଳୀ ହେଲା ଅଧିକ ଶାଣିତ ଏବଂ ଚିନ୍ତନଶକ୍ତି ହେଲା ସମଧିକ ପରିମାର୍ଜିତ । ଗାନ୍ଧୀବାଦୀ ସମାଜ ଦର୍ଶନ ସହିତ ମାର୍କ୍ସବାଦୀ ଦର୍ଶନ ମିଶିଯାଇ କଥାଶିଳ୍ପ ହେଲା ପୂର୍ବାପେକ୍ଷା ଅଧିକ ପ୍ରାଣବନ୍ତ ଓ ବାକ୍‌ବୈଦଗ୍‌ଧ୍ୟରେ ଭରପୂର । ଆଦର୍ଶ ଓ ବାସ୍ତବତାର ଘଟିଲା ମଧୁର ସମନ୍ୱୟ । ଗୂଢ଼ ଜୀବନଦର୍ଶନ ସହିତ ରୋମାଣ୍ଟିକ୍‌ ଚେତନାର ଅପୂର୍ବ ସମ୍ମିଶ୍ରଣ ଘଟିବାକୁ ମଧ୍ୟ ଆରମ୍ଭ କଲା ସେହି ସମୟରେ ।

 

ବର୍ଣ୍ଣନାଧର୍ମୀ ଗଳ୍ପ ସବୁ କ୍ରମଶଃ ବ୍ୟଞ୍ଜନାଧର୍ମୀ ହେବାକୁ ବାଧ୍ୟ ହେଲା । ଏହି ସାମାଜିକ ପରିବର୍ତ୍ତନ ଗଳ୍ପକଳାକୁ ପ୍ରଦାନ କଲା ଏକ ବିଚିତ୍ର ବିଭୂତି । ସମାଜର ବିସ୍ତୃତି ଭିତରୁ ଗଳ୍ପକଳା ବାଛିନେଲା ବ୍ୟକ୍ତିକୁ ଏବଂ ବ୍ୟକ୍ତିର ଚରିତ୍ର ଚିତ୍ରଣରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ଟିକକ ହେଲା ବହୁଧା ଉଦ୍‌ଘାଟିତ । ବାସ୍ତବତା ସହିତ ରୋମାଣ୍ଟିସିଜମ୍‌ର ଯେଉଁ ଶୁଭ ପରିଣୟ ଘଟିଲା, ତା’ର ପରିଣତିରେ ଆଧୁନିକ ଗଳ୍ପ ଲାଭକଲା ଏକ ରୁଚିର ରସବୋଧ ଏବଂ ଅଭିନବ ଆଭିଜାତ୍ୟ ।

 

ସମସାମୟିକ ଅନେକ ଗଳ୍ପରେ ଭାରତୀୟବୋଧ ହୋଇଉଠିଲା ମୁଖ୍ୟ ଅନ୍ତଃସ୍ୱର ଏବଂ କ୍ଷୁଦ୍ରଗଳ୍ପ ମଣିଷର ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେଇ ବିକଶିତ ହେବାକୁ ଆରମ୍ଭ କଲା । ସେସବୁ ଗଳ୍ପରେ ଅନାୟାସରେ ପ୍ରକାଶ ପାଇଲା, ସାମ୍ପ୍ରଦାୟିକ ସଂପ୍ରୀତି ଓ ସହାବସ୍ଥାନ ପାଇଁ ଏକ ଯୁଗୋପଯୋଗୀ ଆହ୍ୱାନ ।

 

ଯେହେତୁ ସେ ସମୟର ସମାଜ ବହୁବିଧ ସମସ୍ୟା ଓ ସମାଧାନ ନିର୍ଣ୍ଣୟ କରିବାର ପନ୍ଥା ସହ ସମ୍ମୁଖୀନ ହୋଇଥିଲା, ମଣିଷ ଜୀବନର ବହୁମୁଖୀ ଦିଗ ମଧ୍ୟ ଗଳ୍ପରେ ଉନ୍ମୋଚିତ ହେବାକୁ ଲାଗିଲା । ସେହି ସମୟରେ ଅନ୍ୟ ଯେଉଁ ବିଭାବଟି ଗଳ୍ପକଳାକୁ ପ୍ରଭାବିତ କରିଥିଲା, ତାହା ହେଲା ରାଜନୈତିକ ସଚେତନତା । ରାଜନୀତି ନାମରେ ଯେଉଁ ସ୍ୱେଚ୍ଛାଚାର, ଆତ୍ମମ୍ଭରିତା, ମନ୍ତ୍ରୀତ୍ୱ ଲାଭ କରିବା ଯୋଗୁଁ ଯେଉଁ ବିଳାସବୋଧ ଏବଂ ଅହମିକା ପରିଦୃଷ୍ଟ ହେଲା, ତାହା ଗଳ୍ପ ପରିସରରେ ହେଲା ଲିପିବଦ୍ଧ । ଧନୀ ଦରିଦ୍ରର ବୈଷମ୍ୟଗତ ସଂଘର୍ଷ, ଶ୍ରମିକ ସମାଜର ଉନ୍ମେଷ, ଆଦିବାସୀ ସମାଜର ସଂସ୍କୃତି ଓ ସମସ୍ୟା, ମାନବେତର ଜୀବ ସହ ମଣିଷର ସଂପର୍କ, ବସ୍ତୁବାଦୀ ସଭ୍ୟତାର ବିକାଶ ଓ ପରିଣତି, ଅସ୍ତିତ୍ୱବାଦୀ ଭାବବଳୟର ଉତ୍ତରଣ, ଫ୍ରଏଡୀୟ ମନୋବୈଜ୍ଞାନିକ ରହସ୍ୟର ବିଶ୍ଳେଷଣ ଇତ୍ୟାଦି ଏ ସମୟର ଗଳ୍ପ ସୃଷ୍ଟିରେ ପ୍ରକାଶ ପାଇ ଗଳ୍ପର ଦିଗନ୍ତକୁ ସଂପ୍ରସାରିତ କରିବାରେ ଲାଗିଲା । ଫଳରେ ଓଡ଼ିଆ କ୍ଷୁଦ୍ରଗଳ୍ପ ଓଡ଼ିଶାର ଭୌଗୋଳିକ ସୀମାକୁ ଅତିକ୍ରମ କରି ହେଲା ବିଶ୍ୱବ୍ୟାପୀ । ଗଳ୍ପରୁ କାହାଣୀର ଗତାନୁଗତିକ ଧାରା ହ୍ରାସ ପାଇ ସେଥିରେ ସମସ୍ୟା ଓ ରହସ୍ୟମୟ ମନଃସ୍ଥିତିର ପ୍ରାଧାନ୍ୟ ଅନୁଭୂତ ହେଲା । ବିଷୟବସ୍ତୁର ନିର୍ବାଚନ ଏବଂ କଥନଶୈଳୀର ବୈଚିତ୍ର୍ୟ ପରବର୍ତ୍ତୀ ସମୟରେ ଗଳ୍ପର ଭାବଗାମ୍ଭୀର୍ଯ୍ୟ ବୃଦ୍ଧିରେ ସହାୟକ ହେଲା ଏବଂ କ୍ଷୁଦ୍ରଗଳ୍ପର ଦିଗ୍‌ବଳୟ ବୃହତ୍‌ରୁ ବୃହତ୍ତର ପର୍ଯ୍ୟାୟକୁ ସ୍ପର୍ଶ କଲା ।

 

ଗଳ୍ପ ସାହିତ୍ୟର ଏଇଭଳି ଏକ ସନ୍ଧିକ୍ଷଣରେ ଯଦିଓ ଅନେକ ଗଳ୍ପ ମହାରଥୀ ଗଳ୍ପଭୂମିରେ ଅବତୀର୍ଣ୍ଣ ହୋଇଥିଲେ, ସେମାନଙ୍କ ମଧ୍ୟରେ ଶଂସିତ ଦିଗ୍‌ଗଜ କଥାଶିଳ୍ପୀ ଚାରିଜଣ ସେ ସମୟର ଗଳ୍ପମଞ୍ଚର ଚାରିଦିଗରେ ଚାରିଟି ମହାସ୍ତମ୍ଭ ପରି ନିଜ ନିଜର ଭୂମିକା ନିର୍ବାହ କରି ଆମ କ୍ଷୁଦ୍ରଗଳ୍ପର ନନ୍ଦିଘୋଷକୁ ସାହିତ୍ୟର ବଡ଼ଦାଣ୍ଡରେ ଗଡ଼ାଇ ନେଇଥିଲେ । ଭଗବତୀ ଚରଣ ମାର୍କ୍ସବାଦୀ ଚେତନା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲା ବେଳେ ନିତ୍ୟାନନ୍ଦ ମହାପାତ୍ର ଉଦ୍‌ବୁଦ୍ଧ ହୋଇଥିଲେ ଜାତୀୟବାଦୀ ଚେତନା ଦ୍ୱାରା; ରାଜକିଶୋର ରାୟ ରୋମାଣ୍ଟିସିଜମ୍‌ର ଜଣେ ପ୍ରମୁଖ ପ୍ରବକ୍ତା ଥିଲାବେଳେ ଶ୍ରୀ ରାଜକିଶୋର ପଟ୍ଟନାୟକ ମାନବେତର ଜୀବକୁ ଚରିତ୍ର ରୂପେ ଗ୍ରହଣ କରି ଶୈଳୀର ପରୀକ୍ଷାନିରୀକ୍ଷା କରିବାରେ ଥିଲେ ଜଣେ ବିରଳ ଓ ସମ୍ବେଦନଶୀଳ ସ୍ରଷ୍ଟା ।

 

ଶ୍ରୀ ଭଗବତୀ ଚରଣ ପାଣିଗ୍ରାହୀ (୧୯୦୮)

 

ଭଗବତୀ ପାଣିଗ୍ରାହୀ ଥିଲେ ୧୯୩୦ ମସିହା ପରବର୍ତ୍ତୀ ଓଡ଼ିଆ ମାର୍କ୍ସୀୟ ସମାଜବାଦୀ ସାହିତ୍ୟର ଉପାସକ । ତାଙ୍କର ଭୂମିକା ଥିଲା ଏକାଧାରରେ ସମାଜସେବୀ, ବିପ୍ଳବୀ ଏବଂ ସାହିତ୍ୟକର । ଶୋଷଣମୁକ୍ତ ସମାଜର ପ୍ରତିଷ୍ଠା ଥିଲା ତାଙ୍କ ସାହିତ୍ୟିକ ଅଭୀପ୍‌ସାର ମୂଳମନ୍ତ୍ର । ତେଣୁ ଗଳ୍ପ ସାହିତ୍ୟରେ ସେ ଏଇ ତତ୍ତ୍ୱଟିର ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲେ । ଶୋଷିତ ମଣିଷର ମୁକ୍ତି ଓ ସାମ୍ରାଜ୍ୟବାଦର ମୁଖା ଉନ୍ମୋଚନ ଭଳି ଦର୍ଶନର ପ୍ରଚାର ନିମନ୍ତେ ସେ ଗଳ୍ପକୁ କରିଥିଲେ ତାଙ୍କର ମୁଖ୍ୟ ଆୟୁଧ ।

 

କୃଷକ, ମୁକ୍ତିଯୁଦ୍ଧ ଓ ଆଗେଇଚାଲ ଇତ୍ୟାଦି କେତେକ ପତ୍ରିକା ସେ ସଂପାଦନା କରୁଥିଲେ ମଧ୍ୟ ‘ଆଧୁନିକ’ ପତ୍ରିକା ଥିଲା ତାଙ୍କ ସମ୍ପାଦନା-ସାମର୍ଥ୍ୟର ଯଥାର୍ଥ ନିଦର୍ଶନ । ବିଶ୍ୱରେ ପ୍ରଗତିଶୀଳ ସାହିତ୍ୟିକ ଆନ୍ଦୋଳନ ପାଇଁ ପ୍ରେମଚାନ୍ଦଙ୍କ ଡାକରାରେ ୧୯୩୫ ମସିହାରେ ସେ ପ୍ରତିଷ୍ଠା କଲେ ନବଯୁଗ ସାହିତ୍ୟ ସଂସଦ ।

 

ସେ ଯେଉଁ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ଚାହୁଥିଲେ ଗଳ୍ପସାହିତ୍ୟର ଆତ୍ମାରେ, ତାହା ହେଲା ଫକୀରମୋହନଙ୍କ ସମୟର ତତ୍ତ୍ୱ-ଭାଗ୍ୟ ଓ କର୍ମଫଳ କବଳରୁ ମଣିଷକୁ ମୁକ୍ତ କରି ତାକୁ ତା’ର ଆପଣାଶକ୍ତି ଓ ଅଧିକାର ସଂପର୍କରେ ସଚେତନ କରାଇବାକୁ ହେବ । ଯେଉଁସବୁ ବିଷୟ ଶୋଷଣର କାରଣ, ସେ ସଂପର୍କରେ ଅବହିତ କରାଇବା ହିଁ ସାହିତ୍ୟିକର ଧର୍ମ । ସାହିତ୍ୟିକଟିଏ ଯଦି ଏହି ଦାୟିତ୍ୱଟିକୁ ତୁଲାଇ ନ ପାରେ, ତେବେ ସେ ଯଥାର୍ଥ ସ୍ରଷ୍ଟା ପଦବାଚ୍ୟ ହୋଇପାରିବ ନାହିଁ ।

 

କ୍ଷୁଦ୍ରଗଳ୍ପର ଆଙ୍ଗିକ ଏବଂ ଭାଷାର ବ୍ୟବହାର ଉପରେ ତାଙ୍କର ମତ ହେଲା– suggestiveness ଅର୍ଥାତ୍‌ ଇଙ୍ଗିତ ହିଁ କଥାସାହିତ୍ୟରେ କଳାକୁଶଳତାର ଯଥାର୍ଥ ପରିଚାୟକ-। Brevity ଅର୍ଥାତ୍‌ ସାଂକ୍ଷିପ୍ତ୍ୟ ହିଁ ଗଳ୍ପର ଏକ ଉତ୍କୃଷ୍ଟ କଳାପକ୍ଷ– ଏକଥା କହି ଗଳ୍ପସାହିତ୍ୟରେ ସେ ଗୋଟିଏ ନୂଆମୋଡ଼ ଆଣିବାକୁ ସେ ଚେଷ୍ଟା କରିଛନ୍ତି ।

 

ଭଗବତୀ ଚରଣ ଯଦିଓ କେତେଗୁଡ଼ିଏ ପ୍ରବନ୍ଧ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସାହିତ୍ୟ ରଚନା କରିଛନ୍ତି, ତାଙ୍କର ସର୍ବମୋଟ ବାରଟି ଗଳ୍ପ ଓଡ଼ିଆ କଥାସାହିତ୍ୟକୁ ଅନନ୍ୟ ଉପହାର । ସେଗୁଡ଼ିକ ହେଲା– ଜଙ୍ଗଲି, ଜୀବନର ସମାଧି, ସମୟାତୀତ, ମିଶ୍ରଙ୍କ କୋପ, ବଞ୍ଚିତା, ମଜ୍‌ଲିସ୍‌, ମୃତ୍ୟୁର ବିବେଚନା, ଝଡ଼, ଆରମ୍ଭ ଓ ଶେଷ, ମୀମାଂସା, ଶିକାର, ହାତୁଡ଼ି ଓ ଦା’ ।

 

ତାଙ୍କର ପ୍ରଥମ ଗଳ୍ପ ‘ଜଙ୍ଗଲି’ରେ ସମାଲୋଚନାତ୍ମକ ବାସ୍ତବତା ନିହିତ । ଫ୍ରଏଡୀୟ ମନୋବୈଜ୍ଞାନିକ ଦ୍ୱାନ୍ଦ୍ୱିକ ରୂପ ଏହାର ବିଶେଷତ୍ୱ । ଗଳ୍ପଟି ହେଲା, ଡକାୟତ ପିତା ଯାବଜ୍ଜୀବନ କାରାଦଣ୍ଡ ଭୋଗୁଥିବା ଅବସରରେ ଶିଶୁ ଜଙ୍ଗଲି ବଢ଼ିଛି ଅରଣ୍ୟ ଗୁମ୍ଫାରେ, ବନ୍ୟ ପ୍ରକୃତିର ହେପାଜତରେ । ସ୍ୱାଭାବିକ ଭାବେ ତା’ର ଶାରୀରିକ ଓ ମାନସିକ ଭୀଷଣତା ହୋଇପଡ଼ିଛି ଆରଣ୍ୟକ କଥା ପାଶବିକ । ଆଦିମାନବର ଭୟାବହ ରୂପ ପାଇଥିବା ଜଙ୍ଗଲିର ଆଦିମ ଯୌନପ୍ରବୃତ୍ତିରୁ ଗୋଟିଏ ହରିଣୀ ସହିତ ହୋଇଛି ଘନିଷ୍ଠତା । କିନ୍ତୁ ସମୟାନ୍ତରରେ ଏକ ଷୋଡ଼ଷୀ ଶବରକନ୍ୟାର ଆକସ୍ମିକ ଆବିର୍ଭାବରେ ଘଟଣାକ୍ରମେ ପ୍ରେମାବନ୍ଧ ହୋଇପଡ଼ିଛି ଜଙ୍ଗଲି, ଶବରୀ ପ୍ରେମିକାର ପ୍ରରୋଚନାରେ ଯଦିଓ ଜଙ୍ଗଲିର ଉତ୍ତରଣ ଘଟିଛି ବନ୍ୟତାରୁ, ତଥାପି ତା’ର ହରିଣୀପ୍ରେମ ରହିଛି ଅବ୍ୟାହତ । ଜଙ୍ଗଲି ଉଭୟ ହରିଣୀ ଓ ଶବରୀର ପ୍ରେମ ଲାଭ କରି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ କାଳଯାପନ କଲାବେଳେ ଶବରୀର ପିତା ହୋଇଛି ଉପସ୍ଥିତ ଏବଂ ଜଙ୍ଗଲିକୁ ତୀରବିଦ୍ଧ କରି ସେ ତା’ର କନ୍ୟାକୁ ଉଦ୍ଧାର କରିଛି । କିନ୍ତୁ ଜଙ୍ଗଲିର ମୃତ୍ୟୁ ପରେ ହରିଣୀଠାରୁ ଏବଂ ଶବରୀଠାରୁ ମିଳିଥିବା ସମବେଦନାରେ ରହିଛି ଘୋର ତାରତମ୍ୟ । ମାନବେତର ଚରିତ୍ର ହରିଣୀ ଓ ଶବରକନ୍ୟାର ପାରସ୍ପରିକ ପ୍ରବୃତ୍ତିଗତ ସଂଘର୍ଷ ଏ ଗଳ୍ପଟିକୁ ଶାଶ୍ୱତ କଳାମୂଲ୍ୟ ପ୍ରଦାନ କରିଛି । ‘ଜୀବନର ସମାଧି’ ଗଳ୍ପଟି ଦଳିତ ଓ ଶୋଷକ ଶ୍ରେଣୀ ବିରୋଧରେ ଏକ ସାରସ୍ୱତ ରକ୍ତାକ୍ତ ପ୍ରତିକ୍ରିୟା କହିଲେ ଅତ୍ୟୁକ୍ତି ହେବନାହିଁ । ସେ ଗଳ୍ପରେ ଜନୈକା ଶୋଷିତା ବୃଦ୍ଧା ଚାକରାଣୀ, ମାଲିକଶ୍ରେଣୀ ବିରୋଧରେ ପ୍ରତିବାଦ କରିଛି କିଭଳି ଦୃପ୍ତ ସ୍ୱରରେ, ସେଇ ପୁଞ୍ଜିବାଦୀ ସଭ୍ୟତାର ଅହଂସର୍ବସ୍ୱ ମନୋଭାବକୁ ତର୍ଜନୀ ନିର୍ଦ୍ଦେଶ କରିଛନ୍ତି ଗାଳ୍ପିକ ।

 

‘ସମୟାତୀତ’ ଗଳ୍ପରେ ଭାରତୀୟ କଳାହାକିମ ତଥା ହାକିମଙ୍କ ପତ୍ନୀଙ୍କ ପାଶ୍ଚାତ୍ୟ ସଭ୍ୟତା ପ୍ରତି ଅନୁରକ୍ତିକୁ ବିଦ୍ରୂପ କରାଯାଇଛି । ‘ମିଶ୍ରଙ୍କ କୋପ’ ଗଳ୍ପରେ ତାତ୍କାଳୀକ ସମାଜରେ ପାଲା ଓ ଯାତ୍ରା ସୁଆଙ୍ଗର ପ୍ରଭାବ କଥା ବର୍ଣ୍ଣିତ । ‘ବଞ୍ଚିତା’ ଗଳ୍ପରେ ଜଣେ ବାଲ୍ୟବିଧବାର କରୁଣ ଜୀବନର ଗାଥା ବ୍ୟଞ୍ଜିତ । ‘ମଜ୍‌ଲିସ୍‌’ ଏକ ହାସ୍ୟରସାତ୍ମକ ଗଳ୍ପ । କୌତୁକ ହାସ୍ୟରସକୁ ଏହି ଗଳ୍ପରେ ପ୍ରାଧାନ୍ୟ ଦିଆଯାଇଛି ।

 

‘ମୃତ୍ୟୁର ବିବେଚନା’ ଗଳ୍ପରେ ସମୟର ତାତ୍ତ୍ୱିକ ସଂକଟ ବିଷୟରେ ସୂଚନା ଦିଆଯାଇଛି-। ଚାକିରିଟିଏ ସତେଅବା ସବୁ ପୁରୁଷାର୍ଥର ମୂଳ– ତାହା ଏହି ଗଳ୍ପରେ ଦର୍ଶାଯାଇଛି । ‘ଝଡ଼’ ଗଳ୍ପରେ ଜଣେ ଧୀବର ଓ ତା’ ପତ୍ନୀର ପ୍ରେମ ତଥା ଜୀବନ ସଂଘର୍ଷ କଥା ବର୍ଣ୍ଣିତ । ରୋମାଣ୍ଟିକ୍‌ ଭାବାଳୁତା ଏ ଗଳ୍ପର ପ୍ରାଣସ୍ପନ୍ଦନ । ‘ମୀମାଂସା’ ଗଳ୍ପରେ ରହିଛି ସମାଜବାଦୀ ଦର୍ଶନ ସହିତ ଭାବବାଦୀ ଦର୍ଶନର ଚିତ୍ତସଂଘର୍ଷ । ‘ଆରମ୍ଭ ଓ ଶେଷ’ ଗଳ୍ପରେ ଧରମା ନାମକ ଜଣେ ଦରିଦ୍ର ଯୁବକ କିଭଳି ପ୍ରେମ ଏବଂ ପ୍ରତାରଣାର ଶିକାର ହୋଇଛି, ତାହାର ଭାବପୂର୍ଣ୍ଣ ବର୍ଣ୍ଣନା ରହିଛି-

 

‘ଶିକାର’ ଓ ‘ହାତୁଡ଼ି ଓ ଦା’ ଗଳ୍ପ ଭଗବତୀଙ୍କର କ୍ରାନ୍ତିକାରୀ ସମାଜଚେତନାର ମନ୍ମୟ କଳାରୂପ । ଫକୀରମୋହନଙ୍କ ‘ରେବତୀ’ ଗଳ୍ପ ପରି ମଧ୍ୟ ଭଗବତୀଙ୍କର ‘ଶିକାର’ ଗଳ୍ପ ଏକ ଲୋକପ୍ରିୟ ବହୁପଠିତ ଗଳ୍ପ । ଏହି ଉଚ୍ଚକୋଟୀର ଗଳ୍ପଟି ଐତିହାସିକ ଚେତନାଗତ ଦ୍ୱନ୍ଦ୍ୱ ଓ ବସ୍ତୁବାଦଭିତ୍ତିକ ସମାଜ ବିବର୍ତ୍ତନର ଇଙ୍ଗିତ ଦିଏ । ଶୋଷିତ ମଣିଷର ବିଦ୍ରୋହ ଏହାର ମୁଖ୍ୟ ସ୍ୱର-। ‘ହାତୁଡ଼ି ଓ ଦା’ ଗଳ୍ପଟି ଏକ ସମାଜବାଦୀ ଆଦର୍ଶଭିତ୍ତିକ ଗଳ୍ପ ।

 

ଏହି ଦୃଷ୍ଟିରୁ ବିଚାର କଲେ, ଭଗବତୀଙ୍କ ଗଳ୍ପ ସାହିତ୍ୟରେ ରହିଛି ବିପ୍ଳବର ଏକ ଚିରନ୍ତନ ବାଣୀ, ଦଳିତ ମଣିଷର ଜୀବନ ବଞ୍ଚିବାର ନୂତନ ପାଞ୍ଚଜନ୍ୟ । ଏହାହିଁ ତାଙ୍କର ସମାଜବାଦୀ ଆଭିମୁଖ୍ୟରେ ରସାଣିତ ମାନବବାଦର ସ୍ପର୍ଦ୍ଧିତ ଇସ୍ତାହାର ।

 

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର (୧୯୧୨)

 

ନିତ୍ୟାନନ୍ଦ ମହାପାତ୍ର ଜଣେ ବହୁମୁଖୀ ପ୍ରତିଭାଧର ଶିଳ୍ପୀ । କାରାଗାର ଥିଲା ତାଙ୍କ ଜୀବନ ବିଦ୍ୟାଳୟ । ସ୍ୱରାଜ-ଅଭିମାନରେ ତାଙ୍କ ଜୀବନ ସମୃଦ୍ଧ । ଗାନ୍ଧୀବାଦର ଅମୃତମୟ ଭାବରେ ତାଙ୍କ ହୃଦୟ ଝଙ୍କୃତ । ସାଧାରଣ ମଣିଷ ପ୍ରତି ତାଙ୍କ ପ୍ରାଣରେ ରହିଥିଲା ମୁଗ୍ଧ ଅଭିନନ୍ଦନ-। ସ୍ୱାଧୀନତାରୁ ରାଜନୀତି ଏବଂ ରାଜନୀତିରୁ ପ୍ରତାରଣା ତଥା ପ୍ରବଞ୍ଚନା ଏସବୁ ତାଙ୍କ ସାହିତ୍ୟରେ ହୋଇଥିଲା ପ୍ରତିଫଳିତ । ତାଙ୍କର ପ୍ରତିଟି ଗଳ୍ପ ମଣିଷ ମନର ସୂକ୍ଷ୍ମ ଏବଂ ଅବୋଧ୍ୟ ଇଲାକାର କମନୀୟ ପ୍ରତିଲିପି । ତାଙ୍କ ଗଳ୍ପରେ ରହିଥାଏ ନାଟକୀୟ ଉତ୍କଣ୍ଠା ଓ ଚମକ । ଉପସ୍ଥାପନାରେ ଥାଏ ବ୍ୟଞ୍ଜନା । ତାଙ୍କ ଗଳ୍ପ ପୁସ୍ତକଗୁଡ଼ିକ ହେଲା– ‘ଏଗାରଟା’, ‘କ୍ଷଣିକା’, ‘ଧଳାଗାର’ ଓ ‘କଳାଗାର’, ‘ଆଖିନାହିଁ କାନ ନାହିଁ’ ଇତ୍ୟାଦି । ତାଙ୍କର ଅନେକ ଲେଖା ଜେଲ୍‌ ରହଣି କାଳରେ ହିଁ ଲିଖିତ । ୧୯୩୬ର ଲବଣ ସତ୍ୟାଗ୍ରହଠାରୁ ଯେଉଁ ସାଂସ୍କୃତିକ ବିବର୍ତ୍ତନ ଦେଖାଦେଲା, ସେଇ ଭାବଧାରାଗୁଡ଼ିକ ତାଙ୍କ କ୍ଷୁଦ୍ରଗଳ୍ପରେ ହେଲା ରୂପାୟିତ । ସେ ଥିଲେ ସ୍ଥୂଳତଃ ରୋମାଣ୍ଟିକ୍‌ ଶିଳ୍ପୀ ଏବଂ ଭାବପ୍ରବଣତାର ଉପାସକ । ମନସ୍ତାତ୍ତ୍ୱିକ ଅଭିବ୍ୟଞ୍ଜନାର ରୂପକାର ଭାବରେ ମଧ୍ୟ ସେ ଥିଲେ ସମଧିକ ନିପୁଣ । ତାଙ୍କ ଗଳ୍ପଗୁଡ଼ିକ ପାଠକଲେ ଜଣାଯାଏ, ସେଗୁଡ଼ିକ ସତେ ଯେମିତି ତାଙ୍କ ଆତ୍ମଜୀବନୀର ବହୁ ଖଣ୍ଡିତାଂଶର କଳାଲିପି ।

 

‘ଏଗାରଟା’, ‘ଖୁଡ଼ୀ’, ‘ପରିବର୍ତ୍ତନ’, ‘ରୁକ୍‌’, ‘ଗରିବର ଦେବତା’, ‘ଦୂର ଓ ନିକଟ’, ‘ବସ୍‌ଷ୍ଟାଣ୍ଡ୍‌’, ‘ଦୋକାନଦାର’, ‘ଭିକ୍ଷା’ ଆଦି ଗଳ୍ପରେ ସେ ସାମାଜିକ ଭାବଭାବନାର ରୂପାୟନ ଘଟାଇଛନ୍ତି । ତାଙ୍କ ‘ଏଗାରଟା’ ଶୀର୍ଷକ ଗଳ୍ପ ପ୍ରେମ, କାରୁଣ୍ୟ ଏବଂ ଜାତୀୟତାବୋଧର ଏକ ମର୍ମସ୍ପର୍ଶୀ ଅଭିବ୍ୟକ୍ତି । ‘ଖୁଡ଼ୀ’ ଗଳ୍ପରେ ରହିଛି ମା’ ଛେଉଣ୍ଡ ପିଲା ପ୍ରତି ଅନ୍ୟଜଣେ ମାତୃ ହୃଦୟର ଅଭୂତପୂର୍ବ ସମ୍ବେଦନା । ‘ରୁକ୍‌’ ଗଳ୍ପରେ ରହିଛି ନାରୀ ନିର୍ଯାତନାର ବାସ୍ତବ ରୂପାୟନ, ପିତୃଅର୍ଜିତ ସମ୍ପତ୍ତିରେ ଯେ ନାରୀର ହକ୍‌ ରହିଚି– ଏ ସଚେତନତା ଅଛି ସେ ଗଳ୍ପରେ ।

 

‘ଗରିବର ଦେବତା’ ଗଳ୍ପଟି ଗ୍ରାମ୍ୟ ଜୀବନର ଏକ ମନ୍ତ୍ରମୟ ମଧୁରାଲେଖ୍ୟ । ‘ଅନ୍ୱେଷଣ’, ‘ସୌଦାଗର’, ‘ଚକ୍ଷୁଦାନ’, ‘ଜୀବନର ମାନଦଣ୍ଡ’ ଆଦି ଗଳ୍ପଗୁଡ଼ିକ ରାଜତନ୍ତ୍ରର ପୃଷ୍ଠଭୂମି ଉପରେ ଆଧାରିତ ରୋମାଣ୍ଟିକ୍‌ ପ୍ରେମର ଅଭିବ୍ୟକ୍ତି । ‘ବସ୍‌ଷ୍ଟାଣ୍ଡ୍‌’ ଗଳ୍ପରେ ଆଧୁନିକ ଜୀବନର ଖାପଛଡ଼ା ବ୍ୟସ୍ତ ବିବ୍ରତ ଚିତ୍ର ଦେଖିବାକୁ ମିଳେ । ‘ଅନ୍ଧର ଅହମିକା’ ଗଳ୍ପରେ ରହିଛି ବନ୍ୟାର ଭୀଷଣତା ଉପରେ ପର୍ଯ୍ୟବସିତ କଥାବସ୍ତୁ । ‘ଅପୂର୍ଣ୍ଣ’, ‘ସେଇ ପୁରୁଣା କଲମଟା’, ‘ଶୁଆଶାରୀ’, ‘ଭିକ୍ଷା’, ‘ରାଜାଝିଅ’, ‘ବିଦାୟ’, ‘ପଳାତକ’, ‘ନୂଆବୋଉ’ ଆଦି ଗଳ୍ପରେ ରହିଛି କାରୁଣ୍ୟପୂର୍ଣ୍ଣ କଥାବସ୍ତୁ ।

 

‘ଅନ୍ୱେଷଣ’, ‘ଚକ୍ଷୁଦାନ’, ‘ଶତାର୍ଦ୍ଧ ବରଷ ପରେ’, ‘ଜୀବନର ମାନଦଣ୍ଡ’ ଆଦି ଗଳ୍ପଗୁଡ଼ିକ ବୌଦ୍ଧଯୁଗୀୟ ପୃଷ୍ଠଭୂମି ଉପରେ ରଚିତ । ଅଦ୍ଭୁତ ବ୍ୟାଧି’ ଓ ‘ମାରାତ୍ମକ ହୃଦୟ’ ଗଳ୍ପରେ ରହିଛି ମନସ୍ତାତ୍ତ୍ୱିକ ଭାବଧାରା, ‘ଅନ୍ୱେଷଣ’ ଗଳ୍ପରେ ରହିଛି ରାଜକୁମାର ଓ ରାଜକୁମାରୀର ପ୍ରଣୟ କାହାଣୀ । ‘ସୌଦାଗର’ ଗଳ୍ପରେ ରହିଛି ଏକ ରୋମାଣ୍ଟିକ୍‌ ଭାବସ୍ପର୍ଶ । ‘ଚକ୍ଷୁଦାନ’ ଗଳ୍ପରେ ଆବେଗ ପ୍ରବଣତା ଓ ‘ଅଦ୍ଭୁତ ବ୍ୟାଧି’ ଗଳ୍ପରେ ମାନସିକ ବ୍ୟାଧିର ଏକ କଳାତ୍ମକ ରୂପ ପରିଲକ୍ଷିତ ହୋଇଛି ।

 

‘ଶତାର୍ଦ୍ଧ ବରଷ ପରେ’ ଗଳ୍ପରେ ରହିଛି ନାଳନ୍ଦା ବିଶ୍ୱବିଦ୍ୟାଳୟର ଜଣେ କୃତୀ ଛାତ୍ର ବିଶ୍ୱରୂପର ଅଭିନବ ଯନ୍ତ୍ରଟିଏ ଆବିଷ୍କାର କରିବା ପ୍ରସଙ୍ଗ । ‘ପରିବର୍ତ୍ତନ’ ଗଳ୍ପରେ ରହିଛି ଗୋଟିଏ ପୁଅର ମୃତ୍ୟୁଜନିତ ମାନସିକ ଯନ୍ତ୍ରଣା । ‘ଜୀବନ୍ତ ପାଷାଣ’ ଗଳ୍ପରେ ରହିଛି ପ୍ରିୟତମାର ମୃତ୍ୟୁର ଅନୁଶୋଚନା । ‘ଅଦିନ ବଉଦ’ ଗଳ୍ପରେ ରହିଛି ଦାରିଦ୍ର୍ୟ ଭିତରେ ପ୍ରେମର ପରିସ୍ଫୁଟନ । ‘ଗରିବର ଦେବତା’ ଗଳ୍ପରେ ରହିଛି ଆର୍ଥିକ ଅସ୍ୱଚ୍ଛଳତା ଓ ମାନସିକ ଗ୍ଳାନିସମ୍ଭୂତ ଏକ କଥାବସ୍ତୁ । ‘ଦୋକାନଦାର’ ଗଳ୍ପରେ ରହିଛି ବାତ୍ସଲ୍ୟମମତାର ଏକ ପ୍ରାଣମୟ ଅଭିବ୍ୟକ୍ତି । ‘ମାଙ୍କଡ଼ ଦିଆସି’ ଗଳ୍ପରେ ଜଣେ ଜୋକର୍‌ର ମନସ୍ତାତ୍ତ୍ୱିକ ଚିତ୍ର ଏବଂ ‘ପ୍ରେମ ଓ ପ୍ରିୟା’ ଏବଂ ‘ପ୍ରେମର ପରିମାପକ’ ଗଳ୍ପରେ ରହିଛି ନରନାରୀଙ୍କ ପ୍ରେମ ସମ୍ପର୍କିତ କାହାଣୀ ।

 

ତାଙ୍କର ହାସ୍ୟରସାତ୍ମକ ବିଷୟବସ୍ତୁ ଆଧାରିତ ଗଳ୍ପଗୁଡ଼ିକ ହେଲା– ମୁଁ କିପରି ମଲି, ମୁଁ କିପରି ଘାସ କାଟିଲି, ମୁଁ କେମିତି ବାବୁ ହେଲି, ରୋମାନ୍ସ ଓ ରୋମନ୍ଥନ, ବାଡ଼ୁଅର ବିବର୍ତ୍ତନବାଦ, ଗୋବର୍ଦ୍ଧନ ଦାସ ଉତ୍କଳ ଗର୍ଦଭ ଏବଂ ମଡର୍ଣ୍ଣ ସାବିତ୍ରୀ ଇତ୍ୟାଦି ।

 

ଯଖ, ସ୍ତ୍ରୀଚକ୍ର, ଭୂଇଁଫୋଡ଼ ନେତାଙ୍କ ବନ୍ୟାଞ୍ଚଳ ଉଦ୍‌ବୋଧନ, କୁତାଖୋର, ପୁରୁଷ ନାରୀଠାରୁ ଅଧିକ ଉଦାର, ଗୋଟିକଯାକ ତୁଳସୀ ଗଳ୍ପଗୁଡ଼ିକ ରମ୍ୟରଚନା ପର୍ଯ୍ୟାୟର । ବରଯାତ୍ରୀ, ବର, ବୁଦ୍ଧି ବିତରିଣୀ କମିଟି, ଇଏ ଗୁଡ଼ିକ ମଜା ଗଳ୍ପ । ପରିଶେଷରେ କହିବାକୁ ଗଲେ, ଉଭୟ ଶୈଳୀ ଓ ଭାବ ଦୃଷ୍ଟିରୁ ତାଙ୍କ ଗଳ୍ପ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ଦୃଷ୍ଟିକୋଣର କଳାରୂପ-

 

ଶ୍ରୀ ରାଜକିଶୋର ରାୟ (୧୯୧୪)

 

ରାଜକିଶୋର ରାୟ ଆମ ଗଳ୍ପ ସାହିତ୍ୟରେ ଜଣେ ରୂପ ଓ ସୌନ୍ଦର୍ଯ୍ୟର ଶିଳ୍ପୀ । ଜୀବନ ଓ ଜଗତର ସସୀମତା ମଧ୍ୟରେ ଅସୀମ ସୌନ୍ଦର୍ଯ୍ୟର ପରିପ୍ରକାଶ ହିଁ ତାଙ୍କ ଗଳ୍ପର ମୁଖ୍ୟ ସ୍ୱର । ତାଙ୍କର ଗଳ୍ପଗ୍ରନ୍ଥଗୁଡ଼ିକ ହେଲା– ବିକଚ ଶତଦଳ, ନୀଳ ଲହରି, ଜୟଶଙ୍ଖ, ଜୟଶ୍ରୀ, ଶୋଣିତକାବ୍ୟ, ପଙ୍କଚନ୍ଦନ, ଜୀବନ ସଂଗୀତ, ମନର ମୃଣାଳ, ଏହିକି ଦେବାୟତନ ଇତ୍ୟାଦି । ପ୍ରକୃତିର ପ୍ରାଣମୟ ଉଦ୍ଦାମତା ଅନେକ ସମୟରେ ତାଙ୍କ ଶିଳ୍ପୀ ପ୍ରାଣକୁ କରିଛି ବିଭୋର । ସେଥିପାଇଁ ସେ ଜଣେ କବିଭାବାପନ୍ନ ଗାଳ୍ପିକ ବୋଲି ଲାଗନ୍ତି ଏବଂ ତାଙ୍କ ଗଳ୍ପ ଶୀର୍ଷକଗୁଡ଼ିକ ମଧ୍ୟ କାବ୍ୟିକ ।

 

ତାଙ୍କ ଗଳ୍ପରେ ବ୍ୟକ୍ତି ଜଣକର ବିଚିତ୍ର ବର୍ଣ୍ଣିଳ ରୋମାଣ୍ଟିକ୍‌ ଭାବସ୍ପନ୍ଦନ ପ୍ରକଟିତ । ନବାମ୍ବୁ, ଯୋଜନ ଜଳିଯାଏ, ଜୀବନାୟନ, ପଦରଜ ଆଦି ବିଭିନ୍ନ ଗଳ୍ପରୁ ରାୟମାନସର ନିଃସର୍ଗ ସୌନ୍ଦର୍ଯ୍ୟ ସୃଷ୍ଟି ଓ ରୋମାଣ୍ଟିକ୍‌ ମାନବ ସମ୍ବେଦନାର ପରିଚୟ ମିଳିଥାଏ । ଜୀବନର ସୀମିତ ବ୍ୟଞ୍ଜନା ଭିତରେ ଅସୀମ ବିମୂର୍ତ୍ତ ଝଙ୍କାର ସେ ସୃଷ୍ଟି କରିଛନ୍ତି ।

 

‘ଧୂଳିର ଦେବତା’ ଗଳ୍ପରେ ଶିଳ୍ପୀପ୍ରାଣର ସମ୍ବେଦନା ଝରିଆସିଛି ଜନୈକା ବିବାହିତ ରମଣୀ ପ୍ରତି, ‘ତୃଷ୍ଣାତର୍ପଣ’, ‘କେତେ କ’ଣ ହୋଇଯାଇଛି’, ‘ଗତଜନ୍ମର ପରିଚୟ’, ‘ମାସୀମା’ ଆଦି ଗଳ୍ପ ମାନବିକ ସମ୍ବେଦନାର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

 

‘ଶିଳା ଓ ଶୈଳୀ’ ଗଳ୍ପ ନାରୀର ଚିରନ୍ତନ ଆକାଂକ୍ଷାର ଏକ ପ୍ରାଣସ୍ପର୍ଶୀ ରୂପାୟନ । ‘ଓଡ଼ିଆର ଦାନା ନାହିଁ’ ଗଳ୍ପରେ ବଞ୍ଚିବା ପାଇଁ ଦରିଦ୍ର ଅସହାୟା ନାରୀଟିଏ କିପରି ନିଜ କନ୍ୟାକୁ ପରପୁରୁଷ ନିକଟରେ ଟେକିଦିଏ-ସେ କରୁଣତାଟି ବର୍ଣ୍ଣିତ । ‘ଦୃଷ୍ଟି ପ୍ରଦୀପ’ ଗଳ୍ପରେ ଭିକାରିଟିଏ ଅନ୍ଧୁଣୀକୁ ତା’ର ସଞ୍ଚିତ ଅର୍ଥସବୁ ଦାନ କରିଦେବା ଘଟଣା ଧନିକ ସମାଜ ପାଇଁ ଏକ ଭାବମୟ ଆହ୍ୱାନ । ‘କରୁଣା’ ଗଳ୍ପରେ ରେଙ୍ଗୁନ୍‌ ସହରରେ ଜୀବିକା ନିର୍ବାହ କରୁଥିବା ଓଡ଼ିଆ ଶ୍ରମିକର ଜୀବନ ବିପର୍ଯ୍ୟୟ କଥା ବର୍ଣ୍ଣିତ । ଜଣେ ବୃଦ୍ଧା ନାରୀର ମାନସିକ ବିକୃତି କଥା ରହିଛି ‘ପଦେକଥା’ ଗଳ୍ପରେ ।

 

‘ଅଶରୀରୀ କଥାକହେ’, ‘ଆଚାର୍ଯ୍ୟେ ଥିଲେ ବୋଲି’, ‘ରୁଦ୍ର’, ‘ଦେଖ ପତାକା ଉଡ଼ୁଚି’ ଗଳ୍ପରେ ଗାନ୍ଧୀବାଦୀ ଆଦର୍ଶ ପ୍ରତିଫଳିତ । ବାସ୍ତବ ଜୀବନର ଚିତ୍ର ଦେବାରେ ସେ କେବେ ବି କାର୍ପଣ୍ୟ କରିନାହାନ୍ତି ତାଙ୍କ ଗଳ୍ପରେ । ‘ମାସୀମା’ ଗଳ୍ପରେ ଜଣେ ଶିକ୍ଷୟିତ୍ରୀ ତ୍ୟାଗପୂତ ଜୀବନର ଯୁଦ୍ଧକ୍ଷେତ୍ରରେ ଯୋଗଦାନ, ‘ଯାତ୍ରା ମଙ୍ଗଳ’ ଗଳ୍ପରେ ଯୁଦ୍ଧ ଯୋଗୁଁ ଗାଁକୁ ଫେରି ଗ୍ରାମ ସଂଗଠନରେ ଯୁବକର ମନୋନିବେଶ, ‘ମାଟିଆ ବୁରୁଜ’ ଗଳ୍ପରେ ହିନ୍ଦୁ ମୁସଲ୍‌ମାନ୍‌ ସଂଘର୍ଷର କରୁଣ ପରିଣତି, ‘ଏତେଦିନେ କହିଲି’ ଗଳ୍ପରେ ମାନବବନ୍ଦନା, ‘ଶେଷ ହୋଇ ଅଶେଷ’ ଗଳ୍ପରେ ମନୁଷ୍ୟର ଅବିବେକିତା, ‘ପଙ୍କଚନ୍ଦନ’ ଗଳ୍ପରେ ଆଧୁନିକ ମଣିଷର ସ୍ୱାର୍ଥାନ୍ୱେଷୀ ଚରିତ୍ର, ‘ମୁକୁଟବନ୍ଧା ପରେ’ ଗଳ୍ପରେ ଯୌତୁକ ପ୍ରଥାର ଉତ୍କଟତା, ‘କ୍ଷତ’ ଗଳ୍ପରେ ଉଦ୍‌ବାସ୍ତୁ ଚରିତ୍ରହୀନା ନାରୀର ସଂସ୍ପର୍ଶରେ ପୁରୁଷର ବ୍ୟାଧି ଆଦି ବର୍ଣ୍ଣିତ ।

 

କାରୁଣ୍ୟରେ ତାଙ୍କ ଗଳ୍ପ ଯେମିତି ସ୍ନିଗ୍ଧ ସୁନ୍ଦର, ବ୍ୟଙ୍ଗ ବିଦ୍ରୂପରେ ସେଗୁଡ଼ିକ ସେମିତି ସୁତୀବ୍ର ଓ ଶାଣିତ । ଭାଷା ତାଙ୍କର ଅଭିଜାତ ଓ କାବ୍ୟମୟ, ବର୍ଣ୍ଣନାଭଙ୍ଗୀ ଗାମ୍ଭୀର୍ଯ୍ୟପୂର୍ଣ୍ଣ, ପ୍ରକାଶଭଙ୍ଗୀ ନାଟକୀୟ, ପ୍ରକୃତିର ଅକୃତ୍ରିମ ବର୍ଣ୍ଣନା ମଧ୍ୟ ଦେଇ ତାଙ୍କ ଗଳ୍ପର ଆବେଦନ ଭାସ୍ୱର । ତାଙ୍କ କ୍ଷୁଦ୍ରଗଳ୍ପର ପ୍ରବାହରେ ରହିଛି ଚମକ ଓ ଚଞ୍ଚଳତା, ପ୍ରାଣରେ ଅଛି ରୋମାଣ୍ଟିକ୍‌ ଭାବଚେତନା ଓ ସମ୍ବେଦନା ଏବଂ ପ୍ରକାଶଭଙ୍ଗୀରେ ରହିଛି ସୁମଧୁର ବ୍ୟଞ୍ଜନା ।

 

ଶ୍ରୀ ରାଜକିଶୋର ପଟ୍ଟନାୟକ (୧୯୧୭)

 

ରାଜକିଶୋର ପଟ୍ଟନାୟକ ସ୍ୱାଧୀନତା ପୂର୍ବବର୍ତ୍ତୀ କାଳର ଜଣେ ମାଟିମନସ୍କ ସ୍ରଷ୍ଟା । ଜୀବନର ନାନା ବିଚିତ୍ର ଅନୁଭୂତିକୁ ଆଧାର କରି ତାଙ୍କ ଗଳ୍ପଗୁଡ଼ିକ ପ୍ରାଣସ୍ପର୍ଶୀ । ତାଙ୍କ ଆଙ୍ଗିକରେ ବିଚିତ୍ରତା ଥାଏ, ଚମକ ଥାଏ । ସହଜ ଓ ସରଳ ପ୍ରକାଶଭଙ୍ଗୀ, ଅଥଚ ଦୃଷ୍ଟିଭଙ୍ଗୀରେ ରହିଥାଏ ଗଭୀର ଜୀବନଦର୍ଶନ । ତାଙ୍କ ଗଳ୍ପଗୁଡ଼ିକ ବ୍ୟଙ୍ଗାତ୍ମକ ଶୈଳୀରେ ହିଁ ଗୁମ୍ଫିତ । ମାଟିର ରସ ଓ ପ୍ରାଣପ୍ରାଚୁର୍ଯ୍ୟରେ ତାଙ୍କ ଗଳ୍ପ ସବୁ ପ୍ରାଣୋଚ୍ଛଳ । ନିଜସ୍ୱ ସଂସ୍କୃତିରେ ତାହା ଭାବନାସମୃଦ୍ଧ । ମାନବେତର ଜୀବଗୁଡ଼ିକର ମନସ୍ତାତ୍ତ୍ୱିକ ଦିଗ ପ୍ରତି ସେ ସମଧିକ ସମ୍ବେଦନଶୀଳ, ଯେଉଁଥିପାଇଁ ସେ ଗଳ୍ପ ସାହିତ୍ୟରେ ଏକ ଅସପତ୍ନ ପ୍ରସିଦ୍ଧିର ଅଧିକାରୀ । ମଣିଷ ସହିତ ପଶୁପକ୍ଷୀମାନଙ୍କର ସଂପର୍କ ଓ ପଶୁପକ୍ଷୀର ଚରିତ୍ରାୟନ ମଧ୍ୟ ଦେଇ ମଣିଷ ପ୍ରତି ବିଦ୍ରୂପାତ୍ମକ ଦୃଷ୍ଟିଭଙ୍ଗୀ ତାଙ୍କର ଗଳ୍ପ ସୃଷ୍ଟିରେ ପରିଲକ୍ଷିତ । ତାଙ୍କ ଗଳ୍ପ ପୁସ୍ତକଗୁଡ଼ିକ ହେଲା– ‘ତୁଠ ପଥର’, ‘ଶାଳଗ୍ରାମ’, ‘ନିଶାଣଖୁଣ୍ଟ’, ‘ହୃଦୟର ବନ୍ଧନ’, ‘ପଥୁକି’, ‘କଳ୍ପନାର ଫୁଲ’, ‘ପଥରଢ଼ିମା’, ‘ହାଟ ସଉଦା’, ‘ହାଟବାହୁଡ଼ା’ ଇତ୍ୟାଦି ।

 

ତାଙ୍କର କେତେକ ଗଳ୍ପରେ କୁକୁର ହିଁ ହୋଇ ରହିଛି ସ୍ରଷ୍ଟାମାନସର କେନ୍ଦ୍ରବିନ୍ଦୁ । ‘ପାଣିଗାର’, ‘ଯୁଗଧର୍ମ’, ‘ଦ୍ୱନ୍ଦ୍ୱ’, ‘ସୁଲତାନ’, ‘ପ୍ରତିଦାନ’, ‘ବିଶ୍ୱାସ’, ‘ପଶୁ’, ‘ନୀଡ଼’, ‘ମୂର୍ଖ’, ‘ଜୀବନର ମାୟା’, ‘କୁଟିଳ ମନର ପରିଧି’ ଆଦି ଗଳ୍ପରେ ମାନବେତର ଚରିତ୍ରଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ ।

 

ରାଜକିଶୋର ଅନୁଭବ କରିଛନ୍ତି ଦରିଦ୍ର ଓ ସର୍ବହରା ହୃଦୟର ବିଳାପ, ଅଧସ୍ତନ ସରକାରୀ କର୍ମଚାରୀର ଅସହାୟତା, ଉପଭୋକ୍ତା ଗୋଷ୍ଠୀର ଶୋଷଣ ଓ ବିଳାସ ।

 

‘ପଥର’, ‘କାକର’, ‘ପାଉଁଶ’, ‘କାଣୀ ବିରାଡ଼ି’, ‘ପାଣିଗାର’, ‘ବାରମାସୀ’, ‘ଧର୍ମର ଅଭିଶାପ’, ‘ବିଶ୍ୱାସ’, ‘ପୁରୁଣା କଥା’, ‘ପରଶ’ ଇତ୍ୟାଦି ଗଳ୍ପରେ ସର୍ବହରା ମଣିଷ ପ୍ରତି ସେ ଅସରନ୍ତି ସହାନୁଭୂତି ବ୍ୟକ୍ତ କରିଛନ୍ତି । ‘ଘାସ’ ଗଳ୍ପରେ ସମାଜର ଦୀନଦୁଃଖୀ ମଣିଷ ପ୍ରତି ବ୍ୟଥାତୁର ହୋଇଛନ୍ତି । ‘ପୁରୁଣାକଥା’ ଗଳ୍ପରେ ମୂର୍ଖ ଓ ଠକମାନେ କିପରି ପ୍ରତିପତ୍ତିଶାଳୀ ହୋଇଛନ୍ତି, ସେକଥା ବର୍ଣ୍ଣନା କରିଛନ୍ତି ।

 

ସେହିପରି ତାଙ୍କର ଅନ୍ୟ ଗଳ୍ପଗୁଡ଼ିକ ହେଲା– ‘ଜଞ୍ଜାଳ’, ‘ଆସାମୀ’, ‘ମାଳୀ’, ‘ଶାଳଗ୍ରାମ’, ‘ଭଡ଼ାଘର’, ‘ସାଙ୍ଗ’, ‘ନୂଆବର୍ଷ’, ‘ପ୍ରତିଧ୍ୱନି’, ‘କାନ୍ଥ’, ‘ଠକ’, ‘ଦ୍ୱନ୍ଦ୍ୱ’, ‘ମହାଜନ’ । ସେଗୁଡ଼ିକରେ ସେ ସମାଜ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ‘ଖଚୁଆ ତାରା’, ‘ଇତିହାସ’, ‘ମାୟାଡ଼ୋରି’, ‘ପଶୁ’, ‘ମହାଜନ’, ‘ଭଡ଼ାଘର’ ଗଳ୍ପରେ ପ୍ରେମର ସ୍ୱର୍ଗୀୟ ଦୀପ୍ତି ପ୍ରକଟିତ । ‘ମାପକାଠି’, ‘ମୂକ’, ‘ଛୁଟି’, ‘ନିଶାଣଖୁଣ୍ଟ’ ଗଳ୍ପରେ ଚାକିରି ଜୀବନର ଅସହାୟତା ବର୍ଣ୍ଣିତ । ତାଙ୍କର ଗଳ୍ପଗୁଡ଼ିକ କାଳୋତ୍ତର ଜୀବନ ସଂଘର୍ଷର ସ୍ୱାକ୍ଷର ବହନ କରିଥାଏ ।

 

ତାଙ୍କର ମନସ୍ତାତ୍ତ୍ୱିକ ଗଳ୍ପଗୁଡ଼ିକ ହେଲା ‘‘ଲକ୍ଷ୍ୟଭ୍ରଷ୍ଟ’, ‘‘ଚକ୍ରବାଳ’, ‘‘ପ୍ରତିଧ୍ୱନି’, ‘‘କାନ୍ଥ’, ‘‘ମାଳୀ’, ‘‘ଇତିହାସ’, ‘ପୋଡ଼ାଦାଗ’ ଓ ‘କୁଟିଳ ମନର ପରିଧି’ ।

 

ରାଜକିଶୋରଙ୍କ ଗଳ୍ପ ଜଗତ ବାସ୍ତବ ସମାଜର ଜଗତ । ତାଙ୍କର ଉଦ୍ଦେଶ୍ୟ ସମାଜରୁ ବୈଷମ୍ୟର ବିଲୋପ । ତାଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକ ଜୀବନର ଅନନ୍ତ ପ୍ରଶ୍ନବାଚୀର ଗୋଟିଏ ଗୋଟିଏ ବ୍ୟଙ୍ଗଧର୍ମୀ ମାର୍ମିକ ଅଭିବ୍ୟକ୍ତି ।

 

ପ୍ରାକ୍‌ ସ୍ୱାଧୀନତା କାଳର ପୂର୍ବ ବର୍ଣ୍ଣିତ କ୍ଷୁଦ୍ରଗଳ୍ପ ସବୁ ଯେ ତାତ୍କାଳୀକ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ରାଜନୀତିକ, ଜାତୀୟତାତ୍ମକ, ଆର୍ଥନୀତିକ ଘଟଣା ଓ ଭାବଧାରାର ମାର୍ମିକ ଅଭିବ୍ୟକ୍ତି ଏବଂ ଆମ ଗଳ୍ପ ଜଗତର ବୈଚିତ୍ର୍ୟମୟ ସାରସ୍ୱତ ଇତିହାସ ଏକଥା କହିଲେ ଅତ୍ୟୁକ୍ତି ହେବନାହିଁ ।

Image

 

ସ୍ୱାଧୀନତା ପୂର୍ବବତ୍ତୀ ଓଡ଼ିଆ ଗଳ୍ପର ଆଖ୍ୟାନକଳ୍ପ ଓ ଶୈଳୀତତ୍ତ୍ୱ

କ୍ଷୀରୋଦ ଚନ୍ଦ୍ର ବେହେରା

 

ଆଜି, ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଛିଡ଼ା ହୋଇ ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଗଳ୍ପର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟକୁ ଅବଲୋକନ କରୁଥିବା ସମୟରେ ସମକାଳର ଚକ୍ଷୁ ଅପେକ୍ଷା ପରକାଳର ପ୍ରଚକ୍ଷୁରେ ସେଗୁଡ଼ିକୁ ପୁନର୍ବଲୋକନ କରିବା ଅଧିକ ପ୍ରାସଙ୍ଗିକ ହୋଇପଡ଼େ-। କାହାଣୀର ଆଖ୍ୟାନକଳ୍ପ ଓ ଚରିତ୍ରାୟନ ପଶ୍ଚାତ୍‌ରେ ଛପି ରହିଥିବା ସମକାଳର କାରୁଣ୍ୟ ଆଜିର ପ୍ରଚକ୍ଷୁରେ ଅଧିକ ଭାସ୍ୱର ହୋଇପଡ଼େ । ହୁଏତ ସେ କାଳର ସଂକୀର୍ଣ୍ଣ ଦୃଷ୍ଟି ସେହି ଆଖ୍ୟାନକଳ୍ପ ଓ ଚରିତ୍ରାୟନକୁ ଯଥୋଚିତ ମାନ୍ୟତା ପ୍ରଦାନ କରିପାରି ନ ଥିବା ସମୟରେ ଏକବିଂଶ ଶତାବ୍ଦୀର ଦୃଷ୍ଟିରେ ଦେଖିଲେ ସେଗୁଡ଼ିକ ଅଧିକ ପରିବ୍ୟାପ୍ତ ଓ ପ୍ରାସଙ୍ଗିକ ଜଣାପଡ଼େ ।

 

ଏବେ ସେହି ଉଜ୍ଜ୍ୱଳ ମୁକ୍ତାଟିଏର କଥା କହିବା । ଓଡ଼ିଆ ଗଳ୍ପ ସାହିତ୍ୟର ପ୍ରଥମ ପରିଚୟ ‘ରେବତୀ’ । ଏହି ଉଜ୍ଜ୍ୱଳ ମୁକ୍ତାଟିର ଆଲୋକରେ ଶହେ ବର୍ଷର ଓଡ଼ିଆ ଗଳ୍ପ ଭାସ୍ୱର ହୋଇ ଉଠିଛି । ଆଜି ପୁନର୍ବାର ତାକୁ ଦେଖିଲାବେଳେ ‘ରେବତୀ’ ପଛରେ ଲୁଚିରହିଥିବା ‘ନୀଳ ମାଷ୍ଟ୍ରାଣୀ’ ଦେଖାଯାଏ । ‘ନୀଳ ମାଷ୍ଟ୍ରାଣୀ’ ପଛେ ପଛେ ପୁଣି ଚାଲି ଆସେ ‘ସୁମିତ୍ରାର ହସ’ । ଗୋଟିଏ ଆତ୍ମା ଯେପରି ବିଛେଇ ହୋଇ ପଡ଼ିଛି ସମୟର ଆଇନା ସାମ୍ନାରେ । କବାଟ ଫାଙ୍କରେ ବାସୁ ମାଷ୍ଟ୍ରକୁ ଅପେକ୍ଷା କରୁଥିବା ପଧାନଝିଅ ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ବେଳକୁ ପାଠ ପଢ଼ି ମାଷ୍ଟ୍ରାଣୀ ହୋଇ ପ୍ରେମ ବିବାହ କରି ପ୍ରତାରିତ ହେବା ପଛରେ ରହିଯାଇଥାଏ ସମୟର ଦଂଶନ । ତେଣୁ ସେହି ଦଂଶନ ସହ୍ୟ କରି ନ ପାରି ସୁମିତ୍ରା ହସୁଥାଏ ପାଗଳୀ ପରି ସ୍ୱାଧୀନତା ପରବର୍ତ୍ତୀ ସମାଜରେ । ଏକ ଅସମାପ୍ତ ଆଖ୍ୟାନକଳ୍ପ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପ ଓ ଶୈଳୀ ଦେଇ ପ୍ରତିଭାତ ହୋଇଥା’ନ୍ତି ଯେପରି ।

 

ଇଏତ ସେଇ ଗଳ୍ପଗୁଡ଼ିକର ଆଖ୍ୟାନ ଭାଗ ମାତ୍ର, ସେଇ ଗଳ୍ପମାନଙ୍କରେ ଛପି ରହିଥିବା ଗାଳ୍ପିକର ସତ୍ତାଟିକୁ ଏବେ ଚିହ୍ନଟ କରିବା । ରେବତୀ ଆଖ୍ୟାନ ମଧ୍ୟରେ ଯେତେବେଳେ ଫକୀରମୋହନଙ୍କୁ ଖୋଜେ ସେତେବେଳେ ଇଂରେଜ ସାମ୍ରାଜ୍ୟର ମେମ୍‌ ସାହେବମାନଙ୍କ କଥା ସ୍ୱତଃ ମନକୁ ଆସେ । ଉପନିବେଶବାଦର ଶୀର୍ଷ ଦେଶରେ ଥାଇ ସାମ୍ରାଜ୍ୟ ବିସ୍ତାର ସହ ଭାଷା ଓ ସଂସ୍କୃତିର ବିସ୍ତାର କରିସାରିଥିବା ଇଂରେଜ ଜାତି ସମ୍ମୁଖରେ ଓଡ଼ିଆ ଜାତିର ସଂସ୍କାର ସଂସ୍କୃତି ମଧ୍ୟରେ ଫକୀରମୋହନ ଏକ ଆଲୋକର ସୁଡ଼ଙ୍ଗକୁ ଅପେକ୍ଷା କରିଥିଲେ । ହୁଏତ ମିଶନାରୀମାନେ ତାଙ୍କ ଅବଚେତନକୁ ଆକ୍ରାନ୍ତ କରିସାରିଥିଲେ । ଏଣୁ ଏକ ଶାନ୍ତ ବିପ୍ଳବର କଥା ପରୋକ୍ଷରେ ଉଚ୍ଚାରଣ କରିଥିଲେ ଫକୀରମୋହନ । ସେହି ଭାବଭୂମିରେ ଥାଇ ଅନ୍ୟ ଏକ ସମୟରେ ଗୋଦାବରୀଶ ଉପଲବ୍‌ଧି କରିଥିଲେ ସେଇ ବେଦନା । ଶିକ୍ଷାର ଓ ସମାଜର ଅନ୍ୟ ଏକ ରୂପକୁ ସଂଦର୍ଶନ କରିଥିବା ଗୋଦାବରୀଶ ନୀଳ ମାଷ୍ଟ୍ରାଣୀକୁ ମଧ୍ୟ ସେଥିପାଇଁ କରିଦେଲେ ଗୋଟିଏ ଟ୍ରାଜିକ୍‌ ନାୟିକା । ହିନ୍ଦୁ ବ୍ୟବସ୍ଥା ଓଡ଼ିଆ ଗଳ୍ପ ମାନସିକତାକୁ କିପରି ଆକ୍ରାନ୍ତ କରିଥିଲା ଏବଂ ଉପନିବେଶବାଦ ମଧ୍ୟରେ ତାହା କିପରି ଭୟଙ୍କର ହୋଇ ଉଠୁଥିଲା ତାହାର ଚିତ୍ର ଏହି ଗଳ୍ପଗୁଡ଼ିକ ପରୋକ୍ଷରେ ପ୍ରଦାନ କରିଥା’ନ୍ତି । ଏଠାରେ ଗଳ୍ପର ମାର୍ମିକ ଯେତିକି ସଶକ୍ତ ତାହାର ପରିବେଷଣ ଶୈଳୀ ଏବଂ ଭାଷା ଚମକପ୍ରଦ ଓ ବିଶ୍ୱସ୍ତ । ଭାଷାରେ ମାଟିର ବାସ୍ନା ଏବଂ ଭାବରେ ଆସୁଥିବା ସମୟର ସଙ୍କେତ ଏହି ଗଳ୍ପଗୁଡ଼ିକୁ କରିଛି ମହିମାବନ୍ତ । କାରଣ ‘ସୁମିତ୍ରାର ହସ’ ବେଳକୁ ନଗର ଆସିଯାଇଛି, ସୁମିତ୍ରା ଭାଇ ଚାକିରି କରି ସ୍ୱାବଲମ୍ବୀ ହୋଇଛି ମାତ୍ର ନଗରକୈନ୍ଦ୍ରିକ ସଭ୍ୟତାର ସମସ୍ତ ବର୍ଜ୍ୟବସ୍ତୁ ସତେ ଯେପରି ତା’ର ଦେହରେ ନୁହେଁ ଆତ୍ମାରେ ଅଜାଡ଼ି ହୋଇପଡ଼ିଛି । ପଧାନ ଝିଅ ରେବତୀ ପାଠ ପଢ଼ି ଚାକିରି କରି ସହର ମଧ୍ୟରେ ଯେପରି ହଜିଯାଇଛି ।

 

ଇଏତ ଗଲା ଝୁଅମାନଙ୍କ କଥା । ଏବେ ଆସନ୍ତୁ ପୁଅମାନଙ୍କୁ ଚିହ୍ନିବା । ‘ଡାକମୁନ୍‌ସୀ’ରୁ ଆରମ୍ଭ କରିବା । ହଁ ଇଂରାଜି ଘୁଷି । ଗାଁର ଚଳଣିରେ ଡାକ ପିଅନ ହିଁ ସବୁଠୁ ବଡ଼ବାବୁ । ଇଏ ହିଁ ଗାଁକୁ ଜଗତ ସହିତ ଯୋଡ଼େ । ସ୍ୱପ୍ନ ଦେଇ ପୁଅକୁ ବଡ଼ବାବୁ କରେ ଏବଂ ଯାହା ସଚରାଚର ଘଟେ, ଏଠାରେ ତାହାହିଁ ଘଟିଛି । ଗୋଟିଏ ସମୟ ଓ ସମାଜକୁ ଏତେ ନିଷ୍କପଟ ଭାବେ ତୁଳୀରେ ଆଙ୍କି ଥୋଇ ଦିଆଯାଇଛି ଯେ– ସେଇଠୁ ଦେଖିହୁଏ ‘ଘାସଫୁଲ’ ଭିତରେ ରହିଥିବା ଦାରିଦ୍ର୍ୟର ବେଦନା-। ପୁଣି ସେଇଥିପାଇଁ ବି ଦାରିଦ୍ର୍ୟ ଓ କ୍ଷୁଧାକୁ ବେଖାତିର କରି ଓଡ଼ିଆ ପୁଅ କହି ଉଠେ ‘ଏବେ ମଧ୍ୟ ବଞ୍ଚିଛି’ । ଦୁର୍ଭିକ୍ଷ, ଦାରିଦ୍ର୍ୟ ଅଥବା ବର୍ଷ ବର୍ଷର ଶାସନାଗତ ଅରାଜକତା ‘ଓଡ଼ିଆ’ ଭାବନାକୁ ମାରିଦେଇ ପାରେନା । ଓଡ଼ିଆ ଗଳ୍ପ ମଧ୍ୟରେ ରହିଥିବା ‘ଓଡ଼ିଆ’ର ପରିଚୟ ଆଉ ଏକ ସ୍ୱତନ୍ତ୍ର ଓ ପ୍ରଭାବଶାଳୀ ସ୍ରୋତ ହୋଇ ଜାତୀୟତାର ପରିବାହକ ହୋଇଛି । ‘ଜାତିର ଧକ୍‌କା’ ହେଉ ଅଥବା ଏ ‘ମଣିଷକୁ ପାଷାଣ କଲା କିଏ’ ଗଳ୍ପକଳ୍ପ ମଧ୍ୟରେ ରହିଛି ଖାଣ୍ଟି ଓଡ଼ିଆ ସମାଜର ପ୍ରତୀତି-। ଗୋଟିଏ କୃଷିଭିତ୍ତିକ ସମାଜ ପ୍ରଥମ ବିଶ୍ୱଯୁଦ୍ଧ ପରିପ୍ରେକ୍ଷୀରେ ଭାରତୀୟ ଜାତୀୟତାବୋଧର ପ୍ରାମାଣିକ ଦଲିଲ ହୋଇ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଆଡ଼କୁ ମୁହାଁଏ– ସେଇଠି ଆସିଯାଏ ‘ମାଗୁଣିର ଶଗଡ଼’, ‘ଗୋପୀ ସାହୁର ଦୋକାନ’, ‘ଆଙ୍ଗୁଠି’, ‘ବିଟ୍‌ଘର ଓ ରେଳଗାଡ଼ି’-। ଯୁଦ୍ଧ ଆକ୍ରାନ୍ତ ପୃଥିବୀରେ ଓଡ଼ିଶାର ସମାନ୍ତବାଦର ଦୁର୍ଗ ପତନ, ସାମାଜିକ ଅସ୍ଥିରତା ମଧ୍ୟରେ ପ୍ରବାସ ଯାତ୍ରା, ରାଜନୀତିକ ପ୍ରବଞ୍ଚନା ଓ ପୁଞ୍ଜିବାଦର କାୟା ବିସ୍ତାର ‘ମାଗୁଣିର ଶଗଡ଼’ ବା ‘ଜାତିର ଧକ୍କା’ ଗଳ୍ପ ପଶ୍ଚାତରେ ବିଦ୍ୟମାନ ଥାଇ ଓଡ଼ିଆ ଜାତିର ଗାଥା ବ୍ୟାଖ୍ୟା କରିଥାଏ । ପୁଞ୍ଜିବାଦ ଗ୍ରାମ୍ୟଜୀବନର ଆର୍ଥିକ ବ୍ୟବସ୍ଥାକୁ କିପରି ବିପର୍ଯ୍ୟସ୍ତ କରିପକାଇଛି, ‘ଏବେ ମଧ୍ୟ ବଞ୍ଚିଛି’ କିପରି ଏକ ପ୍ରହେଳିକାରେ ପରିଣତ ହୋଇଛି, ଏ ସମସ୍ତ ଗାଥା ଏହି ଗଳ୍ପଗୁଡ଼ିକର କଳ୍ପକଥା ହୋଇ ଓଡ଼ିଆ ଜାତିର ସନ୍ତକ ଭାବେ ଏମାନଙ୍କୁ ପ୍ରତିଷ୍ଠା ପ୍ରଦାନ କରିଛି । ସଂସ୍କାର ଓ ବ୍ୟବସ୍ଥାର ଅଙ୍କନ ପଶ୍ଚାତରେ ଏକ ନିରବ ବିପ୍ଳବର ଭାଷା ଗଳ୍ପର ଆଖ୍ୟାନ ଭାଗରେ ଥୋଇଦେଇ ପାରିବାର ଶୈଳୀ ଥିଲା ସେତେବେଳର ଗଳ୍ପର ଏକ ଉଜ୍ଜ୍ୱଳ ଦିଗ । ‘ମଶାଣିର ଫୁଲ’, ‘ଅନ୍ଧାରୁଆ’, ‘ଘାସ ଅଥବା ଆଙ୍ଗୁଠି’ ଏହାର ଆଦ୍ୟ ଉଚ୍ଚାରଣ ।

 

ଏହି ଗଳ୍ପଗୁଡ଼ିକ ସତେ ଯେପରି ଏକ ଉର୍ବର ମୃତ୍ତିକା ପ୍ରସ୍ତୁତ କରିଥିଲେ ‘ଶିକାର’, ‘ଶେଷରାତି’, ‘ଅଧିକାର’, ଓ ‘ହାତୁଡ଼ି ଓ ଦା’ ଆଦି ଗଳ୍ପଗୁଡ଼ିକର କାୟା ବିସ୍ତାର ନିମିତ୍ତ । ବ୍ୟବସ୍ଥା ଭିତରେ ଭରି ରହିଥିବା ଯାବତୀୟ ଅନ୍ୟାୟ ଓ ଅତ୍ୟାଚାର ସତେ ଯେପରି ଭିଡ଼ିମୋଡ଼ି ହୋଇ ବିସ୍ଫୋରଣ କରି ଉଠିଲେ । ଓଡ଼ିଆ ଜାତିଟିଏ ସତେ ଯେପରି ଗୋଟିଏ ପଟେ ପ୍ରତ୍ୟକ୍ଷ କରୁଛି ଗାନ୍ଧୀବାଦର ଅହିଂସା ଧ୍ୱନି ଏବଂ ଅନ୍ୟପଟେ ମାର୍କସବାଦର ଆହ୍ୱାନ । ସାମନ୍ତବାଦର ଖୋଳପା ଖୋଲିଯାଇ ପୁଞ୍ଜିବାଦ ଓ ସାମ୍ୟବାଦର ଜଞ୍ଜାଳ ମଧ୍ୟରେ ରାସ୍ତାବଣା ହୋଇଯାଇଥିବା ପରି ଏ ଅବସ୍ଥା । ବିପ୍ଳବ ଚାହୁ, ପରିବର୍ତ୍ତନ ଆସୁ ମାତ୍ର ତାହା ସ୍ଲୋଗାନଧର୍ମୀ ନ ହୋଇ, ସ୍ୱତଃ ଧୀରେ ସାବଲୀଳ ଭାବେ । କମନୀୟ ବିପ୍ଳବ ପଛରେ ରହିଥିବା ବେଦନା ଓ ଅସହାୟତା ଏହି ଗଳ୍ପଗୁଡ଼ିକରେ ତୀବ୍ର ଭାବରେ ବାରି ହୋଇପଡ଼େ । ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ସୁରେନ୍ଦ୍ର ମହାନ୍ତି ତାଙ୍କର ‘ଭାରତ ଆବିଷ୍କାର’ ଓ ‘ରାଜଧାନୀ’ ଗଳ୍ପରେ ସ୍ପଷ୍ଟ ଭାବରେ ଉଚ୍ଚାରଣ କରିଥିଲେ । ‘ଭାରତ ଆବିଷ୍କାର’ ସ୍ୱାଧୀନତା ପୂର୍ବ ଗଳ୍ପ ଓ ‘ରାଜଧାନୀ’ ସ୍ୱାଧୀନତା ପର । ଗାନ୍ଧୀବାଦ, ମାର୍କସବାଦର କମନୀୟ ଦଲିଲ ୧୯୩୦ରୁ ୧୯୫୦ର ଓଡ଼ିଆ ଗଳ୍ପରେ ରହିଥିବା ପରେ ସ୍ୱାଧୀନତା ପରେ ଏହା ଏକ ବିପର୍ଯ୍ୟସ୍ତ ସମାଜର କଥା କହିଥାଏ । ସତେ ଯେପରି ଯୁଦ୍ଧ ବିପର୍ଯ୍ୟସ୍ତ ସମାଜ ।

 

ସ୍ୱାଧୀନତା ପୂର୍ବବର୍ତ୍ତୀ ଗଳ୍ପ ହେଉଛି: ଓଡ଼ିଆ ଜାତୀୟତାର ଆଖ୍ୟାନରୁ ନବ ଉପନିବେଶବାଦରେ ପଦାର୍ପଣ । ସାମନ୍ତବାଦରୁ ପୁଞ୍ଜିବାଦକୁ ଉତ୍ତରଣ । ଜାତିରୁ ବ୍ୟକ୍ତିସତ୍ତାକୁ ଗମନ । ମୂଲ୍ୟବୋଧରୁ ନବ ମୂଲ୍ୟବୋଧର ଆଖ୍ୟାନ । ଗାଁରୁ ନଗର ଆଗମନ । ରେବତୀମାନେ ସୁମିତ୍ରା ହୋଇଯାଉଥିବାର ଆଖ୍ୟାନ । ଗୋଟିଏ ଜାତିର ପୁନର୍ଗଠିତ ହେବାର ବିଶ୍ୱସ୍ତ ଆଲେଖ୍ୟ । ବିପର୍ଯ୍ୟସ୍ତ ସମାଜ ଓ ଆର୍ଥିକ ବ୍ୟବସ୍ଥାରୁ ଏକ ପ୍ରଗତିଶୀଳ, ଆତ୍ମବିଶ୍ୱାସୀ, ସ୍ୱାବଲମ୍ବୀ ସମାଜରେ ପରିଣତ ହେବାର ଦୂରନ୍ତ ଯାତ୍ରାର ଅଛିଣ୍ଡା କାହାଣୀ: ସ୍ୱାଧୀନତା ପୂର୍ବ ଓଡ଼ିଆ ଗଳ୍ପ । ଟ୍ରାଜିକ୍‌ରୁ ଆରମ୍ଭ ହୋଇ ପ୍ରତିଶ୍ରୁତିରେ ତା’ର ଶେଷ । ଭାଷାକୁ ଆଭୂଷଣ କରି ଓଡ଼ିଆ ଗଳ୍ପର ଆରମ୍ଭ ହୋଇଥିବା ସମୟରେ ଭାବର ବ୍ୟାଖ୍ୟାନରେ ଏହାର ଅନ୍ତିମ ପରିଣତି । ବର୍ଣ୍ଣନାତ୍ମକ ଶେଳୀ ଏବଂ ଲୌକିକ ଭାଷାର ପ୍ରୟୋଗ ପ୍ରଥମ ପର୍ଯ୍ୟାୟର ଗଳ୍ପଗୁଡ଼ିକ ସମତଳ କରିଦେଇଥିବା ସମୟରେ ୧୯୨୦ ବେଳକୁ ଗଳ୍ପର ଗଢ଼ଣରେ ଆସିଲା ବୈପ୍ଳବିକ ପରିବର୍ତ୍ତନ । କଥାକଳ୍ପ ଓ ଆଖ୍ୟାନ ଭାଗର ସମତୁଲ ବିସ୍ତୃତି ଏହି ସମୟର ଗଳ୍ପଗୁଡ଼ିକୁ ନେଇ ଅବିସ୍ମରଣୀୟ ହୋଇ ରହିବାର ମୁଗ୍ଧମନ୍ତ୍ର-। ‘ନୀଳମାଷ୍ଟ୍ରାଣୀ’, ‘ଶିକାର’, ‘ମାଂସର ବିଳାପ’, ‘ଅନ୍ଧାରୁଆ’, ‘ଘାସ’, ‘ସୁଅ ମୁହଁରେ ପତର’ ଓ ‘ବୁଢ଼ା ଶଙ୍ଖାରି’ ଆଦି ଗଳ୍ପଗୁଡ଼ିକ । ଏଣୁ ଓଡ଼ିଆ ମାନସିକତାର ଭଣ୍ଡାରରେ ଚିରଦିନ ପାଇଁ ସାଇତା ହୋଇ ରହିଯାଇଛନ୍ତି । ଗଳ୍ପ ଗଠନର କାରୁକାର୍ଯ୍ୟ ମଧ୍ୟରେ ଭାଷା ମଧ୍ୟ ଏକ ବିବର୍ତ୍ତନର ରୂପ ନେଇପାରିଛି-। ସାରଳା ଦାସ ଯେଉଁ ଓଡ଼ିଆ ଭାଷା ସୌଧ ନିର୍ମାଣ କରିଥିଲେ ଫକୀରମୋହନ ସେହି ଭାବନା ନେଇ ତାଙ୍କର ସମର୍ଥନ ଓଡ଼ିଆ ଭାଷାକୁ ପରିଚ୍ଛନ୍ନ ଭାବରେ ସାଇତି ରଖିଛନ୍ତି । କାଳିନ୍ଦୀ ପାଣିଗ୍ରାହୀ, ରାଜକିଶୋର ପଟ୍ଟନାୟକ, ପ୍ରାଣବନ୍ଧୁ କର ଏହାକୁ ଯଥୋଚିତ କାରୁକାର୍ଯ୍ୟ ସଂପନ୍ନ କରିଥିବା ସମୟରେ ଗୋପୀନାଥ ମହାନ୍ତି ଓଡ଼ିଆ ଭାଷାର ପୁନର୍ବିନ୍ୟାସ ପ୍ରଦାନ କରିଛନ୍ତି-। ଓଡ଼ିଆ ଭାଷାର ବିବର୍ତ୍ତନର ଇତିହାସରେ ଏହି ଗାଳ୍ପିକମାନଙ୍କ ଗଳ୍ପଗୁଡ଼ିକ ଏକ ଏକ ପ୍ରାମାଣିକ ଦସ୍ତାବିଜ-

 

ଉପସଂହାରରେ ଏତିକି କହିବି: ସ୍ୱାଧୀନତା ପୂର୍ବ ଓଡ଼ିଆ ଗଳ୍ପର ସ୍ୱରୂପକୁ ଯଦି ସଂକ୍ଷିପ୍ତ ଭାବରେ ପ୍ରକାଶ କରାଯାଏ; ତା’ହେଲେ ରାଧାନାଥଙ୍କ ସେହି ପ୍ରସିଦ୍ଧ କବିତାର ପଦଟି ମୋତେ ଉଚ୍ଚାରଣ କରିବାକୁ ପଡ଼ିବ:

 

ଦୃଶ୍ୟପୂର୍ବ ହୋଇ ଅଦୃଶ୍ୟ ପ୍ରତୀତି

ସୁନ୍ଦରପଣର ଚିରନ୍ତନ ନୀତି

ସୁନ୍ଦରେ ତୃପ୍ତିର ଅବସାଦ ନାଇଁ

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।

 

ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଥାଇ: ‘ରେବତୀ’ ଗଳ୍ପରେ ମୁଁ ଦେଖିପାରେ ‘ନୀଳ ମାଷ୍ଟ୍ରାଣୀ’ର ଛାଇ, ‘ସୁମିତ୍ରାର ହସ’ ଏବଂ ‘ଦ୍ରୌପଦୀର ଚିତ୍ର’ । ‘ରେଳଗାଡ଼ି ଓ ବିଟ୍‌ଘର’ ଗଳ୍ପ ମଧ୍ୟରେ ଶୁଭୁଥାଏ ‘ନୟନପୁର ଏକ୍‌ସପ୍ରେସ୍‌’ର ଧାତବ ସ୍ୱର । ‘ଏବେ ମଧ୍ୟ ବଞ୍ଚିଛି’ ଗଳ୍ପର କାୟାକଳ୍ପରୁ ବାହାରି ଆସେ ‘ଅଧିକାର’ ଓ ‘ଶିକାର’ ଗଳ୍ପ । ‘ମାଂସର ବିଳାପ’ ମଧ୍ୟରେ ଲୁଚିଥିବା ‘ମହାନିର୍ବାଣ’ ଓ ‘ମାଂସର କୋଣାର୍କ’ ଗଳ୍ପ । ଏକ ସମୃଦ୍ଧ ସୌଧର ଭିତ୍ତିରେ କମନୀୟ ହୋଇ ପ୍ରତିଭାତ ହେଇଥା’ନ୍ତି ଆମ ଅତୀତର ଗଳ୍ପ । ଚିରନ୍ତନ ନୂତନ ପ୍ରତୀତି ଆଣି ଦେବାରେ ସେମାନେ ସର୍ବଦା ମହିମାମଣ୍ଡିତ ।

Image

 

ଓଡ଼ିଆ କ୍ଷୁଦ୍ରଗଳ୍ପରେ ସଂସ୍କାର ଭାବନା ଓ ପରିବର୍ତ୍ତନର ସ୍ୱର

(୧୯୪୭-୧୯୬୦)

କୃଷ୍ଣଚନ୍ଦ୍ର ପ୍ରଧାନ

 

ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ବୟସ ଆଜିକୁ ପ୍ରାୟ ୧୧୪ ବର୍ଷ, ଯଦି ଫକୀରମୋହନଙ୍କ ‘ରେବତୀ’କୁ ପ୍ରଥମ ସାର୍ଥକ ଓଡ଼ିଆ କ୍ଷୁଦ୍ରଗଳ୍ପ ଭାବରେ ଗ୍ରହଣ କରାଯାଏ । ଅନ୍ୟ ଭାବରେ କହିଲେ ଓଡ଼ିଆ ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ଏହା ଅର୍ବାଚୀନ, ଯଦିଓ ଗୁଣାତ୍ମକ ମାନ ଦୃଷ୍ଟିରୁ ଅତ୍ୟନ୍ତ ଆଶ୍ୱାସନାପ୍ରଦ । ଓଡ଼ିଆ କ୍ଷୁଦ୍ରଗଳ୍ପ ତା’ର ପ୍ରଥମ ଜନ୍ମ ଲଗ୍ନରୁ ହିଁ ଚମକ ସୃଷ୍ଟି କରି ଆବିର୍ଭାବ ହୋଇଛି । ସୁଖର କଥା ବର୍ତ୍ତମାନ ପର୍ଯ୍ୟନ୍ତ ସୁଦ୍ଧା ସେହି ଚମକ ଫିକା ପଡ଼ିନାହିଁ । ତେବେ ସାମଗ୍ରିକ ଭାବରେ ଓଡ଼ିଆ କ୍ଷୁଦ୍ରଗଳ୍ପ ଆଲୋଚନା କରିବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ ନୁହେଁ । ୧୯୪୭ରୁ ୧୯୬୦ ମଧ୍ୟରେ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଯେଉଁ ସଂସ୍କାର ଭାବନା ଓ ପରିବର୍ତ୍ତନର ସ୍ୱର ପରିଲକ୍ଷିତ ହୋଇଛି, ତା’ର କିଞ୍ଚିତ୍‌ ସୂଚନା ପ୍ରଦାନ କରିବା ଏହି ପ୍ରବନ୍ଧର ଲକ୍ଷ୍ୟ-

 

ପ୍ରଥମରୁ କହି ରଖିବା ଆବଶ୍ୟକ ଯେ, ୧୯୪୭ରୁ ୧୯୬୦ ମଧ୍ୟରେ ଯେଉଁ ଗାଳ୍ପିକଗଣ ଗଳ୍ପ ରଚନା କରିଛନ୍ତି, ଏହି ସମୟସୀମା ପୂର୍ବରୁ ସେମାନେ ଗଳ୍ପ ରଚନା କରିଛନ୍ତି ଏବଂ ଏହି ସମୟ ସୀମାର ବହୁ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ଲେଖନୀ ଚଳଚଞ୍ଚଳ ରହିଛି । ପୁନରାୟ କଥିତ ସମୟସୀମା ମଧ୍ୟରେ ଏମିତି କୌଣସି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ସ୍ୱର ଉଚ୍ଚାରିତ ହୋଇନାହିଁ ଯାହାର ପ୍ରତିଧ୍ୱନି ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଶୁଣାଯାଇନାହିଁ । ଅର୍ଥାତ୍‌ ଏହି ସମୟ ମଧ୍ୟରେ ଓଡ଼ିଆ ଗଳ୍ପରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ସତୁରି ଦଶକ ଏପରିକି ଉତ୍ତର ସତୁରି ଗଳ୍ପରେ ମଧ୍ୟ ପରିଲକ୍ଷିତ ହୋଇଛି । ଏହା ସତ୍ତ୍ୱେ ୧୯୪୭ ମସିହା ଭାରତୀୟ ସାହିତ୍ୟ ପାଇଁ ସ୍ୱତନ୍ତ୍ର ଅନୁଭବର ଅପେକ୍ଷା ରଖେ ।

 

ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାର ସାମାଜିକ, ରାଜନୀତିକ, ଅର୍ଥନୈତିକ ଦୃଷ୍ଟିଭଙ୍ଗୀରେ କେତେକ ଲକ୍ଷଣୀୟ ପରିବର୍ତ୍ତନ ଆସିଛି ନିଶ୍ଚୟ । ୧୯୪୭ ମସିହା ପୂର୍ବରୁ ବିଶ୍ୱ ଇତିହାସରେ ବହୁ କ୍ରାନ୍ତିକାରୀ ପରିବର୍ତ୍ତନ ସଂଘଟିତ ହୋଇସାରିଛି । ଶିଳ୍ପ ସଭ୍ୟତାର ବିକାଶ ଏବଂ ବିଜ୍ଞାନ କ୍ଷେତ୍ରରେ ନୂତନ ଉଦ୍ଭାବନ ତଥା ଆବିଷ୍କାର କେବଳ ଅର୍ଥନୈତିକ ସ୍ତରରେ ନୁହେଁ, ମଣିଷର ସାମାଜିକ ଜୀବନକୁ ମଧ୍ୟ ବହୁ ଭାବରେ ପ୍ରଭାବିତ କରିଛି । ଗୋଷ୍ଠୀଗତ ଜୀବନ ବ୍ୟକ୍ତିକୈନ୍ଦ୍ରିକ ଜୀବନକୁ ଆପଣେଇ ନେଇଛି । ଯୌଥ ପରିବାର ପରିବର୍ତ୍ତିତ ହୋଇଛି ଏକକ ପରିବାରରେ । ସାହିତ୍ୟ ସଦାବେଳେ ପରିବର୍ତ୍ତିତ ସମୟକୁ ଆପଣା ସହିତ ଧରି ଚାଲିଥାଏ । ସ୍ୱାଧୀନତୋତ୍ତର ଓଡ଼ିଆ ଗଳ୍ପରେ ଯେଉଁ ପରିବର୍ତ୍ତନ ଏହି ସମୟରେ ଆସିଛି ତତ୍‌ ପଶ୍ଚାତରେ ରହିଛି ଦୁଇଟି ମୁଖ୍ୟ କାରଣ ଓ କେତେକ ଆନୁଷଙ୍ଗିକ ଅନ୍ୟ କାରଣ । ଭାରତ ସ୍ୱାଧୀନତା ପାଇବାର ମାତ୍ର ଦୁଇବର୍ଷ ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୪୫)ର ପରିସମାପ୍ତି ଘଟିଥିଲେ ହେଁ ତା’ର ପ୍ରତିକ୍ରିୟା ତଥାପି ବଳବତ୍ତର ରହିଥିଲା ବିଶ୍ୱ ମଣିଷ ପାଖରେ । ଗୋଟିଏ ଯୁଦ୍ଧର ଆତଙ୍କ ମଧ୍ୟରେ ଯୁଦ୍ଧୋତ୍ତର ମଣିଷ ବଞ୍ଚିଥିବାରୁ ମଣିଷ ପ୍ରତି ରହିଥିବା ବିଶ୍ୱାସବୋଧ କ୍ରମଶଃ ବିଲୟପ୍ରାପ୍ତ ହେଉଥିଲା । ଇଲିୟଟ୍‌ଙ୍କ ପରି କବି, ପିକାଶୋଙ୍କ ପରି ଚିତ୍ରକର ଯୁଦ୍ଧୋତ୍ତର ପୃଥିବୀର ବିକଳାଙ୍ଗ ଚିତ୍ରକୁ ମଣିଷ ସମ୍ମୁଖରେ ତାଙ୍କର କଳାକୃତି ମାଧ୍ୟମରେ ତୋଳି ଧରିଥିଲେ । ଏଣୁ ମଣିଷ ବାରମ୍ବାର ନିଜକୁ ବିଶ୍ଳେଷଣ କରୁଥିଲେ ହେଁ ଏକ ନିର୍ଦ୍ଦିଷ୍ଟ ସମାଧାନରେ ପହଞ୍ଚି ପାରୁ ନ ଥିଲା । ଦ୍ୱିତୀୟ ମୁଖ୍ୟ କାରଣ ଥିଲା ଭାରତୀୟମାନଙ୍କ ଅପହୃତ ସ୍ୱାଧୀନତା ପ୍ରାପ୍ତି ଓ ତା’ର ସ୍ୱପ୍ନଭଙ୍ଗର କାହାଣୀ । ଭାରତୀୟମାନଙ୍କର ଦୀର୍ଘଦିନର ସଂଗ୍ରାମ ସାକାର ହେବା ଯୋଗୁଁ ସେମାନେ ଅନେକ ସ୍ୱପ୍ନ ଦେଖିଥିଲେ । ଘିଅମହୁରେ ଭାରତ ଭାସିବ, ଗରିବର ଭାଗ୍ୟ ବଦଳିଯିବ, ମାଲିକ-ମୂଲିଆ ବ୍ୟବଧାନ ରହିବ ନାହିଁ– ଏମିତି ଅନେକ ସ୍ୱପ୍ନ ଭାରତୀୟଙ୍କୁ ଉଚ୍ଚକିତ କରିଥିଲା । ମାତ୍ର ସ୍ୱାଧୀନତାର ଅଳ୍ପ କେତୋଟି ଦିନ ମଧ୍ୟରେ ସେମାନଙ୍କର ସ୍ୱପ୍ନ ଛଳନାର ମରୁଭୂମିରେ ସତ୍ତା ହରାଇଦେଲା । ତଥାକଥିତ ପ୍ରକୃତ ମୁକ୍ତିସଂଗ୍ରାମୀ ଭାରତର ରାଜନୀତିକ ମଞ୍ଚରୁ ନିଷ୍କ୍ରାନ୍ତ ହୋଇଗଲେ । ଅଥଚ ଯେଉଁମାନେ ଇଂରେଜ ପ୍ରଶାସନକୁ ସମର୍ଥନ କରୁଥିଲେ ତଥା ସଂଗ୍ରାମଠାରୁ ଯଥେଷ୍ଟ ନିରାପଦ ଦୂରତ୍ୱରେ ରହିଥିଲେ, ସେମାନେ କ୍ଷମତା ଅଳିନ୍ଦର ପଛଦ୍ୱାର ଦେଇ ପ୍ରବେଶ କରି କ୍ଷମତା ସିଂହାସନରେ ଅଧିରୂଢ଼ ହୋଇଗଲେ । ସଂଗ୍ରାମର ପରିଭାଷା ବଦଳିଗଲା ସତ, ମାତ୍ର କ୍ଷମତା ଯୁଦ୍ଧର ପରିସମାପ୍ତି ଘଟିଲା ନାହିଁ । ମନେହେଲା ସତେ ଯେପରି କ୍ଷମତା ଇଂରେଜ ହସ୍ତରୁ ଭାରତୀୟଙ୍କ ହସ୍ତକୁ ହସ୍ତାନ୍ତରିତ ହେଲା ମାତ୍ର । ସାହିତ୍ୟିକଗଣ କ୍ଷମତା ରାଜନୀତିର ଏହି ବାଦୀପାଲାକୁ ବେଶ୍‌ ସତର୍କତାର ସହିତ ଲକ୍ଷ୍ୟ କରୁଥିଲେ ।

 

ଉପରୋକ୍ତ ଦୁଇଟି ମୁଖ୍ୟ କାରଣ ବ୍ୟତୀତ ଆଉ କେତୋଟି ଘଟଣା ସାହିତ୍ୟିକମାନଙ୍କର ମାନସ ରାଜ୍ୟକୁ ଆଲୋଡ଼ିତ କରିଥିବାର ଲକ୍ଷ୍ୟ କରାଯାଇପାରେ । ଫ୍ରଏଡ୍‌ଙ୍କ ମନସ୍ତତ୍ତ୍ୱର ଗୁରୁତ୍ୱ ଏ କ୍ଷେତ୍ରରେ ସର୍ବାଦୌ ସ୍ମରଣୀୟ । ଊନବିଂଶ ଶତକରେ ଫ୍ରଏଡ୍‌ଙ୍କ ମନସ୍ତତ୍ତ୍ୱ ମଣିଷର ଭାବରାଜ୍ୟରେ ଯେଉଁ ଆନ୍ଦୋଳନ ସୃଷ୍ଟି କରିଥିଲା, ବିଂଶ ଶତକର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ତା’ର ପ୍ରଭାବ ବଳବତ୍ତର ରହିଥିଲା । ମଣିଷ ମନର ଅନ୍ତର୍ଜଗତର ରହସ୍ୟକୁ ସେ ତାଙ୍କର ମନୋବିଶ୍ଳେଷଣ ମାଧ୍ୟମରେ ଜଗତବାସୀଙ୍କ ସମ୍ମୁଖରେ ତୋଳି ଧରିଥିଲେ । ମଣିଷର ଚେତନ, ଅବଚେତନ ଓ ଅଚେତନ ମନର ବୈଜ୍ଞାନିକ ବିଶ୍ଳେଷଣ ଦ୍ୱାରା ସେ ମଣିଷର ପ୍ରକୃତ ସ୍ୱରୂପ ସମ୍ବନ୍ଧରେ ଅବଗତ କରାଇଥିଲେ । ତାଙ୍କର ଏହି ନୂତନ ବିଶ୍ଳେଷଣ କଳାସୃଷ୍ଟିକୁ ପ୍ରଭାବିତ କରିବାରୁ ଯୁଗ ଯୁଗ ଧରି ନୈତିକତା, ଆଦର୍ଶ, ମୂଲ୍ୟବୋଧ ପରି ବିଭାଗଗୁଡ଼ିକ ଉପରେ ମଣିଷ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । ପାରମ୍ପରିକ ଆଦର୍ଶ ଓ ମୂଲ୍ୟବୋଧ ଧୀରେ ଧୀରେ ତା’ର ପୂର୍ବ ପ୍ରଭାବ ହରାଇବାକୁ ଲାଗିଲା । ଏତଦ୍‌ବ୍ୟତୀତ ଦାରଉଇନ୍‌ଙ୍କ ବିବର୍ତ୍ତନବାଦର ସ୍ଥିତି ପାଇଁ ସଂଗ୍ରାମ ଏବଂ ମଣିଷର ଆତ୍ମପ୍ରତିଷ୍ଠା ତତ୍ତ୍ୱ ବିଭିନ୍ନ ଦାର୍ଶନିକ ଚିନ୍ତାଧାରାକୁ ଜନ୍ମ ଦେଲା । କେହି କେହି ବିଶ୍ୱାସ କରନ୍ତି ବିଂଶ ଶତକରେ ଜନ୍ମ ନେଇଥିବା ସ୍ଥିତିବାଦୀ ଦର୍ଶନର ମୂଳରେ ବିବର୍ତ୍ତନବାଦର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ସହିତ ମାର୍କସଙ୍କ ଦର୍ଶନ ବିଂଶ ଶତକର ବିଶ୍ୱକୁ ଅନ୍ୟ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା । ୧୯୧୭ ମସିହାର ଅକ୍‌ଟୋବର ବିପ୍ଳବ ବିଂଶ ଶତକର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତୀୟ ଜନମାନସକୁ ଆଚ୍ଛନ୍ନ କରି ରଖିଥିଲା । ଓଡ଼ିଆ ପ୍ରଗତିବାଦୀ ସାହିତ୍ୟ ଏହି ଆନ୍ଦୋଳନ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ୧୯୪୭ ମସିହା ପରେ ମଧ୍ୟ ଭାରତୀୟ ସାହିତ୍ୟରେ ମାର୍କସ୍‌ବାଦର ପ୍ରଭାବ ହ୍ରାସ ପାଇ ନ ଥିଲା । ବିଶ୍ୱ ତଥା ଭାରତରେ ସଂଘଟିତ ଉପରୋକ୍ତ ଘଟଣାଗୁଡ଼ିକ ୧୯୪୭-୬୦ ମଧ୍ୟରେ ରଚିତ ଓଡ଼ିଆ ଗଳ୍ପଗୁଡ଼ିକର ଆତ୍ମିକ ବିଭବକୁ ବେଶ୍‌ ପ୍ରଭାବିତ କରିପାରିଥିଲା । ଏତଦ୍‌ବ୍ୟତୀତ ସମାଜ ପ୍ରତି ରହିଥିବା ପାରମ୍ପରିକ ଦୃଷ୍ଟିଭଙ୍ଗୀରେ ମଧ୍ୟ ଏହି ସମୟରେ କେତେକ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଏ । ସମାଜରେ ପରିପୂରିତ କିଛି ରୂଢ଼ିବଦ୍ଧ ଧାରଣା ଓ ବିଶ୍ୱାସକୁ ଲେଖକଗଣ ସେମାନଙ୍କ ସୃଷ୍ଟିରେ ପ୍ରତିଫଳିତ କରାଇ ସାମାଜିକ ଭାବ ଚେତନା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ୧୯୪୭-୬୦ ମଧ୍ୟରେ ରଚିତ ଗଳ୍ପଗୁଡ଼ିକରେ ଉପରୋକ୍ତ ବିଭାଗମାନଙ୍କର କିପରି କଳାତ୍ମକ ପରିପ୍ରକାଶ ଘଟିଛି, ତା’ର ସଂକ୍ଷିପ୍ତ ସୂଚନା ଏଠାରେ ପ୍ରଦାନ କରାଯାଉଛି ।

 

ଭାରତୀୟ ସାହିତ୍ୟରେ ପ୍ରାୟତଃ ବିଂଶ ଶତକର ଚତୁର୍ଥ ଦଶକ ବେଳକୁ ମାର୍କ୍ସବାଦ ଆଦର୍ଶର ପ୍ରତିଫଳନ ଦେଖିବାକୁ ମିଳେ । ଏହି ମାର୍କସବାଦ ଆଦର୍ଶରେ ରଚିତ ସାହିତ୍ୟ ପ୍ରଗତିବାଦ ସାହିତ୍ୟ ରୂପେ ପରିଚିତ । ‘ଆସନ୍ତକାଲିର ସାହିତ୍ୟ’ରେ ପ୍ରାଣନାଥ ପଟ୍ଟନାୟକ ତେଣୁ କହିଛନ୍ତି– ‘‘ସାମାଜିକ ଶୋଷଣ ଓ ଅତ୍ୟାଚାର ବିରୋଧରେ ସଂଗ୍ରାମ କରିବା, ସମାଜ ଶତ୍ରୁକୁ ନିପାତ କରିବା ଓ ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ରୂପ ଦେବା ଓ ପ୍ରଗତିଶୀଳ ସମାଜ ପ୍ରତିଷ୍ଠା କରିବା ପାଇଁ ଯେଉଁ ସାହିତ୍ୟ ଯେଉଁ ସମାଜର ଯେଉଁ ସ୍ତରରେ ଓ ଯେଉଁ ପରିପ୍ରେକ୍ଷୀରେ ଆହ୍ୱାନ ଦେଇଛି, ସେ ସାହିତ୍ୟ ନିଶ୍ଚୟ ଯୁଗେ ଯୁଗେ ପ୍ରଗତିଶୀଳ ସାହିତ୍ୟ ପଦବାଚ୍ୟ ଏଥିରେ ସନ୍ଦେହ ନାହିଁ ।’’ ମାର୍କସ ସଦାବେଳେ ଶ୍ରେଣୀହୀନ ସମାଜର କଥା ହିଁ କହିଛନ୍ତି, ସମାଜରେ ଅସମତାର ବିରୋଧ କରିଛନ୍ତି, ସାମାଜିକ ବ୍ୟବଧାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ମାର୍କସବାଦ ଦଳିତ, ନିପୀଡ଼ିତ ତଥା ସର୍ବହରା ଗୋଷ୍ଠୀର ପ୍ରତିନିଧିତ୍ୱ କଲେ; ରୁଗ୍‌ଣ ସାମାଜିକ ବ୍ୟବସ୍ଥାକୁ ଧ୍ୱଂସ କରି ଏକ ନୂତନ ସମାନତାର ସମାଜ ଗଠନ ପାଇଁ ପ୍ରେରଣା ଦିଏ । ଆମର ସମାଲୋଚକଗଣ ୧୯୩୫-୪୭ ମଧ୍ୟରେ ରଚିତ ସାହିତ୍ୟକୁ ପ୍ରଗତିବାଦୀ ସାହିତ୍ୟ ନାମରେ ପରିଚିତ କରିଛନ୍ତି । ମାତ୍ର ଏହି ସମୟସୀମା ପରେ କେତେକ ସ୍ରଷ୍ଟାଙ୍କ ସୃଷ୍ଟିରେ ଏବଂବିଧ ଚେତନାର ପରିପ୍ରକାଶ ଘଟିଥିବାର ଲକ୍ଷ୍ୟ କରାଯାଇପାରେ । ସୁରେନ୍ଦ୍ର ମହାନ୍ତିଙ୍କ ‘ମଣିଷ ଓ ଅର୍ଥନୀତି’, ‘ଭାରତ ଆବିଷ୍କାର’, ‘କୃଷ୍ଣଚୂଡ଼ା’, ‘ନରବଳି’ ଆଦି କେତୋଟି ଗଳ୍ପରେ ମାର୍କସବାଦର ପ୍ରଭାବ ରହିଅଛି । ସମକାଳୀନ ଭାରତବର୍ଷର ଏକ ସୂଚନାତ୍ମକ ଚିତ୍ର ହେଉଛି ‘‘ଭାରତବର୍ଷ’ ଗଳ୍ପ । ଉଚ୍ଚ ବର୍ଗର ଶୋଷଣ ମଧ୍ୟରେ ସାଧାରଣ ମଣିଷ ପ୍ରତି ମୁହୂର୍ତ୍ତରେ କିପରି ବଳି ପଡ଼ିଚାଲିଛନ୍ତି, ତା’ର ବାସ୍ତବ ରୂପଟି ଏଥିରେ ଉପଲବ୍‌ଧ । ଭାରତବର୍ଷର ଏକ ଶୀତୁଆ ରାତ୍ରିରେ ରାଜପଥ ଧାରରେ ଲକ୍ଷ୍ୟ କରିଛନ୍ତି ଭାରତର ଏକ ରିକ୍ତ ଓ ଦୟନୀୟ ରୂପକୁ । ଏହାର ବର୍ଣ୍ଣନା ଦେଇ ଲେଖିଛନ୍ତି– ‘‘ରାସ୍ତାର ଗୋଟିଏ ପାଖରେ ନର୍ଦ୍ଦମାର ଧାର ଉପରକୁ ଜଳୁଛି ମ୍ରିୟମାଣ ଏକ ଅଗ୍ନିଶିଖା । ଚାରିପାଖେ ତା’ର ଘେରି ବସିଛନ୍ତି କଳା ଅସ୍ଥିଚର୍ମସାର ମନୁଷ୍ୟାକୃତି କେତେଜଣ ଭାରତୀୟ । ଦେହର କଳା, ଶ୍ଳଥ ଚମଡ଼ା ଉପରେ ଢଙ୍କା ହୋଇଛି ଖଣ୍ଡେ ଖଣ୍ଡେ ଅଖା, କାହାରି କାହାରି ଦେହରେ ଅବା ଡଷ୍ଟ୍‌ବିନ୍‌ରେ ପରିତ୍ୟକ୍ତ କାହାର ଛିଣ୍ଡା କୋଟ୍‌ ‘କାଶ୍ମୀର ଶାଲ ମିଳେ ଏଠାରେ’-ପାଖ ମାର୍‍ୱାଡ଼ି ଦୋକାନରେ ଝୁଲୁଚି ସାଇନ୍‌ବୋର୍ଡ ।’’ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଗୋଟିଏ ପଟରେ ଛିଣ୍ଡା ଅଖାର ଆବରଣ, ଅନ୍ୟ ପାଶ୍ୱର୍ରେ କାଶ୍ମୀର ଶାଲ ଗାଳ୍ପିକଙ୍କୁ ପ୍ରତିକ୍ରିୟାଶୀଳ କରିଛି । ସ୍ୱାଧୀନତା ପରେ ବି ଏପରି ଅସମାନତା କାହିଁକି ? ତେଣୁ ସାମାଜିକ ବ୍ୟବସ୍ଥାର ପୁନର୍ନିମାଣ ପାଇଁ ମାର୍କସ୍‌‌ଙ୍କ ଦର୍ଶନର ଯେ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷରେ ଆବଶ୍ୟକତା ରହିଛି, ଗାଳ୍ପିକ ତାହା ବେଶ୍‌ ଅନୁଭବ କରିପାରିଛନ୍ତି । ଅନୁରୂପ ‘‘କୃଷ୍ଣଚୂଡ଼ା’ ଗଳ୍ପର ନାୟକ ସଂଗ୍ରାମରତ ବଞ୍ଚିବା ପାଇଁ । ‘ନରବଳି’ ଗଳ୍ପରେ ପୁଞ୍ଜିବାଦର ଶୋଷଣନୀତି ପରିଲକ୍ଷିତ । ସ୍ୱାଧୀନତା ପରେ ପୁଞ୍ଜିପତି ଶୋଷକ ସତେ ଯେପରି ଇଂରେଜ ସରକାରଙ୍କ ଦଲାଲ ସାଜି ଭାରତରେ ରହିଯାଇଛନ୍ତି । ଇଂରେଜ ପ୍ରଶାସକ ଚାଲିଯିବା ପରେ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରଶିକ୍ଷିତ କିଛି ଭାରତୀୟ ପୁଞ୍ଜିପତି ସାମ୍ରାଜ୍ୟବାଦୀ ଦୃଷ୍ଟିଭଙ୍ଗୀ ନେଇ ସାଧାରଣ ଜନତାର ସ୍ୱାର୍ଥ ଲୁଣ୍ଠନ କରି ଚାଲିଥିଲେ । ଏହାର ପ୍ରତିକ୍ରିୟା ବି ଦେଖାଯାଉଥିଲା କିଛି ସଚେତନ ସାଧାରଣ ମଣିଷଙ୍କ ମଧ୍ୟରେ । ସେଥିପାଇଁ ମାଜିଷ୍ଟ୍ରେଟ୍‌ଙ୍କ ଫାୟାରିଂ ଆଦେଶ ଶୁଣି ୬୦ ବର୍ଷର ବୃଦ୍ଧ ଅରୁଣ ବିଶ୍ୱାଳ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି– ‘‘ମନେରଖ, ବନ୍ଧୁକ ଗୁଳିରେ ତୁମେ ଶ୍ରମିକର ଦାବିକୁ ମାରିପାରିବ ନାହିଁ । ଆମର ବିନ୍ଦୁ ବିନ୍ଦୁ ରକ୍ତରୁ ଶତ ଶତ ରକ୍ତବୀର୍ଯ୍ୟ ବାହାରି ତୁମକୁ ଧ୍ୱଂସ କରିଦେବେ ।’’ ଗୋପୀନାଥ ମହାନ୍ତିଙ୍କ ‘ଘାସଫୁଲ’ରେ ପୁଞ୍ଜିପତି କଳ ଘୂରେଇ ମଜଦୁର ଫସଲକୁ କିପରି ଶୋଷଣ କରିଚାଲୁଥିଲେ, ତା’ର ଏକ ମର୍ମନ୍ତୁଦ ଚିତ୍ର ରହିଛି । ରାଜକିଶୋରଙ୍କ ‘ତୁଠ ପଥର’ରେ ଏହି ଚେତନାର ପରୋକ୍ଷ ଚିତ୍ର ରହିଛି । ସାଧାରଣ ମଣିଷ ସଦାବେଳେ ତୁଠ ପଥର ପରି ଏବଂ ତଥାକଥିତ ଉଚ୍ଚ ମଧ୍ୟବିତ୍ତ ଗୋଷ୍ଠୀ ଏହି ପଥର ଉପରେ ଗୋଡ଼ ଘଷି ନିଜକୁ ଚିକ୍‌କଣ କରି ଚାଲିଥା’ନ୍ତି । ମନୋଜ ଦାସଙ୍କ ‘ନୂଆଦିନ’, ‘ସମୁଦ୍ରର କ୍ଷୁଧା’, ‘ଦେବୀସେବକ’ ଆଦି ଗଳ୍ପରେ ମାର୍କସବାଦୀ ଚେତନାର ପ୍ରତିଫଳନ ଘଟିଛି । ‘ନୂଆଦିନ’ ଗଳ୍ପରେ ଆନ୍ଦୋଳନରତ କମ୍ୟୁନିଷ୍ଟ କହିଛି– ‘‘ବୁଝିଲ କକା ! ଆମ ପୂର୍ବରୁ କେହି ଏ ଆନ୍ଦୋଳନ କରି ନ ଥିଲେ ବୋଲି ଆମେ କହିବା ନାହିଁ, ଏଇଟା ଠିକ୍‌ କଥା ନୁହେଁ । ଦେଖୁନ, ଦିନକୁ ଦିନ କେମିତି ଫସଲ ଖରାପ ହେଉଛି । ଆମର ବାରଣା ଫସଲ ତ ନଷ୍ଟ ହେଲା ବନ୍ୟାରେ । ଆମେ ଆଉ କେତେ ଧାନ ପାଇବୁଁ ଯେ ବର୍ଷକୁ ବର୍ଷ ଜମିଦାର ହାତକୁ ଖଜଣା ଟେକି ଦେଉଥିବୁ । ସେଥିପାଇଁ ଏହାର ଏକ ପରିବର୍ତ୍ତନ ଆବଶ୍ୟକ ବୋଲି ଏମାନେ ଅନୁଭବ କରିଛନ୍ତି ଓ ପରିବର୍ତ୍ତନ ବିପ୍ଳବ ମାଧ୍ୟମରେ ସମ୍ଭବ ବୋଲି ମାର୍କସଙ୍କ ପରି ଏହି ବିପ୍ଳବୀ ବିଶ୍ୱାସ କରିଛନ୍ତି ।

 

୧୯୪୭-୬୦ ମଧ୍ୟରେ ସବୁଠାରୁ ଅଧିକ ଗଳ୍ପ ରଚନା କରାଯାଇଛି ଭାରତୀୟଙ୍କ ସ୍ୱପ୍ନଭଙ୍ଗକୁ ନେଇ । ସଂଗ୍ରାମୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବିଶ୍ୱାସ ଥିଲା ସ୍ୱାଧୀନତା ପରେ ସେମାନେ ଏକ ନୂତନ ଭାରତବର୍ଷକୁ ଦେଖିବେ । ଏ ଭାରତବର୍ଷରେ ଇଂରେଜ ପ୍ରଶାସନର ନିର୍ଯାତନା ନ ଥିବ, ଉଚ୍ଚନୀଚର ଭେଦଭାବ ନ ଥିବ, ମାଲିକ-ମୂଲିଆର ଶ୍ରେଣୀ ସଂଘର୍ଷ ନ ଥିବ, ଧନୀ-ଗରିବର ଆର୍ଥନୀତିକ ବୈଷମ୍ୟ ନ ଥିବ । ମାତ୍ର ସ୍ୱାଧୀନତାର ଅଳ୍ପ କିଛିଦିନ ମଧ୍ୟରେ ଭାରତୀୟଙ୍କ ଏହି ସ୍ୱପ୍ନ ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ହୋଇଗଲା । ସ୍ୱାଧୀନତା ସଂଗ୍ରାମର ସଂଜ୍ଞା ହଠାତ୍‌ କେମିତି ବଦଳିଗଲା । ଗଣସ୍ୱାର୍ଥ ବଦଳରେ ଜଣସ୍ୱାର୍ଥ; ଗଣସେବା ବଦଳରେ ଜଣ ବା ଦଳ ସେବା ହୋଇଉଠିଲା ମୁଖ୍ୟ । ପ୍ରକୃତ ସ୍ୱାଧୀନତା ସଂଗ୍ରାମୀ ରାଜନୀତିର ପଶାପାଲିରେ ବଳି ପଡ଼ିଗଲେ । ଯେଉଁମାନେ ସଂଗ୍ରାମଠାରୁ ଦୂରରେ ରହି ଇଂରେଜ ପ୍ରଶାସନକୁ ସମର୍ଥନ କରୁଥିଲେ, ଗାନ୍ଧୀ ପୋଷାକ ଓ ଟୋପିରେ ସେମାନଙ୍କର ଅନ୍ୟ ଏକ ନୂଆ ରୂପ ଦେଖିବାକୁ ମିଳିଲା । ପୁଣି ଯେଉଁମାନେ କ୍ଷମତା ଅଳିନ୍ଦ ମଧ୍ୟରେ ପ୍ରବେଶ କଲେ, ସେମାନେ ସାଧାରଣ ମଣିଷଙ୍କଠାରୁ ନିଜକୁ ସ୍ୱତନ୍ତ୍ର ବୋଲି ଦାବି କଲେ । ସାଧାରଣ ମଣିଷର ଅର୍ଥରେ ମଉଜ ମଜଲିସ କଲେ । ଏପରିକି କିଛି ସଂଗ୍ରାମୀ ଯେଉଁମାନେ ଇଂରେଜ ସରକାରଙ୍କ ଲୋଭନୀୟ ପଦବୀ ତ୍ୟାଗ କରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ସ୍ୱାଧୀନତାର ରୁଗ୍‌ଣ ରୂପ ଦେଖି ସେମାନେ ଅସହାୟ ହୋଇପଡ଼ିଲେ । ୧୯୪୭-୬୦ ମଧ୍ୟରେ ରଚିତ ଏହି ସ୍ୱପ୍ନଭଙ୍ଗର ଚିତ୍ର ବହୁ ଗାଳ୍ପିକଙ୍କ ଗଳ୍ପରେ ପରିଲକ୍ଷିତ । ଗୋଦାବରୀଶ ମିଶ୍ରଙ୍କ ‘ପୋଲ ଉନ୍ମୋଚନ’ ଏହିପରି ଭାରତୀୟଙ୍କ ସ୍ୱପ୍ନଭଙ୍ଗର ଏକ କାହାଣୀ । ସ୍ୱାଧୀନ ଭାରତବର୍ଷର ପ୍ରଥମ ଦଶନ୍ଧିରେ ହିଁ ସେ ଲକ୍ଷ୍ୟ କରିପାରିଥିଲେ ଭାରତର ପରିବର୍ତ୍ତିତ ରାଜନୀତିକ ହଟଚମଟକୁ । ରାଜନୀତିକ ପ୍ରବଞ୍ଚନା ହିଁ ଜନ୍ମ ଦେଲା ସମାଜରେ ଦୁର୍ନୀତି ଓ ସ୍ୱେଚ୍ଛାଚାରକୁ । ଗୋଦାବରୀଶଙ୍କ ‘ବାଁ ଡାହାଣ’, ‘ରାଜଭୋଗ’, ‘ପୋଲ ଉନ୍ମୋଚନ’ ଆଦି ଗଳ୍ପରେ ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳେ । ‘ପୋଲ ଉନ୍ମୋଚନ’ ଗଳ୍ପରେ ମନ୍ତ୍ରୀ ପୋଲ ଉନ୍ମୋଚନ କରିବାକୁ ଆସିଥିବା ସମୟରେ କ୍ୟାମେରାମ୍ୟାନ୍‌, ସାମ୍ବାଦିକ ଓ ସାଧାରଣ ମଣିଷଙ୍କ ଅସମ୍ଭବ ବ୍ୟସ୍ତତା ମନ୍ତ୍ରୀଙ୍କୁ ଏକ ଅସାଧାରଣ ମଣିଷରେ ପରିଣତ କରିଦେଇଥାଏ । ସ୍ୱାଧୀନତା ପରବର୍ତ୍ତୀ ରାଜନୀତିକ ବ୍ୟକ୍ତିବିଶେଷଙ୍କ ତୁଳନା ଓ ଦୁର୍ନୀତିକୁ ଏହି ଗଳ୍ପରେ ବ୍ୟଙ୍ଗାତ୍ମକ ଭାବରେ ବର୍ଣ୍ଣନା କରାଯାଇଛି । ଗୋଦାବରୀଶ ମହାପାତ୍ର ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ରାଜନୀତିକ ନେତାଙ୍କ ଆଚରଣ ଓ କ୍ରିୟାକଳାପକୁ ନେଇ ଅନେକ ଗଳ୍ପ ରଚନା କରିଛନ୍ତି । ‘ଓଡ଼ିଶାରେ ଚାକିରି ଶସ୍ତା’ ଗଳ୍ପରେ ମନ୍ତ୍ରୀମାନଙ୍କ ପ୍ରିୟାପ୍ରୀତି ତୋଷଣ ପାଇଁ ଅଯୋଗ୍ୟ ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ସଫଳତା ଓ ଯୋଗ୍ୟ ବ୍ୟକ୍ତିଙ୍କ ବିଫଳତା; ‘ଆମେ ଦୁହେଁ ସେ ଦୁହେଁ’ରେ ସାଧାରଣ ମଣିଷଙ୍କ ଦାରିଦ୍ର୍ୟ ସତ୍ତ୍ୱେ ମନ୍ତ୍ରୀଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅଭିନନ୍ଦନ ଆମ ବିକଳାଙ୍ଗ ଗଣତନ୍ତ୍ରର ନମୁନା । ତେଣୁ ଗାଳ୍ପିକ ବ୍ୟଙ୍ଗୋକ୍ତି କରନ୍ତି– ‘‘ମାଣବସା ଗୁରୁବାର ପଛକେ ବନ୍ଦ ହେଉ, ମନ୍ତ୍ରୀଙ୍କ ଅଭିନନ୍ଦନରେ ଯେପରି ବାଧା ନ ପଡ଼େ ।’’ ‘ମରିବାକୁ ବେଳ ନାହିଁ’ରେ ମନ୍ତ୍ରୀ ଓ ରାଜନୀତିକ ନେତାମାନଙ୍କର ଜନସେବା ପରିବର୍ତ୍ତେ ଭାଷଣ ଓ କାର୍ଯ୍ୟହୀନ ବ୍ୟସ୍ତତାକୁ କଟାକ୍ଷପାତ କରାଯାଇଛି । ସ୍ୱାଧୀନତା ସଂଗ୍ରାମରେ ପୁଲିସ୍‌ର ଲାଠି ଓ ଗୁଳି ମାଡ଼ରେ ଆଘାତପ୍ରାପ୍ତ ହୋଇଥିବା ତଥା କାରାବରଣ କରି ନିର୍ଯାତନା ପାଇଥିବା ସଂଗ୍ରାମୀ ସ୍ୱାଧୀନତା ପରେ ଅବହେଳିତ ହେବା ସଙ୍ଗେ ସଙ୍ଗେ ସୁବିଧାବାଦୀଗଣ ରାଜନୀତିରେ ଫାଇଦା ଉଠାଇ ପ୍ରକୃତ ଦେଶସେବାକୁ ଯେପରି ପ୍ରତାରଣା କରି ଚାଲିଛନ୍ତି, ତାହାଙ୍କୁ ଗାଳ୍ପିକ ଚମତ୍କାର ବ୍ୟଙ୍ଗୋକ୍ତି କରିଛନ୍ତି ‘ଶବ ସଂସ୍କାର’ ଗଳ୍ପରେ-। ସ୍ୱାଧୀନତା ପୂର୍ବରୁ ଯେଉଁ ରାଜା ଓ ଜମିଦାରଗଣ ଇଂରେଜ ଶାସନରେ ସାଧାରଣ ଜନତାଙ୍କୁ ଅତ୍ୟାଚାର ଓ ଶୋଷଣ କରୁଥିଲେ, ସ୍ୱାଧୀନତା ପରେ ସେହିମାନେ ଭେକ ବଦଳାଇ ଗାନ୍ଧୀ ଟୋପି ପିନ୍ଧି ନିର୍ବାଚନ ରଣାଙ୍ଗନରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ପ୍ରକୃତ ସଂଗ୍ରାମୀ ଓ ଦେଶସେବୀ ସେମାନଙ୍କର ସେହି ପ୍ରତାରଣାକୁ ସହ୍ୟ କରି ନ ପାରିଲେ ହେଁ ନେତୃବୃନ୍ଦଙ୍କ ଇସାରାରେ ଚୁପ୍‌ ରହିବାକୁ ବାଧ୍ୟ ହୋଇଛନ୍ତି । ‘ହରି ସୁଆରର ଗାନ୍ଧୀ ଟୋପି’ ଗଳ୍ପରେ ଏହି ପରିବର୍ତ୍ତିତ ରାଜନୀତିକ ମାନସିକତାକୁ ସମାଲୋଚନା କରାଯାଇଛି । ‘ମୋର ସ୍ୱର୍ଗକୁ ଯାତ୍ରା’ରେ ମନ୍ତ୍ରୀ ଓ ନେତୃମଣ୍ଡଳୀ ନିଜର ସ୍ୱାର୍ଥ ଏବଂ ସୁବିଧା ପାଇଁ ପ୍ରବଳ ଜନମତକୁ କିପରି ଚାପି ଦେବାକୁ ଚେଷ୍ଟା କରିଛନ୍ତି, ତା’ର ବ୍ୟଙ୍ଗାତ୍ମକ ଚିତ୍ର ରହିଛି । ‘ଦେଶର ଗତି କେଉଁ ଆଡ଼କୁ’ ସ୍ୱାଧୀନତୋତ୍ତର ରାଜନୀତିକ କ୍ରିୟାକଳାପର ଏକ ଚମତ୍କାର ବ୍ୟଙ୍ଗାତ୍ମକ ପରିପ୍ରକାଶ । ଗାଳ୍ପିକଙ୍କ ଭାଷାରେ ‘‘ଏ ମଧ୍ୟରେ ଭାରତ ସ୍ୱାଧୀନ ହେଲା । ଜେଲ୍‌, ଲାଠି, ଜୋରିମାନା, ଦୁଃଖ, ଯନ୍ତ୍ରଣା ଭୋଗ କରି କର୍ମୀ ନେତା ହେଲେ, ନେତା ଚାଳକ ହେଲେ । ସ୍ୱାଧୀନତା ସ୍ରୋତରେ ଜେଲ୍‌ ଫେରନ୍ତା ବୀରମାନଙ୍କ ମଧ୍ୟରୁ କିଏ ଭାସିଯାଇ ଆସେମ୍ବ୍ଲିରେ ଲାଗିଲା ତ କିଏ ଜିଲ୍ଲା ବୋର୍ଡରେ ଲାଗିଲା । କିଏ ପଞ୍ଚାୟତ ବୋର୍ଡରେ ଲାଗିଲା ତ କିଏ ପଞ୍ଚଚାଳିଶ ଟଙ୍କିଆ କୂଳରେ ଲାଗିଲା । କିଏ ଲାଗିଲା କଣ୍ଟ୍ରାକ୍ଟରିରେ ତ କିଏ ଲାଗିଲା ସରକାରୀ କମିଟି ବନ୍ଧରେ । ଧଳା ବଜାରେ କିଏ ଲାଗିଲା ତ କିଏ ଲାଗିଲା କଳା ବଜାରେ । ଦେଖୁ ଦେଖୁ ସମଗ୍ର ଦେଶ ସ୍ୱାଧୀନତା ଉତ୍ସବରେ ମାତି ଉଠିଲା । କିଏ ଜନସେବା କଲା ତ କିଏ ଧନସେବା କଲା, କିଏ ବା ସବୁ ଛାଡ଼ି ମାନସମ୍ମାନ ସେବା କଲା ।’’ ‘ଖଦଡ଼ହକୀମ୍‍’ରେ ସ୍ୱାଧୀନତା ପରେ ଖଦଡ଼ ପୋଷାକ କିପରି ଗୋଟିଏ ଫେସନରେ ପରିଣତ ହୋଇଛି ତା’ର ଏକ କଳାତ୍ମକ ରୂପଚିତ୍ର ଅଙ୍କିତ । ଏତଦ୍‌ବ୍ୟତୀତ ‘ମୁଁ ଦିନେ ମନ୍ତ୍ରୀ ଥିଲି’, ‘ମେଲେଏ’, ‘ସଇତାନର ଭୋଟ’, ‘ବନ ପରିଡ଼ା’ ଆଦି ଗଳ୍ପରେ ସ୍ୱାଧୀନତାର ସ୍ୱପ୍ନଭଙ୍ଗକୁ ଚିତ୍ରିତ କରାଯାଇଛି ।

 

ମନମୋହନ ମିଶ୍ର ନିଜେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସ୍ୱାଧୀନତା ପୂର୍ବବର୍ତ୍ତୀ ଭାରତବର୍ଷ ଏବଂ ପରବର୍ତ୍ତୀ ଭାରତବର୍ଷ ରାଜନୀତିର ସେ ଥିଲେ ପ୍ରତ୍ୟକ୍ଷଦ୍ରଷ୍ଟା । ତାଙ୍କର ଅନୁଭବ ବାସ୍ତବତାର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ତାଙ୍କର କେତୋଟି ଗଳ୍ପରେ ସ୍ୱାଧୀନତୋତ୍ତର ଭାରତୀୟ ରାଜନୀତିର ନିଷ୍ଠୁର ବାସ୍ତବତା ପ୍ରତିଫଳିତ । ତାଙ୍କର ‘ମହାରାଜା’ ଗଳ୍ପରେ ଦେଶସେବୀ ନେତା ବୋଲାଉଥିବା ବ୍ୟକ୍ତିଙ୍କ ବିଳାସବ୍ୟସନ, ରାଜନୀତି ନେତାଙ୍କ ରାଜନୀତି ପଶାଖେଳ; ‘‘ଆଖିର ଦାଗ’ରେ ମନ୍ତ୍ରିତ୍ୱ ଲାଭ ପାଇଁ ନେତାଙ୍କ ନୀତିହୀନ ଉପାୟ ଅବଲମ୍ବନ; ‘ବିନା ମେଘେ’ରେ ରାଜନୀତି ଓ ଦେଶସେବା ଆଳରେ ତଥାକଥିତ ନେତାଙ୍କ ପ୍ରତାରଣାକୁ ବ୍ୟଙ୍ଗ କରାଯାଇଛି । ଅନନ୍ତ ପଟ୍ଟନାୟକ ତାଙ୍କର ଅଳ୍ପ କେତୋଟି ଗଳ୍ପରେ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ଚିତ୍ର ଅଙ୍କନ କରିଛନ୍ତି । ତଥାକଥିତ ରାଜନୀତିକ ନେତାଙ୍କ ପ୍ରତାରଣା ଓ ଅମାନବିକ ଆଚରଣ ପ୍ରତି ତାଙ୍କ ଗଳ୍ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶିତ । ‘ଫେରିଆ’ ଗଳ୍ପରେ ସ୍ୱଦେଶୀ ଆନ୍ଦୋଳନରେ ସଂପୃକ୍ତ ସ୍ୱାଧୀନତା ଆନ୍ଦୋଳନକାରୀଙ୍କ ସ୍ୱାଧୀନତା ପରବର୍ତ୍ତୀ କାଳରେ ପରିବର୍ତ୍ତିତ ମନୋବୃତ୍ତି; ‘ମର୍ଡରର’ ଗଳ୍ପରେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି କାରାବରଣ କରିଥିବା ବ୍ୟକ୍ତିଙ୍କ ପରବର୍ତ୍ତୀ ସମୟରେ ଉପଭୋଗୀ ମନୋବୃତ୍ତିକୁ ଯେପରି ସମାଲୋଚନା କରାଯାଇଛି, ସେହିପରି ‘ଗପ ନୁହେଁ ଆଦୌ’ରେ ସ୍ୱାଧୀନତା ସଂଗ୍ରାମୀ ଗଣେଶ ଚରିତ୍ରର ବୈଶିଷ୍ଟ୍ୟ ପ୍ରକାଶ କରି ସମସାମୟିକ ସମୟର ଏକ ବାସ୍ତବ ଚିତ୍ର ପ୍ରଦାନ କରିବାକୁ ଉଦ୍ୟମ କରିଛନ୍ତି । ରଘୁନାଥ ଦାସଙ୍କ ‘ସ୍ୱରାଜ’ ଗଳ୍ପରେ ବିଶ୍ୱଯୁଦ୍ଧ କାରଣ ଜନିତ ହତାଶ, ହିନ୍ଦୁ ମୁସଲମାନଙ୍କ ସଂଘର୍ଷ, ତଥା ସ୍ୱାଧୀନତାର ସ୍ୱପ୍ନଭଙ୍ଗ ଚିତ୍ରକୁ ଚମତ୍କାର ଭାବେ ରୂପାୟିତ କରିବା ସଙ୍ଗେ ସଙ୍ଗେ ଇଂରେଜ ସରକାର ଭାରତର କଂଗ୍ରେସ ହସ୍ତରେ ଶାସନ କ୍ଷମତା ଅର୍ପଣ କରି ନେଇଯିବା ପରେ ତଥାପି ଲୋକଙ୍କ ମନରେ ଉଠିଥିବା ପ୍ରଶ୍ନ ‘ସ୍ୱାଧୀନତା ଆଉ କେତେ ବାଟ ? କେବେ ?’ ଆମକୁ ଭାରତର ସ୍ୱାଧୀନତା ସଂପର୍କରେ ଆଉ ଥରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ । ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ରାଜାରାଣୀ ଓ କୁକୁର’ ଗଳ୍ପ (୧୯୪୯) ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟକ୍ଷ ଚିତ୍ର ନ ଥିଲେ ହେଁ, ପରବର୍ତ୍ତୀ କାଳରେ ସୃଷ୍ଟି ହୋଇଥିବା ଗଡ଼ଜାତ ଆନ୍ଦୋଳନର ଚିତ୍ର ଦେଖିବାକୁ ମିଳିଥାଏ । ସେତେବେଳେ ରାଜାମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଗଡ଼ଜାତରେ ପ୍ରଜାମେଳି ଆରମ୍ଭ ହୋଇଥିଲା ଯଦ୍ଦ୍ୱାରା ରାଜାଙ୍କୁ ବାଧ୍ୟହୋଇ ଦେଶତ୍ୟାଗ କରିବାକୁ ପଡ଼ିଥିଲା । ଗଡ଼ଜାତ ପ୍ରଜାମାନଙ୍କ ପାଇଁ ଏହା ଥିଲା ସତେ ଯେପରି ଅନ୍ୟ ଏକ ସ୍ୱାଧୀନତା ଆନ୍ଦୋଳନ । ସେହି ପ୍ରତ୍ୟକ୍ଷ ଘଟଣାକୁ ଗାଳ୍ପିକ ଏହି ଗଳ୍ପରେ ବେଶ୍‌ କଳାତ୍ମକ ଢଙ୍ଗରେ ପ୍ରକାଶ କରିଛନ୍ତି । ରାଜକିଶୋର ରାୟଙ୍କ ‘ଛାଗ ମାଂସ ଓ ମାଗୁର ମତ୍ସ୍ୟ’ ଗଳ୍ପରେ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ନେତା ଓ ଅଫିସରମାନଙ୍କର ଦୁର୍ନୀତି ତଥା ଅନୀତିକୁ ବ୍ୟଙ୍ଗୋକ୍ତି କରାଯାଇଛି । ବ୍ରହ୍ମାନନ୍ଦ ପଣ୍ଡାଙ୍କ ‘ସମ୍ମୁଖ ଯୋଗିନୀ’ ଗଳ୍ପରେ ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରେ ଜାତୀୟ ଚରିତ୍ରରେ ଯେଉଁ ନୈତିକ ସ୍ଖଳନ ଦେଖାଯାଇଛି, ତା’ର ଏକ ଚମତ୍କାର ଚିତ୍ର ପ୍ରକାଶିତ । ଗାନ୍ଧୀଙ୍କ ନାମକୁ ଭେକକରି ତଥା ଗାନ୍ଧୀଙ୍କ ମୂର୍ତ୍ତିକୁ ଦେବତା କହି ଦଳେ ଲୋକ ନିଜର ସ୍ୱାର୍ଥ ପାଇଁ କିପରି ଦେଶରେ ଗାନ୍ଧୀଲୁଟ୍‌ ଚଳାଇଛନ୍ତି, ତା’ର ପରୋକ୍ଷ ଚିତ୍ରଟିଏ ଏହି ଗଳ୍ପରେ ପରିଲକ୍ଷିତ ହୋଇଥାଏ । ସ୍ୱାଧୀନତା ସଂଗ୍ରାମୀ ବିଶିଷ୍ଟ ଜନନେତା ନିତ୍ୟାନନ୍ଦ ମହାପାତ୍ରଙ୍କ ‘ଭୂଇଁଫୋଡ଼ ନେତାଙ୍କ ବନ୍ୟାଞ୍ଚଳ ଉଦ୍‌ବୋଧନ’ରେ ସବୁକିଛି ଜାଣିଥିବାର ଅଭିନୟ କରୁଥିବା ସ୍ୱାର୍ଥପର ନେତାମାନଙ୍କ ପ୍ରତି ତୀବ୍ର ବିଦ୍ରୂପ ଓ କଟାକ୍ଷପାତ କରାଯାଇଛି । ଫତୁରାନନ୍ଦଙ୍କ ‘ସ୍ୱାଧୀନତା ଦିବସ’ ଗଳ୍ପରେ ସ୍ୱାଧୀନତା ପରବର୍ତ୍ତୀ ଭାରତର ନେତାମାନଙ୍କର ଦେଶସେବା ଆଳରେ ଆତ୍ମସେବା ତଥା ଆତ୍ମପ୍ରଦର୍ଶନୀକୁ ସମାଲୋଚନା କରାଯାଇଛି । ନିତ୍ୟାନନ୍ଦ ମହାପାତ୍ରଙ୍କ ଅନ୍ୟ ଏକ ଗଳ୍ପ ‘ଏଗାରଟା’ରେ ରାଜନୀତିକ ଶଠତାକୁ ପ୍ରକାଶ କରାଯାଇଛି । ରହିମ ପରି ଜଣେ ସ୍ୱାଧୀନତା ସଂଗ୍ରାମୀର ଅସହାୟତାକୁ ଗାଳ୍ପିକ ବେଶ୍‌ ସମ୍ବେଦନାର ସହିତ ବିଚାର କରିଛନ୍ତି । ଭାରତର ସ୍ୱାଧୀନତା ସ୍ୱପ୍ନରେ ନିଜର ଜୀବନ ଓ ଯୌବନକୁ ବାଜି ଲଗାଇ ଲାଭଜନକ ପୋଲିସ୍‌ ଚାକିରି ତ୍ୟାଗ କରି ମୁକ୍ତି ଆନ୍ଦୋଳନରେ ସାମିଲ ହୋଇ ଜେଲ୍‌ ବରଣ କରିଥିବା ଏହି ସ୍ୱାଧୀନତା ସଂଗ୍ରାମୀଟି ଜେଲ୍‌ରୁ ଫେରି ନୂତନ ମନ୍ତ୍ରିମଣ୍ଡଳରେ ଇଉନିୟନ ଜ୍ୟାକ୍‌ ଓ ନେତାଙ୍କ ଶଠ ଆଚରଣ ଦେଖି ବେଶ୍‌ ଅସହାୟ ଏବଂ ଉତ୍ତେଜିତ ହୋଇପଡ଼ିଛି । କେବଳ ରହିମ୍‌ ନୁହେଁ, ସ୍ୱାଧୀନ ଭାରତବର୍ଷରେ ତା’ପରି ଅନେକ ସ୍ୱାଧୀନତା ସଂଗ୍ରାମୀ ଏପରି ବିଚିତ୍ର ପରିସ୍ଥିତିରେ ହତବାକ୍‌ ହୋଇଛନ୍ତି ।

 

ସୁରେନ୍ଦ୍ର ମହାନ୍ତିଙ୍କ କେତୋଟି ଗଳ୍ପରେ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ନିଚ୍ଛକ ଚିତ୍ର ଅଙ୍କିତ ହୋଇଥିବାର ଦେଖାଯାଏ । ଏ କ୍ଷେତ୍ରରେ ତାଙ୍କର ‘ପତାକା ଉତ୍ତୋଳନ’, ‘ସଂପାଦକ’, ‘ଅପରାଜିତ’ ଆଦି ଗଳ୍ପଗୁଡ଼ିକ ସ୍ମରଣୀୟ ନିଶ୍ଚୟ । ‘ପତାକା ଉତ୍ତୋଳନ’ ଗଳ୍ପଟିର ରଚନାକାଳ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ଚଉରୀଚଉରା ହତ୍ୟାକାଣ୍ଡ ଭାରତୀୟମାନଙ୍କୁ ଉତ୍ତେଜିତ କରିଥିଲା । ଉଗ୍ରଜାତୀୟ ପ୍ରେମରେ ବହୁ ଯୁବକ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଗଳ୍ପର ଚରିତ୍ର ଅରୁଣ ମଧ୍ୟ ଏହି ସଂଗ୍ରାମରେ ସାମିଲ୍‌ ହୋଇଯାଇଥିଲା । ମାତ୍ର ତା’ ବାପା ସୋମନାଥ ମହାପାତ୍ର ଥିଲେ ଇଂରେଜ ସରକାରଙ୍କ ବିଶ୍ୱସ୍ତ ପୋଲିସ୍‌ ଇନିସ୍‌ପେକ୍ଟର ଓ ପ୍ରଜାପୀଡ଼କ । ତାଙ୍କର ଏହି ବିଶ୍ୱସ୍ତ ଆଜ୍ଞାଧୀନପଣିଆ ପାଇଁ ରାୟ ବାହାଦୁର ତଥା ଅନ୍ୟ କେତେକ ଉପାଧିର ଅଧିକାରୀ । ଅରୁଣ କିନ୍ତୁ ପିତାଙ୍କ ମତର ସମର୍ଥନକାରୀ ନୁହେଁ କିମ୍ବା ଗାନ୍ଧୀଜୀଙ୍କ ଅହିଂସା ମନ୍ତ୍ରରେ ବିଶ୍ୱାସ କରେ ନାହିଁ । ଇଂରେଜ ପ୍ରଶାସନର ଲାଠିମାଡ଼ ବିରୋଧୀ ସେ । ତେଣୁ ସେ କୁହେ ‘‘ଏ ଲାଠିମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ–ବନ୍ଦେ ମାତରମ୍‌ ।’’ ଇଂରେଜ ପ୍ରଶାସନର ଅତ୍ୟାଚାର ବିରୋଧୀ ହୋଇଥିବାରୁ ପିତା ସୋମନାଥ ମହାପାତ୍ରଙ୍କ ଗୁଳି ମାଡ଼ରେ ପ୍ରାଣ ଦେଇଛି । ଅଥଚ ତା’ର ପୁତ୍ର ବିଜୟ ହୋଇଛି ସ୍ୱାଧୀନତାର ବାର୍ତ୍ତାବହ । ସେଦିନ ଯେତେବେଳେ ଭାରତର ସ୍ୱାଧୀନ ପତାକା ଧରି ବିଜୟ ଭାରତମାତାର ଜୟଗାନ କରିଛି ବ୍ରିଟିଶ ବଶମ୍ବଦତାର ଅବଶିଷ୍ଟ ରହିଯାଇଥିବା ରକ୍ତର ଆହ୍ୱାନରେ ସୋମନାଥ ମହାପାତ୍ର ତା’ର ବିରୋଧ କରିବାରୁ ଦୀର୍ଘଦିନ ଧରି ନିରବ ରହିଥିବା ଅରୁଣର ମା’ ହେମବତୀ ଦୃଢ଼ ସ୍ୱରରେ କହିଛନ୍ତି– ‘‘ଯେଉଁ ପତାକା ପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ-।’’ ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ଜନସାଧାରଣଙ୍କ ପ୍ରତିକ୍ରିୟାକୁ ଗଳ୍ପଟିରେ ପ୍ରଦର୍ଶିତ କରାଯାଇଛି-। ସ୍ୱାଧୀନତା ପୂର୍ବର ରାଜନୀତିରେ ରହିଥିବା ଦେଶପ୍ରୀତି ଓ ଜାତୀୟତାବୋଧ ସ୍ୱାଧୀନତୋତ୍ତର କାଳରେ କିପରି ବ୍ୟକ୍ତି ସ୍ୱାର୍ଥରେ ରୂପାନ୍ତରିତ ହୋଇଛି, କ୍ଷମତାକାଙ୍ଗାଳ ସ୍ୱାର୍ଥପର ନେତା ଦେଶକୁ କିପରି ବନ୍ଧା ପକାଇ ଚାଲିଛନ୍ତି ତା’ର ଏକ ପରୋକ୍ଷ ଚିତ୍ର ରହିଛି ‘ସଂପାଦକ’ ଗଳ୍ପରେ-। ଅନୁରୂପ ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷରେ ଅର୍ଥ ନିକଟରେ ପ୍ରତିଭା କିପରି ବନ୍ଧା ପଡ଼ିଯାଇଛି ସରୋଜ ଓ ଶ୍ୟାମଳ ଚରିତ୍ର ମାଧ୍ୟମରେ ଗାଳ୍ପିକ ତାହା ପ୍ରକାଶ କରିଛନ୍ତି । ଉଚ୍ଚ ବେତନଭୋଗୀ ସରୋଜ, ଶ୍ୟାମଳ ପରି ଗରିବ ଅଥଚ ପ୍ରତିଭାବାନକୁ କହିଛି– ‘‘ପ୍ରତିଭା ତ କେବେଠାରୁ ହାର ମାନି ସାରିଛି ଶ୍ୟାମଳ, ସେ କେବଳ ମୋର ବ୍ୟକ୍ତିଗତ ଜୀବନରେ ନୁହେଁ– ସେ ପରାଜୟ ସମଗ୍ର ପୃଥିବୀ ବ୍ୟାପୀ । ଅର୍ଥ ଆଜି ପ୍ରତିଭାକୁ କରିଛି କ୍ରୀତଦାସ ।’’

 

ସ୍ୱାଧୀନତା ପରବର୍ତ୍ତୀକାଳୀନ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଫ୍ରଏଡୀୟ ମନସ୍ତତ୍ତ୍ୱ ମଧ୍ୟ ଗୁରୁତ୍ୱ ପାଇଛି । ଏଥିରେ ମଣିଷର ଅବଚେତନ ମନ ଓ ଯୌନକାମନାକୁ ବେଶ୍‌ ଗୁରୁତ୍ୱ ଦିଆଯାଇଛି । ଅବଶ୍ୟ ଯୌନଭାବ ମଣିଷର ଏକ ସ୍ୱାଭାବିକ ପ୍ରବୃତ୍ତି । ମାତ୍ର ଏହି ସ୍ୱାଭାବିକ ପ୍ରବୃତ୍ତିଟି ମଣିଷ ଜୀବନରେ ଏପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ, ତାହା ଫ୍ରଏଡ୍‌ଙ୍କ ପୂର୍ବରୁ କେହି ଦେଖାଇ ପାରି ନ ଥିଲେ । ୧୯୪୭-୬୦ ମଧ୍ୟରେ ରଚିତ କେତେକ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଏହାର ଚମତ୍କାର ଅଭିବ୍ୟକ୍ତି ଘଟିଥିବାର ଲକ୍ଷ୍ୟ କରାଯାଇପାରେ । ସୁରେନ୍ଦ୍ର ମହାନ୍ତିଙ୍କ ‘ଶାଳଭଞ୍ଜିକା’, ‘ସେ ଓ ମୁଁ’, ‘ସବୁଜ ପତ୍ର ଧୂସର ଗୋଲାପ’ ଆଦି ଗଳ୍ପରେ ମଣିଷ ମନର ସଂଗୁପ୍ତ ଭାବନା ରାଶିର ଚମତ୍କାର ପ୍ରତିଫଳନ ପରିଲକ୍ଷିତ । ‘ସେ ଓ ମୁଁ’ ଗଳ୍ପର ନାୟକ ଲମ୍ପଟ । ସୁନ୍ଦରୀ ନାରୀମାନଙ୍କ ପ୍ରତି ସେ ସ୍ୱାଭାବିକ ଭାବରେ ଦୁର୍ବଳ । ଅସୁନ୍ଦରୀ ପତ୍ନୀ କୁମକୁ ବାପାଙ୍କ କଥାରେ ବିବାହ କରିଥିଲେ ହେଁ କେବେ ପତ୍ନୀର ମର୍ଯ୍ୟାଦା ଦେଇନାହିଁ; ବରଂ ସୁନ୍ଦରୀ ସରମାକୁ ପତ୍ନୀ ରୂପେ ବା ରକ୍ଷିତା ରୂପେ ଗ୍ରହଣ କରି ନିଜ ଯୌନ କାମନାକୁ ପରିତୃପ୍ତ କରିଛି । ପତିଠାରୁ ସୋହାଗ ନ ପାଇ କୁମ ଆତ୍ମହତ୍ୟା କରିବା ପରେ ନାୟକ ଉପଲବ୍ଧି କରିଛି– ‘‘ସୌନ୍ଦର୍ଯ୍ୟ ଏକ ଅତୃପ୍ତ କ୍ଷୁଧା, ଏକ ଅନନ୍ତ ପିପାସା, ମରଣର କୁତ୍ସିତ ବାସ୍ତବତାକୁ ଉପହାସ କରିବା ପାଇଁ ଏକ ଅବଲମ୍ବନ ।’’ ‘ଶାଳଭଞ୍ଜିକା’ରେ ସୁନ୍ଦରୀ ମନୀଷାର ବୟସ ଅତିକ୍ରାନ୍ତ ହୋଇଥିଲେ ହେଁ ସୁଦ୍ଧା ‘ଫ୍ରିଜ୍‌ଡ’ ଅଥବା ମନ୍ଦିର ଗାତ୍ରର ଚିରମୌନୀ ସ୍ଫୁରିତ ଯୌବନା ଶାଳଭଞ୍ଜିକା ପରି ନିଜକୁ ଲୁକ୍‌କାୟିତ ରଖିଛି । ଫ୍ରଏଡ୍‌ଙ୍କ ଲିବିଡୋ ତତ୍ତ୍ୱ ଉକ୍ତ ଗଳ୍ପରେ ପରିଲକ୍ଷିତ । ସବୁଜ ପତ୍ର ଧୂସର ଗୋଲାପରେ ମାର୍କସବାଦ ଓ ଫ୍ରଏଡ୍‌ଙ୍କ ମନସ୍ତତ୍ତ୍ୱର ମିଶାମିଶି ରୂପ ଦେଖିବାକୁ ମିଳେ । ‘କୃଷ୍ଣଚୂଡ଼ା’ ଗଳ୍ପରେ ମଧ୍ୟ ମନସ୍ତତ୍ତ୍ୱର ପ୍ରଭାବ ଦେଖିବାକୁ ମିଳିଥାଏ । ବୈପ୍ଳବିକ ଚିନ୍ତାଧାରା ମାଧ୍ୟମରେ ସମାଜର ପରିବର୍ତ୍ତନ ଆଶାୟୀ ଶ୍ୟାମଳ, ବିନୋଦ ଓ ଲଳିତା ନିଜର ଜାନ୍ତବ କ୍ଷୁଧାକୁ ଅସ୍ୱୀକାର କରିପାରିନାହାନ୍ତି । ‘ନୀଳଜ୍ୟୋତ୍ସ୍ନା’ ଓ ‘ଆନନ୍ଦ ଓ ଭୈରବୀ’ ଗଳ୍ପରେ ମଣିଷର ଆଦିମ ପ୍ରବୃତ୍ତି ଯୌନ ଚେତନାର ପରିପ୍ରକାଶ ଘଟିଛି ।

 

ନିତ୍ୟାନନ୍ଦ ମହାପାତ୍ରଙ୍କ ‘ଜୀବନ୍ତ ପାଷାଣ’, ‘ଅଦ୍ଭୁତ ବ୍ୟାଧି’ ଆଦି ଗଳ୍ପରେ ଫ୍ରଏଡୀୟ ମନସ୍ତତ୍ତ୍ୱର ସୁନ୍ଦର ପ୍ରତିଫଳନ ଘଟିଛି । ଅବଚେତନ ମନର ପ୍ରତିକ୍ରିୟା ଗଳ୍ପ ଚରିତ୍ରର ଚେତନ ସ୍ତରକୁ ପ୍ରଭାବିତ କରିଥିବାର ଦେଖାଯାଇଥାଏ । ପ୍ରାଣବନ୍ଧୁ କରଙ୍କ ‘ଭ୍ରାନ୍ତି’, ‘ପରାହତ’, ‘ଗୋଟିଏ ଦିଗ’, ‘ଏ ପୃଥିବୀରେ ନୁହେଁ’ ଆଦି ଗଳ୍ପ ମଧ୍ୟ ଏ କ୍ଷେତ୍ରରେ ବିଚାର୍ଯ୍ୟ । ଗୋପୀନାଥ ମହାନ୍ତିଙ୍କ ‘ଜୟ କୀଚକ’ରେ ଯୌନପୀଡ଼ିତ ଜୀବନର ପ୍ରମତ୍ତତା ପରିଲକ୍ଷିତ । ସେହିପରି ତାଙ୍କର ‘ନୀଳିମାର କବର’ ଗଳ୍ପରେ ଫ୍ରଏଡ୍‌ଙ୍କ ଅବଚେତନ ମନର ପ୍ରତିକ୍ରିୟାକୁ ନୀଳିମା ଚରିତ୍ରରେ ଲକ୍ଷ୍ୟ କରାଯାଇପାରେ । ଜନୈକ ପୁରୁଷକୁ ଦେଖିବା ପରେ ନୀଳିମାର ନାରୀତ୍ୱ ଜାଗ୍ରତ ହେବା ସହିତ ସେହି ପୁରୁଷର କପାଳରେ ଦେଖାଯାଉଥିବା ଜିକିଜିକି ଝାଳ ଏବଂ ମୁହଁର କଣ୍ଟାଳିଆ ଦାଢ଼ି ତା’ ଦେହରେ ଶିହରଣ ସୃଷ୍ଟି କରିଛି । ତା’ର ସେହି ଅନୁଭବକୁ ଭାଷାରେ ରୂପ ଦେଇ ଗାଳ୍ପିକ ଲେଖିଛନ୍ତି– ‘‘ଦେହଟାକୁ ଆସ୍ତେ ଦୋହଲାଇ ଦେଇ ତା’ର ଆରସି ଆଡ଼କୁ ଅନେଇ ନୀଳିମା ହସିଦେଲା । ପୁଣି କାର୍ଯ୍ୟରେ ମନ ଦେଲା । ଦୁଇ ହାତରେ ଧଳା ସ୍ନୋ ଟିକିଏ ନେଇ ତା’ର ମାଂସଳ ଗାଲକୁ ତଳକୁ ଟାଣି ମୁହଁ ବଙ୍କେଇ ରଗଡ଼ିଲା ।’’ ‘ନାରୀତ୍ୱର ଅନନ୍ତ କ୍ଷୁଧା’ ଓ ‘ଆକାଂକ୍ଷା’ ଗଳ୍ପଟିରେ ବ୍ୟଞ୍ଜିତା ମହାପାତ୍ର ନୀଳମଣି ସାହୁଙ୍କ କେତେକ ଗଳ୍ପରେ ଫ୍ରଏଡୀୟ ମନସ୍ତତ୍ତ୍ୱର ସଫଳ ପରିପ୍ରକାଶ ଘଟିଛି । ଏ କ୍ଷେତ୍ରରେ ତାଙ୍କର ‘ମୂର୍ଚ୍ଛିତ ବିଷାଦ’, ‘ଇତି ଭକ୍ତଂ ପାରଜେନ’, ‘‘ମନମତ୍ତ ଦୁହାଁଳ ଗାଈ’ ଆଦି ସ୍ମରଣୀୟ । ଅବଚେତନ ମନର ସଂଗୁପ୍ତ ରହସ୍ୟ ଉନ୍ମୋଚନ କରି ସେ ତାଙ୍କର ଶେଷୋକ୍ତ ଗଳ୍ପରେ ଲେଖିଛନ୍ତି– ‘‘ବର୍ଷାରୁ ରକ୍ଷା ପାଇବା ପାଇଁ ଆମେ ଏ ରାଣୀ ଗୁମ୍ଫାରେ ପଶିଲୁ । ତା’ ଭିତରେ ପଶିଲାମାତ୍ରେ ମିତିଆ ରାଣୀ ଭଳିଆ ହେଲା । ମୁଁ ଭାବିଲି ମୋର ଗୋଟାଏ ରାଜଦଣ୍ଡ ଥେଲା ଭଳିଆ ଲାଗୁଛି । ଏଇ ରାଜଦଣ୍ଡ ମୋର ସାଧନ ଦଣ୍ଡ ବର୍ତ୍ତମାନ । ଆସ ରାଜରାଣୀ ଖେଳ ସାଧିବା । ସେଇଠୁ ଆମେ ପରସ୍ପର ଇଚ୍ଛାନୁସାରେ ସେ କାର୍ଯ୍ୟରେ ମାତିଲୁ । ସେଇଠୁ ପରସ୍ପର ଇଚ୍ଛାନୁସାରେ ସବୁ ପୋଛାପୋଛି କରିଦେଲୁ ।’’ କିଶୋରୀ ଚରଣ ଦାସଙ୍କ ‘ଭଙ୍ଗା ଖେଳଣା’ର ଗୀତାବୋଉ, ‘ଆଇସ୍‌କ୍ରିମ୍‌’ର ମିସେସ୍‌ ଲାଲ ଆଦି ନାରୀଗଣ ଅତୃପ୍ତ ଯୌନ କାମନା ଦ୍ୱାରା ସର୍ବଦା ଆଉଟୁପାଉଟୁ ହୋଇଛନ୍ତି । ନାରୀ ମନର ସୂକ୍ଷ୍ମ ରହସ୍ୟକୁ ଗାଳ୍ପିକ ବେଶ୍‌ ସତର୍କତାର ସହିତ ତାଙ୍କର ଗଳ୍ପମାନଙ୍କରେ ପ୍ରକାଶ କରି ଫ୍ରଏଡ୍‌ଙ୍କ ମନସ୍ତତ୍ତ୍ୱର ବାସ୍ତବ ଦିଗ ସଂପର୍କରେ ସୂଚନା ଦେଇଛନ୍ତି ।

 

ମନୋଜ ଦାସଙ୍କ ପ୍ରାଥମିକ ପର୍ଯ୍ୟାୟର କେତୋଟି ଗଳ୍ପରେ ଫ୍ରଏଡୀୟ ମନସ୍ତତ୍ତ୍ୱର ସଫଳ ପରିପ୍ରକାଶ ଲକ୍ଷ୍ୟଣୀୟ । ‘ସଂଗୋପନ’ ଗଳ୍ପରେ ବାର୍ଦ୍ଧକ୍ୟ ସମୟରେ ମଧ୍ୟ ଯୌବନ କାଳର ଅତୃପ୍ତ ଇଚ୍ଛା କିପରି ମଣିଷକୁ ଅତ୍ୟନ୍ତ ଦୟନୀୟ ଓ ଅସହାୟ କରିପାରେ, ଶରତ ବାବୁଙ୍କ ଚରିତ୍ର ମାଧ୍ୟମରେ ଗାଳ୍ପିକ ତାହା ପ୍ରମାଣ କରିଦେଇଛନ୍ତି । ସେହିପରି ‘ଆରଣ୍ୟକ’ ଗଳ୍ପରେ ମିସେସ୍‌ ମିଟି ଚରିତ୍ର ମାଧ୍ୟମରେ ଗାଳ୍ପିକ ମଣିଷର ଯୌନ କାମନାକୁ ପ୍ରତୀକାତ୍ମକ ଭାବରେ ପ୍ରକାଶ କରିଛନ୍ତି । ଶ୍ୟାମଳ ସହିତ ମିସେସ୍‌ ମିଟିର ଆଦିମ ଲୀଳାକୁ ପ୍ରକାଶ କରି ଲେଖକ ଲେଖିଛନ୍ତି– ‘‘ତତ୍ପରେ ଦୁର୍ଘଟଣା ସଂପର୍କରେ କିଛି ଉଚ୍ଚବାଚ୍ୟ ନ କରି ସେ ଗୋଟାଏ ମାରାତ୍ମକ ହସ ଫୁଟାଇ କହିଲେ– ତୁମେ ଜଣେ ଓସ୍ତାତ ଶିକାରୀ, ନୁହେଁ ଶ୍ୟାମଳ ? ଶ୍ୟାମଳ ବୁଝିଲା ମିସେସ୍‌ ମିଟି ତାକୁ କୋଡ଼ିଏ ବର୍ଷ ତଳର ଖେଳ ସାଥୀଟିଏ ଭଳି ଲାଗିଲେ, ଯିଏ କି ସହଜ ଭାବରେ ଗୋଟାଏ ଖେଳର କୌଶଳ ଶିଖାଇ ଦେଉଛି ମାତ୍ର । ‘କନ୍ୟାୟନ’ ଗଳ୍ପରେ ମଧ୍ୟ ଏହି ଅବଚେତନ ଭାବଧାରାର ଚମତ୍କାର କଳାତ୍ମକ ରୂପ ପ୍ରକାଶିତ । ଏତଦ୍‌ବ୍ୟତୀତ ରାଜକିଶୋର ପଟ୍ଟନାୟକଙ୍କ ‘ଭଡ଼ାଘର’, ‘ପ୍ରତିଧ୍ୱନି’; ଗୋପୀନାଥ ମହାନ୍ତିଙ୍କ ‘ଅସରନ୍ତି’, ‘କାଉ କୋଇଲି’; ସୁରେନ୍ଦ୍ର ମହାନ୍ତିଙ୍କ ‘ସିଗାରେଟ୍‌’, ‘ମହାନିର୍ବାଣ’ ଆଦି ଗଳ୍ପରେ ଫ୍ରଏଡୀୟ ମନସ୍ତତ୍ତ୍ୱକୁ ଲକ୍ଷ୍ୟ କରାଯାଇପାରେ ।

 

ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ମଣିଷ ମନରେ ସ୍ଥିତି ପ୍ରତି ଯେଉଁ ସଂଶୟ ତଥା ବଞ୍ଚିବା ପାଇଁ ପ୍ରବଣତା ସୃଷ୍ଟି ହେଲା, ତାହା ଜନ୍ମ ଦେଇଥିଲା ଅସ୍ତିତ୍ୱବାଦୀ ଦର୍ଶନକୁ । ମଣିଷ ନିଜେ ନିଜକୁ ମୁକ୍ତ କରିବାକୁ ପଡ଼ିବ, ମନ୍ଦା ମଣିଷଧାଡ଼ିରୁ ନିଜର ଅସ୍ତିତ୍ୱକୁ ଜାହିର କରିବାକୁ ହେବ ଏବଂ ସେ ଏକ ସ୍ୱତନ୍ତ୍ର ସତ୍ତା– ଏହା ତାକୁ ନିଜକୁ ହିଁ ପ୍ରମାଣ କରିବାକୁ ପଡ଼ିବ ବୋଲି ଏହି ଦର୍ଶନ ଦାବି କରିଥାଏ । ସମସ୍ତ ପ୍ରତିକୂଳତା ମଧ୍ୟରେ ସଂଗ୍ରାମ କରି ଜିଇବାକୁ ସ୍ଥିତିବାଦୀ ଦର୍ଶନ ସର୍ବଦା ଗୁରୁତ୍ୱ ଦେଇଥାଏ । ୧୯୪୭-୬୦ ମଧ୍ୟରେ ରଚିତ କେତୋଟି ଓଡ଼ିଆ ଗଳ୍ପରେ ଏହି ଦର୍ଶନର ପ୍ରତିଫଳନ ଘଟିଥିବାର ଲକ୍ଷ୍ୟ କରାଯାଇପାରେ । ସୁରେନ୍ଦ୍ର ମହାନ୍ତିଙ୍କ ‘କୃଷ୍ଣଚୂଡ଼ା’ ଗଳ୍ପର ନାୟକ ସଦାନନ୍ଦ ଜଣେ ସ୍ଥିତିବାଦୀ ଚରିତ୍ର । ବଞ୍ଚିବା ପାଇଁ ତା’ ସଂଗ୍ରାମର ଅନ୍ତ ନାହିଁ । ସାଂପ୍ରତିକ ଯୁଗର ପ୍ରତିଟି ମଣିଷ କ୍ରୀତଦାସ ପରି ଜୀବନ ବଞ୍ଚି ଚାଲିଛି ବୋଲି ଗଳ୍ପନାୟକ ସଚେତନ । କ୍ରୀତଦାସର ଏ ପୃଥିବୀ, ଏହାର ପ୍ରତ୍ୟେକ ଅଧିବାସୀର ଅସ୍ଥିମଜ୍ଜାରୁ ବଞ୍ଚିବାର ଆନନ୍ଦ ଶୋଷଣ କରିନେଇଛି ଦାସତ୍ୱ । ଏହି ଗଳ୍ପର ଚରିତ୍ରଗଣ ବଞ୍ଚିବା ପାଇଁ ସଂଗ୍ରାମ କରନ୍ତି, ନିଜର ସ୍ଥିତି ଜାହିର ପାଇଁ ଉଦ୍ୟମ ଜାରି ରଖିଥା’ନ୍ତି । ଏହି କାରଣରୁ ଶ୍ୟାମଳ, ମଲ୍ଲିକା, ବସନ୍ତ ଆଦି ଚରିତ୍ରଗଣ ପାରମ୍ପରିକ ମୂଲ୍ୟବୋଧକୁ ସ୍ୱୀକାର କରନ୍ତି ନାହିଁ । ତାଙ୍କର ‘ଭାଗାବଣ୍ଡ’ ଗଳ୍ପରେ ମଧ୍ୟ ଏହି ଦର୍ଶନ ପ୍ରତିଫଳିତ । ମଣିଷର ବଞ୍ଚିବା ପ୍ରତି ଗାଳ୍ପିକ ବେଶ୍‌ ଗୁରୁତ୍ୱ ଦିଅନ୍ତି । କୌଣସି ଜୀବନବାଦୀ ଶିଳ୍ପୀ କେବେ ନେତିବାଚକ ଚିନ୍ତାଧାରାକୁ ବିଶ୍ୱାସ କରେ ନାହିଁ ସ୍ଥିତିବାଦୀଙ୍କ ପରି । ତେଣୁ ସେ ଗଳ୍ପ ମାଧ୍ୟମରେ କୁହନ୍ତି– ‘‘ଗୋଟିଏ ଘର ଭାଙ୍ଗିଛ ଦୁଃଖ ନାହିଁ, ଭୟ ନାହିଁ, ଆଶଙ୍କା ନାହିଁ । ପୁଣି ନୂଆଘର ଗଢ଼ାହେବ । ସବୁ ଦୁର୍ଯୋଗ, ଦୁଃଖ, ଅଭିଶାପ ଭିତରେ ମଣିଷ ବଞ୍ଚିଛି ଆଉ ବଞ୍ଚିବ ।’’ ଏ କ୍ଷେତ୍ରରେ ରାଜକିଶୋର ପଟ୍ଟନାୟକଙ୍କ ‘ଘାସ’ ଗଳ୍ପର ବକ୍ତବ୍ୟଟିକୁ ସ୍ମରଣ କରାଯାଇପାରେ– କଅଁଳ ଦୂବଘାସ କେତେଥର ଏମିତି ଗୋରୁର ପାକୁଳି ଭିତରେ ନିଶ୍ଚିହ୍ନ ହୋଇ ମିଳେଇ ଯାଇଛି, ତଥାପି ସେ ତ ମରିନାହିଁ । ବାଟ କରରେ ଥାଇ ସୁଦ୍ଧା ଏତେ ଲୋକରେ ଯିବା ଆସିବାର ଧାସ, ଗାଈଗୋରୁଙ୍କ ପାଟି ତାହାକୁ ପୋଛିପାରି ନାହିଁ ।

 

ବିଶ୍ୱଯୁଦ୍ଧ ପରେ ଆଉ ଯେଉଁ ଚେତନାଟି ମଣିଷ ସମାଜକୁ ମଣିଷର ସୁଖ-ଦୁଃଖରେ ଭାଗୀଦାର ହେବାକୁ ପ୍ରୋତ୍ସାହନ ଦେଇଥିଲା, ତାହା ହେଉଛି ମାନବବାଦୀ ଚିନ୍ତାଧାରା । ପ୍ରତ୍ୟେକ ମଣିଷ ଭିତରେ ନିଜକୁ ଓ ନିଜ ଭିତରେ ଜଗତକୁ ଦର୍ଶନ କରିବା ନିମିତ୍ତ ଏହି ଚେତନା ସହାୟତା କରିଥାଏ । ବିଶେଷକରି ସମାଜର ଅବହେଳିତ, ପୀଡ଼ିତ ତଥା ସବୁଥିରୁ ବଞ୍ଚିତ ମଣିଷ ପ୍ରତି ଏହା ଅଧିକ ଭାବପ୍ରବଣତା ପ୍ରକାଶ କରେ । ଏହି ସମୟର କେତୋଟି ଓଡ଼ିଆ ଗଳ୍ପରେ ଏହାର ଚମତ୍କାର ଉଦାହରଣ ଶବଳିତ । ସୁରେନ୍ଦ୍ର ମହାନ୍ତିଙ୍କ ‘ଇଜମାଲୀ’ ଗଳ୍ପ କ୍ଷୟିଷ୍ଣୁ ସାମନ୍ତବାଦକୁ ଉପଜୀବ୍ୟ କରି ରଚିତ ହୋଇଥିଲେ ହେଁ ମାନବତାର ସ୍ୱର ଏହାକୁ ଅଧିକ ଚିତ୍ତାକର୍ଷକ କରିପାରିଛି । ପାର ଅପାର ମୃତ୍ୟୁ ସମସ୍ତ ବିରୋଧୀଙ୍କୁ ଏକତ୍ର କରିପାରିବା ପଶ୍ଚାତ୍‌ରେ ମାନବିକ ଭାବାବେଗ ହିଁ ଗୁରୁତ୍ୱ ପାଇଛି । ‘ମହାନଗରୀର ରାତ୍ରି’ରେ ରୂପଜୀବୀ ଚନ୍ଦ୍ରା ମାଧ୍ୟମରେ ମହାନଗରୀ ଜୀବନଯାତ୍ରାର ସୂକ୍ଷ୍ମ ଅନୁଶୀଳନ କରାଯାଇଛି । ରୂପଜୀବୀ ମଧ୍ୟରେ ବି ମାନବିକତାର ଅନ୍ତଃସଲିଳା ଫଲ୍‌ଗୁଟିଏ ମଧ୍ୟ ପ୍ରବାହିତ । ମିନୁ ପ୍ରତି ଥିବା ତା’ର ଦରଦୀପଣ ହିଁ ତା’ ମଧ୍ୟରେ ଅବଶିଷ୍ଟ ଥିବା ମଣିଷପଣିଆକୁ ସାବ୍ୟସ୍ତ କରିଥାଏ । ତାଙ୍କର ‘ଅଷ୍ଟ୍ରେଲିଆ’ ମଧ୍ୟ ଏକ ଚମତ୍କାର ମାନବବାଦୀ ଗଳ୍ପ । ଅମୀର ଖାଁ ଗଳିରେ ପଚା ନର୍ଦ୍ଦମା ମଧ୍ୟରେ ଶଢ଼ୁଥିବା ଅମୃତ ସନ୍ତାନର ଦୁଃଖ ତାଙ୍କୁ ଗଭୀର ବ୍ୟଥା ଦେଇଛି । ଗଳ୍ପ ନାୟକର ସୁନାର ଅଷ୍ଟ୍ରେଲିଆର ସ୍ୱପ୍ନ ସତେ ଯେପରି ହଜିଯାଇଛି ଭାରତର ଶତ ଶତ ଗଳି ଅଞ୍ଚଳର ଦୁଃଖ ଦୈନ୍ୟ ଭିତରେ ।

 

ରାଜକିଶୋର ପଟ୍ଟନାୟକଙ୍କ ମାନବେତର ଚରିତ୍ର ଅବଲମ୍ବନରେ ରଚିତ ଗଳ୍ପଗୁଡ଼ିକରେ ମାନବିକ ସମ୍ବେଦନଶୀଳତାର ଭରପୂର ରୂପ ଦେଖିବାକୁ ମିଳିଥାଏ । ସର୍ବହରା ମଣିଷଙ୍କ ପ୍ରତି ସହାନୁଭୂତି ତାଙ୍କ ଗଳ୍ପର ଅନ୍ୟତମ ବୈଶିଷ୍ଟ୍ୟ । ‘ଧର୍ମର ଅଭିଶାପ’, ‘ବିଶ୍ୱାସ’, ‘ପୁରୁଣା କଥା’, ‘ପରଶ’ ଆଦି ଗଳ୍ପକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ । ମହାପାତ୍ର ନୀଳମଣି ସାହୁ ଲଘୁହାସ୍ୟ ମାଧ୍ୟମରେ ଚମତ୍କାର ମାନବିକ ସମ୍ବେଦନଶୀଳତା ସୃଷ୍ଟି କରିପାରନ୍ତି ତାଙ୍କ ଗଳ୍ପ ସମୂହରେ । ‘ମିଛବାଘ’ ଗଳ୍ପ ଲଘୁହାସ୍ୟପୂର୍ଣ୍ଣ ଜଣାଯାଉଥିଲେ ହେଁ ଗଧଟିର ଅକାଳ ମୃତ୍ୟୁ ଯେକୌଣସି ପାଠକ ହୃଦୟରେ ସମ୍ବେଦନା ଭାବ ସୃଷ୍ଟି କରିବାକୁ ସମର୍ଥ । ‘ପ୍ରେମର କ୍ଷୁଧା’ ଗଳ୍ପରେ ଗଳ୍ପ ନାୟକର ଅକାଳ ବିୟୋଗ, ‘ଅଭିନୟର ଲୁହ’ରେ ଜଣେ ଚିରନ୍ତନୀ ମାତାର ଭାବାବେଗ, ‘ଡାକ୍ତର ମୃଣାଳିନୀ’ ଗଳ୍ପରେ ନାରୀର ବିଷାଦ ଓ ଅସହାୟତା, ‘କୁମାରୀ ଲଳିତା ମିଶ୍ର’ ଗଳ୍ପରେ ଲଳିତାର ଭଲ ପାଇବାର ବିଫଳତା, ‘ବାଘର ବିଳାପ’ ଗଳ୍ପରେ ଧରମକୁଣ୍ଡର ଅସହାୟତା ତଥା ତା’ର ବିକଳ ହେଣ୍ଟାଳ ପାଠକଙ୍କ ମନରେ ସ୍ୱାଭାବିକ ଭାବରେ ସମ୍ବେଦନାର ପ୍ରସ୍ରବଣ ସୃଷ୍ଟି କରିଥାଏ ।

 

ଏତଦ୍‌ବ୍ୟତୀତ ଏହି ସମୟସୀମା ମଧ୍ୟରେ ରଚିତ କେତୋଟି ଗଳ୍ପରେ ସାମାଜିକ ସଂସ୍କାରବୋଧର ସ୍ୱର ବେଶ୍‌ ତୀବ୍ର । ଗୋଦାବରୀଶ ମିଶ୍ରଙ୍କ ‘ପୁଆଣି ଘର’ ଗଳ୍ପରେ ଯୌତୁକର ଭୟାବହତାକୁ ଗାଳ୍ପିକ ଦେଖାଇ ଦେଇଛନ୍ତି । ନୀଳାମ୍ବର ବାବୁ ଝିଅକୁ ଭୁଷଣ୍ଡପୁରୀ ବାସନ ଦେବାକୁ ପ୍ରତିଶ୍ରୁତି ଦେଇ ଯଥା ସମୟରେ ଦେଇ ନ ପାରିବାରୁ ଶାଶୂଘରେ ବାରମ୍ବାର ଗଞ୍ଜଣା ସହ୍ୟ କରିଛି-। ଗୋଦାବରୀଶ ମହାପାତ୍ରଙ୍କ ‘ନୀଳ ମାଷ୍ଟରାଣୀ’ରେ ବାଲ୍ୟବିବାହର କରୁଣତା ପ୍ରଦର୍ଶିତ-। ‘ସଇତାନର ଭୋଟ’ ଗଳ୍ପରେ ଗ୍ରାମର ପଣ୍ଡିତ ଓ ଅଭିଜାତସଂପନ୍ନ ବ୍ୟକ୍ତିଙ୍କ ମଦ୍ୟପାନ ଓ ଗଞ୍ଜେଇ ସେବନ ପ୍ରତି ବ୍ୟଙ୍ଗୋକ୍ତି ଗାଳ୍ପିକଙ୍କ ସଂସ୍କାର ଭାବନାର ପରିଚାୟକ । ଉପରୋକ୍ତ ଦୁଇଜଣ ଗାଳ୍ପିକଙ୍କ ଗଳ୍ପ ବ୍ୟତୀତ ଏହି ସମୟରେ ଗଳ୍ପ ରଚନା କରୁଥିବା ଅନ୍ୟାନ୍ୟ ଗାଳ୍ପିକମାନଙ୍କର ଗଳ୍ପରେ ମଧ୍ୟ ସଂସ୍କାର ଭାବନାର ସ୍ୱର ବେଶ୍‌ ପ୍ରଶଂସନୀୟ ।

 

୧୯୪୭-୬୦, ମାତ୍ର ତେର ବର୍ଷର ସମୟ ପରିଧି ହେଲେ ହେଁ ଏହି ସମୟର ଗଳ୍ପଗୁଡ଼ିକ ସ୍ୱାଧୀନତା ପୂର୍ବବର୍ତ୍ତୀ ଗଳ୍ପଗୁଡ଼ିକଠାରୁ ଉଚ୍ଚାରଣ ଓ ଆଚରଣରେ କେତେକାଂଶରେ ଭିନ୍ନ ନିଶ୍ଚୟ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଂଘଟିତ ବିଭିନ୍ନ ଘଟଣାକୁ ଉପଜୀବ୍ୟ କରି ଏହି ସମୟର ଗାଳ୍ପିକଗଣ ଗଳ୍ପ ରଚନା କରିଥିବାରୁ ସେମାନଙ୍କର ସାମାଜିକ ପ୍ରତିବଦ୍ଧତା ପ୍ରମାଣିତ । ଏତଦ୍‌ବ୍ୟତୀତ ଏହି ସମୟରେ ଗଳ୍ପ ରଚନା କରିଥିବା ଅନେକ ଗାଳ୍ପିକ ପରବର୍ତ୍ତୀ ସମୟରେ ଆହୁରି ଉନ୍ନତମାନର ଗଳ୍ପ ରଚନା କରି ଓଡ଼ିଆ ଗଳ୍ପ ସାହିତ୍ୟକୁ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦିଗରୁ ସମୃଦ୍ଧ କରିପାରିଛନ୍ତି ।

Image

 

Unknown

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପର ବାସ୍ତବବାଦୀ ଚେତନା ଓ ତା’ର ପ୍ରୟୋଗ

(୧୯୪୭-୧୯୬୦)

ଗିରୀଶ ଚନ୍ଦ୍ର ସାହୁ

 

ସ୍ୱାଧୀନତାକୁ ସାହିତ୍ୟକର ମୁକ୍ତି ବା ବ୍ୟକ୍ତିଚେତନାର ବିକାଶ ରୂପେ ଗ୍ରହଣ କରାଯାଇପାରେ ନାହିଁ କାରଣ ସାହିତ୍ୟକର ମୁକ୍ତି ଆସେ ନିଜ ଭିତରୁ । ଅନ୍ତର୍ଚେତନାର ସ୍ୱଚ୍ଛନ୍ଦ ଅଭିବ୍ୟକ୍ତି ସ୍ୱାଧୀନ ଜାତି, ବ୍ୟକ୍ତି, ସମାଜ ଓ ସାହିତ୍ୟ-ସଂସ୍କୃତିର ମୁକ୍ତି ଘୋଷଣା କରେ । ସ୍ୱାଧୀନ ରାଷ୍ଟ୍ରର ସାହିତ୍ୟିକଙ୍କ କେବଳ ଆତ୍ମମୁକ୍ତି ହୁଏନାହିଁ, ପରିଚ୍ଛନ୍ନ ମୁକ୍ତିର-ପୁଲକ ପ୍ରାଣରେ ଓ ଶରୀରରେ ଆଣେ ଯୁଗାନ୍ତକାରୀ ଆହ୍ଲାଦ ।

 

ସମାଜ-ସଂସ୍କୃତି-ସାହିତ୍ୟର ଅଭ୍ୟୁଦୟ ପାଇଁ ୧୯୪୭ ମସିହା ଭାରତ ଇତିହାସରେ ତେଣୁ ଏକ ଗୁରୁତ୍ୱପୂର୍ଣ୍ଣ ସୀମାରେଖା ଅଙ୍କନ କରିଛି । ଏହି ରାଷ୍ଟ୍ରୀୟ ସୀମାରେଖାକୁ ସାହିତ୍ୟ ସଂସାରର ବିଭାଜିକା ରୂପେ ଗ୍ରହଣ କରାଯିବାର କୌଣସି ପ୍ରତିବନ୍ଧକ ନାହିଁ ବରଂ ଏହା ଆମ ସାହିତ୍ୟ ଜଗତ ପାଇଁ ଉଲ୍ଲେଖନୀୟ ନିଷ୍ପତ୍ତି ରୂପେ ଗୃହୀତ ହେବ ।

 

ପରମ୍ପରାର ନିଗଡ଼ରୁ ମୁକ୍ତହୋଇ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ଆଙ୍ଗିକ ଓ ଆତ୍ମିକ ସଂପଦରେ ସମସ୍ତ ପ୍ରଗତି ଓ ଉନ୍ନତି ସାଧିତ ହୋଇଛି ।

 

କଥାକାର ମହାପାତ୍ର ନୀଳମଣି ସାହୁଙ୍କ ମତରେ– ‘‘୧୯୪୭-୪୮ ପରେ ପରେ ହିଁ ଓଡ଼ିଆ ଗଳ୍ପ ସାହିତ୍ୟର ବିଚିତ୍ର ଓ ବହୁବିଧ ପ୍ରସାର ଲାଗି ଦଶଦିଗ ଖୋଲିଗଲା’’ । ୧ ।

 

ସାହିତ୍ୟର ଜୀବନଧାରାକୁ ମୁଖ୍ୟତଃ ଦୁଇଟି ଦିଗରୁ ବିଚାର କରାଯାଏ (କ) ଆତ୍ମିକ ପ୍ରକରଣ: ଏହା ଆତ୍ମିକ ସ୍ୱରକୁ ଅନୁରଣିତ କରିଥିଲା ବେଳେ, (ଖ) ଆଙ୍ଗିକ ପ୍ରକରଣ: ଏହା ଅଙ୍ଗ ପ୍ରକରଣ ବୈଶିଷ୍ଟ୍ୟକୁ ପ୍ରତିପାଦନ କରିଥାଏ । ସ୍ୱାଧୀନତା ପରବର୍ତ୍ତୀ ଗଳ୍ପ ସାହିତ୍ୟର ଆତ୍ମିକ ବିଚାର ଏକ ସ୍ୱୟଂସଂପୂର୍ଣ୍ଣ ଗବେଷଣାର ଅପେକ୍ଷା ରଖେ । ଏଥିରେ ଥିବା କେତୋଟି ଗୁରୁତ୍ୱପୂର୍ଣ୍ଣ ଦର୍ଶନ ଓ ‘ବାଦ’ ବିଚାରଭୁକ୍ତ କରାଯାଇ ତାହାର ଏକ ସ୍ଥୂଳ ରୂପ ଦିଆଯାଇପାରେ ।

 

ସେହି ଦୃଷ୍ଟିରୁ ସ୍ୱାଧୀନତା ପରବର୍ତ୍ତୀ ଗଳ୍ପଧାରାକୁ ବିଶ୍ୱ ପରିପ୍ରେକ୍ଷୀରେ ସାହିତ୍ୟରେ ଅନୁସୃତ କେତୋଟି ପ୍ରୟୋଗ ପକ୍ଷକୁ ଏ ପ୍ରସଙ୍ଗରେ ମର୍ଯ୍ୟାଦା ଦିଆଯାଇପାରେ । ସେଗୁଡ଼ିକ ହେଲା– ଭାବପକ୍ଷରେ ଯଥାକ୍ରମେ ବାସ୍ତବବାଦ, ମାର୍କ୍ସବାଦ, ଅତିବାସ୍ତବବାଦ, ଫ୍ରୟେଡ୍‌ବାଦ ଓ ସ୍ଥିତିବାଦ । ବିଶ୍ୱସାହିତ୍ୟର ପାରମ୍ପରିକ ଧାରାରେ ବାସ୍ତବବାଦୀ ଦୃଷ୍ଟିକୋଣର ପ୍ରୟୋଗ ଏକ ଅଦ୍ଭୁତ କ୍ରାନ୍ତି ସାଧନ କରିଛି । ପାରମ୍ପରିକ ଧାରାରେ କଳ୍ପନା ଥିଲା ମୁଖ୍ୟ ଏବଂ ପାଠକକୁ ବାସ୍ତବ ସମାଜରୁ ସେହି କଳ୍ପଲୋକକୁ ନେଇଯିବା ଥିଲା ସାହିତ୍ୟର ଉଦ୍ଦେଶ୍ୟ ।

 

ଜୀବନକୁ ଆମେ ଯେମିତି ଭେଟୁ– ତାହା ହିଁ ବାସ୍ତବ । ଯାହାର ଅସ୍ତିତ୍ୱ ଅଛି– ତାହା ବାସ୍ତବ । ଜୀବନର ଧ୍ୱଂସକାରୀ ଶକ୍ତି ବିରୋଧରେ ସଂଗ୍ରାମ କରି ବଞ୍ଚି ରହିବା ତେଣୁ ବାସ୍ତବତା । ସାହିତ୍ୟରେ ଏହା ବାସ୍ତବବାଦ (realism) ନାମରେ ଅଭିବ୍ୟକ୍ତି ଲାଭ କରିଛି ।

 

ବାସ୍ତବତାକୁ ଏଡ଼େଇ ପାରିବାର ଶକ୍ତି ମଣିଷର ନାହିଁ । ଜୀବନର ଏକମାତ୍ର ସତ୍ୟ ହେଉଛି ବାସ୍ତବତା । ଏହି ବାସ୍ତବତାର ଯଥାଯଥ ସାହିତ୍ୟିକ ଅଭିବ୍ୟକ୍ତିର ବାହୁଲ୍ୟ ଓ ଏକ ନିର୍ଦ୍ଦିଷ୍ଟ ସାହିତ୍ୟିକ ଶୈଳୀ ହିସାବରେ ଗ୍ରହଣୀୟତା ହିଁ ବାସ୍ତବବାଦ, ଯାହା ବଞ୍ଚିବାର ମୋହ ତଥା ଜିଇବାର ଆଶା ଜାଗ୍ରତ କରିବା ସଂଗେ ସଂଗେ ସମସ୍ତ ପ୍ରତିରୋଧକ ଶକ୍ତି ବିରୁଦ୍ଧରେ ସଂଗ୍ରାମ କରି ପ୍ରଗତି ପଥରେ ଆଗେଇ ନେବାରେ ସହାୟକ ହୁଏ । ୨ ।

 

ଅଳଙ୍କରଣ କିମ୍ବା ଆଦର୍ଶ ଆରୋପଣ ନ କରି ଜୀବନକୁ ଅବିକଳ ଭାବରେ ଚିତ୍ରିତ କରିଥିବା ଯେକୌଣସି ସାହିତ୍ୟିକ ରଚନାକୁ ବାସ୍ତବବାଦୀ ସାହିତ୍ୟ କୁହାଯାଇପାରେ । ୧୮୫୦ ମସିହାଠାରୁ ୧୮୮୦ ମସିହା ମଧ୍ୟରେ ସମଗ୍ର ଇଉରୋପୀୟ ସାହିତ୍ୟ ବାସ୍ତବବାଦ ଦ୍ୱାରା ବିଶେଷ ଭାବେ ପ୍ରଭାବିତ । ଏହି ଚେତନା ରୋମାଣ୍ଟିସିଜିମ୍‌ ବା ସ୍ୱୈରବାଦ ବିରୋଧରେ ଅଭ୍ୟୁତ୍‌ଥିତ ହୋଇଥିଲା ।

 

ଫରାସୀ ବିପ୍ଳବ ଓ ତତ୍‌ପରବର୍ତ୍ତୀ ସାମାଜିକ ଅବସ୍ଥା ବାସ୍ତବତାର ଜନକ । ଏହି ବିପ୍ଳବ ସାଧାରଣ ଜନତାର ମନରେ ଅଧିକାର, ଆହରଣର ଓ ପ୍ରତିଷ୍ଠାର ବୀଜମନ୍ତ୍ର ସଞ୍ଚାର କରିଥିଲା । ପ୍ରଥମତଃ ବିବର୍ତ୍ତନବାଦ କହିଲା ଯେ ଯୋଗ୍ୟତମର ହିଁ ପ୍ରତିଷ୍ଠା ଘଟେ । ଦ୍ୱିତୀୟତଃ ପୁରଷ ଓ ନାରୀ ସବୁ ଦୃଷ୍ଟିରୁ ସମାନ ବୋଲି ଚିକିତ୍ସାବିଜ୍ଞାନ ଧାରଣା ଦେଲା । ତୃତୀୟତଃ ମନୁଷ୍ୟର ସ୍ଥିତି ଦୈବୀ ଆଶୀର୍ବାଦ ଯୋଗୁ ନୁହେଁ ବରଂ ପାରମ୍ପରିକତା ଓ ନୈତିକତା ବିଲୁପ୍ତ ହୋଇ ସ୍ୱପ୍ନ, କଳ୍ପନା, ଆଶା, ଆକାଙ୍‌କ୍ଷା ବଦଳରେ ବାସ୍ତବତାର ବିକଟ ସତ୍ୟ ଦୃଶ୍ୟମାନ ହେଲା ।

 

ବାସ୍ତବବାଦୀ ଭାବଧାରାକୁ ଯଦି କୌଣସି ଯନ୍ତ୍ର ହଠାତ୍‌ ଏକ ଛାଞ୍ଚ ଦେଇଥାଏ ତାହା ହେଉଛି କ୍ୟାମେରାର ଉଦ୍ଭାବନ । କ୍ୟାମେରା ହିଁ ଅଙ୍କନ ଚିତ୍ରଠାରୁ ପୃଥକ୍‌ ହୋଇ ପ୍ରଥମେ ବସ୍ତୁର ଯଥାଯଥ ଛବି ଦେଖାଇପାରିଲା । ସେଥିରୁ ବର୍ଣ୍ଣିତ ବିଷୟକୁ ଅତିରଞ୍ଜନ ଓ ଅନୁରଞ୍ଜନ ମୁକ୍ତକରି ସିଧାସଳଖ ଓ ସରଳ ଭାବେ ପ୍ରକାଶ କରିବାର ସାହିତ୍ୟିକ ପ୍ରବଣତା ସୃଷ୍ଟି ହେଲା ।

 

ସାହିତ୍ୟରେ ବାସ୍ତବବାଦ କହିଲେ ଆଦର୍ଶବାଦ ବିରୋଧୀ ଏକ ଚେତନା । ଯାହା ବସ୍ତୁତଃ କାଳ୍ପନିକତା ପରିହାର କରି ଅବିକଳତା ଉପରେ ଗୁରୁତ୍ୱ ଦିଏ ।

 

ଶୈଳୀ ଦୃଷ୍ଟିରୁ ବାସ୍ତବବାଦୀ ସାହିତ୍ୟ ଦୈନନ୍ଦିନ କାରବାର, ସାଧାରଣ ଘଟଣା, ଦୃଶ୍ୟ ଏବଂ ସାଧାରଣ ମଣିଷକୁ ଯଥାକ୍ରମେ ସ୍ଥାନ, କାଳ, ପାତ୍ର ଓ ବିଷୟ ଭାବେ ଗ୍ରହଣ କରିଥାଏ । ସମାଜର ଅବହେଳିତ, ନିଷ୍ପେଷିତ, ଅତ୍ୟାଚାରିତ, ନିମ୍ନ ଶ୍ରେଣୀର ଜନଗଣଙ୍କ ପ୍ରତି ସମବେଦନା ପ୍ରକାଶ ପୂର୍ବକ ସେମାନଙ୍କର ମାନବିକତାକୁ ସ୍ୱୀକାର ତଥା ଏବଂବିଧ ଦୁରବସ୍ଥା ପାଇଁ ସମାଜକୁ ଦାୟୀ କରିଥାଏ ।

 

‘କଳାରେ ବାସ୍ତବବାଦ’ ଶୀର୍ଷକ ପ୍ରବନ୍ଧରେ ମାର୍କ୍ସ ବିଶିଷ୍ଟ ପରିସ୍ଥିତି ଅନ୍ତର୍ଗତ ବିଶିଷ୍ଟ ଚରିତ୍ରର ଚିତ୍ରଣକୁ ‘ବାସ୍ତବବାଦ’ କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି ।

 

ବାସ୍ତବବାଦୀ ସାହିତ୍ୟରେ ମୁଖ୍ୟତଃ ନିମ୍ନୋକ୍ତ ଲକ୍ଷଣମାନ ପରିଦୃଷ୍ଟ ହୁଏ ।

 

୧. ସ୍ଥାନୀୟ ଦୃଶ୍ୟ ତଥା ମଣିଷର ପରିଚୟ ।

 

୨. ସମସାମୟିକ ଘଟଣା ଓ ଆଚାର ବିଚାରର ବିବରଣ ।

 

୩. ଅଳ୍ପ ସଂପର୍କ ଥିଲେ ମଧ୍ୟ ସଂପୃକ୍ତ ସ୍ଥାନ ଓ ପାତ୍ରମାନଙ୍କ ବର୍ଣ୍ଣନା ।

 

୪. ଲୋକଭାଷା ଏବଂ ବାସ୍ତବ ଉକ୍ତି ପ୍ରତ୍ୟୁକ୍ତିର ସ୍ପଷ୍ଟ ତଥା ଅବିକଳ ପ୍ରୟୋଗ ।

 

୫. ବ୍ୟାପାର ତଥା ବିଜ୍ଞାନ ସଂପର୍କୀୟ ପାରିଭାଷିକ ଶବ୍ଦର ବ୍ୟବହାର ।

 

୬. ବର୍ଣ୍ଣିତ ଘଟଣା ସମୂହରେ କାର୍ଯ୍ୟକାରଣ ସମ୍ବନ୍ଧରେ ରୂପକ ଦେବା ନିମିତ୍ତ ପତ୍ରାବଳୀ ଅଭିଲେଖ ଓ ପୁସ୍ତକମାନଙ୍କର ଉଲ୍ଲେଖ । ୩ ।

 

ବାସ୍ତବବାଦ ବିଷୟ ଦୃଷ୍ଟିରୁ ଭିନ୍ନ ହୋଇଥାଏ । ସେଗୁଡ଼ିକ ସାମାଜିକ, ଆର୍ଥନୀତିକ, ରାଜନୈତିକ, ମନୋବୈଜ୍ଞାନିକ ଓ ଐତିହାସିକ ବାସ୍ତବବାଦ ଭାବରେ ବିଭକ୍ତ ହୋଇପାରେ ।

 

ପରିବେଶ ଦୃଷ୍ଟିରୁ ବାସ୍ତବତାର ଚିତ୍ର ସହର କିମ୍ବା ଗ୍ରାମ ଏବଂ ପର୍ବତ ଅଥବା ସମୁଦ୍ର ଭେଦରେ ଭିନ୍ନ ହୋଇପାରେ । ଭାଷା ଓ ଶୈଳୀ ଦୃଷ୍ଟିରୁ ଏହା ପାତ୍ରମୁଖୀ କଥିତ କିମ୍ବା ଲେଖାଭିତ୍ତିକ ସାଧୁଭାଷା ଯୁକ୍ତ ହୋଇପାରେ ।

 

ତେବେ ମୋଟ ଉପରେ କଥନିକା ଫୁଟେ ସମୀକ୍ଷାତ୍ମକ ବାସ୍ତବବାଦ ।

 

ଚରିତ୍ର ମଧ୍ୟରେ ଫୁଟେ ମନସ୍ତାତ୍ତ୍ୱିକ ବାସ୍ତବବାଦ, ପରିବେଶରେ ପ୍ରକାଶ ପାଏ ଚିତ୍ରଧର୍ମୀ ବାସ୍ତବବାଦ । ୪ ।

ଓଡ଼ିଆ କ୍ଷୁଦ୍ରଗଳ୍ପରେ ସ୍ୱାଧୀନତା ପରବର୍ତ୍ତୀ କାଳରେ ବାସ୍ତବବାଦର ରୂପାୟନ ସମର୍ଥ ଭାବରେ ଘଟିଛି । ଗୋଦାବରୀଶ ମହାପାତ୍ରଙ୍କଠାରୁ ବୀଣାପାଣି ମହାନ୍ତିଙ୍କ ପର୍ଯ୍ୟନ୍ତ ପ୍ରତି ଗାଳ୍ପିକଙ୍କ ଗଳ୍ପରେ ବାସ୍ତବବାଦର ନ୍ୟୂନାଧିକ ପ୍ରୟୋଗ ପରିଲକ୍ଷିତ ।

ଫକୀରମୋହନୋତ୍ତର ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ପ୍ରାଣସ୍ପନ୍ଦନର ଯଥାର୍ଥ ରୂପକାର ଭାବେ ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୫) ପ୍ରତିଷ୍ଠିତ । ପଲ୍ଲୀ ଜୀବନର ଅଶ୍ରୁଳ ଅବ୍ୟକ୍ତ ବେଦନାର ସେ ଚିତ୍ରକର । ତାଙ୍କର ଉଦ୍ଦେଶ୍ୟ ନୁହେଁ ସମାଜର ସମତଳ ବାସ୍ତବତା (surface reality)ର ଚିତ୍ର ଆଙ୍କିବା । ତାଙ୍କର ଲକ୍ଷ୍ୟ ସମତଳ ବାସ୍ତବତାର ଅନ୍ତଃସ୍ଥଳରେ ଥିବା ପରସ୍ପର ବିରୋଧାତ୍ମକ ତଥା ନିତ୍ୟ ସଂଘର୍ଷଶୀଳ ନିମ୍ନବାହୀ ମାନବିକ ପ୍ରବୃତ୍ତି-ସ୍ରୋତକୁ ବାଙ୍‌ମୟ ରୂପଦେବା । ୫ ।

‘ଗଳ୍ପ ନୁହେଁ’ (୧୯୫୧), ‘ନୀଳ ମାଷ୍ଟ୍ରାଣୀ’ (୧୯୫୮), ‘ଶ୍ରୁତି ସଂଚୟନ’ (୧୯୬୫) ସଂକଳନର ଗଳ୍ପଗୁଡ଼ିକ ପ୍ରାୟ ସ୍ୱାଧୀନତାର ପୃଷ୍ଠଭୂମିରେ ଓ ତତ୍‌ ପରବର୍ତ୍ତୀ କାଳରେ ଲିଖିତ ଓ ପ୍ରକାଶିତ ହୋଇଛି ।

‘ମୋ କାହାଣୀର କାହାଣୀ’ ଶିରୋନାମାର ଗୋଦାବରୀଶ କହନ୍ତି, ‘‘ମୁଁ ଏସବୁ ଗଳ୍ପ ଲେଖିଲାବେଳେ କାହାକୁ ବଳେବଳେ ଟାଣିଆଣି ପୂରାଏନି, ଊଣାଅଧିକେ ଏ ଗଳ୍ପର ନାୟକ ନାୟିକା ସମସ୍ତେ ସମାଜର ଜୀବନ୍ତ ଛବି ରୂପେ ମୋତେ ଦେଖା ଦେଇଛନ୍ତି । ‘ନୀଳ ମାଷ୍ଟ୍ରାଣୀ’ ଏବେ ମଧ୍ୟ ପୁରୀ ଜିଲ୍ଲାରେ ଏକ ମଫସଲ ପୋଖରୀରେ ମଇଳା ଲୁଗା କାଚୁଛି । ‘ବନ ପରିଡ଼ା’ ଜୀବନର ସ୍ୱାଦ ପାଇବା ପାଇଁ ଅନ୍ୟ ପନ୍ଥା ନ ପାଇ ଏବେ ମଧ୍ୟ ଅଣବାଟରେ କଟକରେ ବୁଲୁଛି । ‘ଜାଲ ଟଙ୍କା’ର ନାୟିକା ଏବେ ମଧ୍ୟ ବଞ୍ଚିଛି କି ନାହିଁ ଜାଣେନା, ମାତ୍ର ନାୟକ ଏବେ ବି ମୁଣ୍ଡଟେକି ଚାଲୁଛନ୍ତି । ଫଗୁଦାସଙ୍କ ଖୋର୍ଦ୍ଧାର କଙ୍କରିଳ ଭୂଇଁ ଉପରେ ଏବେ ବି ମହକିଲଙ୍କ ସୁପରିଚିତ ଜୀବନର ସ୍ୱପ୍ନ ଦେଖି ନ ପାରି ଗଳ୍ପର ନାୟକ କ’ଣ ପାଇବା ଆଶାରେ ଏବେ ବି କଟକରୁ ଭୁବନେଶ୍ୱର ଯିବା ଆସିବା କରୁଛନ୍ତି । ** ମେଲେ ଏ ଏବେ ଅଛନ୍ତି କିନ୍ତୁ ଏମ୍‌.ଏଲ୍‌.ଏ ହୋଇନାହାନ୍ତି । ୬ । ଉପରୋକ୍ତ ସ୍ୱୀକାରୋକ୍ତି ଚରିତ୍ର ଚୟନର ବାସ୍ତବତା ବ୍ୟଞ୍ଜିତ କରେ ।

ଅନନ୍ତ ପ୍ରସାଦ ପଣ୍ଡା (୧୯୦୬-୧୯୯୦)ଙ୍କ ଗଳ୍ପ ଦିଗନ୍ତ ନିମ୍ନବର୍ଗ ମଣିଷର ପ୍ରତିନିଧିତ୍ୱ କରେ । ଚାକିରିଜୀବୀ ମଣିଷମାନଙ୍କର ଚାକଚକ୍ୟପୂର୍ଣ୍ଣ ଜୀବନ ବାହାରକୁ ଦିଶୁଥିଲା ମନୋରମ ମାତ୍ର ଭିତରେ ଚରିଯାଉଥିଲା ଉଇ ।

‘ଟାଇପ୍‌ଫୋର୍‌’ ଗଳ୍ପରେ ନୂଆ ରାଜଧାନୀ ଭୁବନେଶ୍ୱରରେ ବସା ବାନ୍ଧିବାକୁ ଯାଇଥିବା ଜନୈକ କିରାଣି ରମେଶବାବୁଙ୍କ ଅସହାୟତା ସ୍ୱାଧୀନତା ପରବର୍ତ୍ତୀ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ମଣିଷର ଦୁଃଖଦ ଅନୁଭବ ବ୍ୟତୀତ କ’ଣ ହୋଇପାରେ ? ବାସ୍ତବ ଅଥଚ ଅସହାୟ ଜୀବନକୁ ଅନନ୍ତ ପ୍ରସାଦ ପଣ୍ଡା ହିଁ ଚମତ୍କାର ରୂପରେ ବ୍ୟଞ୍ଜିତ କରିଛନ୍ତି । ସ୍ୱାଧୀନତା ପୂର୍ବରୁ ଲେଖନୀ ଚାଳନା କରି ସ୍ୱାଧୀନତା ପରର ବାସ୍ତବ ଜୀବନକୁ ‘ସଭ୍ୟତାର ତଳେ’, ‘ମନର ଭୂତ’, ‘ବାରମଜା’, ‘ନୈଶ୍ୟ ସୁନ୍ଦରୀ’ ପରି ଗଳ୍ପ ପୁସ୍ତକରେ ଅଙ୍କନ କରିଛନ୍ତି ।

ଗୋପୀନାଥ ମହାନ୍ତି (୧୯୧୪-୧୯୯୧)– ସ୍ୱାଧୀନତାର ପ୍ରାକ୍‌ କାଳରୁ ଲେଖନୀ ଚାଳନା କରିଥିବା ଏହି କଥାକାରଙ୍କ ଗଳ୍ପ ସଂକଳନ ସମୂହ ସ୍ୱାଧୀନତା ପରେ ହିଁ ପ୍ରକାଶ ପାଇଛି । ‘ଘାସର ଫୁଲ’ (୧୯୫୧), ‘ପୋଡ଼ା କପାଳ’ ୧୯୫୧, ‘ନବବଧୂ’ (୧୯୫୨) ପ୍ରଭୃତି ହେଉଛି ଷାଠିଏ ପୂର୍ବବର୍ତ୍ତୀ ଗଳ୍ପଗ୍ରନ୍ଥ । ‘ଘର’ ଗଳ୍ପରେ ନୂଆ ରାଜଧାନୀକୁ ବଦଳି ହୋଇ ଆସିଥିବା ସଦାଶିବ ଘରେ ଖଣ୍ଡେ ନ ପାଇ ଆସନ୍ନପ୍ରସବା ପତ୍ନୀଙ୍କ ପାଇଁ ଉଠିଯାଆନ୍ତି ଡାକ୍ତରଖାନାର ବଖୁରିକିଆ ବସାକୁ । ‘ଘର’ ଖୋଜାର ଏଇ ବାସ୍ତବ ଚିତ୍ର ଗୋପୀନାଥଙ୍କୁ ଅନନ୍ୟ ଶିଳ୍ପୀର ମାନ୍ୟତା ଦିଏ ।

ଚରିତ୍ର ପ୍ରକରଣ ଦୃଷ୍ଟିରୁ ବାସ୍ତବବାଦର ପ୍ରଗାଢ଼ ଶୁଶ୍ରୂଷା କରିଛନ୍ତି ଗୋପୀନାଥ । ‘ଜୟ କୀଚକ’ ଗପରେ ସେହିଭଳି ଏକ ଚରିତ୍ର ଗୃହୀତ ଯେ ନାନ୍ଦନିକତା ଅପେକ୍ଷା ଦେହର ଦାହ ବେଶି ଦେଖେ ଏବଂ ପ୍ରଥା ପରମ୍ପରାକୁ ଉଲ୍ଲଂଘନ କରି ନୂତନ ଦୃଷ୍ଟିକୋଣରୁ ପରିବେଶର ବାସ୍ତବତାକୁ ଚିହ୍ନେ-‘ଜୟ କୀଚକ’ର କୀଚକ ମହାଭାରତର କୀଚକ ପରି ଦୁର୍ଦ୍ଧର୍ଷ, ଦୁର୍ଦ୍ଦଣ୍ଡ, ଅପ୍ରମିତ ଓ ଅପରାଜେୟ । ପାପବୋଧର ଊର୍ଦ୍ଧ୍ୱରେ ତା’ର ପାଶବ ଚେତନା । ଧର୍ଷଣ, ବଳାତ୍କାର, ଦମନ, ପୀଡ଼ନ ଓ ଅତ୍ୟାଚାର ପ୍ରତି ତା’ଠାରେ ଦୁର୍ବାର ଆଗ୍ରହ । ତରୁଣୀମାନଙ୍କୁ ଅକ୍ତିଆର ଓ ଉପଭୋଗ କରିସାରି ସେ ନୂଆ ତରୁଣୀ ସନ୍ଧାନ କରେ । ସେ ଗଭୀର ଭାବେ ବିଶ୍ୱାସ କରେ ଯେ, ତଥାକଥିତ ‘ପାପ’ ପାପ ନୁହେଁ । ତାହାହିଁ ପ୍ରକୃତ ମାନବ-ସମ୍ବନ୍ଧୀ ଲକ୍ଷଣ, ପୁଣ୍ୟ ଏକ କଳ୍ପିତ ଚେତନା, ସ୍ୱର୍ଗ ଏକ କଳ୍ପିତ ସ୍ଥାନ ।

ଆଲୋଚ୍ୟ ଚରିତ୍ରଟିର ଦୃଷ୍ଟିଭଙ୍ଗୀରୁ ମଧ୍ୟ ଏକ ବାସ୍ତବ ଦର୍ଶନ ଝଲସିଉଠେ– ‘‘କ’ଣ ଅଛି ଏ ଦେହରେ ? ସୌନ୍ଦର୍ଯ୍ୟ ! ତୁମଠି ଏ ସୌନ୍ଦର୍ଯ୍ୟ ବି ଆରୋପ କରୁଛି ମୁଁ । ସେହି ଗୋଟିଏ ପ୍ରକାର ଆଖିରେ ଦେଖିଲେ ଏ ଦେହ କୁତ୍ସିତ । ତୁମେ କ’ଣ ଭାବୁଛ ବାଘ ଯଦି ତୁମକୁ ଦେଖିବ, ସେ ତୁମ ସୌନ୍ଦର୍ଯ୍ୟକୁ ଚାହିଁ ରହିବ; ନା ଝାମ୍ପମାରି ଏ ଦେହକୁ ଖଣ୍ଡ ଖଣ୍ଡ କରିବ ? ତୁମେ ସୁନ୍ଦର କି ଅସୁନ୍ଦର ତା’ ବି ନିର୍ଣ୍ଣୟ କରୁଛି ମୋ ମନ ।’’୮ ।

ରାଜକିଶୋର ରାୟ (୧୯୧୪-୧୯୯୮)–ଏଇ ରୋମାଣ୍ଟିକ୍‌ ସ୍ରଷ୍ଟା ଜଣକ ପ୍ରକୃତରେ ଥିଲେ ଜଣେ ବାସ୍ତବଦ୍ରଷ୍ଟା । ତାହା ତାଙ୍କର ପଙ୍କ ଚନ୍ଦନ (୧୯୬୩) ଗଳ୍ପଗ୍ରନ୍ଥ ପ୍ରମାଣ କରେ । ‘ପଙ୍କର କ୍ଳୀନ୍ନତା’ (ସମାଜ ଦୈନ୍ୟ)ରୁ ଚନ୍ଦନର ପରିଚ୍ଛନ୍ନତା (ଆତ୍ମିକ ବିକାଶ) ତାଙ୍କ ଗଳ୍ପରେ ପ୍ରସ୍ଫୁଟିତ ହୋଇ ଉଠେ ।’’୯ ।

ସମାଲୋଚକ ସୁରେନ୍ଦ୍ର ଲେଖିଛନ୍ତି– ‘‘ସ୍ୱାଧୀନତାର ପ୍ରାକ୍‌ କାଳରୁ ପଞ୍ଚମ ଦଶକ ପର୍ଯ୍ୟନ୍ତ ରାଜକିଶୋର ରାୟ ହିଁ ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଥିଲେ ଛତ୍ରପତି-ଗୁଣାତ୍ମକ ଓ ପରିମାଣ ଦୃଷ୍ଟିରୁ । ଆଦ୍ୟରୁ ରୋମାଣ୍ଟିକ୍‌ ଏହି ଗାଳ୍ପିକ ପରେ ବାସ୍ତବତାବାଦ ଓ ଆଦର୍ଶକୁ ନିଜ ଗଳ୍ପର ମନୋଭୂମି ରୂପେ ଗ୍ରହଣ କରିଛନ୍ତି ।’’୧୦ ।

ପ୍ରାଣବନ୍ଧୁ କର (୧୯୧୪-୧୯୯୮)– ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଆ ଗଳ୍ପ ରାଜ୍ୟରେ ପ୍ରାଣବନ୍ଧୁ କରଙ୍କ ପ୍ରତିଷ୍ଠା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୁଏ । ଓଡ଼ିଆ ଗଳ୍ପ ସାହିତ୍ୟକୁ ନୂତନ ଚମକରେ ସମୃଦ୍ଧ କରିଛନ୍ତି ସେ । ‘ଆବିଷ୍କାର’, ‘ମରୁ ମୌସୁମୀ’, ‘କୁହେଳିକା’, ‘ସୌରଭ’ ଓ ‘ସୁଅମୁହଁରେ ପତର’ ଆଦି ତାଙ୍କର ସାର୍ଥକ କ୍ଷୁଦ୍ରଗଳ୍ପ ଭାବରେ ପ୍ରତିଷ୍ଠା ଅର୍ଜନ କରିଅଛି ।

‘ସୁଅମୁହଁରେ ପତର’ ତାଙ୍କର ମହାଯୁଦ୍ଧକାଳୀନ ଜନଜୀବନର ଚିତ୍ର ପ୍ରଦାନ କରିଥାଏ । ଗରିବ, ଖଟିଖିଆ, ମେହେନତି ମଣିଷ କଳାବଜାର ଯୋଗୁ ଯେଉଁ ଅଭାବ ଅସୁବିଧାର ସମ୍ମୁଖୀନ ହୋଇଛି, ତାହାର ଏକ କରୁଣ ଅଥଚ ସାର୍ଥକ ପ୍ରତିଲିପି ହେଉଛି ଅପର୍ତ୍ତି ଓ ଗୁରେଇଙ୍କ ଜୀବନ । ମହାଯୁଦ୍ଧର ଘନଘଟା ସାହୁକାର, ପୁଞ୍ଜିପତିମାନଙ୍କୁ ଧନୀ କରୁଥିଲା ଅଥଚ ସାଧାରଣ ଜନତା ଦୁଃଖ ଦୈନ୍ୟ ଭିତରେ ଶଢ଼ି ମରୁଥିଲେ । ପ୍ରାଣବନ୍ଧୁଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକ ସମାଜ ଜୀବନର ଅଶ୍ରୁଳ ଗାଥାକୁ ଉପସ୍ଥାପନା କରି ବାସ୍ତବତାର ଜୟଗାନ କରିଛି ।

ବାମାଚରଣ ମିତ୍ର (୧୯୧୫-୧୯୭୬)– ସ୍ୱାଧୀନୋତ୍ତର ଓଡ଼ିଆ ଗଳ୍ପ ସାହିତ୍ୟକୁ ନିଜସ୍ୱ ଚେତନାରେ ମୋହାବିଷ୍ଟ କରି ରଖିବାରେ ବାମାଚରଣ ମିତ୍ରଙ୍କ କୃତିତ୍ୱ ଉଲ୍ଲେଖଯୋଗ୍ୟ । ସ୍ୱପ୍ନସିଦ୍ଧ (୧୯୬୦), ଅସୀମ (୧୯୬୧), ପାଷାଣର ପ୍ରାଣ (୧୯୬୧), ବଟମହାପୁରୁଷ (୧୯୬୩)ଠାରୁ ପରାଗ, ଏଣୁଶ୍ଚତେଣୁଶ୍ଚ, ମହାପୁରୁଷ ବାଗ, ନର ଛଞ୍ଚାଣ, ମିତ୍ରକଳ୍ପ, ମିତ୍ରସ୍ୱଳ୍ପ ପ୍ରଭୃତି ତାଙ୍କ କଥାଶିଳ୍ପୀର ବିଶାଳତାର ଦିଏ ପରିଚୟ ।

ବାମାଚରଣ ମିତ୍ରଙ୍କ କ୍ଷୁଦ୍ରଗଳ୍ପ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପରେ ନୂତନ ସ୍ୱର ଓ ସ୍ୱାକ୍ଷର ବହନ କରିଥିଲା । ରଜାନୈତିକ ବାସ୍ତବବାଦ ଭିତ୍ତିକ ‘ମହାପୁରୁଷ ବାଗ’ ଗପଟି ତାଙ୍କ ସିଦ୍ଧିର ପରିଚୟ ଦିଏ । ବକ୍ତୃତା ଓ ଆଦର୍ଶ ଯେ ଏକାକଥା ନୁହେଁ ସେଦିନ ଏକଥା ବୁଝିପାରି ନ ଥିଲା ମଇଳା ଜୋତା ସଫା କରୁଥିବା ମୋଚି ରାମାରାଓ । ଯେଉଁ ଉତ୍କଣ୍ଠା, ଆବେଗ ନେଇ ସେ ମହାପୁରୁଷ ବାଗରେ ପଶିଥିଲା, ତା’ର ପରିଣତି ଥିଲା ଖୁବ୍‌ ଭୟାବହ । ସେ ହରେଇ ବସିଲା ତା’ ଘର, ସମ୍ପତ୍ତି, ସ୍ତ୍ରୀ-ଆଉ ପରିଣତି ତାକୁ ଭୋଗିବାକୁ ପଡ଼ିଥିଲା ।

ବାମାଚରଣଙ୍କ ଗଳ୍ପ ସୃଷ୍ଟିରେ ସାଂପ୍ରତିକ ସମାଜ-ବ୍ୟବସ୍ଥା ଓ ସାମାଜିକ ବ୍ୟାଧି ପ୍ରତି ଏକ ତୀର୍ଯ୍ୟକ୍‌ ବ୍ୟଙ୍ଗ ସର୍ବଦା ଚାକ୍ଷୁସ କରାଯାଏ । ତାଙ୍କର ଏହି ନିଜସ୍ୱ ଶୈଳୀ ଓ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ତାଙ୍କୁ ଅନନ୍ୟ ସାହିତ୍ୟିକ ସ୍ୱୀକୃତି ଦେଇଥିଲା ।

ସୁରେନ୍ଦ୍ର ମହାନ୍ତି (୧୯୨୨-୧୯୯୦)– ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ସୁରେନ୍ଦ୍ର ମହାନ୍ତିଙ୍କ ‘ଭାରତ ଆବିଷ୍କାର’ ୧୯୪୬, ୧୯୪୭ରେ ଲିଖିତ ‘ପ୍ରଥମ ଆଷାଢ଼’,୧୯୪୯ରେ ଲିଖିତ ‘ମହାନଗରୀର ରାତ୍ରି’ରେ ଅଛି ସାମାଜିକ ବାସ୍ତବତାର ନିଖୁଣ ଚିତ୍ର, ଯାର ନାଁ ଜୀବନ । ଏହାହିଁ ଆମର ସ୍ୱପ୍ନର ଭାରତବର୍ଷ । ଭାରତବର୍ଷର ସାଧାରଣ ଜୀବନକୁ ଅତି ନିକଟରୁ ଲକ୍ଷ୍ୟ କରି ସୁରେନ୍ଦ୍ର ହିଁ ବାସ୍ତବବାଦୀ ଗଳ୍ପକୁ ଦେଇଥିଲେ ନୂତନ ସ୍ପର୍ଶ ।

‘‘କଲେଇଛଡ଼ା ସେହି ଭିକ୍ଷାପାତ୍ରର ଇତିହାସ ଶୁଣିଚ ? ଭାରତୀୟ ସମାଜରେ ଜନ୍ମ ତା’ର ସେଇଦିନ, ଯେଉଁଦିନ ଦାନୀକର୍ଣ୍ଣର ଭଣ୍ଡାର ଶୂନ୍ୟ ହୋଇଗଲା ଦାନ ଦେଇଦେଇ ! ଯେଉଁଦିନ ଦାତା କର୍ଣ୍ଣ ଜନ୍ମନେଲେ ଭାରତର ଇତିହାସରେ, ସେହିଦିନ ଭାରତର ମାଟି ଚିରି ଛତୁ ଫୁଟିଲା ପରି ଫୁଟିଥିଲେ ଏଇ ଅଗଣିତ ଭିକ୍ଷୁକ !’’୧୧ ।

‘‘କାନ୍ଥ ଦେହରେ ଲେସିହୋଇ ବସିଛି ଜଣେ ବୁଢ଼ା ।

ଅନ୍ଧାରରେ ଚେହେରା ତା’ର ଜାଣି ହୁଏନା, ପାଖରେ ବସିଛି ତା’ର ଗୋଟିଏ ଝିଅ-ଦୁଇ ଆଣ୍ଠୁ ଭିତରେ ମୁଣ୍ଡ ଗୁଞ୍ଜି । ବର୍ଷା ଛାଟରୁ ଦୁହେଁ ଆଶ୍ରୟ ନେଇଛନ୍ତି ଏହି କାନ୍ଥ ଦେହରେ ।

ଉପରୁ ଶୁଭୁଛି...

‘ସୁନ୍ଦର’

‘କ’ଣ ସୁନ୍ଦର ?’

‘ତମେ ଆଉ ଏଇ ବର୍ଷା ।’

ଯାଃ–ଆରେ...

ତା’ପରେ ଚୁମ୍ବନର ସେଇ ପରିଚିତ ଶବ୍ଦ.. ଯାହା ଅଛି କେବଳ ମୋର ଅନୁମାନରେ, ଅନୁଭବରେ ନୁହେଁ ।

ପ୍ରଥମ ଆଷାଢ଼ । ୧୨ ।

‘‘ମାର୍ଚ୍ଚର ଜ୍ୟୋତ୍ସ୍ନା ଚପଳ ରାତ୍ରି ମୁହୂର୍ତ୍ତକ ମଧ୍ୟରେ ବିଷାକ୍ତ ହୋଇ ଉଠିଲା । ଦିନେ ମିନୁର ଶୁଭ ବଳି ପଡ଼ିବ । ତା’ପରେ ତା’ର ମାଂସ ବାଣ୍ଟି ଖାଇବେ ମହାନଗରୀର ବିଳାସୀମାନେ ! ଯେଉଁଦିନ ସେ ମାଂସ ସରିଯିବ, ସେଦିନ ସେ ଫିଙ୍ଗାହେବ ଉଚ୍ଚିଷ୍ଟ ମାଂସ ହାଡ଼ପରି କେଉଁଠି କେଉଁ ନର୍ଦ୍ଦମାରେ ।’’୧୩ ।

‘ଭାରତ ଆବିଷ୍କାର’ର କଲେଇଛଡ଼ା ଭିକ୍ଷା ପାତ୍ରର ଇତିହାସ ସହିତ ପ୍ରଥମ ଆଷାଢ଼ର ବୁଢ଼ା ଭିକାରି–ଏମାନେ ତ ସ୍ୱାଧୀନ ଭାରତବର୍ଷର ମଣିଷ ! ଆଉ ମହାନଗରୀର ରାତ୍ରୀର ଚନ୍ଦ୍ରା ଓ ମିନୁ... ସେମାନଙ୍କ ବେଶ୍ୟାବୃତ୍ତି ! ଜୀବନ ଜିଇବା ପାଇଁ ଧ୍ୟେୟ ହେଲେ ବି ଏହାଠୁ ଅଧିକ ବାସ୍ତବବାଦୀ ଚିତ୍ର କ’ଣ ଉତ୍କୀର୍ଣ୍ଣ କରିପାରନ୍ତେ ଗାଳ୍ପିକମାନେ ! ଏମିତି ଏକ ଭାରତବର୍ଷ କ’ଣ ଆମ ସ୍ୱପ୍ନର ଭାରତ ହୋଇପାରେ !

ସୁରେନ୍ଦ୍ର ମହାନ୍ତି ବିଶେଷତଃ ସହରୀ କିମ୍ବା ଗ୍ରାମୀଣ ମଣିଷର ଅବସ୍ଥାଗତ ଚିତ୍ରଣ କଲାବେଳେ ବେଶ୍‌ ବାସ୍ତବବାଦୀ ।

କିଶୋରୀ ଚରଣ ଦାସ (୧୯୨୪-୨୦୦୪)– ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ ଧାରାରେ କିଶୋରୀ ଚରଣ ଦାସ ସ୍ୱତନ୍ତ୍ର ପ୍ରତିଭାଧର ରୂପେ ବିବେଚିତ ହୁଅନ୍ତି । ତାଙ୍କର ବାସ୍ତବବାଦୀ ଅଭିମୁଖ୍ୟ ‘ଘରବାହୁଡ଼ା’ ଗଳ୍ପରେ ପ୍ରକାଶିତ । ୱାସିଂଟନ୍‌, ଲଣ୍ଡନ, ପ୍ୟାରିସ୍‌, ରୋମ୍‌, କାଇରୋ ବାଟ ଦେଇ କଲିକତା ମହାନଗରୀକୁ ଆସିଥିବା ଗଳ୍ପ ନାୟକ ବ୍ୟଥିତ ହୋଇ ପଡ଼ିଛନ୍ତି । ବସ୍ତି ଅଞ୍ଚଳର ଦୁଃଖ ଅନେକ, ତାହାର ଚିତ୍ରରେ ‘ଘରବାହୁଡ଼ା’ର ଆତ୍ମପ୍ରସାଦ ହଜିଯାଇଛି ।

କାହିଁକି ସେହି ଅଳିଆଗଦା ଗୋଟାଏ ଘର ଆଗରେ ପଡ଼ିରହିଛି ସେମିତି ? ସେଥିରେ ଅଇଁଠା ଭାତ, ଆମ୍ବଚୋପା, ଖପରା, ପାଉଁଶ ଆଉ କେତେ କ’ଣ । ଯୋଡ଼ିଏ କାଉ ତା’ ଉପରେ ବସି ଭାତ ଖୁମ୍ପୁଛନ୍ତି । ପେଟ କାଢ଼ି ଲଙ୍ଗଳା ପିଲାଟିଏ ସେଆଡ଼େ ଯାଉଛି । ନା ନା–ସେ କାଉ ସାଙ୍ଗରେ ବାଦ କରିବାକୁ ଯାଉନାହିଁ ।

ଅଭିଜାତ ଜୀବନର କଥା କହୁ କହୁ ଏମିତି ବାସ୍ତବବାଦୀ ଚେତନା ଉତୁରି ଆସିଛି ଗାଳ୍ପିକ କିଶୋରୀ ଚରଣଙ୍କ ଭିତରକୁ । ସେ ନିଜେ କହନ୍ତି–

‘‘ମୁଁ ଯେଉଁ ସମାଜରେ ଚଳପ୍ରଚଳ ହେଉଛି, ସେଥିର ଲୋକମାନେ ମଧ୍ୟ ବେଳେବେଳେ ମୋତେ ନିଜ ଅନୁଭୂତି ଜ୍ୱାଳାର ଧାପେ ଦେଇଯାଆନ୍ତି ।’’୧୪ ।

ମହାପାତ୍ର ନୀଳମଣି ସାହୁ (୧୯୨୬)– ମଣିଷର ଶୁଭଙ୍କର ଅଭିଳାଷ ପୂରଣ ଦିଗରେ ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ ସବୁ ଗୋଟିଏ ଗୋଟିଏ ପାବଚ୍ଛ । ପ୍ରତିଟି ଗଳ୍ପ ଭିତରେ ମଣିଷପଣିଆର ଧ୍ରୂପଦୀ ରୂପଟି ପ୍ରତିଭାତ । ବିଂଶ ଶତାବ୍ଦୀର ଉତ୍ତର ପଚାଶ ସମୟସୀମା ଭିତରେ ଯେଉଁ କେତେଜଣ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଆପଣା ପ୍ରତିଭା ଦୀପ୍ତିରେ ପ୍ରତିଭାତ ହୋଇ ଉଠିଥିଲେ ସେମାନଙ୍କ ଭିତରେ ମହାପାତ୍ର ନୀଳମଣିଙ୍କ ନାମ ଉଲ୍ଲେଖନୀୟ ।

‘ସୁମିତ୍ରାର ହସ’ ଗପଟି ବାସ୍ତବବାଦୀ ଚେତନା ଦୃଷ୍ଟିରୁ ଅନୁପମ ।

ମଣିଷ ନ ହସିଲେ କ’ଣ କରନ୍ତା ? କାନ୍ଦନ୍ତା ନିଶ୍ଚୟ । କାନ୍ଦିବା ପାଇଁ ନିରୋଳା ଜାଗାଟିଏ ଖୋଜୁଛି ସୁମିତ୍ରା । ପାର୍କକୁ ଆସି ବସିଛି ଯେ ବସିଛି– ‘‘ଶରତଭାଇ ଫେରେଇ ନେଇ ଯାଇଥିଲେ ‘ସୁମି’ ମୁଦ୍ରାଙ୍କିତ ତା’ର ହାତମୁଦି । ଶରତଭାଇ ମାଜିଷ୍ଟ୍ରେଟ୍‌ ହେଲାପରେ ବାହାହେଲେ ଆଉ ଜଣଙ୍କୁ । ଜୀବନର ଏମିତି ଗୋଟେ ଦୁଃଖଦ ସ୍ଥିତିରେ ଟାଇପିଷ୍ଟ୍‌ ସୁମିତ୍ରା, ଅନାଥା ସୁମିତ୍ରାକୁ କାନ୍ଦ ମାଡ଼ୁଛି । ପାର୍କର ସେଇ ଅନ୍ଧାରିଆ କୋଣରେ ସେ ଆର୍ଦ୍ର କଣ୍ଠରେ ବାହୁନୁଛି । ଠିକ୍‌ ସେଇ ମୁହୂର୍ତ୍ତରେ ରାଧାରାଣୀ, ହର୍ଷମଣି ଖୋଜିଖୋଜି ସୁମିତ୍ରାକୁ ସମ୍ବାଦ ଦେଲେ ଭାରତୀ ଚାଲିଯାଇଛି ପ୍ରଫୁଲ୍ଲ ରାୟ ସାଥିରେ କଟକ, କାଲି କୋର୍ଟରେ ହେବ ବାହାଘର । ଭାରତୀ ହସକୁରି । ଭାରତୀର ଅନୁପସ୍ଥିତିରେ, ହସ ଲିଭିଗଲା ମେସ୍‌ରୁ । ଏମିତି ଏକ କରୁଣ ଅଥଚ ଦୁଃଖଦ ସ୍ଥିତିରେ ଦୋହଲି ଯାଇଛି ସୁମିତ୍ରାର ଅନ୍ତରାତ୍ମା । ସେ ଖାଲି ହସୁଛି–ହାଃ ହାଃ ହାଃ, ହିଃ ହିଃ ହିଃ, ହୋ ହୋ ହୋ...-।’’୧୫ ।

 

ଏମିତି ଦୁଃଖ ଓ ବେଦନା ଭିତରେ ସୁମିତ୍ରାର ହସ କରୁଣ ହେଲେ ହେଁ ବାସ୍ତବ । ଦୁଃଖ ଆଉ ଦୁଃଖର ଜ୍ୱାଳାରେ ହସି ହସାଇବାର ଉଦ୍ୟମ ବଡ଼ ଅଭିନବ ।

 

ଅଖିଳମୋହନ ପଟ୍ଟନାୟକ (୧୯୨୭-୧୯୮୨)– ‘‘ମନୁଷ୍ୟ ଏକ ଚିର ରହସ୍ୟମୟ ଶେଷହୀନ ଗ୍ରନ୍ଥ ଯାହାକୁ ଆମେ ଓ ଆମର ପୂର୍ବପୁରୁଷମାନେ ଆଜି ପର୍ଯ୍ୟନ୍ତ ଅଧ୍ୟୟନ କରି ଆସିଛେ ଓ ଆମର ପରବର୍ତ୍ତୀ ପୁରୁଷମାନଙ୍କ ପାଇଁ ତଥାପି ଏତେ ପ୍ରଚୁର ଅବଶିଷ୍ଟାଂଶ ଗଚ୍ଛିତ ରହିବ ଯାହାକୁ ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ପାଇଁ ଛାଡ଼ିଯିବାକୁ ବାଧ୍ୟ ହେବେ-।’’୧୪ ।

 

ତାଙ୍କର ‘ରୂପନାରାୟଣ ସାହା’ ଗଳ୍ପରେ ଅଶୋକ ରିକ୍ସାବାଲାର କୁଞ୍ଚିତ ଆଖିକୋଣରେ ଚମଡ଼ା ମଧ୍ୟରୁ ଖୋଜି ପାଇଥିଲେ ତାଙ୍କର ଅତିପ୍ରିୟ ମାଷ୍ଟର୍‍ଜୀ ରୂପନାରାୟଣ ସାହାଙ୍କୁ । ବିଦ୍ୟାଦାତା ମାଷ୍ଟରଜୀଙ୍କ ଏ ଦୁର୍ଦ୍ଦଶା ପାଇଁ ସେ ନିଜକୁ ସତେ ଯେପରି ଦାୟୀ କରିଛନ୍ତି । ତାଙ୍କ କାନ ପାଖରେ କିଏ ଯେମିତି ଗୁଣୁଗୁଣୁ ସ୍ୱରରେ କହୁଛି-

 

‘‘ଏ ଦୋଷ ତୋର ଏକା ନୁହଁରେ ଅଶୋକ– ଏ ମୂର୍ଖତା ଏଇ ସମଗ୍ର ଅନ୍ଧ ଜାତିର-।’’୧୫ ।

 

ନିଜେ ଅଖିଳମୋହନ ଆଜିର ଛଳନାପ୍ରିୟ ମଣିଷ ସମ୍ପର୍କରେ କହିଛନ୍ତି– ‘‘ମଣିଷ ସତରେ ଗୋଟାଏ ପଶୁ-ସତରେ ଗୋଟାଏ କୀଟ । ମନୁଷ୍ୟତା କେବଳ ଗୋଟାଏ ମୁଖା-ଗୋଟାଏ ଆବରଣ ।’’୧୭ ।

 

ଏହାହିଁ ଅନାଭରଣ ମଣିଷର ବାସ୍ତବବାଦୀ ସ୍ୱରୂପ ।

 

‘ମାନବିକତା ନ ଥିଲେ ଗପ ମଣିଷ ମନକୁ ସ୍ପର୍ଶ କରିବ ନାହିଁ ।’ –ଏ ଥିଲା ଗାଳ୍ପିକଙ୍କ ଧାରଣା ।

 

ଶାନ୍ତନୁ କୁମାର ଆଚାର୍ଯ୍ୟ (୧୯୩୩)– ‘ଦୁର୍ବାର’, ‘ଇନ୍ଦ୍ର ଓ ଇନ୍ଦୁର’, ‘ହୃଦ୍‌ରୋଗ’ ଓ ‘ପେଟେଣ୍ଟ୍‌ ମେଡିସିନ୍‌’ ଗଳ୍ପରେ ବାସ୍ତବବାଦର ସାର୍ଥକ ରୂପ ଅନ୍ୱେଷଣ କରାଯାଇପାରେ ।

 

‘ଇନ୍ଦ୍ର ଓ ଇନ୍ଦୁର’ ଗଳ୍ପର ଶ୍ରୀଲ ଥିଲା ଜଣେ ପାନବେପାରୀ, ବହୁ ଅପକର୍ମର ନାୟକ । ସେ ଏକଦା ଚିନ୍ତା ପଣ୍ଡା ଯାତ୍ରା ଦଳର ରାଣୀ ପାର୍ଟ କରୁଥିବା ଚଉଦ ବର୍ଷର ସୁନ୍ଦର ବାଳକକୁ ଅପହରଣ, ଅପ୍ରାକୃତିକ ଅପକର୍ମ ଓ ହତ୍ୟାଦିରେ ଲିପ୍ତ ଥାଇ ବି ପରେ ହୋଇଗଲା ଜନତାର ପ୍ରତିନିଧି ତଥା ମନ୍ତ୍ରୀ । ଏଣିକି ସାତଖୁଣ ମାପ ମାତ୍ର ସେଇ ଚୁପ୍‌ ସଇତାନ୍‌ ସଂପର୍କରେ ଲୋକେ କୁହାକୁହି ହେଲେ, ‘‘ଆହେ ! କୋଉ ପାପ ଆଉ ବାକି ଅଛି ? ମଣିଷ ତ ମାଇଲା ! ହଁ ମାଇଲା ତ ମାଇଲା–ଭଲା ମାଇପିଟାଏ ହୋଇଥାନ୍ତା ! ହଇରେ ସେ ଗୋଟାଏ ନାଟୁଆ ଟୋକାକୁ ସତରାଣୀ ଭାବି କଅଣ ନ କରିଦେଲା !’’ ୧୮ ।

 

ରାଜନୈତିକ ଭ୍ରଷ୍ଟାଚାରୀ ବ୍ୟକ୍ତିର ମୁଖା ଖୋଲିଦେଇ ଏଇ ବାସ୍ତବବାଦୀ ଗଳ୍ପଟି ଶାନ୍ତନୁ ଆଚାର୍ଯ୍ୟଙ୍କ ଶିଳ୍ପୀ ମାନସର ଦିଏ ଚେତନା ଦୃପ୍ତ ପରିଚୟ ।

 

ମନୋଜ ଦାସ (୧୯୩୪)– କଥାକାର ନିଜେ ବାସ୍ତବବାଦ ପ୍ରସଙ୍ଗରେ କହନ୍ତି– ‘‘ଦର୍ଶନଶାସ୍ତ୍ରରେ ବାସ୍ତବତାର ଅର୍ଥ ଏତେ ବିଶାଳ ଓ ବ୍ୟାପକ ଯେ ପରସ୍ପର ବିପରୀତ ଦୁଇ ଚିନ୍ତାଧାରା ପ୍ରତ୍ୟେକ ବାସ୍ତବବାଦ ନାମରେ ପ୍ରଚଳିତ । ଜଗତରେ ଦୃଶ୍ୟମାନ ଅସ୍ତିତ୍ୱ ଅନ୍ତରାଳରେ ଏକ ବାସ୍ତବଜଗତ ରହିଛି । ଏହା ଯେପରି ବାସ୍ତବବାଦ, ବସ୍ତୁ ଜଗତର ଦୃଶ୍ୟମାନ ଅସ୍ତିତ୍ୱ ଛାଡ଼ି ଆଉ କିଛି ନାହିଁ, ଏହା ମଧ୍ୟ ବାସ୍ତବବାଦ ।’’ ୧୯ ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ଜଣେ ଶକ୍ତିମାନ ଗାଳ୍ପିକ ହେଉଛନ୍ତି ମନୋଜ ଦାସ । ଉଭୟ ଭାବ ଓ କଳାପକ୍ଷକୁ ଗୁରୁତ୍ୱ ଦେଇ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଅନ୍ତର୍ଜାତୀୟ ପର୍ଯ୍ୟାୟକୁ ଘେନିଯିବାରେ ତାଙ୍କ କୃତିତ୍ୱ ମଧ୍ୟ ଅନନ୍ୟ । ଦ୍ୱିତୀୟ ବିଶ୍ୱଯୁଦ୍ଧର ପୃଷ୍ଠଭୂମିରେ ରଚିତ ‘ସମୁଦ୍ରର କ୍ଷୁଧା’ (୧୯୪୯) ହେଉଛି ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ । ସେନାବାହିନୀର ପାଶବିକତା ଯେଗେୁଁ ଧୀବର ପଲ୍ଲୀର ତରୁଣୀ ବଧୂ ଶୁଭା ଶିକାର ହୋଇ ସମୁଦ୍ରଗର୍ଭରେ ଲୀନ ହୋଇଯାଏ ।

 

ଶୁଭା କାହିଁକି, ଏମିତି ଅନେକ ନିରୀହ ଝିଅ, ସ୍ତ୍ରୀ-ସେମାନଙ୍କର ଇଜ୍ଜତ ମାଟିରେ ମିଶୁଥିଲା । ଅନେକ ଶିଶୁ ହତ୍ୟା ଓ ନାରୀ ଦେହ ଭୋଗରେ ବି ଇଂରେଜ ସୈନ୍ୟଙ୍କ ଶୋଷ ମେଣ୍ଟୁ ନ ଥିଲା ।

 

ଗଳ୍ପ ‘ଆବିଷ୍କାର’ ମଧ୍ୟ ଯୁଦ୍ଧ ପରବର୍ତ୍ତୀ କ୍ଷୁଧିତ ଏକ ଗାଁର ଚିତ୍ରପଟ । ୧୯୪୩ର ପାଖାପାଖି ଓଡ଼ିଶାର ଜନଜୀବନର ଏଇ ବାସ୍ତବ ଚିତ୍ର ଅତି କରୁଣ । କ୍ଷୁଧିତ ମଣିଷର ଏ ବିକଳ ଅବସ୍ଥା । ତତ୍କାଳୀନ ସମାଜ ଜୀବନକୁ ହିଁ ନିର୍ଦ୍ଦେଶ କରୁଅଛି । କ୍ଷୁଧା ମଣିଷ ପଣିଆକୁ ବିସର୍ଜନ କରି ଦେଇଛି । ପୁଅ ବାପାର ଭୋକିଲା ପେଟକୁ ବୁଝୁନାହିଁ । ବ୍ୟକ୍ତି ମଣିଷ ଆପଣା କେନ୍ଦ୍ର ଭିତରେ ବଞ୍ଚିବାକୁ ଚାହୁଁଛି । ଏହି ମୂଲ୍ୟବୋଧହୀନ ପଶୁବୃତ୍ତି ହିଁ ମନୋଜଙ୍କ ଗାଳ୍ପିକ ଜୀବନକୁ ଉତ୍ତରଣ ପର୍ଯ୍ୟାୟକୁ ଘେନିଯାଇଥିଲା ।

 

ବସ୍ତୁତଃ ମନୋଜଙ୍କ ଅସହାୟ ଗଳ୍ପ ଚରିତ୍ରମାନଙ୍କ ଏତାଦୃଶ ପରିସ୍ଥିତି ଅବାସ୍ତବ ମନେହେଲେହେଁ ତାହା ଏକ ଭିନ୍ନ ବାସ୍ତବତା !

 

‘ଜୀବନର ସ୍ୱାଦ’, ‘ବିଷକନ୍ୟାର କାହାଣୀ’, ‘ଆରଣ୍ୟକ’, ‘ଶେଷ ବସନ୍ତର ଚିଠି’ (୧୯୬୦) ପ୍ରକାଶିତ ହୁଏ ।

 

ବୀଣାପାଣି ମହାନ୍ତି (୧୯୩୬)– ସ୍ୱାଧୀନୋତ୍ତର କାଳରେ ଗାଳ୍ପିକା ବୀଣାପାଣି ମହାନ୍ତି ସାମାଜିକ ବାସ୍ତବତାର ସ୍ୱର ଶୁଣାଇଥିଲେ ତାଙ୍କ ଗଳ୍ପ ଜରିଆରେ । ‘ଚାମେଲି ଚା’ ଗଳ୍ପରେ ନାରୀ ଜୀବନର ବାସ୍ତବଚିତ୍ର-ବିବାହ ପରେ ଚାମେଲିକୁ ଠକି ଦେଇଥିବା ଗୋଲିବାପ, ତା’ର ସ୍ତ୍ରୀ ସେବା ଆଉ ଚାମେଲିର ଚା’ ଦୋକାନ, ଗୋଲିବାପକୁ ବଡ଼ରୋଗ ହେବା ଆଉ ସବୁ ବାରଣ ସତ୍ତ୍ୱେ ଚାମେଲିର ତା’ ସ୍ୱାମୀ ପ୍ରତି ଅନୁରକ୍ତି ନାରୀ ଜୀବନ ଛବିକୁ ବାସ୍ତବ ରୂପରେ ପ୍ରକାଶ କରେ ।

 

ଅସହାୟା ନାରୀ ଜୀବନର ହସକାଳ, ତାହାର ଅସହାୟତାର ବର୍ଣ୍ଣନାରେ ଗଳ୍ପଗ୍ରନ୍ଥ ‘ନବତରଙ୍ଗ’ (୧୯୬୩) ପ୍ରାଚୀନ ଓ ଆଧୁନିକ ମୂଲ୍ୟବୋଧର ପାର୍ଥକ୍ୟ ଦର୍ଶାଇ ଅସହାୟବୋଧର ଖଣ୍ଡିତ ଅଥଚ ବାସ୍ତବଚିତ୍ର ଅଙ୍କ କରିଛନ୍ତି ।

 

ସ୍ୱାଧୀନତା ପରେ ଓଡ଼ିଶାର ଜନଜୀବନକୁ ଦୁଃଖ, ଦୈନ୍ୟ, ହତାଶାବୋଧ, ଦୁର୍ନୀତି, ଆର୍ଥିକ ଦୁର୍ଗତି ପ୍ରଭୃତି ଆକ୍ରାନ୍ତ କରିବା ଦ୍ୱାରା ବ୍ୟକ୍ତି ଓ ସାମାଜିକ ଜୀବନର ସମ୍ପର୍କ କ୍ରମଶଃ ବିଭକ୍ତ ହୋଇଆସୁଥିଲା । ତଥାପି ବାସ୍ତବବାଦୀ ଚେତନା ସ୍ୱାଧୀନୋତ୍ତର ଓଡ଼ିଆ କ୍ଷୁଦ୍ରଗଳ୍ପରେ ଯଥାର୍ଥ ପ୍ରାଣସ୍ପନ୍ଦନ ନେଇ ପ୍ରକାଶିତ ହୋଇଅଛି । ସମାଜ ଜୀବନର ନିଖୁଣ ଚିତ୍ର ଅଙ୍କନ କରୁ କରୁ ଦ୍ୱିଧାଗ୍ରସ୍ତ ଓ ବହୁଧା ବିଭକ୍ତ ବ୍ୟକ୍ତିସତ୍ତାକୁ କଥାଶିଳ୍ପୀମାନେ ରୂପ ନେବାକୁ ଯଥାସାଧ୍ୟ ଚେଷ୍ଟା କରିଛନ୍ତି । ଅସହାୟତା, ଭୟ, ଆଶଙ୍କା ବ୍ୟକ୍ତି ମଣିଷକୁ ନିଃସଙ୍ଗ ମଣିଷରେ ପରିଣତ କରିଛି । ବିଂଶ ଶତାବ୍ଦୀର ଷଷ୍ଠ ଓ ସପ୍ତମ ଦଶକ ବେଳକୁ ମଣିଷର ନିଃସଙ୍ଗ ମନ ‘ନିଜ ପାଇଁ ନିଜେ’ ସଂଗ୍ରାମଶୀଳ ହୋଇଛି ।

 

ବାସ୍ତବବାଦୀ ଦୃଷ୍ଟିକୋଣରୁ ଗଳ୍ପ ରଚନା କରୁଥିବା ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ବାମାଚରଣ ମିତ୍ର, କିଶୋରୀ ଚରଣ ଦାସ, ଅଖିଳ ମୋହନ ପଟ୍ଟନାୟକ, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ କୁମାର ଆଚାର୍ଯ୍ୟ, ମନୋଜ ଦାସ, ରବି ପଟ୍ଟନାୟକ ଓ ବୀଣାପାଣି ମହାନ୍ତିଙ୍କ ପରି କଥାଶିଳ୍ପୀମାନେ କ୍ରମଶଃ ବ୍ୟକ୍ତି କୈନ୍ଦ୍ରିକ ବାସ୍ତବବାଦ (Subjective Realism) ଆଡ଼କୁ ମୁହାଁଇଥିଲେ । ଏହିସବୁ ଗାଳ୍ପିକଙ୍କ ଦୃଷ୍ଟିରେ ବାସ୍ତବତାର ଭିନ୍ନ ଭିନ୍ନ ରୂପରେଖକୁ ଅନ୍ୱେଷା କରାଯାଇପାରେ । ସ୍ୱାଧୀନତା ଜନତାର କଲ୍ୟାଣ କରୁ କି ନ କରୁ ନିଶ୍ଚିତ ଭାବେ କ୍ଷୁଦ୍ରଗଳ୍ପର ପଟ୍ଟଭୂମି ଓ ପ୍ରେରଣାର ଉତ୍ସକୁ ବହୁଧା ସଂପ୍ରସାରିତ କରିଛି । ବିଜ୍ଞାନ, ସାହିତ୍ୟ, ରାଜନୀତି, ଦର୍ଶନ ଓ ମନସ୍ତତ୍ତ୍ୱର ନବୋଦ୍‌ଭୂତ ଚିନ୍ତାଧାରାରେ ସାମାଜିକ-ରାଜନୈତିକ ଅଭିଘାତ ପ୍ରତ୍ୟେକଙ୍କୁ ଛୁଇଁଛି । କ୍ଷୁଦ୍ରଗଳ୍ପର ଜୀବନ ଜିଜ୍ଞାସା ହୋଇଛି ମୁଖ୍ୟତଃ ଆଧୁନିକ ମଧ୍ୟବିତ୍ତ ମଣିଷର ଆତ୍ମାନୁଶୀଳନ । ୨୦ ।

 

ଆଲୋଚିତ କାଳରେ ଓଡ଼ିଆ କ୍ଷୁଦ୍ରଗଳ୍ପରେ ବାସ୍ତବବାଦର ପ୍ରୟୋଗ ପର୍ଯ୍ୟାପ୍ତ । ସମାଜ, ଚରିତ୍ର, ପରିବେଶ ଓ ମନସ୍ତତ୍ତ୍ୱ ଇତ୍ୟାଦି ସମସ୍ତ ବିଭାଗରେ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ସମ୍ବଳିତ ଗପ ଭରପୂର ହୋଇ ରହିଛି ।

 

ସଂକେତ ସୂଚୀ :

 

୧.

ସାହୁ, ମହାପାତ୍ର ନୀଳମଣି, ‘ଓଡ଼ିଆ ଗଳ୍ପ ସାହିତ୍ୟରେ ଆଧୁନିକତା ଓ ଗୋପୀନାଥ ମହାନ୍ତି’, ଆମ କଥା ସାହିତ୍ୟର କଥା ଓ ରମ୍ୟରଚନା, ୧୯୮୫।

 

 

୨.

ରଥ, ପ୍ରଫୁଲ୍ଲ କୁମାର, ‘ନାନ୍ଦୀମୁଖ’, ବାସ୍ତବବାଦ, ୧୯୭୩ ।

 

 

୩.

Shipley, Joseph. T.Ed. Dictionary of World Literature, 1993 ।

 

 

୪.

ମହାପାତ୍ର, ଖଗେଶ୍ୱର, ‘ସମାଲୋଚନାର ଦିଗଦିଗନ୍ତ’–୨, ଭାଗ, ୧୯୮୨ ।

 

 

୫.

ସାମଲ, ବୈଷ୍ଣବ ଚରଣ, ‘ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ ୨ୟ ଭାଗ’, ୧୯୯୦ ।

 

 

୬.

ମହାପାତ୍ର, ଗୋଦାବରୀଶ, ‘ମୋ କାହାଣୀର କାହାଣୀ’, ନୀଳମାଷ୍ଟ୍ରାଣୀ, ୧୯୫୧ ।

 

 

୭.

ପରିଡ଼ା, ପ୍ରକାଶ କୁମାର, ‘କଥା କଥାଗ୍ରନ୍ଥ କଥାକାର’, ୧୯୯୫ ।

 

 

୮.

ମହାନ୍ତି, ଗୋପୀନାଥ, ‘ଉଡ଼ନ୍ତା ଖଇ’, ‘ଜୟ ଜୀବନ’, ୧୯୭୧ ।

 

 

୯.

ପରିଡ଼ା, ପ୍ରକାଶ କୁମାର, ‘କଥା କଥାଗ୍ରନ୍ଥ କଥାକାର’, ୧୯୯୫ ।

 

 

୧୦.

ମହାନ୍ତି, ସୁରେନ୍ଦ୍ର, ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’, ୧୯୯୦ ।

 

 

୧୧.

‘ଭାରତ ଆବିଷ୍କାର’, ସୁରେନ୍ଦ୍ର ସଞ୍ଚୟନ । ୧୯୭୮ ।

 

 

୧୨.

‘ପ୍ରଥମ ଆଷାଢ଼’, ତତ୍ରୈବ ।

 

 

୧୩.

‘ମହାନଗରୀର ରାତ୍ରୀ’, ତତ୍ରୈବ ।

 

 

୧୪.

କିଶୋରୀ ଚରଣ ଦାସଙ୍କ ସହ ‘ସାକ୍ଷାତକାର’– ବିଭୂତି ପଟ୍ଟନାୟକ, ସଂପାଦିତ-‘କଥା’, ଅଷ୍ଟମ ସଂକଳନ, ୧୯୭୨ ।

 

 

୧୫.

ସାହୁ, ମହାପାତ୍ର ନୀଳମଣି, ‘ସୁମିତ୍ରାର ହସ’, ୧୯୬୧ ।

 

 

୧୬.

ପଟ୍ଟନାୟକ, ଅଖିଳମୋହନ, ମୁଖବନ୍ଧ, ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର, ୧୯୬୪ ।

 

 

୧୭.

ତତ୍ରୈବ ।

 

 

୧୮.

ଆଚାର୍ଯ୍ୟ, ଶାନ୍ତନୁ କୁମାର, ‘ଦୁର୍ବାର’, ୧୯୬୫ ।

 

 

୧୯.

ଦାସ, ମନୋଜ, ‘ସାହିତ୍ୟରେ ବାସ୍ତବବାଦ ପ୍ରସଙ୍ଗ’-‘ସମାବେଶ’, ସଂ–ଜଗଦୀଶ ପାଣି, ୧୯୬୪ ।

 

 

୨୦.

ପରିଡ଼ା, ପ୍ରକାଶ କୁମାର, ନବଚେତନାର ଗଳ୍ପ ୧୯୯୮ ।

 

 

୨୧.

ସାହୁ, ଭୁବନାନନ୍ଦ, ‘ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପର ପଚିଶ ବର୍ଶ ଗବେଷଣା ନିବନ୍ଧ ।

Image

 

ଓଡ଼ିଆ କଥା ସାହିତ୍ୟରେ ରାଜନୈତିକ ଚେତନା

(୧୯୪୭-୧୯୬୦)

ପରେଶ କୁମାର ପଟ୍ଟନାୟକ

 

୧୯୪୭ରୁ ୧୯୬୦ । ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସରେ ଏହି ସମୟ ଉନ୍ମେଷର କାଳ-। ଓଡ଼ିଆ ଗଳ୍ପର ଜନ୍ମଜାତକ ଯଦିଓ ଏଇ କାଳ ଖଣ୍ଡର ପ୍ରାୟ ଅଶୀ ବର୍ଷ ତଳେ ଲେଖାଯାଇଥିଲା ଫକୀରମୋହନଙ୍କ ସୌଜନ୍ୟରୁ । ତେବେ ଦୀର୍ଘକାଳ ଧରି ଏହାର ଉଲ୍ଲେଖଯୋଗ୍ୟ ଅଭିବୃଦ୍ଧି ଘଟି ନ ଥିଲା । ଫକୀରମୋହନ କ୍ଷୁଦ୍ରଗଳ୍ପର ଯେଉଁ ଧାରାର ସୂତ୍ରପାତ କରିଥିଲେ ସେଥିରେ ଆଉ ନୂତନ ଅଭିବ୍ୟକ୍ତି ବା ପରୀକ୍ଷା ନିରୀକ୍ଷାର କାର୍ଯ୍ୟକ୍ରମ ଆରମ୍ଭ ହୋଇପାରି ନ ଥିଲା । ଏହି ସମୟ ଭିତରେ ଅନେକ ଓଡ଼ିଆ ଲେଖକ କ୍ଷୁଦ୍ରଗଳ୍ପ ରଚନାରେ ମନୋନିବେଶ କରିଛନ୍ତି । କିନ୍ତୁ ସମସ୍ତ ସୃଜନ ସାଧାରଣ ସ୍ତରରେ ସୀମିତ ରହିଛି । ସ୍ଥିର ହୋଇଯାଇଛି ବିକାଶର ଧାରା । କହିବାକୁ ଗଲେ ସ୍ୱାଧୀନତା ପରେ ପରେ ହିଁ ଏହି ଧାରା ପଲ୍ଲବିତ ହେବାକୁ ଆରମ୍ଭ କଲା । କ୍ଷୁଦ୍ରଗଳ୍ପ ଅଧିକରୁ ଅଧିକ ପରିମାଣରେ ଆଦୃତ ହେଲା ଓ କ୍ଷୁଦ୍ରଗଳ୍ପରେ ସମାଜର ଦର୍ପଣ, ସମସାମୟିକ ସମାଜକୁ କଳାତ୍ମକ ଢଙ୍ଗରେ ଚିତ୍ରିତ କରିଥାଏ, ଏହା ପ୍ରମାଣିତ ହେଲା ।

 

ପ୍ରାକ୍‌ ସ୍ୱାଧୀନତା କାଳରେ କ୍ଷୁଦ୍ରଗଳ୍ପର ସ୍ୱର ଥିଲା ପ୍ରାୟତଃ ରୋମାଣ୍ଟିକ୍‌ । କିଛି କିଛି ଗଳ୍ପ ଜାତୀୟତାର ବାର୍ତ୍ତା ବହନ କରୁଥିଲା । କିନ୍ତୁ ସେସବୁ ଥିଲା ପ୍ରତୀକାକାରରେ । କାବ୍ୟ କବିତାରେ ଯେପରି ଜାତୀୟତାର ଚିତ୍ର ପ୍ରଦର୍ଶିତ ହୋଇଥିଲା, ଗଦ୍ୟରେ ସେପରି ପ୍ରସ୍ଫୁଟିତ ହୋଇଥିବାର ବିଶେଷ ନଜିର ନାହିଁ । ତେବେ ଆମେମାନେ ଯାହାକୁ ରାଜନୀତି କହୁଛୁ ବା ରାଜନୈତିକ ଚେତନା କହୁଚୁ, ତାହା ସେହି ସ୍ୱରୂପରେ ନ ଥିଲା । ଆମ ଜନଜୀବନରେ ତା’ର ଛାପ ହିଁ ନ ଥିଲା । ଆମର ସାଧାରଣ ଲୋକଙ୍କ ପାଇଁ ସ୍ୱାଧୀନତା ସଂଗ୍ରାମ ଥିଲା ଏକ ଆନ୍ଦୋଳନ ଓ ଜାତୀୟତାବାଦ ଥିଲା ତା’ର ବାର୍ତ୍ତା ।

 

ଦେଶ ସ୍ୱାଧୀନ ହେଲା ପରେ ପରେ ହିଁ ଆମ ସାମାଜିକ ଜୀବନକୁ ଆବୋରି ବସିଲା ରାଜନୀତି । ଦେଶ ସ୍ୱାଧୀନ ହେଲା ଓ ଆମ ଭାରତୀୟ ଲୋକମାନଙ୍କ ହାତକୁ ଆସିଗଲା ଶାସନ । ଗଣତନ୍ତ୍ର ପ୍ରତିଷ୍ଠା ହେଲା ଦେଶରେ ଏବଂ ସେଥିପାଇଁ ଆରମ୍ଭ ହେଲା ଭୋଟ । ଶାସନର ରଜ୍ଜୁ ଧରିବା ପାଇଁ ଆରମ୍ଭ ହେଲା ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ନାମ ରାଜନୀତି । ଏହି ପ୍ରତିଯୋଗିତାରେ ଜିତିବାକୁ ହେଲେ ନିଜର ପ୍ରମୁଖ ଆୟୁଧ କରିବାକୁ ପଡ଼େ ଶଠତା ଓ ମିଥ୍ୟାଚାରକୁ । କୂଟନୀତି ହୋଇଯାଏ ଅଗ୍ରସର ହେବାର ମାର୍ଗ । ନୈତିକତା ବଳି ପଡ଼ିଯାଏ । ଆଦର୍ଶ ବନ୍ଧା ପଡ଼େ ।

 

ସ୍ୱାଧୀନତା ପରେ ପରେ ହିଁ ଏହିସବୁ କୁତ୍ସିତ ଦୃଶ୍ୟ ଅଭିନୀତ ହେବାକୁ ଲାଗିଲା ଭାରତବର୍ଷର ଛାତି ଉପରେ । ଆମ ସାମାଜିକ ଜୀବନରେ ଏଇ ଯେଉଁ ନୂତନ ନାଟକ ସବୁ ଅଭିନୀତ ହେବାରେ ଲାଗିଲା ତାହା ସମସାମୟିକ ଲେଖକମାନଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା । ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଭାରତୀୟ ଜନତା ଲିପ୍ତ ଥିଲା ସ୍ୱପ୍ନ ଓ ସଂଘର୍ଷରେ । ତାକୁ ରାମରାଜ୍ୟର ସ୍ୱପ୍ନ ଦେଖାଇଥିଲେ ମହାତ୍ମା ଗାନ୍ଧୀ । ଭାରତୀୟ ଜନତା ସଂଘର୍ଷ କରୁଥିଲା ଅହିଂସା, ଅସହଯୋଗ, ସତ୍ୟାଗ୍ରହ ଭଳି ଅଭିନବ ଅସ୍ତ୍ରକୁ ନେଇ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ ଭାରତୀୟ ଜନତାକୁ ଦେଇଥିଲା ଏକ ଅଦ୍ଭୁତ ଆତ୍ମବଳ । ଏହି ଆତ୍ମବଳ ଚଳାଇ ରଖିଥିଲା ଏକ ବିସ୍ମୟକର ସ୍ୱାଧୀନତା ସଂଗ୍ରାମ, ଯାହା ସମଗ୍ର ବିଶ୍ୱ ଇତିହାସରେ ବିରଳ ।

 

ଅଥଚ ସ୍ୱାଧୀନତା ପ୍ରାପ୍ତି ପରେ ଏ ଚିତ୍ର ସଂପୂର୍ଣ୍ଣ ବଦଳିଗଲା । ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟର ଭିତ୍ତିରେ ବିଭକ୍ତ ହୋଇଗଲା ଭାରତୀୟ ସମାଜ । ମୋହ ଭଙ୍ଗ ହେଲା ସାଧାରଣ ଜନତାର । ତିଆରି ହେଲେ ନେତା ନାମକ ପ୍ରାଣୀ । ଯୋଉମାନେ ରାଜନୀତି ନାମରେ ଆରମ୍ଭ କଲେ ମାଙ୍କଡ଼ ନାଚ ।

 

ଆପାତତଃ ଏତିକି ହିଁ ସେଇ କାଳ ଖଣ୍ଡର ଅଭିବ୍ୟକ୍ତି । ଏହି ସମୟରେ ଯେଉଁ ଲେଖକମାନେ ବିଶ୍ୱାସ କରୁଥିଲେ ଯେ କ୍ଷୁଦ୍ରଗଳ୍ପ ଏକ ଶ୍ରେଷ୍ଠତମ ସୃଜନକଳା ଯାହା ସମୟର ପଦଚିହ୍ନକୁ ଧରି ରଖିବାକୁ ସକ୍ଷମ, ସେଇମାନେ ଏହି ଅଭିବ୍ୟକ୍ତିକୁ ସାକାର ରୂପ ଦେଲେ ।

 

ଏହି ସମୟର ଅଗ୍ରଗଣ୍ୟ ଲେଖକମାନେ ହେଲେ ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ଅନନ୍ତ ପଟ୍ଟନାୟକ, ରାଜକିଶୋର ରାୟ, ରଘୁନାଥ ଦାସ, ମନମୋହନ ମିଶ୍ର, ଫତୁରାନନ୍ଦ, ଗୋପୀନାଥ ମହାନ୍ତି, ରାଜକିଶୋର ପଟ୍ଟନାୟକ ପ୍ରମୁଖ । ତେବେ ଏହି ସମୟ ମଧ୍ୟରେ ସାହିତ୍ୟ ସାଧନା ଆରମ୍ଭ କରି ପରବର୍ତ୍ତୀ କାଳରେ ଓଡ଼ିଆ କ୍ଷୁଦ୍ରଗଳ୍ପର ପ୍ରଚଣ୍ଡ ପ୍ରତିଭାଧର ସାଧକ ଭାବରେ ସ୍ୱୀକୃତି ପାଇଥିବା ଲେଖକମାନଙ୍କ ମଧ୍ୟରେ ଅଛନ୍ତି ସୁରେନ୍ଦ୍ର ମହାନ୍ତି ଓ ମନୋଜ ଦାସ । ଏହି ସନ୍ଧିକାଳର ପୂର୍ବରୁ କ୍ଷୁଦ୍ରଗଳ୍ପରେ ମନୋନିବେଶ କରିଥିବା ଲେଖକମାନଙ୍କ ମଧ୍ୟରୁ କାଳିନ୍ଦୀଚରଣ ପାଣିଗ୍ରାହୀ, ହରେକୃଷ୍ଣ ମହତାବ, ବିଭୂତି ଭୂଷଣ ତ୍ରିପାଠୀ, ପ୍ରାଣବନ୍ଧୁ କର ପ୍ରମୁଖଙ୍କ ଅବଦାନକୁ ମଧ୍ୟ ଅସ୍ୱୀକାର କରାଯାଇପାରେନା ।

 

ଏହି ଲେଖକମାନଙ୍କ ଯୋଗଦାନରେ ଓଡ଼ିଆ କ୍ଷୁଦ୍ରଗଳ୍ପ ବିକଶିତ ହେବାକୁ ଲାଗିଲା ଓ ଓଡ଼ିଆ କ୍ଷୁଦ୍ରଗଳ୍ପରେ ରାଜନୈତିକ ଚେତନା ଏକ ପ୍ରମୁଖ ସ୍ୱର ଭାବରେ ଉପସ୍ଥାପିତ ହେଲା । କହିବାକୁ ଗଲେ ରାଜନୀତିର ଚିତ୍ର ଓଡ଼ିଆ ଗଦ୍ୟ ସାହିତ୍ୟରେ ନିଜର ପକ୍ଷ ବିସ୍ତାର କଲା ଏହି କାଳ ଖଣ୍ଡରୁ ।

 

ଏହି ସମୟସୀମା ମଧ୍ୟରେ ରଚିତ ହୋଇଥିବା କିଛି ଗଳ୍ପର ରାଜନୈତିକ ଦୃଶ୍ୟ ସଂପର୍କରେ ସଂକ୍ଷେପରେ ଆଲୋଚନା କଲେ ତାହା ବେଶ୍‌ ପ୍ରାସଙ୍ଗିକ ହେବ । ରାଜନୈତିକ ଚେତନା ଏକରକମ ସାମାଜିକ ବାସ୍ତବତା । ମାତ୍ର ତାହା ଅଧିକ କେନ୍ଦ୍ରୀକୃତ ଭୋଟ ଓ କ୍ଷମତାର ଖେଳ ଉପରେ । ରାଜନୈତିକ ଦଳ, ନେତା, କୁଜିନେତା ଓ ଶାସନ କଳର ହଟଚମଟ ହିଁ ଏହି ଚେତନାର ପରିପ୍ରକାଶ । ଏହି ପ୍ରସଙ୍ଗରେ ସବୁଠୁ ବେଶି ଗଳ୍ପ ଯେ ଲେଖିଛନ୍ତି, ସେ ହେଲେ ଗୋଦାବରୀଶ ମହାପାତ୍ର ।

 

ଗୋଦାବରୀଶ ମହାପାତ୍ର ବୃତ୍ତିରେ ଥିଲେ ସାମ୍ବାଦିକ । ସମାଲୋଚନାରେ ଧୁରୀଣ । ବ୍ୟଙ୍ଗାତ୍ମକ ଭାବପ୍ରକାଶ ତାଙ୍କ ଲେଖନୀର ବିଶେଷତ୍ୱ । ତାଙ୍କର ପ୍ରମୁଖ ରାଜନୀତି କେନ୍ଦ୍ରୀତ ଗଳ୍ପଗୁଡ଼ିକ ଭିତରେ ରହିଛି, ‘ହରିସୁଆରର ଗାନ୍ଧୀ ଟୋପି’, ‘ଶବ ସଂସ୍କାର’, ‘ମୋର ସ୍ୱର୍ଗକୁ ଯାତ୍ରା’, ‘ଦେଶର ଗତି କେଉଁ ଆଡ଼କୁ’, ‘ଖଦଡ଼ ହକୀମ’, ‘ସୈତାନର ଭୋଟ’, ‘ଓଡ଼ିଶାରେ ଚାକିରି ଶସ୍ତା’, ‘ଆମେ ଦୁହେଁ ସେ ଦୁହେଁ’, ‘ବନ ପରିଡ଼ା’ ଇତ୍ୟାଦି ଇତ୍ୟାଦି । ଏ ସମସ୍ତ ଗଳ୍ପର ବିଷୟବସ୍ତୁ ରାଜନୀତି, କୁତ୍ସିତ ରାଜନୀତି, ପଙ୍କିଳ ରାଜନୀତି, ଅଧଃପତନର ରାଜନୀତି ବା ଆମେ ଯେମିତି ଚିହ୍ନିଚୁ ରାଜନୀତିକୁ ।

 

ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ ବନ ପରିଡ଼ା । କିନ୍ତୁ ସ୍ୱାଧୀନୋତ୍ତର ଭାରତରେ ପ୍ରବଞ୍ଚନାପୂର୍ଣ୍ଣ ରାଜନୀତିରେ ସେ ଉପେକ୍ଷିତ । ତାଙ୍କର ଭତ୍ତା କଟିଯାଇଛି । ମନ୍ତ୍ରୀ ତାଙ୍କୁ ଚିହ୍ନିପାରୁନାହାନ୍ତି । ଏଇ ହେଉଛି ବନ ପରିଡ଼ା ଗଳ୍ପର ଚିତ୍ର । ସେମିତି ଅନ୍ୟ ଏକ ଗଳ୍ପ ‘ହରିସୁଆରର ଗାନ୍ଧୀ ଟୋପି’ । ଏଇ ଗଳ୍ପରେ ଗାନ୍ଧୀ ଟୋପି ହୋଇଯାଇଛି ଶୋଷଣର ଛଦ୍ମମୁଖା । ହରିସୁଆର ଶୋଷକ ସଂପ୍ରଦାୟର । ଆଗରୁ ସେ ଜମିଦାରଙ୍କ ପାଖରେ ଥାଇ ସାଧାରଣ ଲୋକଙ୍କୁ ଶୋଷଣ କରୁଥିଲା । ସ୍ୱାଧୀନତା ପରେ ସେ ପୁଣି ପିନ୍ଧିଛି ଛଦ୍ମମୁଖା । ଏଇ ଛଦ୍ମତାରେ ତାକୁ ସାହା ହୋଇଛି ଗାନ୍ଧୀ ଟୋପି । ଗାନ୍ଧୀ ଟୋପି ପିନ୍ଧି ସେ ବନିଛି ବକଧାର୍ମିକ । ସେ ଜାରି ରଖିଛି ତା’ର ଶୋଷଣ । ‘ଓଡ଼ିଶାରେ ଚାକିରି ଶସ୍ତା’ ଗଳ୍ପରେ କ୍ଷମତାସୀନ ମନ୍ତ୍ରୀ ମହୋଦୟଙ୍କ ନୈତିକ ସ୍ଖଳନର ଚିତ୍ର ସୁସ୍ପଷ୍ଟ । ମନ୍ତ୍ରୀ ଦୁର୍ନୀତିଗ୍ରସ୍ତ । ଅଯୋଗ୍ୟ ଲୋକକୁ ଚାକିରି ଦେବାକୁ ଉଚିତ ମଣନ୍ତି । କାରଣ ଏସବୁରେ ତାଙ୍କର ସ୍ୱାର୍ଥ ମାତ୍ର ଗୋଟିଏ, ଅର୍ଥ ଉପାର୍ଜନ । ନିଜର ଅର୍ଥ ଲାଳସାକୁ ଚରିତାର୍ଥ କରିବା ପାଇଁ ମନ୍ତ୍ରୀ ବିଶ୍ୱାସଘାତକତା କରନ୍ତି ନିଜର ନୈତିକତା ସହ, ଦେଶ ସହ, ଶପଥ ପାଠ ସହ, ମୂଲ୍ୟବୋଧ ସହ । ସେମିତି ଆଉ ଗୋଟିଏ ଚର୍ଚ୍ଚିତ ବ୍ୟଙ୍ଗାତ୍ମକ ଗଳ୍ପ ‘ମୁଁ ଦିନେ ମନ୍ତ୍ରୀ ଥିଲି’ । ଏହି ଗଳ୍ପରେ ଅଛି ମନ୍ତ୍ରୀ ନାମରେ କେତେ ପ୍ରାଚୁର୍ଯ୍ୟ, କେତେ ଛଳନା, ଦେଶସେବା ଭଳି ସ୍ୱାର୍ଥତ୍ୟାଗୀ ମଣିଷ କେମିତି ମନ୍ତ୍ରୀ ପଦରେ ଭୋଗ ବିଳାସରେ ମାତି ରହିଛି ତା’ର ମାର୍ମିକ ଚିତ୍ର ଦିଶେ ଏଇ ଗଳ୍ପରେ ।

 

ଗୋଦାବରୀଶ ମହାପାତ୍ରଙ୍କ ଏ ସମସ୍ତ ଗଳ୍ପରେ ଅଛି ସ୍ୱାଧୀନତା ପରବର୍ତ୍ତୀ ଭାରତବର୍ଷର ସାମାଜିକ ଚିତ୍ର ଓ ରାଜନୈତିକ ନେତାମାନଙ୍କ ମିଥ୍ୟାଚାରର କାହାଣୀ । ସାଧାରଣ ମଣିଷ ଯେମିତି ଥିଲା ସେମିତି ଅଛି । ତା’ର ଫଟା କପାଳରେ ସେମିତି ଲେଖାହୋଇ ରହିଛି ଦାରିଦ୍ର୍ୟ, ଦୁର୍ବିପାକ ଓ ଦୁଃଖ ଜାତକ । କିନ୍ତୁ ସେ ବନିଯାଉଛି ରାଜନୀତିର ଶିକାର । ତାକୁ ନେଇ ଖେଳ ଖେଳୁଛନ୍ତି ସ୍ୱାଧୀନ ଭାରତର ନେତାଗଣ ।

 

ଏଇ ସମୟର ଆଉ ଜଣେ ପ୍ରମୁଖ ସ୍ୱର ହେଉଛନ୍ତି ମନମୋହନ ମିଶ୍ର । ନିଜେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ଓ କମ୍ୟୁନିଷ୍ଟ ଚିନ୍ତାଧାରାରେ ବ୍ରତୀ ଶ୍ରମିକନେତା । ତାଙ୍କର ବହୁ ପଠିତ ଗଳ୍ପଗୁଡ଼ିକ ମଧ୍ୟରେ ରହିଛି ‘ମହାରାଜା’, ‘ବିନା ମେଘେ’ ତଥା ‘ଆଖିର ଦାଗ’ ପ୍ରଭୃତି ଗଳ୍ପ । ‘ମହାରାଜା’ ଗଳ୍ପରେ ରହିଛି ରାଜନେତାମାନଙ୍କର ବିଳାସବ୍ୟସନର ଚିତ୍ର, ସ୍ୱାଧୀନତା ପୂର୍ବରୁ ସେମାନେ ଥିଲେ ସଂଗ୍ରାମୀ । ଭୋକଶୋଷ ଭୁଲି, ମାଡ଼ଗାଳି ସହି ସେମାନେ ଦେବୀ ମାତୃକାର ସେବା ପାଇଁ ଆଗେଇ ଆସିଥିଲେ । ରାଜା ମହାରାଜାଙ୍କ ଶୋଷଣ ଓ ଲୁଣ୍ଠନର ପ୍ରତିବାଦ କରୁଥିଲେ । ଅଥଚ ସ୍ୱାଧୀନତା ପ୍ରାପ୍ତି ପରେ ସେମାନେ ହୋଇଗଲେ କ୍ଷମତାଶାଳୀ । କ୍ଷମତାର ଅଳିନ୍ଦରେ ସେମାନେ ଉପବେଶନ କଲେ ପୁଞ୍ଜି ଉପରେ । ସେମାନେ ହେଲେ ନୂତନ ମହାରାଜା ।

 

‘ବିନା ମେଘେ’ ଗଳ୍ପରେ ଅଛି ଦେଶସେବା ନାମରେ କେମିତି ଚାଲିଛି ପ୍ରତାରଣା । ଦେଶସେବା କେବଳ ମିଛ ଆଉ ମିଛ । ନେତାମାନେ ମିଥ୍ୟାର ପ୍ରବକ୍ତା । ରାଜନୀତି କେବଳ ମିଛର ଧୂଆଁବାଣ । ସେମିତି ଆଉ ଏକ ଗଳ୍ପ ଆଖିର ଦାଗ । ଏହି ଗଳ୍ପରେ ଅଛି ନିର୍ବାଚନ ପରବର୍ତ୍ତୀ ସମୟର ଚିତ୍ର । ଯୋଉଠି ମନ୍ତ୍ରୀ ହେବା ପାଇଁ ଚାଲେ ତଣ୍ଟିକଟା ଅଭିଯାନ, ହୀନ ଉଦ୍ୟମ, ଘୃଣ୍ୟ କୂଟନୀତି । ନୈତିକତାକୁ ଜଳାଞ୍ଜଳି ଦିଅନ୍ତି ନେତାଗଣ । ମାନବିକତାକୁ ଭୁଲିଯାଆନ୍ତି । କ୍ଷମତା ଦଖଲ ଏକମାତ୍ର ଲକ୍ଷ୍ୟ । ସେହି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ପନ୍ଥା ନ୍ୟାୟ ଓ କରଣୀୟ । ରାଜନୈତିକ ଗଳ୍ପ ରଚନାରେ ଗୋଦାବରୀଶ ମିଶ୍ରଙ୍କ ଅବଦାନକୁ ଅଣଦେଖା କରାଯାଇ ନ ପାରେ । ସେ ନିଜେ ଥିଲେ ଜଣେ ରାଜନେତା । ସତ୍ୟବାଦୀ ବନ ବିଦ୍ୟାଳୟରୁ ଆଦର୍ଶ ଶିକ୍ଷକ ଭାବରେ ଜୀବନ ଆରମ୍ଭ କରି ସେ ଓଡ଼ିଶାର ଶିକ୍ଷାମନ୍ତ୍ରୀ ହୋଇପାରିଥିଲେ । ମାତ୍ର ଲେଖନୀ ଚାଳନା କଲାବେଳେ ସେ ଥିଲେ ଅନ୍ୟ ଲୋକ । ତାଙ୍କ ଲେଖକ ଦୃଷ୍ଟିରେ ଧରାପଡ଼େ ରାଜନେତାମାନଙ୍କ ଶଠତା ଓ ପ୍ରତାରଣା । ସେଇ ଧାରାରେ ସେ ଲେଖିଛନ୍ତି ଗଳ୍ପ ‘ପୋଲ ଉନ୍ମୋଚନ’ । ଏହି ଗଳ୍ପରେ ଆମେ ଦେଖୁ ନେତାମାନଙ୍କର ପ୍ରହସନ । ଫିତା ବନ୍ଧା ହେବ । ବାଜା ବାଜିବ । ବାଣ ଫୁଟିବ । ଲୋକ ଜମିବେ । ଫଟୋ ଉଠାହେବ । ଭାଷଣବାଜି ହେବ । ମନ୍ତ୍ରୀ କରିବେ ପୋଲ ଉଦ୍‌ଘାଟନ । କେତେ କାଇଦା କଟକଣା ଭିତରେ ମନ୍ତ୍ରୀ ଆତଯାତ ହୁଅନ୍ତି ତା’ର ଅନ୍ତରଙ୍ଗ ଚିତ୍ର ଆଙ୍କନ୍ତି ଗୋଦାବରୀଶ । ତାଙ୍କର ଅନ୍ୟାନ୍ୟ ରାଜନୀତି ସଚେତନ ଗଳ୍ପ ମଧ୍ୟରେ ଅଛି ‘ବାଁ ଡାହାଣ’, ‘ରାଜଭୋଗ’ ଓ ‘ସାନ୍ତ୍ୱନା’ । ଏ ସମସ୍ତ ଗଳ୍ପରେ ଆମେ ଭେଟିବା କ୍ଷମତା ରାଜନୀତିର ଛକାପଞ୍ଝା ଓ ଶୋଷଣ । ସାଧାରଣ ଜନତା କେମିତି ବଳି ପଡ଼ିଯାଏ ଏ ଖେଳରେ ।

 

ଏହି କାଳର ଅନ୍ୟତମ ପ୍ରମୁଖ ଗଦ୍ୟଶିଳ୍ପୀ ହେଲେ ରାଜକିଶୋର ରାୟ । ତେବେ ରାଜକିଶୋର ରାୟଙ୍କ ଗଳ୍ପଗୁଡ଼ିକ ରୋମାଣ୍ଟିକ୍‌ ଚେତନାରେ ଆପ୍ଳୁତ । ବୃତ୍ତିରେ ଅଧ୍ୟାପକ । ମିଞ୍ଜାସ ରୋମାଣ୍ଟିକ୍‌ । ତଥାପି ସେ ତତ୍କାଳୀନ ସମୟର କଳୁଷିତ ରାଜନୀତିର ପ୍ରଭାବରେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି । ରଚନା କରିଛନ୍ତି ‘ଛାଗ ମାଂସ’ ଓ ‘ମଗୁର ମତ୍ସ୍ୟ’ ଭଳି ଗଳ୍ପ । ଏହି ଗଳ୍ପରେ ନେତା ଓ ବଡ଼ବଡ଼ିଆ ଅଫିସରଙ୍କ ଦୁର୍ନୀତିପୂର୍ଣ୍ଣ ଜୀବନର ନିଚ୍ଛକ ଦୃଶ୍ୟ ଉତ୍କୀର୍ଣ୍ଣ । ସେମିତି ଆଉ ଗୋଟିଏ ଗଳ୍ପ ‘ଦେଖ ପତାକା ଉଡ଼ୁଛି’ । ଏହି ଗଳ୍ପରେ ଅଛି ଗାନ୍ଧୀଙ୍କ ନାମରେ ଚାଲିଥିବା ବ୍ୟବସାୟର କାହାଣୀ । ଗାନ୍ଧୀଙ୍କ ନାମରେ ଦୋକାନ ହେଉଛି । ବ୍ୟବସାୟ ହେଉଛି । ଗାନ୍ଧୀନାମ ହୋଇଯାଇଛି ପଣ୍ୟଦ୍ରବ୍ୟ ।

 

ଅନନ୍ତ ପଟ୍ଟନାୟକଙ୍କ ଅନେକ ଗଳ୍ପରେ ଆମେ ମଧ୍ୟ ଦେଖିବା ସ୍ୱାଧୀନତା ପରବର୍ତ୍ତୀ ରାଜନୀତିର କଳଙ୍କମୟ ଫର୍ଦ୍ଦ । ବ୍ୟକ୍ତିଗତ ଜୀବନରେ ଅନନ୍ତ ପଟ୍ଟନାୟକ ଥିଲେ କମ୍ୟୁନିଷ୍ଟ ଚିନ୍ତାଧାରାର ସଂଗ୍ରାମୀ ସାଥୀ । ତେବେ ତାଙ୍କର ‘ଫେରିଆ’ ଓ ‘ଗପ ନୁହେଁ ଆଦୌ’ ଗଳ୍ପରେ ଦୃଶ୍ୟ ହୁଏ ସ୍ୱାଧୀନୋତ୍ତର ଭାରତର ଛଳନାମୟ ଦୃଶ୍ୟ । ‘ଫେରିଆ’ ଗଳ୍ପରେ ଦେଖାଯାଏ ସ୍ୱାଧୀନ ଭାରତରେ ସଚ୍ଚା ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଶୋଷିତ ହୋଇଯାଏ । ‘ଗପ ନୁହେଁ ଆଦୌ’ରେ ଗଣେଶ୍ୱର ଚରିତ୍ର ଏକ ଆଦର୍ଶ ଚରିତ୍ର । ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ନିଜର ସର୍ବସ୍ୱ ତ୍ୟାଗ କରିଥିଲେ । ଅଥଚ ସ୍ୱାଧୀନତା ପରେ ସେ ଦେଖୁଛନ୍ତି ଏପରି ଚରିତ୍ରମାନଙ୍କୁ ଯୋଉମାନେ ଏବେ ଲାଭ ଉଠଉଛନ୍ତି ସ୍ୱାଧୀନତାର । ସେମାନେ ବୋଲାଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ।

 

ଏହି ପ୍ରସଙ୍ଗରେ ରଘୁନାଥ ଦାସ (ଜଟାୟୁ)ଙ୍କ ଗଳ୍ପ ‘ସ୍ୱରାଜ୍ୟ’ ବିଶେଷ ଆଲୋଚନାର ଅପେକ୍ଷା ରଖେ । ସ୍ୱାଧୀନତା ପରେ ସାଧାରଣ ଲୋକ ଭାବୁଥିଲେ ରାମରାଜ୍ୟ ଆସିଯିବ । ଘିଅମହୁରେ ଦେଶ ଭାସିବ । କିନ୍ତୁ ପ୍ରକୃତରେ ବାସ୍ତବତା ଖୁବ୍‌ ନିର୍ମମ । ସାଧାରଣ ଜନତାର ସ୍ୱପ୍ନ ଭାଙ୍ଗି ପଡ଼ିଛି । ସ୍ୱାଧୀନତାର ଲାଭ ମାରିନେଇଛନ୍ତି ମୁଷ୍ଟିମେୟ ଲୋକ ।

 

ସଚ୍ଚି ରାଉତରାଙ୍କ ଗଳ୍ପ ‘ରାଜା ମନ୍ତ୍ରୀ ଓ କୁକୁର’ ଏହି ସମୟ କାଳରେ ବିରଚିତ ଅନ୍ୟତମ ପ୍ରଭାବଶାଳୀ ଗଳ୍ପ । ସଚ୍ଚି ରାଉତରାଙ୍କ ସ୍ୱଳ୍ପ ଗଦ୍ୟରଚନା ମଧ୍ୟରେ ଏହି ଗଳ୍ପ ବାରମ୍ବାର ଆଲୋଚନାର ପରିସରକୁ ଆସେ । ଏହି ଗଳ୍ପ ରଚିତ ହୋଇଥିଲା ସେହି ସମୟରେ ଯେତେବେଳେ ରାଜାରାଜୁଡ଼ାଙ୍କ ଶାସନ ଥିଲା କିନ୍ତୁ ସାଧାରଣ ଲୋକଙ୍କ ବିଦ୍ରୋହରେ ରାଜା ହୋଇଥିଲେ ଦେଶାନ୍ତରୀ । ରାଜାଙ୍କ ଦେଶ ପ୍ରତ୍ୟାବର୍ତ୍ତନ ଓ ସାଧାରଣ ଜନତାର ବିଦ୍ରୋହର ଚିତ୍ର ଏହି ଗଳ୍ପର ମୁଖ୍ୟ ଉପଜୀବ୍ୟ । କୁକୁର କେବଳ ଗୋଟିଏ ପ୍ରତୀକ ମାତ୍ର ।

 

ଏହି ସମୟରେ ରଚିତ ହୋଇଥିଲା ଗୋପୀନାଥ ମହାନ୍ତିଙ୍କ ‘ଘାସଫୁଲ’ ଗଳ୍ପ । ଏହି ଗଳ୍ପରେ ସାଧାରଣ ମଣିଷର ଶୋଷଣ ଓ ରାଜନୀତିର ପ୍ରଭାବ ଛତ୍ରେ ଛତ୍ରେ ପରିସ୍ଫୁଟ । ବିଶିଷ୍ଟ ଉପନ୍ୟାସକାର ଗୋପୀନାଥ ନିଜର ବଳିଷ୍ଠ ଉପନ୍ୟାସ ରଚନା କାଳରେ ଏହି କ୍ଷୁଦ୍ରଗଳ୍ପ ପାଇଁ ସମୟ ଦେଇଛନ୍ତି ଓ ଏକ କାଳଜୟୀ ଗଳ୍ପ ଉପହାର ଦେଇଛନ୍ତି ଆମକୁ । ସେମିତି ଆଉ ଜଣେ ଗାଳ୍ପିକ ନିତ୍ୟାନନ୍ଦ ମହାପାତ୍ର । ତାଙ୍କର ଚର୍ଚ୍ଚିତ ଗଳ୍ପ ହେଉଛି ‘ଭୂଇଁଫୋଡ଼ ନେତାଙ୍କ ବନ୍ୟାଞ୍ଚଳ ଉଦ୍‌ବୋଧନ’ । ନେତା ସବୁ ଜାଣନ୍ତି । ସବୁ ଜ୍ଞାନର ସେ ଭଣ୍ଡାର । ସେ ସବ୍‌ଜାନ୍‌ତା ଲୋକ । ଏହି ବ୍ୟଙ୍ଗକୁ ଉପଜୀବ୍ୟ କରି ଏ ଗଳ୍ପ ।

 

ତେବେ ପରବର୍ତ୍ତୀ କାଳର ପ୍ରଭାବଶାଳୀ ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ, ମନୋଜ ଦାସ, ମହାପାତ୍ର ନୀଳମଣି ସାହୁ ଆଦିଙ୍କର ସେହି ସମୟ ହେଉଛି ଅଭ୍ୟୁତ୍‌ଥାନର କାଳ । ଏହି ସମୟ ମଧ୍ୟରେ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି ରାଜନୀତି ସଚେତନ ଅନେକ ଗଳ୍ପ । ଯେମିତି ‘ରୁଟି ଓ ଚନ୍ଦ୍ର’, ‘ମହାନଗରୀର ରାତ୍ରି’, ‘ମଣିଷ ଓ ଅର୍ଥନୀତି’, ‘ଭାରତ ଆବିଷ୍କାର’ । ଏହି ସମୟ ଖଣ୍ଡରେ ମନୋଜ ଦାସ ଲେଖିଛନ୍ତି ‘ସମୁଦ୍ରର କ୍ଷୁଧା’ ଭଳି କାଳଜୟୀ ଗଳ୍ପ । କିନ୍ତୁ ବିଳମ୍ବ ଅଛି ଆସିବାକୁ ମନୋଜ ଦାସଙ୍କ ‘ଅପହୃତ ଟୋପିର ରହସ୍ୟ’ କିମ୍ବା ‘ମଧୁବନର ମେୟର’ ପାଇଁ । ବିଳମ୍ବ ଅଛି ଲେଖା ହେବାକୁ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ‘ଅନ୍ଧଦିଗନ୍ତ’ । ଯାହା ଓଡ଼ିଆ ଭାଷାରେ ରାଜନୈତିକ ଚେତନାର ସବୁଠୁ ଚର୍ଚ୍ଚିତ ସାହିତ୍ୟ କୃତି । କିମ୍ବା ଶାନ୍ତନୁ ଆଚାର୍ଯ୍ୟଙ୍କ ଶତାଧିକ ରାଜନୀତି ସଚେତନ ଗଳ୍ପ ୧୯୪୭ରୁ ୧୯୬୦ । ଏହି ସମୟ ଥିଲା ରାଜନୈତିକ ଚେତନା ବିକାଶର ପ୍ରକୃଷ୍ଟ ସମୟ । କାରଣ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ଭାରତର କୋଣେ ଅନୁକୋଣେ ପହଞ୍ଚି ପାରି ନ ଥିଲା । ଗଡ଼ଜାତ, ଗ୍ରାମାଞ୍ଚଳ, ବନାଞ୍ଚଳର ଜନସାଧାରଣ ସ୍ୱାଧୀନତା ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇପାରି ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତି ପରେ ଗଣତନ୍ତ୍ରର ପ୍ରତିଷ୍ଠା ଭାରତର ସବୁ ସ୍ଥାନକୁ ପହଞ୍ଚିବାକୁ ଆରମ୍ଭ କଲା, ତା’ ସହିତ ଆରମ୍ଭ ହେଲା କଳୁଷିତ ରାଜନୀତିର ପର୍ଦ୍ଦାଫାସ । ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟ ଥିଲା ସ୍ୱପ୍ନ ଓ ସଂଘର୍ଷର କାଳ । ସ୍ୱାଧୀନତାର ପରବର୍ତ୍ତୀ ସମୟ ହେଲା ସ୍ୱପ୍ନଭଙ୍ଗ ଓ ବିଦ୍ରୋହର କାଳ । ସ୍ୱାଧୀନତା ପୂର୍ବରୁ ଶୋଷକ ଥିଲେ ବିଦେଶୀ ବର୍ଗ । ସ୍ୱାଧୀନତା ପରେ ଆମ ନିଜ ଲୋକମାନେ ବନିଗଲେ ଛଦ୍ମବେଶୀ ଶୋଷକ-

 

କହିବାକୁ ଗଲେ ଏଇ କାଳଖଣ୍ଡ ଥିଲା ରାଜନୈତିକ ଚେତନାର ଅଭ୍ୟୁତ୍‌ଥାନର କାଳ । ଯାହା ପରବର୍ତ୍ତୀ କାଳର ଆମ ସାହିତ୍ୟରେ ବିକଶିତ ହେଲା, ଉନ୍ମେଷ ଲାଭ କଲା ଏବଂ ସାଧାରଣ ମଣିଷର କଥା ପ୍ରକାଶ କରିବାରେ ନିଜର ସାମର୍ଥ୍ୟ ଓ ଶକ୍ତି ପ୍ରମାଣିତ କଲା ।

Image

 

ଓଡ଼ିଆ ଗଳ୍ପର ଭାଷା ଓ ଶୈଳୀ

(୧୯୬୦-୮୦)

ଅଜୟ ସ୍ୱାଇଁ

 

ଓଡ଼ିଶା ଗସ୍ତକାଳରେ ବିଶିଷ୍ଟ ଔପନ୍ୟାସିକ ଓ କଥାକାର କମଲେଶ୍ୱର ଏକଦା କହିଥିଲେ: ‘‘ଉଡ଼ିଶାକେ ପଥର୍‌ ବୋଲା କର୍‌ତେ ହେଁ, ଅଗର୍‌ ଲୋଗ୍‌ ବୋଲ୍‌ନେ ଲଗେଁ, ତୋ ଅନ୍ଦାଜ ଲଗାଇୟେ, କ୍ୟା ହୋଗା ?’’ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଆ ଗଦ୍ୟ କମଲେଶ୍ୱର୍‌ଙ୍କ ଦୃଷ୍ଟିରେ ଏମିତି ଥିଲା ।

 

ତେବେ ଗଳ୍ପ ଏକ ସୂକ୍ଷ୍ମ, ସମ୍ବେଦନଶୀଳ, ଜୀବନନିଷ୍ଠ କଳାକର୍ମ । ନବଜାଗରଣ ପୃଷ୍ଠଭୂମିରେ ଓଡ଼ିଶାର ସାଂସ୍କୃତିକ ପ୍ରାଣ ପ୍ରବାହରେ ଯେଉଁ ସବୁ ନୂତନ ପରିବର୍ତ୍ତନ ସଂଗଠିତ ହୋଇଥିଲା, ତା’ର ଏକ ଅବବୋଧରୁ ଓଡ଼ିଆ କ୍ଷୁଦ୍ରଗଳ୍ପର ଜନ୍ମ । ଶିକ୍ଷା ବିକାଶ, ପତ୍ରପତ୍ରିକାର ପ୍ରକାଶନ ଫଳରେ ଓଡ଼ିଶାର ପରିବର୍ତ୍ତିତ, ପରିବର୍ଦ୍ଧିତ ସାମାଜିକ, ସାଂସ୍କୃତିକ ପରିମଣ୍ଡଳକୁ କେନ୍ଦ୍ର କରି ବିକଶିତ ହୋଇଥିଲା ଓଡ଼ିଆ ଗଳ୍ପ । ୧୮୯୮ରେ ଫକୀରମୋହନଙ୍କଠୁ ଆରମ୍ଭ ହୋଇଥିବା ଏହି ପରିମଣ୍ଡଳ କ୍ରମଶଃ ପରିବ୍ୟାପ୍ତ ହୋଇ ଚାଲିଛି ଆଜିଯାଏ । ଭାବ, ଶୈଳୀ, ଘଟଣା ବିନ୍ୟାସ, କଳା କାରିଗରୀରେ କ୍ରମଶଃ ପରିପୁଷ୍ଟ ହେଇ ଚାଲିଛି ଓଡ଼ିଆ ଗଳ୍ପ ।

 

ତେବେ୧୯୬୦ରୁ ୧୯୮୦ ଯାଏ ଓଡ଼ିଆ ଗଳ୍ପର ଭାଷା ଓ ଶୈଳୀକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଏହି ପ୍ରବନ୍ଧର ଉଦ୍ଦେଶ୍ୟ । ଏହି ୨୦ ବର୍ଷ ସମୟଖଣ୍ଡ ଭିତରେ ଓଡ଼ିଶାର ପ୍ରାୟ ସମସ୍ତ ପ୍ରଥିତଯଶା ଗାଳ୍ପିକ ସେମାନଙ୍କର ଚମତ୍କାର ଓ ଶ୍ରେଷ୍ଠତମ ଗଳ୍ପମାନ ଲେଖିଛନ୍ତି । ଗୋଦାବରୀଶଙ୍କଠୁ ଗୌରହରି, ଶାନ୍ତନୁଙ୍କଠୁ ଶ୍ୟାମାପ୍ରସାଦ, ଅଚ୍ୟୁତଙ୍କଠୁ ଅକ୍ଷୟ, ସୁରେନ୍ଦ୍ରଙ୍କଠୁ ସଦାନଦ, ଦୟାନିଧିଙ୍କଠୁ ଦେବ୍ରାଜ, ମନୋଜଙ୍କଠୁ ମହାପାତ୍ର ନୀଳମଣିଙ୍କ ପରି ଅନେକ ପ୍ରବୀଣ ସେମାନଙ୍କର ଉଲ୍ଲେଖନୀୟ ଗଳ୍ପ ସବୁ ଏଇ କାଳଖଣ୍ଡ ଭିତରେ ଲେଖିଛନ୍ତି । ଭାଷା ଓ ଶୈଳୀ ଦୃଷ୍ଟିରୁ ଏଇ ସବୁ ଗଳ୍ପଗୁଡ଼ିକ ଅନନ୍ୟ ଓ ଈର୍ଷଣୀୟ । ତେବେ ୧୯୬୦ରୁ ୧୯୮୦, ଏହି ୨୦ ବର୍ଷ ଭିତରେ ଓଡ଼ିଆ ଗଳ୍ପର ଶିଳ୍ପକଳା (ଶୈଳୀ) ଓ ଭାଷା ଆମର ଆଲୋଚ୍ୟ ।

 

ସୁନ୍ଦରତାକୁ ମୂର୍ତ୍ତ କରିବା ସାହିତ୍ୟର ଉଦ୍ଦେଶ୍ୟ । ସକଳ କଳା-ସୃଷ୍ଟି ମୂଳରେ ସୌନ୍ଦର୍ଯ୍ୟବେଦନ ନିହିତ । ଶୈଳୀର ସହଜ ଅର୍ଥ ଏମିତି କହିହେବ; କଥା କହିବାର ଭଙ୍ଗୀ । ଯେଉଁଠି କଥାର ଓ କଥନଭଙ୍ଗୀର ଉତ୍କର୍ଷ ସାଧିତ ହୁଏ ସେହିଠାରେ ଶୈଳୀର ବି ଉତ୍କର୍ଷ ସାଧିତ ହୁଏ । ଭାବକୁ ମୂର୍ତ୍ତ କରେ ଭାଷା । ଏହି ଭାଷା ବ୍ୟକ୍ତ କରେ ଭାବ ଏବଂ ଗାଳ୍ପିକ ବୈଚିତ୍ର୍ୟ ପାଇଁ ଭାଷା ଓ ଭାବକୁ ଅଧିକ ଅର୍ଥପୂର୍ଣ୍ଣ ଓ ପ୍ରଭାବଶାଳୀ ଭାବେ ଉପସ୍ଥାପିତ କରିବା ପାଇଁ ଚେଷ୍ଟା କରେ-। କଥାବସ୍ତୁ ବେଳେବେଳେ ଏକ ଓ ଅଭିନ୍ନ ହେଲେ ବି ଗାଳ୍ପିକମାନେ (ସୃଜନଶୀଳ ଲେଖକ) ତାକୁ ଭିନ୍ନ ଭିନ୍ନ ଭଙ୍ଗୀରେ ପ୍ରକାଶ କରନ୍ତି ।

 

ଭାବ ଓ ଅଭିବ୍ୟକ୍ତିର ବୈଚିତ୍ର୍ୟପୂର୍ଣ୍ଣ ଭାଷିକ କୌଶଳ ହିଁ ଶୈଳୀ । ଏହାକୁ ‘ପ୍ରକାଶ ମାଧ୍ୟମର ଶୃଙ୍ଖଳିତ ନିର୍ଦ୍ଦିଷ୍ଟତା’ ବୋଲି ମଧ୍ୟ କୁହାଯାଏ । ଶୈଳୀ ଶବ୍ଦ; ଚିତ୍ରକଳା, ସ୍ଥାପତ୍ୟକଳା, ସଙ୍ଗୀତକଳା, ବାସ୍ତୁକଳା ପ୍ରଭୃତିରେ ବ୍ୟବହୃତ ହେବା ସହ ଅଭିବ୍ୟକ୍ତିର ଶୈଳୀ ଭାବରେ ମଧ୍ୟ ପରିଗଣିତ ହୋଇଛି ।

 

ଶୈଳୀ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ ।

 

(କ) ସାହିତ୍ୟ ସ୍ରଷ୍ଟାଙ୍କ ବ୍ୟକ୍ତିତ୍ୱ– ଆଧାରିତ ପରିଭାଷା ।

 

(ଖ) ସାହିତ୍ୟ ସୃଷ୍ଟିର ଭାଷା–ଆଧାରିତ ପରିଭାଷା ।

 

ପ୍ରଥମ ପରିଭାଷାରେ, ସାହିତ୍ୟ ସ୍ରଷ୍ଟାଙ୍କ ବ୍ୟକ୍ତିତ୍ୱ, ଚିନ୍ତାଧାରା, ଭାବନା, ବିଚାରଶକ୍ତି, ଦୃଷ୍ଟିଭଙ୍ଗୀ ପ୍ରଭୃତି ଗୁରୁତ୍ୱ ପାଇଥାଏ । ସ୍ରଷ୍ଟା ଯେଉଁ ସାମାଜିକ ପରିମଣ୍ଡଳରେ ଜୀବନ ବିତାଉଥାଏ, ସେହି ପରିମଣ୍ଡଳରୁ ଯେଉଁ ଭାବ ଓ ଭାଷା ଆହରଣ କରେ, ତାହା ତା’ର ସୃଷ୍ଟିର ଶୈଳୀକୁ ନିୟନ୍ତ୍ରିତ କରେ ।

 

ଦ୍ୱିତୀୟ ପରିଭାଷାରେ, ସାହିତ୍ୟ ସୃଷ୍ଟିର ଭାଷିକ ବିଶିଷ୍ଟତାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । Newmanଙ୍କ ମତରେ– ‘Style is thinking out into language’, ଅର୍ଥାତ୍‌ ଭାଷା ମାଧ୍ୟମରେ ହିଁ ଶୈଳୀର ଚିନ୍ତନ କରାଯାଏ । ଅର୍ଥ ଓ ଭାବ ପ୍ରକାଶନର ସର୍ବନିମ୍ନ ଏକକ ହେଉଛି ଶବ୍ଦ । ଶବ୍ଦ (ଭାଷା)ର ଉପଯୁକ୍ତ ବସାଣ ଦ୍ୱାରା ସାହିତ୍ୟର ବୈଚିତ୍ର୍ୟ ଫୁଟିଉଠେ । ଏହି ‘ବୈଚିତ୍ର୍ୟ’ ହିଁ ‘ଶୈଳୀ’ । J. Middleton Murry ତେଣୁ କହିଛନ୍ତି: ‘Style is a quality of language, which communicates precisely emotion or thoughts.’ ୧୯୬୦-୮୦ର ଓଡ଼ିଆ ଗଳ୍ପର ପ୍ରାରମ୍ଭ ଓ ବିକାଶ ଧାରାରେ ଭାଷା ଓ ଶୈଳୀର କିଞ୍ଚିତ୍‌ ସର୍ବେକ୍ଷଣ ଏହି ଆଲେଖ୍ୟର ଉଦ୍ଦେଶ୍ୟ ।

 

ଏହି କାଳଖଣ୍ଡର ପ୍ରଥମାର୍ଦ୍ଧରେ ଓଡ଼ିଆ ଗଳ୍ପ ସାହିତ୍ୟର ଚମତ୍କାର ଓ ଶକ୍ତିଶାଳୀ କଥାକାର ଭାବେ ଗୋଦାବରୀଶ ମହାପାତ୍ର, ଗୋଦାବରୀଶ ମିଶ୍ର ପ୍ରମୁଖ ଗଳ୍ପର ଭାଷା ଓ ଶୈଳୀ ଦୃଷ୍ଟିରୁ ଏକ ନୂତନ ସମ୍ଭାବନା ଓ ଅନ୍ୱେଷଣର ଦିଗବାରେଣୀ ହୋଇଥିଲେ । ଇଙ୍ଗିତଧର୍ମୀ, ସୂଚନାତ୍ମକ, ଆକାରର କ୍ଷୁଦ୍ରତା ଦୃଷ୍ଟିରୁ ଭାରତୀୟ ଗଳ୍ପ ସାହିତ୍ୟରେ ଓଡ଼ିଆ ଗଳ୍ପକୁ ଏକ ନୂତନ ପରିଚୟ ଦେଇଥିଲେ । ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୭)ଙ୍କର ଗଳ୍ପରେ ଶଗଡ଼ିଆ, ମାଷ୍ଟ୍ରାଣୀ, ଜଡ଼ା, ଦରଜୀ, ସୁଆର, ପଥୁରିଆ, ସଂକୀର୍ତ୍ତନିଆ ଚରିତ୍ରମାନେ ଏକ ନୂତନ ଚରିତ୍ରାୟନର ସୂତ୍ରପାତ କରିଥିଲେ । ସେମାନଙ୍କର ଭାଷା ଓ ଜୀବନଶୈଳୀର ଅବିକଳ ରୂପରେଖର ଚିତ୍ରଣ, ଓଡ଼ିଆ ଗଳ୍ପକୁ ଏକ ନୂଆ ଦିଗନ୍ତ ଦେଖାଇଥିଲା ।

 

ପରବର୍ତ୍ତୀ ସମୟରେ ଅନନ୍ତ ପ୍ରସାଦ ପଣ୍ଡା (୧୯୦୬-୧୯୮୯), ରାଜକିଶୋର ରାୟ (୧୯୧୪-୧୯୯୮) ଓଡ଼ିଆ ଗଳ୍ପର ଭାଷା ଓ ଶୈଳୀରେ ଏକ ନୂତନ କଥନ ଭଙ୍ଗୀକୁ ପ୍ରୟୋଗ କଲେ । କଥନର ଭୂମିକାକୁ ଗୁରୁତ୍ୱ ଦେବା ସହ ବାକ୍‌ ଭଙ୍ଗୀର ବିଳାସ, ଗଳ୍ପର କଥାବସ୍ତୁରେ ସାମାଜିକ, ଆନୁଷ୍ଠାନିକ ଉପଚାରକୁ ଗୁରୁତ୍ୱ ଦେଲେ । ଏମାନଙ୍କ ଗଳ୍ପରେ ବୈୟକ୍ତିକ, ତଥା ରୋମାଣ୍ଟିକ ଚେତନାର ଦ୍ୱୈତାବସ୍ଥାନ ଦେଖାଯାଏ ।

 

ଏ ସମୟର ଭାଷା ଓ ଶୈଳୀର ନବାନୁରାଗର କଥାକାର ଭାବେ ପ୍ରତିଷ୍ଠା ଲାଭ କରିଥିଲେ ନିତ୍ୟାନନ୍ଦ ମହାପାତ୍ର (୧୯୧୨) । ନାଟକୀୟ ଶୈଳୀ ତଥା କାବ୍ୟଭାଷାର ପ୍ରୟୋଗ ତାଙ୍କ ଗଳ୍ପକୁ ତଥା ଓଡ଼ିଆ ଗଳ୍ପକୁ ପ୍ରଦାନ କଲା ଏକ ନୂତନ ପ୍ରସ୍ଥ । ତାଙ୍କର ଗଳ୍ପ ସୁଖପାଠ୍ୟ ହେବା ସଙ୍ଗେ ଏକ ନୂତନ ଭାବାନୁସାରୀ ଭାବ ଓ ଭାଷାର ଦ୍ୱୈତ ଆନନ୍ଦ ଦେଇପାରିଲା ପାଠକବର୍ଗଙ୍କୁ । ତାଙ୍କର ଅନେକ ଗଳ୍ପ, କେବଳ ସଂଳାପ ଉପରେ ପର୍ଯ୍ୟବସିତ । ନିତ୍ୟାନନ୍ଦ ତାଙ୍କ ଗଳ୍ପରେ ଭେଟିଛନ୍ତି ସଂଗ୍ରାମୀ ମଣିଷକୁ, ଗ୍ରାମୀଣ ରାଜନୀତି, ସାମାଜିକତା ଓ ମାନବିକତାକୁ, ଭେଟିଛନ୍ତି ମଧ୍ୟ ସହରୀ ମଣିଷର ସ୍ୱପ୍ନଭଙ୍ଗ ଓ ସଂତ୍ରସ୍ତପଣକୁ । ତାଙ୍କର ଗଳ୍ପର ଭାଷା ମଧ୍ୟ ସେହିମାନଙ୍କର ହୋଇଛି ଏବଂ ଶୈଳୀ ହୋଇଛି କାବ୍ୟିକ । ଭାବବାଦୀ ଓ ରୀତିବାଦୀ ପାଠକମାନଙ୍କ ଦୃଷ୍ଟିରେ ନିତ୍ୟାନନ୍ଦ ମହାପାତ୍ର ଏଯାଏ ଅନତିକ୍ରମ୍ୟ ହୋଇ ରହିଛନ୍ତି ।

 

ଆଲୋଚ୍ୟ କାଳଖଣ୍ଡର ଅନ୍ୟତମ ପ୍ରତିଭାଦୀପ୍ତ ଗଳ୍ପ ଲେଖକ ଭାବେ ସଚ୍ଚି ରାଉତରାଙ୍କ ସୃଷ୍ଟି ଅନୁପମ ସୌନ୍ଦର୍ଯ୍ୟ ବିଭୂଷିତ । କାହାଣୀଧର୍ମିତା, ଘଟଣାର ପ୍ରଲମ୍ବନ ତାଙ୍କର ନୂତନ ପ୍ରସ୍ଥର ଗଳ୍ପମାନଙ୍କରେ ପ୍ରାୟତଃ ଦେଖାଯାଏ ନାହିଁ । ପଣ୍ଡିତଙ୍କ ମୃତ୍ୟୁ, ସୂର୍ଯ୍ୟଙ୍କ ସପ୍ତାଶ୍ୱ, ଗୋଧି, ନିସଙ୍ଗ ପ୍ରତିମା ଆଦି ଗଳ୍ପରେ ଶୈଳ୍ପିକ ଶକ୍ତି ପ୍ରାୟତଃ ଅନୁପସ୍ଥିତ । କିନ୍ତୁ ଏସବୁରେ ସେ ଏକ ନିସ୍ପୃହ କଥନରୀତିର ପ୍ରୟୋଗ କରିଛନ୍ତି, ଯାହା ତାଙ୍କୁ ଜଣେ ସ୍ୱତନ୍ତ୍ର ଗଳ୍ପ ଲେଖକର ମର୍ଯ୍ୟାଦା ଦିଏ ।

 

ଦୀର୍ଘ ଚାଳିଶ ବର୍ଷ ଧରି ଓଡ଼ିଆ ଗପରେ ନାନା ପରୀକ୍ଷା ନିରୀକ୍ଷା କରିଛନ୍ତି ଶ୍ରୀ ଗୋପୀନାଥ ମହାନ୍ତି । ମଣିଷର ବସ୍ତୁବାଦୀ ଚିନ୍ତା, ତୃଷ୍ଣା, କ୍ଷମତା ତଥା ସୁବିଧାବାଦୀ ଗୋଷ୍ଠୀର ଛଳନାକୁ ସେ ଚମତ୍କାର ଶୈଳୀରେ ଉପସ୍ଥାପିତ କରିଛନ୍ତି ତାଙ୍କ ଗଳ୍ପମାନଙ୍କରେ । ଉଡ଼ନ୍ତା ଖଇ, ବଘେଇ, ପିମ୍ପୁଡ଼ି, ତିନିକାଳ, ଛାଇଆଲୁଅ ପରି ସୃଷ୍ଟିମାନଙ୍କୁ ପଢ଼ିଲେ ଗୋପୀନାଥଙ୍କ ତିନିଟି ବିଶେଷତ୍ୱ ଓ ନିଆରାପଣ ବାରି ହୋଇପଡ଼େ । ପ୍ରଥମତଃ ଚରିତ୍ରମାନଙ୍କ ଯୋଗ୍ୟ ପରିସ୍ଫୁଟନ । ଦ୍ୱିତୀୟରେ, ଗୋପୀନାଥଙ୍କ ଗପ ପଢ଼ି, ମନେରଖି, ଅନ୍ୟକୁ ଶୁଣାଇ ହୁଏନା । ତୃତୀୟ କଥାଟି ହେଲା, ଗପ ଶେଷରେ ଏକ ଉଦାସଭାବ ଯାହା ଖାଲି ମନେରହେ । ଶୈଳୀ ଓ ଚରିତ୍ର ଚିତ୍ରଣ ଦୃଷ୍ଟିରୁ ଗୋପୀନାଥ ସର୍ବଦା ଅନତିକ୍ରମ୍ୟ । ରାଜକିଶୋର ପଟ୍ଟନାୟକ (୧୯୧୭-୧୯୯୭) ଯେକୌଣସି ପ୍ଲଟ୍‌ ଉପରେ ଗପଟିଏ ଲେଖିବାର ତାକତ ଥିଲା ତାଙ୍କର । ଏହାର ଏକ ଉଦାହରଣ ତାଙ୍କର ସୃଷ୍ଟି ଅଡ଼ୁଆ ସୂତା (୧୯୮୩) । ଶୈଳୀ, ଶିଳ୍ପର ଚାତୁରୀରୁ ନିଜକୁ ମୁକ୍ତ ରଖି ସରଳ ସ୍ୱଚ୍ଛଳ ଗଦ୍ୟଶୈଳୀ ଓ ବାସ୍ତବ ଗଳ୍ପ ଶିଳ୍ପର ସେ ସ୍ରଷ୍ଟା । ସେହିପରି ଅନନ୍ତ ପଟ୍ଟନାୟକ, ପ୍ରାଣବନ୍ଧୁ କରଙ୍କ ପରେ ଆସିବେ ଯୁଗଦ୍ରଷ୍ଟା ସୁରେନ୍ଦ୍ର ମହାନ୍ତି ।

 

ସୁରେନ୍ଦ୍ର ମହାନ୍ତି (୧୯୨୨-୧୯୯୦) ଓଡ଼ିଆ ଗଳ୍ପକୁ ପ୍ରସଙ୍ଗ, ଚରିତ୍ର, ବକ୍ତବ୍ୟ, ଶୈଳୀ ଓ ଭାଷା ସବୁ କ୍ଷେତ୍ରରେ ପାରମ୍ପରିକତାରୁ ମୁକ୍ତ କରିଛନ୍ତି ଓ ସ୍ୱତନ୍ତ୍ରତା ପ୍ରଦାନ କରିଛନ୍ତି । ତାଙ୍କର ସୃଷ୍ଟି ମଧ୍ୟରେ ମରାଳର ମୃତ୍ୟୁ (୧୯୬୨), ଦୁଇ ସୀମାନ୍ତ (୧୯୭୧), ମହାନିର୍ବାଣ (୧୯୭୩), ଓ ! କାଲ୍‌କାଟା (୧୯୭୩), କବି ଓ ନର୍ତ୍ତକୀ (୧୯୭୫) ରହିଛି । ସ୍ୱଚ୍ଛନ୍ଦ, ସ୍ୱାଭାବିକ ତାଙ୍କର ଗଳ୍ପଶୈଳୀ । ସେ କେବେ ସନ୍ନ୍ୟାସୀ, କେବେ ସଂସାରୀ, ଅଘୋରୀ, କେବେ ରୁଦ୍ର, କାପାଳିକ । ବେଳବେଳେ ମନେହେବ, ତାଙ୍କର ଗଳ୍ପ ଲାଗୁଚି ମନ୍ତ୍ର ପରି । ତାଙ୍କ ଭାଷାରେ ‘‘କ୍ଷୁଦ୍ରଗଳ୍ପ କାହାଣୀ ନୁହେଁ ବା ଉପନ୍ୟାସର ସଂକ୍ଷିପ୍ତ ରୂପ ନୁହେଁ । ସଂଗୀତର ପରିଭାଷାରେ ଏହା ହୁଏତ ନାଦ, ହୁଏତ କମ୍ପନ, ହୁଏତ ମୂର୍ଚ୍ଛନା: କିନ୍ତୁ ସଂପୂର୍ଣ୍ଣ ସଂଗୀତ ନୁହେଁ ।

 

ତାଙ୍କର ଶୈଳୀ କେଉଁଠି ଆତ୍ମକଥନ ଭଙ୍ଗୀର ତ କେଉଁଠି ବର୍ଣ୍ଣନାତ୍ମକ । ସେ ଆହୁରି ମଧ୍ୟ କହିଛନ୍ତି ‘‘ବିଷୟବସ୍ତୁ ଉପଯୋଗୀ ଭାଷା ହେଲେ, ଉପଯୁକ୍ତ ପରିବେଶ ସୃଷ୍ଟି ହୁଏ ଏବଂ ଚରିତ୍ର ସୃଷ୍ଟି ପାଇଁ ମଧ୍ୟ ଭିନ୍ନ ଭିନ୍ନ ଶବ୍ଦ ସମ୍ବଳିତ ଭାଷା ପ୍ରୟୋଗ ଆବଶ୍ୟକ ।’’ ଭାଷା ପ୍ରୟୋଗରେ ସୁରେନ୍ଦ୍ର ଓଡ଼ିଆ ଗଳ୍ପର ଅପ୍ରତିଦ୍ୱନ୍ଦ୍ୱୀ ବ୍ୟକ୍ତିତ୍ୱ ।

 

ମହାପାତ୍ର ନୀଳମଣି ସାହୁ (୧୯୨୭)ଙ୍କ ମତରେ ‘‘ଶୈଳୀ ଓ କଥାବସ୍ତୁ ଭିତରୁ ମୁଁ କଥାବସ୍ତୁ ଉପରେ ଗୁରୁତ୍ୱ ଦିଏ ।’’ ଖାଲି ଅକ୍ଷର ଶିଖିଥିବା ଓଡ଼ିଆ ଲୋକଟିଏ ତାଙ୍କୁ ବୁଝିପାରେ । ଓଡ଼ିଶାରେ ଏଭଳି ଗୌରବର ଅଧିକାର ଖୁବ୍‌ କ୍ୱଚିତ୍‌ ଗାଳ୍ପିକ ପାଇଛନ୍ତି ।

 

ସେହିଭଳି ଓଡ଼ିଶାରୁ ୱାସିଂଟନ୍‌ ଯାଏ ଶାନ୍ତନୁ କୁମାର ଆଚାର୍ଯ୍ୟ (୧୯୩୩)ଙ୍କ ଗଳ୍ପର ପ୍ଲଟ୍‌ ସୁବିସ୍ତୃତ । ସବୁ ଗପରେ ନୂଆ ଶୈଳୀ, ନୂଆ ଭାବବସ୍ତୁର ବିନ୍ୟାସ ଦେଖାଯାଏ । ସାଧାରଣ ଘଟଣା ଓ କାହାଣୀକୁ ସେ ଅନନ୍ୟ ଓ ଅନତିକ୍ରମ୍ୟ କରିପାରନ୍ତି । ଅଦିନ ବଉଳ, ଏକବିଂଶ ଶତାବ୍ଦୀ ପାଇଁ ଗଳ୍ପ, ଆଦ୍ୟ ସକାଳ, ସର୍ପଯାନ, ଚଳନ୍ତି ଠାକୁର, ଜୀବନର ସ୍ଥୂଳ ଓ ସୂକ୍ଷ୍ମ ଜଗତର ବର୍ଣ୍ଣନା କରନ୍ତି । ବେଳେବେଳେ ତାଙ୍କୁ ବୁଝିବାକୁ ପାଠକର ବୌଦ୍ଧିକ ପୁଞ୍ଜି ଆବଶ୍ୟକ ହୁଏ ।

 

ମନୋଜ ଦାସ (୧୯୩୪) ସ୍ୱାଧୀନୋତ୍ତର ଗଳ୍ପକାର ଭାବେ ବହୁ ପଠିତ, ବହୁ ଚର୍ଚ୍ଚିତ । ବାସ୍ତବ-ଅତିବାସ୍ତବ-ପରାବାସ୍ତବକୁ ଗୋଟିଏ କାହାଣୀ କ୍ରମରେ ସେ ସଞ୍ଚରଣ କରାଇପାରନ୍ତି । ତାଙ୍କର ସୃଷ୍ଟି ମଧ୍ୟରେ ରହିଛି, ଆରଣ୍ୟକ (୧୯୬୦), ଶେଷ ବସନ୍ତର ଚିଠି (୧୯୬୬), ମନୋଜ ଦାସଙ୍କ କଥା ଓ କାହାଣୀ (୧୯୭୧), ଲକ୍ଷ୍ମୀର ଅଭିସାର (୧୯୭୪), ଆବୁପୁରୁଷ ଓ ଅନ୍ୟାନ୍ୟ (୧୯୭୫), ଧୂସର ଦିଗନ୍ତ ଓ ଅନ୍ୟାନ୍ୟ (୧୯୭୭) । ମନୋଜ ଓଡ଼ିଆ ଗଳ୍ପକୁ ଅନ୍ତର୍ଜାତୀୟ ପାଠକୀୟତା ପ୍ରଦାନ କରିଛନ୍ତି । ତାଙ୍କ ଗଳ୍ପର କଥନଭଙ୍ଗୀ ସବୁଠୁ ନିଆରା । ଏ ଆହରଣ ତାଙ୍କର ବିଷ୍ଣୁଶର୍ମା, ସୋମଦେବମାନଙ୍କଠାରୁ । ତାଙ୍କର କଳ୍ପନାଶ୍ରୟୀ ଗଳ୍ପ ସବୁ ଭାରତୀୟ ଦର୍ଶନର ଆତ୍ମାନୁସନ୍ଧାନ କରିଛି । ବେଳେବେଳେ ସେ ମନେହେବେ କଥକ ପରି, ହାସ୍ୟରସ ଭିତରେ ସେ ସଂପୂର୍ଣ୍ଣ ଗପଟିକୁ କହୁଥିବେ । ଏ ଶୈଳୀ ଏଯାଏ ଅନତିକ୍ରମ୍ୟ ହୋଇ ରହିଛି ।

 

ତେଣୁ ତାଙ୍କ ଗଳ୍ପ ସଂପର୍କରେ ଆଡ୍ରିଆନ୍‌ କହିଛନ୍ତି: ମନୋଜଙ୍କ ଗଳ୍ପ ପଢ଼ିଲେ, ଭାରତୀୟ ଚେତନା ଭିତରକୁ ଆମର ଅନ୍ତର୍ଦୃଷ୍ଟି ଚାଲିଯାଏ ।

 

କିଶୋରୀ ଚରଣ ଦାସ (୧୯୨୪-୨୦୦୪) ତିନିଶହ ଗଳ୍ପର ସ୍ରଷ୍ଟା । ତାଙ୍କ ଗଳ୍ପ ପ୍ରାୟତଃ ଉଚ୍ଚ ବର୍ଗ ବା ଉଚ୍ଚ ମଧ୍ୟବିତ୍ତ ବର୍ଗ ସମାଜଭୂମି ଉପରେ ଆଧାରିତ । କିଶୋରୀ ଦାସଙ୍କ ଅନେକ ଗପ ଚେତନା ପ୍ରବାହ ଧାରାରେ ରଚିତ । ତାଙ୍କର ଭଙ୍ଗା ଖେଳଣା, ଲକ୍ଷ ବିହଙ୍ଗ, ଘରବାହୁଡ଼ା, ଠାକୁରଘର, ଗମନରେ ତାଙ୍କର କଥା ସ୍ୱାକ୍ଷର ଅଙ୍କିତ ।

 

ଏହି ସମୟରେ ଆସୁଛନ୍ତି କୃଷ୍ଣପ୍ରସାଦ ମିଶ୍ର, ଅଖିଳମୋହନ ପଟ୍ଟନାୟକ, ଅଚ୍ୟୁତାନନ୍ଦ ପତି, ବୀଣାପାଣି ମହାନ୍ତି, ଚୌଧୁରୀ ହେମକାନ୍ତ ମିଶ୍ର, ବାମାଚରଣ ମିତ୍ର, ଫତୁରାନନ୍ଦ । ଏମାନେ ସ୍ୱାଧୀନତା ପରଠୁ ଅର୍ଦ୍ଧଶତାବ୍ଦୀରୁ ଊଦ୍ଧ୍ୱର୍କାଳ ବ୍ୟାପୀ ଗଳ୍ପ ରଚନା କରିଛନ୍ତି ଓ ଏମାନଙ୍କ ଭିତରୁ ଅନେକଙ୍କ କଲମ ଏଯାଏ ଚାଲୁ ରହିଛି ।

 

ଏ ସମସ୍ତଙ୍କୁ ମୁଁ କ୍ଲାସିକ୍‌ ବୋଲି କହୁଛି ।

 

ଓଡ଼ିଆ ଗଳ୍ପର ନବନିର୍ବାଣ କ୍ଷେତ୍ରରେ ଅଛନ୍ତି ବ୍ରହ୍ମାନନ୍ଦ ପଣ୍ଡା । ସଂକ୍ଷିପ୍ତ ଗଳ୍ପରେ ଅର୍ଥ ସଂପ୍ରେଷଣର କ୍ଷମତା ରଖିଥିବା ଗାଳ୍ପିକ । ଗଳ୍ପରେ ବ୍ୟାପ୍ତି ଅପେକ୍ଷା ଦୀପ୍ତିରେ ସେ ଗୁରୁତ୍ୱ ଦେଉଥିଲେ । ୧୯୭୬ରେ ତାଙ୍କର ‘ପ୍ରାନ୍ତଯମକ’ର ଗପ ସବୁ ଏହି ଧାରାର ।

 

ଏହି ସମୟଖଣ୍ଡର ଓଡ଼ିଆ ଗଳ୍ପର ଆଉ ଜଣେ ଯଶସ୍ୱୀ କଥାକାର ରବି ପଟ୍ଟନାୟକ । ତାଙ୍କର ଗଳ୍ପ ସଂକଳନର ସଂଖ୍ୟା ୧୨ । ଭାଷା ଓ ଶୈଳୀ ଦୃଷ୍ଟିରୁ ଶ୍ରୀ ପଟ୍ଟନାୟକ ଏଯାଏ ଅନତିକ୍ରମ୍ୟ ହୋଇ ରହିଛନ୍ତି । ତାଙ୍କର ଅସାମାଜିକର ଡାଏରି (୧୯୬୪), ଅନ୍ଧ ଗଳିର ଅନ୍ଧକାର (୧୯୭୨), ରାଗତୋଡ଼ି (୧୯୭୯) ପଢ଼ିଲେ ଜାଣିହେବ କେମିତି ଦୀର୍ଘ, ମିନି, ପ୍ରତୀକ, ଆଭାସ, କାବ୍ୟଧର୍ମୀ, ସମ୍ବାଦପତ୍ରଧର୍ମୀ ପ୍ରଭୃତି ଆଙ୍ଗିକକୁ ଚମତ୍କାର ଭାବେ ସେ ପ୍ରୟୋଗ କରିଛନ୍ତି ।

 

ଏ ଭିତରେ ଆସୁଛନ୍ତି ଗାଳ୍ପିକ ପ୍ରଶାନ୍ତ ପଟ୍ଟନାୟକ (ପ୍ରୀତମ), ହରିହର ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ, ଫନୀ ମହାନ୍ତି, ପ୍ରଫୁଲ୍ଲ ତ୍ରିପାଠୀ । ପ୍ରଫୁଲ୍ଲ ତ୍ରିପାଠୀଙ୍କ ଗଳ୍ପର ଭାଷା ରୀତି ଆବେଗସଂପନ୍ନ, ସ୍ୱଚ୍ଛଳ, ସାବଲୀଳ । ପ୍ରତିଗଳ୍ପ ରଚନାରେ ଦକ୍ଷ ଶ୍ରୀ ତ୍ରିପାଠୀ । ଏହି ସମୟର ଜଣେ ଚମତ୍କାର ଗାଳ୍ପିକ ପୂର୍ଣ୍ଣାନନ୍ଦ ଦାନୀ (୧୯୪୪-୨୦୦୪) । ପୁଣି ଅଛନ୍ତି ବିଜୟକୃଷ୍ଣ ମହାନ୍ତି, ବ୍ରଜମୋହନ ମହାନ୍ତି, ବିଭୂତି ପଟ୍ଟନାୟକ (୧୯୩୭) । ଯାଦୁକରୀ ଭାଷାଶୈଳୀ, ରୋମାଣ୍ଟିକ୍‌ ସଂଳାପରେ ଜୀବନ୍ତ ପରିବେଶ ସୃଷ୍ଟି ଓ ଅକଳ୍ପିତ ପରିଣତି ବିଭୂତିଙ୍କ ଗଳ୍ପକୁ ଆରମ୍ଭ କଲା ମାନେ ଶେଷ କରିବାକୁ ବାଧ୍ୟ । ବାମପନ୍ଥୀ, ନେତା, ପ୍ରେମିକ, ତରୁଣ ସାହିତ୍ୟିକ ବସ୍ତିର ଯୁବକ, ପୂଜକ, ଆଦର୍ଶ ଶିକ୍ଷକ, ସିଲେଇ ଦିଦି, କର୍ମଚାରୀ ସମସ୍ତେ ତାଙ୍କର ଚରିତ୍ର । ସେଇ ଅନୁସାରେ ତାଙ୍କର ଭାଷା ଓ ଶୈଳୀ ।

 

ଏହି ସମୟ ଖଣ୍ଡରେ ଅନେକ ଚମତ୍କାର ଗଳ୍ପ ଲେଖିଥିଲେ ରତ୍ନାକର ଚଇନି, ରାଧାବିନୋଦ ନାୟକ, ସୁବୋଧ ଦାସ ଓ ଦେବ୍ରାଜ ଲେଙ୍କା । ଦେବ୍ରାଜ ଲେଙ୍କା, ନିଜ ନାଁକୁ ଦେବରାଜରୁ ଦେବ୍ରାଜ କଲେ, ଏଇଥିରୁ ତାଙ୍କ ଶୈଳୀର କିଞ୍ଚିତ ପରିଚୟ ମିଳେ । ନିଜର ଏକ ନୂତନ ଭାଷା ଶୈଳୀ, ପ୍ରକାଶ ଶୈଳୀ ଓ ରଚନା ଶୈଳୀର ସେ ପ୍ରତିଷ୍ଠାତା । ଧ୍ୱନି ନିର୍ଭର ଶବ୍ଦପଦ ବସାଣରେ ସେ ଦକ୍ଷ । ତାରୁଣ୍ୟ, ପ୍ରେମ, ଦେହ ଓ ସନ୍ନ୍ୟାସର ଅନୁଭୂତି ସ୍ନିଗ୍ଧ ପ୍ରକାଶ ଘଟିଛି ଆଉ ଜଣେ ପ୍ରଚଣ୍ଡ ଗାଳ୍ପିକଙ୍କ ଗଳ୍ପରେ । ସେ ହେଲେ ପଦ୍ମଜ ପାଳ । ଅପେକ୍ଷାକର ମୁଁ ଫେରୁଛି (୧୯୮୦) ଏହି କାଳଖଣ୍ଡର ରଚନା । ଭାଷା, ଚରିତ୍ରୋପଦେଶ, ଘଟନା ଉପଯୋଗୀ, ଶୈଳୀ, ତାଙ୍କର କେବେ ବାସ୍ତବ, କେବେ କାବ୍ୟଧର୍ମୀ ।

 

ଏହିବେଳେ ଆସିବେ ଗାଳ୍ପିକ ପ୍ରଭାତ ମହାପାତ୍ର, ଉମାଶଙ୍କର ମିଶ୍ର, ଅଧ୍ୟାପକ ବିଶ୍ୱରଂଜନ, ରବି ସ୍ୱାଇଁ, ଜଗଦୀଶ ମହାନ୍ତି (୧୯୫୧) । ଜଗଦୀଶଙ୍କର ଏହି ସମୟ ଭିତରେ ଆସୁଛି ଏକାକୀ ଅଶ୍ୱାରୋହୀ (୧୯୭୯), ଦକ୍ଷିଣ ଦୁଆରୀଘର (୧୯୮୦), ଈର୍ଷା ଏକ ଋତୁ (୧୯୮୦) ପ୍ରଭୃତି ଗଳ୍ପ ସଂକଳନ । କଥାବସ୍ତୁର ନୂତନତା, ଶୈଳୀର ସଂପ୍ରେଷଣ କ୍ଷମତା ତାଙ୍କର ଅଦ୍ଭୁତ । ତାଙ୍କର ଚରିତ୍ର, ଆଧୁନିକ ମଣିଷ । ଏହି ମଣିଷର ସ୍ଥିତି, ନିସଙ୍ଗତା, ବିଚ୍ଛିନ୍ନତାବୋଧ ଶବ୍ଦକଳ୍ପର ସଂଯୋଜନାରେ ଜଗଦୀଶ ଅନତିକ୍ରମ୍ୟ ।

 

ଏହି କାଳ ମଧ୍ୟରେ ଆସୁଛନ୍ତି ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ କହ୍ନେଇଲାଲ (୧୯୪୭-୧୯୭୬) । ଶବ୍ଦ, ଶୈଳୀର ଅନୁପମ ବିନ୍ଧାଣୀ । ତାଙ୍କ ଗଳ୍ପ ଚିଠି ପରି, ଡାଏରି ପରି, ନାଟକ ପରି, କବିତା ପରି ମନେହେବ । ଏହି ସମୟ ଖଣ୍ଡରେ ଅଛନ୍ତି କାହ୍ନୁଚରଣ, ଚନ୍ଦ୍ରଶେଖର ରଥ, ରାମଚନ୍ଦ୍ର ବେହେରା, ପ୍ରତିଭା ରାୟ, ସରୋଜିନୀ ସାହୁ, ଜଗନ୍ନାଥ ପ୍ରସାଦ ଦାସ, ଶ୍ୟାମାପ୍ରସାଦ ଚୌଧୁରୀ । ରଜନୀକାନ୍ତ ମହାନ୍ତି, ଯଶୋଧାରା ମିଶ୍ର, ନାରୁ ମହାନ୍ତି, ଗିରି ଦଣ୍ଡସେନା, ବନଜ ଦେବୀ, ଅର୍ଚ୍ଚନା ନାୟକ ।

 

ସତୁରି ପରବର୍ତ୍ତୀ ଓଡ଼ିଆ ଗଳ୍ପ ରଚନା କ୍ଷେତ୍ରରେ, ନବଚେତନାର ଭାଷା ଓ ଶୈଳୀର ନୂତନତ୍ୱ ପ୍ରୟୋଗ ଦୃଷ୍ଟିରୁ ଆଉ କିଛି ଗାଳ୍ପିକ ସାମିଲ୍‌ ହେବେ । ଦାଶ ବେନହୁର, ଅଶୋକ ଚନ୍ଦନ, ସରୋଜିନୀ ସାହୁ, ସଦାନନ୍ଦ ତ୍ରିପାଠୀ, ଗୌରାଙ୍ଗ ଚରଣ ଦାସ, ରବି ସ୍ୱାଇଁ, ସତ୍ୟ ମିଶ୍ର ଓ ଆଉ କେତେକ ।

 

ଅଶୋକ, ସରୋଜିନୀ, ସତ୍ୟ ମିଶ୍ର, ଅକ୍ଷୟ ମହାନ୍ତି ସେମାନଙ୍କ ଗପରେ ‘କନ୍‌ଫେସନ୍‌’ର ଶୈଳୀ ଓ ଅନୁରୂପ ଟେକ୍‌ନିକ୍‌ ପ୍ରୟୋଗ ପାଇଁ ମନେ ରହିବେ । ଏମାନେ ମୂଲ୍ୟବୋଧ, ସଂସ୍କାର, ଆଟୋପର ଊର୍ଦ୍ଧ୍ୱରେ ଜିଉଁଥିବା ଜୀବନକୁ ସଂକଳିତ କରିବାକୁ ଚେଷ୍ଟା କରିଛନ୍ତି । ପ୍ରତି ମୂଲ୍ୟବୋଧ ସପକ୍ଷରେ ଏମାନେ ସ୍ୱର ଉତ୍ତୋଳନ କରିଛନ୍ତି ।

 

ତେବେ ନିଷ୍କର୍ଷରେ ମୁଁ ଏତିକି କହିବି :

 

୧. ଭାବପ୍ରଧାନ ଓଡ଼ିଆ ଗଳ୍ପର ଭାବକେନ୍ଦ୍ରରେ ବିଶେଷ ବକ୍ତବ୍ୟ ପ୍ରତିପାଦନ, ପ୍ରଚାର ବା କୌଣସି ପ୍ରଫେସି ରହିଲା ନାହିଁ । ଗଳ୍ପର ଆଙ୍ଗିକ ତେଣୁ ଆତ୍ମସ୍ୱୀକାରୋକ୍ତି ମୂଳକ ହେଲା ।

 

୨. ବିଷୟରେ ବୈଚିତ୍ର୍ୟ ଓ ଚିତ୍ରଣଗତ ବିବିଧତା ଲକ୍ଷ୍ୟ କରାଗଲା ।

 

୩. ଏ କାଳର ଗାଳ୍ପିକମାନେ ସାହସୀ ଓ ପ୍ରଥାମୁକ୍ତ । ଓଡ଼ିଆ ଗଳ୍ପକୁ ଆନ୍ତର୍ଜାତିକ ମାନକ ପ୍ରଦାନ କରିଥିଲେ ଏମାନେ ।

 

୪. କେବଳ କଥନଭଙ୍ଗୀରେ ଲେଖା ନ ଯାଇ, ନାଟକ, କବିତା, ପ୍ରବନ୍ଧ, ଡାଏରି, ଚିଠିର ଆଙ୍ଗିକରେ ଲେଖାଗଲା ।

 

୫. କାବ୍ୟିକ, ସରଳ ଭାଷା ବିଧାନରେ କାହାଣୀହୀନ ଅଥଚ ବର୍ତ୍ତୃଳ କଥାଭାଷା ଏଇ କାଳରେ ରଚିତ ହେଲା ।

 

୬. ସ୍ୱତନ୍ତ୍ର ଶିଳ୍ପରୀତି ପ୍ରତିଷ୍ଠା ପାଇଁ ଏ ସମୟର ଗାଳ୍ପିକ/ଗାଳ୍ପିକାମାନେ ଚେଷ୍ଟିତ ହେଲେ ।

 

୭. ମିନି, ଦୀର୍ଘ, ଆଭାସ, ପ୍ରତୀକ, କାବ୍ୟ, ପତ୍ରସମ୍ବାଦଧର୍ମୀ ଆଙ୍ଗିକ ଏଇ କାଳରେ ଅନୁସୃତ ହେଲା ।

 

୮. କିଶୋରୀ ଚରଣ ଦାସ ଲେଖିଲେ ‘‘କଥା ସାହିତ୍ୟର କଳା ଓ କାରିଗରୀ,’’ କାରିଗରୀ ଉପରେ ଅନେକେ ଜୋର୍‌ ଦେଲେ ।

 

୯. ଏହି କାଳରେ ଓଡ଼ିଆ ଗଳ୍ପ ପାଠକମାନେ ପାଇଲେ ବିସ୍ମୟକର, ବ୍ୟାପକ, ବୋଧାତୀତ, ଅପହଞ୍ଚ ଅମୃତଫଳ ।

 

୧୦. କିଛି ଗାଳ୍ପିକ ପୁରୁଣା ଗପର ଛାଞ୍ଚରେ ବା ଆଦର୍ଶରେ ଗପକୁ ଗଢ଼ି ତାକୁ ପ୍ରତୀକ, ରୂପକର ଆବରଣରେ ପ୍ରଚ୍ଛନ୍ନ କରି ପୁଣି ସତେଜତା ସୃଷ୍ଟି କରିଛନ୍ତି ।

 

୧୧. ଘଟଣା, ସଂପାତ, ମନମନ୍ଥନ, ସଂଳାପ, ସଂଘାତ ମୁଖ୍ୟତଃ ପ୍ରଥମ ଦଶନ୍ଧିର ଗଳ୍ପରେ ଦେଖିବାକୁ ମିଳେ । ଏହି ସମୟରେ ଶୈଳୀ ସ୍ୱତନ୍ତ୍ର, ସ୍ୱୀକୃତ କିନ୍ତୁ ଶୈଳୀର ଚମକ ପାଇଁ ଏତେ ଧ୍ୟାନଶୀଳ ନୁହନ୍ତି । କିନ୍ତୁ ପର ଦଶନ୍ଧିରେ ଏମାନଙ୍କର ଶୈଳୀ ଓ ପ୍ରସଙ୍ଗରେ ନବୀନତାର ଔଜ୍ଜ୍ୱଲ୍ୟ ଦେଖାଯାଏ ।

 

୧୨. ଏହି ସମୟରେ ଅକୃତ୍ରିମ ଭାଷାର ସ୍ୱଚ୍ଛଳ ପ୍ରୟୋଗ ହୋଇଚି ଗଳ୍ପରେ ।

 

୧୩. ଓଡ଼ିଆ ଗଳ୍ପରେ ଏକ ପ୍ରକାର ନିର୍ଲିପ୍ତ ଭାଷାଶୈଳୀର ପ୍ରୟୋଗ, ଏହି ସମୟରେ ହୋଇଛି ।

 

କେହି କେହି ଆଲୋଚକ କହନ୍ତି; କିଛି ଗାଳ୍ପିକ ୧୯୬୦ରୁ ୮୦ ମଧ୍ୟରେ ସେମାନଙ୍କ ଶ୍ରେଷ୍ଠ ସୃଷ୍ଟି ୧୯୮୦ ସୁଦ୍ଧା ଉତ୍ପନ୍ନ କରିସାରିଛନ୍ତି । ଏବେ ସେଇ ଗାଳ୍ପିକମାନେ ଲେଖାଲେଖି କରୁଛନ୍ତି । କିଛି ଗଳ୍ପ ଲେଖାରୁ ଦୂରେଇ ଯାଇଛନ୍ତି । ସେମାନେ ଯେ ଆଉ ଚମତ୍କାର ଗଳ୍ପ ଲେଖିପାରିବେନି, ଏ ଆଶଙ୍କା ମୋର ନାହିଁ ।

 

ତେବେ ଏହି ୧୯୬୦ରୁ ୮୦ ସମୟର କାଳଖଣ୍ଡକୁ ଓଡ଼ିଆ ଗଳ୍ପର ‘‘ହୀରକ ଯୁଗ’ ବୋଲି ଆଖ୍ୟାତ କରୁଛି । ଚମତ୍କାର ଗଳ୍ପ ସବୁର ସୃଜନ ଏହି କାଳରେ ହୋଇଛି । ଗୋଦାବରୀଶଙ୍କଠାରୁ ଗିରି ଦଣ୍ଡସେନା, ଗୌରହରି ଦାସଙ୍କ ଯାଏ ଏହି କାଳଖଣ୍ଡରେ ଅଛନ୍ତି ।

Image

 

ଓଡ଼ିଆ ଗଳ୍ପର ଭାବସଂପଦ

(୧୯୬୦-୧୯୮୦)

ପ୍ରସନ୍ନ କୁମାର ମହାନ୍ତି

 

ଊନବିଂଶ ଶତାବ୍ଦୀର ଅନ୍ତିମ ପାଦରେ ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ଜନକ ଭାବରେ ଉଭୟ ଭାବବସ୍ତୁ ଓ ଶିଳ୍ପ ପ୍ରକରଣର ଯେଉଁ ମୂଳଦୁଆ ସ୍ଥାପନ କରିଥିଲେ ତାହା ଥିଲା ଗର୍ବ କଲା ଭଳି ବେଶ୍‌ ସୁଦୃଢ଼ ଓ ସୁସଂହତ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସେହି ଦୃଢ଼ ଭିତ୍ତି ବିଂଶ ଶତାବ୍ଦୀର ପ୍ରଥମ ଦୁଇ-ତିନି ଦଶନ୍ଧି ବ୍ୟାପୀ କ୍ଷୁଦ୍ରଗଳ୍ପ ରଚନାର ଏକ ଅଘୋଷିତ ନିୟାମକ ପାଲଟି ଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ସଂକ୍ଷେପରେ କହିବାକୁ ଗଲେ ଫକୀରମୋହନଙ୍କ ଗଳ୍ପ-ସାମ୍ରାଜ୍ୟର ଭାବ-ବସ୍ତୁ ଥିଲା ସମାଜ-ସଂସ୍କାର, ଭାଷା ଥିଲା ପଲ୍ଲୀବାସୀଙ୍କ ମୁହଁର ନିଚ୍ଛକ ଓଡ଼ିଆ ଏବଂ ପରିବେଷଣ ରୀତି ଥିଲା ହାସ୍ୟରସାତ୍ମକ ରସାଳ ବିଦ୍ରୂପାତ୍ମକତା । ଏଠାରେ ଏହା ସ୍ପଷ୍ଟ କରିଦେବା ଉଚିତ ହେବ ଯେ ଗଳ୍ପର ‘ପ୍ଲଟ୍‌’ କହିଲେ ଆମେ ତା’ର ବିଷୟବସ୍ତୁ ବା କାହାଣୀର କାନ୍‌ଭାସ୍‌କୁ ବୁଝୁ, କିନ୍ତୁ ‘ଥିମ୍‌’ କହିଲେ ଗଳ୍ପର ଭାବବସ୍ତୁ, ଭାବ ସଂପଦ, ବାର୍ତ୍ତା ବା ବକ୍ତବ୍ୟର ମୁଖ୍ୟସ୍ୱର ବୋଲି ବୁଝୁ ।

 

ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ସମାଜରେ ପରିବର୍ତ୍ତନ ଘଟିଚାଲିବା ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ସାହିତ୍ୟରେ ସମକାଳୀନ ସମାଜର ପ୍ରତିଫଳନ ଘଟିବା ମଧ୍ୟ ସେହିଭଳି ଅତ୍ୟନ୍ତ ସ୍ୱତଃସ୍ଫୂର୍ତ୍ତ ଓ ସ୍ୱାଭାବିକ । ୧୮୯୮ ମସିହାରେ ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ‘ରେବତୀ’ ଫକୀରମୋହନଙ୍କ ଦ୍ୱାରା ଲିଖିତ ହୋଇସାରିବା ପରେ ୧୯୬୦ ମସିହା ପର୍ଯ୍ୟନ୍ତ ଛଅ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ମଧ୍ୟରେ ପରିବର୍ତ୍ତନର ଏହି ପ୍ରତ୍ୟାଶିତ ପ୍ରକ୍ରିୟାରେ ଓଡ଼ିଆ କ୍ଷୁଦ୍ରଗଳ୍ପ ନାନା ନବକଳେବରରେ ମଣ୍ଡିତ ହୋଇଛି । ମାତ୍ର ପ୍ରସଙ୍ଗତଃ ସେହି କାଳଖଣ୍ଡ ଏହି ନିବନ୍ଧର ପରିସରଭୁକ୍ତ ହୋଇ ନ ଥିବାରୁ ଆମକୁ ୧୯୬୦ ମସିହାକୁ ଏକ ସୁଦୀର୍ଘ ଲମ୍ଫ ପ୍ରଦାନ କରିବାକୁ ପଡ଼ିବ ।

 

ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପୃଥିବୀ କ୍ରମଶଃ ଛୋଟ ହୋଇଯିବାକୁ ଆରମ୍ଭ କରିଛି । ଶିକ୍ଷା ଓ ଜ୍ଞାନର ସଂପ୍ରସାରଣ, ବିଜ୍ଞାନର ବିସ୍ଫୋରକ ବିଜୟ ଅଭିଯାନ, ଗମନାଗମନ ଓ ସମ୍ବାଦ ସରବରାହର ବିକାଶ ଇତ୍ୟାଦି ଫଳରେ ବିଶ୍ୱବ୍ୟାପୀ ବୌଦ୍ଧିକ ଆଦାନପ୍ରଦାନର ପ୍ରକ୍ରିୟା ପୂର୍ବାପେକ୍ଷା ସୁଗମ ଓ ଦ୍ରୁତତର ହେବାକୁ ଆରମ୍ଭ କରିଛି । ୧୯୬୦ ମସିହାର ଓଡ଼ିଶା ଓ ଓଡ଼ିଆ ସାହିତ୍ୟ କଥା ଚିନ୍ତା କଲାବେଳେ ଆମେ ଦେଖିପାରିବା ଯେ ଆମ ଚିନ୍ତା ଓ ଚେତନା, ବିଚାର ଓ ଆବେଗକୁ ଗଭୀର ଭାବେ ସ୍ପର୍ଶ କଲା ଭଳି ବିଶ୍ୱବ୍ୟାପୀ ଅନେକ ଘଟନା ଘଟିଯାଇଛି । ଘଟନାଗୁଡ଼ିକ ଘଟିତ ହୋଇଥିବା ଭୌଗୋଳିକ ସ୍ଥାନ ଓଡ଼ିଶାଠାରୁ ଆରମ୍ଭ କରି ଲାଲ୍‌କିଲ୍ଲା, ନାଗାସାକି, ମସ୍କୋ, ବର୍ଲିନ୍‌, ପ୍ୟାରିସ୍‌, ୱାଶିଂଟନ୍‌ ପର୍ଯ୍ୟନ୍ତ ପରିବ୍ୟାପ୍ତ । ପ୍ରଥମ ବିଶ୍ୱଯୁଦ୍ଧ, ରୁଷ୍‌ ବିପ୍ଳବ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଫ୍ରୟଡ୍‌ଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ଶିଳ୍ପ ବିପ୍ଳବ, ଭାରତର ସ୍ୱାଧୀନତା ପ୍ରଭୃତି ଘଟନା ସ୍ୱାଭାବିକ ଭାବେ ଓଡ଼ିଆ କବି ଓ କଥାକାରମାନଙ୍କ ସାରସ୍ୱତ ସର୍ଜନର କାନ୍‌ଭାସ୍‌ରେ ଏକ ଏକ ଉଜ୍ଜ୍ୱଳ ରଙ୍ଗ ଓ ରେଖା ଭାବରେ ବ୍ୟବହୃତ ହୋଇଥିବା ଆମେ ଦେଖିପାରିବା । କୌଣସି ଏକ ଅସାଧାରଣ, ଅଭୂତପୂର୍ବ ଅଥବା ବହୁ ପ୍ରତୀକ୍ଷିତ ଘଟନା ଯେତେବେଳେ ଘଟେ ତାହା ସଂପୃକ୍ତ ସମାଜକୁ ସ୍ୱାଭାବିକ ଭାବେ ସବୁଠୁ ବେଶି ପ୍ରଭାବିତ କରେ । କ୍ରମଶଃ ତାହାର ପ୍ରଭାବ ସଂପୃକ୍ତ ଭୌଗୋଳିକ ଓ ରାଜନୈତିକ ସୀମାକୁ ଅତିକ୍ରମ କରି ସୁଦୂରପ୍ରସାରୀ ହୁଏ । ତାହା ସମାଜକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ସ୍ୱତଃ ଅବିଳମ୍ବେ ସାହିତ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ପୁନଶ୍ଚ ଘଟନାଟିର ପରବର୍ତ୍ତୀ କ୍ରମପରିଣତି ନେଇ ଯେଉଁ ସ୍ୱାଭାବିକ ପ୍ରତ୍ୟାଶା ଓ ସମ୍ଭାବନା ଥାଏ, ତାହା ଯଦି ବିଡ଼ମ୍ବିତ ହୁଏ ତା’ହେଲେ ତା’ର ପ୍ରଭାବ ମଧ୍ୟ ସମାଜ ଓ ସାହିତ୍ୟରେ ଅନୁଭୂତ ହୁଏ । ଉଦାହରଣସ୍ୱରୂପ ଭାରତର ସ୍ୱାଧୀନତା ପରବର୍ତ୍ତୀ ମୋହଭଙ୍ଗ ଓ ରୁଷ୍‌ ବିପ୍ଳବ ପରବର୍ତ୍ତୀ ସାମ୍ୟବାଦର ସ୍ୱପ୍ନଭଙ୍ଗକୁ ଗ୍ରହଣ କରାଯାଇପାରେ ।

 

୧୯୬୦ ମସିହା ବେଳକୁ ଓଡ଼ିଆ ଗଳ୍ପରେ ସମାଜ ସଂସ୍କାର, ଜାତୀୟତାବୋଧ, ପାରିବାରିକ ତ୍ୟାଗ ଓ ତିତିକ୍ଷା, ସାମ୍ୟବାଦ, ଆଦର୍ଶବାଦ ଇତ୍ୟାଦି ଭାବବସ୍ତୁ କ୍ରମଶଃ ଗୌଣ ହୋଇପଡ଼ିଲା । ଏହାର ସ୍ଥାନ ଦଖଲ କଲା ମୁଖ୍ୟତଃ ବ୍ୟକ୍ତି ମଣିଷ ବା ବ୍ୟକ୍ତିକ ଜୀବନର ବିଭିନ୍ନ ମାନସିକତା, ବୌଦ୍ଧିକ ଜଟିଳତା, ନିଃସଙ୍ଗବୋଧ, ଅସହାୟତା, ସ୍ୱପ୍ନଭଙ୍ଗ, ମନସ୍ତାତ୍ତ୍ୱିକ ପ୍ରହେଳିକା, ଜୈବିକ ପ୍ରବୃତ୍ତି, ଦାର୍ଶନିକତା ପ୍ରଭୃତି ଭାବବସ୍ତୁ । ଏହା ସହିତ ସଂସାରର ଅସାରତା, ଜୀବନର ଲକ୍ଷ୍ୟହୀନତା, କଳ୍ପିତ ପାରତ୍ରିକତା, ଅତିଭୌତିକତା ବା ଅତୀନ୍ଦ୍ରିୟତା, ପରିବର୍ତ୍ତିତ ମୂଲ୍ୟବୋଧ, ପାରିପାଶ୍ୱିର୍କତା ବିରୋଧୀ ବିଦ୍ରୋହ ଏବଂ ନିଜ ସହ ନିଜର ଯୁଦ୍ଧ ବିଭିନ୍ନ ଭାବରେ ନୂତନ ଗଳ୍ପର ଭାବବସ୍ତୁ ନିର୍ମାଣ କରିଥିବା ସହଜରେ ଆଖିରେ ପଡ଼େ ।

 

ଗଳ୍ପର ପ୍ରାଣକେନ୍ଦ୍ର ବା ଆତ୍ମା ହେଉଛି ଏହାର ଥିମ୍‌ ବା ଭାବସଂପଦ । ଏ ସଂପର୍କରେ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଏକ ଉକ୍ତି ପ୍ରଣିଧାନଯୋଗ୍ୟ । ‘‘ପ୍ଲଟ୍‌ରେ ମୁଁ ବିଶ୍ୱାସ କରେ ନାହିଁ । ପ୍ଲଟ୍‌ ବା ଘଟଣା ଓ ଚରିତ୍ର– ଏସବୁ ଗୋଟିଏ ମାଳାର ଗୋଟିଏ ଗୋଟିଏ କଣ୍ଠି । କିନ୍ତୁ ସୂତାଟିଏ ଦରକାର ତାକୁ ଗୁନ୍ଥିବା ପାଇଁ । ସେହି ସୂତା ହେଉଛି ଥିମ୍‌ ବା ଭାବସଂପଦ । ଏ ଭାବସଂପଦ ନ ଥିଲେ ଗଳ୍ପ ସବୁ କାହାଣୀ ସ୍ତରରେ ହିଁ ରହିଯାଏ । ତା’ର ସ୍ୱକୀୟ ସତ୍ତା ଫୁଟେ ନାହିଁ । ଏ ଥିମ୍‌ ବା ଭାବସଂପଦ ହେଉଛି ଏକ Super Artistic Concept; ୟାକୁ ଠିକ୍‌ ବୁଝାଇ ହେବନାହିଁ ।’’

 

୧୯୬୦ ପୂର୍ବରୁ ନିଜର କଥକତାର କୌଶଳରେ ପାଠକୀୟ ଦୃଷ୍ଟି ଆକର୍ଷଣ କରି ପ୍ରତିଷ୍ଠା ଲାଭ କରିଥିବା କେତେକ ଗାଳ୍ପିକ ୧୯୬୦ ପରବର୍ତ୍ତୀ କାଳରେ ମଧ୍ୟ ଆପଣାର ପାରଦର୍ଶିତା ଅବ୍ୟାହତ ରଖିଥିବା ଆଖିରେ ପଡ଼ନ୍ତି । ଏମାନଙ୍କ ସହିତ ନୂଆକରି ମଧ୍ୟ କେତେକ ଶକ୍ତିଶାଳୀ କଲମକୁ ଆମେ ଏହି ସମୟରେ ଭେଟିଥାଉ । ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ସଚ୍ଚିଦାନନ୍ଦ ରାଉତରାୟ, ମନୋଜ ଦାସ, କିଶୋରୀ ଚରଣ ଦାସ, ମହାପାତ୍ର ନୀଳମଣି ସାହୁ, ଅଚ୍ୟୁତାନନ୍ଦ ପତି, ବସନ୍ତ କୁମାର ଶତପଥୀ, ରାଜକିଶୋର ପଟ୍ଟନାୟକ, ଫତୁରାନନ୍ଦ ପ୍ରଭୃତି କଥାକାରମାନଙ୍କୁ ପ୍ରଥମୋକ୍ତ ପର୍ଯ୍ୟାୟଭୁକ୍ତ ଭାବେ ଆମେ ଦେଖିପାରିବା । ଅନ୍ୟ ପର୍ଯ୍ୟାୟଟିରେ ଶାନ୍ତନୁ କୁମାର ଆଚାର୍ଯ୍ୟ, ଅଖିଳ ମୋହନ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ, ସାତକଡ଼ି ହୋତା, କୃଷ୍ଣ ପ୍ରସାଦ ମିଶ୍ର, ରବି ପଟ୍ଟନାୟକ, ବୀଣାପାଣି ମହାନ୍ତି, ରାମଚନ୍ଦ୍ର ବେହେରା, ତରୁଣକାନ୍ତି ମିଶ୍ର, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଜଗଦୀଶ ମହାନ୍ତି, ସତ୍ୟ ମିଶ୍ର, କହ୍ନେଇଲାଲ୍‌ ଦାସ ପ୍ରମୁଖ ଅନେକ ଗାଳ୍ପିକଙ୍କୁ ଆମେ ଭେଟୁ ।

 

୧୯୬୦ ପରବର୍ତ୍ତୀ ଗଳ୍ପରେ ଭାବସଂପଦ ସହିତ ଭାଷା, ଶୈଳୀ, ପରିବେଷଣ ଭଙ୍ଗୀ ଏବଂ ଆଙ୍ଗିକର ଅନ୍ୟାନ୍ୟ ଦିଗ ଉପରେ ଅଧିକ ପ୍ରାଧାନ୍ୟ ଆରୋପିତ ହୋଇଥିବା ଲକ୍ଷ୍ୟ କରିହେବ । ଏକ ଯାନ୍ତ୍ରିକ ଓ ଉଗ୍ର ଆଧୁନିକ ଜୀବନ ଆଡ଼କୁ ହାତ ବଢ଼ାଇ ତୀବ୍ର ସମୟାଭାବ ମଧ୍ୟରେ ବଞ୍ଚୁଥିବା ଆଧୁନିକ ମଣିଷକୁ ଅତି ଅଳ୍ପ ସମୟ ମଧ୍ୟରେ ଗଳ୍ପ ପଢ଼ାଇବାକୁ ଯାଇ ଅଣୁ ଗଳ୍ପ, ଆଭାସ ଗଳ୍ପ, ସଙ୍କେତ ଗଳ୍ପ, ପ୍ରତୀକ ଗଳ୍ପ, କୁନି ଗଳ୍ପ, ମିନି ଗଳ୍ପ, ସ୍କେଚ୍‌ ପ୍ରଭୃତି ନାମରେ କେତୋଟି ମାତ୍ର ବାକ୍ୟରେ ଗଳ୍ପ ରଚନାର ପ୍ରୟାସ ମଧ୍ୟ ଏହି ସମୟରେ କରାଯାଇଥିଲା । ପାଶ୍ଚାତ୍ୟ କଥାସାହିତ୍ୟର ଧାରା ଏହି ସମୟର ଓଡ଼ିଆ ଗାଳ୍ପିକମାନଙ୍କୁ ବେଶ୍‌ ପ୍ରଭାବିତ କରିଛି । ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ଇଣ୍ଟେଲେକ୍‌ଚୁଆଲ୍‌ ବା ବୌଦ୍ଧିକ ଜୀବନ ଓଡ଼ିଆ ଗଳ୍ପର ଏକ ପ୍ରମୁଖ ଆଧାରରେ ଏହି ସମୟରେ ପରିଣତ ହେଲା । ମଧ୍ୟବିତ୍ତ ମଣିଷର ମନସ୍ତାତ୍ତ୍ୱିକତା ବା ତା’ର ସୂକ୍ଷ୍ମ ମନର ନାନାପ୍ରକାର ତର୍ଜମା, ତା’ର ଜୀବନବୋଧର ଅସଲ ସ୍ୱରୂପ ଉଦ୍‌ଘାଟନ, ତା’ର ସ୍ୱପ୍ନ ଓ ଆକାଂକ୍ଷାର ବିଚିତ୍ର ମାନଚିତ୍ର ଏହି ସମୟର ଗଳ୍ପରେ ରୂପାୟିତ ହୋଇଥିବାର ସହଜରେ ଆଖିରେ ପଡ଼େ । ଯୁଦ୍ଧୋତ୍ତର ପୃଥିବୀରେ ବୁଦ୍ଧିଜୀବୀ ମଣିଷ ଯେଉଁ ଅସୁରକ୍ଷିତ ଅସ୍ତିତ୍ୱ, ନିରାପତ୍ତାବିହୀନତା ଓ ସ୍ଥିତି ସଂକଟରେ ନିଜକୁ ଆବିଷ୍କାର କଲା ସେଥିରୁ ସ୍ଥିତିବାଦୀ ଦର୍ଶନ ବା ଅସ୍ତିତ୍ୱବାଦର ଉନ୍ମେଷ ଘଟିଲା । ସାର୍ତ୍ତେ, କାମ୍ୟୁ, କାଫ୍‌କା ପ୍ରଭୃତି ପାଶ୍ଚାତ୍ୟ କଥାକାରଙ୍କ ଦର୍ଶନ ଓ ଗଳ୍ପ-କୌଶଳ ୧୯୬୦ ପରବର୍ତ୍ତୀ ବହୁ ଓଡ଼ିଆ ଗାଳ୍ପିକଙ୍କୁ ଆକୃଷ୍ଟ କରିଥିବା ସହଜରେ ଲକ୍ଷ୍ୟ କରିହେବ ।

 

୧୯୬୦ରୁ ୧୯୮୦ ମସିହା ମଧ୍ୟରେ ସଂଖ୍ୟା ଦୃଷ୍ଟିରୁ ବହୁ ଓଡ଼ିଆ ଗାଳ୍ପିକ ସକ୍ରିୟ ରହିଥିବା ଆଖିରେ ପଡ଼ନ୍ତି । ସେମାନେ ଆପଣାର ଗଳ୍ପ-ସୌଧ ନିର୍ମାଣ କରିବାକୁ ଯାଇ ବିଭିନ୍ନ ଭାଷା-ଶୈଳୀ ଓ ଟେକ୍‌ନିକ୍‌ର ଯେପରି ସାହାଯ୍ୟ ନେଇଛନ୍ତି ସେହିପରି ତାହାର ପ୍ରାଣକେନ୍ଦ୍ର ଭାବରେ ବିଭିନ୍ନ ପ୍ରକାର ଭାବଭୂମି ବା ଭାବ-ସଂପଦ ଆଡ଼କୁ ମଧ୍ୟ ହାତ ବଢ଼ାଇଛନ୍ତି । ଏହି ସନ୍ଦର୍ଭର ସୀମିତ ଆକାରକୁ ଆଖି ଆଗରେ ରଖି କେତୋଟି ମୁଖ୍ୟ ଭାବଭୂମି ଏବଂ କେତେକ ପ୍ରମୁଖ ଗାଳ୍ପିକଙ୍କୁ କେବଳ ଆଲୋଚନାଭୁକ୍ତ କରାଯାଇଛି ।

 

ମନସ୍ତାତ୍ତ୍ୱିକ ବୈଚିତ୍ର୍ୟ, ରହସ୍ୟମୟ ଅବଚେତନ

 

୧୯୬୦ ମସିହା ପୂର୍ବରୁ ଗୋପୀନାଥ ମହାନ୍ତି ତାଙ୍କର ଆଜୀବନ ଲିଖିତ ସମୁଦାୟ ଗଳ୍ପର ପ୍ରାୟ ଅର୍ଦ୍ଧେକ ଲେଖିସାରିଥିଲେ ଏବଂ ସେଗୁଡ଼ିକ ଚାରିଟି ସଂକଳନରେ ସଂକଳିତ ହୋଇସାରିଥିଲା । ୧୯୬୦ ମସିହା ପରେ ରଚିତ ଗଳ୍ପଗୁଡ଼ିକୁ ନେଇ ତାଙ୍କର ଆହୁରି ପାଞ୍ଚଟି ସଂକଳନ ପ୍ରକାଶିତ ହୋଇଥିଲା । ମଣିଷର ଅବଚେତନ ମନର ସଂଗୁପ୍ତ ଛବିଟିର ବୈଚିତ୍ର୍ୟ ପ୍ରଦର୍ଶନ କରିବାକୁ ସେ ବେଶ୍‌ ସଫଳତାର ସହ ତାଙ୍କର ଅନେକ ଗଳ୍ପରେ ଏକ ଅନ୍ତରଙ୍ଗ ମନସ୍ତାତ୍ତ୍ୱିକ ଅଭିଯାନ ଆରମ୍ଭ କରିଥିବା ଲକ୍ଷ୍ୟ କରିହୁଏ । ତାଙ୍କର ‘ଛାଇଆଲୁଅ’, ‘ଗୁପ୍ତଗଙ୍ଗା’, ‘ଟଡ଼ପା’, ‘ମନର ନିଆଁ’ ପ୍ରଭୃତି ଗଳ୍ପରେ ଏହି ମନସ୍ତାତ୍ତ୍ୱିକତା ପ୍ରଭାବଶାଳୀ ଭାବେ ପ୍ରକାଶିତ ହୋଇଛି । ବୌଦ୍ଧିକତାର ବୋଝରେ ଆକ୍ରାନ୍ତ ଆଧୁନିକ ସହରୀ ମଣିଷ ପରିବର୍ତ୍ତେ ବଣ ଜଙ୍ଗଲବାସୀ ନିରୀହ ସରଳ ଆଦିବାସୀ ମଣିଷର ମନ ଗହନର ପୃଥିବୀକୁ ସେ ବେଶି ନିରେଖିଛନ୍ତି-। ଏହି ପ୍ରୟାସରେ କେତେକ ଗଳ୍ପ ଚରିତ୍ରପ୍ରଧାନ ହୋଇପଡ଼ିଥିବା, ତେଣୁ, ଆଶ୍ଚର୍ଯ୍ୟଜନକ ନୁହେଁ-

 

ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପଗୁଡ଼ିକର ଭାବବସ୍ତୁ ନାନାବିଧ । ତେବେ ଯେଉଁଠି ମନସ୍ତାତ୍ତ୍ୱିକ ଭାବବସ୍ତୁ ସେ ଗ୍ରହଣ କରିଛନ୍ତି, ସେଠାରେ ଗଳ୍ପଗୁଡ଼ିକର ଆବେଦନ ହୋଇଛି ବେଶ୍‌ ପ୍ରଭାବଶାଳୀ-। ଅବସରହୀନ, ଗଦ୍ୟମୟ, ଯାନ୍ତ୍ରିକ ଜୀବନରୁ ମୁକ୍ତିକାମୀ ‘କୃଷ୍ଣଚୂଡ଼ା’ ଗଳ୍ପର ନାୟକ ଅବଚେତନ ମନର ହାତ ଧରି ବର୍ଷାରେ ତିନ୍ତି କୃଷ୍ଣଚୂଡ଼ା ଗଛରେ ଚଢ଼ି ବସିବା ସ୍ଥଳ ଦୃଷ୍ଟିରେ ହାସ୍ୟକାର ମନେ ହୋଇପାରେ, ମାତ୍ର ସେପରି ଏକ ପରିଣତିର ଅନ୍ତରାଳରେ ଗଭୀର ଆବେଗୋଚ୍ଛଳ ଭାବସଂବେଗର ଏକ ବିରାଟ ବିସ୍ଫୋରଣ ଯେ ଛପି ରହିଛି ଦୃଷ୍ଟି ଏଡ଼ାଇ ପାରେ ନାହିଁ ।

 

କିଶୋରୀଚରଣ ଦାସଙ୍କ ସମଗ୍ର ଗଳ୍ପ ରାଜ୍ୟର ମୁଖ୍ୟ ଭାବସଂପଦ ହେଉଛି ମଣିଷ ମନର ଗହନ ଅନ୍ଧକାରର ରହସ୍ୟ ଉଦ୍‌ଘାଟନ । ତାଙ୍କ ନିଜ ମତରେ ଆଧୁନିକ ମଣିଷ ହେଉଛି ସବୁଠୁ ବଡ଼ ମାନସିକ ରୋଗୀ । ତାଙ୍କର ‘ଭଙ୍ଗା ଖେଳଣା’ (୧୯୬୧), ‘ଲକ୍ଷ ବିହଙ୍ଗ’ (୧୯୬୮), ‘ମଣିହରା’ (୧୯୭୦), ‘ଠାକୁରଘର’ (୧୯୭୫) ପ୍ରଭୃତି ସଂକଳନର ଅଧିକାଂଶ ଗଳ୍ପରେ ଆଧୁନିକ ମଣିଷର ଅବଚେତନର ନାନା ରହସ୍ୟ ଓ କୌତୂହଳପ୍ରଦ ସତ୍ୟକୁ ସେ ଯୁଗପତ୍‌ ଜଣେ ମନସ୍ତତ୍ତ୍ୱବିଦ୍‌ର ବିଶାରଦପଣ ଓ ଜଣେ ସାରସ୍ୱତ ସ୍ରଷ୍ଟାର କଳାକୁଶଳତା ସମନ୍ୱିତ କରି ଉଦ୍‌ଘାଟନ କରିଛନ୍ତି । ଉଦାହରଣତଃ ‘ଗମନ’ ଗଳ୍ପର ମାନବେନ୍ଦ୍ର ମହାନ୍ତି । ମାନବେନ୍ଦ୍ର ସର୍ବତ୍ର ମାଙ୍କଡ଼ମାନଙ୍କୁ ହିଁ ଦେଖିବାକୁ ପାଉଛନ୍ତି । ସଂସାରଯାକର ଲୋକେ ନାନା ପ୍ରକାର ମାଙ୍କଡ଼ାମିରେ ମାତିଛନ୍ତି ଏବଂ ତେଣୁ ସଂସାରର ଶ୍ରେଷ୍ଠ ପ୍ରାଣୀ ମଣିଷମାନେ ତାଙ୍କୁ ଆଉ ମଣିଷ ପରି ଦିଶୁନାହାନ୍ତି, ଦିଶୁଛନ୍ତି ମାଙ୍କଡ଼ ପରି ।

 

ମଣିଷର ମନସ୍ତାତ୍ତ୍ୱିକ ସ୍ପର୍ଶକାତରତା ଓ ଅବଚେତନର ଜଟିଳତା ପ୍ରଦର୍ଶନରେ ଏକାନ୍ତ ସିଦ୍ଧିମାନ୍‌ ଅଖିଳ ମୋହନ ପଟ୍ଟନାୟକ ତାଙ୍କର ଅନେକ ଗଳ୍ପରେ ଉକ୍ତ ପର୍ଯ୍ୟାୟର ଏକ ଚରମ ବିନ୍ଦୁରେ ଗୋଟାଏ ଚୂଡ଼ାନ୍ତ କାରୁଣ୍ୟକୁ ପ୍ରଭାବଶାଳୀ ଭାବେ ଅଭିବ୍ୟଞ୍ଜିତ କରିଛନ୍ତି । ତାଙ୍କ ନିଜ ଭାଷାରେ ‘ମନୁଷ୍ୟ ଏକ ଚିର ରହସ୍ୟମୟ ଶେଷହୀନ ଗ୍ରନ୍ଥ ।’ (‘ଓ ଅନ୍ଧଗଳି’ର ମୁଖବନ୍ଧ) । ତାଙ୍କର ‘ଡିମିରିଫୁଲ’, ‘ଚନ୍ଦ୍ରର ଅଭିଶାପ’, ‘ରୁଚିର ରୁବାୟତ୍‌’, ‘ଓ ଅନ୍ଧଗଳି’, ‘ସିଦ୍ଧାର୍ଥର ଉପକଥା’ ଓ ‘ପକ୍ଷାଘାତ’ ପ୍ରଭୃତି ଗଳ୍ପରେ ଉକ୍ତ କଳାତ୍ମକତା ବେଶ୍‌ ଉଜ୍ଜ୍ୱଳ ଭାବେ ପ୍ରତିଫଳିତ । ଚନ୍ଦ୍ରଶେଖର ରଥଙ୍କ ‘ଚେର’ ଅବଚେତନ ମନର ବିଶ୍ଳେଷଣଧର୍ମୀ ଚେତନାକୁ ନେଇ ଲିଖିତ ଅନ୍ୟ ଏକ ସ୍ମରଣୀୟ ଗଳ୍ପ ।

 

ମନୋବୈଜ୍ଞାନିକ ଶୈଳୀରେ ଗଳ୍ପକଳାକୁ ଏକ ଉଚ୍ଚତର ସୋପାନରେ ପହଞ୍ଚାଇବାରେ ମନୋଜ ଦାସ ଜଣେ ଅସାଧାରଣ ସ୍ରଷ୍ଟା । ଲଗାମ୍‌ବିହୀନ ମନର ଦ୍ରୁତଗାମୀ ଅଶ୍ୱ ପଛରେ ତାଙ୍କ ସର୍ଜନଶୀଳତା ବେଶ୍‌ ତାଳଦେଇ ଦୌଡ଼େ ଏବଂ ନାନା ଅଭାବିତ ଇଲାକାରେ ପାଠକକୁ ନେଇ ପହଞ୍ଚାଇଦିଏ ଏବଂ ଏହି ପ୍ରକ୍ରିୟାରେ ଅଧିକାଂଶ ସ୍ଥାନରେ ପାଠକ ପାଇଁ ଏକ ଚୂଡ଼ାନ୍ତ କାରୁଣ୍ୟର ରାଗିଣୀ ହିଁ ଅପେକ୍ଷାରତ ଥିବାର ଦିଶିଯାଏ ।

 

‘କୂଅ’, ‘ସେମାନଙ୍କ ସଂପର୍କରେ ଶେଷ ଖବର’, ‘ରାୟସିଂହର ଡାଏରୀ’, ‘ଅନେକ ସ୍ମିତହସ’, ‘ଅନ୍ତରଙ୍ଗ ଦାନବ’, ‘ଦୂର ନିର୍ଜନର ସୁର’, ‘ବିଲେଇ’, ‘ପ୍ରତ୍ୟାବର୍ତ୍ତନ’ ପ୍ରଭୃତି ମନୋଜଙ୍କର ଅନେକ ଚର୍ଚ୍ଚିତ ଗଳ୍ପରେ ଏହି ମନୋବୈଜ୍ଞାନିକ ଶୈଳୀ ଓ ସିଦ୍ଧାନ୍ତର ସାର୍ଥକ ପରିପ୍ରକାଶ ସନ୍ଧାନ କରାଯାଇପାରେ ।

 

ଉତ୍ତର ଷାଠିଏର ଅନ୍ୟତମ ସଫଳ ଗାଳ୍ପିକ ରବି ପଟ୍ଟନାୟକ ମୁଖ୍ୟତଃ ଆତ୍ମଜିଜ୍ଞାସା ଓ ଅନ୍ୱେଷାର ଭାବଭୂମି ଉପରେ ତାଙ୍କର ଗଳ୍ପ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି । ୧୯୬୪ ମସିହାରେ ପ୍ରକାଶିତ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଅସାମାଜିକ ଡାଏରୀ’ର ପ୍ରାୟ ପ୍ରତ୍ୟେକ ଗଳ୍ପ ମନସ୍ତତ୍ତ୍ୱଧର୍ମୀ । ଜଗଦୀଶ ମହାନ୍ତିଙ୍କର ‘ଆଲ୍‌ବମ୍‌ରେ କେତୋଟି ମୁହଁ’ ଓ ‘ନିର୍ବାସନରେ ଗୋଟେ କବି’, ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ‘ମନମର୍ମର’ ଓ ‘ପ୍ରତ୍ୟାବର୍ତ୍ତନ’, ରାମଚନ୍ଦ୍ର ବେହେରାଙ୍କ ‘ଅନ୍ୟ ଅନୁଭୂତି’ ଓ ‘ଘର’, ଶୈଳେନ୍ଦ୍ର ମହାପାତ୍ରଙ୍କ ‘ବାଲି କଙ୍କଡ଼ା’ ପ୍ରଭୃତି ଗଳ୍ପରେ ମନସ୍ତାତ୍ତ୍ୱିକ ଭାବସଂପଦ ପରି ଉପାଦାନ ପ୍ରଶଂସନୀୟ ଭାବେ ପ୍ରଯୁକ୍ତ ।

 

ଅଲୌକିକତା ବା ଅତୀନ୍ଦ୍ରିୟ ଚେତନା ଏବଂ ଫାଣ୍ଟାସି

 

ଆମେ ଯେଉଁ ଭୌତିକ ଜଗତରେ ବାସ କରୁ ସେଠାରେ ଘଟିତ ସମସ୍ତ ଘଟଣା ଏକ ପ୍ରାକୃତିକ ବା ବସ୍ତୁଜାଗତିକ ନିୟମର ଅଧୀନ । ପ୍ରାକୃତିକ ନିୟମ ସବୁ କୋଟି କୋଟି ବର୍ଷ ଧରି ନିର୍ଦ୍ଧାରିତ ଓ ସୁନିର୍ଦ୍ଦିଷ୍ଟ । ସେଥିରେ ପ୍ରାୟ ବ୍ୟତିକ୍ରମ ଘଟେନା । ଜଡ଼ ଜଗତର ଏହି ଧର୍ମାନୁଯାୟୀ ସୂର୍ଯ୍ୟ ପ୍ରତିଦିନ ପୂର୍ବ ଦିଗରେ ଉଦିତ ହୁଅନ୍ତି, ଗଛରୁ ପତ୍ରଟିଏ ଛିଡ଼ିଗଲେ ତଳକୁ ଖସିପଡ଼େ, ପାଣି ଢାଳିଗଲେ ନିମ୍ନଆଡ଼କୁ ବୋହିଯାଏ ବା ଜୀବନଟିଏ ମରିଗଲେ ଶଢ଼ି କ୍ଷୟ ହୋଇଯାଏ । ଏହି ଭୌତିକ ନିୟମ ଅଲଂଘନୀୟ । କିନ୍ତୁ ସଚରାଚର ଦୃଷ୍ଟ ନ ହେଲେ ମଧ୍ୟ ଦୈବାତ୍‌ ଏହାର କୌଣସି ବ୍ୟତିକ୍ରମ ବେଳେବେଳେ ଘଟିଯାଏ ଏବଂ ମଣିଷ ଏଥିରେ ସ୍ତବ୍ଧ ଓ ସ୍ତମ୍ଭୀଭୂତ ହୋଇଯିବାକୁ ହୁଏ ବାଧ୍ୟ । ଆମର ବୁଦ୍ଧି ଓ ବିଜ୍ଞାନ ସେହି ବ୍ୟତିକ୍ରମ ପଛରେ ଥିବା କିଛି ଗ୍ରହଣଯୋଗ୍ୟ କାରଣ ବା ଯୁକ୍ତି ଆମକୁ ସହସା ଯୋଗାଇ ପାରନ୍ତି ନାହିଁ । ଶେଷତଃ, ହୁଏତ ତାହା ଏକ ସମ୍ମୋହିତାବସ୍ଥା ବା ଇନ୍ଦ୍ରିୟାତୀତ ଉପଲବ୍ଧି ବୋଲି କହି ଦିଆଯାଏ; କିମ୍ବା ଏକ ମାନସିକ ଭ୍ରାନ୍ତି ଘଟିତ ସନ୍ଦିଗ୍ଧ ଉପଲବ୍ଧି ବୋଲି ଘୋଷଣା କରିଦିଆଯାଏ । ସେ ଯାହାହେଉ, ବାସ୍ତବ ଜୀବନରେ ଅଲୌକିକତା ଯେମିତି ରୋମାଞ୍ଚକର, କାହାଣୀରେ ସଫଳ ଭାବେ ସେହି ଅଲୌକିକତାର ଅବତାରଣା କରାଯାଇପାରିଲେ ତାହା ମଧ୍ୟ ପାଠକକୁ ସେମିତି ରୋମାଞ୍ଚିତ କରିପାରେ ।

 

ଗଳ୍ପରେ ଅଲୌକିକତା (Otherworldliness) ବା ଅତିପ୍ରାକୃତବାଦ (Supernaturalism) ବା ଅତୀନ୍ଦ୍ରିୟ ଚେତନାର ପ୍ରୟୋଗଠାରୁ Fantasy ବା ଅବାସ୍ତବ କଳ୍ପନାର ପ୍ରୟୋଗ ଭିନ୍ନ କଥା । କାହାଣୀରେ ଫାଣ୍ଟାସି ବା ଅବାସ୍ତବ କଳ୍ପନାତ୍ମକତାର ପ୍ରୟୋଗ ସ୍ଥୂଳତଃ ସହଜସାଧ୍ୟ । ଏହା ପାଠକକୁ ମନୋରଂଜନର ଖୋରାକ ଯୋଗାଇପାରେ, ମାତ୍ର ସେସବୁ ସୁଦୁ ମିଛକଥା ବୋଲି ପାଠକ ଜାଣିସାରିଥାଏ । ଫାଣ୍ଟାସି ସାଧାରଣତଃ ଆମର ଅଜ୍ଞାତ ଏକ ପୌରାଣିକ ଯୁଗର ସମ୍ଭାବ୍ୟ ସତ୍ୟ ଅଥବା ଦେବଦେବୀ ଘଟିତ ବ୍ୟାପାର ବୋଲି ଆମେ ଧରିନେଉ । ମାତ୍ର ଅଲୌକିକତାକୁ ସଫଳ ଓ ପ୍ରଭାବଶାଳୀ ଭାବେ ଆଧୁନିକ ଗଳ୍ପରେ ବ୍ୟବହାର କରିବା ସହଜସାଧ୍ୟ ନୁହେଁ । ଏଭଳି ଏକ ଅତିପ୍ରାକୃତ ପ୍ରସଙ୍ଗ ଯାଦୃଚ୍ଛିତକ ଭାବେ ପ୍ରଯୁକ୍ତ ହେଲେ କିମ୍ବା କଥାକାର ସାମାନ୍ୟ ସାମର୍ଥ୍ୟରହିତ ଓ କୌଶଳ-ରିକ୍ତ ହୋଇପଡ଼ିଲେ ଗଳ୍ପଟି ଶେଷତଃ ଏକ ନିରୁତା ଫାଣ୍ଟାସି ବା ଅବାସ୍ତବ କଳ୍ପନାର ମନୋରଂଜକ କୌତୁକରେ ରୂପାନ୍ତରିତ ହୋଇଯାଇପାରେ ।

 

ଫାଣ୍ଟାସିକୁ ଏକ ପ୍ରତୀକ ବା ରୂପକ ଭାବେ ଅବଶ୍ୟ ସଫଳତାର ସହ କେତେକ ଓଡ଼ିଆ ଗାଳ୍ପିକ ପ୍ରୟୋଗ କରିଛନ୍ତି । ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଅଦିନ ବଉଳ’ ଗଳ୍ପରେ ଆମ୍ବ ଗଛଟି ଅଦିନରେ ଆପଣାଛାଏଁ ବଉଳିଯିବା, ‘ନିଉଟ୍ରନ୍‌ବୋମା ଓ ପ୍ରେମର ଓଷଦ’ ଗଳ୍ପରେ ବୁଢ଼ିଆଣୀ ଓ ଏଣ୍ଡୁଅ କଥାବାର୍ତ୍ତା ହେବା, ‘ଅରଣ୍ୟର ଚୂଳ’ ଗଳ୍ପରେ ଗାଈଗୋରୁମାନେ ମଣିଷ ପରି କଥା କହିବା ଓ ଭଗବତ୍‌ରସରେ ଆପ୍ଳୁତ ହେବା ମଧ୍ୟରେ ମାନୁଷିକ ଚେତନାର ପ୍ରତୀକଧର୍ମୀ ଆବେଦନ ଗଳ୍ପଗୁଡ଼ିକୁ ସାର୍ଥକତା ପ୍ରଦାନ କରିଛି । ସେହିପରି ମନୋଜ ଦାସଙ୍କ ‘ବ୍ୟାଘ୍ରାରୋହଣ’, ‘ମୂର୍ଖ ଭୃତ୍ୟ ଉପାଖ୍ୟାନ’, ‘ରାଜକନ୍ୟା’, ‘ଆକାଶ କଇଁଚ’, ‘ଲୁଭୁର୍ଭା ପର୍ବତରେ ଏକ ଦ୍ୱିପ୍ରହର’ ଓ ‘ସେମାନଙ୍କ ସଂପର୍କରେ ଶେଷ ଖବର’ ପ୍ରଭୃତି ଗଳ୍ପରେ ଲୋକକାହାଣୀ ଆଧାରରେ ତଥା ସ୍ଥଳବିଶେଷରେ ଫାଣ୍ଟାସିର ପ୍ରୟୋଗ ମାଧ୍ୟମରେ ଏବଂ ପ୍ରତୀକଧର୍ମୀ ପରିବେଷଣ ଜରିଆରେ ବ୍ୟଙ୍ଗ, ବିଦ୍ରୂପ ଓ କାରୁଣ୍ୟର ଏକ ସମନ୍ୱିତ ରସ ପ୍ରବାହ ସହ ପାଠକ ଏକାତ୍ମ ହୁଏ ।

 

ଚନ୍ଦ୍ରଶେଖର ରଥଙ୍କ କେତେକ ଗଳ୍ପରୁ ଫାଣ୍ଟାସି ନୁହେଁ, ଅଲୌକିକତା ବା ଇନ୍ଦ୍ରିୟୋତ୍ତର ଚେତନାର ପ୍ରଭାବଶାଳୀ ପ୍ରୟୋଗ ଦେଖିବାକୁ ମିଳେ । ଶଂସିତ ସମୟ ଖଣ୍ଡରେ ରଚିତ ଶ୍ରୀ ରଥଙ୍କର ‘ପଡ଼ୋଶୀ’, ‘ଘଟ’, ‘ବନ୍ଧୁ ମହାନ୍ତି’, ‘ବୃକ୍ଷଜାତକ’ ପ୍ରଭୃତି ଗଳ୍ପରେ ଅଲୌକିକତାର ଅତ୍ୟନ୍ତ ସତର୍କ ଓ ପ୍ରଭାବଶାଳୀ ପ୍ରୟୋଗ ଦେଖିବାକୁ ମିଳେ । ଶ୍ରୀ ରଥଙ୍କ ସଚେତନ କାହାଣୀ ସଂଗଠନ ଓ ଉପସ୍ଥାପନ କୌଶଳର ଚମତ୍କାରିତା ଏହି ଗଳ୍ପଗୁଡ଼ିକର ଅଲୌକିକ ଭାବସଂପଦକୁ କେବଳ ଏକ ରୋମାଞ୍ଚକର ପଠନାନୁଭୂତି ନୁହେଁ, ଏକ ଆପାତ-ବିଶ୍ୱାସଯୋଗ୍ୟ ସ୍ତବ୍ଧକର ସ୍ତରକୁ ଉନ୍ନୀତ କରି ଅନନ୍ୟତା ପ୍ରଦାନ କରିଛି । ୧୯୮୦ ମସିହା ପରେ ଚନ୍ଦ୍ରଶେଖରଙ୍କ ଲେଖନୀ ଏହି ଭାବଭୂମିକୁ ଆହୁରି ଶାଣିତ ଓ ଉଦ୍ଧ୍ୱର୍ପାତିତ ଏକ ଚରମ ବିନ୍ଦୁକୁ ଉତ୍ତରଣର ମାର୍ଗ ପ୍ରଦର୍ଶନ କରିଛି ।

 

ଆଧୁନିକ ମଣିଷର ନିଃସଙ୍ଗତା, ଅସହାୟତା ଓ ଜୀବନଯନ୍ତ୍ରଣା

 

ଶିକ୍ଷା, ସଭ୍ୟତା, ବିଜ୍ଞାନ ଓ ବୌଦ୍ଧିକତାର ବିକାଶ ସଙ୍ଗେ ସଙ୍ଗେ ଆଧୁନିକ ମଣିଷର ଜୀବନ-ଯନ୍ତ୍ରଣା, ନିଃସଙ୍ଗତାବୋଧ ଓ ଅସହାୟତାବୋଧ ମଧ୍ୟ ତୀବ୍ରତର ହୋଇଛି । ଆଧୁନିକ ମଣିଷ ତା’ର ଅଭିଳଷିତ ଏକ ପୃଥିବୀ, ଏକ ଆକାଂକ୍ଷିତ ବ୍ୟବସ୍ଥିତ ସମାଜ ଓ ତା’ ଭିତରେ ତା’ର ସ୍ୱପ୍ନର ଜୀବନକୁ ଖୋଜି ଖୋଜି ଅନେକ ସମୟରେ ନିରାଶ ହୋଇପଡ଼େ । ଏହି ତୀବ୍ର ଜୀବନ-ଯନ୍ତ୍ରଣାକୁ ଅନେକ ଗାଳ୍ପିକ ନିଜ କାହାଣୀର ଭାବଭୂମି ଭାବେ ଗ୍ରହଣ କରିଛନ୍ତି । ବିଭୂତି ଭୂଷଣ ତ୍ରିପାଠୀଙ୍କ ‘ନିଶାନ୍ତ’, ‘ଉଦ୍ୟାନ’, ‘ବିଫଳତାର ଗୌରବ’ ଏହି ପର୍ଯ୍ୟାୟର ଗଳ୍ପ ।

 

ରାମଚନ୍ଦ୍ର ବେହେରାଙ୍କ ‘ଅନ୍ୟ ଅନୁଭୂତି’ ଗଳ୍ପର ନାୟିକା ସୁମିତ୍ରାକୁ ଜୀବନ ମନେ ହୋଇଛି ଏକ ପିଞ୍ଜରାତୁଲ୍ୟ । ମୁଣ୍ଡ ଉପରେ ଥିବା ଗୋଟେ ଅନୁଚ୍ଚ ଛାତକୁ ଆକାଶ, ୪୦ ୱାଟ୍‌ର ବଲ୍‌ବକୁ ଜହ୍ନ ଓ ପଙ୍ଖାର ଘୂର୍ଣ୍ଣନକୁ ମୁକ୍ତ ପବନ ବୋଲି ଗ୍ରହଣ କରିବା ତା’ ଲାଗି ଏକ ଅଭିଶାପ ସଦୃଶ ମନେ ହୋଇଛି । ତାଙ୍କର ‘ମଧ୍ୟାହ୍ନର ଛାଇ’, ‘ପୋଷାକ’, ‘କୁହୁଡ଼ି ଓ ତୃଷ୍ଣା’ ପ୍ରଭୃତି ଗଳ୍ପରୁ ଆଲୋଚ୍ୟ ଭାବଭୂମିଟି ସ୍ପଷ୍ଟ ବାରି ହୋଇଥାଏ । ‘ଅଚିହ୍ନା ପୃଥିବୀ’, ‘ଅବଶିଷ୍ଟ ଆୟୁଷ’, ‘ଦୁଇ ବ୍ରାକେଟ୍‌’, ‘ସର୍ବଶେଷ ଚିଠା’, ‘ଝୁଲି ରହିବା ସଂପର୍କରେ’ ପ୍ରଭୃତି ରାମଚନ୍ଦ୍ରଙ୍କର ଗଳ୍ପଗୁଡ଼ିକ ମଧ୍ୟ ସମପର୍ଯ୍ୟାୟଭୁକ୍ତ ।

 

ଜଗଦୀଶ ମହାନ୍ତିଙ୍କ ଅନେକ ଗପରେ ଭାବଭୂମି ଉତ୍କଟ ନିଃସଙ୍ଗତା ଭୋଗୁଥିବା ଏବଂ ନିଷ୍କରୁଣ ଜୀବନ-ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷର ଆର୍ତ୍ତି ଓ ଆକୁଳତାକୁ ନେଇ ନିର୍ମିତ । ‘ଦକ୍ଷିଣ ଦୁଆରି ଘର’, ‘ପ୍ରତିଦ୍ୱନ୍ଦ୍ୱୀ’, ‘ଈର୍ଷା ଏକ ଋତୁ’, ‘ସ୍ତବ୍ଧ ମହାରଥୀ’, ‘ଭୂମିକମ୍ପ’ ପ୍ରଭୃତି ଗଳ୍ପ ଏହାର ଦୃଷ୍ଟାନ୍ତ ।

 

ମଣିଷର ଅସହାୟତା, କ୍ଷୁଦ୍ରତା ଓ ଅନନ୍ୟୋପାୟତାକୁ ଅତ୍ୟନ୍ତ କରୁଣ ଓ ସ୍ତବ୍ଧକର ଭାବେ ଫୁଟାଇବାରେ ମନୋଜ ଦାସଙ୍କ ସଫଳତା ଅନନ୍ୟ ଅସାଧାରଣ । ‘ଅବଶିଷ୍ଟ ପୃଥିବୀ’, ‘କୂଅ’, ‘ଭୂତୁଣୀ ଏକ ବିଦାୟ’ ଏବଂ ୧୯୬୦ ପୂର୍ବରୁ ରଚିତ ‘ରବିବାସରୀୟ ସଂଗୀତ’ ଓ ‘ବାବା ଚକ୍ରଧାରୀ ବୃତ୍ତାନ୍ତ’ ପ୍ରଭୃତି ଅସଂଖ୍ୟ ଗଳ୍ପରେ ପରିସ୍ଥିତିକ୍ରମେ ସୁଖ ସୌଭାଗ୍ୟକାମୀ ସାଧାରଣ ମଣିଷଟେ ଅସହାୟତାର ଚକ୍ରବ୍ୟୂହରେ ପଡ଼ି କେଡ଼େ କରୁଣ ଦିଶେ ତାହା ଅତ୍ୟନ୍ତ ବାସ୍ତବଧର୍ମୀ କଳାତ୍ମକତା ସହ ମନୋଜ ପରିବେଷଣ କରିଛନ୍ତି ।

 

ଓଡ଼ିଆ ଗଳ୍ପରେ ସବୁଠୁ ବେଶି ଭାବଗତ ବୈଚିତ୍ର୍ୟ, ଭାଷା ଓ ଆଙ୍ଗିକର ପରୀକ୍ଷା ନିରୀକ୍ଷା ଏବଂ ବ୍ୟକ୍ତିବାଦ ବା ବ୍ୟକ୍ତିସ୍ୱାତନ୍ତ୍ର୍ୟବୋଧ ବୋଧହୁଏ ୧୯୬୦ରୁ ୧୯୮୦ ମଧ୍ୟବର୍ତ୍ତୀ କାଳରେ ରଚିତ ଗଳ୍ପମାନଙ୍କରେ ଆସିଛି । ପାରମ୍ପରିକ ସମାଜ-ଚିତ୍ର, ଧର୍ମ ଓ ଆଦର୍ଶବାଦକୁ ଛାଡ଼ି ସ୍ୱାଧୀନତା ପରବର୍ତ୍ତୀ କାଳର ଓଡ଼ିଆ ଗଳ୍ପରେ ମଣିଷକୁ ଅଧିକ ଉନ୍ମୁକ୍ତ କରି, ତା’ର ଚେତନାକୁ ଅଧିକ ସୂକ୍ଷ୍ମ ଭାବେ ବ୍ୟବଚ୍ଛେଦ କରି ଏବଂ ତା’ର ବିଭିନ୍ନ ସାମାଜିକ ପ୍ରତିକ୍ରିୟାକୁ ଆହୁରି ସାହସିକ ଓ ନିର୍ଭୀକ କରି ଗପର କାନ୍‌ଭାସ୍‌ ଆଡ଼କୁ ବାଟ ଦେଖାଇ ଦିଆଯାଇଛି । ଅର୍ଥ ଓ କ୍ଷମତାର ବଳକୁ ନେଇ ଘୃଣ୍ୟ ଅମାନୁଷିକତାର ସଂକ୍ରମଣରେ ପ୍ରମତ୍ତ ପାଶବିକ ଗୋଷ୍ଠୀ ପ୍ରତି ନିର୍ଭୀକ ସ୍ପଷ୍ଟଭାଷୀ ଆହ୍ୱାନ ବିଭିନ୍ନ ରୀତିର ପରିବେଷଣ ଢଙ୍ଗରେ ଏ ସମୟର ଅନେକ ଗଳ୍ପରେ ପ୍ରତିଫଳିତ ହୋଇଛି-। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ପିଠି’, ‘ସତ୍ୟାଗ୍ରହ’, ‘ଉଗ୍ରସେନ’ ପ୍ରଭୃତି ଗଳ୍ପ, ବୀଣାପାଣି ମହାନ୍ତିଙ୍କ ‘ପାଟଦେଈ’, ବିଭୂତି ପଟ୍ଟନାୟକଙ୍କ ‘ଭାରତବର୍ଷ’, ସାତକଡ଼ି ହୋତାଙ୍କ ‘ଅନୁରାଗ’, ମନୋଜ ଦାସଙ୍କ ‘ଓଟ’, ରାମଚନ୍ଦ୍ର ବେହେରାଙ୍କ ‘ଦୁଇ ବ୍ରାକେଟ୍‌’ ଏବଂ ଏହି ଧାରାରେ ଏକ ଯଥେଷ୍ଟ ଦୀର୍ଘତର ତାଲିକାରେ ଉତ୍ତର-ସ୍ୱାଧୀନତା କାଳର ମୋହଭଙ୍ଗ ଏବଂ ସଭ୍ୟତାର ମୁଖାତଳେ ସାଂପ୍ରତିକ ବସ୍ତୁବାଦୀ ମଣିଷର ଜାନ୍ତବପଣିଆ ପ୍ରତି ତୀବ୍ର ବିଦ୍ରୂପର ସାର୍ଥକ ରୂପାୟନ ବେଶ୍‌ ସନ୍ଧାନ କରିହେବ ।

 

ଉତ୍ତର ଷାଠିଏର ଓଡ଼ିଆ ଗଳ୍ପ ଆହୁରି ଅନେକ ପ୍ରଭାବଶାଳୀ ଭାବସଂପଦକୁ ବେଶ୍‌ ସଫଳତାର ସହ ଗ୍ରହଣ କରିଛି । ଆଧ୍ୟାତ୍ମିକ ଉତ୍ତରଣ, ମୃତ୍ୟୁ ସଚେତନତା, ଯୌନଚେତନା, ସାମାଜିକ ବ୍ୟବସ୍ଥା ପ୍ରତି ବିଦ୍ରୂପ, ରୋମାନ୍‌ସଧର୍ମିତା, ବୋହେମିଆନ୍‌ ମାନସିକତା, ପ୍ରତୀକଧର୍ମିତା, ବ୍ୟଙ୍ଗାତ୍ମକତା, ପାଶ୍ଚାତ୍ୟ ଜୀବନଶୈଳୀର କୃତ୍ରିମତା ପ୍ରତି ଶ୍ଳେଷ ଓ ପରିହାସ, ବସ୍ତୁସର୍ବସ୍ୱ ଆଧୁନିକତା, ସଂକୀର୍ଣ୍ଣ ଆତ୍ମସର୍ବସ୍ୱ ମାନସିକତା, ଆଶାବାଦୀ ଆତ୍ମପ୍ରତ୍ୟୟ, ଜୀବନର ଅନ୍ତଃସାରଶୂନ୍ୟତା, ବିଷାଦ ଓ ନୈରାଶ୍ୟ, ମାନବିକ ସ୍ଖଳନ ଓ ଉତ୍ତରଣ, ତ୍ୟାଗ ଓ ସ୍ୱାର୍ଥସର୍ବସ୍ୱତ ପ୍ରଭୃତି ସାଂପ୍ରତିକ ଜୀବନର ନାନା ଜଟିଳତା, ସଂକଟ, ସମ୍ଭାବନା ତଥା ପରସ୍ପର ବିରୋଧୀ ଭାବଭୂମିକୁ ଆଧାର କରି ଆଲୋଚ୍ୟ ସମୟର ଓଡ଼ିଆ ଗଳ୍ପସମ୍ଭାର ପରିପୁଷ୍ଟ ହୋଇଥିବା ଦେଖିବାକୁ ମିଳେ ।

 

ପ୍ରବନ୍ଧର ପରିସୀମାଗତ ସଚେତନତା କାରଣରୁ କେବଳ ନାମୋଚ୍ଚାରଣ ଯଥେଷ୍ଟ ନ ହେଲେ ହେଁ ଏହି ପ୍ରବନ୍ଧରେ ସୂଚିତ ଗାଳ୍ପିକଙ୍କ ବ୍ୟତୀତ ଦୁର୍ଗାମାଧବ ମିଶ୍ର, ରାଧାବିନୋଦ ନାୟକ, ଦେବଦାସ ଛୋଟରାୟ, ହରପ୍ରସାଦ ଦାସ, ଦାଶ ବେନହୁର୍‌, ପ୍ରତିଭା ରାୟ, ଯଶୋଧାରା ମିଶ୍ର, ଅଶୋକ ଚନ୍ଦନ, ଉମାଶଙ୍କର ମିଶ୍ର, ହୃଷୀକେଶ ପଣ୍ଡା, ପ୍ରଭାତ ମହାପାତ୍ର, ଜଗନ୍ନାଥ ପ୍ରସାଦ ଦାସ, ନାରାୟଣ ଚୌଧୁରୀ, ରବୀନ୍ଦ୍ର ନାଥ ଦାସ, ଦେବ୍ରାଜ ଲେଙ୍କା, ନାରୁ ମହାନ୍ତି, ଭୁବନେଶ୍ୱର ବେହେରା, ନିମାଇଁ ପଟ୍ଟନାୟକ, ଶୈଳେନ୍ଦ୍ର ମହାପାତ୍ର, ଶ୍ରୀନିବାସ ଉଦ୍‌ଗାତା, ଗଣେଶ୍ୱର ମିଶ୍ର, ରତ୍ନାକର ଚଇନି, ଅଧ୍ୟାପକ ବିଶ୍ୱରଂଜନ, ବରେନ୍ଦ୍ରକୃଷ୍ଣ ଧଳ, ଉତ୍ତର କୁମାର ପ୍ରଧାନ, ଶ୍ୟାମାପ୍ରସାଦ ଚୌଧୁରୀ ପ୍ରଭୃତି ଅନେକ ଗାଳ୍ପିକଙ୍କ ଆଡ଼କୁ ସଂଶିତ ସମୟ ମଧ୍ୟରେ ସେମାନଙ୍କ ଦ୍ୱାରା ରଚିତ ଗଳ୍ପରେ ଭାବସଂପଦର ସାର୍ଥକ ବିନ୍ୟାସ ସନ୍ଧାନ ଲାଗି ଦୃଷ୍ଟିପାତ କରାଯାଇପାରେ ।

 

୧୯୬୦ରୁ ୧୯୮୦ ମଧ୍ୟରେ ରଚିତ ଓଡ଼ିଆ ଗଳ୍ପର ବିଶାଳ ସମୁଦ୍ର ମଧ୍ୟରୁ ଶକ୍ତିଶାଳୀ ଥିମ୍‌ ବା ଭାବସଂପଦର ଉତ୍କର୍ଷ ପ୍ରଶଂସନୀୟ ଭାବେ ଉନ୍ମୀଳିତ ହୋଇଥିବା ଯେଉଁସବୁ ଗଳ୍ପ ଆଖିରେ ପଡ଼େ ତାହା ପରବର୍ତ୍ତୀ କାଳର ଗଳ୍ପ-ସାମ୍ରାଜ୍ୟର ନିର୍ମାଣ ଲାଗି ଏକପ୍ରକାର ଆହ୍ୱାନ ଭାବରେ ସ୍ୱତଃ ଉଦ୍ଭାସିତ ହୋଇଉଠେ, କାରଣ ସାହିତ୍ୟର ସର୍ଜନଶୀଳତା ସବୁବେଳେ ନିରବଚ୍ଛିନ୍ନ ଭାବେ ନୂତନ ଦିଗ୍‌ବଳୟର ସନ୍ଧାନ ଲାଗି ଉନ୍ମୁଖ ରହିଥାଏ । ୧୯୮୦ ମସିହା ପରବର୍ତ୍ତୀ ଓଡ଼ିଆ ଗଳ୍ପ ଜଗତରେ ସେହି ନବଦିଗନ୍ତର ଆବିଷ୍କାର ଲାଗି ଅଭିଯାନ ଆହୁରି ଅନ୍ତରଙ୍ଗ ଓ ପ୍ରତିବଦ୍ଧତାପୂର୍ଣ୍ଣ ହୋଇଥିବା ଅବଶ୍ୟ ଆଖିରେ ପଡ଼େ ଏବଂ ଯାହା ନିଶ୍ଚୟ ଆଶ୍ୱାସନାର କଥା ।

Image

 

ଓଡ଼ିଆ ଗଳ୍ପ ଜଗତକୁ ଲେଖିକାମାନଙ୍କର ଅବଦାନ

(୧୯୬୦-୧୯୮୦)

ପୁଷ୍ପାଞ୍ଜଳି ନାୟକ

 

୧୮୯୮ ମସିହାରେ ଉତ୍କଳ ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ଫକୀରମୋହନ ସେନାପତିଙ୍କ ରଚିତ ରେବତୀ ଓଡ଼ିଆ ସାହିତ୍ୟରେ ପ୍ରଥମ ଆଧୁନିକ ଗଳ୍ପ ଭାବେ ସ୍ୱୀକୃତ । ଓଡ଼ିଆ ଭାଷାର ଏଇ ପ୍ରଥମ ଗଳ୍ପ ମଧ୍ୟରେ ହିଁ ନିହିତ ଥିଲା ଓଡ଼ିଆ କ୍ଷୁଦ୍ରଗଳ୍ପର ଭବିଷ୍ୟତ ରୂପରେଖ । ତତ୍କାଳୀନ ସମାଜର ସାମାଜିକ କୁସଂସ୍କାର, ଅନ୍ଧବିଶ୍ୱାସ ବିରୁଦ୍ଧରେ ଏ ଗଳ୍ପଟି ସ୍ୱର ଉତ୍ତୋଳନ କରିଥିଲା । ଭାଷା, ଶୈଳୀ ଦୃଷ୍ଟିରୁ ମଧ୍ୟ ଏ ଗଳ୍ପଟି ଏକ ସାର୍ଥକ ସୃଷ୍ଟି ।

 

ବଡ଼ ଦୁଃଖ ଓ ପରିତାପର ବିଷୟ ନାରୀଶିକ୍ଷାକୁ ନେଇ ଓଡ଼ିଆ ସାହିତ୍ୟରେ ପ୍ରଥମ ଗଳ୍ପ ରଚିତ ହୋଇଥିଲେ ହେଁ ଓଡ଼ିଆ ସାହିତ୍ୟ ପରମ୍ପରାରେ ସ୍ୱାଧୀନତା ପୂର୍ବ ପର୍ଯ୍ୟନ୍ତ ପ୍ରାୟ ଲେଖିକାମାନଙ୍କର ସ୍ୱର ଓ ସ୍ୱାକ୍ଷର ଅନୁପସ୍ଥିତ । ଏହାର ଏକ ଉଜ୍ଜ୍ୱଳ ବ୍ୟତିକ୍ରମ ‘ଶେଫାଳି ପ୍ରତି’ର କବି ଓ ‘କାଳିବୋହୂ’ ଉପନ୍ୟାସର ସ୍ରଷ୍ଟା କୁନ୍ତଳା କୁମାରୀ ସାବତ । ୟାର କାରଣ ଏଇଆ ହୋଇପାରେ ପ୍ରତିଭାର ବିକାଶ ଲାଗି ଯେଉଁ ପରିବେଶ ପ୍ରୟୋଜନ, ତା’ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟ ପର୍ଯ୍ୟନ୍ତ ନାରୀମାନଙ୍କୁ ଉପଲବ୍ଧ ହେଉ ନ ଥିଲା । ହାତଗଣତି ଯେଉଁ କେତୋଟି ସ୍କୁଲ୍‌, କଲେଜ ଥିଲା, ସେଥିରେ ନାରୀମାନେ ଖୁବ୍‌ କମ୍‌ ସଂଖ୍ୟାରେ ପଢ଼ୁଥିଲେ । ପଢ଼ୁଥିଲେ ବି ବିବାହ ପରେ ସେମାନେ ପାରିବାରିକ ଜୀବନରେ ଆବଦ୍ଧ ରହୁଥିଲେ ଏବଂ କ୍ୱଚିତ୍‌ ନାରୀମାନେ ସାମାଜିକ କିମ୍ବା ରାଜନୈତିକ ଜୀବନରେ ପ୍ରବେଶ କରୁଥିଲେ । ରୋଷେଇଘରେ ଡାଲିଚଟୁ ବା ଲୁହାଖଡ଼ିକା ଧରି ସେମାନେ ନାନା ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତିରେ କିମ୍ବା ସ୍ୱାମୀ, ସନ୍ତାନ, ଶ୍ୱଶୁର, ଶାଶୂଙ୍କ ସେବାରେ ଜୀବନ ଉତ୍ସର୍ଗ କରି ଦେଉଥିଲେ । ନାରୀର ଏକମାତ୍ର ପରିଚୟ ଥିଲା, ତା’ର ରୂପ ଓ ସୌନ୍ଦର୍ଯ୍ୟ କିମ୍ବା ଗୃହକର୍ମରେ ନିପୁଣତା । ସେମାନେ ନିଜ ଲାଗି ନିଜେ ଭାବୁ ନ ଥିଲେ । ସେମାନଙ୍କ ଲାଗି ସ୍ୱାମୀ, ପିତା, ପୁତ୍ର ଭାବୁଥିଲେ । କଦବା କ୍ୱଚିତ ସେମାନେ ସ୍ୱାମୀ ଛଡ଼ା ଅନ୍ୟ ପୁରୁଷକୁ ଦେଖୁଥିଲେ । ବୟସର ଅପରାହ୍‌ଣରେ ଯେତେବେଳେ ସେ ସୁଯୋଗ ହୁଏତ ଆସୁଥିଲା, ସେତେବେଳେ ସେମାନଙ୍କ ଧମନୀର ରକ୍ତ ଶୀତଳ ହୋଇସାରିଥିଲା । ପ୍ରେମ ଶବ୍ଦ ନିଷିଦ୍ଧ ଥିଲା, ଭଲପାଇବା ଶବ୍ଦ ଉଚ୍ଚାରଣ କରିବା ପାପ ଗଣାହେଉଥିଲା । ସେତେବେଳର ସମାଜରେ ଝିଅ ଶିକ୍ଷିତା ହେଉଥିଲା, କିନ୍ତୁ ଏକ ପୂର୍ଣ୍ଣାଙ୍ଗ, ସ୍ୱୟଂସମ୍ପୂର୍ଣ୍ଣା ନାରୀଟିଏ ହୋଇପାରୁ ନ ଥିଲା । ମୁକ୍ତ ହେଉ ନ ଥିଲା, ବ୍ୟାପ୍ତ ହେଉ ନ ଥିଲା । ବଡ଼ ବଡ଼ ଚିନ୍ତାଶୀଳ ବ୍ୟକ୍ତିଙ୍କର ଚିନ୍ତା, ଦର୍ଶନକୁ ନେଇ ସେମିନାରରେ ପ୍ରବନ୍ଧ ପଢ଼ୁଥିଲା, କିନ୍ତୁ ନିଜ ପାଇଁ ନିଜେ ଚିନ୍ତା କରିବାକୁ ଶିଖୁ ନ ଥିଲା । ହୁଏତ କେବେ କେବେ କୌଣସି ପୁରୁଷ ସଂସ୍ପର୍ଶରେ ଆସିଲେ ବି ତା’ ପ୍ରତି ଆକର୍ଷିତ ହେବାର ସାମାଜିକ ସମର୍ଥନ ନ ଥିଲା । ସେ ନିଜକୁ ପବିତ୍ର କରି ରଖୁଥିଲା, ସେଇ ନିର୍ଦ୍ଦିଷ୍ଟ ପୁରୁଷଟି ପାଇଁ, ଯିଏ ଠିକ୍‌ କିଏ ହେବ, ହାତଗଣ୍ଠି ପଡ଼ିବା ପୂର୍ବରୁ ସେ ବି ଜାଣୁ ନ ଥିଲା । ସ୍ୱାମୀ ନାମକ ସେଇ ପୁରୁଷଟି ନିଜ ରୁଚିର ନ ହୋଇଥିଲେ ତାକୁ ସ୍ୱାମୀ ରୁଚିରେ ନିଜକୁ ଗଢ଼ି ନେବାକୁ ପଡୁଥିଲା, ଆମୃତ୍ୟୁ ତା’ ଲାଗି ସତ୍‌ ଆଉ ବିଶ୍ୱସ୍ତ ହୋଇ ରହିବାକୁ ହେଉଥିଲା ।

 

ସେ ଥିଲା ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ଝିଅଟିଏ । ଚାଲିଶିଖିବା ଆଗରୁ ପାଦ କାଟି ଦିଆଯାଇଥିବା, କଥା କହିବା ଆଗରୁ ଜିଭ କାଟିଦିଆଯାଇଥିବା, ମିଛ ସାମାଜିକ ଚଳଣି ଓ ତୁଚ୍ଛ ରୀତିନୀତିର ଲୌହ ଶୃଙ୍ଖଳରେ ବନ୍ଧା ପଡ଼ିଥିବା, ଯୌତୁକ, ଜାତକ ଓ ଜ୍ୟୋତିଷଙ୍କର ବ୍ୟୂହ ମଧ୍ୟରେ ଛନ୍ଦିଯାଇଥିବା, ବିବାହ ନାମକ ଅନଳ ଚିତାରେ ଫିଙ୍ଗା ହେବାକୁ ଥିବା ଏଇ ପୁରୁଷତାନ୍ତ୍ରିକ ସମାଜର ହତଭାଗିନୀ ଝିଅଟିଏ ।

 

ସ୍ୱାଧୀନତାର ପରବର୍ତ୍ତୀ କାଳରେ ଶିକ୍ଷାର ପ୍ରସାର ନାରୀକୁ ମୁକ୍ତ କଲା, ବ୍ୟାପ୍ତ କଲା । ସେମାନେ ବି ପୁରୁଷ ଭଳି ସାମାଜିକ, ରାଜନୈତିକ ଏବଂ ପରେ ସାହିତ୍ୟ କ୍ଷେତ୍ରକୁ ପ୍ରବେଶ କଲେ-। ସାହିତ୍ୟର ଅମଡ଼ା ବାଟରେ ପ୍ରଥମକରି ପାଦ ରଖିଲେ ବସନ୍ତ କୁମାରୀ, କଳ୍ପନା କୁମାରୀ, ବୀଣାପାଣି ଓ ବନଜ । ଏମାନେ କେହି କାହାରି ଭଳି ନୁହଁନ୍ତି । କାହାଣୀ, ପ୍ରକାଶଭଙ୍ଗୀ ଓ ଭାଷାର ବ୍ୟବହାରରେ ସେମାନେ ପରସ୍ପରଠାରୁ ଭିନ୍ନ । ସେମାନଙ୍କ ଗଳ୍ପରେ ଆଧୁନିକ ମାନସିକତାର ପରିପ୍ରକାଶ ଘଟିଥିଲା । ଏହି ଲେଖିକାମାନେ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଏକ ନୂତନ ମୋଡ଼ ଦେଇଥିଲେ-। ସମକାଳୀନ ପୁରୁଷ ଲେଖକଙ୍କଠାରୁ ଏମାନେ କୌଣସି ଗୁଣରେ କମ୍‌ ନ ଥିଲେ ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ନାରୀଶିକ୍ଷାର ପ୍ରସାର, ଜୀବିକା ନିର୍ବାହରେ ପୁରୁଷ ସହିତ ସମାଜ ଅଧିକାର ଏବଂ ରାଜନୈତିକ କ୍ଷେତ୍ରରେ ପୁରୁଷ ସହିତ ସମାନ ଭୋଟାଧିକାର ନାରୀକୁ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ସାମର୍ଥ୍ୟ ଯୋଗାଇ ଦେଇଥିଲା । ବିଶେଷକରି ଅର୍ଥନୈତିକ ସ୍ୱାଧୀନତା ତାକୁ ପରିବାର ଉପରେ ବୋଝ ନ ହୋଇ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସକ୍ଷମ କରିଥିଲା । ବାଲ୍ୟକାଳରେ ପିତା, ଯୌବନରେ ସ୍ୱାମୀ ଏବଂ ବାର୍ଦ୍ଧକ୍ୟରେ ପୁତ୍ରର କାନ୍ଧ ଉପରେ ଭାରା ରଖି ବଞ୍ଚିବା ତା’ ଲାଗି ଅନିର୍ବାର୍ଯ୍ୟ ନ ଥିଲା । ବରଂ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅନେକ କ୍ଷେତ୍ରରେ ପୁଅମାନଙ୍କୁ ପଛରେ ପକାଇ ଝିଅମାନେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ସାହିତ୍ୟ କ୍ଷେତ୍ରରେ ମଧ୍ୟ ନାରୀ ନିଜର ଅନୁଭୂତି, ଆବେଗ ଏବଂ ସ୍ୱପ୍ନକୁ ଅକପଟ ଭାବରେ ପ୍ରକାଶ କରିବା ପାଇଁ ସାହସ କରିପାରିଥିଲା । ଶାରୀରିକ ସତୀତ୍ୱ ଅପେକ୍ଷା ବ୍ୟକ୍ତିତ୍ୱ ହେଲା ନାରୀର ଶ୍ରେଷ୍ଠ ସମ୍ପଦ । ଊନବିଂଶ ଶତାବ୍ଦୀରେ ବିଧବା ବିବାହ ଆଇନ ପ୍ରଚଳିତ ହୋଇଥିଲେ ମଧ୍ୟ ସମଗ୍ର ବିଂଶ ଶତାବ୍ଦୀ ମଧ୍ୟରେ ବିଧବା ବିବାହ ସହଜ ନ ଥିଲା । ତେଣୁ ବିବାସିନୀ (ରାମଶଙ୍କର) କନକଲତା କିମ୍ବା ମଲାଜହ୍ନର (ନନ୍ଦକିଶୋର ବଳ) ବିଧବା ନାୟିକାମାନେ ନିଜ ବାଞ୍ଛିତ ପୁରୁଷକୁ ବିବାହ କରି ନ ପାରି ଆଖିର ଅଶ୍ରୁରେ ବନ୍ୟା ସୃଷ୍ଟି କରିଥିଲେ । ସ୍ୱାଧୀନତା ପୂର୍ବର ବହୁ ଗଳ୍ପ ବିଧବା ନାରୀର ଅଶ୍ରୁରେ ଆର୍ଦ୍ର ହୋଇଥିଲା । ବ୍ୟତିକ୍ରମ ଥିଲେ କୁନ୍ତଳା କୁମାରୀ ସାବତ । ରକ୍ଷଣଶୀଳ ହିନ୍ଦୁଧର୍ମର ବିରୋଧ କରି କାଳିବୋହୂର ବିଧବା ନାୟିକାକୁ ତା’ର ମନର ପୁରୁଷ ସହିତ ବିବାହ ଦେଇଥିଲେ । କାରଣ ସେ ଥିଲେ ଉଚ୍ଚଶିକ୍ଷିତା ଏବଂ ପ୍ରଗତିଶୀଳା ନାରୀ । ସ୍ୱାଧୀନତା ପରବର୍ତ୍ତୀ କାଳରେ ବସନ୍ତ କୁମାରୀ ପଟ୍ଟନାୟକ, କଳ୍ପନାକୁମାରୀ ଦେବୀ ଏବଂ ନନ୍ଦିନୀ ଶତପଥୀ ପୁରୁଷତାନ୍ତ୍ରିକ ସମାଜ, ଜାତିଆଣ ଭେଦଭାବ ଏବଂ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଷଷ୍ଠ ଦଶକରେ ବୀଣାପାଣି ମହାନ୍ତି ଏଇ ପ୍ରଗତିଶୀଳ ଭାବଧାରାକୁ ନିଜ ଗଳ୍ପରେ ପ୍ରତିବିମ୍ବିତ କରାଇଛନ୍ତି । ପାଟଦେଈ ଏହାର ଏକ ଉଜ୍ଜ୍ୱଳ ଉଦାହରଣ । ସ୍ୱାମୀ ପରିତ୍ୟକ୍ତା ପଲ୍ଲୀବଧୂ ପାଟ ଗ୍ରାମର କେତେଜଣ ତରୁଣଙ୍କ ଦ୍ୱାରା ଧର୍ଷିତା ହୋଇ ଅନ୍ତଃସତ୍ତ୍ୱା ହୋଇଥିଲା । କିନ୍ତୁ ଗର୍ଭନଷ୍ଟ କରି ସତୀ ହେବାର ଛଳନା କରିବା ବଦଳରେ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲା ଏବଂ ଗ୍ରାମପଞ୍ଚାୟତରେ ସେ ସନ୍ତାନର ଜନକ କିଏ ବୋଲି ଯେତେବେଳେ ଗ୍ରାମ ମୁଖିଆମାନେ ପ୍ରଶ୍ନ କଲେ, ସେ ଧର୍ଷଣକାରୀ ତରୁଣମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ସେ ବାମାବାଦୀ ଲେଖିକା ନୁହଁନ୍ତି, କିନ୍ତୁ ବାମପନ୍ଥୀ ଲେଖିକା । ତାଙ୍କ ଦୃଷ୍ଟିରେ ନାରୀ ନିଜ ପାଖରେ ସତ୍‌ ହୋଇ ରହିବା ହିଁ ସତୀତ୍ୱ । ଶାରୀରିକ ସତୀତ୍ୱ ଅପେକ୍ଷା ମାତୃତ୍ୱ ହିଁ ତା’ ପକ୍ଷରେ ସର୍ବଶ୍ରେଷ୍ଠ ସମ୍ପଦ ।

 

ସପ୍ତମ ଦଶକରେ କିଛି ନୂତନ ଲେଖିକା ଓଡ଼ିଆ ଗଳ୍ପ-ଜଗତକୁ ପ୍ରବେଶ କରି ଓଡ଼ିଆ କଥା ସାହିତ୍ୟର ଦିଗକୁ ଏକ ନୂତନ ମୋଡ଼ ଦେଲେ । ଖାଲି ଆଙ୍ଗିକ ନୁହେଁ, କଥାବସ୍ତୁ ଚୟନ ଓ ଗଳ୍ପ କଥନରେ ଏମାନେ ଥିଲେ ସମ୍ପୂର୍ଣ୍ଣ ଅଭିନବ । ନୂଆ ଭାବନାର ତେଜୀୟାନ ଗଳ୍ପ ଲେଖି ଏମାନେ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କଲେ । ସମକାଳୀନ ପୁରୁଷ ଲେଖକଙ୍କଠାରୁ ମନର ଭାବ ଅଧିକ ଶାଣିତ ଭାବରେ ଓ ଅକପଟ ଭାବରେ ପ୍ରକାଶ କଲେ । ଏମାନଙ୍କ ଗଳ୍ପରେ କାହାଣୀ ଥିଲା ଗୌଣ । ମୁଖ୍ୟ ଥିଲା ବିଷୟବସ୍ତୁ । ମୁଖ୍ୟତଃ ଏମାନଙ୍କ ଗଳ୍ପରେ ଏମାନେ ପାରମ୍ପରିକ ବର୍ଣ୍ଣନାଶୈଳୀକୁ ତ୍ୟାଗ କରି ସମ୍ପୂର୍ଣ୍ଣ ନୂଆ ଶୈଳୀରେ ଗଳ୍ପର ଆରମ୍ଭ ଓ ଶେଷ କଲେ । ଏମାନେ ପ୍ରମାଣ କଲେ ଯେ କ୍ଷୁଦ୍ରଗଳ୍ପର ସାର୍ଥକତା ତା’ର ଶୈଳୀରେ ନ ଥାଏ, ଥାଏ କାହାଣୀର ଅନ୍ତର୍ନିହିତ ଗଭୀରତାରେ ।

 

୧୯୭୩ରେ ପ୍ରକାଶିତ ହେଲା ଜ୍ୟୋତ୍ସ୍ନା ରାଉତରାୟଙ୍କ ‘ପ୍ରଥମ ସୁଖ’ ଓ ‘ପୋତାଶ୍ରୟ’ ଗଳ୍ପ । ଏହି ଦୁଇଟି ଯାକ ଗଳ୍ପ ଚିରାଚରିତ ମୂଲ୍ୟବୋଧକୁ ଚୁର୍‌ମାର୍‌ କରି ଭାଙ୍ଗି ଦେଇଥିଲା । ‘‘ପ୍ରଥମ ସୁଖ’’ରେ ଲେଖିକା ପୁରୁଷନାରୀର ଆଦିମ ସମ୍ପର୍କର ଅନ୍ତରଙ୍ଗ ଆଲେଖ୍ୟ ଅକପଟ ଭାବେ ଦେଇ ପାଠକଙ୍କୁ ସ୍ତବ୍ଧ କରିଦେଇଥିଲେ । ନାରୀଟିଏ ଏଥିରେ ପ୍ରଥମଥର ଲାଗି ଶାରୀରିକ ସୁଖକୁ ଉପଭୋଗ କରିଥିଲା । ଦ୍ୱିତୀୟ ଗଳ୍ପଟିରେ ସନ୍ତାନହୀନା ନାରୀଟିଏ ଅକ୍ଷମ ସ୍ୱାମୀଙ୍କ ବନ୍ଧୁଙ୍କଠାରୁ ସନ୍ତାନଟିଏ ଚାହିଥିଲା ।

 

ଅନ୍ୟ ଏକ ଗପ ଥିଲା ବନ୍‌ସାଇ (ଯଶୋଧାରା ମିଶ୍ର) ଏଥିରେ ଥିଲା ଦୁଇ ପିଢ଼ିର ନାରୀଙ୍କର ସଂଘାତ । ଜଣେ ମାଆ ଓ ଜଣେ ଝିଅ । ପ୍ରେମ ଓ ତା’ର ସ୍ୱଚ୍ଛନ୍ଦ ପରିପ୍ରକାଶ । ପ୍ରଥମ ପିଢ଼ିର ନାରୀଟି ଜୀବନରେ ପ୍ରେମ ଆସିଥିଲା । କିନ୍ତୁ ସେ ପ୍ରେମର ଅଙ୍କୁର ବଢ଼ି ଗଛରେ ପରିଣତ ହେବା ଆଗରୁ ଗୁରୁଜନମାନେ ତା’ର ଡାଳପତ୍ର ଭାଙ୍ଗି ତାକୁ ବଢ଼ିବାକୁ ଦେଇ ନ ଥିଲେ । ଅଥଚ ସେଇ ନାରୀର ଝିଅଟି ଯେତେବେଳେ ପ୍ରେମରେ ପଡ଼ୁଛି, ସେ କେତେ ସ୍ୱଚ୍ଛନ୍ଦ, ସାବଲୀଳ !

 

ଗଳ୍ପରେ ମାଆଟି ବନ୍‌ସାଇ ଆର୍ଟ ଶିଖୁଛି, ଲେଡିଜ୍‌ କ୍ଲବ୍‌ରୁ । ଏଥିରେ ମହାଦ୍ରୁମ ହେବାର ସମ୍ଭାବନା ଥିବା ଗଛକୁ ବାରମ୍ବାର କତୁରିରେ କାଟି ଛୋଟ କରିଦିଆଯାଏ, ଦିଆଯାଏ ଏକ ନିର୍ଦ୍ଦିଷ୍ଟ ଗଛର ବାମନ ରୂପ । ଫଉଲ ଥିବ, ପତ୍ର ଥିବ କେବଳ ଉଚ୍ଚତା ବା ଓସାର ନ ଥିବ । ଆଗରୁ ନାରୀମାନଙ୍କୁ ଗୁରୁଜନମାନେ କିପରି ପ୍ରତି ପଦରେ ଶାସନ କରି, ଭୟ ଦେଖାଇ, ତା’ର ବ୍ୟକ୍ତିତ୍ୱର ଅଭିବୃଦ୍ଧିରେ ଅନ୍ତରାୟ ହେଉଥିଲେ, ଦ୍ରୁମ, ମହାଦ୍ରୁମ ହେବାର ସମ୍ଭାବନା ଥିବା ନାରୀଟିକୁ ବ୍ୟକ୍ତିତ୍ୱହୀନା, ନିଜତ୍ୱହୀନା କରି ଗଢ଼ିବାରେ ଆନନ୍ଦ ପାଉଥିଲେ, ଏକଥା ଲେଖିକା ବର୍ଣ୍ଣନା କରିବାକୁ ଯାଇ ବନ୍‌ସାଇ ଆର୍ଟକୁ ଏକ ପ୍ରତୀକ ରୂପେ ଗ୍ରହଣ କରିଛନ୍ତି ଏବଂ କାହାଣୀଟିକୁ ରୂପକ କରିଦେଇଛନ୍ତି ।

 

ଏ ସମୟର ଆଉ ଏକ ଚମକାଇଦେବା ଭଳି ଗଳ୍ପ ଥିଲା ସରୋଜିନୀ ସାହୁଙ୍କ ରେପ୍‌ ଗଳ୍ପ । ଏ ଶବ୍ଦଟି ସେ ପ୍ରଥମଥର ଲାଗି ଉଚ୍ଚାରଣ କଲେ ଗଳ୍ପରେ ଏବଂ ପ୍ରଥମଥର ଲାଗି ଏକ ନୂତନ ବିଷୟବସ୍ତୁ ଉପରେ ଗଳ୍ପ ଲେଖିଲେ । ଏ ଗଳ୍ପ ପୂର୍ବରୁ ପରକୀୟା ସାହିତ୍ୟରେ ନ ଥିଲା ତା’ ନୁହେଁ, ହେଲେ ଏ ଗଳ୍ପରେ ନାୟିକା ସ୍ୱପ୍ନ ଦେଖିଚି ସ୍ୱାମୀଙ୍କ ବନ୍ଧୁ ସହିତ ସେ ମିଳିତ ହୋଇଛି ଏବଂ ଏ ସ୍ୱପ୍ନ କଥା ସେ ସ୍ୱାମୀ ଆଗରେ ପ୍ରକାଶ କରୁଛି । କିଛି ଗୋଷ୍ଠୀର ପାଠକଙ୍କୁ ଏହା ସ୍ତବ୍ଧ କରିଦେଇଥିଲେ ବି ଏ ଗପଟି ଚହଳ ପକାଇ ଦେଇଥିଲା ।

 

ଆଉ ଏକ ଗଳ୍ପ ଥିଲା ପୁଷ୍ପାଞ୍ଜଳି ନାୟକଙ୍କ ଦୋଚାରୁଣୀ । ଏ ଗଳ୍ପରେ କୃଷ୍ଣଲୀଳା ଦେଖି ଗାଉଁଲି ବୋହୂଟିଏ କିପରି କୃଷ୍ଣ ପାର୍ଟ କରିଥିବା ପୁଅଟିର ପ୍ରେମରେ ପଡ଼ିଯାଉଛି, ସ୍ୱାମୀକୁ ତା’ ସହିତ ତୁଳନା କରୁଛି ଏବଂ ନିଜକୁ ରାଧା ଭାବରେ କଳ୍ପନା କରି ରାତିଅଧରେ ତା’ଲାଗି ସ୍ନୋ ପାଉଡର୍‌ ମାଖି ଅଭିସାରିକା ବେଶରେ ସଜ୍ଜିତ ହେଉଛି, ଏ ତା’ରି କାହାଣୀ । ଆଉ ଏକ ଗଳ୍ପ ଥିଲା ବୋଉ ଓ ବସନ୍ତ । ଏ ଗଳ୍ପରେ ନାୟିକା ପ୍ରେମରେ ପଡ଼ିଛି, ହେଲେ ପ୍ରେମିକ ସହିତ ଏକାନ୍ତରେ ମିଳିତ ହେବାକୁ ମନା କରିଦେଉଛି, କାରଣ ସେ ଭୟ କରୁଛି, ଏକ ନିର୍ଜନ ସ୍ଥାନରେ, ନିକାଞ୍ଚନ ପରିବେଶରେ ପ୍ରେମର ବଉଳମାଳ ଶାରୀରିକ ଆକର୍ଷଣର ସାପ ହୋଇଯାଇପାରେ । ଏବଂ ସେ ତା’ ବୋଉର ଚିରାଚରିତ ମୂଲ୍ୟବୋଧରେ ଆଘାତ ଦେବାକୁ ଚାହୁଁନି । ସେ ପ୍ରେମ ଓ ଶାରୀରିକ ସମ୍ବନ୍ଧ ମଝିରେ ଏକ ବିଭାଜକ ରେଖା ଟାଣିଦେଇଛି ।

 

ଏମାନଙ୍କ ପରେ ଆସିଲେ ଚିରଶ୍ରୀ, ହିରଣ୍ମୟୀ ଓ ପାରମିତା । ଚିରଶ୍ରୀଙ୍କ ବେଙ୍ଗବତୀ କଥା, ଜାନକୀର ପୁଅ ଏସବୁ ଗପ ଗୋଟାଏ ଗୋଟାଏ ଅନବଦ୍ୟ ସୃଷ୍ଟି । କାହାଣୀ ବାଛିବାରେ, ଉପସ୍ଥାପନା କରିବାରେ ଏବଂ ଭାଷା ବ୍ୟବହାରରେ ସେମାନେ ପରସ୍ପରଠାରୁ ଭିନ୍ନ । ଆପଣା ଆପଣା ଅନୁଭୂତି ଓ ଅନୁଭବକୁ ସେମାନେ ବ୍ୟଞ୍ଜନାମୟ ଭାଷାରେ ପ୍ରକାଶ କରିଛନ୍ତି ।

 

ଆଉ ଗୋଟାଏ କଥା ଉଲ୍ଲେଖ କରିବା ସମୀଚୀନ ହେବ ଏସବୁ ଲେଖିକାମାନେ ଗଳ୍ପ ଲେଖାର ପ୍ରଥମ ଅବସ୍ଥାରେ ପ୍ରେମ, ପୁରୁଷ ନାରୀର ଆକର୍ଷଣକୁ ନେଇ ଗଳ୍ପ ଲେଖୁଥିଲେ ବି ସମୟ କ୍ରମରେ ଗଳ୍ପ ଲେଖିବାର ମୋଡ଼କୁ ବଦଳାଇ ଦେଇଛନ୍ତି । କାରଣ ପ୍ରେମ ଜୀବନର ଏକ ଖଣ୍ଡିତ ଅନୁଭବ, ସମଗ୍ର ଅନୁଭବ ନୁହେଁ । ପ୍ରେମ ଓ ପ୍ରଣୟର ପରିଧି ଅତିକ୍ରମ କରି ସରୋଜିନୀ, ଯଶୋଧାରା, ଜ୍ୟୋତ୍ସ୍ନା, ପୁଞ୍ଜାଞ୍ଜଳି ଏବଂ ଚିରଶ୍ରୀ ଧୀରେ ଧୀରେ ଦ୍ରୁତଗତିରେ ବଦଳି ଯାଉଥିବା ସମୟ ଓ ସମାଜକୁ ନିରୀକ୍ଷଣ କରିଛନ୍ତି ଏବଂ ପରିବର୍ତ୍ତିତ ସମୟ ଓ ପରିସ୍ଥିତିର ଚାପରେ ଅଣନିଃଶ୍ୱାସୀ ହୋଇଉଠୁଥିବା, ସଂଘର୍ଷମୟ ଜୀବନରେ ଅହରହ ଘାତ, ପ୍ରତିଘାତର ସମ୍ମୁଖୀନ ହୋଇ ଲହୁଲୁହାଣ ହେଉଥିବା ଆଧୁନିକ ମଣିଷର କଷ୍ଟ, ଦୁଃଖ, ଅସହାୟତାକୁ ଆପଣା ଆପଣା ଢଙ୍ଗରେ ଆଙ୍କିଛନ୍ତି କଳାତ୍ମକ ଭାବରେ ଏବଂ ତା’ ସହିତ ଜୀବନର ନୂତନ ଆଶା, ସ୍ୱପ୍ନ ମଧ୍ୟ ଦେଖାଇଛନ୍ତି ସେମାନଙ୍କ ଗଳ୍ପରେ । ସେମାନଙ୍କ ଗଳ୍ପରେ କାହାଣୀ ରୂପକ ହୋଇଯାଉଛି । ଯୁଗ ଯନ୍ତ୍ରଣାରେ ନିପୀଡ଼ିତ ମଣିଷ ଯନ୍ତ୍ରଣା, ଅସହାୟତାବୋଧ, ହତାଶା ସହିତ ସଂଘର୍ଷ କରିବା ସତ୍ତ୍ୱେ ବଞ୍ଚୁଛି ଏବଂ ତଥାପି ସ୍ୱପ୍ନ ଦେଖୁଛି, ଏହା ଏମାନଙ୍କର ଅଧିକାଂଶ ଗଳ୍ପର ବିଷୟବସ୍ତୁ । ଏତଦ୍‌ବ୍ୟତୀତ କ୍ରମଶଃ ଭାଙ୍ଗିଯାଉଥିବା ଯୌଥ ପରିବାର ଓ ତଜ୍ଜନିତ ମଣିଷର ଆତ୍ମିକ ସଙ୍କଟ, ହଜିଯାଉଥିବା ମୂଲ୍ୟବୋଧକୁ ତଥାପି ଜାବୁଡ଼ି ଧରିବାର ସଂଗ୍ରାମ, ଜୀବନର ଦ୍ରୁତଗତି ସହିତ ପାଦ ମିଳାଇ ଚାଲିପାରୁ ନ ଥିବା ମଣିଷର ଅସହାୟତା, ତା’ର ଆତ୍ମାର ନିରବ ଅଶ୍ରୁ ଆଜି ଲେଖିକାମାନଙ୍କର ଗଳ୍ପକୁ ରସାଣିତ କରୁଛି । ସମକାଳୀନ ଘଟଣା ଉପରେ ଗଳ୍ପ ଲେଖାଯାଏ । କିନ୍ତୁ ଗଳ୍ପ ଯେଉଁଠାରେ ସକକାଳୀନତାକୁ ଅତିକ୍ରମ କରି ସର୍ବକାଳୀନତାରେ ଉତ୍ତୀର୍ଣ୍ଣ ହୋଇଯାଏ, ସେଇଠି ହିଁ ଗଳ୍ପର ସାର୍ଥକତା । କାଳ ହିଁ ଗଳ୍ପର ଶ୍ରେଷ୍ଠ ବିଚାରକ । ଗଳ୍ପ ଉତ୍ତୀର୍ଣ୍ଣ ହୋଇଛି କି ନାହିଁ, କାଳ ହିଁ ତା’ର କଷଟି ପଥର ।

 

ଆଶା କରାଯାଉ, ଓଡ଼ିଆ ଗଳ୍ପ ଲେଖିକାମାନେ ଆହୁରି ଗଭୀର ଅନ୍ତର୍ଦୃଷ୍ଟିର ଗଳ୍ପ ଲେଖନ୍ତୁ ଏବଂ ଓଡ଼ିଆ ଗଳ୍ପ ସାହିତ୍ୟକୁ ଆହୁରି ଉନ୍ନତ, ସମୃଦ୍ଧ କରନ୍ତୁ ।

Image

 

ଗଳ୍ପ ଚର୍ଚ୍ଚାରେ କାଳଖଣ୍ଡ

ଜଗଦୀଶ ମହାନ୍ତି

 

ସାହିତ୍ୟ ସୃଜନଶୀଳତାର ଏକକ ଅଭିବ୍ୟକ୍ତି ପରିପ୍ରକାଶର ମାଧ୍ୟମ ହେଲେ ମଧ୍ୟ ଚିନ୍ତା ଚେତନାର ଭିତ୍ତିଭୂମି ଦୃଷ୍ଟିରୁ ଏହା ନିରନ୍ତର ଉତ୍ତରିତ ଏବଂ ପ୍ରକୃତ ପକ୍ଷରେ ବାରମ୍ବାର ଆବୃତ୍ତ ଧାରାବାହିକ ସମ୍ମିଳିତ ସାମୂହିକ ଗୋଷ୍ଠୀଗତ ପ୍ରଚେଷ୍ଟାର ଏକ ଫଳସ୍ୱରୂପ ଆମ ସାମ୍ନାରେ ନିଜକୁ ପ୍ରତିଷ୍ଠିତ କରାଇଥାଏ । କୌଣସି ଚେତନା ନା ତ ସ୍ୱୟମ୍ଭୂ ଥାଏ, ନା ତାହା ଉତ୍ତରସୂରୀଙ୍କ ଚିନ୍ତା ଚେତନାରୁ ଅଲଗା । ଯାହା ଅଲଗା ଥାଏ ତାହା ହେଉଚି ସାହିତ୍ୟରେ ପ୍ରୟୋଗଧର୍ମିତା । ଭାଷା, ଅଭିବ୍ୟକ୍ତିର ପରିପ୍ରକାଶର ଶୈଳୀ କିମ୍ବା ରୂପକ, ପ୍ରତୀକ ଓ ଛାୟା ବିମ୍ବର ବ୍ୟବହାରରେ ନୂତନତ୍ୱ ହିଁ ସାହିତ୍ୟକୁ ଏକ ନୂତନ ରୂପରେ ପୁନଃ ପୁନଃ ପରିଚିତ କରାଉଥାଏ ।

 

ସେଇ ଦୃଷ୍ଟିରୁ ଗଳ୍ପକୁ ଚେତନାଗତ ଦୃଷ୍ଟିରୁ କୌଣସି ଦଶକ ମଧ୍ୟରେ ବାନ୍ଧି ଦେବାର କିଭଳି ଯଥାର୍ଥତା ଥାଇପାରେ, ଆଲୋଚନାରେ ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେବା ଉଚିତ । ତା’ଛଡ଼ା ଯଦି ଧରି ନିଆଯାଉ କୌଣସି ସାହିତ୍ୟକ ଗତିବିଧିର ଧାରାରେ ପରିବର୍ତ୍ତନ ଆସୁଚି (ପ୍ରୟୋଗାତ୍ମକ ପରିବର୍ତ୍ତନ ହେଉପଛେ) ତାହା କୌଣସି କ୍ୟାଲେଣ୍ଡର୍‌ର ଦିନ ମାସ ବର୍ଷ ଧରି ଆସିବ, ଏ କିଭଳି ଯୁକ୍ତିଯୁକ୍ତ ହାଇପୋଥେସିସ୍‌ ? କୌଣସି ଲେଖକ ତା’ର କଲମ ଧରିଲା ମାତ୍ରେ ନିଜସ୍ୱ ଅଭିବ୍ୟକ୍ତି ଓ ପରିପ୍ରକାଶଭଙ୍ଗୀର ଏକକ ଉଜ୍ଜ୍ୱଳ ସ୍ୱାକ୍ଷର ହେଇ ନ ଥାଏ । ଲେଖକଟିଏକୁ ଦୀର୍ଘ ବର୍ଷ ଧରି ସାଧନା କରିବାକୁ ପଡ଼ିଥାଏ । ତାକୁ ଲେଖୁ ଲେଖୁ ଶିଖିବାକୁ ପଡ଼ିଥାଏ ଓ ଶିଖୁ ଶିଖୁ ଲେଖିବାକୁ । ଲେଖାଲେଖି ଆରମ୍ଭ କରିବା ପରେ, ଦୀର୍ଘଦିନ ସାଧନାରେ ରହିଲେ ହିଁ ସେ ଖୋଜି ପାଏ ଗୋଟିଏ ସ୍ୱର, ଗୋଟିଏ ଚେତନା ଓ ଗୋଟିଏ ପ୍ରକାଶଭଙ୍ଗୀର ଶୈଳୀ । ସେଇ ଶୈଳୀରେ, ସେଇ ସ୍ୱରରେ ସେ ପରିଚିତ ହେଇଥାଏ । ତେଣୁ ନିଜସ୍ୱ ସ୍ୱର, ଶୈଳୀ ଖୋଜି ପାଇବା ସହିତ କ୍ୟାଲେଣ୍ଡର୍‌ ମାଫିକ ଦଶକ ସବୁ ସେଠାରେ ମୂଲ୍ୟହୀନ ହେଇଯାଏ ନାଇଁ କି ? ଧରାଯାଉ ଜଣେ ଲେଖକକୁ ତ ଚିହ୍ନିବାକୁ ପାଉ ଅଶୀ ଦଶକରେ । ତା’ର କିଛି ଲେଖା ଆମକୁ ବିମୋହିତ କରେ । କିନ୍ତୁ ସେଇ ସୁନ୍ଦର ଗଳ୍ପଗୁଡ଼ିକୁ ଲେଖିବା ପାଇଁ ତା’ର ଦୀର୍ଘ ଦଶ ପନ୍ଦର ବର୍ଷର ସାଧନା କଥା ଭୁଲିଯିବା କି ? ହୁଏତ ଅଶୀ ଦଶକରେ ଉନ୍ମିଳ ପ୍ରତୀତ ହେଉଥିବା ଗାଳ୍ପିକଟି ସତୁରି ଦଶକରୁ ଲେଖାଲେଖି ଆରମ୍ଭ କରିଥାଇପାରେ । ତେବେ ସେ ଲେଖକକୁ ଆମେ ଅଶୀ ଦଶକର କହିବା କି ସତୁରି ଦଶକର କହିବା ?

 

ଆଉ ଗୋଟିଏ ପ୍ରସଙ୍ଗକୁ ଦେଖିବା । ଗୋଟିଏ ଦଶକରେ କ’ଣ ଗୋଟିଏ ସ୍ୱର ଦେଖିବାକୁ ମିଳିଥାଏ ? ଯେଉଁ ସମୟରେ ଭଗବତୀ ପାଣିଗ୍ରାହୀ ଶିକାର ଲେଖିଲେ, ସେଇ ସମୟରେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ହରିଶ୍ଚନ୍ଦ୍ର ବଡ଼ାଳ ମଧ୍ୟ ଗଳ୍ପ ଲେଖୁଥିଲେ ଏଇ ଗାଳ୍ପିକମାନଙ୍କର ସ୍ୱର ଭିନ୍ନ ଭିନ୍ନ ଥିଲା । ତେବେ କେଉଁ ଗାଳ୍ପିକର ସ୍ୱରକୁ ଆମେ ସେ ସମୟର ସ୍ୱର କହିବା ? ଭଗବତୀଙ୍କ ‘ଶିକାର’କୁ ନା କାଳିନ୍ଦୀ ଚରଣଙ୍କ ‘ବିଟଘର ଓ ରେଳଗାଡ଼ି’ କିମ୍ବା ‘ପଙ୍ଗୁସ ?’ ଷାଠିଏ ଦଶକର ଦୁଇ ଜଣ ପ୍ରମୁଖ ଗାଳ୍ପିକ ହେଲେ ସୁରେନ୍ଦ୍ର ମହାନ୍ତି ଓ ମନୋଜ ଦାସ-। ଦୁଇଜଣଙ୍କ ଗଳ୍ପରେ ବ୍ୟକ୍ତିମାନସର କଥା କୁହାଯାଇଛି-। କିନ୍ତୁ ସଂପୂର୍ଣ୍ଣ ଅଲଗା ଢଙ୍ଗରେ । ସୁରେନ୍ଦ୍ରଙ୍କ ଗଳ୍ପରେ ମାର୍କ୍ସବାଦ ବିରୁଦ୍ଧରେ ସ୍ୱର ଉଚ୍ଚାରଣ ଓ ମନୋଜଙ୍କ ଗଳ୍ପରେ ମାର୍କ୍ସୀୟ ସୌନ୍ଦର୍ଯ୍ୟ ଚେତନା ପ୍ରତି କେଉଁଠି ଗୋଟିଏ ସମର୍ପଣ । ଷାଠିଏ ଦଶକରେ ଆଉ ଜଣେ ଗାଳ୍ପିକ ଔପନ୍ୟାସିକ ଗୋପୀନାଥ ମହାନ୍ତି । ଗଳ୍ପରେ ସେ ଯେତେମାତ୍ରାରେ ବ୍ୟକ୍ତି କୈନ୍ଦ୍ରିକ, ଉପନ୍ୟାସ ରଚନାରେ ସେ କାହୁଁ ବଳି ସାମାଜିକ । ତେବେ କେଉଁଟା ତାଙ୍କର ସ୍ୱର ? କେଉଁ ସ୍ୱରକୁ ଆମେ ଷାଠିଏ ଦଶକର ସ୍ୱର କହିବା ? ସତୁରି ଦଶକରେ ରାମଚନ୍ଦ୍ର ବେହେରା ଯେତେବେଳେ ‘ଗେଣ୍ଡା’ କିମ୍ବା ସତ୍ୟମିଶ୍ର ‘ଯୀଶୁଖ୍ରୀଷ୍ଟ’ ଲେଖିଲେ ଠିକ୍‌ ସେଇ ସମୟରେ ପଦ୍ମଜ ପାଳ ଲେଖିଲେ ‘କୂଅଖୋଳା ପାଇଁ ଦରଖାସ୍ତ’ । ଏଠି କହି ରଖିବା ଭଲ ‘ଗେଣ୍ଡା’ କିମ୍ବା ‘ଯୀଶୁଖ୍ରୀଷ୍ଟ’ ଗଳ୍ପରେ ଦେଖିବାକୁ ମିଳିଥିଲା ବ୍ୟକ୍ତିମାନସର ଦ୍ୱନ୍ଦ୍ୱ ଓ ପଦ୍ମଜଙ୍କ ଗଳ୍ପରେ ମାର୍କ୍ସୀୟ ଢଙ୍ଗରେ ସାମାଜିକ ଅବ୍ୟବସ୍ଥାର ପ୍ରତିବାଦ । ତେବେ କେଉଁ ସ୍ୱରଟିକୁ ଆମେ ସତୁରି ଦଶକର ସ୍ୱର କହିବା ?

 

ଅଶୀ ଦଶକରେ ସରୋଜିନୀ ସାହୁଙ୍କ ନାରୀବାଦକୁ ଆମେ ପ୍ରମୁଖ ସ୍ୱର କହିବା କି ସଦାନନ୍ଦ ତ୍ରିପାଠୀଙ୍କର ବ୍ୟକ୍ତିମାନସର ଦ୍ୱନ୍ଦ୍ୱକୁ ଆମେ ପ୍ରମୁଖ ସ୍ୱର କହିବା ? ପରବର୍ତ୍ତୀ ସମୟରେ ନବେ ଦଶକରେ ଗୌରହରି ଦାସ, ବିଷ୍ଣୁ ସାହୁ କିମ୍ବା ଦେବବ୍ରତ ମଦନରାୟମାନଙ୍କ ଦ୍ୱାରା ଉତ୍‌ଥାପିତ ସାମାଜିକ ଜୀବନରେ ବ୍ୟକ୍ତିର ସହଧର୍ମୀ ସହବାସ କଥାଟି ପ୍ରମୁଖ ସ୍ୱର ବୋଲି କହିବା କି ପ୍ରକାଶ ମହାପାତ୍ର, ସତ୍ୟପ୍ରିୟ ମାହାଳିକ କିମ୍ବା ଭୀମପୃଷ୍ଟିଙ୍କ ବ୍ୟକ୍ତି କୈନ୍ଦ୍ରିକ ଅସହାୟତାକୁ ଆମେ ପ୍ରମୁଖ ସ୍ୱର ବୋଲି କହିବା ?

 

କୌଣସି ସ୍ୱରକୁ ଆମେ ଦଶକ ଅନୁପାତରେ ବାନ୍ଧିଦେଇ ପାରିବା କି ? ତା’ଛଡ଼ା ଲେଖକର ସ୍ୱରଟି କ’ଣ ଲେଖକର ନିଜସ୍ୱ ହେଇଥାଏ । ମାର୍କ୍ସୀୟ ଚେତନାରୁ ଆରମ୍ଭ କରିଥିବା ମନୋଜ ଦାସ ନିଜ ଅଜାଣତରେ ଶ୍ରୀଅରବିନ୍ଦଙ୍କ ଆଶ୍ରୟକୁ ଚାଲିଯା’ନ୍ତି । ସତୁରି ଦଶକରେ ମାର୍କ୍ସବାଦୀ ପଦ୍ମଜ ପାଳ ଅଶୀ ଦଶକ ବେଳକୁ ବ୍ୟକ୍ତିବାଦୀ ସ୍ୱର ଭିତରୁ ତା’କୁ ଖୋଜିବା ସମ୍ଭବ କି-? ଲେଖକର ସ୍ୱର ଏକ ଉତ୍ତରିତ ଚେତନାର ପରିପ୍ରକାଶ । କିଭଳି ସେ ଉତ୍ତରଣ ? ଏଠାରେ ଏକ ମଜାଦାର କଥା ଉଲ୍ଲେଖ କରିବି ପ୍ରକୃତରେ ଆମେ ଯାହାକୁ ପ୍ରବନ୍ଧର ଭାଷାରେ ଉତ୍ତରଣ କହୁ, ତାହା ଆଦୌ ଉତ୍ତରଣ ହିଁ ନୁହଁ । ତାହା ଏକ ବୃତ୍ତରେ କେବଳ ଆବୃତ୍ତ ହେବା ବା ଘୂର୍ଣ୍ଣିଭୂତ ହେବା-। କେବଳ ଲେଖକର ସ୍ଥାନ ବଦଳି ଯାଉଥାଏ, ବକ୍ତବ୍ୟ ବଦଳି ଯାଉଥାଏ କିନ୍ତୁ ଯେଉଁ ବକ୍ତବ୍ୟମାନଙ୍କୁ ଲେଖକ ଆବୋରି ନେଇଥାଏ, ତାହା କେବେବି ନୂତନ ହେଇ ନ ଥାଏ, ବରଂ ପୁନରାବୃତ୍ତି ଘଟୁଥାଏ ବାରମ୍ବାର । ଯାହା ବଦଳିଥାଏ, ତାହା ହେଉଚି କଥନଭଙ୍ଗୀ କିମ୍ବା ଶୈଳୀ-

 

ଅସଲରେ ସାହିତ୍ୟରେ କହିବା ପାଇଁ ନୂଆ କଥା କ’ଣ ଅଛି ଯେ ? ମଣିଷ ଜୀବନକୁ ନେଇ ସାହିତ୍ୟ । କେଉଁ ସଚରାଚର ନିରବଧି କାଳରୁ ମଣିଷର ଜୀବନ ଗଡ଼ିଆସିଛି, ବଦଳିଚି ଭେକ କିନ୍ତୁ ଅସ୍ଥିପଞ୍ଜରା ତଳର ମଣିଷଟି ବଦଳିଚି କି ? ବଦଳିଚି ଜ୍ଞାନ, ବୃଦ୍ଧି କିନ୍ତୁ ବଦଳିଚିକି ଭୋକ, ଲୋଭ, ହିଂସା, ଦୁଃଖ, ଶୋକ, ଆନନ୍ଦ, ପ୍ରେମ, କାମନା, ପାପ ଓ ପୁଣ୍ୟର ପ୍ରବୃତ୍ତି । ମଣିଷର ଭିତରଟା ବଦଳେନି । ନିରନ୍ତର ଲଢ଼ୁଥାଏ, ନିଜ ସାଙ୍ଗରେ ସମାଜ ସାଙ୍ଗରେ, ଅପରଜଣକ ସାଙ୍ଗରେ, ଅଦୃଶ୍ୟ ଥିବା ଶକ୍ତି ସାଙ୍ଗରେ । ସେଇସବୁକୁ ତ ନେଇ ଆମର ଗଳ୍ପ ଆମର ସାହିତ୍ୟ । ସେସବୁ ବଦଳିବ କେମିତି ? ତେଣୁ କୁହାଯାଏ ସାହିତ୍ୟ ସବୁବେଳେ ସେଇ ପୁରୁଣା କଥା ହିଁ କହିଆସିଚି । ସେଇ ସମାନ ପୁରୁଣା କଥା ।

 

ଏବେ ଏ ଆଲୋଚନାର ଶୀର୍ଷକକୁ ପୁଣି ଫେରିଆସିବା । ଅଶୀ ପରବର୍ତ୍ତୀ କ୍ଷୁଦ୍ରଗଳ୍ପ । ମୁଁ ଅନେକ ସାହିତ୍ୟିକଙ୍କ ସହ ଆଲୋଚନା କଲାବେଳେ ସେମାନେ ମୋ ସହ ଏକମତ ହେଇନାହାନ୍ତି । କହନ୍ତି ଅଶୀ ପରବର୍ତ୍ତୀ ଗଳ୍ପକୁ କିଛି ଆସିନି ବୋଲି କେମିତି କହିବେ ? ନାରୀବାଦ, ଦେହବାଦ ଏସବୁ ତ ଅଶୀ ପରବର୍ତ୍ତୀ ଗଳ୍ପରେ ଦେଖିବାକୁ ମିଳେ ।

 

ଏକଥା ସତ ଯେ ନାରୀବାଦ ବିଷୟଟି ଓଡ଼ିଆ ସାହିତ୍ୟରେ ନ ଥିଲା । ଓଡ଼ିଆ ସାହିତ୍ୟରେ ନାରୀକୁ ନେଇ ଗଳ୍ପ ଯେ ନ ଲେଖାଯାଇଛି ନୁହଁ । ଅନେକ ଲେଖକ ନାରୀଙ୍କର ମନୋସ୍ଥିତିକୁ ନେଇ ଚମତ୍କାର ଗଳ୍ପ ଲେଖିଚନ୍ତି । କିନ୍ତୁ ନାରୀଟିଏ ନାରୀ ବିଷୟରେ ନିଜ ଗଳ୍ପରେ କହିବ, ଏହାହିଁ ଯଦି ନାରୀବାଦର ସ୍ୱରୂପ ହୁଏ, ତେବେ ତାହା ନ ଥିଲା । ନ ଥିଲା କାରଣ ଆମ ଗଳ୍ପ ସାହିତ୍ୟରେ ଲେଖିକା ହିଁ ନ ଥିଲେ । ଆମ ଗଳ୍ପ ସାହିତ୍ୟର ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ୱ ଇତିହାସକୁ ଅନେଇଗଲେ ଆମେ ଦେଖୁ ପ୍ରଥମ ଗାଳ୍ପିକା ଭାବରେ ସରଳା ଦେବୀ ଆସନ୍ତି ତିରିଶ ଦଶକରେ । ସେ ନିଜକୁ ସମାଜସେବା, ସ୍ୱାଧୀନତା ଆନ୍ଦୋଳନ ଓ ପ୍ରବନ୍ଧ ରଚନାରେ ହିଁ ସୀମାବଦ୍ଧ ରଖନ୍ତି । ସେ କିଛି ଗଳ୍ପ ମଧ୍ୟ ଲେଖିଚନ୍ତି । ତାଙ୍କର ଗୋଟିଏ ଗଳ୍ପ ପ୍ରକାଶ ପାଏ ‘ଯୁଗବୀଣା’ ପତ୍ରିକାରେ । କିନ୍ତୁ ସେଇ ଗଳ୍ପଟିକୁ ନିନ୍ଦାକରି ‘ରସଚକ୍ର’ ପତ୍ରିକାରେ ସମ୍ପାଦକ ଲେଖନ୍ତି: ‘‘ଏଭଳି ଗଳ୍ପକୁ ସ୍ଥାନିତ କରିଥିଲେ ସମ୍ପାଦକ ଉଚିତ କର୍ମ କରିଥା’ନ୍ତେ । ରସଚକ୍ର ପତ୍ରିକାର ନିନ୍ଦା ପରେ ସରଳା ଦେବୀ ଆଉ ଗଳ୍ପ ଲେଖିବାକୁ ମନ ବଳେଇ ନ ଥିଲେ । ସେଇ ସମୟର ଆଉ ଜଣେ ଲେଖିକା କୁନ୍ତଳା କୁମାରୀ ସାବତ ଯଦିଓ କବିତା ଓ ଉପନ୍ୟାସରେ ତାଙ୍କର ପରାକାଷ୍ଠା ଦେଖେଇଥିଲେ, ଗଳ୍ପ ପ୍ରତି ତାଙ୍କର ଆଗ୍ରହ ନ ଥିଲା । ତେଣୁ ଓଡ଼ିଆ ଗଳ୍ପରେ ଗୋଟେ ପ୍ରଲିଫିକ୍‌ ଗାଳ୍ପିକା ପାଇବାକୁ ପାଠକଙ୍କୁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଷାଠିଏ ଦଶକରେ ହିଁ ଓଡ଼ିଆ ପାଠକ ସେଇଭଳି ଜଣେ ଗାଳ୍ପିକାଙ୍କୁ ପାଇଲା ଓ ସେ ହେଲେ ବୀଣାପାଣି ମହାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରାରମ୍ଭିକ ଜୀବନରେ ଲେଖିଥିବା ଗଳ୍ପଗୁଡ଼ିକରେ କିନ୍ତୁ ବୀଣାପାଣି ନାରୀମାନଙ୍କର କଥା କହୁ ନ ଥିଲେ । ଯେମିତି ମହାପାତ୍ର ନୀଳମଣିଙ୍କ ଗଳ୍ପରେ ନାରୀ ଚରିତ୍ରର ପ୍ରାଧାନ୍ୟ ଥିଲା, ସେମିତି ବୀଣାପାଣିଙ୍କ ଷାଠିଏ ସତୁରି ଦଶକର ଗଳ୍ପ ପୁରୁଷ ଚରିତ୍ରମୟ । ତାଙ୍କର ନାରୀବାଦୀ ଲେଖା ‘ପାଟଦେଈ’ ସେ ବହୁତ ପରେ ଲେଖିଲେ, ଯେଉଁବେଳକୁ ଓଡ଼ିଆ ସାହିତ୍ୟରେ ନାରୀବାଦ ଏକ ପ୍ରବଳ ପ୍ରବାହର ରୂପ ନେଇଥିଲା ।

 

ଏଇ ସମୟର ଆଉ ଗୋଟିଏ ମଜାଦାର କଥା କହିବାର ଲୋଭ ସମ୍ବରଣ କରି ପାରୁନି-। ଅଶୀ ଦଶକର ପ୍ରାରମ୍ଭରେ ସମୂର୍ତ୍ତନ ନାମରେ ଗୋଟିଏ ଗଳ୍ପ ଭିତ୍ତିକ ପତ୍ରିକାର ମୁଁ ଥିଲି ସମ୍ପାଦକ-। ସେଇ ପତ୍ରିକାର ଗୋଟିଏ ସଂଖ୍ୟାରେ ଯଶୋଧାରା ମିଶ୍ରଙ୍କର ଗୋଟିଏ ଗଳ୍ପ ଛପା ହେଇଥିଲା-। ଗଳ୍ପଟିର ଭୂମିକାରେ ଶ୍ରୀମତୀ ମିଶ୍ରଙ୍କୁ ମୁଁ ନାରୀବାଦୀ ଲେଖିକା ଭାବରେ ଚିହ୍ନିତ କରିଥିଲି । ମୋର ମନ୍ତବ୍ୟ ଶ୍ରୀମତୀ ମିଶ୍ରଙ୍କୁ ଏତେ ଉତ୍ତ୍ୟକ୍ତ କଲା ଯେ ସେ ଦୀର୍ଘ କେଇ ପୃଷ୍ଠା ସମ୍ବଳିତ ପ୍ରତିବାଦ ପତ୍ରଟିଏ ପଠାଇଥିଲେ । ସମ୍ପାଦକୀୟ ନୈତିକତାକୁ ଆଧାର କରି ମୁଁ ସେ ଚିଠିକୁ ଅବିକଳ ଭାବରେ ପରବର୍ତ୍ତୀ ସଂଖ୍ୟାରେ ଛାପି ଦେଇଥିଲି । ସେଇ ଚିଠି ପଢ଼ିଲା ପରେ ବୀଣାପାଣୀ ମହାନ୍ତି ଲେଖିଥିଲେ: ‘‘କେଜାଣି କେବେ ତୁମେ ମୋତେ ନାରୀବାଦୀ ବୋଲି କହିଦେବ ।’’ ମୁଁ ଶ୍ରୀମତୀ ମହାନ୍ତିଙ୍କର ସେ ଚିଠିଟିକି ଛାପି ଦେଇଥିଲି ।

 

ପ୍ରକୃତରେ ସେ ସମୟ ପର୍ଯ୍ୟନ୍ତ ଓଡ଼ିଶାର ଲେଖିକାମାନଙ୍କ ମନରେ ନାରୀବାଦ ସଂକ୍ରାନ୍ତୀୟ ସ୍ପଷ୍ଟ ରୂପରେଖ ତିଆରି ହେଇ ନ ଥିଲା । ସେଇ ଦୃଷ୍ଟିକୋଣରୁ କୁହାଯାଇ ପାରେ ସରୋଜିନୀ ସାହୁ ହିଁ ଓଡ଼ିଆ ଗଳ୍ପରେ ନାରୀବାଦର ଟ୍ରେଣ୍ଡ୍‌ ସେଣ୍ଟର ।

 

ଅଶୀ ଦଶକର ଆଉ ଏକ ଉପଲବ୍ଧି କୁଆଡ଼େ ଦେହବାଦ । ଏଭଳି ଦାବି କରୁଥିବା ଆଲୋଚକମାନେ ସମ୍ଭବତଃ ଭୁଲିଯାଇଥାନ୍ତି ଯେ ଫ୍ରଏଡ୍‌ଙ୍କ ଆଗମନ ଓଡ଼ିଆ ସାହିତ୍ୟକୁ ତିରିଶ ଦଶକକୁ ଆସିଥିଲା । ଡକ୍ଟର ନିତ୍ୟାନନ୍ଦ ଶତପଥୀ ତାଙ୍କର ‘ଗଳ୍ପ ଓ ଗାଳ୍ପିକ’ ପ୍ରବନ୍ଧ ପୁସ୍ତକରେ ଦର୍ଶାଇଛନ୍ତି ୧୯୨୯ରେ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ଭଗବତୀ ପାଣିଗ୍ରାହୀଙ୍କ ‘ଜଙ୍ଗଲି’ ଗଳ୍ପଟି ହିଁ ଫ୍ରଏଡୀୟ ଚେତନାର ପ୍ରଥମ ଦେହବାଦୀ ଗଳ୍ପ । ତାଙ୍କର ମତରେ ମାର୍କ୍ସୀୟ ଚେତନାରେ ଉଦ୍‌ବୁଦ୍ଧ ହେବା ପୂର୍ବରୁ ଭଗବତୀ ପାଣିଗ୍ରାହୀଙ୍କ ଫ୍ରଏଡୀୟ ଚେତନା ଆକ୍ରାନ୍ତ କରିଥିଲା । ସୁରେନ୍ଦ୍ର ମହାନ୍ତିଙ୍କର ଅନେକ ଗଳ୍ପରେ ଆମେ ଏଇ ଦେହବାଦକୁ ଦେଖିବାକୁ ପାଉ । ଏବଂ କିଏ ଅସ୍ୱୀକାର କରିବ ଯେ କିଶୋରୀ ଚରଣ ଦାସଙ୍କ ଗଳ୍ପରେ ଦେହବାଦ ଏବଂ ଦେହବାଦ ହିଁ ସମଗ୍ର ଗାଳ୍ପିକ ଚେତନାକୁ ଘାରି ବସିଛି ବୋଲି ? କିଶୋରୀ ଚରଣ ଦାସଙ୍କ ଗଳ୍ପରେ ସାମାଜିକ ଚେତନାର ପ୍ରଚଣ୍ଡ ଅଭାବ ଦେଖିବାକୁ ମିଳି ନ ଥାଏ ବି ? ମହାପାତ୍ର ନୀଳମଣିଙ୍କ ଗଳ୍ପର ନାରୀ ଚରିତ୍ରମାନଙ୍କ ଭିତରେ କିମ୍ବା ଅଖିଳମୋହନଙ୍କ ‘ଅହଲ୍ୟାର ଇତିବୃତ୍ତ’ ଗଳ୍ପରେ, ରବି ପଟ୍ଟନାୟକଙ୍କ ‘ପରକୀୟା’ ଗଳ୍ପରେ କ’ଣ ଦେହବାଦୀ ଚିନ୍ତାଧାରାର ଝଲକ ଦେଖିବାକୁ ମିଳେନା ।

 

ତେଣୁ କୌଣସି ଗୋଟିଏ ‘ଇଜିମ୍‌’ କେବଳ ଏକ ନିଶ୍ଚିତ କାଳ ମଧ୍ୟରେ କସ୍ମିନ୍‌ କାଳେ ସୀମାବଦ୍ଧ ହେଇ ରହି ନ ପାରେ । ସାହିତ୍ୟର ଆଲୋଚନା ସମୟରେ ଦଶକ ପରିପ୍ରେକ୍ଷୀରେ ଚେତନାର ଉନ୍ମେଷ ଧାରଣାଟି ସଂପୂର୍ଣ୍ଣ ଭ୍ରମାତ୍ମକ ହେଇଥିବାରୁ ଆମର ଏଭଳି ଆଲୋଚନାର କୌଣସି ପ୍ରାସଙ୍ଗିକତା ମୁଁ ଲକ୍ଷ୍ୟ କରିପାରୁନି ।

Image

 

Unknown

ପତ୍ରପତ୍ରିକାମାନଙ୍କର କ୍ଷୁଦ୍ରଗଳ୍ପକୁ ଅବଦାନ

(୧୯୮୦–୨୦୦୦)

ସାରଦା ପ୍ରସାଦ ମିଶ୍ର

 

ପତ୍ରପତ୍ରିକା ଓ ଦୈନିକ ଖବରକାଗଜମାନଙ୍କର ସାହିତ୍ୟକୁ ସାମଗ୍ରିକ ଭାବେ ଅବଦାନ କିଛି କମ୍‌ ନୁହେଁ, ଏକଥା ସମସ୍ତେ ଜାଣନ୍ତି । ଖାଲି ଆମ ଭାଷାରେ କାହିଁକି, ବିଶ୍ୱର ପ୍ରାୟ ଅଧିକାଂଶ ଭାଷାରେ ପତ୍ରପତ୍ରିକା ଗୁଡ଼ିକର ଅବଦାନ ସାହିତ୍ୟ ପାଇଁ ରହିଛି । ପତ୍ରପତ୍ରିକା ଓ ଖବରକାଗଜର ସାହିତ୍ୟ ପୃଷ୍ଠାମାନେ ଜଣକୁ ଲେଖକୀୟ ପରିଚୟ ପ୍ରଦାନ କରିଥା’ନ୍ତି । ଏହା ଏକ ନିତାନ୍ତ ସରଳ ଓ ସହଜ ତଥ୍ୟ । କ୍ୱଚିତ୍‌ ସୌଭାଗ୍ୟ ଏପରି କତିପୟ ଲେଖକଙ୍କ ଭାଗ୍ୟରେ ଘଟିଛି ଯେ ସେମାନଙ୍କ ପୁସ୍ତକ ପ୍ରଥମେ ପ୍ରକାଶିତ ହୋଇଛି ଏବଂ ପରେ ସେମାନେ ପତ୍ରପତ୍ରିକାରେ ଲେଖିଛନ୍ତି-। ସେପରି ସ୍ଥଳେ ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ସେହି ଲେଖକମାନଙ୍କ ଜନପ୍ରିୟତା ଓ ଯଶକୁ ପତ୍ରପତ୍ରିକା ଓ ସମ୍ବାଦପତ୍ରମାନେ ଆହୁରି ବଢ଼ାଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକଥା ଉଲ୍ଲେଖ କରିବାରେ ମୋର ଜମା ଦ୍ୱିଧା ନାହିଁ ଯେ, ଆମ ଓଡ଼ିଆ ଭାଷାରେ ପ୍ରାୟ ପ୍ରତ୍ୟେକ ଲେଖକ ପତ୍ରପତ୍ରିକା ଓ ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠାରୁ ଲେଖାଲେଖି ଆରମ୍ଭ କରି ପରବର୍ତ୍ତୀ ସମୟରେ ପ୍ରତିଷ୍ଠା ଅର୍ଜନ କରିବା ପରେ ବା ନିତାନ୍ତପକ୍ଷେ ଏକ ପରିଚୟ ସୃଷ୍ଟି କରିବା ପରେ, ପ୍ରକାଶକମାନେ ସେମାନଙ୍କୁ ପ୍ରକାଶ କରିବା ପାଇଁ ଆଗ୍ରହୀ ହୁଅନ୍ତି । ମୋ ପରି, ମୋର ସମସ୍ତ ସମସାମୟିକମାନେ ପତ୍ରପତ୍ରିକାରୁ ହିଁ ଲେଖା ଆରମ୍ଭ କରିଛନ୍ତି । ତେଣିକି କେହି ଗପ ଲେଖୁ ବା କବିତା ଲେଖୁ ବା ଅନୁବାଦ କରୁଥାଉ ବା ପ୍ରବନ୍ଧ ଲେଖୁ ।

 

ଯେଉଁ ସମୟ ଖଣ୍ଡ ସଂପର୍କରେ ମୁଁ ଉଲ୍ଲେଖ କରୁଛି, ତାହା ୧୯୮୦ରୁ ୨୦୦୦, ମାତ୍ର କୋଡ଼ିଏ ବର୍ଷ । ୧୯୮୦ ପୂର୍ବରୁ ଆମ ଭାଷାରେ ପତ୍ରପତ୍ରିକାମାନେ ଥିଲେ ଏବଂ ଖୁବ୍‌ ଭଲ ଭଲ ପତ୍ରିକାମାନେ ଥିଲେ । ସାହିତ୍ୟର ସବୁ ବିଭବକୁ ସେମାନେ ସଜ୍ଜଳ କରି ରଖିଥିଲେ । କେତେକ ପତ୍ରିକା କେବଳ ଗପ, କେବଳ ପ୍ରବନ୍ଧ, କେବଳ କବିତା, କେବଳ ଚିଠି ପ୍ରକାଶ କରି ଅଭୂତପୂର୍ବ ଜନପ୍ରିୟତା ହାସଲ କରିଥିଲେ । ତେବେ ସେପରି ପତ୍ରିକାମାନଙ୍କ ସଂଖ୍ୟା ଥିଲା ଖୁବ୍‌ କମ୍‌ ଏବଂ କିଛି ଦିନ ବା ବର୍ଷ ପରେ ସେମାନେ ବଜାରରୁ ଉଭେଇ ଯାଇଥିଲେ । ୧୯୮୦ ବେଳକୁ ମୁଦ୍ରଣ ଶିଳ୍ପ ଆଧୁନିକ ହେବାରେ ଲାଗିଲା ଏବଂ ଏହି ଆଧୁନିକତାର ଛାପ ଓ ପ୍ରଭାବ ପ୍ରକାଶନ ଉପରେ ପଡ଼ିବା ସ୍ୱାଭାବିକ କଥା । ସୁଖର କଥା, ୧୯୮୦ ପରଠାରୁ ଛୋଟବଡ଼ ହୋଇ ସାହିତ୍ୟ ପତ୍ରିକାମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା । ରାଜ୍ୟରେ ଓଡ଼ିଆ ଖବରକାଗଜ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲା । ଏହି ଖବରକାଗଜର ସ୍ୱତନ୍ତ୍ର ଭାବେ ସାହିତ୍ୟ ଫର୍ଦ୍ଦ ରହିଲା ଏବଂ ଅନେକ ପ୍ରତିଷ୍ଠିତ ଓ ନୂତନ ଏଥିରେ ଲେଖିଲେ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠା ଏତେ ଅଧିକ ସଂଖ୍ୟକ ଓ କିସମର ପାଠକମାନଙ୍କ ନିକଟରେ ପହଞ୍ଚିଲା ଯେ ଲେଖକ ପାଇଁ ତାହା ଥିଲା ଏକ ଅଭିନବ ଅନୁଭୂତି । ଏ କ୍ଷେତ୍ରରେ ‘ସମ୍ବାଦ’ ଖବରକାଗଜର ଭୂମିକା ସ୍ୱତନ୍ତ୍ର । ‘ସମ୍ବାଦ’ର ସାହିତ୍ୟ ଫର୍ଦ୍ଦମାନ ଏମିତି ଗୁରୁତ୍ୱପୂର୍ଣ୍ଣ ଏବଂ ଓଜନଦାର ହେଲା ଯେ, ସେହିଠାରେ ଲେଖା ଆରମ୍ଭ କରି ଆମ ସମୟର ଅନେକ ତରୁଣ ପରେ ଅର୍ଥାତ୍‌ ଏବେ ବେଶ୍‌ ପ୍ରତିଷ୍ଠିତ ହୋଇଛନ୍ତି । ଅନେକ ପ୍ରତିଷ୍ଠିତ ଲେଖକ, ଯେଉଁମାନେ ଖବରକାଗଜର ପୃଷ୍ଠାରେ ଲେଖିବାକୁ ନାପସନ୍ଦ କରୁଥିଲେ, ସେମାନେ ଖବରକାଗଜର ସାହିତ୍ୟ ପୃଷ୍ଠାରେ ଲେଖିଲେ । ଲେଖିବା ପାଇଁ ଆଗ୍ରହୀ ହେଲେ । ବୃହତ୍ତର ପାଠକ ସମାଜ ନିକଟରେ ଲେଖା ଓ ଲେଖକକୁ ପହଞ୍ଚାଇବାରେ ‘ସମ୍ବାଦ’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ପରବର୍ତ୍ତୀ ସମୟରେ ଅନେକ ସେହି ଧାରାକୁ ଅବଶ୍ୟ ଆପଣାର କରିଛନ୍ତି ଏବଂ ଖବରକାଗଜ ପୃଷ୍ଠାର ସାହିତ୍ୟ ଫର୍ଦ୍ଦମାନଙ୍କରେ ଗଳ୍ପ, କବିତା, ପ୍ରବନ୍ଧ, ପୁସ୍ତକ ସମୀକ୍ଷା, ଅନୁବାଦ, ସାକ୍ଷାତକାରର ଜୟଯାତ୍ରା ଅବ୍ୟାହତ ରହିଛି । କେତେକ ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠାରେ ଧାରାବାହିକ ଉପନ୍ୟାସ ବାହାରିବାର ନଜିର ମଧ୍ୟ ରହିଛି । ଅବଶ୍ୟ କହିବା ବାହୁଲ୍ୟ, ଖବରକାଗଜର ଉପନ୍ୟାସମାନ ସେତିକି ଜନପ୍ରିୟତା ଲାଭ କରିନାହିଁ । ତେବେ ପତ୍ରପତ୍ରିକାରେ ଲେଖିବା ସମୟରେ ଲେଖାର ଆକାରକୁ ନେଇ ଯେଉଁ ସ୍ୱାଧୀନତା ଲେଖକର ଥାଏ, ସମ୍ବାଦପତ୍ରରେ ସେତକ ନ ଥାଏ । ପତ୍ରପତ୍ରିକାର ପୃଷ୍ଠାରେ ଥାଏ ବିପୁଳ ସ୍ୱାଧୀନତା । ଖବରକାଗଜରେ ଅନେକତ୍ର ଲେଖକ ପାଇଁ ଲେଖାର ଆକାର ନେଇ ଯେଉଁ ଚିନ୍ତା ଥାଏ, ମାସିକ/ ତ୍ରୈମାସିକ ପତ୍ରପତ୍ରିକାରେ ଲେଖିବାବେଳେ ସେ ଚିନ୍ତା ନ ଥାଏ ।

 

ଏସବୁକୁ ପୃଷ୍ଠଭୂମିରେ ରଖି ୧୯୮୦ ପରର ପତ୍ରପତ୍ରିକାମାନଙ୍କର ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଅବଦାନ ସଂପର୍କରେ କହିବାବେଳେ ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ପ୍ରାୟ ପ୍ରତିଟି ପତ୍ରିକା କ୍ଷୁଦ୍ରଗଳ୍ପକୁ ଯଥେଷ୍ଟ ପ୍ରାଧାନ୍ୟ ଦେଇଛନ୍ତି । ପତ୍ରିକାମାନଙ୍କର ସଂଖ୍ୟା ଯେଉଁ ଅନୁପାତରେ ବଢ଼ିବାରେ ଲାଗିଲା, ସୁଖର କଥା ଗାଳ୍ପିକମାନଙ୍କର ସଂଖ୍ୟା ମଧ୍ୟ ସେଇ ଅନୁପାତରେ ବଢ଼ିବାରେ ଲାଗିଲା । ଏବେ ପ୍ରତିଷ୍ଠା ଓ ପ୍ରସିଦ୍ଧି ଅର୍ଜନ କରିଥିବା ଅନେକ ଗାଳ୍ପିକ ଏଇ ସମୟରେ ଲେଖନୀ ଚାଳନା ଆରମ୍ଭ କରିଥିଲେ । ଯେଉଁ ପ୍ରତିଷ୍ଠିତ ପତ୍ରପତ୍ରିକାମାନେ ୧୯୮୦ ପୂର୍ବରୁ ବାହାରୁଥିଲେ ଏବଂ ପ୍ରକାଶନ ଜାରି ରଖିଥିଲେ, ସେମାନଙ୍କ ସହ ଅନେକ ନୂତନ ସାହିତ୍ୟ ପତ୍ରିକା ମିଶିଲେ ଏବଂ ଖୁବ୍‌ ଉଚ୍ଚମାନର ମୁଦ୍ରଣ ସହ ଆକର୍ଷଣୀୟ ଭାବେ ସଜ୍ଜିତ ହୋଇ ବଜାରକୁ ଆସିଲେ । ପ୍ରତିଟି ପତ୍ରିକାରେ କ୍ଷୁଦ୍ରଗଳ୍ପ ବିଭାଗ ଥିଲା ପାଠକ ପାଇଁ ପ୍ରଥମ ଆକର୍ଷଣ । ଯେଉଁସବୁ ବିଷୟ ସମ୍ବଳିତ ଲେଖାକୁ ଅନେକ ପୂର୍ବର ପତ୍ରପତ୍ରିକା ଆଗ୍ରହ ଦେଖାଉ ନ ଥିଲେ, ୧୯୮୦ ପରବର୍ତ୍ତୀ ଅନେକ ପତ୍ରିକା ଲେଖକକୁ/ ଗାଳ୍ପିକକୁ ସେଇ ମହାର୍ଘ ସ୍ୱାଧୀନତା ପ୍ରଦାନ କଲେ । ପୂର୍ବରୁ ବ୍ୟବହୃତ ହେଉ ନ ଥିବା ଅନେକ ଶବ୍ଦ କ୍ରମଶଃ ବ୍ୟବହାର ହେବାରେ ଲାଗିଲା । ଅନେକ ପୂର୍ବରୁ ନିଷିଦ୍ଧ ପ୍ରାୟ ବିଷୟକୁ କାହାଣୀ କରି ନୂଆ ଗାଳ୍ପିକମାନେ ସ୍ୱାଧୀନ ଭାବେ ଲେଖିବାରେ ଲାଗିଲେ ।

 

ଏହି କ୍ରମରେ ଆମେ ଯେଉଁ କେତେକ ପତ୍ରପତ୍ରିକାର ଅବଦାନକୁ ଜମା ଭୁଲିପାରିବା ନାହିଁ, ସେଗୁଡ଼ିକ ହେଲା– ସୁଚରିତା, ଗୋକର୍ଣ୍ଣିକା, ଆମରି ଗପ, ଅନିଶା ସାହିତ୍ୟପତ୍ର, ଇସ୍ତାହାର, ନବଲିପି, ସମାବେଶ, ସମାହାର, ସମାସ, ଆବର୍ତ୍ତ, ଗଳ୍ପ, ଗଳ୍ପଝର, ଗୋଧୂଳି ଲଗ୍ନ, ସପ୍ତର୍ଷି, ବୁଢ଼ାରଜା, ଢେର୍‌ନା, ଚନ୍ଦ୍ରଭାଗା, ସହକାର, କ୍ରାନ୍ତିଧାରା, ସାଳନ୍ଦୀ, ଶୈଶବ, ବନଜ୍ୟୋତ୍ସ୍ନା, ସୌରଭ, ଜୀବନ ରଥ ଏବଂ କଥା, ପକ୍ଷୀଘର ତଥା ଆହୁରି ଅନେକ ମାସିକ, ଦ୍ୱିମାସିକ, ତ୍ରୈମାସିକ ତଥା ସାମୟିକ ପତ୍ରିକା । ଏସବୁ ଯେ କେବଳ କଟକ-ଭୁବନେଶ୍ୱର-ବ୍ରହ୍ମପୁର-ସମ୍ବଲପୁରରୁ ପ୍ରକାଶିତ ହେଉଥିଲେ, ତାହା ନୁହେଁ, ଅନେକ ବିଭିନ୍ନ ଛୋଟ ଛୋଟ ସହରରୁ ମଧ୍ୟ ପ୍ରକାଶିତ ହୋଇ ଅଜସ୍ର ପାଠକୀୟ ଶ୍ରଦ୍ଧା ସମ୍ମାନ ଲାଭ କରିଥିଲା । ଏସବୁ ଭିତରୁ ଅନେକ ଥିଲା କେବଳ ଗଳ୍ପ ପତ୍ରିକା । ବିଭୂତି ପଟ୍ଟନାୟକଙ୍କ ସଂପାଦିତ ଗଳ୍ପ, ଗଳ୍ପଝର, ଆମରି ଗପ ଥିଲା କେବଳ ଗଳ୍ପ ପତ୍ରିକା । ଅନେକ ପତ୍ରିକା ପୁଣି ମଝିରେ ମଝିରେ କେବଳ କ୍ଷୁଦ୍ରଗଳ୍ପ ବିଶେଷାଙ୍କ ପ୍ରକାଶ କରୁଥିଲେ । ଏସବୁ ପତ୍ରିକା ଚମତ୍କାର ଗଳ୍ପମାନ ଛାପୁଥିଲେ, ପୁଣି ଗଳ୍ପ ସଂପର୍କିତ ଆଲୋଚନା ଓ ଗାଳ୍ପିକମାନଙ୍କ ସହ ବିଶଦ ସାକ୍ଷାତକାର ପ୍ରକାଶ କରି କ୍ଷୁଦ୍ରଗଳ୍ପ ଜଗତ ଓ ଗାଳ୍ପିକମାନଙ୍କୁ ବହୁ ଭାବେ ଉତ୍ସାହିତ କରିଥିଲେ ।

 

ଏ ପ୍ରକାର ପୃଷ୍ଠଭୂମିରେ ‘କଥା’ର ଆତ୍ମପ୍ରକାଶ ଥିଲା ଏକ ବିଚିତ୍ର ଅନୁଭୂତି । ଲେଖକମାନଙ୍କ ପାଇଁ ଯେପରି ବିଚିତ୍ର, ପାଠକମାନଙ୍କ ପାଇଁ ତତୋଽଧିକ ବିଚିତ୍ର ଅନୁଭବ । ଜଣେ/ ଦୁଇଜଣ ପ୍ରତିଷ୍ଠିତ ଗାଳ୍ପିକଙ୍କ ସହ ‘କଥା’ରେ ପ୍ରତି ସଂଖ୍ୟାରେ ଅନେକ ସଂପୂର୍ଣ୍ଣ ନୂତନ ଓ ଅଳ୍ପ ପ୍ରତିଷ୍ଠିତ ଗାଳ୍ପିକଙ୍କ ଲେଖା ପ୍ରକାଶିତ ହେଲା । ନୂଆ ନୂଆ ଗଳ୍ପ ଲେଖୁଥିବା ଅନେକଙ୍କ ପାଇଁ ‘କଥା’ ରଖିଥିଲା ପ୍ରଚଣ୍ଡ ଆଶ୍ୱାସନା ଓ ଭରସା । ‘ଯେଉଁ ଗାଳ୍ପିକର କେହି ନାହିଁ, ତା’ର କଥା ଅଛି’ ପରି ଭରସା କେବଳ ‘କଥା’ ଦେଇଥିଲା । କଳ୍ପନା ଭାବରେ ‘କଥା’ ଗାଳ୍ପିକ ଓ ଗଳ୍ପକୁ ଉତ୍ସାହିତ କଲା । ଏହି ସମୟରେ ନୂତନ ପରୀକ୍ଷା ନିରୀକ୍ଷା କରିବାରେ ‘କଥା’ ଥିଲା ପ୍ରଥମ ପସନ୍ଦ । ବିଭିନ୍ନ ଭାବରେ ‘କଥା’ ଖାଲି ଗଳ୍ପକୁ ଗୁରୁତ୍ୱ ଦେଲା, ସେକଥା ନୁହେଁ; ବରଂ ଗାଳ୍ପିକକୁ ମଧ୍ୟ ଅଜସ୍ର ଗୁରୁତ୍ୱ ଦେବାରେ ଲାଗିଲା । ଏତଦ୍‌ଭିନ୍ନ, ଯେଉଁ କଥାଟି ‘କଥା’ରେ ଥିଲା ଓ ଅନ୍ୟମାନଙ୍କର ନ ଥିଲା, ତାହା ହେଉଛି ‘କଥା’ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ପହଞ୍ଚୁଥିଲା । ‘କଥା’ରେ ତିନି/ ଚାରିଟି ଗଳ୍ପ ଲେଖି ଜଣେ ନୂତନ ଗାଳ୍ପିକ ଯେତିକି ପରିଚୟ ପାଇଥିଲା, ଅନ୍ୟ ପତ୍ରିକାରେ ଲେଖିଥିଲେ, ତାହା କଦାପି ସମ୍ଭବ ହୋଇ ନ ଥା’ନ୍ତା । ବିଭିନ୍ନ କାରଣରୁ ଅବଶ୍ୟ ଏହି ପତ୍ରିକା ମଝିରେ ଅନିୟମିତ ହୋଇଥିଲା, ସୁଖର କଥା ଏହା ପୁଣି ନିୟମିତ ହୋଇଛି ଏବଂ ନିଜର ପରମ୍ପରାକୁ ଆହୁରି ଦୃଢ଼ୀଭୂତ କରିଛି । ଏକାକୀ ‘କଥା’ ଯେତିକି ଗାଳ୍ପିକ ସୃଷ୍ଟି କରିଛି ଏବଂ କରିବାରେ ଲାଗିଛି, ତାହା ଏକ ସ୍ୱତନ୍ତ୍ର ଆଲେଖ୍ୟର ଅପେକ୍ଷା ରଖେ । ଏଥିପାଇଁ ଆମେ ‘କଥା’ର କର୍ତ୍ତୃପକ୍ଷ ଏବଂ ସ୍ୱତନ୍ତ୍ର ଭାବେ ଗୌରହରି ଦାସଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ପାରିବା ।

 

୧୯୮୦-୨୦୦୦ ମଧ୍ୟରେ ଅନେକ ଗାଳ୍ପିକ ସୃଷ୍ଟି ହୋଇଛନ୍ତି ଏବଂ ଅନେକ, ଟିକେ ଆଗରୁ ଲେଖା ଆରମ୍ଭ କରିଥିଲେ ମଧ୍ୟ ୧୯୮୦ ପରବର୍ତ୍ତୀ ସମୟରେ ନିଜ ପାଇଁ ବିପୁଳ ପ୍ରସିଦ୍ଧି, ଶ୍ରଦ୍ଧା ସୃଷ୍ଟି କରିଛନ୍ତି । କ୍ରମାନ୍ୱୟେ ନ ହେଲେ ମଧ୍ୟ ସେମାନେ ସମସ୍ତେ ହେଲେ– ହୃଷୀକେଶ ପଣ୍ଡା, ଗୌରହରି ଦାସ, ଅରବିନ୍ଦ ରାୟ, ରବି ପଣ୍ଡା, ସଦାନନ୍ଦ ତ୍ରିପାଠୀ, ସୁପ୍ରିୟା ପାଲ, ଭୀମ ପୃଷ୍ଟି, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ପବିତ୍ର ପାଣିଗ୍ରାହୀ, ବିଜୟ ନାୟକ, ପାରମିତା ଶତପଥୀ, ପରେଶ ପଟ୍ଟନାୟକ, ଅଜୟ ସ୍ୱାଇଁ, କବିତା ବାରିକ, ସୁସ୍ମିତା ବାଗ୍‌ଚୀ, ଚିରଶ୍ରୀ ଇନ୍ଦ୍ରସିଂ, ଜୟନ୍ତୀ ରଥ, ଦେବବ୍ରତ ମଦନରାୟ, ମନୋଜ ପଣ୍ଡା, ପ୍ରକାଶ ମହାପାତ୍ର, ଦୀପ୍ତି ପଟ୍ଟନାୟକ, ଜ୍ୟୋତି ନନ୍ଦ, ମଳୟ ମିଶ୍ର, ଆଭାସ ବରାଳ, ଚୌଧୁରୀ ରଂଜନ ପ୍ରହରାଜ, ନିବାରଣ ଜେନା, ଗଙ୍ଗାଧର ବିଶ୍ୱାଳ, କୃଷ୍ଣ କୁମାର ମହାନ୍ତି, ଅଭୟ ବାରିକ, ବିଜୟ ପ୍ରଧାନ, ତରୁଣ ସାହୁ, ଗିରୀଶ ସାହୁ, ସୁନୀତି ଦେବୀ, ଗୋଲାପ ମଂଜରୀ କର, ହିରଣ୍ମୟୀ ମିଶ୍ର, ରଶ୍ମି ରାଉଳ, ପ୍ରକାଶ ମହାନ୍ତି, ଜ୍ୟୋତ୍ସ୍ନା ରାଉତରାୟ ଏବଂ ଆହୁରି ଅନେକ । ସରୋଜ ବଳ ଏବଂ ଆଶିଷ ଗଡ଼ନାୟକ ଆଦିତେଶ୍ୱର ମିଶ୍ର ବୋଧହୁଏ ଏହି ସମୟ ଖଣ୍ଡର ଶେଷ ମୁହୂର୍ତ୍ତରେ ସୃଷ୍ଟି କି କ’ଣ ! କହିବାରେ ଆଦୌ ଦ୍ୱିଧା ନାହିଁ ଯେ, ଯଦ୍ୟପି ପତ୍ରପତ୍ରିକା ସଂଖ୍ୟା ବଢ଼ି ନ ଥା’ନ୍ତା ଏବଂ ଯଦ୍ୟପି ‘କଥା’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇ ନ ଥା’ନ୍ତା, ତେବେ ଆମମାନଙ୍କ ମଧ୍ୟରୁ ଅନେକ ହୁଏତ ମରିହଜି ଯାଇଥା’ନ୍ତେ, ଅବା ଯେତିକି ଶ୍ରଦ୍ଧା ସମ୍ମାନର ଅଧିକାରୀ ହୋଇଛେ, ସେତିକି ମିଳି ନ ଥା’ନ୍ତା ।

 

ଏଠାରେ ପତ୍ରପତ୍ରିକାର ଅବଦାନ ସଂପର୍କରେ ଅନ୍ୟ ଏକ କଥା କଥା ହୁଏତ ଅପ୍ରାସଙ୍ଗିକ ହେବ ନାହିଁ । ୧୯୮୦ ପୂର୍ବରୁ ଓଡ଼ିଶାରେ ଯେତିକି ମହାବିଦ୍ୟାଳୟ ଥିଲା, ୧୯୮୦ରୁ ୨୦୦୦ ଭିତରେ ତାହା ବୋଧହୁଏ ଦେଢ଼ଗୁଣ କି ଦୁଇଗୁଣ ବଢ଼ିଗଲା । ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ପତ୍ରିକାମାନଙ୍କର ଓଡ଼ିଆ ସାହିତ୍ୟକୁ ଅବଦାନ ଯଥେଷ୍ଟ ରହିଛି । ତେବେ ୧୯୮୦ ପରେ ଗାଁ ଗହଳିରେ ଏବଂ ଛୋଟ ଛୋଟ ସହରରେ ଖୋଲିଥିବା କଲେଜମାନଙ୍କର ବାର୍ଷିକ ପତ୍ରିକାରେ ମଧ୍ୟ ଅନେକ ଲେଖା ଆରମ୍ଭ କରିଛନ୍ତି ଏବଂ ତନ୍ମଧ୍ୟରୁ କେତେକ ଲେଖା ଚାଲୁ ରଖି ପରବର୍ତ୍ତୀ ସମୟରେ ସୁନାମ ଅର୍ଜନ କରିଛନ୍ତି । ଗପଟିଏ ଲେଖିବାର ଏବଂ ତାକୁ ପତ୍ରିକାକୁ ଦେବାର ଯେଉଁ ସାହସ ଟିକକ ଲୋଡ଼ା, କଲେଜ ପତ୍ରିକା ସେଇ ସାହସ ଟିକକ ହୁଏତ ଯୋଗାଇଥାଏ ।

 

୧୯୮୦ରୁ ୨୦୦୦ ଭିତରେ ଅନ୍ୟ ଏକ ସ୍ୱାଗତଯୋଗ୍ୟ ଘଟଣା ହେଲା ସମ୍ବାଦପତ୍ର ମାନଙ୍କ ‘‘ସାପ୍ତାହିକୀ’ ଭାବରେ ଏକ ପତ୍ରିକା ପ୍ରକାଶ କରିବା । ‘ସମାଜ’, ‘ପ୍ରଜାତନ୍ତ୍ର’, ‘ସମ୍ବାଦ’, ‘ଧରିତ୍ରୀ’, ‘ପ୍ରଗତିବାଦୀ’ ଆଦି ପ୍ରମୁଖ ସମ୍ବାଦପତ୍ରମାନେ ସାପ୍ତାହିକୀ ପ୍ରକାଶ କଲେ ଏବଂ ଏଥିରେ ସାହିତ୍ୟ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଲା । କ୍ଷୁଦ୍ରଗଳ୍ପଟିଏ ଏବଂ ଦୁଇ/ ତିନିଟି ମିନିଗଳ୍ପ ସାପ୍ତାହିକୀ ମାନଙ୍କରେ ସ୍ଥାନିତ ହେଲା । ଏହା କିଛି କମ୍‌ କଥା ନୁହେଁ । ସର୍ବୋପରି ଏହି ସାପ୍ତାହିକୀମାନେ ପ୍ରତିଷ୍ଠିତ ଗାଳ୍ପିକମାନଙ୍କ ଅପେକ୍ଷା ନୂତନମାନଙ୍କୁ ସର୍ବଦା ଅଗ୍ରାଧିକାର ଦେଲେ । ଏମାନଙ୍କ ମାଧ୍ୟମରେ ଅନେକ ନୂତନ ଗାଳ୍ପିକ/ ଗାଳ୍ପିକା ଲୋକଲୋଚନକୁ ଆସିଲେ । ଏସବୁ ସାପ୍ତାହିକୀମାନଙ୍କରେ ମଝିରେ ମଝିରେ ଗାଳ୍ପିକ/ ଗାଳ୍ପିକାମାନଙ୍କ ସାକ୍ଷାତକାର ପ୍ରକାଶ ପାଇବା ଫଳରେ ସେମାନଙ୍କ ପରିଚିତି ବଢ଼ିବାରେ ଲାଗିଲା । ସାପ୍ତାହିକୀ ମାନଙ୍କର ଏହି ଅବଦାନ ଜମା ଭୁଲିବାର ନୁହେଁ ।

 

ଏସବୁକୁ ଆଖି ଆଗରେ ରଖି ଆମେ ଯଦି ପତ୍ରପତ୍ରିକା ଓ ସମ୍ବାଦପତ୍ରର ୧୯୮୦ରୁ ୨୦୦୦ ଭିତରେ ଗଳ୍ପ ଜଗତକୁ ଅବଦାନ କଥା ଭାବିବା, ତେବେ ଯେଉଁ କେତୋଟି କଥା ସ୍ପଷ୍ଟ ହେବ, ତାହା ହେଲା–

 

(କ) ଗାଳ୍ପିକ ଓ ଗାଳ୍ପିକାମାନଙ୍କ ସଂଖ୍ୟା ବୃଦ୍ଧି ଅର୍ଥାତ୍‌ ଅନେକ ପୂର୍ଣ୍ଣ ସହଯୋଗ ପାଇବା ସହଜ ହେଲା ।

 

(ଖ) ଆପାତତଃ ନିଷିଦ୍ଧ ଶବ୍ଦ ଓ ବିଷୟ ଗଳ୍ପର ବ୍ୟବହାର କରାଗଲା ।

 

(ଗ) କିଛି ପତ୍ରିକା ଦୀର୍ଘ ଗଳ୍ପ ଓ ମିନି ଗଳ୍ପକୁ ଉତ୍ସାହିତ କରିବା ଫଳରେ ଏସବୁର ସଂଖ୍ୟା ବଢ଼ିଲା ।

 

(ଘ) ନିର୍ଦ୍ଦିଷ୍ଟ ବିଷୟ ଆଧାରିତ ସ୍ୱତନ୍ତ୍ର ସଂଖ୍ୟା ହେବା ଫଳରେ-ଯେମିତି କି ଦେହ ବିଶେଷାଙ୍କ, ପ୍ରେମ ବିଶେଷାଙ୍କ, ସେଇ ବିଷୟରେ ବ୍ୟାପକ ସଂଖ୍ୟାରେ ଗପ ଲେଖାଗଲା ।

 

ଶେଷରେ ଏସବୁ ବା ଏତେସବୁ ଅବଦାନକୁ ସ୍ୱୀକାର କରିବା ପରେ ଏଠି ବି କହିବି ଯେ, ଅନେକ ବିଷୟକୁ କାହାଣୀ କରିବା ପାଇଁ ପତ୍ରପତ୍ରିକା ମାନେ ଆମ ଗାଳ୍ପିକ-ଗାଳ୍ପିକାମାନଙ୍କୁ ଆହ୍ୱାନ ଦେବା ଉଚିତ । ରହସ୍ୟ କାହାଣୀ, ବିଜ୍ଞାନ କାହାଣୀ, ଦୁଃସାହସିକ ଅଭିଯାନକୁ ନେଇ କାହାଣୀ, ଆଦିବାସୀ ସମାଜ-ସଂସ୍କୃତି ଆଧାରିତ କାହାଣୀ, ଆମ ପ୍ରାକୃତିକ ସଂପଦ–ଜଙ୍ଗଲ ହ୍ରଦ-ନଈକୁ ନେଇ କାହାଣୀ ଲେଖିବା ପାଇଁ ଗାଳ୍ପିକ-ଗାଳ୍ପିକାମାନଙ୍କୁ ଆହ୍ୱାନ ଦେବା ଦରକାର । କେମିତି ହେବ, ମନେକର ଯଦି ଏକ ପତ୍ରିକା କରେ ଶିମିଳିପାଳ ବିଶେଷାଙ୍କ ? କି ମହାନଦୀ ବିଶେଷାଙ୍କ ? କି ବିଚିତ୍ର କାହାଣୀ ନ ହେବ– ଶିମିଳିପାଳରେ ଭୟ, ଶିମିଳିପାଳରେ ପ୍ରେମ, ଶିମିଳିପାଳରେ ଅଶରୀରୀ, ଶିମିଳିପାଳରେ ଅନ୍ୟ ଗ୍ରହର ଲୋକ ଇତ୍ୟାଦି ଗପ କେମିତି ହୋଇପାରିବ ସତରେ ? ଚମତ୍କାର ନିରୁତା କାହାଣୀ ଅଜସ୍ର ସୃଷ୍ଟି ହେବ, ଏଥିରେ ସନ୍ଦେହ ନାହିଁ ! ଆମ ପତ୍ରପତ୍ରିକାମାନେ ସେପରି ସୁଯୋଗ ସୃଷ୍ଟି କରନ୍ତୁ । ଆହୁରି ଅନେକ ନୂତନ ବିଷୟ ବିଜ୍ଞାନ ପାଇଁ ଆମ ସାମ୍ନାରେ ଉଭା ହୋଇଛି । ସେସବୁକୁ ନେଇ କାହାଣୀ ପାଇଁ ପତ୍ରିକାମାନେ ଆଗେଇ ଆସନ୍ତୁ !

 

ଆମ ପତ୍ରପତ୍ରିକାମାନେ ଆମ ସାହିତ୍ୟକୁ ବେଶ୍‌ ରୁଦ୍ଧିମନ୍ତ କରିଛନ୍ତି, ଏହା ନିଃସନ୍ଦେହ । ୧୯୮୦ ପରେ ପତ୍ରିକାର ସଂଖ୍ୟା ଅନୁପାତରେ ଗାଳ୍ପିକ ଓ ଗାଳ୍ପିକାମାନଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଲା । ଗୁଣାତ୍ମକ ଭାବେ ଏହି ଗାଳ୍ପିକ ଗାଳ୍ପିକାମାନେ ସେମାନଙ୍କ ପୂର୍ବସୂରୀମାନଙ୍କଠାରୁ କେବେ ଆଗରେ ରହିଲେ ବା କେବେ ପଛରେ ରହିଲେ, ସେକଥା ଆକଳନ କରିବା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ହେବ । ତଥାପି କହିବା ଉଚିତ ଯେ, ଆମର ୧୯୮୦ର ପତ୍ରପତ୍ରିକାମାନେ ଯଦି ଆମକୁ ଜଣେ ମନୋଜ ଦାସ, ଜଣେ ମହାପାତ୍ର ନୀଳମଣି ସାହୁ, ଜଣେ ଶାନ୍ତନୁ ଆଚାର୍ଯ୍ୟ, ଜଣେ ବିଭୂତି ପଟ୍ଟନାୟକ, ଜଣେ ଜଗଦୀଶ ମହାନ୍ତି, ଜଣେ ଅଖିଳ ମୋହନ ପଟ୍ଟନାୟକ ଦେଇପାରିଲେ, ତାହା ହିଁ ହେବ ବା ହୋଇପାରନ୍ତା ଗଳ୍ପ ସାହିତ୍ୟକୁ ଆମ ପତ୍ରିକାମାନଙ୍କର ଶ୍ରେଷ୍ଠ ଅବଦାନ ।

Image

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ

(୧୯୮୦-୨୦୦୦)

ଦେବବ୍ରତ ମଦନରାୟ

 

(୧)

 

ସ୍ୱାଧୀନତା ପରବର୍ତ୍ତୀ ସମୟରେ, ପ୍ରାକ୍‌-ସ୍ୱାଧୀନତା କାଳର ପ୍ରାଜ୍ଞ ଗାଳ୍ପିକଙ୍କ ସହିତ ନବୀନ ଗାଳ୍ପିକଙ୍କ ସୃଜନଶୀଳ ସୃଷ୍ଟିରେ ଓଡ଼ିଆ ଗଳ୍ପ ସାହିତ୍ୟ ଅଧିକରୁ ଅଧିକ ଗତିଶୀଳ ହୋଇଛି । ୧୯୮୦-୨୦୦୦ ମଧ୍ୟରେ ସେହି ଧାରାକୁ ନବୀନ ଗାଳ୍ପିକମାନେ ଅବ୍ୟାହତ ରଖିବା ସହିତ ସ୍ୱତନ୍ତ୍ର କଥା କହିବା ପାଇଁ ଭିନ୍ନ ଭିନ୍ନ ପଥ ବାଛିନେଲେ । ଏହାର ପୃଷ୍ଠଭୂମିରେ ସ୍ୱାଧୀନତାର ସ୍ୱପ୍ନଭଙ୍ଗ, ଗ୍ରାମ୍ୟ ସଭ୍ୟତାର ପରିବର୍ତ୍ତନ, ପରମ୍ପରା ଓ ମୂଲ୍ୟବୋଧର ଅପମୃତ୍ୟୁ, ଅର୍ଥନୈତିକ ଉଦାରତା, ସାମାଜିକ ଅବ୍ୟବସ୍ଥା, ରାଜନୈତିକ ଚିନ୍ତାଧାରା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ଅବଶ୍ୟ ରହିଚି । ଯାହା ଫଳରେ ଯେଉଁ ଅଙ୍ଗୀକାରବୋଧ ଓ ସାମାଜିକ ଦାୟିତ୍ୱ ପ୍ରତ୍ୟେକ ଗାଳ୍ପିକଙ୍କ ଚେତନା ମଧ୍ୟରେ ଦୀର୍ଘଦିନ ଧରି ବାସ କରିଆସୁଥିଲା, ତାହା ଅପସରି ଯିବାଭଳି ବୋଧ ହୋଇଚି ।

 

ଏକଥା ସ୍ୱୀକାର୍ଯ୍ୟ, ୧୯୮୦ ପରବର୍ତ୍ତୀ ଗଳ୍ପ ଜଗତରେ ସ୍ଥିତିବାଦୀ ଦର୍ଶନ ରହିଅଛି । ଏଥିରୁ ସୂଚନା ମିଳେ, ମଣିଷ ଅତିମାତ୍ରାରେ ବ୍ୟକ୍ତିକୈନ୍ଦ୍ରିକ । ତେଣୁ ଯେଉଁ ପରିମାଣରେ ୧୯୮୦ ପୂର୍ବରୁ ବୌଦ୍ଧିକ ଭାବ ପ୍ରକାଶିତ ହେଉଥିଲା ସ୍ରଷ୍ଟାମାନସରେ, ତାହା ଏବେ ସେତେ ଚଳଚଞ୍ଚଳ ହୋଇନାହିଁ, ବରଂ ମନେହେଉଛି ସ୍ଥିତିବାଦୀ ଦର୍ଶନ ପ୍ରତି ଅଧିକାଂଶ ସ୍ରଷ୍ଟା ଅନୁରକ୍ତ । ଯା’ ଫଳରେ ୧୯୮୦ ପରବର୍ତ୍ତୀ ଗଳ୍ପ ଜଗତ ନୂତନ ଚେତନାରେ ଭାସ୍କର ଓ ଐଶ୍ୱର୍ଯ୍ୟ ମଣ୍ଡିତ । ଆବେଗ-ଆତୁରତା, ବ୍ୟର୍ଥତା-ବିଫଳତା ଓ ପ୍ରତିକ୍ରିୟା-ପ୍ରତିବାଦ ଗଳ୍ପ ଜଗତକୁ ବିଫଳତାର ସ୍ୱାଦ ଦେଉନାହିଁ, ବରଂ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଛି । ମନେହେଉଛି, ପ୍ରତ୍ୟେକ ଗାଳ୍ପିକ ଆଉ କୌଣସି କାହାଣୀ କହୁନାହାନ୍ତି, ବରଂ ନିଜ ନିଜର କଥା ବଖାଣୁଛନ୍ତି ନିଜ ଭାଷାରେ, ନିଜସ୍ୱ ଶୈଳୀରେ । ଏଥିଯୋଗୁ ଗଳ୍ପର ଅନ୍ତଃସ୍ୱର ଓ ସଂଗଠନ ଭିନ୍ନ ହୋଇ ଉଠିଛି । ମଣିଷର ସ୍ଥିତିର ପରିବର୍ତ୍ତନ ହେତୁ ଗଳ୍ପ ଜଗତରେ ମାନସିକତା ଓ ସ୍ଥିତିରେ ପରିବର୍ତ୍ତନ ଲକ୍ଷ୍ୟ କରି ହେଉଛି । ଏବଂ ନିର୍ଦ୍ଦିଷ୍ଟ ଓ ସୀମିତ ଭାବଧାରାରେ ଆବଦ୍ଧ ହେଉଥିବା ଗଳ୍ପ ଜଗତର ପ୍ରକାଶଭଙ୍ଗୀ ମୁକ୍ତ ହୋଇଯାଇଛି । ରୂପ, ଗୁଣ ଓ ସଂଗଠନରେ ଭିନ୍ନ ବୋଧ ହେଉଛି ।

 

ଏହି ଦୁଇ ଦଶନ୍ଧି ଭିତରେ କଥା-କାରିଗରିରେ ଓ ଶବ୍ଦର ନିହାଣ ମୁନରେ ପ୍ରତ୍ୟେକ ଗାଳ୍ପିକଙ୍କର ସର୍ଜନାରେ ତୋଳା ସରିଛି ଗଳ୍ପର କୋଣାର୍କ । ଏକଥା କହିବାର ତାତ୍ପର୍ଯ୍ୟ ହେଉଚି, ୧୮୯୮ ମସିହାରେ ‘ରେବତୀ’, ଗଳ୍ପ ରଚନା କରି ଫକୀରମୋହନ ସେନାପତି ଯେଉଁ ଆଶାର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ, ୧୯୯୮ ମସିହାରେ ସେହି ଭୂମି ଉପରେ ରେବତୀର ଶତବାର୍ଷିକ ପାଳନ କରିବାବେଳେ ଆମର ହୃଦ୍‌ବୋଧ ହୋଇଛି ଆମ ଗଳ୍ପ ଜଗତ ସମ୍ଭାବନାମୟ ଓ ବୈଚିତ୍ର୍ୟପୂର୍ଣ୍ଣ ।

 

(୨)

 

ଉତ୍ତର ଅଶୀରେ ଜଗତ ଓ ଜୀବନ ପ୍ରତି ରହିଥିବା ପାରମ୍ପରିକ ଚିନ୍ତାଧାରରେ ପରିବର୍ତ୍ତନ ହେତୁ ଗଳ୍ପ ଜଗତରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ମଣିଷର ନିଃସଙ୍ଗତା, ଅସହାୟତା ଓ ବହୁବିଧ ସଂଶୟକୁ ନେଇ ଅନେକ ଗଳ୍ପ ଲେଖାହୋଇଛି । କିଶୋରୀ ଚରଣ ଦାସ, ରାମଚନ୍ଦ୍ର ବେହେରା, ତରୁଣକାନ୍ତି ମିଶ୍ର, ଜଗଦୀଶ ମହାନ୍ତି, ସହଦେବ ସାହୁ ସ୍ଥିତିବାଦୀ ଚିନ୍ତାଧାରାର ସଫଳ ପ୍ରୟୋଗ କରିଚନ୍ତି । ‘ଖେଳର ନାମ ରଙ୍ଗ’, ‘ତ୍ରୟୋବିଂଶ ମୃତ୍ୟୁ’, ‘ଧବଳ ଆକାଶ’ ଗଳ୍ପଗୁଡ଼ିକରେ କିଶୋରୀ ଚରଣ ମଧ୍ୟବିତ୍ତ ପରିବାରରୁ ଚରିତ୍ରମାନଙ୍କୁ ନେଇ ସେମାନଙ୍କ ମନର ବୈଚିତ୍ରକୁ ଶିଳ୍ପରୂପ ଦେଇଛନ୍ତି । ରାମଚନ୍ଦ୍ର ବେହେରା ‘ଓଁକାର ଧ୍ୱନି’, ‘ବଞ୍ଚି ରହିବା’, ‘ଭଗ୍ନାଂଶର ମୁହଁ’ ଆଦି ଗଳ୍ପରେ ଅତି ସୂକ୍ଷ୍ମ ଭାବରେ ମଣିଷ ମନର ବିଶ୍ଳେଷଣ କରିଛନ୍ତି । ‘କୋମଳ ଗାନ୍ଧାର’, ‘ବହୁବ୍ରୀହି’, ‘ପ୍ରଜାପତିର ଡେଣାନାହିଁ’ ଗଳ୍ପଗୁଡ଼ିକରେ ତରୁଣକାନ୍ତି ମିଶ୍ର ପ୍ରକାଶ କରିଛନ୍ତି ମନସ୍ତାତ୍ତ୍ୱିକ ସୂକ୍ଷ୍ମତା ସହିତ ବୌଦ୍ଧିକ ତୀର୍ଯ୍ୟକ୍‌ ଭାବ । ଜଗଦୀଶ ମହାନ୍ତି ‘ଆଲ୍‌ବମ୍‌’, ‘ଦି’ ପହର ଦେଖି ନ ଥିବା ଲୋକଟିଏ’ ଗଳ୍ପରେ ଆଧୁନିକ ମଣିଷର ଶୂନ୍ୟତାବୋଧକୁ ନିଜସ୍ୱ ଢଙ୍ଗରେ ବିଶ୍ଳେଷଣ କରିଛନ୍ତି । ‘ଅପରାହ୍ନର ଭୂତ’, ‘ଆହତ’, ‘ଝଡ଼’ ଗଳ୍ପଗୁଡ଼ିକରେ ସହଦେବ ସାହୁ ବହୁବିଧ ନିଃସଙ୍ଗତାର ଭାବର ଅନୁଭବକୁ ଚିତ୍ରଣ କରିଛନ୍ତି ।

 

ଏହି ସମୟରେ ଆଧିଭୌତିକତା, ଅଲୌକିକତା ଓ ଅବାସ୍ତବ ପରିକଳ୍ପନାକୁ ନେଇ ଅନେକ ପରୀକ୍ଷାନିରୀକ୍ଷା ହୋଇଚି । ଏଥିରେ ସହଯୋଗ କରିଛନ୍ତି ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ଚନ୍ଦ୍ରଶେଖର ରଥ, ଅର୍ଚ୍ଚନା ନାୟକ ଓ ଉତ୍ତମ ପ୍ରଧାନ । ‘ଲୌକିକ ଅଲୌକିକ’, ‘ବୃନ୍ଦାବନର ଶେଷ ଧୂପ’, ‘ପାପ ଓ ମୁକ୍ତି’ ଇତ୍ୟାଦି ଗଳ୍ପରେ ଆଧିଭୌତିକ ସହିତ ବାସ୍ତବତାର ନିଗୂଢ଼ ସମ୍ପର୍କର କଥା କହିଛନ୍ତି ମହାପାତ୍ର ନୀଳମଣି ସାହୁ । ଶାନ୍ତନୁ କୁମାର ଆଚାର୍ଯ୍ୟ ‘ସର୍ପଯାନ’, ‘ଚଳନ୍ତିଠାକୁର’, ‘ନାଟାଲିଆର ଓଁକାର’ ଗଳ୍ପଗୁଡ଼ିକରେ ଜୀବନୋତ୍ତର ସତ୍ୟକୁ ଅନ୍ୱେଷଣ କରିଛନ୍ତି । ଆଧ୍ୟାତ୍ମିକତା ଚେତନାର ସ୍ପନ୍ଦନକୁ ଅନୁଭବ କରିହୁଏ ଚନ୍ଦ୍ରଶେଖର ରଥଙ୍କ ସର୍ଜନାରେ । ‘କ୍ରମଶ ଗଭୀର ନଈ’, ‘ତିଳିଛ ମହାପାତ୍ର’, ‘ଦୀନବନ୍ଧୁ ଦାସ’, ‘ତ୍ରାଣକର୍ତ୍ତା ଆସିବେ’ ଗଳ୍ପ ଆଦି ଆଧିଭୌତିକତାର ବହୁ ରହସ୍ୟରେ ଆଚ୍ଛାଦିତ । କଳ୍ପନାର ଐଶ୍ୱର୍ଯ୍ୟମୟ ଇଲାକାରୁ ଆଧ୍ୟାତ୍ମିକ ଜଗତ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅର୍ଚ୍ଚନା ନାୟକଙ୍କର ରଚିତ ଗଳ୍ପ ‘କେତେ ଦୃଶ୍ୟ’, ‘ଶ୍ରମଣାର ପୃଥିବୀ’ । ଧର୍ମ ଓ ଦର୍ଶନ ହେଉଚି ଉତ୍ତମ କୁମାର ପ୍ରଧାନଙ୍କ ଗଳ୍ପ ଜଗତର ପରିଭାଷା । ତାଙ୍କ ରଚିତ ‘‘ବୁଢ଼ୀଆଣି ଓ ବୃଦ୍ଧ ପ୍ରଜାପତି’’ ଓ ‘ନଚିକେତାର ହାତ’ ଆଧିଭୌତିକ ମନ୍ତ୍ରରେ ମନ୍ତ୍ରିତ ।

 

ପ୍ରାଚୀନ କାହାଣୀ, ଅବୋଲକରା କାହାଣୀ, ଲୋକ କାହାଣୀ ଓ ମିଥ୍‌କୁ ନେଇ ନୂତନ ଭାବରେ ଗଳ୍ପରେ ପ୍ରୟୋଗ କରାହୋଇଚି । ମନୋଜ ଦାସ, ହୃଷୀକେଶ ପଣ୍ଡା, କଇଳାଶ ପଟ୍ଟନାୟକଙ୍କ ଗଳ୍ପ ସର୍ଜନାକୁ ଅନୁଶୀଳନ କଲେ, ଏହା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । ‘ଅବୋଲକରା କାହାଣୀ’ ସର୍ଜନାରେ ମନୋଜ ଦାସ ପ୍ରାଚୀନ କାହାଣୀକୁ ଆଧୁନିକ ଢଙ୍ଗରେ ପ୍ରକାଶ କରି ବସ୍ତୁବାଦୀ ମଣିଷର ବାସ୍ତବ ରୂପଚିତ୍ର ଶବ୍ଦର ତୂଳୀରେ ଆଙ୍କିବାରେ ସଫଳ ହୋଇଛନ୍ତି-। ଲୋକକାହାଣୀକୁ ସମକାଳୀନ ଅନୁଭବର ଚିତ୍ରପଟରେ ନୂଆ ଢଙ୍ଗରେ ଦେଖାଇଛନ୍ତି କଇଳାଶ ପଟ୍ଟନାୟକ ତାଙ୍କ ରଚିତ ‘ଶୁଣ ଅବୋଲକରା’ ଗଳ୍ପରେ । ‘ବୟସ୍କଙ୍କ ପାଇଁ ଶିଶୁ କାହାଣୀ’ ହେଉଚି ହୃଷୀକେଶ ପଣ୍ଡାଙ୍କ ପ୍ରାଚୀନ ଲୋକକଥାର ମାଧ୍ୟମରେ ଆଧୁନିକ ଗଳ୍ପର ସଂରଚନା ।

 

ଲଘୁ ହାସ୍ୟ ଛଳରେ ସମାଜ ଓ ବ୍ୟକ୍ତିର ସଚେତନତା ନିମେନ୍ତ ଏହି ସମୟରେ ବହୁ ଗଳ୍ପ ଲେଖାହୋଇଚି । ଯାହାର ପୁରୋଧା ଭାବରେ ଥିଲେ ଫତୁରାନନ୍ଦ, ଚୌଧୁରୀ ହେମକାନ୍ତ ମିଶ୍ର ଓ ଗନ୍ତାୟତ ଶିବ ପ୍ରସାଦ । ‘ଗମାତ’, ‘ନିଦାବେହେଲ’, ‘ସାହିତ୍ୟ ବେଉଷଣ’ ଗଳ୍ପଗୁଡ଼ିକରେ ସରଳ ଭାଷା ଓ ବ୍ୟଙ୍ଗାତ୍ମକ ଶୈଳୀରେ ସମାଜର ତ୍ରୁଟିକୁ ଦର୍ଶାଇ ଦେଇଥିଲେ ଫତୁରାନନ୍ଦ । ‘ହେମକାନ୍ତଙ୍କ ରସଗୋଲା’ ଗଳ୍ପଟି ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ଶ୍ଳେଷାତ୍ମକ ଢଙ୍ଗରେ ଏକ ଅଭିବ୍ୟକ୍ତି ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ପ୍ରତି । ଶିବ ପ୍ରସାଦ ଗନ୍ତାୟତଙ୍କର ‘ଫମ୍ୟ ରଚନା’ ହାସ୍ୟବ୍ୟଙ୍ଗ ଭରା ଏକ ମାର୍ମିକ ଚେତନାଧର୍ମୀ ଗଳ୍ପ ।

 

ପ୍ରେମ, ପ୍ରଣୟ ଓ ଯୌନତା ହେଉଚି ସାର୍ବକାଳୀନ ସମସ୍ୟା । ନାରୀ ଓ ପୁରୁଷର ବିଭିନ୍ନ ମାନସିକତାକୁ ନେଇ ମନଗହନର ରହସ୍ୟକୁ ଉନ୍ମୋଚିତ କରିବାରେ ସମର୍ଥ ହୋଇ କଳାତ୍ମକ ଢଙ୍ଗରେ ଅନେକ ଗଳ୍ପ ପ୍ରକାଶିତ ହେବାର ସୁଯୋଗ ଲାଭ କରିଚି । କୃଷ୍ଣଚରଣ ବେହେରା, ପଦ୍ମଜ ପାଳ, ଶ୍ୟାମାପ୍ରସାଦ ଚୌଧୁରୀ, ପରେଶ ପଟ୍ଟନାୟକ, ପବିତ୍ର ପାଣିଗ୍ରାହୀ, ପାରମିତା ଶତପଥୀ ନିଜ ନିଜ ସର୍ଜନାରେ ଏହି ଭାବକୁ ଚିତ୍ରଣ କରିଛନ୍ତି । କୃଷ୍ଣ ଚରଣ ବେହେରାଙ୍କ ‘ନାରୀମେଧ’, ପଦ୍ମଜ ପାଳଙ୍କ ‘ସବୁଠୁଁ ସୁନ୍ଦର ପକ୍ଷୀ’ ଓ ଶ୍ୟାମାପ୍ରସାଦ ଚୌଧୁରୀଙ୍କ ‘ଚାବି’ ଗଳ୍ପରେ ମିଳେ ଏକ ସୁନ୍ଦର ସମ୍ପର୍କର ଅନୁଭବର କଥା । ହୋଇପାରେ, ଏହା ପ୍ରେମ ଓ ପ୍ରଣୟର ଏକ ସହଜ ଅଭିବ୍ୟକ୍ତି । ‘ଚରିତ୍ର ଚରିତ୍ର’, ‘ଅଳ୍ପ ବୟସ’ ଗଳ୍ପରେ ପରେଶ ପଟ୍ଟନାୟକ କଥାଚାତୁରୀ ସହ ରୋମାଣ୍ଟିକ୍‌ ଭାବ ଦେଇ କଳାତ୍ମକ ଦିଗଟିକୁ ଦର୍ଶାଇଛନ୍ତି । ପବିତ୍ର ପାଣିଗ୍ରାହୀଙ୍କ ‘ଖରାପ ପାଗ’ ଗଳ୍ପରେ ଦାମ୍ପତ୍ୟ ପ୍ରେମର ମଧୁର ଚିତ୍ରଟିଏ ଅଛି । ‘ବିଦେଶିନୀ’ ଗଳ୍ପରେ ଏକ ଅନନୁଭୂତ ଅନ୍ତରଙ୍ଗତା ଅଦ୍ଭୁତ ବିଶ୍ୱସ୍ତତାର କଥା କହିପାରେ, ତାହା ପ୍ରମାଣ କରିଛନ୍ତି ପାରମିତା ଶତପଥୀ ।

 

ସାମାଜିକ ସମସ୍ୟାକୁ ନେଇ ସାଧାରଣ ମଣିଷଟିର ଯେଉଁ ଜୀବନଚିତ୍ର ପ୍ରତିଫଳିତ ହୁଏ ଆମ ମନ ଭିତରେ, ତାହାକୁ ନେଇ ଅତି ସୁନ୍ଦର ଭାବରେ ସୃଷ୍ଟି ହୋଇଚି ଅନେକ ଗଳ୍ପ । ଅନେକ ଚିନ୍ତାଶୀଳ ଗାଳ୍ପିକ ଏଥିପ୍ରତି ବେଶ୍‌ ସଚେତନ ତାହା ଅସ୍ୱୀକାର କରିହେବନାହିଁ । ସାତକଡ଼ି ହୋତା, ବିଭୂତି ପଟ୍ଟନାୟକ, ରଜନୀକାନ୍ତ ମହାନ୍ତି, ସଦାନନ୍ଦ ତ୍ରିପାଠୀ, ଗୌରହରି ଦାସ, ଅରବିନ୍ଦ ରାୟ, କ୍ଷୀରୋଦ ଦାସ ଓ ଦେବପ୍ରସାଦ ଦାଶ ସମାଜରେ ଅବହେଳିତ ମଣିଷର କଥା କହନ୍ତି । ସେମାନଙ୍କ ଦୁଃଖ, ଅସହାୟତାକୁ ଗଳ୍ପରେ ଚିତ୍ରିତ କରି ମାନବବାଦୀ ଚେତନା ପ୍ରତି ଅଙ୍ଗୀକାରବଦ୍ଧ ବୋଲି ଅନୁଭବ ଦିଅନ୍ତି । ସାତକଡ଼ି ହୋତାଙ୍କ ‘ସାୟାହ୍ନର ଶୋଭା’, ‘ଶେଷ ସମ୍ବଳ’, ‘ମୋ ଗଳ୍ପର ନାୟକ’, ବିଭୂତି ପଟ୍ଟନାୟକଙ୍କ ‘ଆଖି ବୁଜିଦେଲେ ସତ୍ୟଯୁଗ’, ରଜନୀକାନ୍ତ ମହାନ୍ତିଙ୍କ ‘ମାଟିଆ ପୁଅ’, ‘ଆ ସାକ୍ଷୀ ଦେ’, ‘ଝିପି ଝିପି ଅନ୍ଧାର’, ସଦାନନ୍ଦ ତ୍ରିପାଠୀଙ୍କ ‘ନିଜ ନିଜ ନିୟମ’, ‘ସ୍ୱାଧୀନତା; ସୁବର୍ଣ୍ଣ ଜୟନ୍ତୀ’, ଗଳ୍ପଗୁଡ଼ିକରେ ସାଧାରଣ ମଣିଷର ଦୁଃଖ ସୁଖ ସହ ଭେଟ ହୁଏ । ‘ମାଟି କଣ୍ଢେଇ’, ‘ପୁନରାବୃତ୍ତି’, ‘ଶେଷ ବାଜି’ ଇତ୍ୟାଦି ଗଳ୍ପରେ ସାଧାରଣ ମଣିଷର ସ୍ୱପ୍ନଭଙ୍ଗ ସହିତ ସମସାମୟିକ ସମାଜର ଏକ ଚିତ୍ର ପ୍ରଦାନ ହେତୁ ଗୌରହରି ଦାସ ସଚେତନତା ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି । ଅରବିନ୍ଦ ରାୟଙ୍କ ‘ବାଟ ବସାଘର’, କ୍ଷୀରେଦ ଦାସଙ୍କ ‘ଅସୁସ୍ଥ ସମୟ’ ଓ ଦେବ ପ୍ରସାଦ ଦାଶଙ୍କ ‘ଇନ୍ଦ୍ରଧନୁର ରଙ୍ଗ’, ପରିବର୍ତ୍ତିତ ସମାଜ ଓ ମୂଲ୍ୟବୋଧ ସମ୍ପର୍କରେ ନିଚ୍ଛକ କାହାଣୀ-

 

ଗ୍ରାମ୍ୟ ଜୀବନର କ୍ଷୟିଷ୍ଣୁ ମୂଲ୍ୟବୋଧର କଥା କହି ପରମ୍ପରାକୁ ଭୁଲି ନ ପାରିଥିବା ଗାଳ୍ପିକମାନେ ସମକାଳୀନ ଗଳ୍ପ ସାହିତ୍ୟ ପାଇଁ ପ୍ରଚୁର ଆତ୍ମୀୟତା ଆଣି ଦେଇଛନ୍ତି । ବିଷ୍ଣୁ ସାହୁ, ଗିରୀଶ ସାହୁ, ରଶ୍ମି ରାଉଳ, ଅଜୟ ସ୍ୱାଇଁଙ୍କ ଗଳ୍ପରେ ଗ୍ରାମ୍ୟ ଜୀବନ ତଥା ଗ୍ରାମ୍ୟ ପରିବେଶର ପ୍ରତିଚ୍ଛବି ଦେଖିବାକୁ ମିଳେ । ‘ସୂର୍ଯ୍ୟୋଦୟର ଶ୍ଳୋକ’ ଗଳ୍ପରେ ଏକ ପରିବର୍ତ୍ତନର ଚିତ୍ର ଗ୍ରାମ୍ୟ ଜୀବନଧାରାର ଆଙ୍କି ପାରମ୍ପରିକ ମୂଲ୍ୟବୋଧରେ ଯେଉଁ ଅବନତି ଘଟିଛି ତାହାର କଳାତ୍ମକ ରୂପାୟନ କରିଛନ୍ତି ବିଷ୍ଣୁ ସାହୁ । ଗ୍ରାମ୍ୟ ଜୀବନର ଜୀବନଧାରା, ସଂସ୍କୃତି ଓ ମୂଲ୍ୟବୋଧର କଥା କହିଛନ୍ତି ଗିରୀଶ ସାହୁ ‘ଚେର’ ଗଳ୍ପରେ । ରଶ୍ମି ରାଉଳଙ୍କ ‘ଗୋଟିଏ ଭଲଦିନ’ ଗାଁର ମାଟି ପାଣି ପବନର କଥା କହେ । ‘ବୋଉର ଗୀତଖାତା’ ଅଜୟ ସ୍ୱାଇଁଙ୍କର ଏକ ସ୍ମରଣୀୟ ଗଳ୍ପ । ପରମ୍ପରା ଓ ଓଡ଼ିଆ ଘରର ସଂସ୍କୃତିର ଉଦାର ପୃଥିବୀର ମୁହଁ ଦିଶେ ଏହି ଗଳ୍ପରେ । ଯେଉଁଥିରେ ଭିଜି ରହିଛି କେବଳ ମାଟିର ମହକ ।

 

ନାରୀ ଜୀବନର ବହୁବିଧ ରହସ୍ୟ କଥା କହିବା ସହ ନାରୀ ପ୍ରଗତିର ମନ୍ତ୍ର ଉଚ୍ଚାରଣ କରୁଥିବା ସ୍ରଷ୍ଟାଗଣ ନାରୀର ବ୍ୟକ୍ତିସତ୍ତା ପ୍ରତି ଅଧିକ ପ୍ରାଧାନ୍ୟ ଦେବାରେ କୁଣ୍ଠାବୋଧ କରିନାହାନ୍ତି-। ରକ୍ଷଣଶୀଳ ଦୁଆରବନ୍ଧ ଡିଆଁଇ ଦେବାରେ ସେମାନଙ୍କ ଭୂମିକା ଆଦୌ ଗୌଣ ନୁହେଁ । ନାରୀର ମନ ଭିତରେ ସ୍ୱାଧୀନ ଚେତନାଟିଏ ଅଛି ତାହା ଗଳ୍ପରେ ଚିତ୍ରଣ କରିବା ସହିତ ନାରୀକୁ ଏକ ମର୍ଯ୍ୟାଦାଜନକ ଆସନ ଦେବାରେ ସମର୍ଥ ହୋଇଛନ୍ତି । ବୀଣାପାଣି ମହାନ୍ତି, ପ୍ରତିଭା ରାୟ, ସୁଲୋଚନା ଦାସ, ବିଜୟିନୀ ଦାସ, ଯଶୋଧାରା ମିଶ୍ର, ଜୟନ୍ତୀ ରଥ ଓ ସୁସ୍ମିତା ବାଗ୍‌ଚୀ ସ୍ୱକୀୟ ଶୈଳୀରେ ନାରୀର ବ୍ୟକ୍ତିସତ୍ତାକୁ ମହିମାମଣ୍ଡିତ କରିଛନ୍ତି । ବୀଣାପାଣି ମହାନ୍ତି ‘ପାଟଦେଈ’ ଗଳ୍ପରେ ଅମୃତ ବିଦ୍ରୋହର କଥା କହି ଛଳରେ ଶବ୍ଦର ରଙ୍ଗର ଛିଟାରେ ଆଙ୍କି ଦେଇଛନ୍ତି ନାରୀ ଜୀବନର ଗହନ କଥା । ତାଙ୍କ ରଚିତ ‘ବହ୍ନିବଳୟ’ ଓ ‘ଅଶ୍ରୁ ଅନଳ’ ଗଳ୍ପ ଦୁଇଟିରେ ନାରୀ ତା’ର ଅସ୍ମିତା ପ୍ରତିପାଦନ ପାଇଁ ବିଦ୍ରୋହ କରିବା ସକାଶେ ସମର୍ଥ ହୋଇଛି । ନାରୀ ଜୀବନର ଅସହାୟତାର ଚିତ୍ର ସହିତ ଥାଏ ଏକ ସ୍ୱାଧୀନ ଚେତନାର କଥା ପ୍ରତିଭା ରାୟଙ୍କ ଗଳ୍ପରେ-। ‘ଷଷ୍ଠ ସତୀ’, ‘ମୋକ୍ଷ’, ‘ଉଲ୍ଲଂଘନ’ ଗଳ୍ପରେ ଉତ୍ତରଣ ହୋଇଛି ନାରୀ ହୃଦୟ ଅଭୀପ୍‌ସା । ସୁଲୋଚନା ଦାସଙ୍କ ‘ଭଙ୍ଗୁର’, ‘ମାଟିର ମହକ’, ବିଜୟିନୀ ଦାସଙ୍କ ‘ଭୋର୍‌ର ଆକାଶ’ ଗଳ୍ପରେ ନାରୀ ଜୀବନର ଦୁଃଖ ହତାଶାର ଚିତ୍ର ସହିତ ଏକ ପ୍ରତିବାଦର ସ୍ୱର ଶୁଣାଯାଇଚି । ଯଶୋଧାରା ମିଶ୍ରଙ୍କ ‘ଜହ୍ନରାତି’ ଓ ‘ରେଖାଚିତ୍ର’ ଗଳ୍ପ ଦୁଇଟି ନାରୀ ମନସ୍ତତ୍ତ୍ୱର ଆଉ ଏକ ବିଭବ । ପ୍ରତିବାଦ କଥା ନୁହେଁ, ବରଂ ସହଜ ଭାବରେ ସହାବସ୍ଥାନର ଚିତ୍ର ଏଥିରୁ ମିଳେ । ଜୟନ୍ତୀ ରଥଙ୍କ ‘ଶବ୍ଦ ଖେଳ’, ‘ଅସତ୍ୟ ବଳୟ’ ଗଳ୍ପରେ ନାରୀ ଚରିତ୍ରଟି ଯେତିକି ସଂସାର ବୋଝରେ ଭାରାକ୍ରାନ୍ତ ସେତିକି ଗଭୀର ଆତ୍ମବିଶ୍ୱାସୀ ଓ ସଂଗ୍ରାମୀ । ସୁସ୍ମିତା ବାଗ୍‌ଚୀଙ୍କ ‘ମାତୃ ଚରିତାମୃତ’ ଗଳ୍ପରେ ନାରୀ ଚରିତ୍ରର ଆଉ ଏକ ରୂପ ଆମ ଆଗରେ ଉଦ୍‌ଭାସିତ ହୁଏ । ଯିଏ ସ୍ନେହ ଓ ପ୍ରଣତିର ଶବ୍ଦ ହୃଦୟରେ ରଖିଥା’ନ୍ତି ।

 

ରାଜନୈତିକ ଚେତନା ଯେ ଏହି ଦୁଇ ଦଶନ୍ଧିରେ ଆମ ଗଳ୍ପ ଜଗତକୁ ପରିପୁଷ୍ଟ କରିନାହିଁ କହିବା ଉଚିତ ହେବ ନାହିଁ । ରାଜନୈତିକ ଶଠତା, ଶୋଷଣବାଦ, ଦୁର୍ନୀତି ଓ ବିସ୍ଥାପିତଙ୍କୁ ନେଇ ରବି ସ୍ୱାଇଁ, ଭୀମ ପୃଷ୍ଟି, ରାଜବର୍ଦ୍ଧନ ଧଳମହାପାତ୍ରଙ୍କ ଗଳ୍ପ ନଜରକୁ ଆସେ । ରାଜନୈତିକ ସଚେତନତା ପ୍ରତି ଉଦ୍ଦେଶ୍ୟ ରଖି ଏହି ଗଳ୍ପ ସବୁ ଲେଖା ହୋଇଚି ବୋଲି ସ୍ୱୀକାର କରିବାକୁ ହେବ-। ରବି ସ୍ୱାଇଁଙ୍କ ‘ବିରଳ ଅମଣିଷ’, ଭୀମ ପୃଷ୍ଟିଙ୍କ ‘ହୋ ମଣିଷମାନେ’, ରାଜ୍ୟ ବର୍ଦ୍ଧନ ଧଳମହାପାତ୍ରଙ୍କ ‘ଧାଡ଼ି ବାହାରେ ଏକା’, ‘ହଜିଲା ଘରର ଠିକଣା’ ଗଳ୍ପରେ ରାଜନୀତିକ ଅବ୍ୟବସ୍ଥାରେ ଜୀବନ କେତେ ଅସହାୟ ତାହା ଜଣାପଡ଼େ ।

 

ଏହି ସମୟ ମଧ୍ୟରେ ପରୀକ୍ଷାଧର୍ମୀ ନୂତନ ସ୍ୱାଦର ଗଳ୍ପ ଲେଖା ହୋଇଛି । ମଣିଷ ଜୀବନର ବିଭିନ୍ନ ଅସହାୟତାକୁ ନେଇ ନାରୁ ମହାନ୍ତିଙ୍କ ଗଳ୍ପ ‘ଶେଷ ଲୋକର ବିବରଣୀ’ ଏକ ବିସ୍ତାରିତ ଅନୁଭବର ପ୍ରତିଲିପି । ଘଟଣା ବୈଚିତ୍ର୍ୟ କାହାଣୀହୀନ ହୋଇପାରେ ପ୍ରଭାତ ମହାପାତ୍ରଙ୍କ କଥାଶିଳ୍ପ । ତାଙ୍କ ରଚିତ ‘କାଗଜ ଡଙ୍ଗା’ ଗଳ୍ପ ଜଟିଳ ଜୀବନର ରହସ୍ୟ ସଂପର୍କରେ ବେଶ୍‌ ସଚେତନ ।

 

୧୯୮୦ ପରବର୍ତ୍ତୀ ରଚିତ ଗଳ୍ପଗୁଡ଼ିକର ଭୂମି ଜୀବନମୟ । ଅଚ୍ୟୁତାନନ୍ଦ ପତିଙ୍କ ‘ଅନ୍ୟ ଶିବିର’, କୃଷ୍ଣପ୍ରସାଦ ମିଶ୍ରଙ୍କ ‘ମାଣିକ୍ୟ ସନ୍ଧାନ’, ରବି ପଟ୍ଟନାୟକଙ୍କ ‘ବନ୍ଧ୍ୟା ଗାନ୍ଧାରୀ’, ଦେବ୍ରାଜ ଲେଙ୍କାଙ୍କ ‘ଜୀବନ ଯନ୍ତ୍ରଣା’, ବିପିନ ବିହାରୀ ମିଶ୍ରଙ୍କ ‘ମୃତ୍ୟୁ ଶଯ୍ୟାରେ ଜୀବନ’, ନୃସିଂହ ତ୍ରିପାଠୀଙ୍କ ‘ଦିନେ ରାତିରେ ଭିକାରୀ ବଳ’, ସରୋଜିନୀ ସାହୁଙ୍କ ‘ଚଉକାଠ’, ବିଜୟ ନାୟକଙ୍କ ‘ଅନେକ ଦିନ ପରେ ବର୍ଷା’, ଅନିଲ କୁମାର ଦାସ ‘ଶୂନ୍ୟ କୋଠରିର ଠିକଣା’, ଦୀପ୍ତିରଂଜନ ପଟ୍ଟନାୟକଙ୍କ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ଅଭୟ ବାରିକଙ୍କ ‘ଆଧାର ଶିଳା’, ଦେବାଶିଷ ପାଣିଗ୍ରାହୀଙ୍କ ‘ତଥାକଥିତ’, ଚିରଶ୍ରୀ ଇନ୍ଦ୍ରସିଂଙ୍କ ‘ବେଙ୍ଗବତୀର କଥା’, ଅରବିନ୍ଦ ଧଳଙ୍କ ‘ମାଟି ପ୍ରତିମା’, କବିତା ବାରିକଙ୍କ ‘ଜୀବନ କେବେ କେମିତି’ ଗଳ୍ପ ସର୍ଜନାରେ ଆମ ଗଳ୍ପ ଜଗତର ଦୃଷ୍ଟିଭଙ୍ଗୀ ଓ ପ୍ରକାଶଧାରା ବିଭିନ୍ନତା ବାରି ହୋଇ ପଡ଼ିଛି । ଗଠନ ଓ ବିଷୟବସ୍ତୁ ଚୟନର ଧାରା ବଦଳିଯିବା ପରି ଅନୁଭବ ହୋଇଛି । ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ ଚରିତ୍ରର ପ୍ରାସଙ୍ଗିକତା ଉପରେ ନୂଆ ଢଙ୍ଗରେ ପରୀକ୍ଷା ହୋଇଛି । ବିଭଙ୍ଗ ବ୍ୟକ୍ତିତ୍ୱର ଅବତାରଣା ହୋଇଛି ବହୁ ଗଳ୍ପରେ-। ଜୀବନର ବିଭିନ୍ନ ସ୍ଥିତି ସହିତ ଗଳ୍ପ ଜଗତ ସଂଯୋଗର ସେତୁ ହୋଇଯାଇଛି । ତେଣୁ ଏହି ଦୁଇ ଦଶନ୍ଧି ମଧ୍ୟରେ ବହୁ ଭଲ ଗଳ୍ପ ଲେଖାଯାଇଚି । ତା’ ଫଳରେ ଗଳ୍ପର ହୃଦୟକୁ ପାଠକ ଶ୍ରଦ୍ଧାର ସହ ଛୁଇଁପାରିବା ପାଇଁ ସକ୍ଷମ ହୋଇଛନ୍ତି । ମନେହେଉଚି ୧୯୮୦ ପରବର୍ତ୍ତୀ ଗଳ୍ପ ଜଗତ ଏକ କୋମଳ ଜହ୍ନରାତି । ଜହ୍ନରାତିର ଜୋତ୍ସ୍ନାରେ ଭିଜିଯାଇଚି ଗାଳ୍ପିକ ଏବଂ ପାଠକର ସତ୍ତା-

 

ଓଡ଼ିଆ କ୍ଷୁଦ୍ରଗଳ୍ପ ଏକ ପ୍ରବାହମାନ ଧାରା । ଏହି ଧାରା ଅବ୍ୟାହତ ରହିବ ଏହା ମୋର ବିଶ୍ୱାସ । ଯେଉଁ ସାହିତ୍ୟ ମାଟିମନସ୍କ, ସେ ହିଁ ଚିରସ୍ରୋତା । ପ୍ରାଚ୍ୟ ସାହିତ୍ୟର ପ୍ରଭାବ ପଡ଼ିଚି, ପ୍ରାଚ୍ୟ ସଂସ୍କୃତିର ଆଗମନ ହୋଇଚି । ଅଥଚ ପରମ୍ପରା ହଜିଯାଇନାହିଁ । କୌଣସି ନା, କୌଣସି ଗଳ୍ପରେ ଏବେ ବି ଆକାଶଦୀପର ଚିତ୍ର ବର୍ଣ୍ଣନା ଦେଖିବାକୁ ମିଳୁଚି । ହଳଦୀବସନ୍ତର ରଙ୍ଗରେ ଚିତ୍ରିତ ହେଉଚି ଗାଁ । ସମାଜ ପ୍ରତି ପ୍ରତିବଦ୍ଧତାର ସ୍ୱର ବେଶ୍‌ ଜୋର୍‌ରେ ଶୁଣାଯାଉଚି । ସାମାଜିକ ଅସମାନତା ଦୂର ହେବା ପାଇଁ କଲମ ଚଳଚଞ୍ଚଳ ହେଉଚି । ଗାଳ୍ପିକ ଜୀବନର ସମସ୍ତ ଅପରିପୂର୍ଣ୍ଣତାକୁ ଗଳ୍ପରେ ପ୍ରକାଶ କରୁଥିଲେ ବି ପୂର୍ଣ୍ଣତା ପାଇଁ ଉପାୟ ଖୋଜି ଚାଲିଛନ୍ତି । ଏହି ଅନ୍ୱେଷଣ ହିଁ ଗାଳ୍ପିକଙ୍କୁ ଯୋଗାଉଚି ଅଧିକରୁ ଅଧିକ ବିଷୟବସ୍ତୁ । ଜୀବନକୁ ସ୍ୱପ୍ନ ଓ କଳ୍ପନା ଆନନ୍ଦ ଦେଉଥିବା ବେଳେ ବାସ୍ତବ ପ୍ରତି ହେଉଛନ୍ତି ବେଶ୍‌ ସଚେତନ । ଏକଥା ସ୍ୱୀକାର୍ଯ୍ୟ, ଅଧୁନା ଓଡ଼ିଆ କ୍ଷୁଦ୍ରଗଳ୍ପ ଆମ ସମାଜର ଯାବତୀୟ ଜଟିଳ ସମସ୍ୟାଠାରୁ ଆରମ୍ଭ କରି ପ୍ରତ୍ୟେକ ମାନବର ଆବେଗପୂର୍ଣ୍ଣ ସମସ୍ୟା ପ୍ରତି ସମ୍ବେଦନଶୀଳ । ସେଥିଯୋଗୁ ପ୍ରଭାବଶାଳୀ ଗଳ୍ପ ଓ କାହାଣୀହୀନ ଗଳ୍ପର ପ୍ରାଚୁର୍ଯ୍ୟରେ ଭରି ଯାଇଚି ଆମ ଗଳ୍ପ ଜଗତ । ହୋଇପାରେ, ୧୯୮୦-୨୦୦୦ ମସିହା ମଧ୍ୟରେ ଅନେକ ନବୀନ ଗାଳ୍ପିକଙ୍କର ପ୍ରବେଶ ଓ ବରିଷ୍ଠ ଗାଳ୍ପିକଙ୍କର ସାଧନା ହିଁ ଆମ ଗଳ୍ପ ଜଗତକୁ ଦେଖାଇଛି ପ୍ରଚୁର ସମ୍ଭାବନା । ଏହି ସମ୍ଭାବନା ହିଁ ନିଶ୍ଚେ ନିର୍ଦ୍ଧାରଣ କରିବ ଆମ ସାରସ୍ୱତ ଭବିଷ୍ୟତ ।

Image

 

ଭବିଷ୍ୟତର ଗଳ୍ପ: ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ

ସହଦେବ ସାହୁ

 

ବହିଟିଏ ପଢ଼ିଲା ପୂର୍ବରୁ ଲେଖକଙ୍କ ସଂପର୍କରେ ପଢ଼, ଲେଖକଙ୍କ ସଂପର୍କରେ ପଢ଼ିଲା ପୂର୍ବରୁ ଲେଖକଙ୍କର ଯେଉଁ ସମାଜରେ ଜନ୍ମ ଏବଂ ଯେଉଁ ସମାଜରେ ସେ ବଢ଼ିଛନ୍ତି, ସେହି ସମାଜ ସଂପର୍କରେ ପଢ଼ । ଇତିହାସ ଓ ଐତିହାସିକଙ୍କ ଉପରେ କହିଛନ୍ତି ବିଶିଷ୍ଟ ଐତିହାସିକ ଓ ସମାଜବିଜ୍ଞାନୀ ଇ.ଏ. କାର୍‌ । ଯେକୌଣସି ବହି ଓ ଲେଖକଙ୍କ ପାଇଁ ଏହା ସତ୍ୟ । ମଣିଷ ସମାଜରେ ଜନ୍ମ ହୁଏ ଏବଂ ସମାଜ ଦ୍ୱାରା ମଣିଷର ବୌଦ୍ଧିକ ବିକାଶ ଘଟେ । ସମାଜ ବାହାରେ ଯଦି ମଣିଷ ଜନ୍ମରୁ ରହିଯାଆନ୍ତା, ତେବେ ସେ ମୂକ ହୋଇଯାଆନ୍ତା ଏବଂ ତା’ର ବୌଦ୍ଧିକ ମାନସ ସଂପୂର୍ଣ୍ଣ ଅବିକଶିତ ହୋଇ ରହନ୍ତା ।

ଲେଖକ ଅନ୍ୟ ମଣିଷ ପରି ସମାଜରେ ଜନ୍ମ ଏବଂ ସମାଜରେ ସେ ବଢ଼ି ବଡ଼ ହୁଏ । ସେ ଯେଉଁ ସମାଜରେ ରହେ ସେହି ସମାଜର କଥା କୁହେ, ସମାଜରେ ରହୁଥିବା ମଣିଷର କଥା, ସେହି ମଣିଷଙ୍କ ପାଇଁ କୁହେ । ସମାଜର ପ୍ରଚଳିତ ମୂଲ୍ୟବୋଧ ଦ୍ୱାରା ସେ ପ୍ରଭାବିତ । କିନ୍ତୁ ଲେଖକ ସାଧାରଣ ମଣିଷଠାରୁ ନିଶ୍ଚିତ ଟିକେ ଭିନ୍ନ । ସାଧାରଣ ମଣିଷ ସବୁକିଛି ଗ୍ରହଣ କରୁଥିଲାବେଳେ, ଲେଖକ ପାରେନି । ସେଥିପାଇଁ ସେ ଲେଖେ । ସମାଜ ଯେମିତି ଲେଖକକୁ ଗଢ଼େ, ତା’ର ବୌଦ୍ଧିକ ମାନସ, ଚିନ୍ତନକୁ ପ୍ରଭାବିତ କରେ, ଲେଖକ ମଧ୍ୟ ସମାଜକୁ ପ୍ରଭାବିତ କରେ । ଭବିଷ୍ୟତ ଓଡ଼ିଆ ଗଳ୍ପ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ଆଲୋଚନା କରିବା ପୂର୍ବରୁ ଆମେ ଅତୀତରେ ଲେଖା ହୋଇଥିବା ଗଳ୍ପ ଉପରେ ଦୃଷ୍ଟି ପକେଇବା । ବର୍ତ୍ତମାନକୁ ବୁଝିବାକୁ ହେଲେ ଜଣକୁ ଇତିହାସ ପଢ଼ିବାକୁ ହୁଏ, ବର୍ତ୍ତମାନକୁ ବୁଝିପାରିଲେ ଭବିଷ୍ୟତ ଉପରେ ଧାରଣା କରିହୁଏ ।

ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପ ‘ରେବତୀ’ ଲେଖା ହୋଇଥିଲା ଊନବିଂଶ ଶତାବ୍ଦୀର ଶେଷ ବେଳକୁ, ୧୮୯୮ ମସିହାରେ । ‘ରେବତୀ’ ଗଳ୍ପର ତିନିଟି ବୈଶିଷ୍ଟ୍ୟ ଲକ୍ଷ୍ୟ କରାଯାଇପାରେ: ଜାତିପ୍ରଥା, ନାରୀ-ପୁରୁଷ ସଂପର୍କ, ନାରୀଶିକ୍ଷା ।

 

୧. ରେବତୀର ବିବାହ ପ୍ରସଙ୍ଗରେ ଶ୍ୟାମବନ୍ଧୁଙ୍କ ମା’ କୁହନ୍ତି,

 

ଧନ ଦଉଲତ ନାହିଁ ବିଚାର

ଜାତି କଥାଟା ଆଗେ ପଚାର ।

 

୨. ନାରୀ-ପୁରୁଷ ସଂପର୍କ ବା ପ୍ରେମ ଲେଖକ ଏମିତି ଦର୍ଶାଇଛନ୍ତି, ଏଣିକି ବାସୁ ପଢ଼ାଇଦେଲେ, ରେବି କେତେବେଳେ ତୁନିତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ, ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳେଇଯାଏ । ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଚାହିଁଥାଏ । ବାସୁ ଆସିଲେ ଘରକୁ ପଳାଏ, ପାଞ୍ଚ ଡାକରେ ବାହାରେ ନାହିଁ ।

 

୩. ଯେତେବେଳେ ମହାମାରୀରେ ଶ୍ୟାମବନ୍ଧୁଙ୍କ ବଂଶ ବୁଡ଼ିଯାଏ, ବାସୁଦେବ ବି ବାଡ଼ିରେ ଚାଲିଯାଏ, ଶ୍ୟାମବନ୍ଧୁଙ୍କ ମା’ ଦୋଷ ଦିଅନ୍ତି ରେବିର ପାଠପଢ଼ାକୁ । କହନ୍ତି, ରେବି ପାଠ ପଢ଼ିଲାରୁ ବଂଶ ବୁଡ଼ିଲା, ବାସୁଦେବ ରେବିକୁ ପାଠ ପଢ଼େଇଲାରୁ ସେ ବାଡ଼ିରେ ଗଲା ।

 

ଗୋଦାବରୀଶ ମହାପାତ୍ରଙ୍କ ‘ନୀଳ ମାଷ୍ଟରାଣୀ’ର ଲେଖା ୧୯୫୫-୫୬ ବେଳକୁ ‘ରେବତୀ’ଠାରୁ ପାଖାପାଖି ଷାଠିଏ ବର୍ଷ ପରେ । ସ୍ୱାଧୀନତା ସଂଗ୍ରାମର ପ୍ରଭାବ, ଶିକ୍ଷାର ପ୍ରସାର ଘଟିଛି । ନାରୀଶିକ୍ଷା ପ୍ରତି ବିରୋଧ ମନୋଭାବ ନାହିଁ । ନୀଳ ପାଠ ପଢ଼ିଛି, ପାଠ ପଢ଼ି ମାଷ୍ଟରାଣୀ ହୋଇଛି । ନୀଳର ପାଠପଢ଼ାକୁ କେହି ବିରୋଧ କରିନାହାନ୍ତି, ନୀଳ ମାଷ୍ଟରାଣୀ ହେଲାରୁ ବୁଢ଼ାମାନେ ନିନ୍ଦା କରିଛନ୍ତି, ଯୁବକମାନେ ପ୍ରଶଂସା କରିଛନ୍ତି । କିନ୍ତୁ ବ୍ରାହ୍ମଣଘର ଝିଅ ନୀଳ ମଦନ ସେଠୀକୁ ବାହା ହୋଇଗଲା ପରେ ଖାଲି ନିଜ ଗାଁରେ ନୁହେଁ, ପାଖାପାଖି ଗାଁରେ ତା’ର ନିନ୍ଦା ହୋଇଛି, ସେ ଜାତିରୁ ବାସନ୍ଦ ହୋଇଛି । ବାପାମା’ ଚାଲିଗଲା ପରେ ନିଜେ ମଣିଷ କରିଥିବା ନିଜ ଭାଇର ବାହାଘରକୁ ବି ସେ ଯାଇପାରିନି । ପଡ଼ିଶାଘରୁ ନିଜ ଭାଉଜର ବଉଳପାଟ ଆଣି ନିଜେ ସଫା କରି ରଖିଛି, ଅଭିମାନରେ କହିଛି ଭାଇ ନ ଆସିଲେ ସେ ଲୁଗା ଦେବନି । ଭାଇ ଆସିଛି, କିନ୍ତୁ ରାତିରେ । ନୀଳ କହୁଛି, ‘‘ମୁଁ ଚାଲି ଆସିଲି ବୋଲି ତୁ ଚାଲି ଆସିଲୁ ? ଲୋକେ ବୋଲିବେ କ’ଣ ? ତୁ ମଧ୍ୟ କୁଳରେ କଳଙ୍କ ଲଗେଇଲୁ ?’’

 

ଜଗନ୍ନାଥ ପ୍ରସାଦ ଦାସଙ୍କର ଗଳ୍ପ ‘ରାଧା’ ପ୍ରକାଶ ପାଇଥିଲା ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ, ‘ନୀଳ ମାଷ୍ଟରାଣୀ’ଠାରୁ ତିରିଶ-ପଇଁତିରିଶ ବର୍ଷ ପରେ । ରାଧା ବିବାହିତା, ତା’ର ସୁଖ ସଂସାର । ସ୍ୱାମୀ ଅଭୟଙ୍କ ପ୍ରତି ତା’ ଭଲ ପାଇବାର ଊଣା ନ ଥାଏ, ତା’ ସହିତ ବିବାହ ବାହାରେ ତା’ର ସୁମିତ ସହିତ ସଂପର୍କ । ସ୍ୱାମୀ ଅଭୟ ଓ ପ୍ରେମିକ ସୁମିତଙ୍କୁ ସେ ସମଭାବରେ ଭଲ ପାଏ । ନିଜର ସମାଜସେବା ସଂସ୍ଥାର ଉପଦେଷ୍ଟା ପଦରେ ସୁମିତକୁ ରଖି ସେହି ଆଳରେ ସ୍ୱାମୀଙ୍କ ଅଗୋଚରରେ ସୁମିତ ସହ ଅବାଧରେ ମିଳାମିଶା କରିବାର ସୁଯୋଗ ପାଏ । ଯେତେବେଳେ ସୁମିତ ତା’ର ସ୍ୱାମୀକୁ ଛାଡ଼ପତ୍ର ଦେଇ ତାକୁ ବିବାହ କରିବାକୁ ପ୍ରସ୍ତାବ ଦିଅନ୍ତି ରାଧା ମନା କରେ । ସୁମିତ କୁହନ୍ତି, ରାଧା ଦୁଶ୍ଚରିତ୍ରା ନୁହେଁ, ରାଧା ଦେବୀ । ଦେବୀ କେବେ କାହାର ଜଣଙ୍କର ହୋଇପାରିବ ନାହିଁ, ଦେବୀ ସମସ୍ତଙ୍କର ।

 

ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ପ୍ରକାଶିତ ଗଳ୍ପ ‘ସହବାସ’ । ସୁବ୍ରତ ଓ ଅନୁପମା ଦୁହେଁ ଉଚ୍ଚଶିକ୍ଷିତ, ଦୁହେଁ ଗୋଟିଏ କମ୍ପାନି ପାଇଁ କାମ କରନ୍ତି । ଦୁହେଁ ବିବାହ ନ କରି ଗୋଟିଏ ଫ୍ଲାଟ୍‌ରେ ରହୁଛନ୍ତି ତିନିଟି ସର୍ତ୍ତରେ:

 

୧. କମ୍ପାନି ଦୁଇଜଣଙ୍କ ପାଇଁ ଦୁଇଟି ଫ୍ଲାଟ୍‌ର ଭଡ଼ା ନେଉଛି । ଯେହେତୁ ଦୁହେଁ ଗୋଟିଏ ଫ୍ଲାଟ୍‌ରେ ରହୁଛନ୍ତି, ଅନ୍ୟ ଫ୍ଲାଟ୍‌ ବାବଦକୁ ମିଳୁଥିବା ଭଡ଼ା ଦୁହେଁ ଦିହିଁଙ୍କ ପାଇଁ ଖର୍ଚ୍ଚ କରିବେ ।

 

୨. ସେମାନେ ବିବାହ କରିବେ ନାହିଁ ।

 

୩. ଯେତେବେଳେ ଜଣେ ଚାହିବ ଅଲଗା ହୋଇଯିବେ । ଅନ୍ୟ ଜଣେ ପ୍ରତିରୋଧ କରିବ ନାହିଁ କିମ୍ବା କୌଣସି ପ୍ରକାର ପ୍ରତିବନ୍ଧକ ହେବ ନାହିଁ ।

 

‘ରେବତୀ’ଠାରୁ ‘ସହବାସ’ର ଦୂରତ୍ୱ ଏକଶହ ଦଶବର୍ଷ । ‘ରେବତୀ’ ଗଳ୍ପରେ ବାସୁକୁ ଦେଖି ରେବତୀ ଘର ଭିତରକୁ ପଳାଏ, ପାଞ୍ଚ ଡାକରେ ଆସେ ନାହିଁ । କିନ୍ତୁ ସୁବ୍ରତ ଓ ଅନୁପମା, ଦୁହେଁ ଉଚ୍ଚଶିକ୍ଷିତ, ଚାକିରିଜୀବୀ, ବିବାହ ନ କରି ଗୋଟିଏ ଘରେ ରୁହନ୍ତି । ସମାଜ ନାକ ଟେକେ ନାହିଁ ।

 

ରାଜନୀତି ଓ ଅର୍ଥନୈତିକ କ୍ରିୟାକଳାପ, ସାମାଜିକ ଚଳଣି, ମୂଲ୍ୟବୋଧ ବା ସଂସ୍କୃତିର ଏକ ଅଂଶ, ଏହା ଅଲଗା ହୋଇ ନ ଥାଏ । ଅର୍ଥନୈତିକ ପ୍ରଗତି ସାମଗ୍ରିକ ମଙ୍ଗଳ ପାଇଁ ହେଲେ ବି କିଛି ଲୋକେ ପରିବର୍ତ୍ତନ ସହିତ ଖାପ ଖୁଆଇ ପାରନ୍ତି ନାହିଁ, ଯେମିତି ସହରଟିଏ ଉଜୁଡ଼ି ନୂଆ ସହରଟିଏ ବସିଲେ ପୁରୁଣା ସହରର କେତେକ ନୂଆ ସହରରେ ସ୍ଥାନ ପାଆନ୍ତି ନାହିଁ । ଅଗ୍ରଗତି ପଥରେ ଚାଲି ନ ପାରି ଟଳି ପଡ଼ୁଥିବା ମଣିଷ ହିଁ ଲେଖକର ଦୃଷ୍ଟିରେ ପଡ଼େ, ହାରିଯାଉଥିବା ମଣିଷ ପ୍ରତି ଲେଖକର ଦରଦ । ଏହି ପରିପ୍ରେକ୍ଷୀରେ ସ୍ୱାଧୀନତା ପ୍ରାପ୍ତି ପରେ ପରେ ଅର୍ଥନୈତିକ ବିକାଶର ପ୍ରାରମ୍ଭରେ ଲେଖା ଗୋଦାବରୀଶ ମହାପାତ୍ରଙ୍କର ‘ମାଗୁଣିର ଶଗଡ଼’ ଓ ଅନନ୍ତ ପ୍ରସାଦ ପଣ୍ଡାଙ୍କର ‘ଗୋପୀ ସାହୁର ଦୋକାନ’ । ଯେତେବେଳେ ସହରକୁ ବସ୍‌ ଆସିଲା ମାଗୁଣିର ଶଗଡ଼ରେ ଲୋକେ ବସିଲେ ନାହିଁ । ଯେତେ ନୂଆ ଅଖାର ଗଦି ପକେଇଲେ ମଧ୍ୟ ଲୋକେ ଧାଇଁଲେ ବସ୍‌ ଆଡ଼କୁ । ମାଗୁଣିର ମୃତ୍ୟୁ ଘଟେ । ଗୋପୀ ସାହୁର ବେଉସା ବୁଡ଼ିଯାଏ । ବଞ୍ଚିବାକୁ ଗୋପୀ ସାହୁକୁ ଭିକ ମାଗିବାକୁ ପଡ଼େ ।

 

ଏବେ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ଚାଲିଛି । ଶିଳ୍ପାୟନ ସହିତ ବିସ୍ଥାପନ ସମସ୍ୟା । କିଛି ଶିଳ୍ପାୟନକୁ ସମର୍ଥନ କରୁଥିଲାବେଳେ କିଛି ବିରୋଧ କରୁଛନ୍ତି । ଏହି ପୃଷ୍ଠଭୂମିରେ ସରୋଜିନୀ ସାହୁଙ୍କ ଗଳ୍ପ ‘ଅଛି’, ଗୋଟିଏ କିଶୋରୀର ଦୃଷ୍ଟିରେ କୁହାଯାଇଛି ଗଳ୍ପଟି । ଫ୍ୟାକ୍‌ଟ୍ରି ବସିବ, ଗାଁ ଉଠିଯିବ । ଗାଁରେ ଦୁଇ ଦଳ, ଫ୍ୟାକ୍‌ଟ୍ରି ସପକ୍ଷରେ ଏବଂ ବିପକ୍ଷରେ । ସଂଘର୍ଷ । ସଂଘର୍ଷରେ କିଶୋରୀଟି ହରେଇଛି ତା’ର ମା’ ଓ ନାନୀକୁ ।

 

ଏବେ ବି ଓଡ଼ିଶାରେ ଷାଠିଏ ପ୍ରତିଶତରୁ ଅଧିକ ଲୋକ ନିର୍ଭର କରନ୍ତି କୃଷି ଉପରେ, ଦଶ ପ୍ରତିଶତ ପାଖାପାଖି ଲୋକେ ଶିଳ୍ପ ସହିତ ଜଡ଼ିତ । ଓଡ଼ିଶାର ଅଧିକାଂଶ ଲେଖକ ଗାଁ ଛାଡ଼ି ସହରରେ ରୁହନ୍ତି । ଶିଳ୍ପାୟନ ଓ ସହରର ଆବେଗହୀନ, ଭାବାବେଗ ରହିତ ଜୀବନ ଲେଖକଙ୍କୁ ଅତୀତପ୍ରବଣ, ଗ୍ରାମ୍ୟମନସ୍କ କରିପକାଏ । ଗାଁ ମଧ୍ୟ ପରିବର୍ତ୍ତନର ପ୍ରଭାବରୁ ମୁକ୍ତ ହୋଇ ରହିନାହିଁ-। ଗୌରହରି ଦାସଙ୍କର ‘ଶେଷଇଚ୍ଛା’ ଗଳ୍ପର ଉଦାହରଣ ନିଆଯାଇପାରେ । ଅନନ୍ତର ବାପା ହିଁ ଅନନ୍ତକୁ ଭାଗବତ ପଢ଼ିବାକୁ ଶିଖେଇଥିଲା, ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ଲୋକଙ୍କ ପାଖରେ ବସି ଭାଗବତର ଅମୃତବାଣୀ ଶୁଣେଇବାକୁ ବାଧ୍ୟ କରିଥିଲା । କିନ୍ତୁ ବାପପୁଅ ଦୁହେଁ ଲକ୍ଷ୍ୟ କରନ୍ତି ଆସ୍ତେ ଆସ୍ତେ ମଣିଷର ମନୋଭାବ ବଦଳି ଯାଉଛି । କୋଉଠି ଅଚେତ ବୁଢ଼ାରୋଗୀ ପାଖରେ ନାତୁଣୀ ତା’ ପ୍ରେମିକ ସହିତ ଅସଂଯତ ବ୍ୟବହାର କଲାଣି ତ, କୋଉଠି ବାପା ମୃତ୍ୟୁ ଶଯ୍ୟାରେ ପଡ଼ିଥିଲାବେଳେ ସଂପତ୍ତିକୁ ନେଇ ପୁଅଙ୍କ ଭିତରେ କଳିଝଗଡ଼ା, ବାପାଙ୍କ ମୃତ୍ୟୁ ସମୟରେ ପୁଅମାନେ ଥାନାରେ । ନିଜ ବାପା ମୃତ୍ୟୁ ଶଯ୍ୟାରେ ପଡ଼ିଲାବେଳକୁ ଅନନ୍ତ ଭାଗବତ ପଢ଼ିବାକୁ ଗଲାବେଳେ ବାପା ପୁଅକୁ ବାରଣ କରୁଛି ।

 

ରାଜନୈତିକ ଗଳ୍ପଲେଖା ମୁଖ୍ୟତଃ ସ୍ୱାଧୀନତା ପ୍ରାପ୍ତି ପରେ । ସ୍ୱାଧୀନତା ସଂଗ୍ରାମର ଆଦର୍ଶରେ ଅନୁପ୍ରାଣିତ ମଣିଷ ସ୍ୱାଧୀନତା ପ୍ରାପ୍ତି ପର ରାଜନେତାଙ୍କ ବ୍ୟବହାର ଓ କାର୍ଯ୍ୟକଳାପରେ ନିରାଶ ହୋଇଛି । ମନୋଜ ଦାସଙ୍କର ‘‘ଓଟ’ ଓ ‘‘ଷ୍ଟାଚ୍ୟୁ’ । ଶିବକୁମାର ଯୁବାବସ୍ଥାରେ ସ୍ୱାଧୀନତା ସଂଗ୍ରାମ ସମୟରେ ଏକ ବିପ୍ଳବୀ ସଂଗଠନରେ ଯୋଗଦେଇ ପରେ ଧରାପଡ଼ି ଦ୍ୱିପାନ୍ତରିତ ହୋଇଥିଲେ । ସ୍ୱାଧୀନତା ପରେ ତାଙ୍କ ପୁଅ ରାଜନୀତି କରି ହୋଇଛନ୍ତି ମନ୍ତ୍ରୀ । ରାଜନୀତିର ଶଠତା ଓ ପ୍ରତାରଣା ତାଙ୍କୁ ବ୍ୟଥିତ କରିଛି । ସ୍ୱାଧୀନତା ସଂଗ୍ରାମୀ ହିସାବରେ ତାମ୍ରଫଳକ ଗ୍ରହଣ କଲା ବେଳକୁ ସେ ମାନସିକ ଭାରସାମ୍ୟ ହରାଇଛନ୍ତି । ନିଜ ନାତିକୁ ସେ କହିଛନ୍ତି, ‘‘ମତେ ତ ସେମାନେ ଫଳକ ଧରାଇ ଠକିଦେଲେ-ମୁଁ ଅତୀତ । କିନ୍ତୁ ତୁ ? ସାମାନ୍ୟ ଚକୋଲେଟ୍‌ରେ ଠକିହେଲୁ ତୁ ହତଭାଗା ?’’

 

ଆସ୍ତେ ଆସ୍ତେ ରାଜନୀତି ହିଂସ୍ର ହେଉଛି, ଧର୍ମ ସାଂପ୍ରଦାୟିକତା ନାମରେ ହିଂସା ସଂଗଠିତ କରାଯାଉଛି । ତାହା ପ୍ରତିଫଳିତ ହୋଇଛି ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ‘ଲାଲ ରଙ୍ଗର ଖେଳ’ରେ । ବାଗୁନ ନିଜ ଗାଁ ଓ ଗାଁ ପାଖ ଜଙ୍ଗଲ ଛାଡ଼ି ଚାଲିଯାଇଥିବ ଖଣି-ଖାଦାନରେ କାମ କରିବାକୁ, ପୁଅ ସନାତନ ସେତେବେଳେ ଛୋଟ ଥିବ । ବାଗୁନକୁ ଖାଦାନର ଧୂଳିରେ ହୋଇଛି ଶ୍ୱାସ ଓ ଯକ୍ଷ୍ମା । ସେ ପୁଅ ସନାତନକୁ କହିଥିବ ଗାଁକୁ ଫେରିଯିବାକୁ । ସନାତନ, ତା’ ସ୍ତ୍ରୀ ଗୁରୁବାରୀ ଗାଁକୁ ଫେରି ଆସିଥିବେ । ଫରେଷ୍ଟ୍‌ ବାବୁଙ୍କୁ ଲାଞ୍ଚ ଦେଇ ଜଙ୍ଗଲରୁ କାଠ ଆଣି କୁଡ଼ିଆଟିଏ କରିଥିବେ । ଗୁରୁବାରୀର ପୁଅଟିଏ ହୋଇଛି । ପୁଅକୁ ଦୁଇମାସ ହେଲା ବେଳକୁ ଧର୍ମ ନାମରେ ସାଂପ୍ରଦାୟିକ ଦଙ୍ଗା ହୋଇଛି । ଦୁଇମାସ ଛୁଆକୁ କାଖରେ ଧରି ଗୁରୁବାରୀ ଓ ସନାତନ ପାହାଡ଼କୁ ଚାଲିଯାଇଛନ୍ତି । କିନ୍ତୁ ହିଂସ୍ରଲୋକେ ତାକୁ ପିଛା କରିଛନ୍ତି । ସେମାନେ ପାହାଡ଼ର ପଥର ପଛରେ ଲୁଚିଥିଲାବେଳେ ଦୁଇ ମାସର ପୁଅଟି କାନ୍ଦିଥିବ । ଧରାପଡ଼ିଯିବା ଭୟରେ ଗୁରୁବାରୀ ପୁଅର ମୁହଁକୁ ଚାପି ଧରିଥିବ । କିଛି ମୁହୂର୍ତ୍ତ ପରେ ସେ ପୁଅର ମୁହଁରୁ ହାତ ଉଠେଇଥିବ, କିନ୍ତୁ ଆବିଷ୍କାର କରୁଥିବ ପୁଅର କାନ୍ଦ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ତାଙ୍କର କୁଡ଼ିଆଟିକୁ ବି ହିଂସ୍ରଲୋକେ ଜାଳି ଦେଇଥିବେ ।

 

ପରେଶ କୁମାର ପଟ୍ଟନାୟକଙ୍କର ‘ମୁଖ୍ୟ ମନ୍ତ୍ରୀଙ୍କ କୁକୁର’, ‘ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କୁକୁର’ ଆଦି ସାଂପ୍ରତିକ ରାଜନୀତିକୁ ନେଇ ବ୍ୟଙ୍ଗଗଳ୍ପ । ମୁଖ୍ୟମନ୍ତ୍ରୀ ନିଜ କୁକୁରର ପରାମର୍ଶ ନେଇ ରାଜ୍ୟ ପାଇଁ ନିଷ୍ପତ୍ତି ନେଉଥିବେ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କୁକୁରକୁ ସନ୍ତୁଷ୍ଟ ନ କଲେ ମନ୍ତ୍ରୀ ନିଜେ ସନ୍ତୁଷ୍ଟ ହେଉ ନ ଥିବେ ।

 

Alvin Tofler ଙ୍କ ବହି ‘Future Shock’ ପ୍ରକାଶ ପାଇଥିଲା ୧୯୭୦ ମସିହାରେ । ସେତେବେଳେ ବହିଖଣ୍ଡିକ ବେଶ୍‌ ଚର୍ଚ୍ଚିତ ହୋଇଥିଲା । ଏକ ନୂଆ ଓ ସଂପୂର୍ଣ୍ଣ ଭିନ୍ନ ସଂସ୍କୃତି କେମିତି ହଠାତ୍‌ ଏକ ସଂସ୍କୃତି ଉପରେ ଲଦି ହୋଇପଡ଼ିଛି, ସ୍ୱଳ୍ପ ସମୟ ଭିତରେ ଅନେକ ଗୁଡ଼ିଏ ପରିବର୍ତ୍ତନର ସାମ୍‌ନା କରିବା ଫଳରେ କେମିତି ମାନସିକ ଚାପ ମଣିଷ ଉପରେ ପଡ଼ୁଛି ଏବଂ ମଣିଷକୁ ଅବ୍ୟବସ୍ଥିତ କରିପକାଉଛି । ୧୯୭୦ ମସିହା ବେଳକୁ ଏ ବହିଟି ପ୍ରକାଶ ପାଇଲାବେଳେ ମୋବାଇଲ୍‌ ଫୋନ୍‌, ଇଣ୍ଟର୍‌ନେଟ୍‌, ଫେସ୍‌ବୁକ୍‌ ପରି ସାମାଜିକ ନେଟ୍‌ୱାର୍କ ନ ଥିଲା-। ଏବେ ବିଶ୍ୱ ଖୁବ୍‌ ସଙ୍କୁଚିତ ହୋଇଯାଇଛି । ଏବେ ବୈଠକଘରେ ବସି ଟିଭି ସାମ୍ନାରେ ସବୁ ସଂସ୍କୃତିକୁ–ଆଫ୍ରିକାର ଆଦିମ ଅଧିବାସୀ ସଂସ୍କୃତିଠାରୁ ଆମେରିକା ବା ଇଂଲଣ୍ଡ ପରି ବିକଶିତ ରାଷ୍ଟ୍ରର ସଂସ୍କୃତି ପର୍ଯ୍ୟନ୍ତ–ଗାଁର ଅପଢ଼ୁଆ ସ୍ତ୍ରୀଟି ବି ସାମ୍‌ନା କରୁଛି । ବାରାକ୍‌ ଓବାମା ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେଲା ପରେ ମଫସଲରୁ ଆସି ସହରରେ ପଢ଼ୁଥିବା ପିଲାଟି ଆଶଙ୍କା କରୁଛି ହୁଏତ ଓବାମା ଆଉଟ୍‌ସୋର୍ସିଂ ବା ଦେଶ ବାହାରୁ ଶ୍ରମ ନିୟୋଜନ ବନ୍ଦ କରିଦେଇପାରନ୍ତି ଏବଂ ସେ ହୁଏତ ଆଶାନୁରୂପକ ଚାକିରି ଖଣ୍ଡେ ପାଇ ନ ପାରେ । ଇରାନ୍‌ ଉପରେ ଆମେରିକା ଅର୍ଥନୈତିକ କଟକଣା ବସେଇଲେ ଓଡ଼ିଶାର ମଧ୍ୟବିତ୍ତ ପରିବାରର ଗୃହିଣୀ ଜାଣୁଛି ହୁଏତ ରନ୍ଧନ ଗ୍ୟାସ୍‌ର ଦର ବଢ଼ିପାରେ ଏବଂ ପରିବାରର ସୀମିତ ସମ୍ବଳ ଭିତରେ ଘର ଖର୍ଚ୍ଚ ତୁଲେଇବା କଷ୍ଟ ହୋଇପାରେ । ଏବେ ହୁଏତ ଶ୍ୟାମବନ୍ଧୁଙ୍କ ମା’ ବିବାହ ନ କରି ଯୁବକ ଯୁବତୀ ଗୋଟିଏ ଘରେ ରହୁଥିବା ଶୁଣିଲେ ତା’ର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯିବନି ।

 

ଏବେ ଓଡ଼ିଶାରେ ଷାଠିଏ ପ୍ରତିଶତରୁ ଅଧିକ ଲୋକେ କୃଷି ଉପରେ ନିର୍ଭର କରୁଥିଲାବେଳେ କାନାଡା, ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ ପରି ବିକଶିତ ରାଷ୍ଟ୍ରରେ ଦୁଇ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭର କରନ୍ତି । ସେହି ଦୃଷ୍ଟିରୁ ବେଶ୍‌ କେତେ ଦଶନ୍ଧି ଆମ ଦେଶରେ ଶିଳ୍ପାୟନ ଚାଲୁ ରହିବ ଏବଂ ତା’ ସହିତ ସଂଘର୍ଷ ଓ ବିସ୍ଥାପନ ସମସ୍ୟା । ନିକଟ ଭବିଷ୍ୟତରେ ରାଜନୀତି କଳଙ୍କମୁକ୍ତ, ନିର୍ମଳ ହେବାର ସମ୍ଭାବନା ଦିଶୁନାହିଁ । ଭବିଷ୍ୟତ ଓଡ଼ିଆ ଗଳ୍ପରେ ଏସବୁର ପ୍ରଭାବ ରହିବ ।

Image

 

ଦୁଇଟି ପଞ୍ଚାୟତ, ଦଶଟି ଗାଁ: ଭବିଷ୍ୟତର ଓଡ଼ିଆ ଗଳ୍ପରେ ଉଦାରୀକରଣ ଓ ସ୍ଥାନୀୟତାବାଦ

ଦେବପ୍ରସାଦ ଦାଶ

 

ଦୁଇଟି ପଞ୍ଚାୟତ, ଦଶଟି ଗାଁ

 

କ’ଣ ସ୍ୱାତନ୍ତ୍ର୍ୟ ଏମିତି ଏକ କ୍ଷୁଦ୍ର ଅଞ୍ଚଳର ? ହୁଏତ ବିଶ୍ୱ-ଭୂଗୋଳରେ ଏଡ଼େ କ୍ଷୁଦ୍ର ଅଞ୍ଚଳ ସଂପୂର୍ଣ୍ଣ ଅର୍ଥହୀନ ଓ ଅଯଥା । ଏଠିକାର ସାଧାରଣ ଲୋକମାନେ ବହୁ ପୁରୁଷ ଧରି ଲଢ଼ି ଆସିଛନ୍ତି ପ୍ରକୃତି, ଦୁର୍ଭାଗ୍ୟ ଓ ଦାରିଦ୍ର୍ୟ ସହିତ ।

 

କେହି ଯୁଝନ୍ତି ମୁଠାଏ ଧାନ ଫସଲ ପାଇଁ । କେହି ଜୀବନକୁ ବାଜି ଲଗାନ୍ତି ଆଞ୍ଜୁଳାଏ ମୀନ (ମାଛ) ପାଇଁ । ଆଉ କେତେଜଣ ଝାଳ ନିଗାଡ଼ି, ସୁରକ୍ଷା ଦେବାର ଚେଷ୍ଟା କରନ୍ତି କେତୋଟି ପାନ ପତ୍ରକୁ । ଧାନ, ପାନ ଓ ମୀନ–ସେମାନଙ୍କ ଭାଗ୍ୟରେଖା ଓ କପାଳଲିଖନ ସାଜି ଆସିଛି ବର୍ଷ ବର୍ଷ ଧରି । ଇତିହାସରେ ସେମାନେ କେବେ ଗୁରୁତ୍ୱପୂର୍ଣ୍ଣ ନ ଥିଲେ । ବର୍ତ୍ତମାନ ମଧ୍ୟ ସେମାନଙ୍କୁ କେହି ପଚାରନ୍ତି ନାହିଁ ।

 

କିନ୍ତୁ ହଠାତ୍‌ ଦିନେ ସେମାନଙ୍କ ଭାଗ୍ୟର ଫଇସଲା ଅନ୍ୟମାନେ କରିଦେଲେ, ସେମାନଙ୍କ ସଂସ୍ପର୍ଶରେ କେବେ ଆସି ନ ଥିବା କିଛି ଲୋକ । କିଏ ଏମାନେ ଯେଉଁମାନେ ଏହି ସାଧାରଣ, ନିରୀହ, ଅଯଥା, ଅଦରକାରୀ ଲୋକଙ୍କ ବିଧାତା ବନିଗଲେ ଅଚାନକ ? କିଏ ଏମାନେ–ତଥାକଥିତ ଜନପ୍ରତିନିଧି, ପ୍ରଶାସକ, ବ୍ୟବସାୟୀ, ଦଲାଲ ନା ବ୍ୟବସ୍ଥା ?? କିଏ ଏହି ସ୍ୱ-ନିୟୋଜିତ ଅଭିଭାବକ ଗୋଷ୍ଠୀ ଯେଉଁମାନେ ଅଚାନକ ଏମାନଙ୍କ ଜୀବନକୁ ମୂଳୋତ୍ପାଟନ କରିଦେବା ପାଇଁ ନିଷ୍ପତ୍ତି ନେଇଗଲେ ?? କିଏ ଦେଲା ଏମାନଙ୍କୁ ଏହି ଅଧିକାର ??

 

ଏହି ଦୁଇଟି ପଞ୍ଚାୟତ ଓ ଦଶଟି ଗାଁର ଲୋକେ ହଠାତ୍‌ ଦେଖିଲେ ଏକ ବିରାଟ ‘ଆଁ’ ତାଙ୍କ ଆଡ଼କୁ ମାଡ଼ି ଆସୁଛି । ସର୍ବଗ୍ରାସୀ ଏହି ‘ଆଁ’, ସବୁକିଛିକୁ ଗିଳିଦେବ । ଭିଟାମାଟି, ଅନ୍ତୁଡ଼ିଶାଳ, ମଶାଣିଭୂଇଁ, ଶ୍ରମ, ସ୍ୱେଦ, ପ୍ରେମ, ସଂପର୍କ ଓ ଜୀବନ !

 

ସ୍ତବ୍‌ଧ, ଚକିତ, ସବୁବେଳେ ନିରବ ରହିଥିବା ଲୋକମାନେ ବିନା ଅସ୍ତ୍ରରେ ପ୍ରତିବାଦ କରିବାକୁ ଏକଜୁଟ ହେଲେ । ପିଲା, ବୁଢ଼ା, ସ୍ତ୍ରୀ, ଶିଶୁ ଶୋଇ ରହିଲେ ଉତ୍ତପ୍ତ ବାଲି ଉପରେ ସବୁଠୁ ଶକ୍ତିଶାଳୀ ସାମ୍ରାଜ୍ୟବାଦୀ ଶକ୍ତି ଓ ସାମର୍ଥ୍ୟ ବିରୋଧରେ । ହାତରେ ହାତ ଛନ୍ଦିଦେଲେ, ଗୋଟିଏ ନିବୁଜ କାନ୍ଥ ତିଆରି ହେଇଗଲା, ‘‘ଭିତରକୁ ପ୍ରବେଶ କରିବାର ଅଛି ତ ଆମ ଛାତି ଉପରେ ପାଦ ରଖି ଯାଅ ।’’ ଯେଉଁମାନେ ଚିରଦିନ ଅଲୋଡ଼ା, ଅଶୁଣା ଥିଲେ, ସେମାନେ ହେଇଗଲେ ପ୍ରତ୍ୟେକ ଖବରକାଗଜର ହେଡ୍‌ଲାଇନ୍‌ । ପ୍ରତ୍ୟେକ ନ୍ୟୁଜ୍‌ ଚ୍ୟାନେଲ୍‌ର ବ୍ରେକିଂ ନ୍ୟୁଜ୍‌ ।

 

ଭାରତରେ ଉଦାରୀକରଣ ଓ ପୁଞ୍ଜିବାଦର ସବୁଠାରୁ ବଡ଼ ପ୍ରତୀକ ବିରୋଧରେ ଦୁଇଟି ପଞ୍ଚାୟତ ଓ ଦଶଟି ଗାଁ ! ଇଏ ଏକ ନିହାତି ଅସମାନ ଯୁଦ୍ଧ । ହୁଏତ ଇଏ ଏକ ଯୁଦ୍ଧ ହିଁ ନୁହେଁ । କିନ୍ତୁ ତୃତୀୟ ବିଶ୍ୱ (?)ର କୌଣସି ଦେଶରେ ଆଜି ପର୍ଯ୍ୟନ୍ତ ପ୍ରସ୍ତାବିତ ସର୍ବବୃହତ୍‌ ପୁଞ୍ଜିନିବେଶ ଅଟକି ଯାଇଛି ଏଡ଼ିକି ଟିକିଏ ଭୂଗୋଳ ପାଇଁ ! ଢିଙ୍କିଆ ଓ ଗୋବିନ୍ଦପୁର ଦୃଷ୍ଟାନ୍ତ ପାଲଟି ଯାଇଛନ୍ତି ଉଦାରୀକରଣ ବିରୋଧରେ କାନ୍ଥଟିଏ ହୋଇ । ଏ ‘କାନ୍ଥ’ ଅନେକ କାହାଣୀ କହେ । ଏ କାନ୍ଥ ଏବେ ଏକ ପ୍ରତୀକ ଉଦାରୀକରଣ ଓ ସ୍ଥାନୀୟତାବାଦର, ପାରସ୍ପରିକ ବିଭେଦର ।

 

ଗୋପାଳପୁର, ନିୟମଗିରି, ଖଣ୍ଡାଧାର– ଏ ତାଲିକା ଦୀର୍ଘରୁ ଦୀର୍ଘତର ହେଇପାରେ । କାନ୍ଥ ଭାଙ୍ଗିବାର ପ୍ରୟାସ ହୋଇଥିଲା କଳିଙ୍ଗ ନଗରୀରେ । ବ୍ୟବସ୍ଥାର ଗୁଳି ଆଗରେ ପ୍ରତିବାଦ କରୁଥିବା ମଣିଷମାନେ କେତୋଟି ‘ପାପୁଲିରେ ବା ଆଙ୍ଗୁଠି’ରେ ରୂପାନ୍ତରିତ ହେଇଯାଇଥିଲେ । ଜୀବନର କି ମୂଲ୍ୟ ଅଛି ଉଦାରୀକରଣର ସର୍ବଗ୍ରାସୀ ଜିହ୍ୱା ପାଖରେ ?

 

ଉଦାରୀକରଣ

 

ସରକାରୀ ନିୟନ୍ତ୍ରଣ ଓ କଟକଣାରୁ ମୁକ୍ତ ଏକ ଅର୍ଥନୈତିକ ବ୍ୟବସ୍ଥା ଯାହା ଘରୋଇ ପ୍ରତିଷ୍ଠାନକୁ ଅଧିକ ଅଂଶଗ୍ରହଣର ସୁଯୋଗ ଦିଏ– ‘ଉଦାରୀକରଣ’ର ସହଜ ସଂଜ୍ଞା । ପ୍ରତିଯୋଗିତାମୂଳକ ଅର୍ଥନୀତି ଯାହା ଭିତରେ ଆଂଶିକ କିମ୍ବା ସଂପୂର୍ଣ୍ଣ ଘରୋଇକରଣ, ରାଷ୍ଟ୍ରାୟତ୍ତ ସଂପତ୍ତିରୁ ରାଷ୍ଟ୍ରର ଅଂଶଧନ ପ୍ରତ୍ୟାହାର, ଘରୋଇ ବ୍ୟବସାୟ ପାଇଁ କମ୍‌ ଟିକସ ବ୍ୟବସ୍ଥା ଏବଂ ଘରୋଇ ଓ ବିଦେଶୀ ପୁଞ୍ଜିନିବେଶ ନିମନ୍ତେ କୋହଳ ନିୟନ୍ତ୍ରଣ-ଏସବୁ ଉଦାରୀକରଣର ଭାଇ, ବନ୍ଧୁ, କୁଟୁମ୍ବ ।

 

ଜଣେ ଭାଗ୍ୟବିଧାତା କହିଥିଲେ– ଉଦାରୀକରଣର ସଫଳତା ଯିବ ସେହି ଦେଶ ଓ କମ୍ପାନୀମାନଙ୍କୁ ଯେଉଁମାନେ ଶୀଘ୍ର ପରିବର୍ତ୍ତନ କରିପାରିବେ ନିଜକୁ, କମ୍‌ ଅଭିଯୋଗ କରିବେ ଏବଂ ନିଜେ ବଦଳିବା ପାଇଁ ଉନ୍ମୁକ୍ତ ଇଚ୍ଛାଶକ୍ତି ରଖିଥିବେ ।

 

ସ୍ଥାନୀୟତାବାଦ

 

କେନ୍ଦ୍ରୀୟ ନିୟନ୍ତ୍ରଣରୁ ସାମର୍ଥ୍ୟ ଓ ସମ୍ବଳକୁ ମୁକ୍ତ କରି ସ୍ଥାନୀୟ ଗଣତାନ୍ତ୍ରିକ ଢାଞ୍ଚାକୁ ସୁଦୃଢ଼ କରି ସ୍ଥାନୀୟ ଲୋକ, ଉପଭୋକ୍ତା ଏବଂ ଗୋଷ୍ଠୀକୁ ନିଷ୍ପତ୍ତି ନେବାର ଅଧିକାର ପ୍ରଦାନ କରିବା ହେଉଛି ‘ସ୍ଥାନୀୟତାବାଦ’ । ଅର୍ଥନୈତିକ ପ୍ରକ୍ରିୟାକୁ ବିଶ୍ୱବ୍ୟାପୀରୁ ସ୍ଥାନୀୟ ସ୍ତରକୁ ଆଣିବା ଏବଂ ସ୍ଥାନୀୟ ସମ୍ବଳର ବିନିଯୋଗ କରି ସ୍ଥାନୀୟ ଶ୍ରମଶକ୍ତିକୁ ସମ୍ମାନଜନକ ମଜୁରି ସହିତ କାମ ଦେବା ତଥା ମୁଖ୍ୟତଃ ସ୍ଥାନୀୟ ଉପଭୋକ୍ତାଙ୍କ ପାଇଁ ସ୍ଥାନୀୟ ଲୋକଙ୍କ ମାଲିକାନାରେ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ‘ସ୍ଥାନୀୟତାବାଦ’ର ଅଂଶବିଶେଷ । ଏହି ପ୍ରକାର ଅର୍ଥନୈତିକ ବ୍ୟବସ୍ଥା ସ୍ୱୟଂସଂପୂର୍ଣ୍ଣ ଏବଂ ଏହା ଆମଦାନୀ ଉପରେ ନିର୍ଭରଶୀଳ ନୁହେଁ ।

 

ଉଦାରୀକରଣ ବନାମ ସ୍ଥାନୀୟତାବାଦ

 

ଉଦାରୀକରଣ ପୁଞ୍ଜିବାଦର ସନ୍ତାନ । ନିୟନ୍ତ୍ରଣମୁକ୍ତ ଅର୍ଥନୈତିକ ବ୍ୟବସ୍ଥା ଉତ୍ତରଦାୟୀ ନୁହେଁ ଲୋକଙ୍କ ପାଇଁ ବା ଲୋକଙ୍କ ପାଖରେ । ତେଣୁ ଏହା କେବଳ ମୁଷ୍ଟିମେୟଙ୍କ ପାଖରେ ସମ୍ପଦ ଠୁଳ କରାଇ ବ୍ୟକ୍ତିଗତ ସମ୍ପତ୍ତି ବଢ଼ାଇବାର ଏକ ଆଇନ ସମର୍ଥିତ ପ୍ରକ୍ରିୟା ।

 

ଅପର ପକ୍ଷରେ ସ୍ଥାନୀୟତାବାଦ କେବଳ ଅର୍ଥନୀତି ସହିତ ସଂପୃକ୍ତ ନୁହେଁ, ଏହା ଗୋଟିଏ ଅଞ୍ଚଳର ଭାଷା, ସଂସ୍କୃତି, ଚାଲିଚଳଣି, ଜୀବନଧାରଣ ଓ ଇତିହାସ ସହିତ ମଧ୍ୟ ସଂପର୍କିତ-। ମୋଟାମୋଟି ଭାବରେ ଉଦାରୀକରଣ ଯଦି ଅନାବଶ୍ୟକ ଓ ଅଗଣତାନ୍ତ୍ରିକ ଭାବରେ ଉପରୁ ଲଦା ହେଇଥିବା ଏକ ବ୍ୟବସ୍ଥା ହୁଏ, ସ୍ଥାନୀୟତାବାଦ ସଂପୂର୍ଣ୍ଣ ଭାବରେ ତୃଣମୂଳ-ସମ୍ଭୂତ-। ତେଣୁ ଉଭୟଙ୍କ ଭିତରେ ସମନ୍ୱୟ ବା ସହାବସ୍ଥାନ ନୁହେଁ, ବିରୋଧାଭାସ ହିଁ ସମ୍ଭବ କେବଳ-

 

ସାହିତ୍ୟର ଭିତ୍ତିଭୂମି

 

ଅନେକ ସମୟରେ ଶୁଣିବାକୁ ମିଳେ ଯେ ସାହିତ୍ୟ ତତ୍କାଳିକ ସାମାଜିକ, ରାଜନୈତିକ କିମ୍ବା ଅର୍ଥନୈତିକ ପରିବେଶ ଉପରେ ନିର୍ଭରଶୀଳ ନୁହେଁ । କିନ୍ତୁ, ବିଶ୍ୱ ସାହିତ୍ୟର ଯେତକ ସଫଳ କୃତି ଦେଶ ଓ ଭାଷା ନିର୍ବିଶେଷରେ ସେସବୁ ସ୍ଥାନୀୟ ସାମାଜିକ ବ୍ୟବସ୍ଥାକୁ ନେଇ ହିଁ ଲେଖା ଯାଇଛି । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ସମସ୍ୟା ହେଉ କି ଚୀନ୍‌ରେ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ସମର୍ଥନ, ଭିଏତନାମରେ ଯୁଦ୍ଧବିରୋଧୀ ପରିବେଶ ମହାନ ସାହିତ୍ୟକୁ ଜନ୍ମ ଦେଇଛି ।

 

ସାହିତ୍ୟ ଶୂନ୍ୟରୁ ସୃଷ୍ଟି ହୁଏନାହିଁ । ସାହିତ୍ୟ ମଧ୍ୟ କେବଳ ମାନସିକ ଅବସ୍ଥାରୁ ସୃଷ୍ଟ ସୃଜନଶୀଳତା ନୁହେଁ । ପାକିସ୍ତାନ ଓ ଆଫଗାନିସ୍ତାନରେ ଏବେ ମୌଳବାଦୀ ବିରୋଧରେ ଏବଂ ନାରୀମାନଙ୍କ ମର୍ଯ୍ୟାଦାକୁ ନେଇ ସାହିତ୍ୟ ସୃଷ୍ଟି ହେଉଛି । ଏଭଳି ସ୍ୱର ବିଶେଷକରି ଲେଖିକାମାନଙ୍କଠାରୁ ଆସୁଛି ।

 

କିନ୍ତୁ ଓଡ଼ିଶାରେ ଐତିହାସିକ ବିବର୍ତ୍ତନକୁ ମଧ୍ୟ ଅସ୍ୱୀକାର କରାଯାଏ । ଭାରତବର୍ଷ ଯଦି ଗଣତାନ୍ତ୍ରିକ ରାଜନୈତିକ ବ୍ୟବସ୍ଥା ପରିବର୍ତ୍ତେ ଏକଛତ୍ରବାଦ କିମ୍ବା ମୌଳବାଦକୁ ଗ୍ରହଣ କରିଥା’ନ୍ତା, ତେବେ ଆମ ସାହିତ୍ୟ ମଧ୍ୟ ଏତେ ବିବିଧତାପୂର୍ଣ୍ଣ ହୋଇ ନ ଥା’ନ୍ତା । କିନ୍ତୁ ଓଡ଼ିଶାରେ କେତେକ ସ୍ତରରେ ସାହିତ୍ୟକୁ କେବଳ ଏକ ବୌଦ୍ଧିକ ବ୍ୟକ୍ତିଗତ କସରତ ହିସାବରେ ବିବେଚନା କରାଯାଏ ।

 

ଯଦି ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଆମେ ଦେଖିବା, ‘ରେବତୀ’ ଊନବିଂଶ ଶତାବ୍ଦୀର ସାମାଜିକ ପରିବେଶକୁ ଦର୍ଶାଉ ନାହିଁ କି ? ଯେତେବେଳେ ସାମାଜିକ ଏବଂ ରାଜନୈତିକ ପରିବର୍ତ୍ତନ ବ୍ୟାପକ ଭାବରେ ପ୍ରଭାବିତ କରିଛି, ଲେଖକମାନେ ସେଥିରୁ ମୁକ୍ତ ରହିନାହାନ୍ତି । ୧୯୭୫ର ଜରୁରୀ ପରିସ୍ଥିତି ବେଳେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖକମାନେ ନିଜ ନିଜ ଶୈଳୀରେ ଏହାର ପ୍ରତିବାଦ କରିଥିଲେ । ପରବର୍ତ୍ତୀ ସମୟରେ ଏପରି ଗଳ୍ପମାନଙ୍କୁ ନେଇ ଏକ ସଂକଳନ ମଧ୍ୟ ପ୍ରକାଶ ପାଇଥିଲା । ପ୍ରାକ୍‌-ସ୍ୱାଧୀନତାର ସମୟ, ସ୍ୱାଧୀନତାର ସ୍ୱପ୍ନ, ଭୂ-ସଂସ୍କାର, ସାମାଜିକ ଅସମାନତା, ଶିଳ୍ପ ବିପ୍ଳବ, ସମବାୟ ଆନ୍ଦୋଳନ, ଯୌଥ ପରିବାରର ବିଲୟ, ଗଣତାନ୍ତ୍ରିକ ଢାଞ୍ଚାର କ୍ରମବିଲୟ, ଆଞ୍ଚଳିକତାବାଦ, ଦୁର୍ନୀତି, ବ୍ୟକ୍ତିଗତ ସଂପର୍କରେ ତିକ୍ତତା ଆଦି ଓଡ଼ିଆ କ୍ଷୁଦ୍ର ଗଳ୍ପରେ ସ୍ଥାନ ପାଇଛି । ଆଉ ଏସବୁ ଭିତରୁ ଅଧିକାଂଶ ତତ୍କାଳୀନ ସମୟର ପରିଚୟ ଓ ପ୍ରଭାବକୁ ନେଇ ହିଁ ରଚିତ ହୋଇଛି । ଏହି ଗଳ୍ପଗୁଡ଼ିକ ନିଜ ନିଜ ସମୟର ସଶକ୍ତ ପ୍ରତିନିଧି ହେଇ ରହିଛନ୍ତି ଆଜିଯାଏଁ । ଏହି ଗପମାନେ ମଧ୍ୟ ଆମ ସାହିତ୍ୟିକ ପରମ୍ପରା ଓ ଆସ୍ପର୍ଦ୍ଧାର ପ୍ରତୀକ ସାଜିଛନ୍ତି । ଆମ ଗାଳ୍ପିକମାନେ ନିଜକୁ ନିବୁଜ କରି ନ ଦେଇ ଅନେକ ପରିବର୍ତ୍ତନ ପ୍ରତି ଉନ୍ମୁକ୍ତ ରହିଥିଲେ ଓ ରହି ଆସିଛନ୍ତି ବୋଲି ପ୍ରମାଣିତ କରି ଆସିଛନ୍ତି ।

 

ବିଗତ ଶତାବ୍ଦୀ ଅର୍ଥାତ୍‌ ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରୁ ହଠାତ୍‌ ଗାଳ୍ପିକମାନେ ପୁଣି ନିଜ ଅଭ୍ୟନ୍ତରକୁ ଚାହିଁବାର ପ୍ରୟାସ କଲେ । ମାନସିକ ଉଦ୍‌ବେଳନ ଓ ମନସ୍ତାତ୍ତ୍ୱିକ ସମସ୍ୟା ସେମାନଙ୍କୁ ଅଧିକ ଆନ୍ଦୋଳିତ କରିବାକୁ ଲାଗିଲା । ହୁଏତ ଆଦର୍ଶବାଦର ମୃତ୍ୟୁ, ଈଶ୍ୱର ଅଯଥା ହୋଇଯିବା, ବ୍ୟକ୍ତି ସମାଜଠାରୁ ବିଚ୍ଛିନ୍ନ ହୋଇ ସଂପୂର୍ଣ୍ଣ ଏକାକୀ ହୋଇଯିବା, ପ୍ରତୀକମାନଙ୍କର ପ୍ରସ୍ଥାନ ଏବଂ ଅସହିଷ୍ଣୁତାର କ୍ରମବୃଦ୍ଧି ଗାଳ୍ପିକମାନଙ୍କୁ ଅନ୍ତର୍ମୁଖୀ କରାଇଦେଲା । ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସମସ୍ୟା ଓ ଏସବୁର ବ୍ୟକ୍ତି ତଥା ଗୋଷ୍ଠୀ ଉପରେ ପ୍ରଭାବ ସେମାନଙ୍କୁ ବିଶେଷ ଭାବରେ ପ୍ରେରଣା ଯୋଗାଇଲା ନାହିଁ ।

 

ଏହି ସମୟରୁ ମଧ୍ୟ ଭାରତୀୟ ଅର୍ଥନୀତି ମୋଡ଼ ନେଲା । ଏହି ମୋଡ଼ ଥିଲା ଐତିହାସିକ । ଗଣତାନ୍ତ୍ରିକ ସମାଜବାଦର ସ୍ଥାନ ନେଲା ନିୟନ୍ତ୍ରଣମୁକ୍ତ ଉଦାରୀକରଣ ଅର୍ଥନୀତି । ମୁକ୍ତ ଅର୍ଥନୈତିକ ବ୍ୟବସ୍ଥା ଯାହା ପ୍ରତିଯୋଗିତାମୂଳକ ବ୍ୟବସାୟକୁ ପ୍ରୋତ୍ସାହନ ଦେଲା । ଆହରଣ କରିବା, ବ୍ୟାବସାୟିକ ଅଭିବୃଦ୍ଧି ପାଇଁ ସମସ୍ତ ମାଧ୍ୟମକୁ ଆପଣେଇବା ଏବଂ ‘ସାମର୍ଥ୍ୟ ଅଛି ତ ତିଷ୍ଠି’ ରୁହକୁ ଗୁରୁତ୍ୱ ପ୍ରଦାନ କରାଗଲା ।

 

ଏଭଳି ଉଦାରୀକରଣ ସିଧାସଳଖ ପ୍ରହାର କଲା ସ୍ଥାନୀୟ ପରିଚୟ ଓ ଅସ୍ମିତାକୁ । ଅର୍ଥନୀତି କ୍ରମଶଃ ସଂସ୍କୃତିରେ ସଙ୍କଟ ସୃଷ୍ଟି କଲା । ବ୍ୟକ୍ତିଗତ ଇଚ୍ଛା ଓ ସ୍ପୃହା ପାଖରେ ସାମୂହିକ ସ୍ୱାର୍ଥକୁ ଜଳାଞ୍ଜଳି ଦେବା ଯଥାର୍ଥ ପାଲଟିଗଲା । ଉଦାରୀକରଣର ପ୍ରଭାବ ଅନେକଙ୍କ ପାଇଁ ‘ତିଷ୍ଠି ରହିବାର ସଂଘର୍ଷ’ରେ ରୂପାନ୍ତରିତ ହେଇଗଲା ।

 

ଆମ ଗାଳ୍ପିକମାନେ କ’ଣ ଏସବୁକୁ ଦେଖିପାରୁ ନ ଥିଲେ ?

 

ଦୃଷ୍ଟାନ୍ତ : ଏକ

 

‘‘ସେମାନଙ୍କ ଝାଳ, ରକ୍ତ, ସପନ ସେ ମାଟିରେ ମିଶିଯାଇଛି । ତାକୁ ଛାଡ଼ି କୁଆଡ଼େ ଯିବେ ସେମାନେ ? ସେମାନେ ଅତର ତିଆରନ୍ତି, ଲୋକଙ୍କ ଦେହ ମନକୁ ବାସ୍ନାରେ ଭରନ୍ତି । ନିଜ ପାଇଁ କେବେ ବଞ୍ଚି ନ ଥିବା ଲୋକେ ମା’କୁ ଆଡ଼ କରିଦେବେ ?

 

ସୁଜନପୁର ମାଟି ରକ୍ତମୁଖା ହେଲା, ଗୋଟିଏ ପଟେ ନିଆଁ, ଆରପଟେ ଗୁଳି । ପିଲା, ବୁଢ଼ା, ଟୋକା ରକ୍ତାକ୍ତ ହେଲେ । ଲାଲ ରୁଧିର ଝରିଆସି ମିଶିଗଲା ମାଟିରେ । ମାଟି ଓ ଆକାଶ ଲାଲ ହେଇଗଲା । ରକ୍ତର ହୋରିଖେଳ ଭିତରେ ହାର୍‌ଜିତ୍‌ର ହିସାବ ନ ଥିଲା ।

 

ମେଘ ଶଗଡ଼ରୁ ଓହ୍ଲାଇ ଆସିଲା ଅପେକ୍ଷା କରି କରି । ଏ ନିଆଁ ତ ମଣିଷ ଲିଭାଇ ପାରିବ ନାହିଁ । ମଣିଷ ତ କେବଳ ନିଆଁ ଲଗାଇପାରେ ।

 

ନିଆଁ ଲିଭିଲା, ସମସ୍ତେ ଉଠିଲେ ।

 

ସଦାନନ୍ଦ କିନ୍ତୁ ଶୋଇଥିଲା ମାଟି ଉପରେ, ମା’ କୋଳରେ ଶୋଇଲା ପରି । ଛାତିରୁ ଝରିଥିବା ରକ୍ତ ତା’ର ମାଟି ସହିତ ଏକାତ୍ମ ହୋଇଯାଇଥିଲା । ଏଥର ତାକୁ ସେଠୁ କିଏ ନେଇପାରିବ, ନେଉ । ଯିଏ ଯେତେ ଡାକିଲେ ବି ସେ ଆଉ ଉଠିଲା ନାହିଁ ।

 

ମୂର୍ତ୍ତି ପାଲଟି ଯାଇଥିଲା ସଦାନନ୍ଦ ।’’ (ରକ୍ତସ୍ନାନ/ ଦେବପ୍ରସାଦ ଦାଶ)

 

ଦୃଷ୍ଟାନ୍ତ : ଦୁଇ

 

‘‘କହି ଦିଆଗଲା– ମାଟି ଯାଉ, ସମସ୍ତେ ଆକାଶ ପାଇବ । ଫସଲ ଯାଉ, ସମସ୍ତେ ମାସିକିଆ ପାଇବ । ହଳ ଯାଉ, ସମସ୍ତେ ମେସିନ୍‌ ପାଇବ । ସାତ ପୁରୁଷ ଯାଆନ୍ତୁ, ସମସ୍ତେ ମାଲିକ ପାଇବ । ଦିଅ, ସବୁ ଦେଇଦିଅ– ଶ୍ରମ, ସ୍ୱେଦ, ସ୍ୱପ୍ନ ଆଉ ରକ୍ତ । ଦେଇଦିଅ ଇଚ୍ଛା, ଆକାଂକ୍ଷା, ଦେବତା ଓ ଈଶ୍ୱର । ଦିଅ ଦିଅ ପାଣି, ପବନ, ସୁଖ ଓ ନିଃଶ୍ୱାସ । ସବୁ ଦେଇ ପଳାଅ । ହରାଇବାର ହିସାବ ନୁହେଁ, ପାଇବାର କଳ୍ପନା କର । ପଛକୁ ନୁହେଁ, ଆଗକୁ ଦେଖ ।

 

କିଏ ଚାହିଁଥିଲା ଏସବୁକୁ । ଗୋଟେ ଅଲୋଡ଼ାପଣ ଭିତରେ ସେମାନେ ବଞ୍ଚିଥିଲେ ନିଜ ନିଜର ଅବସ୍ଥିତିକୁ ନେଇ । କୌଣସି ଇଚ୍ଛା, କୌଣସି କାରଣ ବିନା ନିଜର ସ୍ଥିତିକୁ ନେଇ ବଞ୍ଚି ରହିବା ହିଁ ତ ଆନନ୍ଦ । ସେତିକି ତ ଥିଲା ସେମାନଙ୍କର ପୁଞ୍ଜି । ମୂଳରୁ ବିସ୍ଥାପନ, ପୁଣି ସଂସ୍ଥାପନ– ଏସବୁ କ’ଣ ଏତେ ସହଜ ? ଚେର ଉପୁଡ଼ିଗଲେ କ’ଣ ବଞ୍ଚି ରହିହୁଏ ?

 

ନିରବତା ଗୁଞ୍ଜରଣ ସୃଷ୍ଟି କରି ସଞ୍ଚରି ଗଲା ଭିତରେ ଭିତରେ । ପାଣି, ପବନ, ଆକାଶ, ସ୍ଥାବର, ଜଙ୍ଗମରେ ବିଦ୍ରୋହର ସ୍ୱର । ଆମେ ଅଛୁ, ଠିକ୍‌ ଅଛୁ, ବେଶ୍‌ ଅଛୁ । ଆମ ମାଟି ଉପରେ ନିଜ ନିଜର ଦୁଃଖସୁଖକୁ ନେଇ ଆମେ ବଞ୍ଚି ରହିବୁ । ଏତେ ଲୋଡ଼ିବାପଣ ଆମର ଦରକାର ନାହିଁ-

 

ଶବ୍ଦମାନେ ମେଳି ବାନ୍ଧିଲେ । ବାହାରି ଆସିଲା ଜଣେ । ତା’ପରେ ଆଉ ଜଣେ । ପୁଣି ପଛରେ ଜଣେ । ଧାଡ଼ିଟିଏ ଚାଲିବାକୁ ଆରମ୍ଭ କଲା । ଧାଡ଼ି ସମୁଦାୟ ପାଲଟିଗଲା । ସମୁଦାୟ ଭିଡ଼ ପାଲଟିଲା । ପ୍ରଶ୍ନ ଓ ପ୍ରତିବାଦ ପାଚେରି ଭଳି ଠିଆ ହେଇଗଲେ ।’’ (କାନ୍ଥ/ ଦେବପ୍ରସାଦ ଦାଶ)

 

କିଛି ପ୍ରଶ୍ନ : କୋଉଠି ଉତ୍ତର

 

ସବୁଠି ଚେର ଉପୁଡ଼ିବାର ସ୍ୱର । ସବୁଠି ଆର୍ତ୍ତନାଦ । ବିକେନ୍ଦ୍ରୀକରଣ ନୁହେଁ, ଲଦି ଦିଆଯିବ ସବୁ ନିଷ୍ପତ୍ତି ଉପରୁ । ମାନିନେବାକୁ ବାଧ୍ୟ ।

 

ଉଦାରୀକରଣକୁ ଅନ୍ଧ ସ୍ତାବକମାନେ ଆଖି ବୁଜି ଦିଅନ୍ତି ଯେତେବେଳେ ପ୍ରଶ୍ନ କରାଯାଏ–

 

୧. ଅନେକଙ୍କୁ କର୍ମସଂସ୍ଥାନ ଯୋଗାଉଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ଧ୍ୱଂସ କରି କେଉଁ ବୃହତ୍‌ ସ୍ୱାର୍ଥ ସାଧନ କରାଯାଏ ?

 

୨. କର୍ମଜୀବୀମାନଙ୍କୁ ସମାନ କାର୍ଯ୍ୟ କରିବା ପାଇଁ ଅସମାନ ମଜୁରି ମିଳେ ନାହିଁ କି ?

 

୩. ମହିଳା ଶ୍ରମଜୀବୀମାନଙ୍କୁ ଶୋଷଣ ଓ ପକ୍ଷପାତର ଶିକାର ହେବାକୁ ପଡ଼େ ନାହିଁ କି ?

 

୪. ତୃତୀୟ ବିଶ୍ୱର ରାଷ୍ଟ୍ରମାନଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କମ୍‌ ପୁଞ୍ଜି ନିବେଶ କରି ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଦେବାକୁ ବିଶ୍ୱ ବାଣିଜ୍ୟିକ ସଂସ୍ଥାମାନେ ଚାପ ପକାଇ ନାହାନ୍ତି କି ?

 

୫. ବିସ୍ଥାପନ ପରେ ସତରେ କ’ଣ ପୁନର୍ସଂସ୍ଥାନ ସମ୍ଭବ ହୋଇପାରିଛି ?

 

୬. ସ୍ଥାନୀୟତାବାଦର ବିଲୋପ ପରେ ଜୀବନ, ସ୍ୱପ୍ନ ଓ ସଂସ୍କୃତି ବାସ୍ତୁହରା ହେଇଯାଆନ୍ତି ନାହିଁ କି ?

 

ଏ ପ୍ରଶ୍ନର ଉତ୍ତର ମିଳେନି ।

 

ଓଡ଼ିଆ ଗଳ୍ପ ଜଗତ କେବେ ତା’ର ପରିଚ୍ଛନ୍ନ ଇତିହାସଠାରୁ ବିଚ୍ଛିନ୍ନ ହେବ ନାହିଁ । ଗାଳ୍ପିକମାନେ ଆଖି, କାନ ଖୋଲା ରଖିବେ ଉଦାରୀକରଣର ସର୍ବଗ୍ରାସୀ ‘ଆଁ’ ଭିତରେ ସ୍ଥାନୀୟ ମାଟି, ପାଣି, ପବନ, ଜୀବନ, ସଂସ୍କୃତି ଓ ନିଜସ୍ୱ ଦେଶୀ ସଭ୍ୟତା ସବୁ ସ୍ୱାହା ହେଇଯିବା ପ୍ରତି ସେମାନେ ଦୃଷ୍ଟି ରଖିବେ ।

 

ସେମାନେ ପ୍ରଶ୍ନ ପଚାରିବେ ନିଜ ଗପ ଭିତରେ– କାହିଁକି ଓଡ଼ିଶାର ଜଙ୍ଗଲମାନେ ଆଜି ଅଶାନ୍ତ ? କାହିଁକି ପରପିଢ଼ି ପାଇଁ ପ୍ରାକୃତିକ ସମ୍ପଦର କାଣିଚାଏ ଛାଡ଼ି ନ ଦେଇ ଜଳ, ଜମି ଓ ଜଙ୍ଗଲକୁ ଧ୍ୱଂସ କରି ସବୁକିଛିକୁ ଲୁଟି ନିଆଯାଉଛି ? କାହିଁକି ଅମୃତର ସନ୍ତାନମାନଙ୍କୁ ପ୍ରଦୂଷଣର ବିଷଚକ୍ର ଭିତରକୁ ଜୋର ଜବରଦସ୍ତ ଠେଲି ଦିଆଯାଉଛି ? କାହିଁକି ବର୍ଷ ବର୍ଷ, ପିଢ଼ି ପିଢ଼ିର ଜୀବନକୁ ବାସ୍ତୁହରା କରି ଦିଆଯାଉଛି ?

 

ନିଜ ଅସ୍ମିତାର ପ୍ରଶ୍ନ ତ ଉଠାଇବେ ଦେବାଂଶମାନେ, ଦେବସୃଷ୍ଟି ମାନେ, ଦେବଶିଶୁ ମାନେ । ଭବିଷ୍ୟତର ଓଡ଼ିଆ ଗଳ୍ପ ଏଥିରୁ ମୁକ୍ତ ରହିବ କିପରି ? ଢିଙ୍କିଆ ଓ ଗୋବିନ୍ଦପୁର ଏ ପ୍ରଶ୍ନ ଉଠାଇ ସାରିଛନ୍ତି ।

Image

 

ଆଗାମୀ ଦିନର ଓଡ଼ିଆ ଗଳ୍ପ ପାଇଁ ସଙ୍କଟ ଓ ସମ୍ଭାବନା

ଅରବିନ୍ଦ ରାୟ

 

୧୮୭୪ ମସିହା ଜୁନ୍‌ ୩ ତାରିଖର ‘‘ଉତ୍କଳପୁତ୍ର’’ ପୃଷ୍ଠାରେ ଆମ ଏହି ଓଡ଼ିଆ ସାହିତ୍ୟ ସଂପର୍କରେ ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ ଉଲ୍ଲେଖ କରିଥିଲେ– ‘‘ଉତ୍କଳ ସାହିତ୍ୟର ଅବସ୍ଥା ଯେ ଅଦ୍ୟାବଧି ଶୋଚନୀୟ ଏକଥା କିଏ ଅସ୍ୱୀକାର କରିବ ? ଆଜି ପର୍ଯ୍ୟନ୍ତ ସରଳ, ସୁଲଳିତ, ଶୃଙ୍ଗାର ରସ ବିବର୍ଜିତ ମନଦୁଃଖହର ଓ ପ୍ରୀତିପଦ ଖଣ୍ଡେ ଗଦ୍ୟ କି ପଦ୍ୟ ମୂଳଗ୍ରନ୍ଥ ଓଡ଼ିଆ ଭାଷାରେ ଦେଖିବାକୁ, ପାଇବାକୁ ଦୁସ୍ତର । ନାଟକ ଓ ନବନ୍ୟାସ ରୀତିତ ଅଦ୍ୟାବଧି ପ୍ରକୃଷ୍ଟ ରୂପେ ଏ ଭାଷାରେ ପ୍ରବେଶ କରିପାରିନାହିଁ । ଉପାଖ୍ୟାନ କି ଭ୍ରମଣ ବୃତ୍ତାନ୍ତ ବିଷୟକ ପୁସ୍ତକ ମୂଳରୁ ଦୁଷ୍ପ୍ରାପ୍ୟ । ଏହିପରି ଗୋଟି ଗୋଟି କହିଲେ ଅନେକ ହୋଇଯିବ ।’’

 

ପ୍ୟାରୀମୋହନ ଆଚାର୍ଯ୍ୟ ଏକଥା ୧୮୭୪ ମସିହାରେ କାହିଁକି ଲେଖିଥିଲେ ? କାରଣ ୧୮୬୬-୬୭ ଖ୍ରୀଷ୍ଟାବ୍ଦରେ ଅଣ୍ଟାଭାଙ୍ଗି ମାଟିକାମୁଡ଼ି ପଡ଼ିଥିବା ଓଡ଼ିଆମାନଙ୍କ କଟାଘା’ରେ ଚୂନ ଦେବା ପରି ୧୮୬୮ ମସିହା ଡିସେମ୍ବର ମାସରେ କଟକର ‘‘ଡିବେଟିଂ କ୍ଲବ୍‌’’ରେ ଏକ ଭାଷଣ ଦେଇ ରାଜେନ୍ଦ୍ରଲାଲ ମିତ୍ର ନାମକ ଜଣେ ବଙ୍ଗାଳୀ ସରକାରୀ ବାବୁ କହିଥିଲେ– ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ । ତା’ର ବର୍ଷକ ପରେ ୧୮୬୯ରେ ବାଲେଶ୍ୱର ଜିଲ୍ଲା ସ୍କୁଲ୍‌ର ସଂସ୍କୃତ ଶିକ୍ଷକ ଚାକିରି କରୁଥିବା କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଆଉ ଦି’ ପାଦ ଆଗେଇଯାଇ ‘‘ଉଡ଼ିଆ ସ୍ୱତନ୍ତ୍ର ଭାଷା ନୟ’’ ନାମରେ ଏକ ପୁସ୍ତକ ବି ପ୍ରକାଶ କରିଦେଲେ । ଖାଲି ସେତିକି ନୁହେଁ ସେମାନଙ୍କ ଚକ୍ରାନ୍ତରେ ତତ୍କାଳୀନ ସ୍କୁଲ୍‌ ଇନିସ୍‌ପେକ୍ଟର୍‌ ମାର୍ଟିନ ସାହେବ ସ୍କୁଲ୍‌ମାନଙ୍କରେ ଓଡ଼ିଆ ଶିକ୍ଷା ପ୍ରଚଳନର ପ୍ରତ୍ୟାହାର କରିବା ନିମନ୍ତେ ଆଦେଶ ବି ଦେଇଦେଲେ ।

 

ଏହି ଆଦେଶ ବିରୁଦ୍ଧରେ ଲଢ଼ିଥିଲେ ଫକୀରମୋହନ । ସେତେବେଳେ କଟକର ଜିଲ୍ଲାପାଳ ଥିବା ବିମସ୍‌ ସାହେବଙ୍କୁ ସାକ୍ଷାତ କରିଥିଲେ ଫକୀରମୋହନ ସେନାପତି । ଫକୀରମୋହନ ବିମସ୍‌ ସାହେବଙ୍କ ସହ ଆଲୋଚନା କଲାପରେ ବୁଝିଲେ କାହିଁକି ବଙ୍ଗାଳୀମାନେ ଓଡ଼ିଆ ଭାଷାକୁ ବଙ୍ଗଳାର ଏକ ଉପଭାଷା କହିବାର ସାହସ କରୁଛନ୍ତି । ସେତିକିବେଳେ ସେ ବୁଝିଥିଲେ ଓଡ଼ିଆ ଜାତି ପାଇଁ ସଙ୍କଟ କ’ଣ ! ତା’ ପୂର୍ବରୁ ୧୮୬୬ରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ରଚିତ ‘‘ଜୀବନ ଚରିତ’’କୁ ଅନୁବାଦ କରି ସାରିଥିଲେ । ଏହା ବ୍ୟତୀତ ରାମାୟଣ, ମହାଭାରତରେ ସେ ମନୋନିବେଶ କରିଥିଲେ । ତେଣୁ ପ୍ୟାରୀମୋହନ ଆଚାର୍ଯ୍ୟ ଯାହା ଉଲ୍ଲେଖ କରିଥିଲେ– ୧୮୭୦ରୁ ୧୮୯୦ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଯଥାର୍ଥରେ ମୌଳିକ ଗଦ୍ୟଗ୍ରନ୍ଥ ବା ପଦ୍ୟଗ୍ରନ୍ଥ ନ ଥିଲା । ତେଣୁ ପଡ଼ୋଶୀମାନେ ଆମକୁ ନ୍ୟୂନ ଦୃଷ୍ଟିରେ ଦେଖୁଥିଲେ ।

 

ଏହାହିଁ ଥିଲା ତତ୍କାଳୀନ ସାମାଜିକ ସଙ୍କଟ । ଏହି ସଙ୍କଟର ମୁକାବିଲା କରିବା ପାଇଁ ୧୮୯୭ରେ ଫକୀରମୋହନ ଲେଖିଲେ ‘‘ଛ’ମାଣ ଆଠଗୁଣ୍ଠ’’ ପରି ଯୁଗାନ୍ତକାରୀ ଉପନ୍ୟାସ ଓ ୧୮୯୮ରେ ‘ରେବତୀ’ ପରି ନୂତନ ଯୁଗ ସୃଷ୍ଟିକାରୀ ଆଧୁନିକ ଗଳ୍ପ ।

 

ଏ ପ୍ରସଙ୍ଗ ମୁଁ ଏଇଥିପାଇଁ ଉଲ୍ଲେଖ କରୁଛି ଯେ– ଆମେ ଯାହାକୁ ଆଶଙ୍କା, ବିପଦ ବା ସଙ୍କଟ ବୋଲି କହୁ, ତାହା ପ୍ରକୃତରେ ସାହିତ୍ୟ କ୍ଷେତ୍ରରେ ଗ୍ରହଣୀୟ ନୁହେଁ । ସଙ୍କଟ ବା ବିପଦ ଏକ ରାଜନୈତିକ ଶବ୍ଦ । ଏହା ସାଧାରଣ ଲୋକଙ୍କୁ ଡରାଇଥାଏ ଓ ଆତଙ୍କିତ କରିଥାଏ । ସମାଜ ତ ସମୟ ଅନୁସାରେ ପରିବର୍ତ୍ତିତ ହେବ । ସମୟ ଅନୁସାରେ ମଣିଷର ଚିନ୍ତା ଚେତନା ବଦଳିବ ଏବଂ ସମାଜରେ ନୂଆ ନୂଆ ଲକ୍ଷଣ ବିଲକ୍ଷଣମାନ ଦେଖାଯିବ । ଏ ତ ପ୍ରକୃତିର ନିୟମ । କିନ୍ତୁ ଏଥିରେ ସାହିତ୍ୟିକଟିଏ ବା ଗାଳ୍ପିକଟିଏ ଆତଙ୍କିତ ବା ଆଶଙ୍କିତ ହେବାର କିଛି କାରଣ ନାହିଁ ।

 

ଫକୀରମୋହନଙ୍କ ସମୟରେ ସାମାଜିକ ସଙ୍କଟ କ’ଣ ନ ଥିଲା ? ଓଡ଼ିଶା ସାରା ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କର ଧର୍ମପ୍ରଚାର ଚାଲିଥିଲା । ବଙ୍ଗଳାର ଶିକ୍ଷିତ ଗୋଷ୍ଠୀ ଆସି ଏଠାରେ ଆମ ଭାଷା ଉପରେ ଘନଘନ ଆକ୍ରମଣ କରୁଥିଲେ । କେତେ ହଜାର ବର୍ଷର ଗୋଟାଏ ବୀରଜାତି ଯୁଦ୍ଧ କରି କରି ଏକବାର ଥକି ପଡ଼ିଥିଲା । ନିଶାପାନ, ବେଶ୍ୟାଳୟ ଗମନ ସହ ଅନେକ ନୈତିକ ସ୍ଖଳନ ପଥରେ ପାଦ ଥାପିଥିଲା ଏହି ନୂଆ ଶିକ୍ଷିତ ଓଡ଼ିଆ ଜାତି । ଏହି ସଙ୍କଟ ଭିତରେ ସାଧାରଣ ମଣିଷଟିଏ ବ୍ୟସ୍ତ, ବିବ୍ରତ ହେବା ସ୍ୱାଭାବିକ । କିନ୍ତୁ ଫକୀରମୋହନଙ୍କୁ ଦେଖନ୍ତୁ– ସେ ବ୍ୟସ୍ତ ହୋଇଥିବେ, ବିବ୍ରତ ହୋଇଥିବେ ସତ । କିନ୍ତୁ ସେ ତାଙ୍କର ସେ ବିବ୍ରତା ଓ ବ୍ୟସ୍ତତାର କାରଣ ଖୋଜି ଖୋଜି ଚିନ୍ତା କରିଛନ୍ତି– ଏ ଜାତିଟାକୁ ବାଟକୁ ଆଣିବାକୁ ପଡ଼ିବ । ଏଇ ବାଟକୁ ଆଣିବା ଯୋଜନାରୁ ଜନ୍ମ ନେଇଛନ୍ତି– ରେବତୀ, ପେଟେଣ୍ଟ୍‌ ମେଡିସିନ୍‌ ଓ ରାଣ୍ଡୀପୁଅ ଅନନ୍ତା ପରି ଗଳ୍ପ ସମୂହ ।

 

ତେଣୁ ସାମାଜିକ ସଙ୍କଟ ସମୟରେ ବା ବିପଦ ସମୟରେ ରାଜନୈତିକ ତତ୍ତ୍ୱମାନେ ଅସହାୟ ଓ ହତାଶା ଜର୍ଜରିତ ମଣିଷକୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବାବେଳେ– ରାଜନୈତିକ, ଅର୍ଥନୈତିକ, ଧର୍ମୀୟ ତଥା ସାମାଜିକ ସଙ୍କଟକାଳରେ ଲେଖକ, କଳାକାର ତଥା ଜାତିପ୍ରାଣ ବ୍ୟକ୍ତିମାନେ ଜାତୀୟ ଜୀବନକୁ ସୁଧାରିବାକୁ ଏବଂ ଜାତିର ଅସ୍ମିତାର ସୁରକ୍ଷା ପାଇଁ ଲାଗିପଡ଼ନ୍ତି ।

 

ଏଇଠି ପ୍ରସଙ୍ଗକ୍ରମେ ଉଲ୍ଲେଖ କରାଯାଇପାରେ ବାଳକୃଷ୍ଣ ଦାସ ଓଡ଼ିଶୀ ସଂଗୀତର ପ୍ରସାର କରି, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟର ପ୍ରସାର କରି ଏବଂ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଓଡ଼ିଶୀ ବାନ୍ଧକଳାର ପ୍ରସାର କରି ଯେମିତି ଓଡ଼ିଆ ‘ଅସ୍ମିତା’ର ତଥା ଓଡ଼ିଆ ଜାତିର ବୈଶିଷ୍ଟ୍ୟକୁ ପ୍ରତିପାଦନ କଲେ, ସେମିତି ଜଣେ ବା ଦୁଇଜଣ ଗାଳ୍ପିକ କି କବି ଯଥେଷ୍ଟ ଗୋଟାଏ ଜାତିର ସାରସ୍ୱତ ଗରିମାକୁ ବଜାୟ ରଖିବା ପାଇଁ । ଏଠାରେ ଆଉ ଏକ କଥା ଆମକୁ ସ୍ମରଣ ରଖିବାକୁ ପଡ଼ିବ ଯେ ଯେଉଁ ଦିଗ୍‌ଗଜମାନଙ୍କ କଥା ଉଲ୍ଲେଖ କରାଗଲା, ସେମାନେ ବୃତ୍ତି ଓ ପ୍ରବୃତ୍ତିରେ ଥିଲେ ଏକ ।

 

ଯିଏ ସତ୍ୟନିଷ୍ଠ, ଯିଏ ନିଜ ସମାଜ-ସଂସ୍କୃତି ଓ ନିଜ ଅତୀତ ସହ ଗଭୀର ଭାବେ ପରିଚିତ ଏବଂ ଯାହାର ଦୃଷ୍ଟି ସାମାଜିକ ଲକ୍ଷଣ ବିଲକ୍ଷଣର ସୂକ୍ଷ୍ମ କାରଣଗୁଡ଼ିକୁ ଖୋଜି ଦେଖିପାରେ ଏବଂ ଆଗକୁ ଏ ସମାଜରେ କ’ଣ ଘଟିବାକୁ ଯାଉଛି ତାହାର ଆକଳନ କରିପାରେ, ସେ ଏସବୁ ବିଲକ୍ଷଣ ଦ୍ୱାରା ପ୍ରଭାବିତ ହୁଏ ନାହିଁ । ତେଣୁ ସେ ଫକୀରମୋହନ ସେନାପତି, ବା ଲକ୍ଷ୍ମୀକାନ୍ତ ମହାପାତ୍ର, ବା ଗୋଦାବରୀଶ ମହାପାତ୍ର, ବା ସଚ୍ଚି ରାଉତରା, ବା ମନୋଜ ଦାସ, ବା ମହାପାତ୍ର ନୀଳମଣି ସାହୁ, ବା ଶାନ୍ତନୁ କୁମାର ଆଚାର୍ଯ୍ୟ, ବା ଅଖିଳମୋହନ ପଟ୍ଟନାୟକ, ବା ବିଭୂତି ପଟ୍ଟନାୟକ, ବା ବୀଣାପାଣି ମହାନ୍ତି, ବା ବାଳକୃଷ୍ଣ ଦାସ, ବା ସୁନନ୍ଦା ପଟ୍ଟନାୟକ ବା ରଘୁନାଥ ପାଣିଗ୍ରାହୀ, ବା କୃତାର୍ଥ ଆଚାର୍ଯ୍ୟ କି ବିନୋଦ କାନୁନ୍‌ଗୋ ହୋଇ ଜାତିର ପରିଚୟକୁ ନିଶ୍ଚୟ ପରିବ୍ୟାପ୍ତ କରିବେ ।

 

କିନ୍ତୁ ଯେଉଁମାନେ ସମୟର ସଙ୍କଟକୁ ବୁଝିପାରନ୍ତି ନାହିଁ, ସେଇ ସଙ୍କଟର କାରଣ ଖୋଜି ପାଇବାକୁ ଅଧ୍ୟୟନ କରନ୍ତି ନାହିଁ, ଇତିହାସର ଅନୁଶୀଳନ କରନ୍ତି ନାହିଁ କି ଭବିଷ୍ୟର ଆକଳନ କରନ୍ତି ନାହିଁ, ସେମାନେ ଯେତେ ଗଦାଗଦା ଲେଖିଥାନ୍ତୁ ବା ହଜାର ହଜାର ଗୀତ ଗାଇଥାନ୍ତୁ କି ହଜାର ମଞ୍ଚରେ ନାଚିଥାନ୍ତୁ ସେମାନେ ‘ସାଧାରଣ’ ହୋଇ ଇତିହାସ ଗର୍ଭରେ ଅଚିରେ ଲୀନ ହୋଇଯିବାକୁ ବାଧ୍ୟ ।

 

ଏହି ଦୋଛକି ଉପରେ ନିର୍ଭର କରୁଛି-ଆମ ଓଡ଼ିଆ ଗଳ୍ପ ଓ ଭବିଷ୍ୟତର ଗାଳ୍ପିକମାନଙ୍କର ଭାଗ୍ୟ । ସେମାନେ ସମୟର ସଙ୍କଟଗୁଡ଼ିକୁ ଗଭୀର ଅନୁଶୀଳନ କରି, ପ୍ରଚୁର ଜୀବନୋପଲବ୍ଧି, ଅନୁଭୂତି ଓ ଅନୁସନ୍ଧିତ୍ସା ମଧ୍ୟରେ ଆଗାମୀ ଦିନ ପାଇଁ ପଥ ପ୍ରସ୍ତୁତ କରିବେ ନା ଗୋଟେ ସାଧାରଣ ଫଟୋଗ୍ରାଫର୍‌ ପରି ସମାଜର ଅବିକଳ ଚିତ୍ରଟିଏ ତୋଳିଆଣି ସମାଜ ସଚେତନ ଶିଳ୍ପୀ ନାଁରେ ନିଜେ ହିଁ ସେ ସଙ୍କଟର ଏକ ଅଂଶ ହୋଇଯିବ ।

 

ଏଠାରେ ସ୍ମରଣ କରାଇ ଦେବାକୁ ଚାହେ, ୧୯୬୦ରୁ ୧୯୮୦ ଏହି ସମୟଖଣ୍ଡ ଭିତରେ କେତେ କେତେ କଥା ଏ ପୃଥିବୀ ନ ଦେଖିଛି । ଏହି ସମୟଖଣ୍ଡର ସଂପର୍କର ପରିଭାଷା ବଦଳିଛି, ଭାଗ୍ୟ ଓ ଭଗବାନ ଏକ ମିଛକଥା ବୋଲି କୁହାଯାଇଛି । ଗାଁରୁ ସହର ଓ ପୁଣି ସହରରୁ ଗାଁ ଯିବା ଆସିବା ଲାଗିଛି । ମଣିଷର ବହୁ କୋମଳପଣ ପୁଣିଥରେ ମଣିଷକୁ ଆବେଗରେ ବାନ୍ଧି ରଖିଛି ଓ ମିଥ୍ୟା ପ୍ରତାରଣାରେ ପୁଣି ମଣିଷର ବିଶ୍ୱାସ ତୁଟିଛି । ବିଜ୍ଞାନ ବଡ଼ ନା ଆଧ୍ୟାତ୍ମିକତା ବଡ଼ ୟାକୁ ନେଇ ଲଢ଼େଇ ଲାଗିଛି । ପଶୁପକ୍ଷୀ କୀଟ ପତଙ୍ଗ, ସ୍ଥାବର ଜଙ୍ଗମ ସମସ୍ତେ ଗାଳ୍ପିକର ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ମଣିଷର ଚିନ୍ତା ଚେତନାର ପ୍ରତିଦିନ ନୂଆ ନୂଆ କଥା ଆସି ପହଞ୍ଚିଛି ଏହି ସମୟଖଣ୍ଡରେ ।

 

ଏହାକୁ ଆମେ ସମୟର ସଙ୍କଟ କହିବା ନା ସମ୍ପଦ କହିବା । ଉଲ୍ଲେଖନୀୟ କଥା ଯେ, ଏହି ସଙ୍କଟ ବା ପ୍ରତିନିୟତ ବଦଳି ଯାଉଥିବା ପୃଥିବୀକୁ ନିରୀକ୍ଷଣ କରି ଅନେକ ନୂଆ ଗଳ୍ପ ଆମ ଓଡ଼ିଆ ସାହିତ୍ୟକୁ ଆସିଛି । ଏହି ସମୟରେ ପୁଣି ବେଶ୍ୟା, କିନ୍ନର, ଚୋର, ଠକ, ହତ୍ୟାକାରୀ ପରି ଅପନାୟକ/ନାୟିକା ବା ଆଣ୍ଟିହିରୋମାନେ ଆମ କଥା ସାହିତ୍ୟକୁ ଆସିଛନ୍ତି । ଏହି ସମୟର ଚିତ୍ରିତ ରୂପକୁ ଆଧାର କରି ଦେବ୍ରାଜ ଲେଙ୍କା, ନାରୁ ମହାନ୍ତି, ପ୍ରତିଭା ରାୟ, ରାମଚନ୍ଦ୍ର ବେହେରା, ରାଧାବିନୋଦ ନାୟକ, କହ୍ନେଇଲାଲ୍‌ ଦାସ, ପ୍ରଭାତ ମହାପାତ୍ର, ଦାଶ ବେନହୁର, ଉତ୍ତମ କୁମାର ପ୍ରଧାନ, ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ପହି, ପଦ୍ମଜ ପାଳ, ଅଧ୍ୟାପକ ବିଶ୍ୱରଂଜନ, ପୁଷ୍ପାଞ୍ଜଳି ନାୟକ, ରଜନୀକାନ୍ତ ମହାନ୍ତି, ଅର୍ଚ୍ଚନା ନାୟକ, ଗିରି ଦଣ୍ଡସେନା, ଆର୍ଯ୍ୟ ଯଜ୍ଞଦତ୍ତ, ତରୁଣକାନ୍ତି ମିଶ୍ର, ସତ୍ୟ ମିଶ୍ର, ଯଶୋଧାରା ମିଶ୍ର, ଜଗଦୀଶ ମହାନ୍ତି, ଗାୟତ୍ରୀ ସରାଫ, ହୃଷୀକେଶ ପଣ୍ଡା, ସଦାନନ୍ଦ ତ୍ରିପାଠୀ, ରବି ସ୍ୱାଇଁ, ସରୋଜିନୀ ସାହୁ, ଅଜୟ ସ୍ୱାଇଁ, କଇଳାଶ ପଟ୍ଟନାୟକ, ଜ୍ୟୋତି ନନ୍ଦ, ଦେବବ୍ରତ ମଦନରାୟ, ମଳୟ ମିଶ୍ର, ବିଷ୍ଣୁ ସାହୁ, ସୁରେନ୍ଦ୍ର ମିଶ୍ର, ଶ୍ୟାମାପ୍ରସାଦ ଚୌଧୁରୀ, ମନୋଜ ପଣ୍ଡା, ଗୌରହରି ଦାସ, ପ୍ରକାଶ ମହାପାତ୍ର, ପରେଶ ପଟ୍ଟନାୟକ, ଅଭୟ ବାରିକ, ଭୀମ ପୃଷ୍ଟି, ସୁସ୍ମିତା ବାଗ୍‌ଚୀ, ଜୟନ୍ତୀ ରଥ, କବିତା ବାରିକ, ଜ୍ୟୋତ୍ସ୍ନା ରାଉତ, ସୁନୀତି ଦେବୀ, ରଶ୍ମୀ ରାଉଳ, ପବିତ୍ର ପାଣିଗ୍ରାହୀ, ନିବାରଣ ଜେନା, ବିଜୟ ନାୟକ, ସତ୍ୟପ୍ରିୟ ମହାଳିକ, ଗିରୀଶ ସାହୁ, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ପ୍ରଦୀପ ଦାଶ, ଅନିଲ୍‌ କୁମାର ଦାସ, ଦୀପ୍ତିରଂଜନ ପଟ୍ଟନାୟକ, ଅରବିନ୍ଦ ରାୟ, ଗଙ୍ଗାଧର ବିଶ୍ୱାଳ, ସାରଦା ପ୍ରସାଦ ମିଶ୍ର, ଅନୀଲ୍‌ କୁମାର ପାଢ଼ୀ, ଆଭାସ ବରାଳ, କ୍ଷୀରୋଦ ଦାସ, ଦେବପ୍ରସାଦ ଦାଶ, ଅରବିନ୍ଦ ଧଳ, ପାରମିତା ଶତପଥୀ, ଚିରଶ୍ରୀ ଇନ୍ଦ୍ରସିଂ, ଦେବାଶିଷ ପାଣିଗ୍ରାହୀ, ମୋନାଲିସା ଜେନା, ସୁପ୍ରିୟା ମଲିକ୍‌ ଆଦି କଥାଶିଳ୍ପୀମାନେ ଅନେକ ନୂତନ ଶୈଳୀର ଓ ନୂତନ ଚେତନା ପ୍ରବାହର ଗଳ୍ପ ରଚନା କରି ଓଡ଼ିଆ କଥା ସାହିତ୍ୟକୁ ବିଭବମଣ୍ଡିତ କରିଅଛନ୍ତି । ତେବେ, ପ୍ରଶ୍ନ ହେଉଛି, ଏଇ ସମୟରେ କ’ଣ ଆମ ଜୀବନ ଓ ଜଗତ ପ୍ରତି ବିପଦ ବା ସଙ୍କଟ ନ ଥିଲା ? ତେବେ ସେହି ସଙ୍କଟ ଭିତରୁ କେମିତି ସୃଷ୍ଟିହେଲା, ରାମଚନ୍ଦ୍ର ବେହେରାଙ୍କ ‘ଗୋପପୁର’ କହ୍ନେଇଲାଲ୍‌ ଦାସଙ୍କ ‘ଧୃତରାଷ୍ଟ୍ରର ଆଖି’, ପଦ୍ମଜ ପାଳଙ୍କ ‘ସବୁଠୁଁ ସୁନ୍ଦର ପକ୍ଷୀ’, ତରୁଣକାନ୍ତି ମିଶ୍ରଙ୍କ ‘କୋମଳ ଗାନ୍ଧାର’, ସତ୍ୟମିଶ୍ରଙ୍କ ‘ଯୀଶୁଖ୍ରୀଷ୍ଟ’, ଜଗଦିଶ ମହାନ୍ତିଙ୍କ ‘ନିଆଁ’, ହୃଷୀକେଶ ପଣ୍ଡାଙ୍କ ‘ରେବତୀ’, ଶ୍ୟାମାପ୍ରସାଦଙ୍କ ‘ଦ୍ରୌପଦୀ’, ଗୌରହରି ଦାସଙ୍କ ‘ମାଟି କଣ୍ଢେଇ’, ପରେଶ ପଟ୍ଟନାୟକଙ୍କ ‘ମେଣ୍ଢା’, ଅଜୟ ସ୍ୱାଇଁଙ୍କ ‘ବାଘ’ କି ପ୍ରକାଶ ମହାପାତ୍ରଙ୍କ ‘କୀଟ’, ଅରବିନ୍ଦ ରାୟଙ୍କ ‘ଅନ୍ଧାର ଯେତିକି ଆଲୁଅ ସେତିକି’ ପରି ଉଚ୍ଚାଙ୍ଗ ଗଳ୍ପ । ଏମାନେ କ’ଣ ସାଧାରଣ ଭାବେ ସମୟର ସଙ୍କଟକୁ ଭୋଗି ନାହାନ୍ତି ?

 

ଆଗାମୀ ଦିନରେ ସେମିତି ଯୁଗ ସଙ୍କଟ ହୋଇ ଉଭା ହେବାକୁ ଯାଉଛି ଅନେକ ପ୍ରସଙ୍ଗ-

 

ତଥ୍ୟ ଓ ସୂଚନା ଏବେ ଜ୍ଞାନ ବୋଲି ବିବେଚନା ହେଲାଣି, ଯୌଥ ପରିବାର ଭାଙ୍ଗିଯାଇ ଏକକ ପରିବାର ସୃଷ୍ଟି ହେଉଥିବାରୁ ହୃଦୟର ଆବେଗ ଆଉ ନାହିଁ, ମୁକ୍ତ ଯୌନାଚାର ଏବେ ଏକ ସାଧାରଣ କଥା, ବାମାବାଦ ଓ ଦଳିତବାଦ ଏବେ ନୂଆ ସ୍ଳୋଗାନ । ଆମ ସଂସ୍କୃତିରେ ଅନୁପ୍ରବେଶ କଲାଣି, କାଉଡ଼ିଆଙ୍କ ବୋଲ୍‌ବମ୍‌, ଦାଣ୍ଡିଆ ନାଚ, ଫେସନ୍‌ ସୋ ଇତ୍ୟାଦି ଇତ୍ୟାଦି । ହାଟ ଏବେ ରୂପାନ୍ତରିତ ହେଲାଣି ଅତ୍ୟାଧୁନିକ ‘ମଲ୍‌’ରେ । ହସିଲେ ଆୟୁ ବଢ଼ିବ ବୋଲି ବିଚରା ପୁଅର ଛୋଟିଆ ସରକାରୀ କ୍ୱାର୍ଟସରେ ଲୁହ ଗଡ଼ାଉଥିବା ଗାଁର ମାମଲତକାର ଏବେ ସହରର ଲାଫିଙ୍ଗ୍‌ କ୍ଲବ୍‌ରେ, ସରୋଗେଟ୍‌ ମଦର, ଭଡ଼ା ସ୍ୱାମୀ, ଭଡ଼ା ସ୍ତ୍ରୀ ଆଦି କେତେ କେତେ କଥା ଏବେ ଆମ ଜୀବନର ନିହାତି ସାଧାରଣ ପ୍ରସଙ୍ଗ । ଆମ ଖଣି ଖାଦାନ ଲୁଟ୍‌ ହୋଇଯାଉଛି । ଆମେ ଦେଶର ଖେଳାଳିମାନେ ଲାଞ୍ଚ ନେଇ ହାରୁଛନ୍ତି । ଆମ ଦେଶର ସୁରକ୍ଷା ପାଇଁ କିଣା ହେଉଥିବା ଅସ୍ତ୍ରରେ ବି ମୁନାଫାର ଅଭିଯୋଗ ହେଉଛି । ମନ୍ଦିର ପଛପଟେ ମଦ ଦୋକାନ ଖୋଲିଲାଣି, ଗାନ୍ଧୀଙ୍କ ଫଟୋ ଥିବା ଟଙ୍କା ବଦଳରେ ମଦ କିଣା ହଉଛି, ଲିଭ୍‌ ଇନ୍‌ ଟୁଗେଦର୍‌ ନାଁରେ ବିବାହ ନ କରି ମଧ୍ୟ ଯୁବକଯୁବତୀ ସ୍ୱାମୀ ସ୍ତ୍ରୀ ପରି ରହିପାରୁଛନ୍ତି, ସରକାରୀ ଚାକିରି ପ୍ରତି ମୋହ ତୁଟି ଯାଇଛି, କଲ୍‌ ସେଣ୍ଟର୍‌, ୱିକିପେଡିଆ, ଗୁଗଲ୍‌, ଫେସ୍‌ବୁକ୍‌, ଇବୁକ୍‌ ପରି ନୂଆ ନୂଆ କଥା ଆମ ସମାଜକୁ ଗ୍ରାସି ସାରିଲାଣି । ବାପା-ମା’ ବୁଢ଼ାହେଲେ ସେମାନଙ୍କୁ ଜରାନିବାସର ରାସ୍ତା ଦେଖାଇଦେବା ଏକ ସାଧାରଣ କଥା ହେଲାଣି । ଏଥି ସହିତ ସମାନ୍ତରାଳ ଭାବେ ବିଜ୍ଞାନ ମହାକାଶକୁ ଆମ ହାତ ପାଆନ୍ତାକୁ ଆଣିସାରିଲାଣି । ‘ବିଗ୍‌ ବ୍ୟାଙ୍ଗ୍‌’ ପରେ ‘ଗଡ଼ ପାର୍ଟିକଲ୍‌’ର ଅସ୍ତିତ୍ୱ ପୁଣି ନୂଆକରି ମୋଡ଼ ନେଲାଣି ।

 

ଏମିତି ନାନା ପ୍ରସଙ୍ଗ ଏବେ ଆମ ସାମ୍ନାରେ । ଏହାକୁ କେହି ଯୁଗଧର୍ମ କହିପାରନ୍ତି, ସମୟର ସଙ୍କଟ କହିପାରନ୍ତି ବା ପ୍ରକୃତିର ସ୍ୱାଭାବିକ ନିୟମ କହିପାରନ୍ତି । କିନ୍ତୁ ଏହିସବୁ ପ୍ରସଙ୍ଗରେ ଆମ ନୂତନ ପିଢ଼ିର କଥାଶିଳ୍ପୀମାନେ ସଚେତନ ତ ? ମୋର ତ ମନେହୁଏ, ୧୯୯୦ ମସିହା ପରେ ଆମ ଗଳ୍ପ ଧାରାକୁ ଆସିଥିବା, ପ୍ରଦୀପ ନାୟକ, ଆଶିଷ ଗଡ଼ନାୟକ, ଅମରେଶ ବିଶ୍ୱାଳ, ରମାକାନ୍ତ ସାମନ୍ତରାୟ, ସରୋଜ ବଳ, ଆଦିତ୍ୟେଶ୍ୱର ମିଶ୍ର, ସୁନନ୍ଦା ପ୍ରଧାନ, ହିରଣ୍ମୟୀ ମିଶ୍ର, ସୁପ୍ରିୟା ପାଲ୍‌, ମମତାମୟୀ ଚୌଧୁରୀ, ଶୁଭ୍ରାଂଶୁ ପଣ୍ଡା, ଯଶୋବନ୍ତ ସାମଲ, ତପନ ମହାପାତ୍ର, କାଶୀନାଥ ନନ୍ଦୀ ପ୍ରମୁଖ ଯୁବ କଥାଶିଳ୍ପୀଙ୍କ ପରବର୍ତ୍ତୀ ସମୟରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେବାକୁ ଯାଉଛି ।

 

ଏହାର କାରଣ ମୁଁ ସ୍ୱଷ୍ଟ ଭାବେ ଉଲ୍ଲେଖ କରିବାକୁ ଚାହେ, ଏମାନଙ୍କ ପରବର୍ତ୍ତୀ ପିଢ଼ିର କତିପୟ ଯୁବ ଗାଳ୍ପିକ ବୋଧହୁଏ ଆମ ସମୃଦ୍ଧ କଥା ପରମ୍ପରା ସହ ପରିଚିତ ନୁହନ୍ତି । ସେମାନଙ୍କ ସାମ୍ନାରେ ଫକୀରମୋହନ, ବା ଗୋଦାବରୀଶ ବା ମହାପାତ୍ର ନୀଳମଣି ସାହୁ, ବା ରବି ପଟ୍ଟନାୟକ କି ରାମଚନ୍ଦ୍ର ବେହେରା ଆଦର୍ଶ କି ଉଦାହରଣ ନୁହନ୍ତି । ସେମାନଙ୍କ ସାମ୍ନାରେ ଆଦୌ ଦେଖି ନ ଥିବା, ଆଦୌ ଅନୁଭୂତି ନ ଥିବା ବା ଆଦୌ ସମ୍ଭାବନା ନ ଥିବା ଗୁଡ଼ାଏ ଶୁଷ୍କ ପ୍ରସଙ୍ଗ ଏବେ ଉଦାହରଣ । ଏହାକୁ ସେମାନେ ବିଶ୍ୱଦୃଷ୍ଟି ଓ ବିଶ୍ୱ ସାହିତ୍ୟ ବୋଲି ମଧ୍ୟ ଦାବି କରୁଛନ୍ତି । ବିଶ୍ୱରେ କେଉଁ କୋଣରେ ଯାହା ଘଟୁଛି, ତାହା ଯେ ଆମ ଏଠି ଘଟିବ ସେମାନେ ଏକଥା କାଇଁ ଭାବନ୍ତି ?

 

ଓଡ଼ିଶା ମାଟିରେ ଜୀବନ ଜିଉଁଥିବା ମଣିଷ କ’ଣ ତେବେ ବିଶ୍ୱ ବାହାରେ ଏବଂ ତା’ର ସମସ୍ୟା ସବୁ ବିଶ୍ୱ ମଣିଷର ସମସ୍ୟା ନୁହେଁ ? ଆମ ପରିବେଶ, ଆମ ଜୀବନ ଜୀବିକା, ଆମ ଗାଁ-ସହର ଓ ଆମ ରାଜନୈତିକ କ୍ଷେତ୍ରଠାରୁ ଆମ ସାଂସ୍କୃତିକ ବଳୟ ଯାଏ, ସବୁଠାରେ ରହିଛି ନିୟତ ବଦଳି ଯାଉଥିବା ପୃଥିବୀର ପ୍ରତିଛବି । ଆମେ ତାକୁ କେତେ ପରିମାଣରେ ଭୋଗୁଛେ ଓ ଅନୁଭବ କରୁଛେ, ତାହାରି ଉପରେ ନିର୍ଭର କରୁଛି ଆମ ସାହିତ୍ୟର ଓ ଆମ ଜାତିର ଭବିଷ୍ୟତ ।

 

କିନ୍ତୁ ଦୁଃଖର କଥା, ଏବେ ମହାବିଦ୍ୟାଳୟ ସ୍ତରରୁ ହିଁ ଛାତ୍ରଛାତ୍ରୀମାନଙ୍କୁ ଟଙ୍କା ରୋଜଗାର କରିବାର ଯନ୍ତ୍ରଟିଏ କରିଦବାର ପ୍ରତିଯୋଗିତା ଚାଲିଛି । ଆବେଗ ନୁହେଁ, ଅର୍ଥ ହିଁ ବଡ଼ କଥା ବୋଲି ସେମାନଙ୍କୁ ବୁଝାଇ ଦିଆଯାଇଛି । ଫଳରେ ଆଉ ସାହିତ୍ୟ ଲେଖିବା ପଢ଼ିବା ପ୍ରତି ଆଗ୍ରହ ନାହିଁ ।

 

ପ୍ରସଙ୍ଗକ୍ରମେ ମୁଁ ସୂଚାଇ ଦେବାକୁ ଚାହେ ଇଷ୍ଟର୍ଣ୍ଣ ମିଡିଆର କଥା ପତ୍ରିକା ପକ୍ଷରୁ ପ୍ରତିବର୍ଷ ୨୫ ବର୍ଷରୁ କମ୍‌ ବୟସର କଥାଶିଳ୍ପୀମାନଙ୍କର ଯେଉଁ ପ୍ରତିଯୋଗିତା ହେଉଥିଲା, ପ୍ରଥମେ ପ୍ରଥମେ ୫୦୦ରୁ ଊର୍ଦ୍ଧ୍ୱ ଯୁବକଯୁବତୀ ସେମାନଙ୍କ ଗଳ୍ପ ଏହି ପ୍ରତିଯୋଗିତାକୁ ପଠାଉଥିଲେ । ଗତ ବର୍ଷ (୨୦୧୨) ସେହି ସଂଖ୍ୟା ଶହେରୁ କିଛି ଅଧିକ ଥିଲା ଏବଂ ତା’ ମଧ୍ୟରୁ ୯୦ ଭାଗ ଥିଲା ‘‘ଅଗପ’’ ।

 

ମୋର ତ ଆଶଙ୍କା ହୁଏ, ଆଗାମୀ ଦିନରେ ଓଡ଼ିଆ କଥା ସାହିତ୍ୟର ପାଠକ ସଙ୍କଟ ପରି ଲେଖକ ସଙ୍କଟ ମଧ୍ୟ ଉତ୍କଟ ହେବ ।

 

ଦିନ ଥିଲା ଲେଖକ କହିଲେ ଅଲରା ଦାଢ଼ି ବଢ଼ିଥିବା, କାନ୍ଧରେ ବ୍ୟାଗ୍‌ ଝୁଲାଇଥିବା, ଭୋକ ଉପାସରେ ସଢ଼ୁଥିବା ଗୋଟେ ଦୁଃଖୀଲୋକର ଚିତ୍ର ଆମ ଆଖିସାମ୍ନାରେ ନାଚୁଥିଲା । କିନ୍ତୁ ଏବେ ସମୟ ବଦଳିଗଲାଣି । ଜଣେ କେବଳ ଗଳ୍ପ ବା ଉପନ୍ୟାସ ଲେଖି ସମାଜରେ ସମ୍ମାନ ସହ ବଞ୍ଚିପାରେ । ବିଭିନ୍ନ ଟିଭି ଚ୍ୟାନେଲ୍‌ଠାରୁ ଆରମ୍ଭ କରି ଇ ପ୍ରକାଶକଙ୍କ ପାଇଁ ଲେଖି ଜଣେ ପ୍ରଚୁର ଅର୍ଥ ମଧ୍ୟ ରୋଜଗାର କରିପାରେ । ତା’ ସତ୍ତ୍ୱେ, ଆମ ଯୁବକ ଯୁବତୀମାନେ ପ୍ରଶ୍ନ କରୁଛନ୍ତି– ଓଡ଼ିଆରେ ଲେଖାପଢ଼ା କରି ଆମେ ପାଇବୁ କ’ଣ ?

 

ଏହି ପ୍ରଶ୍ନ ହିଁ ଆଗାମୀ ଦିନ ପାଇଁ କେବଳ ଓଡ଼ିଆ ଗଳ୍ପ ନୁହେଁ, ସମଗ୍ର ଓଡ଼ିଆ ସାହିତ୍ୟ ସାମ୍ନାରେ ଆସି ଠିଆହେବ ଏବଂ ସେହି ପ୍ରଶ୍ନର କିଏ କେମିତି ସମାଧାନ ବାଟ ଖୋଜିବେ ମୁଁ ଜାଣେ ନାହିଁ । କିନ୍ତୁ ଏହି ପ୍ରସଙ୍ଗରେ ଗୋଟିଏ ଉଲ୍ଲେଖଯୋଗ୍ୟ ଘଟଣାର ସ୍ମରଣ କରାଇ ଦେବାକୁ ଚାହେ । ୧୯୪୦ ମସିହା ପୂର୍ବର କଥା । ଦିନେ ଖରାବେଳେ ନିଜ ଘରେ ଅନନ୍ତ ପଟ୍ଟନାୟକ ଗଡ଼ପଡ଼ ହେଉଥିବା ବେଳେ, ଝରକା ପାଖରେ ଆସି ଆସ୍ତେ ଆସ୍ତେ ଡାକିଲେ ଭଗବତୀ ଚରଣ ପାଣିଗ୍ରାହୀ । କହିଲେ, ଉଠ ଉଠ ମୁଁ ଦକ୍ଷିଣା ଆଣିଛି । ଛାଇ ଦିନରୁ ଉଠିପଡ଼ି ଅନନ୍ତ ପଟ୍ଟନାୟକ କହିଲେ– ହଇଓ ବ୍ରାହ୍ମଣ ସିନା ଦକ୍ଷିଣା ନିଅନ୍ତି– ମୋ ପାଇଁ କି ଦକ୍ଷିଣା ଆଣିଛ ? ଭଗବତୀ ପାଣିଗ୍ରାହୀ କହିଲେ କବାଟ ଖୋଲ, ଦେଖିବ । ଅନନ୍ତ ପଟ୍ଟନାୟକ କବାଟ ଖୋଲିଦେବା ପରେ ଭଗବତୀ ତାଙ୍କ ଗାମୁଛା କାନି ଫିଟାଇ ଦେଖାଇଲେ ଏକ ସୁନା ନାକଚଣା । ଅନନ୍ତ ପଟ୍ଟନାୟକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ– ଏଇଟା କୋଉଠୁ ଆଣିଲ ? ଭଗବତୀ ବିନା ଦ୍ୱିଧାରେ କହିଲେ– ମଶାଣି ପଦାରେ କାହାଘରର ଗୋଟାଏ ନୂଆବୋହୂର ଶବ ପଡ଼ିଥିଲା । ତା’ ନାକରେ ଥିଲା ଏଇ ନାକଚଣା । ମୁଁ ୟାକୁ ଖୋଲି ଆଣିଛି । ଚାଲ ୟାକୁ ବିକିଦେଇ ‘‘ଆଧୁନିକ’’ ପତ୍ରିକା ବାହାର କରିବା-

 

ସମୟର ଢେଉରେ ସେଦିନର ସେ ନୂଆବୋହୂର ଶବ କୁଆଡ଼େ ଗଲାଣି, ସେ ନାକଚଣା ବି କୁଆଡ଼େ ଗଲାଣି, ହେଲେ ବଞ୍ଚି ରହିଛନ୍ତି– ଭଗବତୀ, ଅନନ୍ତ, ଆଧୁନିକ ପତ୍ରିକା ଓ ଶିକାର ଗଳ୍ପ ।

 

ନିଜ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ ମନୋଭାବ ନେଇ ଏମିତି ଭଲ ପାଇଲେ ଏବଂ ଜାତିର ଯେଉଁମାନେ ପୂର୍ବସୂରୀ ସେମାନଙ୍କ ସୃଜନ ପରିଧି ସହ ପରିଚିତ ହେଲେ, ଜାତୀୟ ଗୌରବକୁ ସ୍ମରଣରେ ରଖିଲେ ଓଡ଼ିଆ ଗଳ୍ପ ଫକୀରମୋହନଙ୍କ ସମୟରୁ ଯେଉଁ ସମୃଦ୍ଧି ପଥରେ ଗତିକରିଆସିଛି, ତାହା ଆଗାମୀ ଦିନରେ ଆହୁରି ସମୃଦ୍ଧିଶାଳୀ ତଥା ପ୍ରଭାବଶାଳୀ ହୋଇପାରିବ ।

 

ସାହିତ୍ୟ ଅକାଦେମି ଆୟୋଜିତ ‘ଓଡ଼ିଆ ଗଳ୍ପ: କାଲି, ଆଜି ଓ କାଲି’ ଶୀର୍ଷକ ଆଲୋଚନାଚକ୍ରର ଓଡ଼ିଆ ଗଳ୍ପ ସାହିତ୍ୟର ଅନ୍ୟ ଉନ୍ମେଷ କାଳରୁ ୧୮୯୮ରୁ ନେଇ ୨୦୧୨ ପର୍ଯ୍ୟନ୍ତ ଦୀର୍ଘ ୧୧୪ ବର୍ଷର ଓଡ଼ିଆ ଗଳ୍ପ ସଂପର୍କରେ ଚର୍ଚ୍ଚା କରାଯାଇଥିଲା । ଏହି ଆଲୋଚନାଚକ୍ରରେ ଗଳ୍ପର ଆଙ୍ଗିକ ଓ ଆତ୍ମିକ ଉଭୟ ଦୃଷ୍ଟିକୋଣରୁ ବକ୍ତାମାନେ ପ୍ରବନ୍ଧ ପାଠ କରିଥିଲେ ଓ ନାନା ଭାବରେ ପଠିତ ପ୍ରବନ୍ଧଗୁଡ଼ିକର ଆଲୋଚନା ମଧ୍ୟ ହୋଇଥିଲା । ଆଲୋଚ୍ୟ ସନ୍ଦର୍ଭଗୁଡ଼ିକ ଯେଉଁଭଳି ଥିଲା ଗୁରୁତ୍ୱପୂର୍ଣ୍ଣ, ସେହିଭଳି ପ୍ରାସଙ୍ଗିକ । ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ଗଳ୍ପ ଜଗତ ସଂପର୍କରେ ଆଲୋଚନାକାଳରେ ତାଙ୍କ ପୂର୍ବର, ତାଙ୍କ ସମସାମୟିକ ଏବଂ ତାଙ୍କ ପରବର୍ତ୍ତୀ ଗାଳ୍ପିକଙ୍କର ଗଳ୍ପ ସାହିତ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ଓଡ଼ିଆ ଗଳ୍ପ ସଂପର୍କୀୟ ଆଲୋଚନାକୁ ସମୟକ୍ରମେ ତିନି ଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମରେ ସ୍ୱଧୀନତା ପର୍ଯ୍ୟନ୍ତ ଲେଖାଯାଇଥିବା ଗଳ୍ପ, ଦ୍ୱିତୀୟରେ ସ୍ୱାଧୀନତା ପରବର୍ତ୍ତୀ ଗଳ୍ପ ଏବଂ ତୃତୀୟରେ ବିଂଶ ଶତକର ନବେ ଦଶକର ଦେଖାଯାଉଥିଲା ଉଦାରବାଦୀ ଅର୍ଥନୀତି ପରବର୍ତ୍ତୀ ଓଡ଼ିଆ ଗଳ୍ପ ।

ଏହି ଉଲ୍ଲେଖନୀୟ ଆଲୋଚନାଚକ୍ରରେ ପଠିତ ପ୍ରବନ୍ଧଗୁଡ଼ିକର ସଂକଳନ ଓ ସଂପାଦନା କାର୍ଯ୍ୟ ଓଡ଼ିଆ ଗଳ୍ପ ପତ୍ରିକା ‘କଥା’ ର ସଂପାଦକ ଡଃ ଗୌରହରି ଦାସ ସୁଚାରୁରୂପେ କରିଛନ୍ତି । ସେ ନିଜେ ଜଣେ ଗାଳ୍ପିକ ଏବଂ ଗଳ୍ପ ସମୀକ୍ଷକ ହୋଇଥିବାରୁ ଏ କାର୍ଯ୍ୟ ଅତ୍ୟନ୍ତ ସାର୍ଥକ ଭାବରେ କରିପାରିଛନ୍ତି । ଏ ଗ୍ରନ୍ଥଟି ଯେ ଓଡ଼ିଆ ସାହିତ୍ୟର ଗବେଷକ, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କର ଏକ ଉପାଦେୟ ପୁସ୍ତକ ହୋଇଉଠିବ ଏହା ନିଃସନ୍ଦେହ ।

Image